Unknown

 

 

 

 

 

 

 

 

 

 

ବାଲି ଘର

ଶ୍ରୀମତୀ କ୍ଷୀରୋଦ୍ରା ପରିଜା

 

 

 

 

 

 

 

 

 

କରୁଣାମୟୀ ମୋ ‘ମା’ଙ୍କର ଚରଣରେ

‘ବାଲି ଘର’ ଆଶ୍ରିତ ହେଲା–

 

କ୍ଷୀର

 

ବାଲି ଘର ବିଷୟରେ–

 

ମଣିଷ ଜୀବନ ଏକ ସ୍ୱାଭାବିକ ପ୍ରକ୍ରିୟା–ଏକ ସ୍ୱୟଂକ୍ରିୟ ଯାନ । କେହି ଏହାର ଧାରା ନିର୍ଣ୍ଣୟ କରି ନ ପାରେ । ଏହା ଏକ ସମ୍ପୂର୍ଣ୍ଣ ବୈଚିତ୍ର୍ୟ ।

 

‘ବାଲି ଘର’ ପ୍ରକାଶନରେ ବହୁ ବିଳମ୍ବ ଘଟିଛି । ଏହି ପୁସ୍ତକ ରଚନା ସମୟରେ ଛବି (ଶ୍ରୀମତୀ ଅନିମା କର)ର ପ୍ରେରଣା ମୋର ରଚନାର ସହାୟକ ହୋଇଛି । ଅଧ୍ୟାପିକା ଶ୍ରୀମତୀ ସ୍ନେହସୁଧା ମିଶ୍ର ମୋର ଏ ପୁସ୍ତକକୁ ପାଠ କରି ଆବଶ୍ୟକୀୟ ସଂଶୋଧନ କରିଛନ୍ତି । ପ୍ରଚ୍ଛଦପଟରେ ମନୋରମ ଚିତ୍ର ଅଙ୍କନ କରିଛନ୍ତି ଶ୍ରୀଯୁକ୍ତ ଉଦୟ ଜେନା । ପରିଶେଷରେ ମୋର ଶୁଭାକାଙ୍‌କ୍ଷୀ ପ୍ରକାଶକ ଶ୍ରୀଯୁକ୍ତ ରାଧାଶ୍ୟାମ ମହାନ୍ତି ଏହାର ପ୍ରକାଶନର ଦାୟିତ୍ୱ ନେଇ ସମସ୍ତ ଉଦ୍ୟମକୁ ସାର୍ଥକ କରିଛନ୍ତି । ଏମାନଙ୍କ ନିକଟରେ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

-ଲେଖିକା

Image

 

ସେ ମତେ ଜାବୁଡ଼ି ଧରି କହିଲା ‘‘ମାଲୋ, ମତେ ଭାରି ଡର ମୋଡ଼ୁଛି ।’’ ମୁଁ ତାକୁ ଗେଲ କଲି । ଆକଟ କରି କହିଲି ‘‘ହଇରେ, ତତେ ଆସି ତେର ବର୍ଷ ହେଲାଣି ପରା । ତୋ ଅଜା ତ ପନ୍ଦର ବର୍ଷରେ ବାହା ହୋଇଥିଲା । ତୁ ପୁଣି ଡରୁଛୁ ? ଆରେ ତୁ ମରଦ ପୁଅ, ପିଲାଦିନୁ ତୋ ମନରେ ଭୟ ପଶିଲେ ଡରକୁଳା ହୋଇଯିବୁ । ଆମେ ପରା ଖଣ୍ଡାୟତ ବଂଶ । ଲଢ଼େଇ କରିବା ଆମ କାମ । ଆମର ଡର କଣରେ ?’’ ଏମିତି ମୁଁ ତାକୁ କେତେ କଥା ବୁଝେଇଲି । ସେଦିନ ଗୋଟାଏ ଅମାସିଆ ରାତି ହବ । ସେତେବେଳେ ଏମିତି ଆଲୁଅ ନ ଥିଲା । ଚାରିଆଡ଼ ଭାରି ଅନ୍ଧାରିଆ ଲାଗୁଥିଲା ।

 

ସେ ପୁଣି କହିଲା ‘‘ନାଇଁ ଲୋ ମା, ମୁଁ ଯେତେ ଚେଷ୍ଟା କଲେବି ମତେ ଡର ଛାଡ଼ୁ ନାହିଁ-।’’ ମୁଁ ତାକୁ ଗୋଟାଏ ମନ୍ତ୍ର ଶିଖେଇଥିଲି । ମୁଁ କହିଲି ଆରେ ସତୁ । ମୁଁ ଯୋଉ ମନ୍ତଟା କହିବି ମନେରଖ । ମୋ ସାଙ୍ଗରେ ଗାଇଲୁ–ଓଁ ଦେବେ ଶିବାୟେ ଅଭୟ ଦାୟିନ୍ୟେ ଦୁର୍ଗାୟେ ନମୋ ନମଃ-।’ ତୁ ବାରମ୍ବାର ମୋ ସାଙ୍ଗରେ ବୋଲିଲେ ମନେ ରହିଯିବ । ଦୁଷ୍ଟ ପିଲାଟା ମୋ ମୁହଁକୁ ଅନ୍ଧାରରେ ଅଣ୍ଡାଳି ପକେଇ, କହିଲା ‘‘ମା, ତୋର ତ ଦାଢ଼ି ନାହିଁ ?’’ ମୁଁ ହସି ପକେଇଲି । ମୁଁ କହିଲି ‘‘କିରେ, ତୁଟା ଗୋଟାଏ ବେହିଆଟାଏ ।’’ ସେ ମୋ ବେକରେ ହାତ ଛନ୍ଦି ଦେଇ କହିଲା ‘‘ହେ, ତୁ ରାଗିଗଲୁ କି ମା ? ପଣ୍ଡିତେ କହିଥିଲେ ଧୋତି ନ ପିନ୍ଧିଲେ କି ଦାଢ଼ି ନ ଛାଡ଼ିଲେ ସଂସ୍କୃତ ଶ୍ଳୋକ ମନେ ରହେ ନାହିଁ । ହେଲେ ତୁ କେମିତି ମନେ ରଖିଛୁ ? ସେଥିପାଇଁ ପରୀକ୍ଷା କରୁଥିଲି ।’’ ମୁଁ ପୁଣି ହସିଲି । କହିଲି ‘‘ତୋର ଏ ଗୁଡ଼ା ଅତି ଖେଚେଡ଼ିଆ କଥା । ତୁ ମୋ କଥା ଶୁଣୁନୁ । ନିପଟ ଡରକୁଳାଟାଏ ହବୁ ।’’ ସେ ପୁଣି ବଗୁଲିଆଙ୍କ ପରି କହିଲା ‘‘ନାଇଁ ତୁ ଆଗ କହିଲୁ ? ତୋର କଣ ଆଗରୁ ଦାଢ଼ି ପାଢ଼ି ଥିଲା ?’’ ମୁଁ ଚିଡ଼ି ଉଠିଲି । କହିଲି ‘‘ଆରେ ସତୁ ତୋ ମନ ବଡ଼ ଚଗଲା ହେଲାଣି । ତୁ ଜମା କଥା ଶୁଣୁନୁ.....’’ ମୁଁ ଏତିକି ନ କହୁଣୁ ସେ ମିଛରେ ଘୁଙ୍ଗୁଡ଼ି ମାରିଲା । ସେଇ ଡରକୁଳା ପିଲାଟା ସତୁ । ଆଉ ଆଜି....

 

ଏମିତି କେତେ କଥା ହେମନ୍ତବାବୁଙ୍କ ଜନନୀ ମୁକ୍ତା ଦେଇଙ୍କର ମନେ ପଡ଼ୁଥିଲା । ଦାଣ୍ଡ ମେଲା ଘରେ ଗୋଟିଏ ମସିଣା ଉପରେ ସେ ସ୍ଥିର ହୋଇ ବସି ରହିଥିଲେ । ହେମନ୍ତବାବୁ ଏବେ ଚାକିରୀରୁ ଅବସର ନେଇଛନ୍ତି । ସ୍ୱାମୀଙ୍କର କାଳ ହୋଇଛି ଅନେକ ଦିନୁ । ହେମନ୍ତବାବୁ ସେତେବେଳେ ପାଠ ପଢ଼ୁଥିଲେ ।

 

କଟକ ସହରରେ ସେତେବେଳେ ଇଂରାଜୀ ଶିକ୍ଷାର ସୁଯୋଗ ମିଳୁଥିଲା । ପଢ଼ୁଆ ଲୋକେ ଭଲ ଚାକିରୀ ବାକିରୀ କରୁଥିଲେ । ବାପ ମରିଯିବାରୁ ହେମନ୍ତବାବୁ ଆଉ ଅଧିକ ପଢ଼ି ନ ପାରିଲେ ମଧ୍ୟ ମାଇନର ସ୍କୁଲ ହେଡ଼ମାଷ୍ଟର ହେବାର ଯୋଗ୍ୟତା ହାସଲ କରି ପାରିଥିଲେ । ବାପ ମରିଥିଲେ ମଧ୍ୟ ମା ମୁକ୍ତା ଦେଇଙ୍କ ଯୋଗୁ ତାଙ୍କୁ ଦୁଃଖ ଭୋଗ କରିବାକୁ ହୋଇ ନ ଥିଲା । ସେ ଥିଲେ ଗଡ଼ ସାଆନ୍ତ ଘରର ଝିଅ । ବାପଘର ସମ୍ପତ୍ତିରେ ତାଙ୍କର ସବୁ ଚଳିଯାଏ । ହେମନ୍ତବାବୁଙ୍କୁ ପାଠ ନ ଛାଡ଼ିବାକୁ ସେ ହିମତ୍‌ ଦେଇଥିଲେ ।

 

ମୁକ୍ତା ଦେଇଙ୍କି କୌଣସି ବିପତ୍ତି କେବେ ଶୋକାର୍ତ୍ତ କରି ନାହିଁ । ତାଙ୍କ ଚକ୍ଷୁରେ ଥିଲା ଏକ ଜ୍ୱଳନ୍ତ ଜ୍ୟୋତି । ଅଦ୍ୟାପି ଲିଭି ନାହିଁ । ଅଶୀବର୍ଷ ବୟସ ହେଲେ ବି ଗୋଟିଏ ଦାନ୍ତ ପଡ଼ି ନାହିଁ କି ଗୋଟିଏ ବାଳ ଧଳା ହୋଇ ନାହିଁ । କେବଳ ଶରୀରର ବିଭିନ୍ନ ସ୍ଥାନରେ ଲୋଳ ଚର୍ମ ହିଁ ତାଙ୍କ ବୟସର ପରିଚୟ ଦିଏ । ଅନ୍ୟାନ୍ୟ ବିଧବା ବୁଢ଼ୀଙ୍କ ପରି ସେ କେବେ ନିରାମିଷ ଭୋଜନ କରୁ ନ ଥିଲେ । ସେ ହେମନ୍ତବାବୁଙ୍କୁ କହୁଥିଲେ ‘‘ଆରେ ହିମୁ ତୁ କଣ ଜାଣିନୁ, ମାଛ ମାଂସ ଆଦି ସାର ପଦାର୍ଥ ନ ଖାଇଲେ ଶରୀରରେ ଶକ୍ତି କୋଉଠୁ ଆସିବ । ଗାନ୍ଧୀ ବାପୁଡ଼ା ସିନା ନିରାମିଷ ଖାଉଚି, ହେଲେ ଆଉ ଟିକିଏ ବଳକାରକ ଜିନିଷ ଖାଇଲେ ତା ଶରୀରରେ ଲଢ଼େଇ କରିବା ପାଇଁ କଣ ଟିକିଏ ବଳକାରକ ଜିନିଷ ଖାଇଲେ ତା ଶରୀରରେ ଲଢ଼େଇ କରିବା ପାଇଁ କଣ ବହୁତ ବଳ ହୁଅନ୍ତା ନାହିଁ ? ନ ଖାଇ ନ ପିଇ ବଳହୀନ ହେଲେ କି ଲାଭ ମିଳେରେ ।’’

 

ମୁକ୍ତା ଦେଇ ବହୁତ ସମୟ ହେଲା ସେଇଠି ବସିଛନ୍ତି । ହାତରେ ଖଣ୍ଡେ ରାମାୟଣ ବହି-। ପୃଷ୍ଠାଟା ସେମିତି ମେଲା ହୋଇ ରହିଛି । ହେମନ୍ତଟା ଯାଇଛି ପୁଅକୁ ଖୋଜିବାକୁ । ସତୁଟା କଣ ସତରେ ଘର ଛାଡ଼ି ଚାଲିଗଲା ? ହ, ଯିବ କୁଆଡ଼େ । ପେଟ ପୋଡ଼ିଗଲେ ବଳେ ଆସିବ । ହେଲେ ଯୁଆନ ପୁଅ । କୋଉଠି ଯାଇ କାହା ଦୁଆରେ ଯଦି ପଡ଼ିବ, ହେମନ୍ତର ନାଁ ପଡ଼ିବ ସିନା । ଆଜିକାଲି ପୋଷଣାହାରୀ ପିଲାଙ୍କର ଏ କି ରୀତି । ହ ଯୁଗ ବଦଳି ଗଲାଣି । କୁଳନାଶ ବେଳେ ଘୋଡ଼ାମୁହାଁ ପୁଅ ଜନ୍ମ ହୁଅନ୍ତି । ପୋଡ଼ାମୁହାଁ ଖଣ୍ଡକ ଏତିକି ଗୁଣ ପେଟରେ ରଖିଥିଲା । ଆଜିକି ସାତ ଦିନ ହେଲାଣି କାହାକୁ କିଛି ନ କହି କୁଆଡ଼େ ଅନ୍ତର୍ଦ୍ଧାନ ହୋଇ ଯାଇଛି । ଖବର ଅନ୍ତର କିଛି ନାହିଁ । ବୋହୂଟା କିଛି ନ ଖାଇ ନ ପିଇ ଶୁଖୁଛି । ଛି, ଛି, ଏମିତି ପୁଅ ଜନ୍ମ କରିବ ? ବିରକ୍ତିରେ ସେ ଜଳୁଥିଲେ । ଭବନାର ଶେଷ ନାହିଁ । ରାତି ଘଡ଼ିଏ ହୋଇ ଗଲାଣି ।

 

ହେମନ୍ତବାବୁ ଏ ପର୍ଯ୍ୟନ୍ତ ଆସି ନାହାନ୍ତି । ଅଦିନିଆ ମେଘଟାବି ଘୋଟି ଗଲାଣି । ଶୁଖିଲା ଘଡ଼ଘଡ଼ି ଚଡ଼ଚଡ଼ିରେ କାନ ଅତରା ପଡ଼ୁଛି । ହେମନ୍ତବାବୁଙ୍କ ବାର ବର୍ଷର ଝିଅ ଉମା, ମୁକ୍ତା ଦେଇଂକ ପାଖକୁ ଯାଇ କହିଲା ‘‘ମା, ରାତି ବେଶି ହେଲାଣି । ବୋଉ କହିଲା, ତୁ ଚାଲ ଖାଇବୁ । ମୁକ୍ତା ଦେଇଂକ କଜିଲା ଆଖି ଦପ ଦପ ହେଲା । ଥରି ଉଠିଲା ଓଠ । ଖିଂକାର ଉଠିଲେ ସେ । ସେ କହିଲେ, ‘‘କିଲୋ, ମୋରି ଖାଇବା ତୁମକୁ ବଡ଼ ହେଇଛି । ମୁଁ ଏକା ଖାଇ ଦେଲେ ତମ ଘରର କାମ ଛିଣ୍ଡିଯିବ କିଲୋ ? ବାପା ଖାଇ ନାହିଁ । ଏ ପର୍ଯ୍ୟନ୍ତ ଘରକୁ ଫେରି ନାହିଁ । କହିଲା କଣ ନା, ତୁ ଚାଲ ଖାଇବୁ । ମୋରି ପେଟ ଖାଲି ଜଳି ଯାଉଛି.....’’ ସେ ଏମିତି କେତେ କଣ କହି ଲାଗିଥିଲେ । ମୁହଁକୁ ଯାହା ଆସୁଥିଲା । ଉମା ନୀରବରେ ଠିଆ ହୋଇଥାଏ । ଶୁଖିଲା ମୁହଁରେ ହେମନ୍ତବାବୁ ଘର ଭିତରେ ପଶିଲେ ।

 

ମୁକ୍ତା ଦେଇ ପଚାରିଲେ ‘‘କିରେ ହିମୁ, କଣ ସତୁ ଖବର ପାଇଲୁ । ତା ଦେଖା ପାଇଲୁ-?’’ ହେମନ୍ତବାବୁ କହିଲେ, ‘‘ନାଁ, ପାଇଲି ନାହିଁ ତାକୁ, ଶୁଣିଲି ସେ ଏଇ ଟାଉନରେ କୋଉଠି ରହୁଛି-।’’ ହେମନ୍ତବାବୁଙ୍କ ପାଟିରୁ କଥା ନ ସରୁଣୁ ଧୀର ପଦକ୍ଷେପରେ ସତ୍ୟବାନ ଘର ଭିତରକୁ ଆସିଲା-। ହେମନ୍ତବାବୁଙ୍କ ଆଖିରେ ଭରିଗଲା ଲୁହ । ଉମା ବଡ଼ ପାଟିରେ କହିଲା ‘‘ଭାଇ, କୋଉଠି ଥିଲ ଭାଇ ?’’ କୋହ ଉଠେଇ କାନ୍ଦି ଉଠିଲା ସେ । କିନ୍ତୁ ତାକୁ ଶାସନ ଆଖିରେ ଚାହିଁଲେ ମୁକ୍ତା ଦେଇ । ସମସ୍ତେ ନୀରବ । ମୁକ୍ତା ଦେଇ ଗମ୍ଭୀର ଗଳାରେ ସତ୍ୟବାନକୁ କହିଲେ ‘‘ତୁ କୁଆଡ଼େ ଯାଇଥିଲୁ କିରେ ସତୁ ?’’ କିନ୍ତୁ ସତ୍ୟବାନ କୌଣସି ଉତ୍ତର ଦେଲା ନାହିଁ । କାନ୍ଥ ଆଡ଼କୁ ଚାହୁଁ ଥାଏ । ଜେଜୀମାଂକ ଶାସନ ଆଖିରେ ଚାହିଁଲେ ମୁକ୍ତା ଦେଇ । ସମସ୍ତେ ନୀରବ । ମୁକ୍ତା ଦେଇ ଗମ୍ଭୀର ଗଳାରେ ସତ୍ୟବାନକୁ କହିଲେ ‘‘ତୁ କୁଆଡ଼େ ଯାଇଥିଲୁ କିରେ ସତୁ ?’’ କିନ୍ତୁ ସତ୍ୟବାନ କୌଣସି ଉତ୍ତର ଦେଲା ନାହିଁ । କାନ୍ଥ ଆଡ଼କୁ ଚାହୁଁ ଥାଏ । ଜେଜୀମାଂକ ଶାସନ ପଣିଆ ତାକୁ ଭଲ ରକମ ଜଣା ଅଛି । ବାପା ନ ଥିଲେ ବୁଢ଼ୀ ସାଙ୍ଗରେ ବେଶ୍‌ ଦିପଦ ଥଟ୍ଟା ପରିହାସ ଜମେଇ ଦେଇ ହୁଅଂତା-। ମୁକ୍ତା ଦେଇ ପୁଣି କହିଲେ ‘‘କିରେ ବସୁନୁ । ଠିଆଟା ହେଇଛୁ କାହିଁକି ? ଯାହା ପଚରା ଯାଉଛି ଠିକ୍‌ ଠିକ୍‌ ଜବାବ ଦେଇ ଦେ । ତୁ ଏଡ଼େ ବେମୁରୁବା ହୋଇଗଲୁ ? କାହାକୁ ତୋର ଡର ଭୟ ନାହିଁ । ଏଇଟା କଣ ଜଗନ୍ନାଥ ହୋଟଲ ମନେ କରୁଛୁ । ମନ ହେଲେ ଯିବୁ, ମନ ହେଲେ ଆସିବୁ । ଏ ଫେରେ ବାପକୁ ପୋଷିବେ.....ଆଜିକାଲିକା ପିଲାଂକ ଢଙ୍ଗ ଏଇପରି । କିରେ ଯାଇଥିଲୁ ତ, ପୁଣି ଆସିଲୁ କାହିଁକି ? ଆରେ ବାପ, କିଏ ଏମିତି କେତେ ଦିନ ଚଳେଇବ ?’’

 

ଜେଜୀମା ମୁକ୍ତା ଦେଇ ଅନର୍ଗଳ କହି ଯାଉଥିଲେ । ସତ୍ୟବାନ ଧୀରେ ଧୀରେ ସେଠୁ ଘର ଭିତରଆଡ଼କୁ ଚାଲିଗଲା । ତାକୁ ଦେଖି ତା’ ବୋଉ ପାଟିକରି ବାହୁନି ଉଠିଲେ ‘‘ମୋ ଧନମାଳିଟାରେ....’’ ସତ୍ୟବାନର ଆଖିରେ ମଧ୍ୟ ଜନଗଲା ଅଶ୍ରୁବିନ୍ଦୁ । ସେ କହିଲା ‘‘ବୋଉ, ମିଛରେ କାହିଁକି କନ୍ଦାକଟା କରୁଛୁ । ମୁଁ କ’ଣ ସାନପିଲା ହେଇଛି ଯେ ହଜିଯିବି । ତୁ ମତେ ଖଣ୍ଡେ ସତରଞ୍ଜି ଓ ଗୋଟି, ତକିଆ ଦେଲୁ ?’’

 

କାନ୍ଦଣା ସ୍ୱରରେ ସତ୍ୟ ବୋଉ କହିଲେ ‘‘କାଇଁ ତୁକଣ ତୋ ଖଟିଆରେ ଶୋଇବୁନାହିଁ-।’’ ସତ୍ୟବାନ କହିଲା ‘‘ମତେ ତୁ ବ୍ୟସ୍ତ କରନା ବୋଉ । ମୁଁ ତମର ବୋଝ ଉପରେ ନଳିତା ବିଡ଼ା ହେବାକୁ ଚାହେଁ । ବାପାଙ୍କର କେତେଟଙ୍କା ବା ପେନସନ । ମୋ’ପରି ଗୋଟାଏ ଭେଣ୍ଡାପୁଅ ଘରେ ବସି ମଉନରେ ଖାଇବ । ଏସବୁ ହୋଇନପାରେ ବୋଉ । ମୋ କଥା ମୁଁ ନିଜେ ବୁଝିଲେ ଭଲ । ତୁ ମତେ ଶୀଘ୍ର ସେ ଜିନିଷତକ ଦେଇଦେ ।’’ କାନ୍ଦି ପକେଇ ସତ୍ୟବାନ ବୋଉ କହିଲେ, ‘‘କିରେ ଏଡ଼ୁଟିରୁ ଏଡ଼େଟିଏ କଲି । ତୋ ମୁଣ୍ଡକୁ ହାତ ପାଇଲା ଯେମିତି ତୋ ମନ ଯାହା ହେଉଛି ତୁ ସେମିତି କରିଯାଉଛୁ ?’’ ସତ୍ୟବାନ କହିଲା, ‘‘ତମେ ସବୁ ଭଲରେ କଥା ଶୁଣିବନାହିଁ ବୁଝିଲିଣି । ଏତିକି କହି ସତ୍ୟବାନ ଗୋଟି, କୋଠରୀ ଭିତରକୁ ଗଲା । ନିଜର ଲୁଙ୍ଗୀ ଖଣ୍ଡକ ଖଣ୍ଡେ କାଗଜରେ ଗୁଡ଼େଇ ଦେଲା । ଉମା ସତ୍ୟବାନର ପାଖକୁ ଯାଇ କହିଲା ‘‘ଭାଇ, ଫେର୍‌ କୁଆଡ଼େ ବାହାରିଲ ଯେ ?’’ ସତ୍ୟବାନ କିଛି ନକହି ସେଠୁ ଚାଲିଆସିଲା । ଦାଣ୍ଡଘରେ ବାପା ସେମିତି ଦାରୁଭୂତ ମୁରାରି ପରି ବସିଛନ୍ତି । ମୁକ୍ତାଦେଇ ସେ ନୀରବ ସ୍ରୋତାଙ୍କ ଆଗରେ କିଛି ଅଧିକାର ସାବ୍ୟସ୍ତ ଜନିତ ଯୁକ୍ତିତର୍କ ମଧ୍ୟ କରୁଛନ୍ତି । ସତ୍ୟବାନ ନୀରବରେ ସେମାନଙ୍କୁ ଅତିକ୍ରମ କରି ଯାଉଥିଲା । ମୁକ୍ତାଦେଇ କହିଲେ ‘‘କିରେ ଫେରେ କୁଆଡ଼େ ନାହିଁ ?’’ ସତ୍ୟବାନ ମୁହଁ ଫେରାଇ କହିଲା, ‘‘ହଁ, ତୁ ସେ ବିଷୟରେ ମୁଣ୍ଡ ଖେଳଉଛୁ କାହିଁକି ?’’ ସତ୍ୟବାନ ଚାଲିଗଲା ରାତ୍ରିର ଅନ୍ଧକାର ଭିତରକୁ । ଗର୍ଜିଉଠିଲେ ମୁକ୍ତାଦେଇ ଅକ୍ରମିତ ଶ୍ୱାନପରି । ସେ କହିଲେ ‘‘କେମନ୍ତ, କଣ କହିଲୁ ମେଞ୍ଚଡ଼ ଟୋକାଖଣ୍ଡେ । ବହପ କମ ନୁହେଁ । ମୋ ମୁହଁରେ ମୋ ପୁଅ ଆଜିଯାଏଁ ଜବାବ ଦେଇନାହିଁ । ଏ ଗାଁ ଗୋଟାକରେ କେହି ଆଜିଯାଏ ମୋ ଆଗରେ ନେଉଟ ଉତ୍ତର ଦେଇନାହିଁ । ଆଉ ତୁ, ଏଡ଼େ ବେଖାତିର ତୋର ! ଖବରଦାର କହୁଛି, ଏ ଘରେ କାହାର ଅଧିକାର ନାହିଁ । ମୋ ବାପା ମତେ ଏ ଘର ଯଉତୁକ ଦେଇଥିଲା । ମୋ ଜୀବ ଥିବାଯାଏ ଘର ମୋର । ତୁ ଏ ଘରକୁ ଆସିବୁ ନାହିଁ । ହିମୁଁ ତତେ ତେଜ୍ୟପୁତ୍ର କରିବ । କୁଳାଙ୍ଗାର, ବାପକୁ ଖାତିର ନକରି ବାରବୁଲା ସାଜିବାକୁ ଗଲୁ । ଯା, କୁଆଡ଼େ ଯିବୁ ଯା ।’’ ମୁକ୍ତାଦେଇଙ୍କ ତୁଣ୍ଡରୁ କଥା ସରୁ ନଥିଲା ହେମନ୍ତବାବୁ ନୀରବରେ ବସି ରହିଥାନ୍ତି । କବାଟ ସେ ପାଖରେ ସୁଁ ସୁଁ ହୋଇ କାନ୍ଦୁଥାନ୍ତି ସତ୍ୟବାନର ବୋଉ । ହେମନ୍ତ ବାବୁଙ୍କୁ ଉଦ୍ଦେଶ୍ୟ କରି ସେ କହିଥିଲେ ‘‘ଶୁଣ, ତୁମେ ତାକୁ ରହିବାକୁ କହ । ତାକୁ ଧରିଆଣ । ସେ ଅଭିମାନରେ ଚାଲିଯାଉଛି । ସେ କାହା କଥା ସହିପାରେ ନାହିଁ । ମୋ ରାଣଟି ମୋ ପାଖକୁ ଆଣିଦିଅ । ସେ ଚାଲିଗଲା, ତୁମେ ବସିଛ କଣ ଯାଅମ’’–ସେ କାନ୍ଦୁଥିଲେ । କିନ୍ତୁ ଶାଶୁଙ୍କ ଭୟରେ ସେ ଘରଭିତରକୁ ଆସୁ ନଥିଲେ । ନ ହେଲେ ହେମନ୍ତବାବୁଙ୍କ ଗୋଡ଼ତଳେ ମୁଣ୍ଡଟା ପିଟି ଦେଇଥାନ୍ତେ ।

 

ହେମନ୍ତବାବୁ ଦୁଇପଟର ଟଣାଓଟରା ଭିତରେ ମ୍ରିୟମାଣ ହୋଇ ବସିଥିଲେ । ସାରାଜୀବନ ତାଙ୍କୁ ଏଇ ପରିସ୍ଥିତିର ମୁକାବିଲା କରିବାକୁ ହୋଇଛି । ଜନନୀଂକର ଅଧିକାର ଓ ପତ୍ନୀଂକର ଅଭିମାନ । ଏ ଦୁଇଟି ଭିତରେ ହେମନ୍ତବାବୁଙ୍କର ସାମନ୍ୟ ତୃଟି ହେଲେ ଗର୍ଜନ ତର୍ଜନ କରି ଧିକ୍‌କାର କରନ୍ତି । ମିଜାଜ ତାଙ୍କର ସବୁଦିନେ ଚଢ଼ା ହେମନ୍ତବାବୁ ଶୁଣି ଶୁଣି କହିଲେ, ‘‘ବୋଉ, ସେ’ତ ଗଲାଣି, ତୁ ଆଉ କାହିଁକି ପାଟି କରୁଛୁ ?’’ ସ୍ୱରକୁ ଆହୁରି ଚଢ଼େଇଦେଇ ମୁକ୍ତାଦେଇ କହିଲେ ‘‘ତୋରି ମାଇଚିଆ ଗୁଣରୁ ଏମାନେ ନଷ୍ଟ ହୋଇଯାଇଛନ୍ତି । ତୋତେ ଶାସନ କରି ଆସେ ନାହିଁ । ନହେଲେ, ତୋ ଆଖିକି ଅନେକ ଦେଲେ ତ ଚରଚର ମୁତି ପକାଉଥାଂତେ । ଟୋକାଟା ସତିଆନାଶ ହୋଇଗଲା । ତୁ ଯଦି ତାକୁ କାନଧରି ଠୋ ଠା ଦି ଚାପୁଡ଼ା ପକେଇଥାନ୍ତୁ ବଳେ ମଲି ମଲି ହୋଇ ରହିଥାଂତା ବୁଝିଲୁ ।’’ ହେମନ୍ତବାବୁଙ୍କୁ ଏଇ ପରିସ୍ଥିତି ଭୋଗ କରିବାକୁ ହୋଇଥିଲା ଯେତେବେଳେ ତାଙ୍କୁ କୋଡ଼ିଏ ବର୍ଷ ବୟସ ହୋଇଥିଲା । କୁମାର ପୂର୍ଣ୍ଣମୀଦିନ ଖେଳିବାରେ ରାତି ପାହିଗଲା ବୋଲି, ମାଂକଠାରୁ କାନମୋଡ଼ା ବିଧା ଚାପୁଡ଼ା କୋଉଟା ବାଦ୍‌ ଗଲାନାହିଁ । ସେଇ ମା ସମର ପରିବର୍ତ୍ତନକୁ ମାନିବାକୁ ନାରାଜ । ଚଳନ୍ତି ସ୍ରୋତ ମୁଖରେ ପତରବନ୍ଧ ବାନ୍ଧିବାର ଯୋଜନା ଅଦ୍ୟାପି ରଖିଛନ୍ତି ।

 

ଉମା ଆସି କହିଲା ‘‘ବାପା, ଆପଣ ଆସନ୍ତୁ । ସାନଭାଇ ବାରିବାଟେ ଘରକୁ ଆସିଲାଣି-। ବଡ଼ଭାଇ ସାଙ୍ଗରେ ତାର ଦେଖା ହୋଇଥିଲା । ସେ ଆଉ ଆସିବନାହିଁ ।’’ ମୁକ୍ତାଦେଇ କହିଲେ, ‘‘କିଲୋ, ଯାମିନୀ ବାରିବାଟେ ଲୁଚିକରି ଘରକୁ ଗଲା କାହିଁକି ? ସେଇଟା ନିକଟା ମାଇଚିଆଟାଏ । ମରଦପୁଅ, କଥା କହିବାକୁ ହିମତ୍‌ ନାହିଁ-। ଲୁଚିକରି ଯାଇଛି । ଡାକ ତାକୁ । ଏଗୁଡ଼ା କି ମଣିଷ ହେବେରେ । ହିମୁଁ ଏ ପିଲା ଦିଟାକୁ ସାରିଦେଇଛି ।’’ ହେମନ୍ତବାବୁ ତଥାପି ନୀରବ ।

 

ଉମା ଯାଇ ଯାମିନୀକୁ ଡାକି ଆଣିଲା । ମୁକ୍ତାଦେଇ ଜେରା ଆରମ୍ଭ କଲେ । ‘‘କରେ କଣ ସେ ତତେ କହିଲା ? କଣ ତାର ମତଲବ ?’’ ଯାମିନୀର ମନ ହେଉଥିଲା କହିବ ‘‘ଛେନାଗୁଡ଼’’ ଯାମିନୀ କହିଲା, ‘‘ଭାଇ କହିଲା ସେ ନିଜ ଗୋଡ଼ରେ ଠିଆହବ ।’’ ମୁକ୍ତାଦେଇ ଖିଂକାରିଲାପରି କହିଲେ ‘‘ସତରେ ? ନିଜ ଗୋଡ଼ରେ ଠିଆହେବ । କୁଳାଙ୍ଗାର, ବେମୁରୁବା । ବିଛୁଆତି ଦୁଇପତ୍ରରୁ କୁଣ୍ଡାଇ ହୁଏ । ଶାସନ ଅଭାବରୁ ସେ ବିଗିଡ଼ି ଯାଇଛି । ଯାଉ ସେଇଟା । ତମେ ସବୁ ଯାଅ ଖିଆପିଆ କର । ତାକୁ ଅନେଇ ବସିଲେ କଣ ହେବ ।’’

 

ମେଘ ଗର୍ଜନ ଓ ଅନ୍ଧାର ରାତି । ଘରୁ ବାହାରି ଆସିଛି ସତ୍ୟବାନ, ବାପା, ବୋଉ, ମା, ଭାଇଭଉଣୀ ସମସ୍ତଙ୍କୁ ଉପେକ୍ଷା କରି । ତାକୁ ହୁସେନ ଦୋକାନକୁ ଫେରିବାକୁ ହେବ । ସହର ଜଳି ତାଙ୍କ ଗାଁଠାରୁ ସହରଟା ମାତ୍ର ପାଞ୍ଚମାଇଲ ବାଟ ଭିତରେ ହେବ । ପବନ ପିଟୁଛି । ତଥାପି ଚିହ୍ନା ରାସ୍ତାରେ ସାଇକେଲ ଗଡ଼େଇ ସତ୍ୟବାନ ଚାଲିଛି । ଗାଁ ମୁଣ୍ଡରୁ ବାହାରି ଆସିଲାଣି ସେ ।

 

ତା’ର ଏଇ ଗାଁ ତାକୁ କେତେ ଭଲ ନଲାଗେ, ଯଦିଓ ସବୁବେଳେ ଗାଁରେ ରହିବାକୁ ସୁଯୋଗ ମିଳୁନଥିଲା । ବାପା ଚାକିରୀ କରୁଥିଲେ ଅନ୍ୟ ସ୍ଥାନରେ । ଗାଁରେ ଖାଲି ରହଣି ଛୁଟିରେ । ସେଇଥିରେ କି ମମତା, କି ଆକର୍ଷଣ ।

 

ଗାଁ ଠାରୁ ସହରଯାଏ ରାସ୍ତାରେ କେତୋଟି ଗଛ ଓ କି କି ଗଛ ସେ ସବୁ ତାର ସବୁବେଳେ ଆଖି ଆଗରେ ଅଛି । ଗାଁ ପିଲାଂକ ସାଙ୍ଗେ କେତେ ବାଗୁଡ଼ି, ବୋହୁଚୋରୀ, ଗଲେଇ ଓ ପୁଚିତାଣ୍ଡୁ ସାଙ୍ଗକୁ ଡାଳମାଙ୍କୁଡ଼ି ଖେଳ ତାକୁ କି ଭୁଲିହୁଏ । ଗାଁ ଦାଣ୍ଡର ଗଛଗୁଡ଼ାକ ଭାଗ ବଣ୍ଟା ହୋଇଥାଏ । ସେ କୋଉ ଗଛର ମାଲିକ ଥିଲା ଓ ସେ ଗଛରେ କେତେ ଡାଳ ଥିଲା ସତ୍ୟବାନ ମନେକରୁଛି । ଏଇ ଗାଁରେ ଏମିତି ସେ ଗଛରେ କେତେ ଡାଳ ଥିଲା ସତ୍ୟବାନ ମନେକରୁଛି । ଏଇ ଗାଁରେ ଏମିତି ପାଣି ପୋଖରୀ ନାହିଁ ଯାହାର ମାଛମାନେ ସତ୍ୟବାନକୁ ଚିହ୍ନିନାହାନ୍ତି । ଏମିତି ମଇଁଷି ନାହାନ୍ତି ଯାହା ପିଠିରେ ସେ ବସିନାହିଁ । ସାହାଡ଼ବୁଦାରୁ କଜଳପାତି ଓ ନିମଗଛରୁ ଶୁଆଧରି ସାଙ୍ଗମାନଙ୍କୁ ନେଇ ସହରରେ କେତେଥର ବିକା ନ ହୋଇଛି । ଆଜି ଏଇ ଗାଁକୁ ସେ ଛାଡ଼ି ଯାଉଛି । ଝିଅଗୁଡ଼ା ଶାଶୁଘରକୁ ଗଲାବେଳେ ଏମିତି ସ୍ମୃତି ସବୁ ମନେ କରନ୍ତି ।

 

ଆଗରେ ଶ୍ମଶାନ । ଶ୍ମଶାନର ଝଙ୍କାଳିଆ ବରଗଛ ଗୁଡ଼ା ଦିନରେ ସିନା କିଛି ଲାଗନ୍ତି ନାହିଁ ରାତିରେ ତାଙ୍କର ଅନ୍ଧାରିଆ ଗୁଣ ଭୟଭୀତ କରେ । ଭୁତ ପ୍ରେତ ଡାଆଣିଏ ସେଠି ନିଶ୍ଚୟ ଅଛନ୍ତି ବୋଲି ମନେହୁଏ । ଶ୍ମଶାନ ରାସ୍ତା ଅତିକ୍ରମ କରୁଥିଲା ସତ୍ୟବାନ । ଛାତିରେ ଅସୀମ ସ୍ପନ୍ଦନ-। ରାସ୍ତା ଜଣାଯାଉ ନାହିଁ । ଅନ୍ଧାରିଆ ଗଛ ଆଡ଼େ ଚାହିଁ ହେଉନାହିଁ । ଚୋରଗୁଡ଼ା ପୁଣି ଏବାଟେ ଯାଉଥିବେ ତ । ଭୁତେ ତାଙ୍କର କିଛି କରନ୍ତି ନାହିଁ । ଦୁର୍ବଳ ଲୋକଙ୍କୁ ମାଡ଼ି ବସନ୍ତି ଖାଲି । ସତ୍ୟବାନର ଗତି ଆହୁରି ଦ୍ରୁତ ହୋଇପଡ଼ିଲା ।

 

ହୁସେନର ହୋଟେଲରୁ ଗରାଖମାନେ ସରି ଆସିବେଣି । ତାର ସେ ଅଣଓସାରିଆ ଗଳି ମୁଣ୍ଡର ଆଲୋକ ଲିଭି ଲିଭି ଆସିବଣି । ରାତି ଜଗୁଆଳି ଚଉକିଦାରଟା ଆସି ହୁସେନ ହୋଟଲରେ ବସିଥିବ । ହୁସେନ ତାକୁ ଗଞ୍ଜେଇ ଚିଲମେ ଦେଇ ସାରିବଣି । ହୁସେନ ହୋଟଲରେ ବସିଥିବ । ହୁସେନ ତାକୁ ଗଞ୍ଜେଇ ଚିଲମେ ଦେଇ ସାରିବଣି । ହୁସେନ ତା ଖୋଇ ବଢ଼େଇଛି ବୋଲି ସେ କହେ । ସେଇଟା ପକା ଲାଞ୍ଚୁଆଟାଏ । ନିଶାଖିଆ ଲୋକେ ନିଶାକୁ ଲାଞ୍ଚ ବୋଲି ଭାବନ୍ତି ନାହିଁ । ତ୍ରୀନାଥ ଗୋସେଇଁକୁ ଗଞ୍ଜେଇ ଦିଆଯାଏ; ମହାଦେବଙ୍କୁ ଭାଙ୍ଗ ଦିଆଯାଏ । ଏ ସବୁ ପଦାର୍ଥର ଦିଆନିଆ ସୌହାର୍ଦ୍ଧ୍ୟ ସୂଚକ । ସେଥିରେ ନୀଚତାର ସ୍ଥାନ ନାହିଁ । ହୀନ ମନୋଭାବ ସମ୍ପନ୍ନ ଲୋକଙ୍କ ଭିତରେ ଏହାର ଆଦାନ ପ୍ରଦାନ ନାହିଁ । ଗୁରୁ ଶିଷ୍ୟକୁ ଦେଇପାରେ ଶିଷ୍ୟ ବି ଗୁରୁଙ୍କୁ ଦେଇପାରେ । ସାନ ହାକିମ ବଡ଼ ହାକିମଙ୍କୁ ଓ ବଡ଼ ହାକିମ ସାନ ହାକିମଙ୍କୁ ଦେଇପାରେ । ସବୁଠୁ ବଡ଼ କଥା ଯେ ଶତ୍ରୁକୁ ଦେଇ ମିତ୍ର କରିପାରେ । ଏ ପଦାର୍ଥର ଦ୍ରବ୍ୟଗୁଣ ଯେତିକି ବାହ୍ୟଗୁଣ ତା ଅପେକ୍ଷା ଢେର ଅଧିକ । ଏଥିରେ ଲାଞ୍ଚ ଦୋଷ ନାହିଁ ।

 

ହୁସେନ ଭଲ ସାଙ୍ଗଟିଏ । ପିଲା ଦିନେ ସାଙ୍ଗ ହୋଇ ପାଠ ପଢ଼ୁଥିଲା । ଏଇନା ନିଜ ଗୋଡ଼ରେ ଠିଆ ହେଲାଣି । ନିଜ ବୁଦ୍ଧିରେ ହୁସେନ ଆଗେଇ ଚାଲିଛି । ହୁସେନ କହେ ‘‘ମଣିଷ ପିଲା ମୁଣ୍ଡକୁ ହାତ ପାଇଲେ ପରିବାରକୁ ଶୋଷଣ କରିବା ପାପ ।’’ ହୁସେନର ଏ ଥିଲା ମହାମନ୍ତ୍ର-

 

ଅନ୍ଧାରରେ ରାସ୍ତା ଶେଷ କରି ହୁସେନର ଦୋକାନରେ ପହଞ୍ଚିଲା ସତ୍ୟବାନ । ତା ପାଇଁ ଗୋଟିଏ ଛୋଟ କାଠ ଟେବୁଲରେ ଖାଦ୍ୟ ରଖା ଯାଇଥାଏ । ଦିପଟ ରୁଟି ଓ ଗୋଟିଏ ପ୍ଳେଟ ମାଂସ ତରକାରୀ । ଘର ଛାଡ଼ିଲା ଦିନୁ ଏହାହିଁ ତାର ଖାଦ୍ୟ । ରାତିରେ ହୋଟେଲର ସବୁ ଗରାଖ ଚାଲିଗଲେ ଗୋଟିଏ ଦଉଡ଼ିଆ ଖଟରେ ସତ୍ୟବାନ ଶୋଇପଡ଼େ ।

 

ହୁସେନ ସହିତ ତାର ଦେଖା ହୋଇଥିଲା ବଡ଼ ଆକସ୍ମିକ ଭାବରେ । ସେଇ ପ୍ରଥମ ଦେଖାରୁ ହିଁ ତାର ଜୀବନର ଗତି ବଦଳି ଯାଇଛି । ଗୋବଧ ବନ୍ଦ କରିବା ପାଇଁ ଗୋଟାଏ ଆନ୍ଦୋଳନ ଚାଲିଥାଏ । ଛାତ୍ରନେତା ଥାଏ ସତ୍ୟବାନ । ଛାତ୍ରମାନଙ୍କର ଗୋଟାଏ ଶୋଭାଯାତ୍ରା ପଟୁଆର ବାହାରିଲା । ଗୋବଧ ବନ୍ଦ କର ବୋଲି ଚାଲିଲା ସ୍ଳୋଗାନ । ଗଳି ଗଳି ବୁଲି ମୁସଲମାନଙ୍କ ଦୋକାନ ଆଗରେ ସ୍ଳୋଗାନ ଦିଆ ଚାଲିଥାଏ । ହୁସେନ ସେଦିନ ଜାଣି ଶୁଣି ଦୁଇଟା ଗାଇ ମାରିଥାଏ । ସତ୍ୟବାନ ସହିତ କ୍ଷୁବ୍‌ଧ ଛାତ୍ରଦଳ ବାହାରିଲେ ତାକୁ ସଂହାର କରିବାକୁ-। ହୁସେନ ସ୍ଳୋଗାନ ଶୁଣିଲା । କାନ୍ଧରେ ଟାଙ୍ଗିଆ ପକାଇ ବାହାରି ଆଓିଲା । ହୁସେନ କହିଲା ‘‘ଭାଇମାନେ, ମୁଁ ଦୋଷ କରି ସାରିଛି । ମତେ କ୍ଷମାକର । ବଧ କରିବା ପାଇଁ ମୁଁ କୋଡ଼ିଏ ଯୋଡ଼ା ବୁଢ଼ା ଗୋରୁ ଗାଇ କିଣିଥିଲି । କାରଣ ସେ ମୋର ବ୍ୟବସାରୟ । ଆପଣ ମାନେ ଦୟାକରି ଗୋଟାଏ ଲେଖା ମାଗଣାରେ ନେଇ ଯାଆନ୍ତୁ । ଉତ୍ତେଜିତ ଛାତ୍ରମାନେ କିଛି ନ ଶୁଣି ତାକୁ ସଂହାର କରିବାକୁ ଉଦ୍ୟତ ହେଉଥିଲେ । ସତ୍ୟବାନ ହୁସେନକୁ ଚିହ୍ନି ପାରିଛି । ସେ କହିଲା ‘‘ଭାଇ ମାନେ ସେ କଣ କହୁଛନ୍ତି ଆଗ ଶୁଣ’’ ହୁସେନ କହିଲା ‘‘ଏ ଗୋରୁମାନେ କୌଣସି ମୁସଲମାନ ଭାଇଙ୍କର ନୁହେଁ । ପବିତ୍ର ହିନ୍ଦୁମାନଙ୍କର ଏକଦା ଏମାନେ ଗୋପଲକ୍ଷ୍ମୀ ଥିଲେ । କିନ୍ତୁ ବୃଦ୍ଧାବସ୍ଥା ହେଲାରୁ ହିନ୍ଦୁ ମହାତ୍ମାମାନେ ଏମାନଙ୍କୁ ଅଲୋଡ଼ା ମନେ କରି ଆଉ ପୂଜା କଲେ ନାହିଁ । ସେଇ ଗୋପଲକ୍ଷ୍ମୀଙ୍କୁ ଅଳ୍ପ ମୂଲ୍ୟରେ ବିକିଲେ । ଆମକୁ ସେମାନେ ପାଳନ କରିବାକୁ ଦେଇଛନ୍ତି କି ? ସେ ଯାହା ହେଉ ଆପଣ ବର୍ତ୍ତମାନ ସେଗୁଡ଼ାଙ୍କୁ ନେଇ ଯାଆନ୍ତୁ । ଭଲରେ ପାଳନ କରିବେ । ଆମର ଅପରାଧ ମାର୍ଜ୍ଜନା କରିବେ ।’’ ଏତିକି କହି କଂସେଇ ଚିହ୍ନ ଥିବା ଦଶ ଯୋଡ଼ା ବୁଢ଼ା ବଳଦ ଓ ଗାଇଙ୍କୁ ସେ ଅଡ଼େଇ ଆଣି ଛାତ୍ରମାନଙ୍କ ଆଗରେ ଛାଡ଼ିଦେଇ କହିଲା ‘‘ଏମାନଙ୍କୁ ନେଇ ଯାଆନ୍ତୁ ।’’

 

ବୃଢା ଗାଇ ଓ ବଳଦ ଦୁଇଟି ଲେଖାଏଁ ଛନ୍ଦା ହୋଇଥିଲେ । ସେମାନଙ୍କ ଶୀର୍ଣ୍ଣ ରୁଗ୍‌ଣ ଶରୀର ମନକୁ ଶୋକାର୍ତ୍ତ କରୁଥିଲା । ଛାତ୍ରମାନେ ଓଲଟା ରାଗିଯାଇ ହୁସେନ ଆଡ଼କୁ ମାଡ଼ିଗଲେ । ହୁସେନ କହିଲା ‘‘ଆପଣମାନେ ମାନବ ବଧ କରିବେ ନାଁ କ’ଣ । ମୁଁ କ୍ଷମା ମାଗିଲି । ଗୋରୁଙ୍କୁ ଫେରାଇ ଦେଲି ।’’ ସତ୍ୟବାନ ଛାତ୍ରମାନଙ୍କୁ ଶାନ୍ତ କରି କହିଲା ‘‘ଭାଇମାନେ, ଏମାନଙ୍କୁ ଆମେ ହଇରାଣ କରିବା କାହିଁକି ? ଏମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ନ କରି ଚାଲ ଏ ବିଷୟରେ ପୁଣି ବିଚାର କରିବା ।’’ ନେତାଙ୍କ କଥାରେ ଛାତ୍ରମାନେ ଶୋଭାଯାତ୍ରା ଭଙ୍ଗ କରି ଚାଲିଲେ । ହୁସେନ କହିଲା ‘‘ସତ୍ୟ ଇଆଡ଼େ ।’’

 

ତାର କିଛିଦିନ ପରେ ସତ୍ୟବାନ ହୁସେନର ହୋଟେଲକୁ ଗଲା ହୁସେନ ସହିତ ଦେଖା କରିବାକୁ । ପିଲାଦିନର ବନ୍ଧୁ ହୁସେନ । ଶୋଭାଯାତ୍ରା ଦିନ ତାର ବକ୍ତୃତା ଶୁଣି ସତ୍ୟବାନ ପ୍ରକୃତ ସତ୍ୟଟା ଅନୁଭବ କରି ପାରିଥିଲା । ତା ଭିତରେ ଏକ ନବ ଚେତନା ସୃଷ୍ଟି ହୋଇଥିଲା ।

 

ସତ୍ୟବାନ ଯେତେବେଳେ ହୁସେନ ନିକଟକୁ ଯାଇଥିଲା ହୁସେନ ଦୋକାନ ସାମନାରେ ଖଣ୍ଡେ ଦଉଡ଼ିଆ ଖଟରେ ବସି ବିଡ଼ି ଖାଉଥିଲା । ସତ୍ୟବାନକୁ ଦେଖି ଆନନ୍ଦରେ ସେ କୁଣ୍ଢାଇ ପକାଇଲା । ହୁସେନ ଦୋକାନରୁ ଚା ମଗେଇ ଆଣିଲା । ଦୁଇବନ୍ଧୁ ଗପରେ ମାତିଗଲେ । ସତ୍ୟବାନ କହିଲା, ‘‘ପ୍ରକୃତରେ ହୁସେନ, ସେଦିନ ତୋ କଥାଗୁଡ଼ା ମୋର ଚୈତନ୍ୟ ଆଣିଦେଲା । ଜାତିଆଣ ମନୋଭାବଗୁଡ଼ା କେତେ ଯୁକ୍ତିହୀନ ଓ ନିରର୍ଥକ ସେଗୁଡ଼ା ମୁଁ ଭଲ ରକମ ବୁଝିପାରିଛି । ଗୋରୁଗାଈଙ୍କୁ ଲୋକେ ମଣିଷ ସହିତ ତୁଳନା କରି ଅଯଥା ସମସ୍ୟା ସୃଷ୍ଟି କରୁଛନ୍ତି । ତାଙ୍କ ଯୁକ୍ତି ହେଲା ଗୋରୁମାନେ ଦେବତା, ତାଙ୍କଠୁ ଆମେ ଉପକାର ପାଉ ଠିକ୍‌ ଯେପରି ପିତାମାତାଙ୍କଠାରୁ ପାଇଥାଉ । ତେଣୁ ବୃଦ୍ଧ ପିତାମାତା ଯେମିତି ଅବଧ୍ୟ ଏମାନେ ମଧ୍ୟ ସେମିତି ଅବଧ୍ୟ । କିନ୍ତୁ ଏ ଗୋଟାଏ ଗାଲୁଆର ଯୁକ୍ତି ଯେମିତି । ପଶୁ ଓ ମଣିଷ ଭିତରେ ତେବେ କୌଣସି ପାର୍ଥକ୍ୟ ନାହିଁ ? ପଶୁ କେବେ ମଣିଷ ହୋଇ ନପାରେ । ସେମାନଙ୍କ ଦ୍ୱାରା ଉପକୃତ ହେଲ ଯଦି ପାଳନ କର । ତାଙ୍କର ଶେଷ ନିଃଶ୍ୱାସ ଥିବାଯାଏ ତାଙ୍କୁ ଖାଇବାକୁ ଦିଅ । ସେମାନେ ଅଥର୍ବ ହେଲାକ୍ଷଣି ତାଙ୍କୁ ଖାଇବାକୁ ନଦେଇ ମାରୁଛନ୍ତି, ଆଉ ତାଙ୍କର ଅଲୋଡ଼ା ଜୀବନକୁ ଯଦି କେହି ତ୍ରାଣ କରେ ସେ ହେଲା ଦୋଷୀ । ମୁଁ ବୁଝିଛିରେ ହୁସେନ ସେହି ହିନ୍ଦୁ ମହାତ୍ମାମାନେ ଏ ଅଭାବର ଦୁନିଆରେ ନିଜ ବୋଝ ଖଲାସ କରିବାକୁ ଚାହାଁନ୍ତି ।’’ ହୁସେନ କହିଲା ‘‘ହଁରେ ସତ୍ୟ ଦେଶଟା ଗୋଟାଏ ଅନ୍ଧ ବୁଝାମଣାରେ ଆଗେଇବାକୁ ଲାଗିଛି । ଏଇ ନିର୍ଯ୍ୟାତିତ ପଶୁମାନଂକ ପାଇଁ କୌଣସି ବ୍ୟବସ୍ଥା ତ ନାହିଁ, କେବଳ ଅଲଣା ପ୍ରୀତି ଅଛି । ଛାଡ଼ ସେ କଥା । ମୁଁ ଦେଖୁଛି ତୁ ଶସ୍ତା ରାଜନୀତି କରୁଛୁ । ବୁଝିଲୁ ସତ୍ୟ, ଶସ୍ତା ରାଜନୀତି କରିବା ତୃତୀୟ ଶ୍ରେଣୀ ପିଲାଙ୍କ କାମ ଢଙ୍ଗ କହ ବା ବେଉଷା କହ-। ତୁ ତ ଆଦୌ ତୃତୀୟ ଶ୍ରେଣୀ ପିଲା ନୁହେଁ ।’’ ସତ୍ୟବାନ କହିଲା, ‘‘ନାହିଁରେ ହୁସେନ, ପିଲାଦିନେ ସିନା ଭଲ ପଢ଼ୁଥିଲି । ହେଲେ ତା ପରଠୁତ ତୃତୀୟ ଶ୍ରେଣୀରେ ଚାଲିଛି । ବର୍ତ୍ତମାନ । ରାଜନୀତି ବ୍ୟତୀତ ଆଉ କିଛି ଉପାୟ ନାହିଁ ।’’ ହୁସେନ କହିଲା ‘‘ତତେ ଏ ପାଗଳାମୀରେ ପୂରାଇଲା କିଏ ? ବାପ ରୋଜଗାର ଖାଇ ରାଜନୀତି କରିବା ଗୋଟାଏ କୋଢ଼ିଆମୀ ଛଡ଼ା ଅନ୍ୟକିଛି ନୁହେଁ । ତୁ ଏଗୁଡ଼ା ଠିକ୍‌ ବୋଲି କେମିତି ଭାବୁଛୁ ?’’

 

ସତ୍ୟବାନ ନୀରବ ହେଲା । ତାପରେ କହିଲା । ‘‘ଠିକ୍‌ ଭାବୁଛି ବୋଲି ତୁ ଧରି ନେ ନା ହୁସେନ । ଅଗତ୍ୟା ବୋଲି କହ । କିନ୍ତୁ ଏଣିକି ଘରେ ବସିବାକୁ ମୋଟେ ଭଲ ଲାଗୁନାହିଁ । ପ୍ରକୃତରେ ଏ ରାଜନୀତିରେ ବି କିଛି ଲାଭ ହେଉନି । ଲାଭ କରିବା ବେଳ ଆସିନି ବୋଧେ । ତୁ ଜାଣି ନଥିବୁ ବାପାଙ୍କର Retirement ହୋଇଯାଇଛି । ତେଣୁ ବସିବା ଅପେକ୍ଷା କାସିବା ନ୍ୟାୟରେ ଏଥିରେ ପଶିଛି । ଦେଶ କାମ ବି କିଛି ହେବ । ମୋର engagement ରହିବ । ମନଟା ଏକବାରେ ବିଷେଇ ଯାଉଛି ।’’ ହୁସେନ କହିଲା ‘‘ତୋର ତ ବି. ଏ. ପାଶ ହୋଇଥିଲା । ତୋର ଆଉ କଣ କରିବାର ଅଛି । ଏଣିକି ଦାୟିତ୍ୱ ହେଲା ବାପାଙ୍କର । ବାପା ତାଙ୍କର ଷ୍ଟୁଡ଼େଣ୍ଟ ମାନଙ୍କର, ନିଜ ବନ୍ଧୁବାନ୍ଧବଙ୍କର ଲିଷ୍ଟ କରି ଦେଖିବେ । ତା ଭିତରୁ ଯିଏ ବଡ଼ ହାକିମ ହୋଇଛନ୍ତି ତାଙ୍କ ଘରକୁ ଯିବେ ଦାବି କରିବାକୁ । ବି. ଏ ପାଶ କରିଥିବା ପୁଅ ପାଇଁ ଖଣ୍ଡେ ଚାକିରୀ । ତୁ କହିଲୁ ସତ୍ୟ, କେତେଦିନ ଏ ଦେଶ ଏମିତି ଚାଲିବ । କୋଡ଼ିଏ ବର୍ଷର ଭେଣ୍ଡାପୁଅ ବାପ ଗୋଡ଼ରେ ବାଟ ଚାଲିବ ।’’ ସତ୍ୟବାନ ତାକୁ ଚାହିଁ ରହିଥିଲା । ପ୍ରକୃତରେ ଦେଶର ଯୁବଶକ୍ତି ସାମାନ୍ୟ ଚାକିରୀ ମୋହରେ କିପରି ନିଷ୍ପ୍ରଭ ହୋଇ ପଡ଼ିଛି ଚିନ୍ତାର ବିଷୟ । ସେ କହିଲା ‘‘ପ୍ରକୃତରେ ହୁସେନ, ଚାକିରୀ ବ୍ୟତୀତ ଆମ ଆଗରେ ଆଉ ଅନ୍ୟ ପନ୍ଥା ନାହିଁ । ତେଣୁ ଯୁବଶକ୍ତି ରୁଗ୍‌ଣ ହୋଇ ପଡ଼ୁଛି । ଏହାର ପ୍ରତିକାର କରିବା ଆବଶ୍ୟକ ।’’ ହୁସେନ କହିଲା ‘‘ମୋ ବାପାଙ୍କର ଛଅ ପୁଅ । ମୋ ବାପା କଣ ମତେ ପାଠ ପଢ଼ାଇ ପାରିଥା’ନ୍ତେ: ପାଠପଢ଼ାରେ ପୁଣି ଯାହା ଖର୍ଚ୍ଚ ଜାଣିଛୁ । ମୁଁ ନିଜ ଇଚ୍ଛାକରି ପାଠ ଛାଡ଼ିଦେଲି । ଆରମ୍ଭ କଲି ଗୋଟାଏ ଧନ୍ଦା । ବାପା ପ୍ରଥମେ ପ୍ରଥମେ ମୋ ଉପରେ ଭାରି ରାଗିଲେ । ମୋପାଇଁ ଘରେ ସ୍ଥାନ ରହିଲା ନାହିଁ । କିନ୍ତୁ ମୁଁ କୋଉଥିରେ ଟଳିଲି ନାହିଁ । ମୋ ଜାତିରୁ ଝିଅଟିଏ ବାଛି ମୁଁ ବାହା ମଧ୍ୟ ହେଲି । ମୋ ପରିବାର ମୁଁ ଚଳେଇଲି । ବର୍ତ୍ତମାନ ସମସ୍ତେ ଭାବୁଛନ୍ତି ମୁଁ ଠିକ୍‌ କରିଛି ।’’ ସତ୍ୟବାନ କହିଲା ନିଶ୍ଚୟ ଠିକ୍‌ କରିଛୁ-। ଆତ୍ମନିର୍ଭରଶୀଳ ହେବା ଚାକିରୀ ଖୋଜାରେ ବ୍ୟସ୍ତ-। ଏଗୁଡ଼ା ବି ମତେ ଭାରି ଖରାପ ଲାଗେ ।’’ ହୁସେନ କହିଲା ‘‘ହଁରେ ସତ୍ୟ, ଲୋକେ ଖାଲି ଷ୍ଟାଟସ ଖୋଜିବେ ।’’ ସତ୍ୟବାନ କହିଲା ‘‘ବିଲକୁଲ ଠିକ୍‌ କଥା । ଗୋଟାଏ ପୁରୁଷ ତା ପରବର୍ତ୍ତୀ ପୁରୁଷକୁ ଗିଳିବାକୁ ଚେଷ୍ଟାକରେ । ମୁଁ ସବୁକଥା ଭାବେ ହେଲେ ସମାଧାନରେ ପହଞ୍ଚି ପାରେନି ।’’ ହସି ଉଠିଲା ହୁସେନ । ସେ କହିଲା ‘‘ସେଇ କଥା ମୁଁ ବି କରୁଥିଲି ସତ୍ୟ । ଯିଏ ଭାବେ ସେ କେବଳ ଭାବୁଥାଏ । କାମ କରିବା ତା ପକ୍ଷେ ଅସମ୍ଭବ ହୋଇଉଠେ । ସେ ହୁଏ କଳ୍ପନାବିଳାସୀ ମାତ୍ର । ଆରେ ସତ୍ୟ, ପ୍ଳାନଟାଏ ହଉଛି, ଯାହା ଏଷ୍ଟିମେଟ ହଉଚି ତାଠୁ ଖର୍ଚ୍ଚ ହଉଚି ଅଧିକ ଏବଂ ଆଉ ଲାଭ ହବାକୁ ଥିଲେ ହେଉଛି କ୍ଷତି । କାରଣ କଣ ହୋଇପାରେ କହିଲୁ ?’’ ସତ୍ୟବାନ କହିଲା ‘‘କାରଣ ଯାହାଥାଉ ରିସ୍କ ନ ନେଲେ ଲାଭ କେବେ ହେଲାଣି ? ତା’ଛଡ଼ା ଯାହା ହେବାକୁ ଥାଏ ସେ ଆପେ ଆପେ ହୁଏ ।’’ ସେ କହିଲା, ‘‘ସେ ପୁଣି ଆଉ ଗୋଟାଏ ଦୁର୍ବଳର ଆର୍ତ୍ତନାଦ । ଲୋକେ ବଡ଼ ଭବିଷ୍ୟତବାଦୀ । ଆମେ ମର୍ଦ୍ଦପୁଅ, ଝିଅ ପିଲାଙ୍କପରି ଏତେପ୍ଳାନ କଣ ? ଆମ କଥା ଏଣିକି ଆମକୁ ବୁଝିବାକୁ ଦିଆଯାଉ । ଭଲ ହେଉ ନା ମନ୍ଦ ହେଉ ଘରର ଅନ୍ୟାନ୍ୟ ମେମ୍ବରମାନେ ଆମ ସହିତ ଆଡ଼୍‌ଜେଷ୍ଟ କରିବା ଆବଶ୍ୟକ-। ଆମେ କାହିଁକି ସବୁବେଳେ ତାଙ୍କ ସହିତ ଆଡ଼୍‌ଜେଷ୍ଟ କରିବୁ ?’’ ସତ୍ୟବାନ କହିଲା ‘‘ମୁଁ ଠିକ୍‌ ସେଇଆ କହେ ।’’

 

ଆଉ କିଛି ସମୟ ଆଲୋଚନା ହେବାପରେ ହୁସେନ ସତ୍ୟବାନକୁ ନିଜ ଘରକୁ ଡାକିନେଲା । ହୁସେନର ସ୍ୱକୀର୍ତ୍ତି ଦେଖିଲା ସତ୍ୟବାନ । ବାଃ ଚମତ୍କାର ! ହୁସେନ ଏ ସଂସାରରେ ନିଜକୁ କୂଳରେ ଲଗାଇ ଦେଇଛି । ହୁସେନ ତାର ସାଙ୍ଗ । ତାରିପରି ପିଲା ହୁସେନ, ହେଲେ ହୁସେନର ଦୃଢ଼ତା ଟିକକ ତାର ନାହିଁ । ସେ ପାଠ ଛାଡ଼ିଦେଲା, କାରଣ ସରକାରୀ କଳରେ କିଲଟର ହେବାର ସ୍ୱପ୍ନ ସେ ଦେଖି ନଥିଲା । ଭବିଷ୍ୟତର କଳ୍ପନାରେ ବର୍ତ୍ତମାନକୁ ନଷ୍ଟ କରାଯାଇନପାରେ । ସତ୍ୟବାନର ଶରୀରରେ ବିଶୃଙ୍ଖଳ ଶଇତାନଟାଏ ଯେମିତି ନ୍ୟତକରି ଉଠିଲା-। ପରମ୍ପରାର ଟାଣୁଆ ଗଣ୍ଠିଗୁଡ଼ା ହୁଗୁଳା ହୋଇଗଲା ।

 

ପ୍ରକୃତରେ ହୁସେନ ଅଧିକ ବାସ୍ତବବାଦୀ ଯୋଜନା ପ୍ରସ୍ତୁତକାରୀଙ୍କପରି ସେ ଗୋଟିଏ ଭ୍ରାନ୍ତ ଦାର୍ଶନିକ ନୁହେଁ । ସତ୍ୟବାନ ଲକ୍ଷ୍ୟ କରିଥିଲା ହୁସେନ ଭିତରେ ଗାନ୍ଧି ଓ ନେହେରୁଙ୍କୁ । ହୁସେନ ପ୍ରକୃତରେ ନେତା ହୋଇଥିଲେ ଦେଶର ଦୁଃଖ ଦୂର ହୋଇଥାନ୍ତା । ସତ୍ୟବାନର ଆଖିରେ ନାଚି ଉଠୁଥିଲା ପାଠ ପଢ଼ା, ଜ୍ଞାନ ଅର୍ଜନ, ଡିଗ୍ରୀଲାଭ, ହାକିମ ଚାକିରୀ, ଡ୍ରେସ, ଗାଡ଼ି, ଟେଲିଫୋନ ଅଡ଼ର୍ଲି ଇତ୍ୟାଦି ଇତ୍ୟାଦି । ସେ ହୋ ହୋ ହୋଇ ହସିଉଠିଲା । ହୁସେନ ସେତେବେଳେ ତା ରୁମ ଭିତରୁ ଆସୁଥିଲା । ତା ସହିତ ଆସୁଥିଲା ତାର ଛୋଟ ଝିଅଟି । ସତ୍ୟବାନର ଅପ୍ରତ୍ୟାଶିତ ହସରେ ସେ ଚମକିପଡ଼ି କାନ୍ଦି ଉଠିଲା । ତାକୁ ବୁଝେଇଦେଇ ହୁସେନ କହିଲା ‘‘ଆରେ ଦେଖ ୟେ ତୋ ଦାଦା ।’’ ହୁସେନର ଝିଅକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ସତ୍ୟବାନ । ବେଶ୍‌ କଉତୁକିଆ ପିଲାଟିଏ ତ-?

 

ହୁସେନର ଯୁଗଳ ଚିତ୍ରପଟ କାନ୍ଥରେ ଟଙ୍ଗା ହୋଇଛି । ଠିକ୍‌ କରିଛି ହୁସେନ । ନିଜ ମନର ସବୁ ସରାଗ କେବଳ ମଣିଷ ନିଜେ ରଖିପାରେ । କାହାପାଇଁ ହେକି କିଛି ଯୋଗାଇ ଦିଏନାହିଁ । ମଣିଷ ନିଜ ଶକ୍ତି ଅନୁସାରେ ଭୋଗ କରେ । ସତ୍ୟବାନର ମନଟା ଆସ୍ତେ ଆସ୍ତେ ହାଲୁକା ହୋଇ ଆସୁଥିଲା । ସେ କହିଲା, ‘‘ହୁସେନ; ମୁଁ ମଧ୍ୟ ପ୍ରତିଜ୍ଞା କରି ଆସିଛି ଆଉ ଘରକୁ ଫେରିବି ନାହିଁ । ତୁ ମତେ ସାହାଯ୍ୟ କରି ପାରିବୁ ହୁସେନ । ମୁଁ ତୋରି ପରି ନିଜକୁ ଗଢ଼ି ଦେଇ ପାରିବି । ହୁସେନ ସତ୍ୟବାନର କରମର୍ଦ୍ଦନ କଲା । ଅନେକ ଆଲୋଚନା ପରେ ସେଦିନ ସତ୍ୟବାନ ତା ଘରେ ହେଲା ରାତ୍ରିର ଅତିଥି ।

 

କଚେରୀ ହତାର ଛୋଟ କାଠ କ୍ୟାବିନରେ ସତ୍ୟବାନର ବ୍ୟବସାୟ ଆରମ୍ଭ ହୋଇଗଲା । ପାନ ସରଞ୍ଜାମ ସବୁ କିଣି ନେଇଛି ସତ୍ୟବାନ । ଖଣ୍ଡେ ଛୋଟ ହାଫ୍‌ପ୍ୟାଣ୍ଟ ସାଙ୍ଗକୁ ଗଞ୍ଜିଟିଏ । ମୁଣ୍ଡର ବଳରେ ମାଙ୍ଗଭଙ୍ଗା ହୋଇଛି । ଦାନ୍ତରେ ଗୋଟିଏ କଳା ଖୋଳ ଚଢ଼େଇ ଦିଏ ଯେ ଆଦୌ ଚିହ୍ନା ପଡ଼େ ନାହିଁ । କ୍ୟାବିନ ସାମନାରେ ହୁସେନ ପକେଇ ଦେଇଛି କାଠବେଞ୍ଚ । କାନ୍ଧରେ ଗାମୁଛା ଖଣ୍ଡେ ପକେଇ ଭାଙ୍ଗ କରି ମୁଣ୍ଡ କୁଣ୍ଡେଇ ସତ୍ୟବାନ ଯେମିତି ଦୋକାନ ଖୋଲି ଦିଏ ଗ୍ରାହକମାନେ ଆଉ କୁଆଡ଼େ ନ ଯାଇ ସେଇଠିକି ଦଉଡ଼ନ୍ତି । ସତ୍ୟବାନର ଦୋକାନରେ ମନ ଲାଗିଯାଏ ।

 

ସଂଧ୍ୟାବେଳକୁ ହୁସେନ ଯୋଗାଡ଼ରେ ଟିଉସନ ମିଳିଛି । ଠିକ୍‌ ହୋଟେଲ ପାଖକୁ ଗୋଟିକିଆ ରୁମ୍‌ ଟିଏ ଯୋଗାଡ଼ କରି ଦେଇଛି ହୁସେନ । ଘରବାଲାଙ୍କ ଦ୍ୱାର ଅନ୍ୟପଟେ । ବେଶ୍‍ ସୁବିଧାଜନକ କଥା । ପହିଲା ପରେ ସତ୍ୟବାନ ସେଠିକୁ ଉଠିଯିବ । ହୁସେନ ଦେବ ଦଉଡ଼ିଆ ଖଟ-। କିନ୍ତୁ ବୋଉ, ଗୋଟାଏ ସତରଞ୍ଜି କି ତକିଆ ଦେଇ ପାରିଲା ନାହିଁ । ନ ହେଲା ତ ନାହିଁ । ଓଃ ମୁକ୍ତି, ଚିର ମୁକ୍ତି । ସମାଜ, ଧର୍ମ ଓ ଭବିଷ୍ୟତ କବଳରୁ ମୁକ୍ତି । ହୁସେନର ସ୍ତ୍ରୀ ଥଟ୍ଟାରେ କହିଥିଲା ‘‘ସବୁବେଳେ ମୁକ୍ତି ମୁକ୍ତି ହଉଚ ଫକୀର ହୋଇଗଲେ ତ ହୁଅନ୍ତା ।’’ ସତ୍ୟବାନ କହିଲା ‘‘ଫକୀର ମାନେ ଏଇ ବାବାଜୀ ତ ? ଆରେ ବାପ୍‌ରେ, ସେମାନେ ତ ଧର୍ମ କବଳରେ ପଡ଼ି ଛଟପଟ ହଉଛନ୍ତି । ଧର୍ମ underକୁ ଚାଲିଗଲେ ବିଲ୍‌କୁଲ୍‌ ସବୁ ବରବାଦ ହୋଇଯିବ ।’’

 

ସମସ୍ତଙ୍କ କବଳରୁ ମଣିଷ ମୁକ୍ତି ପାଇଯିବ । କିନ୍ତୁ ଦୁର୍ଦ୍ଦାନ୍ତ ଭବିଷ୍ୟତ କବଳରୁ ମୁକ୍ତି ନାହିଁ । ମନେଅଛି ବାପା ରଚନା ଲେଖନ୍ତି ‘‘My aim in life’’ ବଡ଼ ବଡ଼ କଥା ଫାନ୍ଦି ଫୁନ୍ଦି ଲେଖି ଦେଲେ good ମିଳେ । କଲେଜରେ ପଢ଼ିଲା ବେଳକୁ ଇକୋନମିକ୍‌ସରେ ପଢ଼ିଛି ‘‘If wishes were horses the beggars might ride’’ କି ଚମତ୍କାର ବୁଝାମଣା ଦୁଇଟା କଥାର । ଚିନ୍ତା କଲେ ମନଟା ବିଷେଇ ଯାଏ । ନିଜର ଅଯୋଗ୍ୟତା ହିଁ ଏଥିରୁ ବାରି ହୋଇପଡ଼େ ।

 

ଛାଡ଼, ସେଗୁଡ଼ା ପାଠ୍ୟ । କେବଳ ପଢ଼ିବାକୁ ଦିଆଯାଏ ବୋଲି ସେଗୁଡ଼ା ପାଠ୍ୟ । ନ ହେଲେ ସତ୍ୟବାନକୁ ସବୁଠୁ ଖରାପ ଲାଗେ ସେଇ ଆପ୍ତ ବାକ୍ୟ ଗୁଡ଼ାକ । ବୋଉ ବାରମ୍ବାର ଖାଲି ସେଇ ଗୁଡ଼ାକ କହେ । ‘‘ଆବୁ ତାବୁ ଗିରି ସୂତା । ମା ବୋଇଲେ, ପଢ଼ରେ ପୁତା, ପଢ଼ିଲେ ଶୁଣିଲେ ଦୁଧଭାତ ନ ପଢ଼ିଲେ ଠେଙ୍ଗାନାତ । ବାବୁରେ ପାଠ ପଢ଼ା ବଡ଼ ଦୁଃଖ ପଶ୍ଚାନ୍ତେ ବଡ଼ ସୁଖ ।’’ ଏଗୁଡ଼ା ଶୁଣିଲାକ୍ଷଣି ସତ୍ୟବାନ ଭୀଷଣ ଖପ୍‌ପା ହୋଇଯାଏ । ବିଶେଷତଃ ଉପଦେଶ ମାନିବା କି କଷ୍ଟ । ସତ୍ୟବାନ ଦିନେ ହୁସେନକୁ କହିଲା ‘‘ତୁ ଜାଣୁ ହୁସେନ ମଣିଷ ଜନ୍ମ କି କଷ୍ଟ । ସତ୍ୟବାନ ଦିନେ ହୁସେନକୁ କହିଲା ‘‘ତୁ ଜାଣୁ ହୁସେନ ମଣିଷ ଜନ୍ମ ହୋଇଛି ଦିନେ ନା ଦିନେ ନିଶ୍ଚୟ ମରିବ-। ଜନ୍ମଠୁ ମରଣଯାଏ ଏଇ କେତେଟା ଦିନ ମାପି ଚୂପି ସାବଧାନ ହୋଇ ଗୁଡ଼ାଏ ଉପଦେଶ ମାନି ଚଳିବା କି କଷ୍ଟ । ଗୋଟାଏ ରୀତିମତ ସାଧନା । ସତ୍ୟବାନର କଥା ଶୁଣିବାକୁ ହୁସେନକୁ ଭଲ ଲାଗେ । ବେଶ୍‌ ଅମାୟିକ ସେ । କିନ୍ତୁ ଜୀବନ ପ୍ରତି ତାର ଏ ଦୃଷ୍ଟିଭଙ୍ଗୀ କେମିତି ଖାପଛଡ଼ା ଲାଗେ-। ସେ କହେ ଜୀବନଟା ବଡ଼ ଦୁର୍ବିସହ । ସମାଜର ଚାପା, ପରିବାରର ଦାୟିତ୍ୱ ପୁଣି କର୍ତ୍ତବ୍ୟର ତାଡ଼ନା ଭିତରେ ଜୀବନଟାର ଅସ୍ତିତ୍ୱ ବୋଲି କିଛି ନାହିଁ । ତା ହେଲେ କେବଳ ଫୁର୍ତ୍ତିରେ ଫାଜିଲାମିରେ କେବଳ ଜୀବନର ଅସ୍ତିତ୍ୱ ଅଛି ନା କଣ ? ଯେ ସାମାଜିକ ବନ୍ଧନରୁ ମୁକ୍ତ ହେବାକୁ ଚାହେଁ ତା ପାଇଁ ଅନ୍ୟବାଟ ପଡ଼ିଛି-ଯାଅ, ବାବାଜୀହୁଅ ସାଧୁ ହୁଅ । ସନ୍ନ୍ୟାସୀ ହୋଇ ଦିଗମ୍ବର ହୁଏ । ହୁଅ ନିର୍ବିକାର ମୁକ୍ତ ପୁରୁଷ । ବହୁ ଦିନରୁ ତ ଏ ପନ୍ଥା ପଡ଼ିଛି । ମଣିଷ ହୋଇ ଜନ୍ମ ହେବ ପୁଣି ମଣିଷକୁ ନେଇ କରିବ ମଉଜ । ସେଥିରେ ପୁଣି ମଣିଷ ସମାଜଠୁ ତୁମେ ରହିବ ଦୂରରେ । ଏଗୁଡ଼ା ଆଦୌ ଠିକ୍‌ କଥା ନୁହେଁ । ଗୋଟାଏ emotion ବୋଲି କୁହାଯାଇ ପାରେ । ସତ୍ୟବାନର ଯୁକ୍ତି ହେଉଛି ଗୋଟାଏ ଟାଣୁଆ ହୁଙ୍କାରରେ ସବୁକିଛିକୁ ଦଳି ଦେଇ ଫୋପାଡ଼ି ଦେଇ ଆଗେଇ ଯିବା ହେଲା ପୁରୁଷର ଧର୍ମ । ଅବଶ୍ୟ ହୁସେନ ମଧ୍ୟ କିଛିଟା ପୁରୁଷକାରର ହୁଁ କାରରେ ସଂସାର ବାନ୍ଧିଛି । ସେ ଜାଣେ । ଯେଉଁଦିନ ପାର୍ଟି ଅଫିସରୁ ଫେରି ରାତ୍ରିର ନିଥର ପ୍ରହରରେ ସତ୍ୟବାନ ରାସ୍ତା କରରେ ଅଚେତ ହୋଇ ଶୋଇ ପଡ଼ିଥିଲା ଓ ସକାଳ ନ ହେଉଣୁ ହୁସେନ ଆକସ୍ମାତ ଉଠିଯାଇ ତାକୁ ଦେଖି ପାରିଥିଲା ଓ କାନ୍ଧରେ ବୋହି ଆଣିଥିଲା ସେଦିନ ହୁସେନ ତାକୁ ଅନେକ ବୁଝେଇଥିଲା । ସତ୍ୟବାନ କହିଥିଲା ‘‘ଭାଇ ହୁସେନ, ରାଜକୁମାର ପଣ୍ଡୁ କେବଳ ତୁମକୁ ଉତ୍ତର ଦେଇ ପାରିଥାନ୍ତେ । ମୃତ୍ୟୁ ଅନିବାର୍ଯ୍ୟ ଜାଣି ମଧ୍ୟ ସେ ପତ୍ନୀ ମାଦ୍ରିଙ୍କୁ ଉପଭୋଗ କରିଥିଲେ-। ଧନ୍ୟ ରାଜକୁମାର ପଣ୍ଡୁ । ଅଦ୍ୟାବଧି ପୃଥିବୀର କୌଣସି ପୁରୁଷ ମୃତ୍ୟୁକୁ ଏପରି ଆଲିଙ୍ଗନ କରିନାହିଁ । ସତ୍ୟବାନ ଅଧିକ ପାଠ ପଢ଼ିଛି । ଖାଲି ଯୁକ୍ତି କରେ ।

 

ହେମନ୍ତବାବୁଙ୍କ ପରିବାର ସତ୍ୟବାନର ବିଚ୍ଛେଦରେ ନିରୁତ୍ସାହିତ ହୋଇ ପଡ଼ିଲେ । ପୁଅ ବାହା ହେବ । ବୋହୂ ଆସିବ । ନାତି ନାତୁଣୀ ହେବେ । ସତ୍ୟବାନର ବୋଉ ଏ କଥା ଆଉ ଭାବିପାରୁ ନ ଥିଲେ । ସେ ଧରି ନେଇଥିଲେ ସତ୍ୟବାନ କୌଣସି ବିଜାତୀୟ ପାଲରେ ପଡ଼ିଯାଇଛି-। ବାହାରିଲା ଦାନ୍ତ ଭିତରକୁ ଆଉ ପଶିବ ନାହିଁ । ନୀରବରେ ସବୁ ସହ୍ୟ କରୁଥିଲେ ସେ । ହେମନ୍ତ ଭିତରକୁ ଆଉ ପଶିବ ନାହିଁ । ନୀରବରେ ସବୁ ସହ୍ୟ କରୁଥିଲେ ସେ । ହେମନ୍ତ ବାବୁ ସତ୍ୟବାନର ଖବର ପ୍ରାୟ ପାଉଥିଲେ । ଗାଁ ଲୋକେ ନାନା କାମରେ ସହରକୁ ଗଲେ ସତ୍ୟବାନକୁ ଦେଖିବାକୁ ପାଉଥିଲେ । ମୁକ୍ତା ଦେଈ ଏବେ ଆଉ କୌଣସି କଥା ପୁଅ ବୋହୂଙ୍କୁ କହୁ ନାହାନ୍ତି । ଘଟଣାଟା ପୁରୁଣା ହୋଇ ଗଲାଣି । ସମୟ ଗଡ଼ି ଗଲାଣି । କିନ୍ତୁ ଦିନେ ସେ ପୂର୍ବର ସେଇ ଶାସନ ଢଙ୍ଗରେ ଆରମ୍ଭ କଲେ ‘‘ଆରେ ହିମୁ । ତୁ ସେ ଟେକାଟାକୁ ଫେରେଇ ଆଣି ପାରିଲୁ ନାହିଁ । ଶୁଣିଛି ସେ ପଠାଣ ଘରେ ପଶିଛି, ପଠାଣ ହୋଟଲରେ ଖାଉଛି । ଜାତି ଛାଡ଼ିଲା, କୁଳମାନ ମର୍ଯ୍ୟାଦା ଛାଡ଼ିଲା-। ତୁ ତାକୁ ବୁଝେଇ ପାରିଲୁ ନାହିଁ । ତୁ ଜାଣିଛୁ କି ନାଁ ମୁଁ ଜାଣେନା । ତୋ ଅଜା ବି ଏମିତି ଜଣେ ବାଇଜୀ ପାଖକୁ ଯାଇଥିଲେ । ସେତେବେଳେ ଥାଏ ଘୋଡ଼ାଗାଡ଼ି । ଅଜା ଘୋଡ଼ା ଗାଡ଼ିରେ ରୋଜ କୁଆଡ଼େ ଯାଆନ୍ତି । ଦିନେ ସେ ବାଇଜୀ ଘରେ ବସିଛନ୍ତି ତୋ ବାପା ବି ପଶିଗଲେ । ବାପ ପୁଅଙ୍କର ସେଇଠି ଭେଟ ହୋଇଗଲା । ବାପା ଲାଜରେ ପଳାଇ ଆସିଲେ । ଅଜା ସେଇଦିନୁ ଆଉ ଦିନେ ସେଠିକି ଯାଇ ନାହାନ୍ତି । ତୋ ବାପା ତ ପୁଣି ଘର ସଂସାର କରି ରହିଲେ । ତମ ବଂଶରେ ଏମିତି ଅଛି । ତୁ ତାକୁ ବୁଝେଇ ସୁଝେଇ ଘରକୁ ଘିନି ଆସି ଜାତି କରିଦେ ।’’ ବୋଉ ମୁହଁରୁ ବାପ ଅଜାଙ୍କ ବିଷୟରେ ଗୋଟାଏ ବିସ୍ୱାଦ କଥା ଶୁଣିବାକୁ ହେମନ୍ତବାବୁଙ୍କର ଧୈର୍ଯ୍ୟ ନ ଥିଲା । ବୁଢ଼ୀ ହେଲାଣି । ମନଇଚ୍ଛା କହି ଯାଉଛି । ପୁଅ ଆଗରେ ବାପର ନିନ୍ଦା । କୁଳ ପୁରୁଷଙ୍କର ଅମର୍ଯ୍ୟାଦା କଥା କହି ଲାଭ କଣ ।

 

ହେମନ୍ତବାବୁ ନିଜକୁ ସ୍ଥିର କରି ଦିନେ ସତ୍ୟବାନ ନିକଟକୁ ଗଲେ । ନଥିଲା ସେ । ତାଙ୍କୁ ଦେଖି ହୁସେନ ପ୍ରଣାମ କଲା । ଆଦର କରି ଚଉକିରେ ବସାଇଲା । ହେମନ୍ତବାବୁ କହିଲେ ‘‘ହୁସେନ, ତୁମେ ମୋର ପୁଅ ପରି । ସତ କହିଲ ସତ୍ୟକଣ ସତରେ ମୁସଲମାନ ହୋଇଛି । ତା ବୋଉ ଏଇ ଚିନ୍ତାରେ ବାୟାଣୀ ହୋଇ ଗଲାଣି । ତାକୁ ତୁମେ ଫେରାଇ ଦିଅ ହୁସେନ । ମୁଁ ତାକୁ ସର୍ବସ୍ୱ ଦେଇ ଜାତି କରିବି’’ । ହେମନ୍ତବାବୁଙ୍କ ବକ୍ଷ ଥରାଇ ଦୀର୍ଘଶ୍ୱାସ ଛୁଟିଲା । କଣ୍ଠ ରୁଦ୍ଧ ହେଲା-। ଆବେଗରେ ଏତେଗୁଡ଼ାଏ କଥା କହି ପକାଇଲେ । ବାତ୍ସଲ୍ୟର ଅଶ୍ରୁପ୍ଳାବିତ କଲା ବକ୍ଷକୁ-। ଅର୍ଥହୀନ ସମସ୍ୟା ଏଇ ଜାତି । ମଣିଷ ପାଇଁ ଯେତେ ଯେତେ ଶୃଙ୍ଖଳ ସୃଷ୍ଟି ହୋଇଥିଲା ଏ ହେଉଛି ସର୍ବ ପ୍ରାଚୀନ ଶୃଙ୍ଖଳ । ମଣିଷ ମୁକ୍ତିର କୋଳରେ ଜନ୍ମ ହୋଇଥିଲା ଏ ହେଉଛି ସର୍ବ ପ୍ରାଚୀନ ଶୃଙ୍ଖଳ । ମଣିଷ ମୁକ୍ତିର କୋଳରେ ଜନ୍ମ ହୋଇଥିଲା ସତ କିନ୍ତୁ ତା ଚାରିଆଡ଼େ ବନ୍ଧନର ନାଗଫାଶ । ମଣିଷ ଜାତି ଗୋଟିଏ । କୋଟି, ଶୃଙ୍ଖଳରେ ଆଜି ଆବଦ୍ଧ ହୋଇ ଅଥହୀନ ଯାତନା ମାତ୍ର ଭୋଗ କରି ଚାଲିଛି । ଏଇଥିପାଇଁ ସେ ପୁଣି ଗଢ଼ି ରଖିଛି ଶାସ୍ତ୍ର । ଧନ୍ୟ ମାନବ ସମାଜ । ହୁସେନ ପ୍ରଥମେ ଅପ୍ରତିଭ ହୋଇ ପଡ଼ିଲା । ତାପରେ ସନ୍ତର୍ପଣରେ କହିଲା ‘‘ସାର୍‌, ସେ ସେପରି କିଛି କରିନି । ମୋ ହୋଟେଲରେ ଖାଉଛି ମାତ୍ର । ଆପଣ ତାକୁ ବୁଝାଇ ନେଇ ଯାଆନ୍ତୁ । ସେ ହୁଏତ ଆପଣଙ୍କ କଥା ରଖିପାରେ । ବର୍ତ୍ତମାନ ସେ ଆସିବ କି ନାହିଁ ଜାଣିନାହିଁ । ସେ ଆସୁ ଆସୁ ରାତି ଅନେକ ହେବ । ଆପଣ ସକାଳ ଆଠଟା ଭିତରେ ତାକୁ ପାଇ ପାରିବେ’’ ।

 

ହେମନ୍ତବାବୁ ଯିବାକୁ ଉଦ୍ୟତ ହେଲେ । ସମଗ୍ର ଦିନ ପଡ଼ିଛି । ଦିନ ଯାଇ, ରାତ୍ରି ହେବ-। ପୁଣି ରାତ୍ରିର ଅନିଶ୍ଚିତ ପ୍ରହରରେ ସେ ଆସିବ ଘରକୁ । ଛାଡ଼ କରୁ ସେ କଣ କରୁଛି । ନିଜର କାମ ଦାମ ଛାଡ଼ି ତାକୁ ଅପେକ୍ଷା କରାଯାଇପାରେନା । ସେ ଫେରିଗଲେ । ଜୀବନର ଶେଷ ଧକ୍‌କା, ସହିବାକୁ ଶକ୍ତିଦିଅ ଜଗନ୍ନାଥେ । ସେଳ ଦୁଇହାତ ଯୋଡ଼ି ଶୂନ୍ୟକୁ ପ୍ରଣାମ ଜଣାଇଲେ-

 

ପ୍ରକୃତରେ ସତ୍ୟବାନ ସେଦିନ ଦିନବେଳେ ଦୋକାନକୁ ଫେରି ନାହିଁ । ଆଜିକାଲି ତା ଗତି ବିଧିରେ ଅନେକ ପାର୍ଥକ୍ୟ । କଲେଜରେ ତାର ବହୁତ କାମ ବୋଲି ସେ କହେ । ତାକୁ ଅନେକ ରାତିଯାଏ ହୁସେନ ଅପେକ୍ଷା କରିଥିଲା । ହଲି ହଲି ନିଶାରେ ମଜ୍‌ଗୁଲ ହୋଇ ସତ୍ୟବାନ ଆସିଲା । ହୁସେନର ପ୍ରକୃତରେ ରାଗ ହେଉଥିଲା । ସେ କହିଲା ‘ସତ୍ୟ, ତତେ ଅପେକ୍ଷା କରି ବସିଛି । ତୁ ତ ଆଜିକାଲି ଲଞ୍ଚ ଖାଇବାକୁ ଆସୁନୁ । ରାତିରେ ବି ଏତେ ଡେରିରେ ଫେରୁଛୁ । କଥା କଣ ?’’ ସତ୍ୟବାନ ହସି ଉଠିଲା ଶଇତାନର ଆସଲି ରୂପଟାଏ ପରି । ସେ କହିଲା ‘‘କରିବି ଆଉ କଣ’ । କଂଗ୍ରେସ ଛାଡ଼ି କମ୍ୟୁନିଷ୍ଟ ହେଲିଣିରେ ହୁସେନ । ବାଟ ମିଳି ଗଲାଣି । ପାର୍ଟି ଅଫିସରେ ଅନେକ ଅନେକ ସମ୍ପତ୍ତି । ଆଃ, କଳେ ବଳେ କୌଶଳେ ରାଜ ଗାଦିରେ ବସିବାକୁ ହେବରେ ହୁସେନ । ମୋ ନାଁ ସତ୍ୟବାନ । ମୁଁ ସତ କଥା ମାତ୍ର କହେ । ତୋ ଆଗରେ ସବୁ ସତ କହିବି । ସେଇ ଗୋଟାଏ ବଗ ଗୋଡ଼ୀ ଝିଅ । ବାପ ତାର ଓକିଲ । ସେଇ ଝିଅଟା ବରାବର ମୋ ପଛେ ପଛେ ଅଛି । ହଁ ରେ ହୁସେନ । ମୁଁ କହିଲି ମୋର କିଛି ନାହିଁ । ପାନ ଦୋକାନଟିଏ ଅଛି । ପାନ ଭାଙ୍ଗିବ । ଖାଇବ । କଣ ବୁଝିଲା ମୋ କଥାରୁ କେଜାଣି । ମତେ ସେ କିଛି କହେ ନାହିଁ ସିନା; ମୋ ପିଛା ଛାଡ଼ୁ ନାହିଁ । ଲ କଲେଜର ସବୁ ଝିଅଙ୍କୁ ମେଳେଇ ମତେ କଲେଜର ପ୍ରେସିଡ଼େଣ୍ଟ କରି ଦେଲା । ସେବି ମୋ ସାଙ୍ଗେ ସାଙ୍ଗେ ପାର୍ଟି ଅଫିସରେ ଯୋଗଦେଲା । ସେ ହେଲା ଆମ କମ୍ରେଡ଼ ତା ବାପାଙ୍କର ବି ସେଥିରେ ଆପତ୍ତି ନାହିଁ । ସେ ମତେ ତା ସାଇକେଲରେ ଛାଡ଼ି ଦେଇ ଯାଏ । ଆଜି ଆମ ପାର୍ଟି ଅଫିସରେ ଡିନର ଥିଲା । ସେ ମତେ ଅବିକା ଏଇ ଗଳି ମୁଣ୍ଡରେ ଛାଡ଼ି ଦେଇଗଲା । ବାସ, ମୋ ଷ୍ଟୋରି ଏତିକି । ତୁ ମୋ ପକେଟରୁ ଯାହାକିଛି ଟଙ୍କା ଅଛି କାଢ଼ି ନେ । ମୁଁ ଆଜି ଆକଣ୍ଠ ପାନ କରିଛି ହୁସେନ । ତୁ ମତେ ଗୋଟାଏ ନର୍କରୁ ଉଦ୍ଧାର କରିଛୁ । ଏତିକି କହୁ କହୁ ସତ୍ୟବାନ ଖଟ ଉପରେ ଢଳି ପଡ଼ିଲା । ପକେଟରୁ ପଇସା କାଢ଼ି ଗଣିନେଲା ହୁସେନ ।

 

ସତ୍ୟବାନ ଭିନ୍ନ ରାସ୍ତା ଧରିଲାଣି । ସମସ୍ତଙ୍କ ରାସ୍ତା ଭିନ୍ନ । ସଉଦା ବି ଭିନ୍ନ । ହୁସେନ ଦେଖେଇଥିବା ରାସ୍ତାଟି ସେମିତି ପଡ଼ିଛି । କବାଟଟା ଟାଣି ଦେଇ ହୁସେନ ନିଜ ଘରକୁ ଚାଲିଗଲା । ଅନ୍ୟପାଇଁ ଭାବିବାଠାରୁ ପାଗଳାମି ବୋଧେ ଆଉ କିଛି ନାହିଁ । ଜଣକର ଚିନ୍ତାଧାରା ଅନ୍ୟ ଜଣକର ଯୋଜନା ତିଆରି କରି ପାରେ ନାହିଁ । ସବୁ କିଛି ବ୍ୟକ୍ତିଗତ । ହୁସେନ ଏବେ ସତ୍ୟବାନ କଥା ମୋଟେ ଭାବୁନାହିଁ ।

 

ଆଜିକାଲି ସତ୍ୟବାନ ହାତରେ ଅନେକ ଟଙ୍କା । କିନ୍ତୁ ଟଙ୍କାର ସେ ହିସାବ କେବେ ରଖେ ନାହିଁ । ହୁସେନ ସବୁ ଟଙ୍କା ନେଇ ହିସାବ ରଖେ । ସତ୍ୟବାନ ଅନେକ ରାତିରେ ଫେରେ । ହୋଟେଲ ବୟ ତା ରୁମ୍‌ରେ କାଗଜ ପୁଡ଼ାରେ ଖାଦ୍ୟ ରଖିଦେଇଥାଏ । ଦୁଇଟି ରୁଟି ମଝିରେ ବଡ଼ ସାଇଜର ଅଣ୍ଡା ଆମ୍‌ଲେଟଟିଏ । ବାସ୍‌ ଏଇ ତାର ରାତ୍ରି ଭୋଜନ, ଏଇ ଖାଦ୍ୟ; ସେଇ ଦଉଡ଼ିଆ ଖଟ, ଘର କଣକୁ ଗୋଟିଏ ଛୋଟ ସୁରେଇ, ଗୋଟିଏ ଗ୍ଳାସ, ଖଣ୍ଡେ ଲୁଙ୍ଗୀ ଓ ତଉଲିଆ କିଛି ବହି ଏଇ ହେଲା ସମଗ୍ର ରୁମ୍‌ଟିର ଅସବାବ ପତ୍ର । ଆଗେ ପ୍ରତିଦିନ ରାତିରେ ସତ୍ୟବାନ ନିଜ ପୋଷାକ କାଚେ । ସକାଳୁ ଇସ୍ତ୍ରୀ କରେ । ଏବେ ସେ ସବୁ ରୁଟିନ ବଦଳି ଗଲାଣି । ମଇଳା ସାର୍ଟଟା ଦେହରେ ଆଠଦିନ ବି ରହିଯାଉ କ୍ଷତି ନାହିଁ । ସତ୍ୟବାନକୁ ସମୟ ନାହିଁ । ଲ କଲେଜ ପାଠ, ତା ସାଙ୍ଗକୁ ପାର୍ଟି କାମ । ସବୁ ବେଳେ ଲାଗି ରହିଛି କିଛି ନାଁ କିଛି ଅଭିଯୋଗ ।

 

ପାଗଟା କାଉଁଳିଆ ଥିବା ହେତୁ ଶୀଘ୍ର ସଂଧ୍ୟା ନଇଁଗଲା । ସଂଧ୍ୟା ବେଳକୁ ଯାମିନୀ ଆସି ପହଞ୍ଚିଲା । ହୁସେନ ପାଖରେ ଅନେକ ସମୟ ଗପସପ ହେଲା । ହୁସେନ ଜାଣେ ସତ୍ୟବାନ ଶୀଘ୍ର ଫେରିବ ନାହିଁ । କିନ୍ତୁ ସେ କିଛି କହିଲା ନାହିଁ ସତ୍ୟବାନ ବିଷୟରେ । ଯାମିନୀ କହିଲା ‘‘ବୋଉ ଶକ୍ତ ବେମାର । ସେ ଭାଇକୁ ଦେଖିବାକୁ ଚାହୁଁଛି । ବାପା ଖବର ଦେଇଛନ୍ତି ଭାଇ ଯେମିତି ହେଲେ ଯିବ ।’’ ହୁସେନ ଜାଣେ କଥାଟା ନିହାତି ଜରୁରୀ । ତେବେ କେଉଁଠି ଥିବ ବର୍ତ୍ତମାନ ସତ୍ୟବାନ । କଲେଜରେ ନାଁ ମାଧୁରୀ ପାଖରେ ? ନାଁ ପାର୍ଟି ଅଫିସରେ । ସେ କହିଲା ‘‘ତମେ ଟିକେ ଅପେକ୍ଷା କର ଭାଇ । ହୁଏତ ସେ ଶୀଘ୍ର ଆସିପାରେ ।’’ ଯାମୀନୀ ଇତଃସ୍ତତଃ ହୋଇ ପଡ଼ିଥିଲା । ସେ କହିଲା ‘‘ଅପେକ୍ଷା କରିବା ପାଇଁ ମୋର ସମୟ ମଧ୍ୟ ନାହିଁ । ମୋର ସେଠି ଅନେକ କାମ । ଆପଣ ସବୁ ବିଷୟ ଜଣାଇ ଦେବେ । ତାକୁ ନିଶ୍ଚୟ ପଠେଇବେ ।’’ ଆକସ୍ମିକ ଭାବରେ ସେଠି ପହଞ୍ଚିଲା ସତ୍ୟବାନ । ଯାମିନୀ ପ୍ରଣାମ କଲା । ବାଷ୍ପରୁଦ୍ଧ ହେଲା ଯାମିନୀର କଣ୍ଠ । କାନ୍ଦ କାନ୍ଦ ହୋଇ ସେ କହିଲା ‘‘ଭାଇ, ବୋଉ ବେମାର । ତାକୁ ଦେଖିବାକୁ ଯିବ ନାହିଁ ? ବୋଉ ମତେ ପଠେଇଛି ।’’ ସତ୍ୟବାନ ଅପ୍ରତ୍ୟାଶିତ ଭାବେ ହସି ଉଠିଲା । ଅପ୍ରତିତ୍ତ ହୋଇ ଠିଆ ହେଲା ଯାମିନୀ । ସତ୍ୟବାନ କହିଲା ‘‘ଗାଁର ଜଣେ ଲୋକ ସହିତ ଦେଖା ହେଲା । ତାଠୁ ଖବରପାଇ ସିଧା ସଳଖ ଘରକୁ ଗଲି । ବାପା ବାରଣ୍ଡାରେ ଚଉକିରେ ବସିଥିଲେ । ମୁଁ ତାଙ୍କୁ ପ୍ରଣାମ କରି ସିଧା ଘର ଭିତର ଆଡ଼କୁ ଚାଲିଗଲି । ମା ସାଇଆଡ଼ୁ ଆସୁଥିଲା । ମତେ ଦେଖି ତରାଟି ଚାହିଁଲା । ସେ କି କଟମଟ ଚାହାଣୀ ହୁସେନ ତୁ ବୁଝି ପାରିବୁ ନାହିଁ । ରୋକଠୋକ କହିଲା ‘‘ଖଞ୍ଜାରୁ ବାହାରି ଯାଆ । ପଠାଣ ଝିଅ ତତେ ରଖିଛି । ମୁଁ ଜାଣିଥିଲି ତୁ ଏଇଥିପାଇଁ ଘର ଛାଡ଼ିଛୁ । ଦାରୀ ଘରେ ଭାଡ଼ୁଆ ହୋଇଛୁ । ଜାତି ପତି ଯାଇଛି । ଆଉ ଏ ଘରେ ପଶି ପାରିବୁ ନାହିଁ । ମୁଁ ଭାବିଥିଲି ତମ ବଂଶର ଏ ଗୁଣଟା ତମମାନଙ୍କଠି ଦେଖା ଦେବ ନାହିଁ । ମୁଁ ଭାବିଥିଲି ତତେ ବୁଝେଇ ସୁଝେଇ ଘରକୁ ଆଣି ଜାତି କରେଇବି । ହେଲେ ତୁ ପୁଣି କାହା କଥା ରଖୁନୁ ଶୁଣିଲି ।’’ ମୁଁ କିଛି ନ ଭାବି ପୁଣି ଭିତର ଖଞ୍ଜା ଆଡ଼େ ବୋଉକୁ ଦେଖିବାକୁ ଧାଇଁଗଲି । ବୋଉ ବି ମତେ ଦେଖି ରୋଗ ଶଯ୍ୟାରୁ ଉଠି ଚିତ୍କାର କଲା-‘‘ଆରେ ସତୁ, ତୁ ଘର ଭିତରକୁ ଆନାରେ ତୁ ମତେ ଛୁଁ ନା । ତୁ ପରା ମୁସଲମାନ ହୋଇ ଗଲୁଣି । ଆଉ ଆମକୁ ମାରା କରନା ।’’ ଅନ୍ଧ ଜାତିଟାର ତଣ୍ଟି ଚିପି ଦେବାକୁ ମନ ହେଲା । ମୁଁ କହିଲି ‘‘ବୋଉ, ତୋ ଦେହ ଖବର ଶୁଣି ଚାଲି ଆସିଲି । ମୁଁ ତୋର କଣବା କରିପାରିବି । ତୋ ଔଷଧ ଖର୍ଚ୍ଚ ପାଇଁ ସାମାନ୍ୟ କିଛି ଟଙ୍କା ଦେଇ ଯାଉଛି, ଏଇ ଟଙ୍କା ରଖ । ମୁଁ ଯାଉଛି ।’’ ବୋଉ ତାର ଚିରପରିଚିତ କରୁଣା ଦେଖାଇ କହିଲା ‘‘ତୁ କଣ ଚାକିରୀ କଲୁଣି ସତୁ । ପୋଷଣାହାରୀ ପୁଅ-। ତୋ ମନରେ ପୁଣି ଏଇଆ ଥିଲା ।’’ ଏତିକିବେଳେ ରଙ୍ଗମଞ୍ଚର ଅଭିନୟ ପରି ମା ସେଠି ଝଡ଼ ପରି ପହଞ୍ଚିଗଲା । ଦୁଇ ହାତକୁ ହଲାଇ ହଲାଇ ସେ ଗର୍ଜ୍ଜନ କରି କହିଲା, ‘‘କିରେ କି ଟଙ୍କା ଦେଖଉଛୁ । ରଖ ତୋ ଟଙ୍କା । ସେ ପାପ ଧନରେ ମୋ ବୋହୂ ଔଷଧ ଖାଇବ ନାହିଁ । ତୁ ଏଠୁ ଶୀଘ୍ର ବାହାରିଯା । କୁଳକଳଙ୍କ ।’’ ତା ମୁହଁ ସତେ ଯେପରି ଜଳୁଥିଲା ‘‘କ୍ଷୀଣା ଜନା ନିଷ୍କରୁଣା ଭବନ୍ତି’’ କୁହୁ କହୁ ପୁଣି ହସି ଉଠିଲା ସତ୍ୟବାନ । ହସ ବନ୍ଦକରି ପୁଣି କହିଲା ‘‘ବୁଝିଲୁରେ ହୁସେନ-। ମୋର ଏଇ ମା ମତେ ସଦା ସର୍ବଦା ଏଇମିତି ଶ୍ଳୋକ କହେ । ସ୍କୁଲରେ କେବେ ପଢ଼ିଥିଲି ଏ ଶ୍ଳୋକଟା । ମନେ ରହି ଯାଇଛି । ଛାଡ଼ ସେ କଥା । ଘରୁ ଖୁବ୍‌ ଶୀଘ୍ର ଫେରିଲି । ବାଟରେ ପଡ଼ିଲା ଭଗିଆ ଚମାର ଘର । ତାଠୁ ଗୋଟାଏ ଝୋବା ଖଜୁରି ତାଡ଼ି ପିଇଲି । ଏକଦମ ଅସଲି ମାଲ । ବୁଝିଲୁ ହୁସେନ । ତୁ ଆଉ ମତେ କିଛି କହନା । ଯାମିନୀ ଏଥର ଯାଉ । ମୁଁ ଆଜି ଶାନ୍ତିରେ ଶୋଇପଡ଼େ । କାଗଜପୁଡ଼ାଟା ତରବରରେ ଖୋଲିଲା ସତ୍ୟବାନ । ତାର ପରିଚିତ ଖାଦ୍ୟ । ରୁଟି ଦୁଇଟାକୁ ଗୁଡ଼େଇ ଦେଇ ଦି ଚାରି ପୁଳାରେ ଖାଇ ଦେଲା । ସୋରେଇ ଗଡ଼େଇଲା । ପାଣି ଟୋପାଏ ବି ନାହିଁ । ରାଗରେ ସେ ଲାତ ମାରି ଗଡ଼େଇ ଦେଲା ସୋରେଇକୁ । ବଡ଼ ପାଟିରେ ହୋଟେଲ ବୟକୁ ଡାକିଲା ପାଣି ପାଇଁ । ଯାମିନୀ ହତୋତ୍ସାହିତ ହୋଇ ଧୀରେ ଧୀରେ ବାହାରିଗଲା । ପାଣି ପିଇ ସତ୍ୟବାନ ମୁଣ୍ଡ ତଳେ ହାତ ଦେଇ ଶୋଇ ପଡ଼ିଲା ତା ଖଟରେ । ହୁସେନ ତା ପକେଟରୁ ଟଙ୍କାତକ ନେଇ କବାଟ ଆଉଜାଇ ଚାଲିଗଲା ।

 

ସତ୍ୟବାନ ଘରକୁ ଯାଇ କଣ ବା କରିପାରେ । ବେକାର ଜୀବନଟା ବରଂ ନିଜକୁ ଦୁର୍ବିସହ ହୋଇ ନାହିଁ । ହେମନ୍ତବାବୁଙ୍କର ଅଳ୍ପ ପେନ୍‌ସନ । ତେଣୁ ଷାଠିଏ ବର୍ଷରେ ବି ଟିଉସନ କରିବାକୁ ପଡ଼ୁଛି । ଘର ଛପର ହୋଇ ପାରୁନାହିଁ । ପୁଅ ଝିଅଙ୍କର ଲୁଗାପଟା ହୋଇ ପାରୁନାହିଁ । ଯାମିନୀର ପାଠ ସରିନାହିଁ । ରୋଗୀ ପାଇଁ ଔଷଧ ଲୋଡ଼ା । ପଥି ମଧ୍ୟ ଲୋଡ଼ା । ଉପାୟ କଣ ବା ଅଛି । ହେମନ୍ତବାବୁଙ୍କ ପରିବାରରୁ ସୁଖ ଶାନ୍ତି ବିଦାୟ ନେଇ ସାରିଛି । ଝିଅ ଆସି ବିବାହ ଯୋଗ୍ୟା ହେଲାଣି । କିନ୍ତୁ ଆଜିର ଏ ଯୌତୁକ ବଜାରରେ କିଏ ବା ତାଙ୍କ ବୋଝ ଖଲାସ କରିବ । ହେମନ୍ତବାବୁଙ୍କୁ ରାତିରେ ନିଦ ବି ହେଉନାହିଁ । ସବୁ ଭାର ତାଙ୍କରି ଉପରେ ନଦି ହୋଇଛି । ଶେଷକୁ ଏଇଆ ରଖିଥିଲେ ଠାକୁର ।

 

କଲେଜର ସେଇ ଝିଅଟି । ତା ନା ମାଧୁରୀ । ସେ ତାକୁ ସାଇକଲରେ ବସେଇ ନିଏ । ଶ୍ୟାମଳୀ ଝିଅଟା ପ୍ରଥମେ ଅସୁନ୍ଦରୀ ଦିଶୁଥିଲା କିନ୍ତୁ ତାର ଭସାଣିଆ ଆଖି ଓ ମନମୁଗ୍‍ଧକର ଭାଷା ଭାରି ଭଲଲାଗେ । କଥାଗୁଡ଼ା କିନ୍ତୁ ନିହାତି ଷ୍ଟ୍ରେଟ୍‌ । ସେ ଅନେକ ଡେରିରେ ଘରକୁ ଫେରେ-। ହେଲେ ତାର ସେଥିପ୍ରତି ଭ୍ରୂକ୍ଷେପ ନଥାଏ । ସେ ନିଜ ସାଇକେଲ ଚଲାଏ । ସତ୍ୟବାନ ବସେ ଆଗରେ । ନଚେତ୍‌ ତାକୁ ଆଗରେ ବସାଇ ସତ୍ୟବାନ ସାଇକେଲ ଚଲାଏ । ସେ ରାସ୍ତାରେ ଏ ଗୋଟାଏ ପରିଚିତ ଦୃଶ୍ୟ । ପ୍ରଥମେ ପ୍ରଥମେ ଏ ଦୁଃସାହସିକତା ପାଇଁ ଭାରି ହଟ୍ଟଗୋଳ ହେଲା-। ପଡ଼ିଲା ଟେକା । ମରାହେଲା ହୁଇସିଲ । ହେଲେ କ୍ରମେ ସବୁ ଶାନ୍ତ ହୋଇ ଗଲାଣି । ‘‘ଏ ଗୁଡ଼ା ବେହିଆ ଗୁଡ଼ା । କମ୍ରେଡ଼ ହେଇଛନ୍ତି’’ । ଏମିତି ଅନେକ କଥା ଶୁଣିବାକୁ ହୁଏ । କିନ୍ତୁ ମାଧୁରୀର ଭ୍ରୂକ୍ଷେପ ନଥିଲା । ଦିନେ ବାଟରେ ଯାଉଥିବା ବେଳେ ସତ୍ୟବାନ ପଚାରିଲା, ‘‘ମାଧୁରୀ, ତମକୁ ଲୋକେ ବଦନାମ କରୁଛନ୍ତି । ତମର ଭୟ ହେଉନାହିଁ’’ । ମାଧୁରୀ ହସିଲା । ସେ ସିଧା ସଳଖ କହିଲା ‘‘ବଦନାମକୁ ବଦନାମ ବୋଲି ଜାଣି ପୁଣି ଭୟ କରିବି କାହିଁକି’’ । ସତ୍ୟବାନ କହିଲା-। ତମେ ମୋ ସାଙ୍ଗରେ ଦାଣ୍ଡରେ ବସି ଆସୁଛ । ଭୟ ଲାଗୁନାହିଁ’’ । ମାଧୁରୀ ନିଜେ ମଧ୍ୟ ହସି ଉଠିଲା । ସେଇ ପୁରୁଣା କଥା । ମାଧୁରୀ କହିଲା ‘‘ବାଃ, ଏତ ରୀମତ ଧମକ । ମୁଁ ଭୟ କଣ ଜାଣେ ନାହିଁ । ତମେ ମତେ ସେ ସବୁ ଶିକ୍ଷା ଦିଅନାହିଁ’’ । ସତ୍ୟବାନ ଅପ୍ରସ୍ତୁତ ହୋଇଗଲା । ଏମିତି ଅନେକ କଥା ମାଧୁରୀ ରୋକଠୋକ ଭାବେ କହିଦିଏ ।

 

ମାଧୁରୀକୁ ଆହତ କରି କି ଲାଭ । ସେ ଆହତ ହୁଏ ନାହିଁ । ବରଂ ଅସମ୍ଭବ ଭାବେ ସେ ଠୋକ୍‌କର ମାରିଥାଏ । ଅନେକ ସାହାଯ୍ୟ କରିଛି ମାଧୁରୀ । ହୁସେନ ପଛକୁ ମାଧୁରୀ ହିଁ ସତ୍ୟବାନର ଜୀବନ ପଥର ପାଥେୟ । ମଣିଷ ଶିଶୁ ଏମିତି କାହାରି ନାଁ କାହାରି ଉପରେ ସବାର ହୋଇ ଜୀବନ ଗଢ଼େ । ପ୍ରତ୍ୟେକଟି ଜୀବନ କ୍ଷେତ୍ରରେ ଏହାର ସତ୍ୟତା ନିଶ୍ଚୟ ସ୍ୱୀକାର୍ଯ୍ୟ । କେହି ଏକକ ନୁହେଁ । ନିଜକୁ ନେଇ କେହି ବଞ୍ଚି ପାରିନି । କଣ ମନ ହେଲା ସତ୍ୟବାନର ଗୋଟାଏ ଖିଆଲରେ ମାଧୁରୀକୁ କହିଲା ‘‘ଆମ ଭିତରେ ଗଢ଼ି ଉଠିଥିବା ସମ୍ବନ୍ଧକୁ ତୁମେ କେଉଁ ଦୃଷ୍ଟିରେ ଦେଖ ମାଧୁରୀ ।’’ ମାଧୁରୀ ସତ୍ୟବାନୁଠୁଁ ଏପରି ପ୍ରଶ୍ନ ହୁଏତ ଆଶା କରି ନଥିଲା । ସେ କହିଲା ‘‘ମାନେ, କଣ ତୁମେ କହିବାକୁ ଚାହଁ ? ଆମର ସମ୍ବନ୍ଧ ବିଷୟରେ ମୋର ଧାରଣା ଅଦ୍ଭୁତ । ସମଗ୍ର ମାନବ ସମାଜରେ ପ୍ରତି ଦୁଇଜଣଙ୍କ ସମ୍ବନ୍ଧ ପ୍ରେମ, ପ୍ରଣୟ ଓ କାରୁଣ୍ୟକୁ ନେଇ ଗଢ଼ି ଉଠିଛି । ଆଉ ଆମର ସମ୍ବନ୍ଧ କଣ ତାଠୁ ଭିନ୍ନ ସତ୍ୟବାନ’’ ? ସତ୍ୟବାନ ନିର୍ବାକ୍‌ ହୋଇ ପଡ଼ିଲା । ମାଧୁରୀର ତୀର୍ଯ୍ୟକ ଉତ୍ତରରେ କି ଚିରନ୍ତନ ସତ୍ୟର ଅବତାରଣା । ସେ କହିଲା ‘‘ମୁଁ ଯଦି ଏଇ ସମ୍ବନ୍ଧକୁ ଅସ୍ୱୀକାର କରେ’’ । ମାଧୁରୀ ହସି କହିଲା ‘‘ନିହାତି ସହଜ କଥା । ଗୋଟିଏ ଅସ୍ୱୀକୃତି ପଛରେ ଗୋଟିଏ ସ୍ୱୀକୃତ ସ୍ୱାଭାବିକ ଭାବରେ ଥାଏ । ମନେରଖ ସତ୍ୟବାନ, ପୃଥିବୀର କୌଣସି ସ୍ଥାପନ ଅପୂରଣୀୟ ନୁହେଁ । ସମ୍ବନ୍ଧ ବ୍ୟତିରେକେ ମଣିଷର ସ୍ଥାନ ନାହିଁ, ସ୍ଥିତି ମଧ୍ୟ ନାହିଁ ।’’ ସତ୍ୟବାନ ଆଉ ଅଧିକ ଯୁକ୍ତି କରି ପାରିଲା ନାହିଁ । ସବୁବେଳେ ମାଧୁରୀର ଜୟ ଓ ସତ୍ୟବାନର ପରାଜୟ । ଏ ଗୋଟାଏ ପରିଚିତ କଥା । କିନ୍ତୁ ମାଧୁରୀ କଣ ଭଲ ପାଏନା ତାକୁ । ସେ ଗୋଟାଏ କାମୋଫ୍ଳେଜ ନୁହେଁ ତ ? ତେବେ ମାଧୁରୀର ଦୃଢ଼ତାଟା ମନ୍ଦ ନୁହେଁ । ବନ୍ଧୁତ୍ୱର ଅଭାବ ନାହିଁ । ରାସ୍ତାଟି ସରି ଆସିଲାଣି । ଚତୁର୍ଥୀ ତିଥିର ଚନ୍ଦ୍ର ଉଦୟ ହେଲାଣି । ଆଜି ଶୀଘ୍ର ଶୀଘ୍ର ପାର୍ଟି ଅଫିସରୁ ଫେରିଛନ୍ତି ସେମାନେ ।

 

ଏଇ କେନାଲ ହେଲା । ଦୁଇ କଡ଼ରେ ସରୁ ରାସ୍ତା । ସେଇ ସରୁ ରାସ୍ତାରେ ସାଇକେଲ ଗଡ଼ାଇ ନେଲା ସତ୍ୟବାନ କହିଳା ‘‘ନା, ତମକୁ ଆଜି ମଧୁବନ ଆଡ଼େ ନେଇଯିବି । ଦେଖିବ ସୁନ୍ଦର ବନଭୂମିଟି ସାଗୁଆନ ଆମ୍ବ ପଣସରେ ପୂର୍ଣ୍ଣ । ଆମ୍ବଗଛରେ ଭରା ବଉଳ । ଗୋଟାଏ ମଧୁର ସୁରଭିରେ ପ୍ରାଣ ପୂରି ଉଠିବ । ଜହ୍ନ ରାତିରେ ଭାରି ଉପଭୋଗ୍ୟ ହୁଏ । ଅବଶ୍ୟ ରାତି ଅପେକ୍ଷା ମଧ୍ୟାହ୍ନଟା ସେଠି ଆହୁରି ମୂର୍ଚ୍ଛନାମୟ । କୋକିଳ ବିଳପିତ ସେ ବନଭୂମି ପ୍ରକୃତରେ ବଡ଼ ଆକର୍ଷଣୀୟ ।’’ ମଧୁରୀ କହିଲା ‘‘ଅନୁଭୂତିଟା ମନ୍ଦ ନୁହେ । କେବେ ସଂଗ୍ରହ କଲ ।’’ ସେମାନଙ୍କ କଥାରେ ବାଧା ଦେଇ ଗୋଟିଏ ଧଳାରଙ୍ଗର ମଟରଗାଡ଼ି ସେଇ ସରୁ ରାସ୍ତାର କର ଦେଇ ପଡ଼ି ଉଠି ଶଗଡ଼ ଗୁଳାରେ ଆଗେଇ ଗଲା । ଧୂଳିରେ ପୋତି ହୋଇ ପଡ଼ିଲେ ଦୁଇଜଣ । ସତ୍ୟବାନ ସାଇକେଲ ବନ୍ଦ କରି ସେ କାର୍‌ ଆଡ଼କୁ ବିସ୍ମିତ ଭାବେ ଚାହିଁଲା । ତାପରେ କହିଲା ‘‘ମାଧୁରୀ ଏ ଯେଉଁ କାରଟା ଆମକୁ ଓଭରଟେକ୍‌ କରିଗଲା ତାକୁ ଚିହ୍ନି ପାରୁଛ ନାଁ ? ନନ୍ଦିତାର କାର । ବୋଧ ସେଇ ଆଡ଼କୁ ଯାଉଛି । ଆମେ ଆଉ ଆଗେଇବା ନାହିଁ ।’’ ସେମାନେ ଗତି ଫେରାଇଲେ । ମାଧୁରୀ କହିଲା ‘‘ଆଜି ତେବେ ଆମ ଘରକୁ ଆସ । ଡାଡ଼ିଙ୍କ ସହିତ ଦେଖା ହେବ । ସେ ଭାରି ଖୁସି ହେବେ ।’’

 

ମାଧୁରୀର ପିତା ଶ୍ରୀ ଅଜପାନନ୍ଦ ବିଜୟଶ୍ରୀ ନିହାତି ଅଦ୍ଭୁତ ନାଁ ଟିଏ । ଏପରି ନାଁଟା ଯୋଗୁ ସତ୍ୟବାନର କୌତୁହଳ ହୁଏ ତାଙ୍କ ବିଷୟରେ ଜାଣିବାକୁ । ବେଶ୍‌ ଭଦ୍ର ଓ ଅମାୟିକ ଲୋକ ସେ । ବଙ୍ଗଳାରୁ ଆସିଛନ୍ତି ବୋଲି ସତ୍ୟବାନ ଜାଣେ । କୌଣସି ରାଜଦତ୍ତ ପଦବୀ ହୁଏତ ହୋଇଥିବ ।

 

ମାଧୁରୀ ଘର ସାମନାରେ ସାଇକେଲରୁ ଓହ୍ଲେଇଲେ ସେମାନେ । ମାଧୁରୀର ପିତା ଲୋକ ସମାଜରେ ନନ୍ଦବାବୁ ନାମରେ ପରିଚିତ । ନନ୍ଦବାବୁ ଆଗତୁରା ନମସ୍କାର ଜଣାଇଲେ ସତ୍ୟବାନକୁ । ବଡ଼ ସାନ ଏତେ କଥା ସେ ଭାବନ୍ତି ନାହିଁ । ସେ କହିଲେ ‘‘ଆଜି ବଡ଼ ସୌଭାଗ୍ୟ ମୋର । ମୁଁ ପ୍ରାୟ ପ୍ରତିଦିନ ତମକୁ ଅପେକ୍ଷା କରେ । ମଧୁ ନ ଥିଲେ ମତେ ଭାରି ଖରାପ ଲାଗେ । ବସି ଖାଲି ବହି ପଢ଼େ ।’’

 

ସତ୍ୟବାନ କହିଲା–‘‘ମାଧୁରୀ କହେ ଆପଣ ପଢ଼ିବାକୁ ଭଲ ପାଆନ୍ତି ବୋଲି ।’’ ସେ କହିଲେ–‘‘ହଁ, ଆଜିକାଲି ବେଳ ପ୍ରାୟ ନାହିଁ । କଚିରୀତ ଯାଉ ନାହିଁ । ମହକିଲମାନ; ଆମର ଏ ନୂଆ ଘରକୁ ଆସୁ ନାହାନ୍ତି । କଚିରୀଠାରୁ ଅନେକ ଦୂର ହେଉଛି । ଏ ସବୁ କାରଣ ନେଇ କେଶ୍‌ ବନ୍ଦ କଲି । ଆଉ କରନ୍ତି କଣ ? ପୁରୁଣା ଅଭ୍ୟାସଟା ଏଇ ବହି ପଢ଼ା । ତାହାହିଁ କରୁଛି ।’’

 

ସତ୍ୟବାନ କହିଲା ‘‘ନାଁ, ଆପଣଙ୍କ ପରି ଲୋକ ଅନ୍ତତଃ ଦେଶର ଭଲ ମନ୍ଦ ବିଷୟରେ ଟିକିଏ ସଚେତନ ହେଲେ ଭଲ ହୁଅନ୍ତା । ଆପଣ ଦେଖୁଛନ୍ତି ଏଇ ନୂତନ ଭାରତ ସରକାରକୁ । ଝିଣ୍ଟିକା ମାରି ବଣି ପୋଷା ସରକାର ଏ । ନୂଆ ନୂଆ ଭଲ ଚାଲିବା ଲୋକେ ଏଇନା ଏ ନୂଆ ଶାସନରେ ଖୁବ୍‌ ନାଚିଛନ୍ତି । ଆଉ ପାଞ୍ଚଟା ବର୍ଷ ଯାଉ ଦେଖିବେ । ଏ ଗୁଡ଼ାଙ୍କୁ ବର୍ଜ୍ଜନ ନ କଲେ ନ ଚଳେ । କେତେ ଜଣ ନେତାଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଦୂରଦୃଷ୍ଟିହୀନ । ଆଉ କେତେକ ସ୍ୱ ବିଷୟରେ ବଡ଼ ସଚେତନ । ଏମାନଙ୍କ ଗତିବିଧ ଲକ୍ଷ୍ୟ କରିବା ହେଲା ଆମ କାମ । ଏଇ ବରଫ କଳର ଶ୍ରମିକମାନେ ଆଜି ପାର୍ଟି ଅଫିସରେ କେତେକ ଅଭିଯୋଗ ଦେଇ ଯାଇଛନ୍ତି । ସେଗୁଡ଼ା ଚେକ୍‌ କରି ପୁଣି ତାର ପ୍ରତିକାର କରିବାକୁ ଚେଷ୍ଟା କରାଯିବ ।’’ ନନ୍ଦବାବୁ କହିଲେ ‘‘ସତ୍ୟବାବୁ, ଦୁଇ ପକ୍ଷର କଳିରେ ତୃତୀୟ ପକ୍ଷର ଲାଭ ହୁଏ । ପ୍ରାୟ ଏହି ପରିସ୍ଥିତିରେ ଆମ ଉପରେ ଇଂରେଜ ଶାସନ ଜାରି ହୋଇଥିଲା । ମୋର ବିଶ୍ୱାସ ଅନ୍ତତଃ ତମମାନଙ୍କ ପରି ପାଠ ପଢ଼ୁଆ ଯୁବକ ସବୁକିଛି ବୁଝି ସୁଝି କରିବେ ।’’ ସତ୍ୟବାନ କହିଲା ‘‘ମଉସା ଆପଣ ହୁଏତ ଅସଲ କଥାଟା ବୁଝି ନାହାନ୍ତି । ଏଇ ଧରନ୍ତୁ ବର୍ତ୍ତମାନର ଏ ନେତା ମାନେ, ଯେଉଁମାନେ ସ୍ୱାଧୀନତା ଯୁଦ୍ଧରେ ଏକମାତ୍ର ସାରଥି ଥିଲେ ବୋଲି ଦାବି କରନ୍ତି ସେମାନଙ୍କ ତାଙ୍କର ପ୍ରାପ୍ୟ ଆଦାୟରେ ଲାଗି ପଡ଼ିଲେଣି । ଯେଉଁମାନେ ତାଙ୍କର ସାରଥି ବୋଲି ନିଜକୁ ପରିଚୟ ଦେଉଛନ୍ତି ସେମାନେ ବି ନିଜର ନିଅ ମାଡ଼ିବାରେ ଲାଗିଛନ୍ତି । ସେମାନେ ମନେ କରିଛନ୍ତି ଯେ ତାଙ୍କର ଚିନ୍ତାଧାରାକୁ ନେଇ ସାରା ଦେଶଟା କେବଳ ସାବସ୍‌ କରି ଚାଲିବ ଆଉ ଦେଶର ବୁଦ୍ଧିଜୀବୀମାନେ ଭକୁଆଙ୍କ ପରି ତାଙ୍କ ନିଷ୍ପତ୍ତିକୁ ଚାହିଁ ରହିବେ । ତା ହୋଇ ନପାରେ ମଉସା । ଜଣେ ସଂଗ୍ରାମୀ ସୈନିକ ଶାସକ ହେବାର ଲୋଭ ସମ୍ବରଣ କରି ପାରୁ ନାହିଁ ବୋଲି ଆମେ ନୀରବରେ ତାକୁ ସମର୍ଥନ କରି ନପାରୁ ।’’

 

ନନ୍ଦବାବୁ ଏଇପରି ଏକ ଦୀର୍ଘ ବକ୍ତୃତାରେ ମୁଗ୍‌ଧ ହୋଇ ଯାଇଥିଲେ । ସେ କହିଲେ ‘‘ଅବଶ୍ୟ ତା ଠିକ୍‌ ସତ୍ୟବାନ । କିନ୍ତୁ ଅସଲ ଉଦ୍ଦେଶ୍ୟ ଏକ ହେବା କଥା । ଭାରତରେ ପୂର୍ବେ ରାଜା ଥିଲେ । ରାଜାମାନଙ୍କୁ ପ୍ରଜାନୁରଞ୍ଜନ ଧର୍ମ ଶିକ୍ଷା ଦିଆଯାଉଥିଲା । ଆଜି ସୀରା ଭାରତରେ କେହି ରାଜା ନୁହଁନ୍ତି । କେହି କାହାର ପ୍ରଜା ନୁହେଁ । ନେତାମାନେ ଶାସକ ହୋଇଛନ୍ତି । ସେମାନଙ୍କର ଅନ୍ତତଃ ମନେ ରଖିବା ଉଚିତ୍‌ ଯେ ଏ ଗଣତନ୍ତ୍ର ରାଜ୍ୟରେ ସବୁରି କାମନାର ସ୍ଥାନ ରହିଚି । ବ୍ୟକ୍ତିର ମୂଲ୍ୟବୋଧ ରହିଚି । ସେଇ ଏକ ପ୍ରକାର ଉନ୍ନତ ଚିନ୍ତା ନେଇ ନେତୃବୃନ୍ଦ ଦେଶକୁ ସଂବେଦନରେ ଲକ୍ଷ୍ୟ କରିବା ଉଚିତ୍‌ । ଭାରତରେ ସେଇ ଚିର ଇପ୍‌ସିତ କାମନା ‘‘ସର୍ବେସନ୍ତୁ ନିରାମୟା’’ ଆଜି ତୁମ ସମସ୍ତଙ୍କର ଧର୍ମ ହେବା କଥା ।’’

 

ସତ୍ୟବାନ କହିଲା ‘‘ଆପଣ ଜାଣନ୍ତି ମଉସା, ଭାରତରେ ପ୍ରେରଣାର ଅଭାବ ନାହିଁ । ହେଲେ ସେଇ ଅମୃତ ପ୍ରେରଣା ବର୍ତ୍ତମାନ ଯେମିତି ଜ୍ୟୋତିହୀନ ହୋଇଗଲାଣି । ସାମର୍ଥ୍ୟ ଥିଲେ ବି ପୃଥ୍ୱୀରାଜଙ୍କ ପରି ଅପରିଣାମଦର୍ଶୀ ଯେ କୌଣସି ବ୍ୟକ୍ତିକୁ ଶୀଘ୍ର ବିତାଡ଼ିତ କରିବା ଉଚିତ ।’’ ନନ୍ଦବାବୁ କହିଲେ ‘‘ମାନେ ।’’ ‘‘କଣ ବୁଝିଲେ ନାହିଁ’’, ସତ୍ୟବାନ କହିଲା । ‘‘ଶୁଣନ୍ତୁ । ପୃଥିରାଜ ଯୋଦ୍ଧା । ଯୋଦ୍ଧୃତ୍ୱର ଅହମିକାରେ ସେ ହେଲେ ଅନ୍ଧ । ସେ ଜାଣିଥିଲେ ଜୟଚନ୍ଦ୍ର ତାଙ୍କର ଏକମାତ୍ର ଶତ୍ରୁ । ସେ ଜୟଚନ୍ଦ୍ରଙ୍କ ଗତିବିଧି ଲକ୍ଷ୍ୟ କଲେ ନାହିଁ ଗୁପ୍ତଚର ବ୍ୟବସ୍ଥାକୁ ଖାତିର କଲେ ନାହିଁ । କାରଣ ନିଜ ଶକ୍ତି ଉପରେ ତାଙ୍କର ଅସମ୍ଭବ ବିଶ୍ୱାସ ଥିଲା । ଏଇ ଦାମ୍ଭିକତାକୁ ଚରମ ଅଜ୍ଞତା ବା ମତାନ୍ଧତା କୁହାଯାଇପାରେ । ପରିଣାମତ ଜାଣନ୍ତି । ଆଜିର ଶାସକଗଣ କଣ ସେଇ ପଥର ପଥିକ ନୁହଁନ୍ତି ମଉସା ।’’ ନନ୍ଦବାବୁ ସମର୍ଥନରେ ମୁଣ୍ଡ ହଲାଇଲେ । ସେ କହିଲେ ‘‘ଠିକ୍‌ କହିଛ ସତ୍ୟବାନ । ସ୍ୱାଧୀନତା ପରେ ନବୀବ ଗଣତନ୍ତ୍ର ଯେମିତି ବଣ୍ୟ ଭାବରେ ବଢ଼ିବାକୁ ଲାଗିଛି ଭାରତର ଭବିଷ୍ୟତ ପ୍ରତି ତାହା ପୁଣି ବିପଦଜନକ ହୋଇପାରେ ।’’ ସତ୍ୟବାନ କହିଲା ‘‘ଦେଶର ଯୁବଶକ୍ତି କୌଣସି ନେତାର ଶୁଖିଲା ଖିଆଲ ଉପରେ ନିର୍ଭର କରି ନପାରେ । ଯାହା ଦେଖା ଯାଉଚି ଧନୀ ଆହୁରି ଧନୀ ହୋଇ ଉଠୁଚି ଆଉ ଗରିବ ଆହୁରି ଗରିବ ହୋଇଛି । ସମ୍ୟବାଦ ନାମରେ ଗୋଟିଏ ଧୂଆଁ ବାଣ ଦେଶକୁ ସମ୍ମୋହିତ କରି ରଖିଛି । ବର୍ତ୍ତମାନକୁ ଭୁଲି ଭବିଷ୍ୟତର ରଙ୍ଗୀନ ଚିତ୍ର ଅଙ୍କନ କରିବାରେ ଭାରତବାସୀ ଅଭ୍ୟସ୍ତ ।’’ ନନ୍ଦବାବୁ କହିଲେ, ‘‘ବେଶ୍‌ ତ, ଠିକ୍‌ ଚିନ୍ତା କରିଛ । ବର୍ତ୍ତମାନକୁ ନଷ୍ଟ କରିବାକୁ ଦିଅ ନାହିଁ । ପ୍ରତ୍ୟେକଟି ତୃଟିର ସମାଲୋଚନା ହେଉ ।’’ ସତ୍ୟବାନ କହିଲା ‘‘ସମାଲୋଚନା ଆଉ କଣ ? ସେଇ ଇଂରେଜଙ୍କ ପ୍ରସ୍ତୁତ ଶାସନ କଳରେ ଅତୀତର ନେତା ତଥା ବର୍ତ୍ତମାନର ଶାସକ ଟ୍ରେନ୍‌ଣ୍ଡ ଟେକନିସିଆନ୍‌ । ଇଂରେଜଙ୍କ ସଜ୍ଜିତ ଗାଦି ସ ମଉଜ ଓ ତାକୁ ରକ୍ଷା କରିବାର ପଦ୍ଧତି ସବୁଥିଲେ ସେମାନେ ପକ୍‌କା ହୋଇ ଗଲେଣି । ଏ ସାମାନ୍ୟ ସମାଲୋଚନାକୁ ତାଙ୍କର ଖାତିର ନାହିଁ । ପୁଣି ଦେଖିବେ ବିପ୍ଳବ ହେବ । ବିପ୍ଳବ ବ୍ୟତିରେକେ ଏମାନଙ୍କ କବଳରୁ ଗଣତନ୍ତ୍ରର ମୁକ୍ତି ନାହିଁ । ଧୂର୍ତ୍ତ ଇଂରେଜଙ୍କ ଧର୍ତ୍ତତରେ ଏମାନେ ବଳବାନ ହୋଇ ସାରିଛନ୍ତି । ଦେଖନ୍ତୁ ଦେଶର ସେଇ ପଦ୍ଧତି । ଇଂରେଜମାନେ ତାଙ୍କର ନିକଟତର ରୂପେ ଗୋଟିଏ ଗୋଷ୍ଠୀ ରଖିଥିଲେ । ଶାସନ କଳରେ ତାଙ୍କୁ କିଛି ସୁବିଧା ଦେଇ ନାମକୁ ମାତ୍ର ବଡ଼ ଚାକିରିଆ କରି ରଖିଥିଲେ । ଏଇ ରାଜାନୁଗ୍ରହ ଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ଆଜିମଧ୍ୟ ଭାରତବାସୀ ଚାକିରୀକୁ ଉନ୍ନତିର ପଥ ବୋଲି ଧରି ନେଇଛନ୍ତି । ଦ୍ୱିତୀୟ ପାହ୍ୟା ଥିଲେ ମଝିରେ । ସବୁବେଳେ ତାଙ୍କର ଉଚ୍ଚପାହ୍ୟାକୁ ଉଠିବା ନିଶା ଛାଡ଼ୁ ନଥିଲା । ନିଜ ଗୁଣରେ ଉପରବାଲାଙ୍କୁ ଟପିବାରେ ତାଙ୍କର ଗୋଟାଏ ପ୍ରତିଯୋଗିତା ଲାଗି ରହିଥିଲା । ଆଉ ତୃତୀୟ ଦଳଟା ଥିଲେ ଅର୍ଦ୍ଧଭୁକ୍ତ ଗୋଷ୍ଠୀ । ସେମାନେ ସର୍ବଦା ଅର୍ଦ୍ଧଭୁକ୍ତ ନିଜ ଦରମାତକ ତାଙ୍କର ଠିକ୍‌ ମାସ ଅଧାରୁ ସରେ । ତେଣୁ ଏ ଦଳକ ସର୍ବଦା ନିଜର ସ୍ୱଳ୍ପ ଆୟକୁ ନେଇ ମାସ ବିତାଇବାରେ ବ୍ୟସ୍ତ । ସରକାରଙ୍କ ପଲିସି ଚିନ୍ତା କରିବାକୁ କାହାର ବା ଇଛା ହେବ କୁହନ୍ତୁ । ଯେ ଅଧିକ-ପାଉଛନ୍ତି ସେ ତ ସମର୍ଥକ । ଯେ ମଝିରେ ଅଛନ୍ତି ସେ କିପରି ସମର୍ଥନ ହୋଇ ତାଙ୍କ ସୌଭାଗ୍ୟ ଲାଭ କରିବାକୁ ଚେଷ୍ଟିତା ଆଉ ଯେ ସ୍ୱଳ୍ପ ଆୟ ଗୋଷ୍ଠୀ ସେ କୌଣସିମତେ ମାସଟି ବିତାଇବାକୁ ଚେଷ୍ଟିତ । ତେଣେ ସବୁ ଯାଉଛି ଛାଣି ହୋଇ ବଡ଼ ବଡ଼ କଥା । ବିଚାର କରିବା କଣ ବା ଦରକାର ବୋଲି ସମସ୍ତେ ନିଜକୁ ଅକ୍ଷମ ମନେ କରୁଛନ୍ତି । କ୍ରମଶଃ ଗୋରାଙ୍କ ସ୍ଥାନରେ କଳାଙ୍କ ଜୁଲୁମ ଅନୁଭୂତ ହେବ । ଦେଖିବେ ଆପଣ । ସମୟ ନିକଟତର ହୋଇ ଆସିଛି । ଦେଖିବେ ଶହ ଶହ ଅଜାତ ଶତ୍ରୁ ରାଜଗାଦି ଲୋଭରେ ପିତାଙ୍କୁ ହତ୍ୟା କରିବେ ।’’ ନନ୍ଦବାବୁ କହିଲେ । ‘‘ଖୁବ୍‌ ଇମୋସନାଲ ହୋଇ କଣ କରିପାରିବ ସତ୍ୟବାନ । ତୁମକୁ ଅନ୍ତତଃ ପ୍ରାକ୍ଟିକାଲ ହେବାକୁ ହେବ ।’’ ସତ୍ୟବାନ କହିଲା ‘‘ଏଇ ରାଜଗାଦି ମୋହ, ଶାସନର ମୋହ କଥା ଚିନ୍ତା କରିପାରିବେ ନାହିଁ ଆପଣ । Hundred years old wineର ନିଶାଠାରୁ ଆହୁରି ମାରାତ୍ମକ ସେ ନିଶା । ଏଇମାନଙ୍କ କବଳରୁ ଗୁଣତନ୍ତ୍ରକୁ ମୁକ୍ତ କରିବାକୁ ହେବ । ଗଣତନ୍ତ୍ର ବିପନ୍ନ ହୋଇ ପଡ଼ିଛି । ଏହାର ଭୟାବହତା କ୍ରମେ ଉପଲବ୍‌ଧି ହେବ । କାରଣ ଏହା ମଣିଷର ମନସ୍ତତ୍ତ୍ୱ ଉପରେ ନିର୍ଭର କରି ଗଢ଼ି ଉଠିଛି ।

 

ନନ୍ଦବାବୁ କହିଲେ ‘‘ଗୁଡ଼ାଏ hypothesis ଛଡ଼ା ଏ ଆଉ କଣ ହୋଇପାରେ ସତ୍ୟବାନ ।’’ ସେ କହିଲା । ‘‘no, no ମଉସା । ଏ ହେଉଛି ମନସ୍ତତ୍ତ୍ୱର ହିସାବ ନିକାଶ । ଠିକ୍‌ ଗଣିତ ଶାସ୍ତ୍ରର ସରଳକର ପରି । ମଣିଷର ମନସ୍ତତ୍ତ୍ୱ କହେ ସେ ସର୍ବଦା କ୍ଷମତା ଲିପ୍‌ସୁ ।’’ ନନ୍ଦବାବୁ କହିଲେ ‘‘ମତେ ବୁଝାଇ ଦେଇ ପାରିବ ସତ୍ୟବାନ । କେଉଁ ମହତ୍‌ ଉଦ୍ଦେଶ୍ୟ ନେଇ ତୁମମାନଙ୍କର ପାର୍ଟି ଗଢ଼ି ଉଠିଛି । ରାବଣ ମାରି ଲଙ୍କା ଅଧିକାର କରିବାର ଲୋଭ ସୀତା ଉଦ୍ଧାର ସହିତ କଣ ସ୍ପଷ୍ଟ ନୁହେଁ । ମନେରଖ ସତ୍ୟବାନ କ୍ଷମତା ତୁମକୁ ବି ଯଦି ଥରେ କବଳିତ କରିବ ତୁମର ବି ସେଥିରୁ ମୁକ୍ତିନାହିଁ । ଐଶ୍ୱର୍ଯ୍ୟର କୋମଳ ଶଯ୍ୟାରେ ସାମାଜିକ ଆଦର୍ଶ ମେଞ୍ଚାଏ କାଗଜ ଫୁଲ ପରି ।’’ ମାଧୁରୀ ତାର ଖାଦ୍ୟ ପ୍ରସ୍ତୁତ କରି ଆସିଥିଲା । କଥାରେ ପୂର୍ଣ୍ଣଛେଦ ଦେଇ ସେ କହିଲା । ‘‘ଆଜି ସେତିକି ଥାଉ ଡାଡ଼ି । ରାତି ଅନେକ ହେଲାଣି ।’’ ଏକତ୍ର ଭୋଜନ କଲେ ସେମାନେ । ମାଧୁରୀ ଇଂରେଜ କାଇଦା ଅଳ୍ପେ ବହୁତେ ଜାଣିଛି । ଖାଇବା ବେଳେ ମଧ୍ୟ ଅନେକ କଥା ପଡ଼ିଲା । ଲ କଲେଜ ଖବରଟା ତା ଭିତରୁ ସବୁଠୁ ପ୍ରଥମ । ସତ୍ୟବାନ ହଠାତ୍‌ ପ୍ରେସିଡ଼େଣ୍ଟ ହୋଇଯାଇ ସମସ୍ତଙ୍କ ଚକ୍ଷୁଶୂଳ ହୋଇ ପଡ଼ିଛି । ତାର ଅତି ସ୍ନେହର ବନ୍ଧୁ ବିନୋଦ ମନେ ମନେ ତାର ତୀବ୍ର ବିରୋଧ କରୁଛି । ବିନୋଦର ଶତ୍ରୁତାର ଶିକାର ହେବାକୁ ହେଉଛି ବେଳେ ବେଳେ ।

 

ସତ୍ୟବାନ ଖାଇ ସାରି ଖାଦ୍ୟ ବିଷୟରେ କିଛି ମନ୍ତବ୍ୟ ଦେଲା ନାହିଁ । ଧନ୍ୟବାଦଟାଏ ବି ମାଧରୀକୁ ଶୁଣାଇଲା ନାହିଁ । ମାଧୁରୀ ହୁଏତ ଚାହୁଁଥିଲା ତା ରନ୍ଧାର ତାରିଫ ସତ୍ୟବାନ କରିଥାନ୍ତା । କୋଉ ଗୋଟାଏ ରନ୍ଧା ହୁଏତ ଭଲ ଲାଗୁଛି ବୋଲି କହିଥାନ୍ତା । କିନ୍ତୁ ସତ୍ୟବାନକୁ ନୀରବ ଦେଖି ମାଧୁରୀ କହିଲା ‘‘ତମକୁ ଆମ ରନ୍ଧା କେମିତି ଲାଗିଲା ସତ୍ୟବାନ ? ବୋଧେ ଭଲ ଲାଗିନି । ମୁଁ ଜାଣେ ତମେ ଅଧିକ ରୁଚିକର ଖାଦ୍ୟ ଖାଉଛ ।’’ ସତ୍ୟବାନ ନାରୀର ଅବୁଝା ମନକୁ ନେଇ ଖେଳ ଆରମ୍ଭ କରିଛି । ବାଧ୍ୟ ହୋଇ କହିଲା ତାର ପ୍ରତିଦିନର ରାତ୍ରି ଭୋଜନ ବିଷୟରେ । ସେ କହିଲା ‘‘ନା, ମୁଁ ସେସବୁ କିଛି ଭାବେନା । ମତେ ଯେପରି ଖାଇବାକୁ ସୁବିଧା ହୁଏ । ମାନେ ଏଇ ସବୁ ବାସନ, ପ୍ଳେଟ ଇତ୍ୟାଦି ଧୋଇବ କିଏ । ବୟଟା ଦୁଇପଟ ରୁଟି ମଝିରେ ଆମ୍‌ଲେଟ ଗୋଟାଏ ରଖି କାଗଜରେ ବାନ୍ଧି ରଖି ଦେଇଥାଏ । ମୁଁ ଯେତେ ବେଳେ ଘରକୁ ଫେରେ ରୁଟିକୁ ଗୁଡ଼େଇ ଦେଇ ଖାଇଦିଏ । କାଗଜଟା ଫୋପାଡ଼ି ଦିଏ ।’’ ନନ୍ଦବାବୁ କହିଲେ ‘‘ବାଃ, ଆତ୍ମନିର୍ଭରଶୀଳତାର ଓ ଗୋଟାଏ ବିଶିଷ୍ଟ ଉଦାହରଣ । ମୁଁ ପ୍ରକୃତରେ ଖୁସି ହେଲି । ମଣିଷ ପକ୍ଷରେ ଆତ୍ମନିର୍ଭରଶୀଳ ହେବାଠାରୁ ବଡ଼ କଥା ଆଉ କିଛି ନାହିଁ ।’’

 

ରାତି ଅନେକ ହୋଇଥିଲା । ବାପ ଝିଅ ଦୁହେଁ ରାତ୍ରି ଯାପନର ନିମନ୍ତ୍ରଣ ଦେଇଥିଲେ ମଧ୍ୟ ସତ୍ୟବାନ ଆଗ୍ରହ ପ୍ରକାଶ କରି ନ ଥିଲା । ମାଧୁରୀର ସେଇ ସାଇକଲ ନେଇ ସତ୍ୟାବନ ଫେରିଲା ତାର ବସାକୁ । ଅନେକ ରାତିରେ ଶୋଇବା ସତ୍ୟବାନର ଯେମିତି ଅଭ୍ୟାସ, ଅନେକ ଡେରିରେ ଉଠିବା ମଧ୍ୟ ଠିକ୍‌ ସେମିତି ନିୟମିତ । ସେଦିନ ତା ନିଦ ଭାଙ୍ଗିଲା ବେଳକୁ ପ୍ରାୟ ଦିନ ନଅଟା ହୋଇଥିଲା । ହୁସେନ ଆସ କବାଟ ଖୋଲିଲା । ପାଖରେ ବସି ଗରଗର ହୋଇ କହିଲା ‘‘ତୁ ଏମିତି ହବୁ ବୋଲି ମୁଁ ଜାଣି ନ ଥିଲି । ତୋର ଲ ପରୀକ୍ଷା ଦେବା କଥା ତ ଆଉ ଜଣ ପଡ଼ୁନି । ସବୁବେଳେ ଖାଲି ପାର୍ଟି ଅଫିସ ଆଉ ସେ ଝିଅଟା । ଏ ଦୁଇଟା ତୋର ବ୍ୟବସାୟ ହୋଇଛି । ତୁ ଫେରୁଛୁ ଅନେକ ଡେରିରେ । ଏତେ ରାତିଯାଏ କଣ କରୁ ?’’

 

ସତ୍ୟବାନ କହିଲା ‘‘ବନ୍ଧୁ ହୁସେନ ସାହାବ । ଜୀବନରେ ଦୁଇଟି କଥା ମୋର ଅତି ଅସହ୍ୟ । ଗୋଟାଏ ହେଲା ଉପଦେଶ ମାନିବା ଓ ଅନ୍ୟଟା ହେଲା ନ୍ୟାୟ କୁ ବସି ବିଚାର କରିବା-। ବୁଝିଲ ବନ୍ଧୁ ମୁଁ ପାପ ପୁଣ୍ୟ ନ୍ୟାୟ କିଛି ବୁଝେନା, ମୋ ଆଗରେ ଯାହା କରିବାକୁ ଥିବ ମୁଁ ଅଲବତ୍‌ କରିଯିବି । ଏଥିରେ ସନ୍ଦେହ ନାହିଁ ହୁସେନ । ତୁ ମହାଭାରତ କଥା ଜାଣୁ କି ନାଁ ମୁଁ ଜାଣେନାହିଁ । ମହାଭାରତରେ ଦୁର୍ଯ୍ୟୋଧନ ଜଣେ ଶ୍ରେଷ୍ଠ ରାଜା । ସେ ପାଣ୍ଡବ ମାନଙ୍କୁ ନିର୍ମୁଳ କରିବାକୁ ଲାଗିଥାଏ । ସେଇ କେବଳ କହିଥିଲା ‘‘ଜାନାମି ଧର୍ମଂ ନଚ ମେ ପ୍ରବୃତ୍ତି, ଜାନାମିମଧର୍ମଂ ଚନ ମେ ନିବୃତ୍ତି ।’’ ମାନେ ଧର୍ମ କଣ ମୁଁ ଜାଣେ କିନ୍ତୁ ସେଥିରେ ମୋର ଆସକ୍ତି ନାହିଁ । ଅଧର୍ମ କଣ ମୁଁ ଜାଣେ କିନ୍ତୁ ସେଥିରୁ ମୋର ନିବୃତ୍ତି ନାହିଁ । ଧର୍ମକୁ ମୁଁ ଧରି ପାରିବି ନାହିଁ ମୁଁ ଜାଣେ । ତେଣୁ ଅଧର୍ମକୁ ଛାନିବି କାହିଁକି ? ମୁଁ କହୁଛି ହୁସେନ ଏଇ ଧର୍ମ ଅଧର୍ମ ଏସବୁ ବିଚାର ଗୋଟାଏ ଚୁଡ଼ାନ୍ତ ପାଗଳାମି । ମୁଁ ଏ ସବୁକୁ ପସନ୍ଦ କରି ପାରେ ନାହିଁ । ତୁ ଜାଣୁ......

 

ବାଧା ଦେଇ ହୁସେନ କହିଲା ‘‘ଆରେ ଯା । ଯେତେ ଅଧିକ ପାଠ ପଢ଼ିବ ଦିମାକ ସେତିକି ଅଧିକ ବିଗିଡ଼ିବ । ଗୁଡ଼ାଏ example ଦେବା ତୋ କାମ ନାଁ କଣ ? ଆରେ ବେକୁବ କାଲି ସଂଧ୍ୟାଠାରୁ ରାତି ଦଶଟା ଯାଏ ରାୟସିଂହ ଝିଅ ତତେ ଚାରିଥର ଖୋଜିଛି । କଥା କଣ ମୁଁ ଜାଣେ ନାହିଁ । ରାୟସିଂହର ସେଇ ଗୋଟିଏ ଝିଅ । ସୁନ୍ଦରୀ ଝିଅଟିଏ । ତତେ କାହିଁକି ଏମିତି ଖୋଜୁଛି । କଣ ଅର୍ଜ୍ଜେଣ୍ଟ ଅଛି ?’’ ଏତିକିବେଳେ ରିକ୍‌ସାଟିଏ ଆସି ସତ୍ୟବାନର ଦ୍ୱାର ନିକଟରେ ଠିଆ ହେଲା । ସଜଫୁଟା ଫୁଲ ପରି ହସ ହସ ହୋଇ ଓହ୍ଲାଇ ପଡ଼ିଲା ନନ୍ଦିତା । ହୁସେନ ଓ ସତ୍ୟବାନ ଅପ୍ରସ୍ତୁତ ହୋଇ ଠିଆ ହୋଇ ପଡ଼ିଲେ । ହୁସେନ ଘରୁ ବାହାରିଗଲା । ସତ୍ୟବାନ ଆଶ୍ଚୟ ହୋଇ ଚାହିଁଲା ନନ୍ଦିତାକୁ । ନନ୍ଦିତା ନମସ୍କାର କରୁଛି । ପ୍ରତି ନମସ୍କାର କରି ସତ୍ୟବାନ ନିଜ ଡ୍ରେସ ବଦଳିବାକୁ just a minute କହି କବାଟ ଆଉଜେଇ ନେଲା । ନନ୍ଦିତା ଦ୍ୱାର ବାହାରେ ଠିଆ ହୋଇଛି । ସତ୍ୟବାନର ସେଇ ଗୋଟିଏ ମାତ୍ର ରୁମ୍‌ । ସେ ଲୁଙ୍ଗି ବଦଳି ପ୍ୟାଣ୍ଟ ପିନ୍ଧିଲା । ସାର୍ଟ ପିନ୍ଧି ମୁହଁ ଧୋଇବାକୁ ସୋରେଇ ଆଡ଼େ ଚାହିଁଲା । ସୋରେଇଟା ସେଇଦିନୁ ମୁହଁମାଡ଼ି ପଡ଼ିଛି । ତଉଲିଆରେ ବାସି ମୁହଁକୁ ଭଲକରି ପୋଛି ନେଇ ମୁଣ୍ଡ କୁଣ୍ଡାଇ ନେଇ ବାହାରି ଆସିଲା ସେ । ସେ କହିଲା ‘‘କଣ ହେଇଛି ନନ୍ଦିତା ମତେ ଖୋଜୁଥିଲ ?’’ ନନ୍ଦିତା କହିଲା ‘‘କାଲିଠୁ ଅନେକ ଥର ତୁମ ଘରକୁ ନିଜେ ଆସିଛି । ଫେରିଛ । ଏ ଗଳିରୁ ତୁମକୁ ସନ୍ଧାନ କରିବା କୁ କଷ୍ଟ । ଆସ ମୋ ସହିତ ।’’

 

Law Collegeର ସହପାଠିନୀ ନନ୍ଦିତା । ହଠାତ୍‌ ତାକୁ ଆହ୍ୱାନ କରୁଛି କାହିଁକି ? ସେ କହିଲା ‘‘ମୋ ପାଖରେ କଣ କାମ ଅଛି କୁହ ?’’ ସେ କହିଲା ‘‘ହଁ କହିବି, ଆମ ଘରକୁ ଯିବା । ସେଠି କହିବି ।’’ ସତ୍ୟବାନ କହିଲା ‘‘ମୁଁ ପରେ ଗଲେ ଚଳିବ ନାହିଁ । ମୁଁ ଏଇ ଉଠିଛି । ନିତ୍ୟକର୍ମ ସାରିନି । ଟିକିଏ ପରେ ଯାଇ ପହଞ୍ଚିବି । କଣ କିଛି urgent ଅଛି ?’’ ସେ କହିଲା ‘‘ତମ ଗଳି ମୁଣ୍ଡରେ ମୋ ଗାଡ଼ି ରଖି ଆସିଛି । ଗାଡ଼ି ଏଠିକି ଆସି ପାରୁନି । ମୁଁ ସେଠିକି ଯାଇ ଗାଡ଼ିରେ ଅପେକ୍ଷା କରୁଛି । ତୁମେ ଟିକେ ଶୀଘ୍ର ଆସିବ ।’’ ନନ୍ଦିତା ଚାଲିଗଲା ରିକ୍‌ସାରେ । ଏ ଅଯାଚିତ ନିମନ୍ତ୍ରଣ କାହିଁକି ? ଉଦ୍ଦେଶ୍ୟ କଣ ହୋଇପାରେ.....

 

ବରଫ କଳର ଶ୍ରମିକମାନଙ୍କ କଥା ଆଜି ବିଚାର କରିବାକୁ ଥିଲା । କମ୍ରେଡ଼ମାଡ଼ଙ୍କ ସହିତ ଆଜି ଥିଲା ମିଟିଂ । ଅନେକ କାମ ବାକି ପଡ଼ିଛି । ନନ୍ଦିତା ରାୟସିଂହର ଆବିର୍ଭାବ ହେଲା କାହିଁକି ? ଦାନ୍ତଟା ଘସିନେଇ ସେ ଶୀଘ୍ର ଶୀଘ୍ର ନନ୍ଦିତା ଉଦ୍ଦେଶ୍ୟରେ ଚାଲିଲା । ଗତ ରାତ୍ରିରେ ସେ ତା ଖାଇବା ଖାଇ ପାରି ନଥିଲା । ସେଇ ରୁଟି ଓ ଆମ୍‌ଲେଟ୍‌ ଥାକ ଉପରେ ପଡ଼ିଛି । ସକାଳୁ ହୁଏତ ଆଜି ବ୍ରେକଫାଷ୍ଟ କାମ ଦେଇଥାନ୍ତା । ଛାଡ଼ ନନ୍ଦିତା ଗାଡ଼ିର କବାଟ ଖୋଲି ନିମନ୍ତ୍ରଣ ଜଣାଇଲା । ସତ୍ୟବାନ ଗାଡ଼ିରେ ବସିଲା । ନନ୍ଦିତା ପ୍ରଧାନ ରାସ୍ତାରେ ଗାଡ଼ି ଚଳେଇ ନେଉଥିଲା । ଅଦୂରରେ ଯାଉଛି ମାଧୁରୀ । ସମ୍ଭବତଃ ମାର୍କେଟିଂ ସାରି ଘରକୁ ଫେରୁଛି ସେ ।

 

ରାୟ ସାହେବ ପଦ୍ମଚରଣ ରାୟସିଂହଙ୍କର ସୁବିସ୍ତୃତ ଉଆସ । ଚାରିପଟେ ସୁସଜ୍ଜିତ ଉଦ୍ୟାନ । ଚାରିଆଡ଼େ ଐଶ୍ୱର୍ଯ୍ୟର ଲୀଳା । ଐଶ୍ୱର୍ଯ୍ୟ ମଣିଷ ଚକ୍ଷୁରେ ଏକ ଅଞ୍ଜନର ପ୍ରଲେପ । ଏକ ଅଦମ୍ୟ ଶେଷହୀନ ତୃଷ୍ଣା । ଭାଗ୍ୟରେ ଥିଲେ ମଣିଷ ସମ୍ପଦର ଅଧିକାରୀ ହୁଏ ସିନା । ସତ୍ୟବାନ ନିରବରେ ଡ୍ରଇଂ ରୁମରେ ବସିଥିଲା । ନଳିତା ଆସିଲା ହସ ହସ ହୋଇ ଗ୍ଳାସରେ ଶୀତଳ ପାନୀୟ ନିଜେ ଆଣିଥିଲା ସେ । ଆଉ ତା ସହିତ ଦାସୀଟିଏ ଆଣିଥିଲା କିଛି ମିଷ୍ଟାନ ।

 

ନନ୍ଦିତା ସହିତ ତାର ପିତାମ ତାଙ୍କର ପିଲାଦିନର ଛବି କାନ୍ଥରେ ଝୁଲୁଛି । ହୁସହେନ ଘରେ ସେଇ ଚିତ୍ର । ତା ନିଜ ଘରେ ବି ସେମିତି ଛବି ଅଛି । ଏ ଗୋଟାଏ ସାର୍ବଜନୀନ ଇଛା ତାହେଲେ । ସତ୍ୟବାନ ନନ୍ଦିତାର ମାଙ୍କ ଛବିକୁ ନୀରକ୍ଷଣ କରୁଥିଲା । ନନ୍ଦିତା ବୋଧେ ତା ମାଙ୍କ ପରି ହେବ । ରାୟ ସାହେବ ପଦ୍ମଚରଣ ଜୟସିଂହଙ୍କର ଦୃପ୍ତ ଚେହେରା । ବେଶ୍‌ ମାନୁଥିଲା । ସୁଖୀ ପରିବାରର ଚିତ୍ର ଫୁଟି ଉଠୁଥିଲା । ନନ୍ଦିତା କହିଲା ‘‘ଟିକିଏ ମିଠା ଖାଅନାଁ ସତ୍ୟବାନ । କଣ ଦେଖୁଛ ।’’ ସତ୍ୟବାନ କହିଲା ‘ଦେଖୁଥିଲି ତମା ମା’ଙ୍କ ଛବିକୁ । ଝିଅଟି ମାପରି ବୋଲି ମନେ ହେଉଛି । ନନ୍ଦିତା କହିଲା ‘‘ହଁ, ସମସ୍ତେ ସେମିତି କହନ୍ତି । କିନ୍ତୁ ମୁଁ ତା ପରି ଆଦୌ ନୁହଁ । ସେ ଭାରି ଧାର୍ମିକା ଥିଲା । ମୁଁ ଆଦୌ ସେ ସବୁର ଧାର ଧାରେନି । ସେ ଥିଲେ ହୁଏତ କଣ ହୋଇଥାନ୍ତା । ମୋ ଡାଡ଼ି ତ ସେସବୁ ପନ୍ଦସ ବି କରନ୍ତି ନାହିଁ । ଆରେ ତମେ ଖାଅନା ?’’

 

ନନ୍ଦିତାର ସୁଲଭ ବ୍ୟବହାର । ନାରୀ ସୁଲଭ ଅନୁନୟ ତାକୁ ମୁଗ୍‌ଧ କରିଥିଲା । ସତ୍ୟବାନ କିନ୍ତୁ ନୀରବ । କଣ ଆଉ ତାର କହିବାକୁ ଅଛି । ନନ୍ଦିତା ଶୀଘ୍ର ତାର କଥା କହୁନି କାହିଁକି ? ମନେ ମନେ ସେ ବିରକ୍ତ ହୋଇ ପଡ଼ିଲା । ରାୟ ସାହେବ ଡ୍ରଇଁ ରୁମ ଭିତରକୁ ପଶି ଆସିଲେ । ସାହେବୀ ଢଙ୍ଗରେ କରମର୍ଦ୍ଦନ କଲେ । ତାଙ୍କର ବେଶ ପୋଷକ ସବୁଥିରେ ସାହେବୀ କାଇଦ । ମୁହଁରେ ପାଇପ୍‌ଟିଏ ଲାଗି ରହିଥିଲା । ସେ କହିଲେ ତମ କଥା ନନ୍ଦିତାଠୁ ଶୁଣିଲି । ହେମନ୍ତ ମୋ ସାଙ୍ଗ । ଆମେ ଦୁହେଁ ଏକାଠି ପାଠ ପଢ଼ୁଥିଲୁ । ସେ ଜଣେ ମେଧାବୀ ଛାତ୍ର ଥିଲା । ତମେ ତ ବାପଗୁଣ ଆଣିବା କଥା । ନନ୍ଦିତା କହେ ତମେ ମେଧାବୀ ଛାତ୍ର । ତମର ଅନେକ ପ୍ରଶଂସା କରୁଥିଲା ସେ । ସେ ମୋର ଏକମାତ୍ର କନ୍ୟା । ମା ଛେଉଣ୍ଡା ଝିଅଟା ପରୀକ୍ଷା ଦେବାକୁ ବସିଛି । ଆଶାକରେ ତାକୁ ସାହାଯ୍ୟ କରିବ । ହେମନ୍ତ ମୋର ଅନ୍ତରଙ୍ଗ ବନ୍ଧୁ ଥିଲା । ବର୍ତ୍ତମାନ ମେତିକି ଅଛି ସେ ।’’

 

ସତ୍ୟବାନ କେବଳ ଶୁଣି ଯାଉଥିଲା ବାପାଙ୍କ ସାଙ୍ଗ, ପୁଣି ଅନ୍ତରଙ୍ଗ । ସର୍ବନାଶ । ସେ କହିଲା ‘‘ସେ ରିଟାୟାର କଲେଣି । ବର୍ତ୍ତମାନ ଗାଁ ରେ ଅଛନ୍ତି’’ ।

 

ପିତା ଓ କନ୍ୟାଙ୍କର ଆଦର ଯତ୍ନର ଅଭାବ ନାହିଁ । ମଧ୍ୟାହ୍ନ ଭୋଜନଟା ଅଗତ୍ୟା ସେଇଠି ଶେଷ ହେଲା । ନନ୍ଦିତାର ରୁଚି ଅତି ସୁନ୍ଦର । ନନ୍ଦିତା କହିଲା ‘‘ଆଜି ଏଠି ରହିବ ତୁମେ । ଚାରିଟା ବେଳେ ଟିକେ ବୁଲି ଆସିବା ସନ୍ଧ୍ୟା ପରେ ପଢ଼ା ପଢ଼ି ।’’ ସତ୍ୟବାନ ପ୍ରମାଣ ଗଣିଲା ସେ ମୁକ୍ତି ଚାହେ । ସେ ମୁକ୍ତି ଚାହେ । ସେ ମୁକ୍ତ ପୁରୁଷ । ସେ କହିଲା ‘‘ମୋର ଅନେକ କାମ । ଆଜି ମୋର କମ୍ରେଡ଼ମାନଙ୍କର ମିଟିଂ । ମୁଁ ଆଜି ରହି ପାରିବିନି । ପରେ ଆସିବି ।’’ ନନ୍ଦିତାଠୁ ବିଦାୟ ନେଇ ସେ ଚାଲି ଆସିଲା ।

 

ସବୁ ଖାଲି ବ୍ୟତିକ୍ରମ । ସବୁଠି ବନ୍ଧନ । କୁଆଡ଼େ ଯିବ ସେ । କେଉଁ ବାଟଟା ଠିକ । କେଉଁଆଡ଼େ ଯାଏ ପଥହରା ଗାଭୀଟିଏ । ଦଇବର ଦଉଡ଼ି ତାକୁ କେଉଁଆଡ଼େ ଟାଣେ । କିନ୍ତୁ ସେ ଦଇବ ଫଇବରେ ସତ୍ୟବାନ କେବେ ମୁଣ୍ଡ ପୂରେଇ ନାହିଁ । ମଣିଷର ନ୍ୟାଯ୍ୟ ଦାବି ମଣିଷ ନିଜେ ଜାହିର କରିବା ବିଧେୟ ।

 

ସତ୍ୟବାନର ଅନୁପସ୍ଥିତିରେ ମିଟିଂ ସରିଯାଇଥିଲା । ମାଧୁରୀ ବ୍ୟସ୍ତ ହୋଇ ତାକୁ ଅପେକ୍ଷା କରି ବସିଛି । ସତ୍ୟବାନକୁ ଦେଖି ସେ କହିଲା ‘କକ୍ଷ ହେଲା ତମର । ଆଜି କାହିଁକି ମିଟିଂକୁ ଆସିଲ ନାହିଁ । ସମସ୍ତେ ତମକୁ ଅପେକ୍ଷା କରି କରି ବ୍ୟସ୍ତ ହୋଇ ପଡ଼ିଲେ ।’’ ସତ୍ୟବାନ କହିଲା ମୁଁ ଆଉ ମିଟିଂ ଆଟେଣ୍ଡ କରିବି ନାହିଁ ବୋଲି ଠିକ୍‌ କରିଛି ମାଧୁରୀ, ସେ ସବୁ ପରେ କହିବ-। ବର୍ତ୍ତମାନ କୁହ । ବରଫ କଳ ଶ୍ରମିକଙ୍କ କଥା କିଛି ସ୍ଥିର ହୋଇଛି ତ ?’’

 

ମାଧୁରୀ ସହିତ ଅନେକ ଆଲୋଚନା କରି ସତ୍ୟବାନ ବୁଝିଥିଲା କମ୍ରେଡ଼ମାନଙ୍କର ଉଦ୍ଦେଶ୍ୟ । ସେ ଅସ୍ଥିର ହୋଇ ପଡ଼ୁଥିଲା । ମାଧୁରୀ କହିଲା ‘‘ତୁମର ହଠାତ୍‌ ଅନେକ ପରିବର୍ତ୍ତନ ଦେଖୁଛି । କଣ ହୋଇଛି । ଚାଲ ଆମ ଘର ଆଡ଼େ । ଡାଡ଼ିଙ୍କ ସହିତ ଗପ ସପ କରିବା । ଭଲ ଲାଗିବ । ସେ ତୁମ ସହିତ ଅନେକ ଆଲେଚନା କରି କହିଲେ ‘‘ବଡ଼ ଉଦୀୟମାନ ଯୁବକ ସେ ।’’

 

ଜୀବନ ସାରା ତୃତୀୟ ଶ୍ରେଣୀରେ ପାଶ୍‌ କରିଥିବା ସତ୍ୟବାନ ବାପମାଙ୍କ ଚକ୍ଷୁରେ, ସାଇ ପଡ଼ିଶାଙ୍କ ଚକ୍ଷୁରେ ଅପଦାର୍ଥଟାଏ ଆଜି ହଠାତ୍‌ ଏତେ ମୂଲ୍ୟବାନ ହୋଇ ଯାଇଛି । ସେ ଗୋଟାଏ ମେଧାବୀ ଛାତ୍ର ବୋଲି ମଧ୍ୟ ଚହଳ ପଡ଼ିଲାଣି । ଏକ ଉଦୀୟମାନ ଯୁବକ ବୋଲି ମଧ୍ୟ ବିଶିଷ୍ଟ ଲୋକଙ୍କ ମତ ପ୍ରକାଶ ପାଇଲାଣି । ସତ୍ୟବାନର ଏ ସବୁ ଥିଲା ବିଶ୍ୱାସର ବାହାରେ । ମାଧୁରୀ ସାଇକେଲ ଚଲଉଥିଲା ଆଉ ସତ୍ୟବାନ ସେଦିନ ନିଷ୍କ୍ରୟ ହୋଇ ବସିଥିଲା ସାଇକେଲରେ ।

 

ସେଦିନ ମାଧୁରୀ-ଘରେ ସଂଧ୍ୟାଟି ଉପଭୋଗ୍ୟ ହେଲା । ନଗର ଶେଷ ଆଡ଼କୁ ନନ୍ଦବାବୁଙ୍କର ଏଇ ଛୋଟ ଘରଟି । ବେଶ୍‌ ନିରୋଳା । ସାମନାରେ ନନ୍ଦବାବୁଙ୍କ ପ୍ରସ୍ତୁତ ଛୋଟ ପୁଷ୍ପୋଦ୍ୟାନ । ତାରି ଭିତରେ ଦୁଇଖଣ୍ଡ ଚଉକି ପକାଇ ସେମାନେ ବସିଥିଲେ । ମାଧୁରୀ ତାର ନିଜପାଇଁ ଟୁଲଟିଏ ଆଣି ପକାଇଦେଇ ଯାଇଛି । ମାଧୁରୀ ସବୁବେଳେ ଆଲୋଚନାରେ ଅଂଶ ଗ୍ରହର କରେ । ନନ୍ଦବାବୁ କହିଲେ ‘‘ମୁଁ ତୁମକୁ ଆଜି ଗୋଟିଏ ପ୍ରଶ୍ନ କରିବି ସତ୍ୟବାନ । କହିଲ, ମୋ ବିଷୟରେ ତମର ଧାରଣା କଣ ?’’ ସେ କହିଲା ‘‘ଆପଣ ଜଣେ ପବିତ୍ର ସ୍ତ୍ରୋତ୍ରୀୟ ବ୍ରାହ୍ମଣ । ଅନ୍ତତଃ ଏତିକି ମୁଁ କହିବା’’ ନନ୍ଦବାବୁ ହସିହସି କହିଲେ ‘‘ତମ ଧାରଣା ଠିକ୍‌ ନୁହେଁ ସତ୍ୟବାନ । ମୁଁ ଜାଣିଥିଲି ତମେ ଠିକ୍‌ ଏତିକି କିଛି କହିବ ।’’ ସତ୍ୟବାନ କହିଲା ‘‘ଆପଣ କଣ ସେ ପବିତ୍ର ଯଜ୍ଞୋପବୀତକୁ ଅସ୍ୱୀକାର କରିବେ ମଉସା ?’’ ସେ କହିଲେ ‘‘ନା, ମୁଁ ତ ଅସ୍ୱୀକାର କରୁନାହିଁ । ମୁଁ ଉପବୀତ ଧାରଣ କରୁଛି ବୋଲି ତମେ ମତେ ବ୍ରାହ୍ମଣ କହି ନପାର । ଏ ଉପବୀତ ମୋର ନିଜ ସୃଷ୍ଟି’’-ସେ ଆଶ୍ଚର୍ଯ୍ୟ ହୋଇ କହିଲା ‘‘ମାନେ, ମୁଁ ଠିକ୍‌ ବୁଝି ପାରୁନାହିଁ ।’’ ସେ କହିଲେ ‘‘ତା ଅର୍ଥ ଖୁବ୍‌ ସରଳ । ମୁଁ ପଇତାଟା ନିଜେ ଅର୍ଜ୍ଜନ କରିଛି । ତମେ ଆସ ମୋ ସହିତ ମୁଁ ତମକୁ ଏହାର ରହସ୍ୟ ବତାଇବି ।’’

 

ନନ୍ଦବାବୁଙ୍କ ସହିତ ସତ୍ୟବାନ ଏକ ପୁସ୍ତକ ଭଣ୍ଡାର ଭିତରକୁ ଗଲା । ଏକ ସୁଦୀର୍ଘ ବଖରାରେ ହାତଲେଖା ପୋଥିଟାରୁ ଆରମ୍ଭ କରି ଛପା ବହି ପର୍ଯ୍ୟନ୍ତ ଅନେକ ପ୍ରକାର ପୁସ୍ତକର ସ୍ତୁପ । ଭାରତୀୟ ଦର୍ଶନଠାରୁ ଆରମ୍ଭକରି ପାଶ୍ଚାତ୍ୟ ଦର୍ଶନର ପୁସ୍ତକ ସାଇତା ହୋଇଛି । ନନ୍ଦବାବୁ କହିଲେ ‘‘ସତ୍ୟବାନ ପୁସ୍ତକ ଦେଖି ଆଶ୍ଚର୍ଯ୍ୟ ହୁଅନାହିଁ । ମଣିଷ ପାଇଁ ଜ୍ଞାନର ଭଣ୍ଡାର ସର୍ବଦା ଉନ୍ମୁକ୍ତ । ମଣିଷର ସବୁଠୁ ବଡ଼ ଶକ୍ତି ହେଉଛି ତାର ଜ୍ଞାନ । Know edge is power ମହାତ୍ମା ଶଙ୍କର, ପତଞ୍ଜଳି, ମାର୍କଣ୍ଡେୟ, କପିଳ, ମନୁ କାହାର ଜ୍ଞାନ ଭଣ୍ଡାର ଆଲୋଚନା କରିବ କହ ?’’ ସେ କହିଲା ‘‘ଆପଣ ବ୍ରାହ୍ମଣ ହୋଇଥିବାରୁ ସିନା ସଂସ୍କୃତ ପଢ଼ି ପାରୁଛନ୍ତି । ବେଦ ବେଦାନ୍ତ ଅଧ୍ୟୟନ କରି ପାରୁଛନ୍ତି ? କିନ୍ତୁ ସାଧାଣଣ ଲୋକେ ଏଥିରୁ ବଞ୍ଚିତ । ବ୍ରାହ୍ମଣଙ୍କ ବ୍ୟତୀତ ବେଦରେ କାହାର ଅଧିକାର ନାହିଁ ।’’

 

ସେ କହିଲେ ‘‘ଗୋଟାଏ ଭ୍ରାନ୍ତ ଧାରଣା ଏ ସତ୍ୟବାନ । ନିଜକୁ ସ୍ୱତନ୍ତ୍ର କରିବାକୁ ଏସବୁ ଗୋଟାଏ ଉଦ୍ଭାବନ । ବେଦ Eden gardenର ନିଷିଦ୍ଧ ଫଳ ନୁହେଁ । ସେମାନେ କହନ୍ତି ‘‘ବ୍ରହ୍ମ ଜାନାତି ବ୍ରାହ୍ମଣଃ’’ । କୁହ ତୁମେ କଣ ବ୍ରହ୍ମକୁ ଜାଣ ନାହିଁ ? ମୁଁ କଣ ବ୍ରହ୍ମକୁ ଜାଣେ ନାହିଁ ସତ୍ୟବାନ-। ସବୁରି ଦେହରେ ଯଦି ସେ ବିଦ୍ୟମାନ ଅଛନ୍ତି ଆମେ କାହିଁକି ନ ଜାଣିବା । ନ ଜାଣିଥିଲେ ଜାଣିବାକୁ ଚେଷ୍ଟା କରିବା । ବ୍ରହ୍ମକୁ ଜାଣିଲେ କଣ ବ୍ରାହ୍ମଣ ହୋଇଯିବାନାହିଁ । ଏଥିରେ ଜନ୍ମଗତ ଅଧିକାର ଆସିଲା କେଉଁଠୁ ? ଈଶ୍ୱରଙ୍କ ବିଷୟରେ ଜ୍ଞାନ ଲାଭ କରିବାର ଅଧିକାର ସମସ୍ତଙ୍କର ଅଛି । ତମେ ଜାଣନା ସତ୍ୟବାନ ଏଇ ତଥାକଥିତ ବ୍ରାହ୍ମଣମାନେ ବେଦରେ ମଧ୍ୟ କେତେକ କଥା ପ୍ରକ୍ଷିପ୍ତ କରିଛନ୍ତି ଯାହାକୁ ବିଶ୍ୱାସ କରି ଆମେ କେତେକ ଭ୍ରାନ୍ତ ଧାରଣା କରିନେଇଛୁ ।’’

 

ସତ୍ୟବାନ କହିଲା ‘‘ନିଜକୁ ବଞ୍ଚାଇବାକୁ ସମସ୍ତେ କିଛି କିଛି ସୁବିଧାଜନକ ବ୍ୟବସ୍ଥା କରିଥାନ୍ତି । ଏ ହୁଏତ ତାହାହିଁ ହୋଇପାରେ । କିନ୍ତୁ ସେଗୁଡ଼ା ବିଶ୍ୱାସ ନ କଲେ କ୍ଷତି କଣ ହୁଅନ୍ତା-?’’ ସେ କହିଥିଲା ‘‘ଅନ୍ୟସବୁ ଆଲୋଚନାକୁ ଆମେ ତାହେଲେ ବିଶ୍ୱାସ କରିବା କାହିଁକି ? କଥା ହେଉଛି ଏଇ ସେମାନଙ୍କ ଚାତୁର୍ଯ୍ୟର ଉଦ୍‌ଘାଟନ । ବେଦରେ ଚାରିବର୍ଣ୍ଣଙ୍କ କଥା ଲେଖାଯାଇଛି ।

 

ଏହାଛଡ଼ା ଗୀତାରେ ମଧ୍ୟ ଏଇ ବ୍ରାହ୍ମଣବର୍ଗଙ୍କ ଉତ୍ପତ୍ତି ସମ୍ବନ୍ଧରେ ଲେଖା ଅଛି । ଏଇ ବ୍ରାହ୍ମଣମାନେ ଈଶ୍ୱରଙ୍କ ହୃଦୟରୁ ସୃଷ୍ଟି । ସେମାନେ ବର୍ଣ୍ଣ ଶ୍ରେଷ୍ଠ । ଗୀତାରେ

 

ଚାତୁର୍ବଣ୍ୟଂ ମୟା ସୃଷ୍ଟଂ, ଗୁଣକର୍ମ-ବିଭାଗଶଃ

ତସ୍ୟ କର୍ତ୍ତାରମପି ମାଂ, ବିଦ୍ଧ୍ୟକର୍ତ୍ତାରମବ୍ୟୟଂ–

 

ଗୁଣ ଓ କର୍ମର ବିଭାଗ ଅନୁସାରେ ଏହି ଚାରି ବର୍ଣ୍ଣଙ୍କର ସୃଷ୍ଟି-ମୁଁ ଏହାର ଅନେକ ଆଲୋଚନା କରିଛି । ବୁଝିପାରୁଛି ବୃତ୍ତି ଦ୍ୱାରା ହିଁ ଗୋଷ୍ଠୀ ନିର୍ଣ୍ଣୟ ହୁଏ । ଜନ୍ମଦ୍ୱାରା ନୁହେ ।’’ ସତ୍ୟବାନ ଯଦିଓ ଗୁଡ଼ାଏ ଧର୍ମର ଆଲୋଚନା ଭଲ ପାଏ ନାହିଁ ତଥାପି ଏ ପ୍ରକାର ଆଲୋଚନା ତାକୁ ଆନନ୍ଦ ଦେଉଥିଲା । ମନେ ହେଉଥିଲା ସେ ଯେମିତି ଅନେକ କିଛି ଆବିଷ୍କାର କରି ଚାଲିଛି । ସେ କହିଲା ‘‘ଆମେ ସମସ୍ତେ ସମାନ ମଣିଷ । ଜୀବନ ପଦ୍ଧତିରୁ କେହି ବ୍ରାହ୍ମଣ ବା କ୍ଷତ୍ରିୟ ହୋଇଛୁ । ମୁଁ ଭାବୁଛି ଗୋଟିଏ ସୁଦୀର୍ଘ ଅଭ୍ୟାସ ଓ ସନ୍ତାନ ସନ୍ତତିଙ୍କ ଉପରେ ତାର ନିରବଚ୍ଛିନ୍ନ ପ୍ରଭାବ ବଳରେ ଗୋଟାଏ ପୂଜକ ଜାତିର ସୃଷ୍ଟି । ପ୍ରତ୍ୟେକଟି ଜାତିର ସୃଷ୍ଟି ତତ୍ତ୍ୱ ସମ୍ଭବତଃ ଏଇପରି ।’’ ସେ କହିଲେ ‘‘ଠିକ୍‌ କହିଛ, ମୁଁ ପୁରାପୁରି ଏକମତ । ମୁଁ ତମକୁ ଖଣ୍ଡେ ଡାଏରୀ ଦେଉଛି । ଅଧ୍ୟୟନ କଲେ ରହସ୍ୟଟା ଜାଣି ପାରିବ ।’’ ସେ ଥାକରୁ ଗୋଟିଏ କଳା ରଙ୍ଗର ମୋଟା ଡାଏରୀ ଉଠାଇ ଆଣି ତା ହାତରେ ଅର୍ପଣ କଲେ । ସତ୍ୟବାନ କହିଲା ‘‘ଆପଣ ସଂସ୍କୃତ ପଢ଼ିଛନ୍ତି-। ବେଦ ବେଦାନ୍ତ ପଢ଼ିଛନ୍ତି ବୋଲି ଏତେ ଆଲୋଚନା କରି ପାରୁଛନ୍ତି । ମୋର ଏ ବିଷୟରେ ଜ୍ଞାନ ନାହିଁ । କିନ୍ତୁ ସଂସ୍କୃତ ପଢ଼ିବାରେ ମୋର ଖୁବ୍‌ ଆଗ୍ରହ । ପିଲାଦିନେ ମୋର ସଂସ୍କୃତ ଆଦୌ ହେଲାନାହିଁ । ମୁଁ ଭାରି ଭୟ କରୁଥିଲି ସଂସ୍କୃତ ମାଷ୍ଟ୍ରଙ୍କୁ ।’’ ସେ କହିଲେ ‘‘ବିଦ୍ୟାରେ ଆଗ୍ରହ ଥିଲେ ନିଶ୍ଚୟ ହେବ । ମୁଁ ତମକୁ ପଢ଼ାଇ ଦେବି । ଅତି ସହଜରେ ତୁମେ ଶିକ୍ଷା କରିପାରିବ ସତ୍ୟବାନ । ଜ୍ଞାନ ମଣିଷର ଏକମାତ୍ର ବନ୍ଧୁ । ତମକୁ ଉନ୍ନତ କରିବାରେ ଏକମାତ୍ର ସହାୟକ ତୁମର ଜ୍ଞାନ ।’’

 

ଏତେ ସମୟ ଖାଦ୍ୟ ପ୍ରସ୍ତୁତରେ ବ୍ୟସ୍ତଥିଲା ମାଧୁରୀ । ଆମକୁ ଖୋଜି ଖୋଜି ସେଠି ପହଞ୍ଚିଲା । ସେ କହିଲା ‘‘ତମେ ସମସ୍ତଙ୍କ ସହିତ ଆଲୋଚନା କରିପାର ଦେଖୁଛି । ଏଠିଟାରେ ଏମିତି ଠିଆହୋଇ କାହିଁକି ଗପ କରୁଛନ୍ତି ?’’ ସେ ଦୁଇଟି ଆସନ ଯୋଗାଇ ଦେଲା । କିନ୍ତୁ ନନ୍ଦବାବୁ କହିଲେ ‘‘ତୁମେ ଟିକେ ଗପ କରୁଥାଅ । ମୁଁ ଆସୁଛି ।’’ ସଂଧ୍ୟାର ତର୍ପଣ ପାଇଁ ହୁଏତ ସେ ଚାଲିଗଲେ । ମାଧୁରୀ କହିଲା ‘‘ଦେଖୁଛି ତମେ ଆଉ କିଛି କାମ କରୁନ । ଆଉ ପାର୍ଟି ଅଫିସକୁ ବି ନିୟମିତ ଆସୁନ । କମ୍ରେଡ଼ମାନେ ବିରକ୍ତ ହେଉଛନ୍ତି । କୌଣସି ପ୍ରୟୋଗମୂଳକ କାମ ବି ହୋଇ ପାରୁନି ।’’

 

ସତ୍ୟବାନ କହିଲା ‘‘ତୁମକୁ ହୁଏତ କହିଥିବି ମାଧୁରୀ । ମୁଁ ମୋ ମତ ବଦଳାଇ ସାରିଛି-। ମୁଁ ସେ ପାର୍ଟି ଅଫିସକୁ ଆଉ ଯିବିନାହିଁ । କମ୍ରେଡ଼ମାନଙ୍କ ସହିତ ମୋ ମତ ବି ମିଶୁନାହିଁ-।’’ ମାଧୁରୀ କହିଲା ‘‘ଠିକ୍‌ ଅଛି । ତାଙ୍କ ମତ ଆମ ସହିତ ନ ମିଶୁ । ତୁମେ ତୁମ ମତରେ କାମ କରୁନ-। ତୁମର ଲୋକ କଲ୍ୟାଣ ବୋଲି ଯେଉଁ ଇଜମ୍‌ ତାକୁ ବି କଣ ବଦଳାଇ ଦେଇଛ ?’’ ସତ୍ୟବାନ କହିଲା ‘‘ତୁମେ ହୁଏତ ବୁଝି ପାରିବ ମାଧୁରୀ । ଆମେ ଶଇତାନ ଦଳ । ଏଇ କେତେଦିନ ହେଲା କେବଳ କଣ୍ଟ୍ରାକ୍ଟର, ମିଲମାଲିକଙ୍କ ବିରୁଦ୍ଧରେ ଲାଗିରହିଛୁ । ମିଳୁଛି ମୋଟା ଦରିଆ ଟଙ୍କା । ବେଶ୍‌ ମଉଜ ହେଉଛି । ଏ ଗୋଟାଏ ଦଲାଲି ନୁହେଁ ତ ଆଉ କଣ ? ମୁଁ କହିବି ଏଇଟା ନିହାତି ଦଲାଲି । ଏଥିରେ କାହାର ବା ଉପକାର ହେଉଛି ? ଗରିବ ମୂଲିଆମାନେ ଯାହାଥିଲେ ସେଇଆ ଅଛନ୍ତି ଓ ରହିବେ । ମାଲିକମାନେ ଏଣେ ଉତ୍‌କୋଚ ଦେଇ ଆହୁରି ଫାଇଦା ଉଠାଇବାକୁ ସୁବିଧା ପାଇବେ-। ଆଉ ଆମେ ଭଣ୍ଡତାର ଚରମ ସୀମାରେ ପହଞ୍ଚିବୁ । ଧପ୍‌ପାବାନ ମଦ୍ୟପ ଦଳ । ଏଇ ଇଜ୍‌ମ୍‌ଟାର ଅସଲ ଅର୍ଥ ଓ କର୍ମପନ୍ଥା ଏମାନଙ୍କୁ ଜଣାନାହିଁ । ଏଇ ଓଡ଼ିଶା କୁହ, ଭାରତ କୁହ, ମୋଗଲ, ମରହଟ୍ଟା ଫରାସୀ ଓ ଇଂରେଜ ଏ ଦେଶକୁ ଲୁଣ୍ଠନ ମାତ୍ର କରୁଥିଲେ-। ଦେଶବାସୀ ନିର୍ଯ୍ୟାତିତ ହୋଇ ଯୁଗ ଯୁଗର ଶୋଷର ପରେ ଧୈର୍ଯ୍ୟ ଓ ସାହସକୁ ଭୁଲିଗଲେ । ମାଡ଼ି ଆସିଲା ସାମାଜିକ ଅଧୋଗତି । ଦେଶରେ ଧନିକ ଶ୍ରେଣୀ କହିଲେ ହାତ ଗଣତା ରାଜା ଜମିଦାରଙ୍କୁ ଛାଡ଼ିଦେଲେ ଆଉ କେହି ନଥିଲେ । ବର୍ତ୍ତମାନ ଏବେ କିଛି ସୃଷ୍ଟି ହୁଅନ୍ତୁ । ନାହିଁ ମାମୁଁ ଠାରୁ କଣାମାମୁଁ ଭଲ ।’’ ଆଲୋଚନା ମଝିରେ ନନ୍ଦବାବୁ ଆସି ଆସନ ଗ୍ରହଣ କରି ସାରିଥିଲେ । ସେ କହିଲେ ‘‘ଚିନ୍ତାଧାରା ମନ୍ଦ ନୁହେଁ ସତ୍ୟବାନ । ତେବେ ବର୍ତ୍ତମାନର ଅଧୋଗତିକୁ ତ ପୁଣି ନୂତନ ଉପାୟରେ ପ୍ରତିରୋଧ କରିବା ଉଚିତ୍‌ । ଅଳ୍ପ ଲୋକଙ୍କ ସ୍ୱାର୍ଥ ଦେଖିବାକୁ ଯାଇ ସମୂହ ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ହେବନାହିଁ ।’’

 

ସେ କହିଲା ‘‘ମୁଁ କାହାରି ସ୍ୱାର୍ଥକଥା କହୁନାହିଁ ମଉସା । ସମସ୍ତଙ୍କ ଭୋକିଲା ପେଟକୁ କଦାପି-ଭରି ହେବନାହିଁ । ସ୍ୱାଧୀନତାର ପାଞ୍ଚଶ ବର୍ଷ ପରେ ମଧ୍ୟ ଏ ଦେଶର ଏକ ଚତୁର୍ଥାଂଶ ଲୋକେ ନିରନ୍ନ ରହିବେ । ଏ ମୋର ଦୃଢ଼ ମତ ।’’ ସେ କହିଲେ, ‘‘ବେଶ, ସେଇମାନଙ୍କପାଇଁ କିଛି ଉପାୟ କରାଯାଇ ପାରେ ।’’ ସତ୍ୟବାନ କହିଲା ‘‘ଆମେ ବର୍ତ୍ତମାନ ଯେଉଁ ପଦ୍ଧତି ଧରିଛୁ ସେ କେବଳ ନିଜର ସ୍ୱାର୍ଥ ସିଦ୍ଧି କରୁଛି । ସେ ପଦ୍ଧତିକୁ ମୁଁ ପରିତ୍ୟାଗ କରିଛି ମଉସା । ବରଂ ଦେଶରେ କିଛି ଧନୀ ବ୍ୟକ୍ତି ଆଗ ସୃଷ୍ଟି ହୋଇ ଯାଆନ୍ତୁ, ତା ପରେ....

 

ନନ୍ଦବାବୁ କହିଲେ–‘‘ତରୁଣ କାବ୍ୟକାର ତୁମେ । ମଣିଷର ମନସ୍ତତ୍ତ୍ୱକୁ ଅବାସ୍ତବତା ଭିତରେ ଗୌଣ ବୋଲି ମନେ କରିଛ ? ଶୁଣ ସତ୍ୟବାନ ତୁମର ପ୍ରସ୍ତାବିତ ଧନିକ ଶ୍ରେଣୀଙ୍କ କଥା କେବେ ଦୂରଦୃଷ୍ଟିରେ ବିଚାର କରିଛ ? ଚିନ୍ତା କରିଛ ତାଙ୍କର ମନସ୍ତତ୍ତ୍ୱକୁ । ଇତିହାସର ନିଷ୍ଠୁର ସତ୍ୟ କହି ଧନୀ ଚିରଦିନ ପୁରୁଷାନୁକ୍ରମିକ ଭାବେ ଧନୀ ରହିବାକୁ ଚାହେଁ । ଶାସକ ଚାହେଁ ପୁରୁଷ ପୁରୁଷ ଧରି ତାରି ବଂଶର ଶାସନ ତଳେ ସମସ୍ତଙ୍କୁ ରଖିବାକୁ । ଏହାହିଁ ଧ୍ରୁବ ସତ୍ୟ ମଣିଷର କାମନାର ନଗ୍ନରୂପ ଏହିପରି । ହୁଏତ ତୁମର ନିର୍ଦ୍ଧାରିତ କେତେ ବର୍ଷ ପରେ ମୁଁ ନଥିବି । କିନ୍ତୁ ତୁମେ ଦେଖିବ ଏ ଚିରନ୍ତନ ସତ୍ୟର ନିଶ୍ଚୟ ପୁନରାବୃତ୍ତି ହେବ । ତେଣୁ ତୁମେ ତୁମର ମତ ବଦଳାଅ ସତ୍ୟବାନ ।’’

 

ସେ କହିଲା ‘‘ଆପଣ ଯାହା କହୁଛନ୍ତି ତାହା ଅବଶ୍ୟ ସତ; କିନ୍ତୁ ମନେ ରଖନ୍ତୁ ଏ ନିର୍ଦ୍ଧନ ଦେଶ । ଏଥିରେ ପୁଣି ସେଇ ଦେଶବାସୀଙ୍କ ବିରୁଦ୍ଧରେ ଆନ୍ଦୋଳନ, ଏଇ ଷ୍ଟ୍ରାଇକ୍‌, ତାଲାବନ୍ଦ, ମଜୁରୀ ବଢ଼ା, ମଧ୍ୟସ୍ଥି ପ୍ରଥା ଇତ୍ୟାଦି ଇତ୍ୟାଦି ନିଶ୍ଚିତ ରୂପେ ଭୁଲ୍‌ ରାସ୍ତା, ମାନେ ବିଳମ୍ବିତ ଉପାୟ-। ମୁଁ ଏହାକୁ ସମର୍ଥନ କରି ପାରୁନାହିଁ । କୌଣସି ନିମ୍ନ ଶ୍ରେଣୀକୁ ଉପକୃତ କରିବାର ଉପାୟ ଏ ନୁହେଁ ।

 

ନନ୍ଦବାବୁ କହିଲେ ‘‘ତା ହେଲେ ତୁମେ ନୂତନ ଉପାୟ ଉଦ୍ଭାବନ କର । ତୁମପରି ଚିନ୍ତାଶୀଳ ଯୁବକଙ୍କୁ ନେଇ ବରଂ ସମାଜର ଭିତ୍ତି ଦୃଢ଼ ହୋଇ ଉଠିବ । ପ୍ରତ୍ୟେକ ଯୁବକଙ୍କଠାରୁ ଏ ଦେଶ ଅନେକ କିଛି କାମନା କରୁଛି ।’’ ଉତ୍ସାହିତ ହୋଇ ସତ୍ୟବାନ କହି ପକାଇଲା ‘‘ମୁଁ ଚାହେଁ, ପ୍ରତ୍ୟେକ ଲୋକ କୌଣସି ନା କୌଣସି ଉପାୟରେ ଧନୀ ହେବାକୁ ଚେଷ୍ଟା କରିବା ଉଚିତ୍‌ ।’’ ନନ୍ଦବାବୁ କହିଲେ ‘‘ସତ୍ୟବାନ, ଏ ତୁମର ଗୋଟାଏ ଖିଆଲୀ ମନର ଖେଳ ପରି ମନେ ହେଉଛି । ଯେଉଁଠି ଅର୍ଥ ସୀମିତ, ସେଠି ସମସ୍ତ ଧନୀ ହୁଅନ୍ତୁ ବୋଲି ଚିନ୍ତା କରିବା ନିରର୍ଥକ ।’’ ସତ୍ୟବାନ ଚିତ୍କାର କରି କହିଲା ‘‘ମଣିଷ ପକ୍ଷରେ ସବୁ ସମ୍ଭବ ମଉସା । ଅର୍ଥ ଯଦି ଧେୟ ହୁଏ ଓ ଲକ୍ଷ୍ୟ ଯଦି ସ୍ଥିର ହୁଏ ସେ ସବୁ ସୀମା ଅତିକ୍ରମ କରିଯିବ । ସବୁ ଅସମ୍ଭବକୁ ସମ୍ଭବ କରି ପାରିବ । ମୋର ଏ ଯୋଜନା କେବେ ବିଫଳ ହୋଇ ନ ପାରେ । କିନ୍ତୁ ସହକର୍ମୀ ଲୋଡ଼ା ମଉସା–ଏ କିଛି ଜଣକର କାମ ନୁହେଁ । ଏ ଦେଶର ସ୍ୱାର୍ଥାନ୍ଧ ଯୁବଗୋଷ୍ଠୀ ମୋ ଚିନ୍ତାଧାରାକୁ ଗ୍ରହଣ କରିବେ ନାହିଁ । ମୁଁ ଜାଣ-। ମୋ ଚିନ୍ତାକୁ ନେଇ ମୁଁ ନିଃସହାୟ ହୋଇ ପଡ଼େ......’’

 

ନନ୍ଦବାବୁ ଉତ୍ସାହିତ ହୋଇ ପଡ଼ିଲେ । ସେ କହିଲେ ‘‘ତମକୁ ସବୁ ପ୍ରକାରେ ସାହାଯ୍ୟ କରିବାକୁ ମୁଁ ସବୁଦିନ ପାଇଁ ମାଧୁରୀକୁ ତୁମକୁ ଦାନ କରୁଛି ସତ୍ୟବାନ । ତମ ପରି ଗୋଟାଏ ପ୍ରଗ୍ରେସିଭ ଯୁବକ ମୋ ଚିନ୍ତାରେ ବି ଦେଖା ନ ଥିଲା । କୁହ ତୁମେ ରାଜି ତ ?’’ ସତ୍ୟବାନର ସର୍ବାଙ୍ଗ କମ୍ପି ଉଠିଲା । ଆଶାତୀତ ଭାବେ ବୁଲା ଫକୀର ସତ୍ୟବାନ ଉପରେ ଖୋଦାଙ୍କର ପରମ ଅନୁଗ୍ରହ । କିନ୍ତୁ ସେ କଣ କରିବ କିଛି ସ୍ଥିର କରି ପାରୁ ନାହିଁ । ପୁଣି ନନ୍ଦବାକୁ କହିଲେ ‘‘ମୁଁ ତମକୁ ବାଧ୍ୟ କରୁ ନାହିଁ ସତ୍ୟବାନ, ସେ ତୁମର ଇଛା ।’’

 

ସତ୍ୟବାନ କହିଲା ‘‘ଆପଣ ବୋଧେ ମୋ ବିଷୟରେ କିଛି ଜାଣନ୍ତି ନାହିଁ । ଆପଣ ବ୍ରାହ୍ମର, କିନ୍ତୁ ମୁଁ ବ୍ରାହ୍ମଣ ନୁହେଁ । ମୁଁ ଅନେକ ଦିନ ହେଲା ଘର ଛାଡ଼ି ପରିତ୍ୟକ୍ତ ସନ୍ତାନ ପରି ବଞ୍ଚିଛି-। ଗୋଟିଏ ପାଞ୍ଚ ଫୁଟିଆ ଟିଣ ଘର ଓ ଗୋଟିଏ ମୁସଲମାନ ବନ୍ଧୁ ବ୍ୟତୀତ ମୋର କିଛି ନାହିଁ । ଆପଣ କିଛି ନ ବୁଝି.....

 

ନନ୍ଦବାବୁ କହିଲେ ‘‘ତୁମ ବିଷୟରେ ମୋର ଅଧିକ କିଛି ଜାଣିବା ଆବଶ୍ୟକ ନାହିଁ । ମୁଁ ଜାଣେ ତମେ ସ୍ପଷ୍ଟବାଦୀ । ତୁମ ଜୀବନୀ କହି ମତେ ସଚେତନ କରିବା ନିଷ୍ପ୍ରୟୋଜନ । ନିଜର ମତାମତ ମାତ୍ର ବ୍ୟକ୍ତ କର । ମୋର ମନେହୁଏ ମଧୁ ଯେମିତି ମଣିଷ ହୋଇଛି ସେ ତୁମର ସହକର୍ମିଣୀ ହୋଇ ପାରିବ । ତୁମର ଯାହା ଇଚ୍ଛା କୁହ ।’’

 

ସତ୍ୟବାନ କହିଲା ‘‘ଆପଣ ମାଧୁରୀର ମତାମତ ଲୋଡ଼ିଲେ ନାହିଁ ? ମୋ ପରି ଏକ ନିଃସ୍ୱ ବ୍ୟକ୍ତିକୁ ଗ୍ରହଣ କରିବାକୁ ମାଧୁରୀର ଇଚ୍ଛା ଅନିଚ୍ଛାର ବିଚାର ପ୍ରଥମ ।’’ ସେ କହିଲେ ‘‘ମଧୁକୁ ଅବଶ୍ୟ ପଚାରି ନାହିଁ । ସେ ତ ଏଇଠି ଉପସ୍ଥିତ ଅଛି । ସେ ତାର ମତାତମ ଦେଉ ।’’ ମାଧୁରୀ କହିଲା ‘ଆପଣମାନେ ନିଜନିଜର ମତକୁ ସଙ୍କୁଚିତ କରି ମୋ ଉପରେ ଛାଡ଼ି ଦେଲେ କାହିଁକି ? ମୋ ଇଚ୍ଛା ଯଦି ଫାଇନାଲ ହୋଇଥାଏ ତେବେ ମୋର ଏଥିରେ ଅମତ ହେବାର କଣ ଅଛି ।’’ ନନ୍ଦବାବୁ ଆସନରୁ ଉଠି ପଡ଼ିଲେ । ତାଙ୍କର ମୃତ ପତ୍ନୀଙ୍କ ପ୍ରତିକୃତିରୁ ବହୁକାଳର ଶୁଖିଲା ମଲ୍ଲୀମାଳଟିଏ କାଢ଼ି ଆଣି ମାଧୁରୀ ହାତରେ ଦେଲେ । ନାଟ୍ୟାଭିନୟ ଶେଷ କରି ମାଧୁରୀ ସତ୍ୟବାନର ବେକରେ ଲମ୍ବାଇ ଦେଲା ମାଳାଟି ।

 

ନନ୍ଦବାବୁଙ୍କର ଚକ୍ଷୁ ଆନାନ୍ଦାଶ୍ରୁରେ ଆଚ୍ଛନ୍ନ ହୋଇ ପଡ଼ିଲା । ଶୋକାକୁଳ କଣ୍ଠରେ ସେ କହିଲେ ‘‘ତୁମର ମାଙ୍କ ପ୍ରତିକୃତି ନିକଟରେ ପ୍ରଣାମ କର । ଏ ହେଉଛି ବନଦେବୀଙ୍କ ମାଳା । ଏଇ ପବିତ୍ର ମାଳାଟି ତୁମ ଜୀବନକୁ ସଂଯୋଗ କରିଛି । ତୁମ ଭବିଷ୍ୟକ ଉଜ୍ଜଳମୟ ହେଉ ।’’ ମାଧୁରୀ ଓ ସତ୍ୟବାନ ସୁଷମା ଦେବୀଙ୍କ ପ୍ରତିକୃତି ନିକଟରେ ପ୍ରଣାମ କରି ନନ୍ଦବାବୁଙ୍କୁ ପ୍ରଣାମ କଲେ । ଗୋଟିଏ ସଂସ୍କୃତ ଶ୍ଳୋକ ବୋଲି ନନ୍ଦବାବୁ ତାଙ୍କୁ ଆଶୀର୍ବାଦ କଲେ ।

 

ତାପରେ ନିଜେ ନନ୍ଦବାବୁ ଖାଇବାକୁ ଡାକିନେଲେ ସେ ଦୁହିଁଙ୍କି । ଆବେଗ ଓ ଉଲ୍ଲାସରେ ମନ ତାଙ୍କର ଭରି ଯାଇଥାଏ । ସେ ନିଜେ ଖାଦ୍ୟ ପରିବେଷଣ କଲେ । ଖାଇବା ଟେବୁଲ ଉପରେ ପୁଣି କେତେକଥା ଆଲୋଚନା ହେଲା । ଆଲୋଚନା ଶେଷ ଆଡ଼କୁ ନନ୍ଦବାବୁ କହିଲେ ତମେ ଏଇଠି ରହିଲେ କ୍ଷତି କଣ ହେବ ସତ୍ୟବାନ ‘‘ସତ୍ୟବାନ ଏ ବିଷୟରେ ଭାବି ନଥିଲା । ହଠାତ୍‌ ଏ ପ୍ରଶ୍ନର କି ଉତ୍ତର ବା ଦିଅନ୍ତା । ସେ କହିଲା ‘‘ଆପଣଙ୍କ ସ୍ନେହଠୁ ଦୂରେଇ ଯିବା ମୋ ପକ୍ଷରେ ଅସମ୍ଭବ । ବାପମା, ଭାଇ ଭଉଣୀ ସମସ୍ତଙ୍କ ମମତାକୁ ମୁଁ ତୁଚ୍ଛ କରିଥିଲି । କିନ୍ତୁ ଆପଣଙ୍କ ସ୍ନେହ ବଡ଼ ଅଦ୍ଭୁତ । ମୁଁ ନାଚାର । କିନ୍ତୁ ବର୍ତ୍ତମାନ ମୁଁ ଏହାକୁ ସ୍ୱାଗତ କରି ପାରୁ ନାହିଁ । ମୋର ଅନେକ କାମ ବାକି ଅଛି । ଆଗରେ ପରୀକ୍ଷା ଅଛି । ମୁଁ ଠିକ୍‌ ସମୟରେ ଆପଣଙ୍କ ନିକଟକୁ ଆସିବି ।’’

 

କିଛି ସମୟ ରହି ସତ୍ୟବାନ ଫେରିଲା ସେଇ ସ୍ଥୂଳକାୟ ଡାଏରୀଟି ଧରି । ସେଇ ଡାଏରୀଟା ତାଙ୍କଠୁ ଆଣିବାକୁ ତାର ଇଚ୍ଛା ବି ନ ଥିଲା । ସେ ଏତେ ସବୁ ପଢ଼ା ପଢ଼ି କରିବାକୁ ବିଶେଷ ସମୟ ପାଏନି । ଖୋଳ ପରବତ ମାର ମୂଷା କିଏ କରୁଛି । ନିଜ ବିଷୟରେ ବିପଦ ଯଦି ସେ କହି ଦେଇଥାନ୍ତେ ଯଥେଷ୍ଟ ହୋଇଥାନ୍ତା । ତାର ଘର କହିଲେ ସବୁବେଳେ ଖୋଲା ପଡ଼ିଥିବା ଛୋଟ କୋଠରୀଟି । ହଜିଯିବ ଯଦି । ତଥାପି ମଧ୍ୟ ଶିଶୁଟି ପରି ସେଇଟିକୁ ହାତରେ ଧରି ବାହାରି ପଡ଼ିଲା । ନନ୍ଦବାବୁ କହିଲେ ‘‘ପ୍ରତିଦିନ ରାତ୍ରିଭୋଜନ ଏଇଠି କରିବ । ଏତିକି ମୋର ଅନୁରୋଧ ।’

 

ସତ୍ୟବାନକୁ ଆଜି ଘର ଭଲ ଲାଗୁନାହିଁ । କିଛି ଭଲ ଲାଗୁନାହିଁ । ମନରେ ପ୍ରବଳ ଝଡ଼-। ମନକୁ ମନ ସବୁ ଖାଲି ପରିବର୍ତ୍ତନ ହୋଇ ଯାଉଛି । ଆସ୍ତେ ଆସ୍ତେ ମନର ସେ ହାଲୁକା ଭାବ କୁଆଡ଼େ ଗଲାଣି । ସେ ମୁକ୍ତି ଆଉ କାହିଁ । ପୁଣି ଆସିଲାଣି ସେଇ କୃତଜ୍ଞତା ଜ୍ଞାପନ । ସେଇ ଦେଶ ନେଣ ଅଧ୍ୟାୟ । ନିହାତି ଭାରାକ୍ରାନ୍ତ ଲାଗିଲାଣି । ସେ ବନ୍ଧନ ଚାହେଁନା, ବଡ଼ ଅସ୍ଥିର ଲାଗୁଛି ତାକୁ । ଦି ଚିଲମ ଗଞ୍ଜେଇ କି ଗ୍ଳାସେ ହ୍ୱିସ୍କି ଲୋଡ଼ା । ନ ହେଲେ ନିଷ୍କୃତି ନାହିଁ । ଯାହା ହବାର ହଉଚି । ଦେଖାଯିବ.....

 

ଖଟ ଉପରେ ଗଡ଼ି ପଡ଼ିଛି ସେ । କବାଟଟି ଆଉଜା ହୋଇଛି । କମ୍ରେଡ଼ ମାଧୁରୀ । ଭଲ ଝିଅଟିଏ ନିଶ୍ଚୟ । ଶ୍ୟାମଳୀ ହେଲେ ବି ସୁନ୍ଦାରୀ, ପରିପୂର୍ଣ୍ଣାଙ୍ଗୀ । ଜୀବନ୍ତ ଚକ୍ଷୁରେ ସବିନୟ ଭଙ୍ଗୀ ତାକୁ ଆହୁରି ଆକର୍ଷଣୀୟ କରେ । କିନ୍ତୁ କଥା ଗୁଡ଼ା ନିହାତି ସିଧା ଓ ଦୃଢ଼ । ଏତେ ନିବିଡ଼ ସାନିଧ୍ୟ ସତ୍ତ୍ୱେ ମାଧୁରୀ ଭିତରେ ପ୍ରେମାଭିନୟ କି ଦୁର୍ବଳତା କେବେ ଦେଖା ଦେଇନି । ଘାସର ଗାଲିଚାରେ ମାଧୁରୀ ଅଳସ ଲତା ନୁହେଁ । ନଦୀର ବାଲୁକା ଶଯ୍ୟାରେ ରାତ୍ରିର ନୀରବ ପ୍ରହରରେ କେତେ ଥର କେତେ ଅସରନ୍ତି ଗପ ନ ହୋଇଛି । କିନ୍ତୁ ମାଧୁରୀ ଭିନ୍ନ ଧରଣର ଝିଅ । ଆଜି ଧର୍ମତଃ ମାଧୁରୀ ତାର ପତ୍ନୀ । କିନ୍ତୁ କୋଉ କ୍ଷମତାରେ ସେ ମାଧୁରୀକୁ ଗ୍ରହଣ କରିଛି । ସେ ନିଜେ ହୁଏତ ଜାଣନା । ଯାହା ଘଟିବାର ଥାଏ ଅପ୍ରତ୍ୟାଶିତ ଭାବେ ଘଟିଯାଏ । ଯାହାର କୌଣସି ପ୍ରତିକାର ନାହିଁ ।

 

ଅପରାହ୍ନ ନ ହେଉଣୁ ରାୟସିଂହ ଝିଅର ଡାକରା, ରାତିର ପ୍ରଥମ ପ୍ରହର ନ ହେଉଣୁ ମାଧୁରୀର ଅପେକ୍ଷା-କ୍ରମଶଃ ସବୁକିଛି ଜଟିଳ ହୋଇ ଉଠୁଛି । ଏ ସ୍ଥାନ ତାକୁ ତ୍ୟାଗ କରିବାକୁ ହେବ ।

 

ପ୍ରତ୍ୟୁଷରୁ ଉଠିବା ସତ୍ୟବାନ ପକ୍ଷର ଏକ ବିଡ଼ମ୍ବନା । ସେ କହେ ସେ କେବେ ସୂର୍ଯ୍ୟାଦୟ ଦେଖି ନାହିଁ । ସେ ଉଠିବା ବେଳକୁ ଯାମିନୀ ଆସି ତାକୁ ଅପେକ୍ଷା କରି ବସିଛି । ତା ସହିତ ଗାର ପୁଣି କେତେଜଣ ମାମଲତକାର ଅଲେଖ ଦାସ, ଧନୀ ଭୋଳ, ଗୋବିନ୍ଦ ସ୍ୱାଇଁ । ଅଲେଖ ଦାସ ହିସାବରେ ଅଜା ହେବ । ଏମାନଙ୍କୁ ଦେଖି ସତ୍ୟବାନ ପ୍ରମାଦ ଗଣିଲା । ରାତ୍ରିର ଅଳସ ଅଦ୍ୟାପି ଯାଇ ନାହିଁ । ଘରେ ମୁହଁ ଧୋଇବାକୁ ପାଣି ଟୋପାଏ ତ ନ ଥାଏ । ସାମନାରେ ରାସ୍ତା କଳ । କିନ୍ତୁ ଧାଡ଼ି ବାନ୍ଧି ପାଣି ନେବା ଲୋକେ ଦିଶୁ ନାହାନ୍ତି । ସମ୍ଭବତଃ ପାଣି ବନ୍ଦ ହୋଇ ସାରିଲାଣି । ଅଗତ୍ୟା ସେ ଅଧୁଆ ମୁହଁରେ ବସିଲା । ହୋଟେଲକୁ ଯାଇ ନିତ୍ୟକର୍ମ କରିବାକୁ ହେବ । ସତ୍ୟବାନ ସେମାନଙ୍କୁ ଖଟରେ ବସାଇ ନିଜେ ଠିଆ ହୋଇ ରହିଲା । ସମସ୍ତେ ପରସ୍ପର ମୁହଁକୁ ଚାହିଁଲେ । ଯାମିନୀ କହିଲା ‘‘ଭାଇ ଏମାନେ ତମ ପାଖକୁ ଆସିଛନ୍ତି । କଣ କହିବେ ।’’

 

ଅଲେଖ ଦାସ ବଡ଼ ମାମଲତ ଢଙ୍ଗରେ କହିଲେ ‘‘କିରେ ଏତେ ଡର କିଆଁରେ । ଆରେ ସତିଆ, ଆମେ ସବୁ ତୋରି କତିକି ଆଇଚୁ । ତୁ ପରା ପାଠ ପଢ଼ିଛୁ । ତୋର ଏ କି ବୁଦ୍ଧି । ବାପଟା ଆସି ଦରମରା ହେଲାଣି । ତୁ ଯାହା କରିଛୁ କରିଛୁ । ବର୍ତ୍ତମାନ ଚାଲ, ତତେ ଜାତି କରିବା । ମଧୁବାରିଷ୍ଟର ତ ପୁଣି ଧର୍ମାନ୍ତର ନେଇ କିରସ୍ତାନ ହୋଇଥିଲା । ତୁ ଏଠୁ ଶୀଘ୍ର ଚାଲ । ଯଦି ବାପ କିଛି କହିଥାଏ ସେ କଥା ବୁଝିବା ।’’

 

ଆଶ୍ଚର୍ଯ୍ୟ ହୋଇ ସତ୍ୟବାନ କହିଲା ‘‘ମୋ ଉପରେ କେହି ରାଗି ନାହାନ୍ତି କି କିଛି କହି ନାହାନ୍ତି । ମୋର ପରୀକ୍ଷା ପାଇଁ ମୁଁ ପଢ଼ାପଢ଼ି କରୁଛି ।’’ ଅଲେଖ ଦାସ ଉତ୍ତେଜିତ ହୋଇ କହିଲେ ‘‘କିରେ ପିଲା ବକଟେ ତୁ, ତୋର ଏତେ ଚାଲାଖି । ଅକଲ ଟିକକ ପୋଡ଼ି ଖାଇଲୁଣି ପରା । ପୋଷଣାହାରୀ ପୁଅ ତୁ । ରୁଷିଛୁ ଯେ ବର୍ଷ ବର୍ଷ ଧରି ଇଆଡ଼େ ବସିଛୁ । ପୁଣି ଆମ ପରି ଲୋକ ଧାଇଁ ଆସିଛି । ଆମେ କଣ ଫେରିବୁ ? ତତେ ଯେମିତି ହଉ ନ ନେଲେ ଆମେ ଏଠୁ ଯିବୁ ନାହିଁ ।’’

 

ସତ୍ୟବାନ ହସିଲା । ବଡ଼ ଜିଦ୍‌ଖୋର ଲୋକ ୟେ । ସେ କହିଲା ‘‘ମୁଁ ବର୍ତ୍ତମାନ ଯାଇ ପାରିବି ନାହିଁ ।’’ ଧନୀ ଭୋଳ କହିଲେ ‘‘ଆରେ ସତ୍ୟ, ତୋ ଜେଜୀ ବୁଢ଼ୀ ବାଧିକି ପଡ଼ିଛି । ତୋ ଦୋଳ ମୁକୁଟ ଦେଖିବାକୁ ତାର ଭାରି ଆଶା ଆସନ୍ତା ତିଥିରେ ତୋର ବାହାଘର ହବ । ଆଉ ମଝିରେ ଦିନ ଆଠଟା କି ଦଶୁଟା ମାତ୍ର । ପାତ୍ରୀ ପର୍ଯ୍ୟନ୍ତ ଦେଖା ସରିଲାଣି ପରା । ତୁ କଣ ବୁଢ଼ୀଟାକୁ ସୁଧା ନିରାଶ କରିବୁ ?’’

 

ସତ୍ୟବାନର ରକ୍ତ ତାତି ଉଠିଲା । stupid ଦଳ, ଗୋଟାଏ ପୁରୁଷ ହୋଇ ଆଉ ଗୋଟାଏ ପୁରୁଷକୁ ଗିଳି ଦେବାକୁ ମନ । ସେ କହିଲା ‘‘ଭୋଳ ଭାଇ, ମୋ ନିଷ୍ପତ୍ତି ବାହାରେ ମୁଁ ଆଉ କାହା କଥା ଶୁଣେ ନାହିଁ । ଆପଣମାନେ ଦୟାକରି ଯାଆନ୍ତୁ ।’’ ଭୋଳେ ଉଠି ତାର ହାତଧରି ପକାଇ କହିଲେ ‘‘କିରେ ! ଆମ ଆଗରେ ଏଡ଼େ ବକଟେ ପିଲା ତୁ । ଆମରି କୋଳରେ କାଖରେ ବଢ଼ିଛୁ । କଣ, କଥା ରଖିବୁ ନାହିଁ ।’’ ସତ୍ୟବାନ କହିଲା, ‘‘ଏପରି ଅସମ୍ଭବ କଥାଟାଏ ମୁଁ ରଖି ନ ପାରେ ଭୋଳ ଭାଇ । ମୋର କଲେଜ ସମୟ ଡେରି ହୋଇଗଲାଣି । ମୁଁ ଯାଏଁ’’ ସତ୍ୟବାନ ସେଠୁଁ ଉଠି ଚାଲିଗଲା । ଦାନ୍ତ ଅଘଷା, ମୁହଁ ଅଧୁଆ । ସେ ଏକ ମୁହାଁ ହୋଇ ଚାଲିଗଲା । ଅଲେଖ ଦାଦା ଗର୍ଜନ କରି ‘କୁଳାଙ୍ଗାର’, ‘ଲଫଙ୍ଗା’ ଇତ୍ୟାଦି ଗାଳି ଦେଉଥାନ୍ତି ।

 

ପାର୍ଟି ଅଫିସରେ ସତ୍ୟବାନ ନିତ୍ୟକର୍ମ ଶେଷକଲା । ଅନେକ ଡେରି ହୋଇ ଯାଇଛି । କଲେଜ କ୍ଳାସ ସବୁ ସରି ଆସିବଣି । ଖାତା ବହି ଟେବୁଲ ଉପରେ ରଖି ବସିଲା । ମନରେ ନାନା ରକମର ଚିନ୍ତା । ସେ ଆଉ ପାର୍ଟି ଅଫିସ ଆସିବ ନାହିଁ ବୋଲି ପ୍ରତିଜ୍ଞା କରିଥିଲା । ଏଠୁ ସେ ଦୂରେଇ ଯିବ । ସମସ୍ତଙ୍କୁ ନିଜ ନିଷ୍ପତ୍ତି ଜଣେଇ ଦେବ । ତା ମତ ସହିତ ଯେ ଏକମତ ହେବେ ସେମାନେ ଗୋଟାଏ ନୂଆ ଦଳ ଗଢ଼ିବେ । ଖାତା ବହି ସହିତ ସେହି ସ୍ଥୂଳକାୟ ଡାଏରୀଟା ବି ସେ ଭୁଲବଶତଃ ନେଇଯାଇଛି ସାଙ୍ଗରେ । ଏକା ଏକା ବସି ତାକୁ ଖୋଲିଲା ସତ୍ୟବାନ ।

 

ପ୍ରଥମ ପୃଷ୍ଠାରେ ଲେଖାଅଛି ‘‘ଜନନ୍ନାଥ ସଂସ୍କୃତିର ଖଡ଼ିଛୁଆଁ ଥରେ ଯାହା ମନରେ ହୋଇଛି ଅନାଗତ ଭବିଷ୍ୟତର କେଉଁ ସୁଦୂର କାଳରେ ପୁରୁଷ ପୁରୁଷର ବିଲୁପ୍ତି ଅତିକ୍ରମ କରି ଦିନେ ନିଶ୍ଚୟ ତାହା ଆତ୍ମପ୍ରକାଶ କରିବ । ଏହି ନିଃସନ୍ଦେହ’’ । ଲେଖାଟିକୁ ବାରମ୍ବାର ପଢ଼ିଲା । ଭଲ ଲାଗୁଥିଲା । ତାପରେ ଡାଏରୀଟା ଖୋଲିଲା ସତ୍ୟବାନ । ....‘‘ସେଦିନ ରବିବାର ଥିଲା । ରାତି ପାହି ଆସୁଥାଏ । ମୋର ପ୍ରତିଦିନର ଅଭ୍ୟାସ ପ୍ରାତଃଭ୍ରମଣ । ମୁଁ କାନଭାସ ଯୋତା ପିନ୍ଧି ମୋର ମନୋରମ ବାସଭବନରୁ ବାହାରିଲି । ଏକ ଜଟାୟୁଧ ପାହାଡର ସବୁଜ ସାନୁଦେଶର ସମତଳ ଅଂଶରେ ମୋର ଛୋଟ ବଙ୍ଗଳାଟି । ସେଇ ପାହାଡ଼କୁ ବେଷ୍ଟନ କରିଛି ନଦୀର ନୀଳ ଧାରଟିଏ । ସେ ଦୀର୍ଘ ନଦୀଟି ପ୍ରବାହିତ ହୋଇଛି ପୂର୍ବ ଦିଗକୁ । ରାତିଦିନ ପାହାଡ଼ିଆ ଜନ୍ତୁଙ୍କ ସହ ମୋର ଲୁଚକାଳି ଖେଳ । ରାତି ପାହିଲା କ୍ଷଣି ଯୁଥ ଯୂଥ ହରିଣ, ଚକ୍ରାୟୁଧ, ମୟୂର ଓ ଅନେକ ବିଚିତ୍ର ରଙ୍ଗର ପକ୍ଷୀ, ବେଳେବେଳେ ବାଘଭାଲୁ ବି ଆଖିରେ ପଡ଼ନ୍ତି । ନଦୀର ଶୁଷ୍କ ବାଲିରେ ଦଉଡ଼ିଥାନ୍ତି ହରିଣ ଦଳ । ପ୍ରାତଃ ଭ୍ରମଣ ମୋର ଉପଭୋଗ୍ୟ ହୋଇପଡ଼େ ।

 

ଏଇ ପାହାଡର ଅନତୀ ଦୂରରେ ଜନବସତି ଅଛି । ରାତି ନ ପାହୁଣୁ ଏଇ ହିଂସ୍ର ପରିବେଶରେ କାହିଁକି ଯେ ନାରୀମାନେ ନଦୀରେ ସ୍ନାନ କରିବାକୁ ଆସନ୍ତି ଓ ବେଳେବେଳେ ନରହନ୍ତା ବାଘର ଶିକାର ହୁଅନ୍ତି ମୁଁ ଜାଣି ନଥିଲି । ରାତ୍ରିର ରତିସିକ୍ତ ଶରୀରକୁ ନଦୀ ଜଳରେ ରାତି ନ ପାହୁଣୁ ଧୋଇ ଦେଇ କଳଙ୍କ କାଳିମା ନଦୀରେ ଭସାଇ ଦେଇ ଯାଆନ୍ତି ବୋଲି ପରେ ଜାଣି ପାରିଥିଲି । କେତେ ଶିଥିଳ ଗଭାର ବାସୀ ମଲ୍ଲୀମାଳ ନଦୀରେ ଭାସି ଯାଉଥାଏ, କେତେ ଆଖିର କଜ୍ୱଳ ନଦୀ ଜଳରେ ମିଶିଯାଇଥାଏ ତାର ଇସ୍ତାହାର କିଏ ଦେବ ? ଏଇ ନଦୀର ଲୋଭନୀୟ ନୀଳଜଳ କେଉଁ ଅପୂର୍ବ ପ୍ରେରଣାରେ ପ୍ରତ୍ୟହ କୁମାରୀତ୍ୱ ଦାନ କରେ ସେମାନଙ୍କୁ ବୁଝି ହୁଏନାହିଁ । ଏ ପାଖରେ ନଦୀର ନୀଳ ଧାରା ପ୍ରବାହିତ ଅନ୍ୟ ପାଖରେ ଶୁଷ୍କ ବାଲିପଠା । ପାଣି ପିଇ ବାଲିପଠାରେ ଫେରୁଥିଲେ ହରିଣ ଦଳ । ନଦୀ ଘାଟରେ ସେଦିନ କୌଣସି ତରୁଣୀ ନଥିଲେ । ତେଣୁ ନିଦ୍ୱନ୍ଦରେ ଠିଆହୋଇ ପଶୁମାନଙ୍କୁ ଦେଖୁଥିଲି । ତଥାପି ରାତ୍ରିର କାଳିମା ସମ୍ପୂର୍ଣ୍ଣ ସଫା ହୋଇ ନଥାଏ । ସିନ୍ଦୂରା ଫାଟି ଯାଇଥାଏ । ଅଦୂରରେ ନାରୀକଣ୍ଠର କରୁଣ ଚିତ୍କାର ଶୁଭିଲା । ନଦୀଟା ବାଙ୍କ ବାଙ୍କ ହୋଇ ପାହାଡ଼ ଦେହରେ ଗୁଡ଼େଇ ହେଲାପରି ରହିଛି । ମୁଁ ଆଶ୍ଚର୍ଯ୍ୟ ହୋଇ ଆଗେଇଲି ଅନୁସନ୍ଧାନରେ । ଘାଟ ପରେ ଘାଟରେ ଅନୁସନ୍ଧାନ କଲି । କେହି ନାହିଁ । ବନ ପକ୍ଷୀଙ୍କ କାଳଳିରେ ଧ୍ୱନିତ ହେଉଛି ଶାନ୍ତ ସକାଳ । ମୋର ଚକ୍ଷୁ ସମ୍ମୁଖରେ ନଦୀ ଜଳରେ ଭାସି ଉଠିଲା ଧଳା ରଙ୍ଗର ବସ୍ତୁଟିଏ । ତଥାପି ସନ୍ଦେହ ହେଲା । ବସ୍ତୁଟି ଭାସିଯାଉଛି । କୋଉଠୁ ଭାସି ଆସିଥିବ-। ବସ୍ତୁଟି ଭାସିଗଲା । ମୁଁ ଚାହିଁଥିଲି । ଅଳ୍ପ ଦୂରରେ କଳା ମୁଣ୍ଡିଟିଏ ଦେଖାଗଲା । କୁମ୍ଭୀର ନୁହେଁ ତ-। ଭୟ ହେଲା । ନଦୀ ଧାର କରେ କରେ ଧାଇଁଲି । ସାହସ କରି ଡେଇଁଲି ପାଣିକି । କେହି ମଣିଷ ହୁଏତ, ଭାସିଯାଉଛି । ବାଳରୁ ମେଞ୍ଚାଏ ଧରି ସାମାନ୍ୟ ଟେକିଲି । ବଡ଼ କଷ୍ଟରେ ଭାସି ଭାସି ଟାଣି ଧରିଲି ତାକୁ । ମୁଁ ଦୂରକୁ ଭାସି ଯାଇଥିଲି ତା ସହିତ । ବଙ୍ଗଳାର ଅନେକ ଦୂରରେ ମୁଁ ତାକୁ କୂଳକୁ ଟାଣିନେଲି । ବାଉଁଶ କମ୍ପାନୀର ମେନେଜର ମୁ । ବିବସ୍ତ୍ରା ନାରୀ, ଦେହରେ ପ୍ରାଣ ଅଛି କି ନାଁ ଜାଣି ହେଉନାହିଁ । ନିଃଶ୍ୱାସ ଯାଉଛି କି ନା ବୁଝି ହେଉନି । ଏଇଟା ଆଉ ମୁର୍ଦ୍ଦାରଟାଏ ନୁହେଁ ତ ? ଶବକୁ ଓଲଟେଇ ଦେଲି । ଚକ୍ରାକାରରେ ସାମାନ୍ୟ ବୁଲାଇଦେଲି । ପିଇଥିବା ପାଣିଗୁଡ଼ାକ ବାହାରି ଆସିଲା । ପୁଣି ପେଟେଇଦେଇ ଚିପି ଦେଲି । ଅନେକ ଗୁଡ଼ା ପାଣି ବାହାରିଗଲା । ଏଥର ମନେ ହେଲା ଯେମିତି ସେ ନିଃଶ୍ୱାସ ନେଉଛି । ମୋ ଦେହର ସାର୍ଟ ଗେଞ୍ଜି ଖୋଲି ତାକୁ ଘୋଡ଼ାଇ ଦେଲି-। ତାପରେ ହାତ ପାଦକୁ ଘସିଲି ଟିକେ ଗରମ କରିବାକୁ । ସବୁତ ଓଦା । ଉପାୟ ନାହିଁ ।

 

ଦିନ ଆଗେଇ ଗଲାଣି । ମୋ ବଙ୍ଗଳାରେ ଚୌକିଦାର ଜମାଦାରମାନେ ଆସି ସାରିବେଣି । କିନ୍ତୁ ସେମାନେ ବା ମତେ ସାହାଯ୍ୟ କରିବେ କେମିତି । ନିଛାଟିଆ ବନଭୂମି । ପୁଣି ନଦୀକୂଳ । କୌଣସି ଜନ୍ତୁଙ୍କ ହାବୁଡ଼େ ପଡ଼ିଯିବ ତ କଥା ଶେଷ । ଆମେ ସମ୍ପୂର୍ଣ୍ଣ ନିରସ୍ତ୍ର । ଅଜଣା ରାସ୍ତାରେ ତାକୁ କାନ୍ଧେଇ ନେଇ କେତେ ବାଟ ଯାଇହେବ । ନଦୀ ଧାର ଦେଇ ଯିବା ଅସମ୍ଭବ । ଅନେକ ସ୍ଥାନରେ ପାହାଡ଼ଟା ନଦୀ ବକ୍ଷକୁ ପ୍ରବେଶ କରିଛି । ଅଳ୍ପ ଦୂରରେ ଗୋଟିଏ ବାଉଁଶ ଭେଳା ଦେଖାଗଲା । ଗାଣ୍ଠି ଗାଣ୍ଠି ବାଉଁଶ ନଦୀରେ ଭସାଇଦେଇ ସବା ପଛରେ ଭେଳାରେ ଆସେ ସୁମାରିଆ । ଭେଳାରେ ତା ପାଇଁ ନଡ଼ା ଛପର କୁଡ଼ିଆଟିଏ ଥାଏ । ରାନ୍ଧିବାଢ଼ି ଖାଇପାରେ ସେ । ଗାଣ୍ଠି ବାଉଁଶ ବାଟରେ କୋଉଠି ଲାଖିଥିଲେ ଏମାନେ ଛଡ଼େଇ ଛଡ଼େଇ ଆସନ୍ତି । ଘାଟିରେ ବାଉଁଶ ଗଣତି ହେଲେ ସୁମାରିଆ କାମ ଶେଷ ହୋଇଯାଏ । ସେ ପୁଣି ସ୍ଥଳ ପଥରେ ଚାଲି ଯାଇଥାଏ । ମୁଁ ବୁଝି ପାରିଲି ଅଳ୍ପ ଦୂରରେ ବାଉଁଶ ଘାଟି ଅଛି । ନାରୀଟିକୁ କାନ୍ଧେଇ ସେଇ ଆଡ଼କୁ ଗଲି । କଷ୍ଟେ ମଷ୍ଟେ ଘାଟିରେ ପହଞ୍ଚିଲି । ଘାଟିଟି ସମ୍ଭବତଃ ମୋ ବଙ୍ଗଳାଠାରୁ ବେଶି ଦୂର ନୁହେଁ । ହେଲେ ମୁଁ କେବେ ବାଉଁଶ ଗଣତି କରିବାକୁ ଆସେନାହିଁ । ସେସବୁ ଜମାଦାରଙ୍କ କାମ ।

 

ଘାଟିରେ ଭାସୁଛି ଗାଣ୍ଠି ଗାଣ୍ଠି ବାଉଁଶ । ଭାସୁଛି ପରିତ୍ୟକ୍ତ ଭେଳାଟି । ଗୋଟାଏ ଉପାୟ ଚିନ୍ତା କରି ନାରୀଟିକୁ ଭେଳା ଘର ଭିତରକୁ ନେଲି । ଭାବିଥିଲି କାତମାରି ଭେଳାକୁ ମୋ ବଙ୍ଗଳା ଆଡ଼କୁ ନେଇଯିବି । ତାକୁ ଶୁଆଇ ଦେଇ ବାଉଁଶ ଆଣି କାତ ମାରିଲି । କିନ୍ତୁ ଉଠାଣି ଆଡ଼କୁ ଭେଳା ଆଦୌ ଗଲାନାହିଁ । ବରଂ ସୁଅରେ ପଡ଼ି ତଳଆଡ଼କୁ ଭାସି ଚାଲିଲା । ବଡ଼ ବିପଦରେ ପଡ଼ିଲି । ସ୍ରୋତରେ ଭାସି ଭାସି କୁଆଡ଼େ ମୁଁ ଯାଉଛି ନିଜେ ଜାଣି ନଥିଲି । କେବଳ ତଳକୁ ତଳକୁ ଯାଉଛି ବୋଲି ଜାଣିଥିଲି । ବାଟରେ ନିଶ୍ଚୟ ଶବର ପଲ୍ଲୀ ଦେଖାଯିବ । ସେଇଠି ଭେଳା ରଖି ଏହାର ଚିକିତ୍ସା କରିବି ବୋଲି ଭାବିଥାଏ । କିନ୍ତୁ ଅନେକ ଦୂରଯାଏ କୌଣସି ପଲ୍ଲୀ ଦେଖିବାକୁ ମିଳିଲା ନାହିଁ । ନଦୀବକ୍ଷ ଅନେକ ସ୍ଥାନରେ ସଂକୀର୍ଣ୍ଣ ଓ ଅନ୍ଧାରିଆ ହୋଇ ଭୟ ଜାତ କରୁଥାଏ ।

 

ତଥାପି ମୋ ଧାରଣା ସତ ହେଲା । ଗୋଟିଏ ସ୍ଥାନରୁ ଧୂଆଁ ଦେଖାଗଲା । ନିକଟରେ ନଦୀରେ ଘାଟ ମଧ୍ୟ ଦିଶିଲା । ଘାଟଆଡ଼କୁ ଭେଳାକୁ ବାହିନେଲି । ଗୋଟାଏ ଗଛରେ ବାନ୍ଧିଦେଇ ଅନୁସନ୍ଧାନରେ ଗଲି ।

 

ନାରୀଟିକୁ ନୀରିକ୍ଷଣ କରି ଦେଖିଛି, ବଞ୍ଚିବାର ଆଶା ବହୁତ କମ୍‌ । ବୋଧେ ତାକୁ ବଞ୍ଚାଇ ହେବନାହିଁ । ଶବର ପଲ୍ଲୀଟିଏ ପ୍ରକୃତରେ ଅତି ପାଖରେ ପାଇଲି । ଛୁଆଗୁଡ଼ିଏ ଖେଳୁଥିଲେ । ତାଙ୍କ ନିକଟକୁ ଗଲି । ସେମାନେ ବା ମୋ ଭାଷା ବୁଝିବେ କୁଆଡ଼ୁ । ତାଙ୍କୁ ଠାରିଲି । ସେମାନେ ମତେ ଦେଖି କୌତୁହଳୀ ହୋଇ ପଡ଼ିଥିଲେ । କେତେଟା ବୁଢ଼ୀ ବୁଢ଼ୀ ବାହାରି ଆସିଲେ ଘରୁ । ତାଙ୍କୁ ପେଟ ଦେଖେଇ ପାଟି ମେଲେଇ ଖାଇବାକୁ ମାଗିଲି । ବୁଢ଼ା ବୁଢ଼ୀମାନେ କିଛି ଫଳମୂଳ ଆଣିଦେଲେ । ହାତରେ ଧରିଲି । ନିଆଁ ଟିକେ ନିହାତି ଦରକାର । କିଏ ବା ବୁଝିବ । ଡିଆସିଲି ତ ସ୍ୱପ୍ନ । ସମସ୍ୟା ପରେ ସମସ୍ୟା ଦେଖାଯାଉଛି । ଧୂଆଁ ଯେଉଁଠୁ ଉଠୁଥିଲା ସେ ଆଡ଼କୁ ଅନୁସନ୍ଧାନ କରି ଆସିଥିଲି । ବର୍ତ୍ତମାନ ଆଉ ଧୂଆଁ ଜଣାଯାଉନି । ଦୁଇ ହାତକୁ ଘସି ପାଟିରେ ପିକା ଧରାଇବା ଢଙ୍ଗ କାଢ଼ିଲି ମୁଁ । ତା ପରେ ପିଲାଟିଏ ଦଉଡ଼ିଯାଇ ଖଣ୍ଡେ ଦରପୋଡ଼ା କାଠ ଆଣି ମତେ ଧରାଇଦେଲା । ସେଇଟିକୁ ଧରି ମୁଁ ଭେଳା ଆଡ଼କୁ ଚାଲିଲି । ପିଲାଦଳକ ବି ମୋ ପଛେ ପଛେ ଚାଲିଲେ । ମୁଁ ଭାରି ଖୁସି ହେଲି । ବାନର ସେନାଙ୍କ ସହିତ ଭେଳା ପାଖକୁ ଗଲି-। ଭେଳା ଟିକିଏ ଦୂରକୁ ଭାସୁଛି । ପାଣିରେ ପଶି ତାକୁ କୂଳକୁ ଭିଡ଼ି ଆଣିଲି । ସେଠି ନିଆଁ ନ ଲଗେଇ ତାକୁ କାନ୍ଧରେ ପକାଇ ପୁଣି ସେଇ ପଲ୍ଲୀ ଆଡ଼େ ଚାଲିଲି ।

 

ପିଲାମାନେ ମତେ ସେମାନଙ୍କ ତିଆରି ଗୋଟିଏ ଛୋଟିଆ ପତ୍ର କୁଡ଼ିଆକୁ ନେଇଗଲେ-। ସେଇଠି ପତ୍ର ଉପରେ ତାକୁ ଶୁଆଇ ଦେଇ ନିଆଁ ଜାଳି ସେକିଲି । କିଛି ସମୟ ପରେ ସେ ସାମାନ୍ୟ ଆଖି ଖୋଲିଲା । ପୁଣି ବୁଜି ନେଲା । ଏଥର କିନ୍ତୁ ମୁଁ ଆଉ ହତାଶ ହେଲି ନାହିଁ । ପିଲାମାନେ ଆମକୁ ଘେରି ଠିଆ ହୋଇଥାନ୍ତି । ମୁଁ କ୍ଷୁଧାରେ ଆତୁର ହୋଇ ପଡ଼ିଥାଏ । ପୁଣି ତାଙ୍କୁ ଖାଇବାକୁ ମାଗିଲି । ପିଲା ଦିଟା ଦଉଡ଼ି ଗଲେ । କିଛି ମାଣ୍ଡିଆ ଜାଉ ଦିଟି ଠୋଲାରେ ଆଣିଲେ । ମୁଁ କିଛି ନ ବିଚାରି ଦି ଠୋଲା ଯାକ ଜାଉ ଖାଇ ଦେଲି । ମୁଁ ପାଣି ମାଗିଲି । ସେମାନେ ମୋ ଠାର ଜାଣି ପାରୁଥାନ୍ତି । ବାଉଁଶ ନଳରେ ମତେ ପାଣି ଆଣି ଦେଲେ । ଟିକିଏ ପାଣି ପିଇ ମୁଁ ଆଶ୍ୱସ୍ତ ହେଲି ।

 

ଶବର ଶବରୁଣୀମାନେ ଦିନସାରା ଘରେ ନ ଥାନ୍ତି ବୋଲି ମୁଁ ଜାଣିଛି । ଏ ସାନ ସାନ ପିଲାଙ୍କୁ ନେଇ ହେବ ବା କଣ । ରୋଗିଣୀ ପାଇଁ କିଛି ଦୁଧ ଦେବାକୁ ମୁଁ କହିଲି । ପାଖରେ ଗାଈଟିଏ ଚରୁଥିଲା ବୋଲି ମୋ ଉଦ୍ଦେଶ୍ୟ ବୁଝାଇବା ସହଜ ହୋଇଥିଲା । ପିଲାମାନେ କିଛି ସିଝା ଦୁଧ ଠୋଲାରେ ଆଣି ଦେଲେ । ମୁଁ ପତରରେ କାହାଳୀ କରି ରୋଗିଣୀକୁ ଜୋର କରି ସେତକ ପିଆଇ ଦେଲି । ଦିନ ଗଡ଼ି ଯାଇଥିଲା । ଅନ୍ଧାର ମାଡ଼ି ଆସୁଥାଏ ପାହାଡ଼ତଳି ଅଞ୍ଚଳରେ । ପିଲାମାନେ ମୋର କୁଡ଼ିଆ ଆଗରେ କାଠ ଗଦେଇ ଦେଇ ନିଆଁ ଜାଳି ଦେଲେ । ତା ପରେ ଆସିଲେ ବଡ଼ ମଣିଷମାନେ । ଆସିଲେ ପୁରୁଷ ଲୋକ । ସ୍ତ୍ରୀ ଲୋକ । ସେଇ ବସ୍ତିର ଅନ୍ୟୁନ ଚାଳିଶିଟି ପରିବାରର ଲୋକ ଆମକୁ ଶଙ୍ଖୁଳି ଲାଗିଲେ । ଧୁନି ଜଳୁଥାଏ । ଜଣେ ଲୋକ ପତ୍ର ଆଣି ଦଳିଲା ଓ ରସ ଟିକେ ରୋଗିଣୀ ନାକରେ ପକାଇ ଦେଲା । ଛଟପଟ ହୋଇ ଖାଲି ଖୋଲିଲା ରୋଗିଣୀ । ତାର ସଂବିତ୍ ଫେରିଲାସିନା, ଏତେ ବଡ଼ ପରିସ୍ଥିତିକି ମୁକାବିଲା କଲାପରି ଜ୍ଞାନ ତାର ଆସିବ କିପରି । ସେ ପୁଣି ଆଖି ବୁଜିଦେଲା । ଜଣେ ମୁଖିଆ ଲୋକ ହେବେ ବୋଧେ, ହାତଠାରି ମତେ ଅନ୍ୟ ଆଡ଼କୁ ଡାକିଲେ ମୁଁ ରୋଗିଣୀକୁ କାନ୍ଧରେ ପକାଇ ତାଙ୍କ ପଛେ ପଛେ ଗଲି ।

 

ତାଙ୍କ କଥାରୁ ଅନୁମାନ କଲି ସେଠି ହିଂସ୍ର ପ୍ରାଣୀମାନେ ରାତ୍ରିରେ ଉପଦ୍ରବ କରନ୍ତି । ସେ ମତେ ଗୋଟାଏ ଛୋଟିଆ ଘରକୁ ନେଇଗଲେ । ସେଠି ଖଣ୍ଡେ ଖଜୁରିଆ ପଟି ପକେଇ ଦେଲେ । ମୁଁ ରୋଗିଣୀକୁ ସେଇଠି ଶୁଆଇ ଦେଲି । ସେମାନେ ଗୋଟାଏ ତୈଳାକ୍ତ ଫଳ ଆଣି ଆଲୋକ ଜାଳି ଦେଲେ । କିଛି ପେଜ ମିଶା ଜାଉଭାତ ବଡ଼ ବଡ଼ ଠୋଲାରେ ଆଣି ଦେଲେ । ନାଉତୁମ୍ବାରେ ପାଣି ଦେଇଥିଲେ । ସେମାନେ ଯେମିତି ଶୀଘ୍ର ଚାଲିଯିବାକୁ ତରତର ହେଉଥିଲେ । ସାରା ଦିନର ଖଟଣି ପରେ ରାତ୍ରିରେ ଗଭୀର ନିଦ୍ରାର ମଉଜ । କେବଳ ମୁଖିଆଟିକୁ ଛାଡ଼ି ସମସ୍ତେ ଚାଲିଗଲେ । ମୁଖିଆକୁ ମୁଁ ରୋଗିଣୀ ପାଇଁ ଦୁଧ ମାଗିଲି । ସେମିତି ଠାରିଠୁରି ବୁଝାଇ ଦେଲି ତାକୁ-। ସେ ଯାଇ ଦୁଧ ଆଣି ଦେଲା । ରୋଗିଣୀ ପାଇଁ ଖଣ୍ଡେ ବସ୍ତ୍ର ଲୋଡ଼ା । ହେଲେ ସେମାନଙ୍କର ପରିଧେୟ ଯାହା ମୁଁ ଦେଖିଲି ତାଙ୍କୁ ବା କଣ ମାଗିବି । ଯୁବତୀକନ୍ୟା ଅଣ୍ଟାରେ ଖଣ୍ଡେ କନା ପିନ୍ଧିଛି ଓ ବେକରୁ ଖଣ୍ଡେ କନା ଝୁଲେଇ ଦେଇଛି । କାହା ଦେହରେ ପୂରା ଲୁଗା ଖଣ୍ଡେ ନାହିଁ । ତଥାପି ମୁଖିଆଟିକୁ ଠାରି ଦେଇଥିଲି ଲୁଗା କଥା । ମୁଖିଆ ଲୋକଟିକୁ ମତେ ଭାରି ଭଲ ଲାଗୁଥିଲା । ସମସ୍ତଙ୍କ ପଛରେ ସେ କାନ୍ଧରେ ଟାଙ୍ଗିଆଟା ଝୁଲାଇ ଧୀରେ ଧୀରେ ଚାଲିଗଲା-। କହିଗଲା ଭଲକରି କବାଟ ବନ୍ଦ କରିବାକୁ । ମୁଁ ଖୁବ୍ କ୍ଲାନ୍ତ ଥିଲି । ଫଳ ଗୁଡ଼ିକ ଜଳି ଜଳି ଶେଷ ହୋଇ ଆସିଥିଲା । ରୋଗିଣୀ ନିଘୋଡ଼ ନିଦରେ ଶୋଇଛି । ଆଉ ତାକୁ ଉଠେଇ ଦୁଗ୍‌ଧପାନ କରାଇବାର ଧୈର୍ଯ୍ୟ ମୋର ନ ଥିଲା ରୋଗିଣୀ ନିକଟରେ ତଳେ ସେମିତି ଶୋଇ ପଡ଼ିଲି ।

 

ରୋଗିଣୀର କାନ୍ଦଣା ସ୍ୱରରେ ମୋ ନିଦ ଭାଙ୍ଗିଲା । ରାତି ପ୍ରାୟ ପାହି ଆସୁଥାଏ । ପାହାନ୍ତା ପ୍ରହର ହେବ । ରୋଗିଣୀର ଶ୍ୱାସ ପ୍ରଶ୍ୱାସ ଭଲଭାବରେ ବାରି ହେଉଥାଏ । ସେଇ ଅନ୍ଧାରିଆ ଭିତରେ ବି ମୁଁ ତାକୁ ଚାହିଁଲି ଦେଖିବାକୁ । ସେ କାନ୍ଦୁଥିଲା । ଦୁଇ ଆଣ୍ଠୁ ସନ୍ଧିରେ ମୁହଁକୁ ମାଡ଼ି ଦେଇଥିଲା । ତା କାନ୍ଦଣା ବନ୍ଦ କରିବାକୁ ମୁଁ ତାକୁ ହଲେଇ ଦେଲି । ସେ ମତେ ମୁହଁ ଉଠେଇ ଚାହିଁଲା ନାହିଁ । ବରଂ ଆହୁରି କାନ୍ଦିଲା । ମୁଁ କହିଲି ‘‘କାନ୍ଦୁଛ କାହିଁକି ? ମୁଁ ତୁମକୁ ନଦୀଗର୍ଭରୁ ଉଦ୍ଧାର କଲି । ବର୍ତ୍ତମାନ ତମର ସଂଜ୍ଞା ଫେରି ଆସିଲାଣି । ମୁଁ ତମକୁ ନେଇ ତୁମ ଘରେ ଛାଡ଼ି ଦେବି ।’’ ସେ କିନ୍ତୁ ପୁଣି କାନ୍ଦିଲା । ତା ପାଟିରେ ହାତଦେଇ ତା କାନ୍ଦ ବନ୍ଦ କରିବାକୁ ଚେଷ୍ଟା କଲି । ମୁଁ କହିଲି ‘‘ସେମିତି କାନ୍ଦିଲେ ଏଠିକା ଲୋକେ ଆମକୁ କଣ ଭାବିବେ । ସେମାନେ ଖୁବ୍ ସକାଳୁ ଉଠନ୍ତି । ବୋଧେ ଉଠି ସାରିବେଣି । ତୁମ କାନ୍ଦଣା ଶୁଣିଲେ କଣ କହିବେ ? ତୁମର ଆଉ କାନ୍ଦିବାର କଣ ଅଛି ?’’

 

ମୋ ହାତକୁ ଜାବୁଡ଼ି ଧରି କାନ୍ଦି କାନ୍ଦି ସେ କହିଲା ‘‘ହେ ଦେବାତ୍ମା, ମତେ ନଦୀରୁ କାହିଁକି ଉଦ୍ଧାର କଲ ? ତମ ହାତ ଧରୁଛି, ମତେ ପୁଣି ସେ ନଦୀରେ ଭସାଇ ଦିଅ ।’’ ତାର କଣ୍ଠ ରୁଦ୍ଧ ହେଲା । ମୋ ଆଖି ବି ଛଳ ଛଳ ହେଲା । ମୁଁ କହିଲି ‘‘ମରୁ ମରୁ ବଞ୍ଚିଗଲ ବୋଲି ପୁଣି ମରିବାକୁ ଚାହୁଁଛ । କାହିଁକି ? ତମେ କଣ ଆତ୍ମହତ୍ୟା କରୁଥିଲ ।’’ ସେ କହିଲା ‘‘ନାଁ, ନ କରିଥିଲେ ମଧ୍ୟ କରିଥାନ୍ତି, ତମକୁ ସେସବୁ କହି ଲାଭ ନାହିଁ । ଦୟାକରି ମତେ ଛାଡ଼ିଦିଅ । ମୁଁ ସେଇ ନଦୀ ଗର୍ଭରେ ଲୀନ ହୋଇଯିବି ।’’ ସେ କଇଁ କଇଁ ହୋଇ କାନ୍ଦିଲା । ମୁଁ ତା ଆଖିରୁ ଲୁହ ପୋଛି ତାକୁ କାନ୍ଦିବାକୁ ବାରଣ କଲି । ବିଚାରୀ ଅଭାଗିନୀଟାଏ ହୁଏତ । ମୁଁ କହିଲି ‘‘ଏତେ ଛୋଟ ବୟସରୁ ତମର ଜୀବନ ପ୍ରତି ଏତେ ବିତୃଷ୍ଣା କାହିଁକି ? ମୁଁ ବଡ଼ କଷ୍ଟରେ ତମକୁ ଉଦ୍ଧାର କରିଛି । ତମ ବିଷୟରେ ଟିକେ ଜାଣିବାକୁ ଦିଅ ।’’

 

ଦୁଃଖରେ ସେ ଅଧୀରା ହୋଇ ପଡ଼ିଥିଲା । ମତେ ବଲବଲ କରି ଚାହିଁଲା ଓ କହିଲା ‘‘ଆହା ମୋ ପରି ଗୋଟିଏ ଅଭାଗିନୀ ପାଇଁ ଏତେ କଷ୍ଟ କରଣ କଲେ କାହିଁକି ? ତୁମ ବିଷୟରେ ମୁଁ ବା କଣ ଜାଣେ....ମୁଁ ମୋର ପରିଚୟ ଦେବାକୁ ଯାଇ କହିଲି ‘‘ମୁଁ ତୁମ ଗ୍ରାମ ନିକଟରେ ଥିବା ଜଟାୟୁଧ ପର୍ବତର ବଙ୍ଗଳାରେ ରହେ । ମୁଁ ବାଉଁଶ କମ୍ପାନୀର ମ୍ୟାନେଜର ।’’ ଏତିକି ଶୁଣୁ ଶୁଣୁ ସେ ଟିକିଏ ମୋ ନିକଟରୁ ଦୂରକୁ ଘୁଞ୍ଚିଗଲା । ସେ କହିଲା ‘‘ବୁଝିଲି, ତମେ ଜଣେ ଫିରିଙ୍ଗୀ ନାଁ । ତୁମକୁ ଛୁଇଁ ମୁଁ ତ ମାରା ହୋଇଗଲି । ଆଉ ଘରକୁ ଫେରିବି କେମିତି । ମୋ ଗାଁ ଲୋକେ ତମ ସହିତ ମତେ ଦେଖିଲେ ତମକୁ ବି ପ୍ରାଣରେ ମାରିଦେବେ । ମୋ ଦଶା କଣ ହେବ ସେ କଥା ମୁଁ ଚିନ୍ତା କରି ପାରୁ ନାହିଁ । ମୋର ଜାତି ତ ଗଲା । ଘରେ ଆଉ ମୋର ସ୍ଥାନ ନାହିଁ । ତୁମେ ମତେ ବଞ୍ଚାଇଲ କାହିଁକି ? କି ଲାଭ ହେଲା କାହାର ।’’

 

ମୁଁ କହିଲି ‘‘ଭୟ କରାନା, ମୁଁ ଫିରିଙ୍ଗୀ ନୁହେଁ । ତମ ଗାଁ ନିଶ୍ଚୟ ଏଠୁ ଅନେକ ଦୂର ହୋଇ ନଥିବ । ମୁଁ ତମକୁ ଏଠି ଛାଡ଼ି ଦେଇ ଯାଉଛି, ତମ ଗାଁରେ ତମ ଖବର ପହଞ୍ଚାଇ ଦେବି । ତା ହେଲେ ତମ ଲୋକମାନେ ଆସି ତମକୁ ଉଦ୍ଧାର କରିବେ ।’’

 

ଏକ ଅସହାୟ ଶିଶୁ ପରି ପୁଣି ସେ କାନ୍ଦିଲା । ମୁଁ ବିବ୍ରତ ହୋଇ ପଡ଼ିଲି । କବାଟରେ କରାଘାତ ହେଲା । ତାକୁ ନ କାନ୍ଦିବାକୁ ନିର୍ଦ୍ଦେଶ ଦେଇ ଦ୍ୱାର ଖୋଲିଲି । ମୁଖିଆ ଲୋକଟି ହାତରେ ଖଣ୍ଡେ ନାଲି ରଙ୍ଗର ଛୋଟିଆ କସ୍ତା ଧରି ଆସିଛି । କସ୍ତାଟି ଛିଣ୍ଡା ବୋଲି ମନେ ହେଲା । ମୁଁ ତା ହାତରୁ କସ୍ତା ନେଇ ରୋଗିଣୀକୁ ଦେଲି । ବିଚାରୀ ବ୍ୟାକୁଳ ଭାବରେ ଶରୀରକୁ ଆବୃତ୍ତ କରି ପକେଇଲା । ମୁଖିଆର ସାହାଯ୍ୟରେ ଆମେ ନିତ୍ୟକର୍ମ ସମାପ୍ତ କରି ଆସିଲୁ । ଆମ ବିଷୟରେ ସେମାନଙ୍କୁ କିଛି ବି ଜଣାଇ ପାରୁ ନଥିଲି । କେବଳ ଠାର ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ।

 

ମୁଖିଆ ଚାଲିଗଲା କ୍ଷଣି ମୁଁ ସେ ରୋଗିଣୀକୁ ପଚାରିଲି ‘‘ତମ ନାଁ କଣ ?’’ ସେ କହିଲା ‘‘ନାଁରୁ କଣ ପାଇବ ।’’ ମୁଁ ପ୍ରକୃତରେ ତାକୁ କଣ ବୋଲି ସମ୍ବୋଧନ କରିବି ଭାବୁଥିଲି । ପୁଣି ସେ କହିଲା ‘‘ମୋ ନାଁ ସୁଷମା ।’’ ମୁଁ ତାର ଝାଉଁଳି ପଡ଼ିଥିବା ମୁହଁକୁ ଚାହିଁଲି । ନାଁଟା ପ୍ରକୃତରେ ତାକୁ ମାନୁଥିଲା । ହଠାତ୍ ସେ କହିଲା ‘‘ଫିରିଙ୍ଗୀବାବୁ । ଏଠି ଆଉ ଏମିତି ବସି ରହିଲେ କଣ ହେବ ।’’

 

ତାକୁ କଣ ଉତ୍ତର ଦେବି ଚିନ୍ତା କରୁଥିଲି । ସେ ଦୂରନ୍ତ ଅଭିମାନୀ ଝିଅଟାକୁ ନେଇ କଣ କରିବାକୁ ହେବ ତା ମୁଁ ବୁଝିପାରୁ ନ ଥିଲି । ତାକୁ କି ପ୍ରକାର ଅନୁନୟ କରିବି ଜାଣେନା । ମୁଁ ବା ତାକୁ କାହିଁକି ଅନୁନୟ କରିବି । ସେ ତାର କଣ କରିବ କରୁ । ପୁଣି ସେ କହିଲା ‘‘ଫିରିଙ୍ଗୀବାବୁ ମତେ ତମେ ଛାଡ଼ିଦିଅ । ମୁଁ ମୋ ବାଟରେ ଚାଲିଯିବି ।’’ ହଠାତ୍ ମୋର ଏମିତି ନାଁଟାଏ ସେ ଆବିଷ୍କାର କରି ପକାଇଲା । ତାଠୁ ମୋର ଏ ଅଦ୍ଭୁତ ନାଁଟା ଶୁଣି ଚମକି ପଡ଼ିଲି । ମୁଁ କହିଲି ‘‘ତମକୁ ମୁଁ ଛାଡ଼ି ଦେଉଛି କେବଳ ତମର ମଙ୍ଗଳ ପାଇଁ । କିନ୍ତୁ ତମେ ଏକାକୀ ଯାଇ ପାରିବତ ।’’ ସେ ଶୁଷ୍କ ଭାବରେ କହିଲା ‘‘ଯିବ ଆଉ କୁଆଡ଼େ ।’’

 

ପିଲାମାନେ ପୁଣି ଆମକୁ ଜାଉ ଆଣିଦେଲେ । ମୁଁ ଭୋକରେ ଆତୁର ଥିଲି । ଖାଇଦେଲି । ସୁଷମାର ଜାଉ ସେମିତି ରହିଥାଏ । ମୁଁ ତାକୁ ଜାଉ ଅନୁରୋଧ କଲି । ସେ କହିଲା ‘‘ମୁଁ ବ୍ରାହ୍ମଣ କନ୍ୟା, ଏମାନଙ୍କ ଘରୁ ମୁଁ ଖାଇବି କିପରି । ତୁମେ ବରଂ ଏତକ ଖାଇଦିଅ’’ ମୁଁ କହିଲି ତମେ ତେବେ ଖାଇବ କଣ । କଣ ଉପାସ ରହିବ’’ । ସେ କହିଲା ‘‘ନାଁ, ଏମାନଙ୍କୁ ଫଳ ମାଗି ଖାଇବି’’ । ସେ ଠାରଠୂରି ଫଳ ମାଗିଲା । ସମ୍ଭବତଃ ସେ କନ୍ଧ ଭାଷାରୁ ପଦେ ଅଧେ କହି ପାରୁଥିଲା । ମୁଁ ଜାଉ ଖାଲିଦେଲି । ଆଉ ସେ ଫଳ ଅପେକ୍ଷାରେ ରହିଥିଲା । ମୁଁ ତାକୁ କହିଲି ‘‘ମୁଁ ବର୍ତ୍ତମାନ ମୋ ବଙ୍ଗଳାକୁ ଖୋଜିବାକୁ ବାହାରି ଯାଉଛି । ତମେ ଅପେକ୍ଷା କରିଥିବ । ତମର ଲୋକ ଆସିବା ଯାଏ ।’’ ମୁଁ ଯେମିତି ଉଠି ଠିଆ ହେଲି । ସେ ମୋ ହାତ ଦୁଇଟାକୁ ଧରିନେଇ କାନ୍ଦି ଉଠିଲା । କହିଲା ‘‘ମୁଁ ଆଉ ଗାଁକୁ ଫେରିବିନି ଫିରିଙ୍ଗୀବାବୁ’’ । ତାକୁ ବାରଣ କରି ପଚାରିଲି ‘‘ତାହେଲେ, କଣ କରିବା ତମେ ନିଜେ କୁହ ।’’ ସେ କହିଲା ‘‘ମୋ ପାଇଁ ଆତ୍ମହତ୍ୟା ବ୍ୟତୀତ ଆଉ କିଛି ବାଟ ନାହିଁ ।’’

 

ସେ ଅବୁଝା ଅସ୍ଥିର ଝିଅଟାକୁ ବୁଝାଇ ସୁଝାଇ ବସାଇଲି । ତା ପାଖରେ ବସି ଆଶ୍ୱାସନା ଦେଲି । ସେ ଆରମ୍ଭ କଲା ତାର ଜୀବନର କରୁଣ କାହାଣୀ–ସେ ଥିଲା ତା ପିତାଙ୍କର ପ୍ରଥମ ପତ୍ନୀଙ୍କ କନ୍ୟା । ତା ମା’ ମରିଯିବାରୁ ପିତା ପରେପରେ ଆଉ ଦୁଇଟି ପତ୍ନୀ ମଧ୍ୟ ବିବାହ କରିଥିଲେ । ବର୍ତ୍ତମାନ ତୃତୀୟ ପତ୍ନୀ ଜୀବିତ । ବିମାତାଙ୍କ ଚକ୍ରାନ୍ତରେ ତାକୁ ବାଲ୍ୟ ବିବାହ କରି ଦିଆଯାଇଥିଲା । ତାର ସ୍ୱାମୀ ମଧ୍ୟ ଥିଲେ ଚତୁର୍ଥ ପକ୍ଷ । ପ୍ରଚୁର କନ୍ୟା ସୁନା ଲୋଭ ଦେଖାଇ ସେ ମଧ୍ୟ ବୃଦ୍ଧ ବୟସରେ ବିବାହ କରିଥିଲେ । ଦୁର୍ଭାଗ୍ୟକୁ ସେ ହେଲା ବାଲ୍ୟ ବିଧବା । ହିନ୍ଦୁ ଧର୍ମର ପ୍ରଚଳିତ ନୀତି ଓ ବ୍ରାହ୍ମଣ ସମାଜର କଡାକଡ଼ି ନିୟମ ପାଇଁ ଉଚ୍ଚ ବର୍ଣ୍ଣର ସେ ନାରୀ ଦ୍ୱିତୀୟଥର ବିବାହ କରନ୍ତା ବା କିପରି ?

 

ସମୟ ଗଡ଼ିବା ସାଙ୍ଗେ ସାଙ୍ଗେ ବିମାତାଙ୍କର ସେ ଚକ୍ଷୁଶୂଳ ହୋଇ ପଡ଼ିଥିଲା । ବିମାତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ତିନିଟି ସନ୍ତାନଙ୍କର ଅକାଳ ବିୟୋଗ ହେଲା । ସବୁ ଦୋଷ ପଡ଼ିଲା ତାରି ଉପରେ । ସେ ଅଲକ୍ଷଣୀକୁ ଘରେ ଆଶ୍ରୟ ଦେବାରୁ ସବୁ ବିପତ୍ତି ଘଟୁଛି । ତେଣୁ ତାକୁ ତାର ଶାଶୁ ଘରକୁ ବିଦା କରିବାକୁ ବିମାତା ଅନେକ ପ୍ରକାର ଚେଷ୍ଟା କରିଥିଲା । କିନ୍ତୁ ସୁଷମା ଆଦୌ ରାଜି ହେଉ ନଥିଲା । କାରଣ ତାର ଥିଲା ଗୋଟିଏ ଲମ୍ପଟ ବୟୋଜ୍ୟେଷ୍ଠ ଦିଅର । ବେଳେ ବେଳେ ସେ ସୁଷମାକୁ ନେବାକୁ ଫିକର ମଧ୍ୟ କରୁଥିଲା । ତାଛଡ଼ା ସୁଷମାର ବୃଦ୍ଧ ସ୍ୱାମୀଙ୍କର ପୁତ୍ରମାନେ ମଧ୍ୟ ଥିଲେ । ସୁଷମାକୁ ପ୍ରତ୍ୟହ ବିମାତାଙ୍କ ନିର୍ଯ୍ୟାତନା ସହ୍ୟ କରିବାକୁ ବି ପଡ଼ୁଥିଲା । କିନ୍ତୁ ଏଥର ସୁଷମା ଠିକ୍‌ କରି ଦେଇଥିଲା ଯେ ସେ ଆତ୍ମହତ୍ୟା କରିବ । ବିମାତାଙ୍କ ଚକ୍ରାନ୍ତରେ ଯଦି ଦିଅର ଆସି ପୁଣି ଅଭିନୟ ଆରମ୍ଭ କରିବେ ସେ ଆତ୍ମହତ୍ୟା କରିଦେବ । ନ କରିବ ବା କାହିଁକି । ତାର ଏ ଜୀବନ ପୂରାପୂରି ନିରର୍ଥକ । ସେ ଶିଶୁର ଜନନୀ ନୁହେଁ, ସ୍ୱାମୀର ପତ୍ନୀ ନୁହେଁ, ପିତା ମାତାଙ୍କର କନ୍ୟା ନୁହେଁ–ସେ ଏକ ଏକକ । ସେ କାହିଁକି ତେଣୁ ବସି ରହିବ ଏ ପୃଥିବୀର ମିଶାଣ ଫେଡ଼ିବାର ହିସାବ ନିକାଶ କରିବାକୁ ।

 

ନିଜକୁ ରକ୍ଷା କରିବାକୁ ସେ ରାତି ନ ପାହୁଣୁ ହିଂସ୍ର ପ୍ରାଣୀଙ୍କ ଭୟ ସତ୍ୱେ ନଦୀ ଘାଟକୁ ଯାଇ ସ୍ନାନ କରିଥାଏ । ସେଦିନ ସେ ପ୍ରତିଦିନ ପରି ସହଳ ସହଳ ଆସି ନଦୀ ଧାର ନିକଟରେ ଗୋଟିଏ ପଥର ଉପରେ ଠିଆ ହୋଇ ଦାନ୍ତ ଘଷୁଥିଲା । ପାଦତଳେ ବହି ଯାଉଥିଲା ନଦୀଧାର । ସେ ଜଣେ ନା କିଏ ତାକୁ ଠେଲି ଦେଲା ନଦୀ ଗର୍ଭକୁ । ସେ ଜାଣେନା ତା ପରେ ତାର କଣ ହୋଇଛି ।

 

ମୋ ଚକ୍ଷୁ ବି ଅଶ୍ରୁଳ ହୋଇ ପଡ଼ିଥିଲା । ମୁଁ ମଧ୍ୟ ସୁଷମା ପାଇଁ କୌଣସି ନିଷ୍ପତ୍ତି କରିପାରିଲି ନାହିଁ । ମୁଁ ଠିକ୍ କଲି ସୁଷମାର ସେଠିକୁ ବର୍ତ୍ତମାନ ପରିସ୍ଥିତିରେ ଫେରିଯିବା ଉଚିତ୍ ନୁହେଁ । ତେବେ ସୁଷମା କଣ କରିବ ? ଉତ୍କଳ ବ୍ରାହ୍ମଣ ସମାଜ ଆଗରେ ଫିରିଙ୍ଗୀ ନାମରେ ପରିଚିତ ମୁଁ ତା ପାଇଁ କଣ ବା କରିପାରେ । ମୋ ମା’ଙ୍କ ପାଖକୁ ତାକୁ ନେଇ ଯିବାକୁ ସ୍ଥିର କଲି । ସେ ମୋ ପ୍ରସ୍ତାବକୁ ଗ୍ରହଣ କରିଥିଲା । ମୁଁ କହିଥିଲି ‘‘ମୋ ମା କଲିକତା ନିକଟରେ ରହନ୍ତି । ତୁମକୁ ନେଇ ତାଙ୍କ ଜିମା କରି ଦେବି ଭାବୁଛି ।’’ ସେ ମୌନ ରହି ସମ୍ମତି ଜଣାଇଲା ।

 

ଦିନସାରା ପଲ୍ଲୀଟା ଶୂନ୍‌ଶାନ୍‌ ହୋଇ ପଡ଼ିଥାଏ । ପିଲାଗୁଡ଼ା କୁଆଡ଼େ ବୁଲି ଚାଲି ଯାଇଥାନ୍ତି । ସ୍ଥାନଟାର ଭୌଗାଳିକ ଅବସ୍ଥିତି ଜଣାପଡ଼ୁ ନ ଥାଏ । କେମିତି ଉପାୟରେ ଯିବାକୁ ହେବ ତା ବି ଜାଣି ହେଉ ନ ଥାଏ ।

 

Unknown

ମୁଖିଆ ଲୋକଟିକୁ ଅପେକ୍ଷା କରିକରି ନିରାଶ ହେଲି । ଦିନସାରା ତାର ଦେଖା ନାହିଁ । ଆଜି ତାଙ୍କର ଚଇତ୍ର ପର୍ବ ହେବ ବୋଲି ସୁଷମା କହୁଛି । ସେଥିପାଇଁ ତାଙ୍କର ତତ୍ପରତାର ସୀମାନାହିଁ । ଉତ୍ସବ ପାଇଁ ଫଳ ଓ ମାଂସ ଯୋଗାଡ଼ କରିବାକୁ ବୋଧେ ଧାଙ୍ଗଡ଼ାମାନେ ଚାଲି ଯାଇଛନ୍ତି । ଦିନଟି ନିରର୍ଥକ ରୂପେ କଟିଗଲା ଆମର । ରାତ୍ରି ହେଲାକ୍ଷଣି ଜଳିଲା ନିଆଁ । ଚାଙ୍ଗୁ ବାଜିଲା । ଆରମ୍ଭ ହେଲା ଧାଙ୍ଗଡ଼ା ଧାଙ୍ଗଡ଼ି ନାଟ । ଛୋଟ ପିଲାଗୁଡ଼ା ସାରାଦିନ ଶିକାର କରି ଆଣିଥିବା ଏଣ୍ଡୁଅ, ମୂଷା ଛୁଆ, ଟିକିଟିକି ଚଢ଼େଇ ଗୁଡ଼ାକ ନିଆଁରେ ପୋଡ଼ୁଥାନ୍ତି । ସୁଷମାକୁ ବାନ୍ତି ଲାଗୁଥାଏ । ମୁଁ ସେ ଉପଭୋଗ୍ୟ ନୃତ୍ୟ ଦେଖି ଆନନ୍ଦରେ ବିଭୋର ହୋଇ ପଡ଼ିଲି ।

 

ଦୁଇଜଣ କନ୍ଧନାରୀ ଆସି ଆମ ଦୁଇଜଣଙ୍କ ମୁଣ୍ଡରେ ହଳଦୀ ବୋଳିଲେ । ତା ପରେ ସିନ୍ଦୂର ଲଗାଇ ଦେଲେ । ତାପରେ ଆମ ଦି ଜଣଙ୍କୁ ସାଙ୍ଗରେ ଧରି ଚାଲିଲେ ଟିକିଏ ଆଗକୁ । ଏକ ବିରାଟ ପର୍ବର ଆୟୋଜନ ଚାଲିଥାଏ । କଳା କଳା ଦଳ ଦଳ ମଣିଷ, କେଜାଣି କେତେଆଡ଼ୁ ଆସି ରୁଣ୍ଡ ହୋଇଥାନ୍ତି । ଗୋଟିଏ ପଥରର ନାରୀମୂର୍ତ୍ତି । ଜାଣିଲି ତାଙ୍କ ନାଁ ବନଦୁର୍ଗା ବୋଲି । ସେଇ ଦେବୀ ମୂର୍ତ୍ତି ନିକଟରେ ଗୋଟିଏ କୁଣ୍ଡରେ ନିଆଁ ଜଳୁଥିଲା । ଜଣେ କନ୍ଧ ପଣ୍ଡିତ ଆହୂତି ଦେଉଥାଏ ମରା ହୋଇଥିବା ପଶୁଙ୍କ ରକ୍ତର ଆହୂତି । ଏପରି ଏକ ବିଚିତ୍ର ଦୁର୍ଗନ୍ଧ ବୋଧେ ଆଗରୁ କେବେ ଅନୁଭବ କରି ନ ଥିଲି । ହାଣ୍ଡିଆ ଖାଇବା, ସେଦିନ ସମସ୍ତଙ୍କ ପାଇଁ ମୁକ୍ତ । ପିଲାଗୁଡ଼ା ଠୋଲା ଠୋଲା କରି ନେଇ ଯାଇ ପିଇ ଦେଉଥିଲେ । ମତେ ଦୁଗର୍ନ୍ଧଟା ଭାରି ଅସହ୍ୟ ଲାଗୁଥାଏ । ଏଇ ମୁକ୍ତ କାନନରେ ସମସ୍ତେ ମୁକ୍ତ ।

 

ଆମ ଦୁଇ ଜଣଙ୍କୁ ଦେବୀଙ୍କ ଆଗରେ ଠିଆ କରାଯାଇ ଦୁଇଟିମାଳ ପିନ୍ଧାଇ ଦିଆଗଲା-। ତାର କୌଣସି ଅର୍ଥ ମୁଁ ଜାଣି ପାରିଲି ନାହିଁ । କିନ୍ତୁ ସୁଷମା ହୁଏତ କିଛି ଅନୁମାନ କରୁଥିଲା । ଆମେ ଠାକୁରାଣୀଙ୍କ ଆଗରେ ସେମିତି ଠିଆ ହୋଇ ରହିଲୁ–ରକ୍ତର ପୋଡ଼ା ଗନ୍ଧରେ ପରିସ୍ଥିତି ଆହୁରି ଅସହ୍ୟ ଲାଗୁଥାଏ । ସୁଷମାର ଦୁର୍ବଳ ଦେହ ଥରୁଥାଏ । ମୁଁ କିଛି ବୁଝୁଛି କି ନାହିଁ ସେ ଜାଣି ପାରୁ ନ ଥାଏ । କନ୍ଧଙ୍କ ନରବଳି କଥା ମୁଁ ଶୁଣିଥିଲି । ହେଲେ ବର୍ତ୍ତମାନ ଉପାୟ କଣ ଅଛି ।

 

ଆମ ହାତକୁ ବାନ୍ଧି ଦିଆଗଲା । କୁଣ୍ଡ ନିକଟରେ ଆମକୁ ଠିଆ କରାଗଲା । ମନେ ମନେ ଦେବୀଙ୍କୁ ପ୍ରଣାମ କଲି । ୟା ପୂର୍ବରୁ ହୁଏତ କେବେ ହିନ୍ଦୁ ଠାକୁରଙ୍କ ନିକଟରେ ଏପରି ପ୍ରଣତି ବାଢ଼ି ନାହିଁ । ମୋର ପରିବେଶ ସେମିତି ନ ଥିଲା । ସୁଷମା ଦେବୀଙ୍କୁ ପ୍ରଣତି କରି ପ୍ରାର୍ଥନା କରିବାରେ ଲାଗିଲା । ବନଦୁର୍ଗାଙ୍କ ଶରୀରରୁ ଖସି ଆସିଲା ମାଳାଟିଏ । ଆମେ ବୁଝିଗଲୁ ଯେ ମୃତ୍ୟୁ ଅବସ୍ୟମ୍ଭାବୀ । ବାରମ୍ବାର ବନଦୁର୍ଗାଙ୍କୁ ପ୍ରଣତି ବାଢ଼ିଲି । ମୁଖିଆଟି ପ୍ରଚୁର ମଦ ଖାଇ ଅଳ୍ପ ଦୂରରେ ବାନ୍ତି କରୁଥିଲା । ହଠାତ୍ ନଦୀ ବକ୍ଷରୁ ଉଠି ଆସିଲା ଝଡର ଝଙ୍କାର । କୁଣ୍ଡରେ ଅଗ୍ନି କଣିକା ଉଡ଼ିବାକୁ ଲାଗିଲା । ବନଭୂମି ସାଇଁ ସାଇଁ ଗର୍ଜି ଉଠିଲା । ଧୂଳିକଣାରେ ପୂର୍ଣ୍ଣ ହୋଇଗଲା ଚିତୁର୍ଦ୍ଦିଗ । ସମବେତ ଜନତା ଛତ୍ରଭଙ୍ଗ ଦେଲେ । ସୁଷମାକୁ ନେଇ ବନଦୁର୍ଗାଙ୍କ ପଛ ଆଡ଼କୁ ଗଲି-। ପରସ୍ପର ବନ୍ଧନ ମୁକ୍ତ କଲୁ । ମୁଁ କହିଲି ସୁଷମା, ପବନ ନିଶ୍ଚୟ ନଦୀ ଆଡ଼ୁ ଆସୁଛି । ସାବଧାନରେ ଆସ ନ ହେଲେ ସେମାନେ ଆମକୁ ଧରି ନେବେ ।

 

ଆମେ ବନ ଭିତରେ ଲୁଚି ଲୁଚି ବଡ଼ କଷ୍ଟରେ ନଦୀ ନିକଟରେ ପହଞ୍ଚିଲୁ । ମା ବନଦୁର୍ଗାଙ୍କ ପ୍ରଣାମ ଜଣାଇଲୁ । ଆମର ସେ ଛୋଟ କୁଡ଼ିଆଟି ଭେଳା ସହିତ ନଦୀ ଘାଟରେ ବନ୍ଧା ହୋଇ ରହିଥିଲା । କାଳବିଳମ୍ବ ନ କରି ମୁଁ ସେ ଭେଳାକୁ ଠେଲି ଆଣିଲି । ସୁଷମାକୁ ଭେଳାରେ ଉଠାଇ ଦେଇ ସେଇ ଅନ୍ଧକାର ଭିତରେ କାତମାରି ଭେଳା ବାହ ଦେଲି । ଅନ୍ଧାରୁଆ ନଦୀ ବକ୍ଷରେ କେଉଁ ଅଜଣା ସ୍ରୋତରେ ଆମେ ଭାସିଗଲୁ । ସେଇ ପବନରେ ଅନ୍ଧାର ଭିତରେ ସୁଷମା ଭେଳାରେ ବସିଥାଏ ନିଷ୍ପ୍ରାଣ ହୋଇ । ଆମେ କେତେ ଦୂରକୁ ଭାସିଗଲୁ କହି ହେବ ନାହିଁ । ତଥାପି ବେଶ୍ ରାତିଏ ପଥ ଆମେ ଅଙ୍କା ବଙ୍କା ନଦୀ ଗର୍ଭରେ କୌଣସି ମତେ ଚାଲି ଯାଇଛୁ ।

 

ଝଡ଼ କମି ଆସିଲା । ଆକାଶ ନିର୍ମଳ ଦିଶିଲା । ପୂର୍ଣ୍ଣମୀ ତିଥିର ଜହ୍ନ ନିର୍ମେଘ ଆକାଶରେ ହସି ଉଠିଲା । ମୁଁ ଆଉ ଭେଳାଟିରେ କାତ ନ ମାରି ସ୍ଥିର ହୋଇ ବସି ରହିଲି । ବିଶ୍ରାମ ଲୋଡ଼ା । ମୁଁ କହିଲି ସୁଷମା କୁଡ଼ିଆରେ ଟିକିଏ ବିଶ୍ରାମ କଲେ ହୁଅନ୍ତା ନାହିଁ । କେତେ ପାଣି ପବନ ଖାଇବ ଆଉ । ସେ କେବଳ ଭୟରେ ଥରୁଥିଲା । ତା ହାତ ଧରି କୁଡ଼ିଆ ଭିତରକୁ ନେଲି । ତା ପାଟିରୁ ପଦଟିଏ ବି କଥା ବାହାରୁ ନ ଥାଏ । ବିଛା ହୋଇଥିବା ନଡ଼ା ଉପରେ ଆମେ ଗଡ଼ିବାକୁ ଚେଷ୍ଟା କଲୁ । ସେ କହିଲା ‘‘ମା ବନଦୁର୍ଗା ଦୁର୍ଗତି ତାରିଣୀ । ମା’ ପରି ଆମକୁ ଉଦ୍ଧାର କଲେ । ନ ହେଲେ...ତମେ ମୋ ପାଇଁ ଏତେ କଷ୍ଟ ବରଣ କଲ । କିନ୍ତୁ ମୁଁ ତମର କଣ କରିପାରିବି...’’

 

ମୁଁ ଦୁଃଖରେ ବି ହସିଲି । କହିଲି ‘‘ମା ବନଦୁର୍ଗା ତୁମକୁ ମତେ ସମର୍ପଣ କଲେ । ଏତିକି କଣ ବୁଝି ପାରିଲି ନାହିଁ ସୁଷମା ? ହେଲେ ତୁମେ କଣ ଫିରିଙ୍ଗୀ ବାବୁକୁ ବରଣ କରି ପାରିବ । ତମେ ତ ବ୍ରାହ୍ମଣ କନ୍ୟା...

 

ମୋ କଥା ନ ସରୁଣୁ ପଣ୍ଡିତ ବ୍ରାହ୍ମଣ କନ୍ୟା ବନଦୁର୍ଗାଙ୍କୁ ସ୍ମରଣ କରି ରାତ୍ରିର ସେ ନୀରବ ମୁହୂର୍ତ୍ତରେ ସେଇ କମନୀୟ ରୂପଶ୍ରୀ ମଧ୍ୟରେ ନିଜ ବେକରୁ ବନଫୁଲ ମାଳ କାଢ଼ି ମୋ ବେକରେ ଲମ୍ବାଇ ଦେଲା ଏବଂ ଏକ ବୈଦିକ ନାରୀପରି ମୋର ପାଦଧରି ପ୍ରଣାମ କଲା । ଦୁଇଟି ଆତ୍ମାର ମଧୁର ମିଳନରେ ସମାଜ, ଜାତି, ପରିସ୍ଥିତି, ଦେବତା ସମସ୍ତେ ରହିଗଲେ ପଛରେ । ଆକାଶରେ ଅଜଣା ତିଥିର ଜହ୍ନି ହସି ଉଠିଲା । ଭେଳା ଭାସୁଥିଲା ।

 

ବନପକ୍ଷୀଙ୍କ କାକଳିରେ ନିଦ ଭାଙ୍ଗିଲା । ପ୍ରଭାତର ଅନୁଜ୍ଜଳ ଆଲୋକରେ ବନଭୂମିକୁ ଚାହିଁଲି । ସ୍ତରୀଭୂତ ଶୀଳାରେ ପଥକାଟି ଝରଣାର ସ୍ୱଚ୍ଛ ଧାରଟିଏ ବହି ଯାଉଥିଲା । ତାର ଦୁଇଧାରରେ ଧାଡ଼ି ଅନାବନା ଫୁଲଗଛ । ଆଉ ତାରି ଭିତରେ ବିଚିତ୍ର ବନପକ୍ଷୀଙ୍କର ଶୋଭାଯାତ୍ରା-। ମିଥୁନ ଉନ୍ମତ୍ତ ଚକ୍ରାୟୁଧ ଓ କେକା କେକୀ, ଅନାମିକା ପକ୍ଷୀକୂଳ, ଖେଚର ବାନର-। କେଉଁ ସ୍ମରଣାତୀତ ମାନବ ଜାଣି ଶୁଣି ତାର ପ୍ରତିରୋଧ କରେ କାହିଁକି ? ପ୍ରତିକୂଳ ଚିନ୍ତାରେ କଣ ଆନନ୍ଦ ମିଳେ ତାକୁ ।

 

ସୁଷମାର ଆରକ୍ତ ମୁଖ ମଣ୍ଡଳରେ ନେସି ହୋଇଛି ମେଞ୍ଚାଏ ଅବିର । ପ୍ରକୃତି ଦେଇଛି ତା ସୀମନ୍ତରେ ସିନ୍ଦୂର ଗାର । ବନଫୁଲର ମୃଦୁ ଗନ୍ଧ ବହି ଆସୁଛି ପ୍ରାଣମନକୁ ଆକୁଳ କରିବାକୁ । ସୁଷମାର ନିଦ୍ରାବି ଭାଙ୍ଗିଯାଇଥିଲା । ସେ କହିଲା ‘‘ଦିନ ହେଲାଣି । କିଏ ଯଦି ଦେଖିବ କଣ କରିବା-? ମତେ ଭାରି ଡର ମାଡ଼ୁଛି ।’’ ମୁଁ ହସି ଉଠିଲି । ମୁଁ କହିଲି ‘‘ଏ ପୃଥିବୀକୁ ମୋର ଆଉ ଭୟ ନାହିଁ ସୁଷମା । ଏ ପୃଥିବୀରେ ମୁଁ ଆଉ ଏକୁଟିଆ ନୁହେଁ । ତୁମେ ଆଉ ଭୟ କରୁଛ କାହାକୁ-।’’ ଗଛରେ ଭେଳା ବାନ୍ଧି ଦେଇ ଆମେ ନିତ୍ୟକର୍ମ ଶେଷ କଲୁ । ସୁନ୍ଦର ଫୁଲଗୁଡ଼ିଏ ତୋଳି ଆଣିଲି-। ସୁଷମାକୁ ଫୁଲରେ ମଣ୍ଡିଦେଲି । ଲୋଭନୀୟ ଅରୁଣାଲୋକରେ ତାର ମିଳନ ମଧୁର ମୂର୍ତ୍ତି ଆହୁରି ମୁର୍ଚ୍ଛନାମୟ ହୋଇ ପଡ଼ିଲା ।

 

ବନରୁ କିଛି ଫଳ ସଂଗ୍ରହ କଲୁ । ଗତ ରାତ୍ରିର ଝଡ଼ରେ କିଛି ମାଛ ଭେଳାକୁ ଡେଇଁ ପଡ଼ିଥିଲେ । ଖାଦ୍ୟ ପ୍ରସ୍ତୁତ କରିବାରେ ବେଶ ଆନନ୍ଦ ଲାଗିଲା । ଶାନ୍ତ ବନଭୂମି କୋଳରେ ଆଉ ଦୁଇଦିନ ବିତିଗଲା । କିନ୍ତୁ ଖାଦ୍ୟାଭାବ ଓ ଅରୁଚି ହେତୁ ବନଭୂମି ଛାଡ଼ିବାକୁ ବାଧ୍ୟ ହେଲୁ । ପୁଣି ଭେଳା ଭାସିଗଲା ତଳକୁ ତଳକୁ । ଆମକୁ ଗନ୍ତବ୍ୟ ପଥରେ ଯିବାକୁ ହେବ । କିନ୍ତୁ ଅଙ୍କା ବଙ୍କା ପଥଦେଇ ସମଗ୍ର ଦିନଟିଏ ବିତି ଯାଇଥିଲେ ମଧ୍ୟ ଦୀର୍ଘ ବନଭୂମି ଶେଷ ହୋଇ ନଥିଲା । ସନ୍ଧ୍ୟା ପୂର୍ବରୁ କିଛି ଖାଦ୍ୟ ମଧ୍ୟ ହସ୍ତଗତ ହେଲା ନାହିଁ । କେବଳ ସେଦିନ କିଛି ଫଳାହାରରେ ରହିବାକୁ ବାଧ୍ୟ ହେଲୁ । ପଶ୍ଚିମ ଆାକାଶରେ ସୂର୍ଯ୍ୟାସ୍ତ ହେଲା । ସମଗ୍ର ନଦୀବକ୍ଷ ରକ୍ତିମ ଛଟାରେ ମନୋରମ ଦେଖାଗଲା । ଦିନ ଯାଉଛି । ରାତ୍ରିରେ ହସି ଉଠିବ ନିର୍ମଳ ଚନ୍ଦ୍ରିକା । ପ୍ରତିଟି ମୁହୂର୍ତ୍ତ ଆହୁରି ମଧୂମୟ ହୋଇ ପଡ଼ିବ । ବନ୍ଧୁ, ସମାଜ, ଧନ, ପ୍ରତିପତ୍ତି, ପୂଜା ଅର୍ଚ୍ଚନା କାହାନ୍ତି ସେମାନେ-? ସମାଜର କେଉଁ ଅନ୍ଧାରି କୋଣରେ, ଦେବତାର ଆଦେଶରେ ଦୁଇଟି ପ୍ରାଣର ବ୍ୟାକୁଳ ପ୍ରତୀକ୍ଷାର ଅବସାନ ହୋଇଛି । ଆକାଶରେ ଚାନ୍ଦ ହସି ଉଠିଲା । ମୁଁ ଆନ୍‌ମନା ହୋଇ କହିଲି ‘‘ସୁଷମା ଠିକ୍‌ ତୁମପରି ମୋର ଝିଅଟିଏ ହେବ । ବନଭୂମିର ଏ ମାଧୁରୀ ମୋ ମାନସ ପଟରୁ ଲିଭିଯିବ ନାହିଁ । ତା ନାଁ ମୁଁ ମାଧୁରୀ ଦେବି’’ । ଲଜ୍ଜ୍ୟାରେ ସେ ମୋ ଛାତିରେ ମୁହଁ ଲୁଚାଇଲା ।

 

ପ୍ରକୃତରେ ଏହି ଚାରି ପାଞ୍ଚଦିନର ଅର୍ଦ୍ଧାହାର ଓ ବାଧ୍ୟତାମୂଳକ ଅନଶନ ହେତୁ କ୍ଷୁଧା ପ୍ରବଳ ଭାବରେ ପୀଡ଼ିତ କଲା । ଦୁର୍ବଳ ବି ଲାଗୁଥିଲା । ପ୍ରଭାତରୁ ନିତ୍ୟକର୍ମ ସାରି ସହଳ ସହଳ କାତମାରି ଭେଳା ବାହିବାକୁ ଲାଗିଲି । କିନ୍ତୁ ପଥଥିଲା ଅତ୍ୟନ୍ତ ଦୁର୍ଗମ । ବହୁ ସ୍ଥାନରେ ବାଙ୍କ ଥିବା ହେତୁ ପ୍ରାୟ ଚାରିଟା ପର୍ଯ୍ୟନ୍ତ ବନ ଭୂମିରୁ ମୁକ୍ତ ହୋଇ ପାରି ନଥିଲୁ ।

 

ବନଭୂମି ଶେଷହେଲା । ପଡ଼ିଲା ଧୋବାତୁଠଟିଏ । ଆଗରେ ଛୋଟ ସହରଟିଏ ଦେଖା ଯାଉଛି । ମନରେ ଆଶା ନିରାଶାର ଦ୍ୱନ୍ଦ୍ୱ । ଆମର ସମ୍ବଳ ନାହିଁ । ଦେହରେ ବସ୍ତ୍ର ଖଣ୍ଡେ ବି ନାହିଁ । ଭେଳାକୁ ଟିକିଏ ଦୂରକୁ ରଖି ଧୋବା ତୁଠ ଆଡ଼େ ଗଲି । ଧାଡ଼ି ଧାଡ଼ି ହୋଇ ଲମ୍ବି ଯାଇଛି ଲୁଗା ସବୁ । କେତେକ ଶୁଖିଲାଣି । କେତେକ ଓଦା ଅଛି । ଧୋବାର ଆଉ ଅଳ୍ପ ଲୁଗା ତଥାପି କଚା ଚାଲିଛି । ଧୋବାକୁ ତା କାମରେ ଏକାଗ୍ର ଦେଖି ଶାଢ଼ୀ ଖଣ୍ଡେ ଗୁଡ଼େଇ ନେଲି । ତାପରେ ଗୋଟାଏ ବଡ଼ ସାହସ କରି ଭେଳାକୁ ଫେରିଲି । ଚୋରୀ କରିବା ମୋର ଉଦ୍ଦେଶ୍ୟ ନଥିଲା । କିଛି ମୋର ଉପାୟ ନଥିଲା ।

 

ପ୍ରବଳ କ୍ଷୁଧାର ଆକୁଳ ହୋଇ ସହର ଆଡ଼କୁ ଭେଳା ବାହି ନେଲି । ଦିନ ରତ ରତ ହେବାକୁ ବସିଲା । ମନ୍ଦିରଟିଏ ଅଳ୍ପ ଦୂରରେ ଦେଖାଗଲା । ସେଇ ଉଦ୍ଦେଶ୍ୟରେ ନଦୀରେ ଅଳ୍ପ ବାଟ ଗଲି । ଘାଟରେ ଭେଳା ବାନ୍ଧି ମନ୍ଦିର ଆଡ଼େ ଚାଲିଲୁ । ପ୍ରସାଦଟିକେ ହୁଏତ ମିଳିପାରେ । ଶୁଣିଲି ଠାକୁର ପରମ ଦୟାଳୁ । ମା ବନଦୁର୍ଗାଙ୍କ ଅଯୋଚିତ କରୁଣା ତ ଦେଖିଲୁ । ସୁଷମା ସେ ଶାଢ଼ୀଟି ପିନ୍ଧ ମୁଣ୍ଡରେ ହାତେ ଓଢ଼ଣା ଦେଇ ମୋ ପଛେ ପଛେ ଚାଲିଥାଏ । ତାର ଏ ଅଦ୍ଭୁତ ରୂପ ଦେଖି ମୁଁ ହସି ହସି ବେଦମ ହେଲି । ସୁଷମା ବୁଦ୍ଧିମତୀ ନିଶ୍ଚୟ । ନିଜକୁ ଲୁଚାଇବାକୁ ଯାଇ ସୁନ୍ଦର ଉପାୟ ବାହାର କରିଛି । ଆମେ ମନ୍ଦିର ଭିତରକୁ ପଶିବାକୁ ଉଦ୍ୟତ ହେଉଛୁ’’....

 

ସତ୍ୟବାନର ପାଠରେ ପୂର୍ଣ୍ଣଛେଦ ଆଙ୍କିଲା ନନ୍ଦିତା ରାୟ । ସେ ସତ୍ୟବାନକୁ ଖୋଜିବାକୁ ପାର୍ଟି ଅଫିସ ଭିତରକୁ ପଶି ଆସିଲା । ସେ କହିଲା ‘‘ବାଃ ଭାରି ଭଦ୍ର ଲୋକ ତ ? ଏକା ଏକା ବସି ପଢ଼ୁଛ । ମୁଁ ଏତେ କରି କହିଥିଲି ନାଁ ଯିବାକୁ ? ଆଉ ତ ଗଲ ନାହିଁ । ବର୍ତ୍ତମାନ ଆସ ବାପା ତୁମକୁ ଅପେକ୍ଷା କରୁଛନ୍ତି । ଡାଏରୀଟା ବନ୍ଦକରି ସତ୍ୟବାନ ପ୍ରତିନମସ୍କାର କଲା । ବାଃ କି ଅପୂର୍ବ ଏ ଜାତି । ଋକ୍ଷ ଅବସ୍ଥିତିକୁ ଅଭିନନ୍ଦିତ କରି ଜୀବନରେ ସବୁ ସ୍ୱାଦ ଭରି ଦିଅନ୍ତି । ସେ କହିଲା ‘‘ବସନା ନନ୍ଦିତା । ମୋର ଅନେକ କାମ । ତେଣୁ ଯାଇ ପାରିନି । କ୍ଷମା କରିବ । ମଉସାଙ୍କୁ ତମେ ମୋ ବିଷୟରେ କେତେ ମିଛ କଥା କହିଛ ?’’ ନନ୍ଦିତା କହିଲା ‘‘କୌଣସି କୈଫିୟତ ମୁଁ ଶୁଣିବିନି । ତମେ ମୋ ସହିତ ନ ଆସିଲେ ମୁଁ ଏଠୁ ଯାଉନି । ମୁଁ ତୁମ ସାହାଯ୍ୟ ଚାହେଁ, ଆଉ ତୁମେ କଣ ଯିବନି’’, ନନ୍ଦିତା କଣ୍ଠରେ ଦରଦ ଭରି ଆସିଥିଲା । ଅଭିମାନର ସରୁ ଖିଅଟାଏ ବି ବାରି ହେଉଥିଲା । ସବୁ ଖାଲି ସାନିଧ୍ୟ । ସୁଷମା ଓ ପିରିଙ୍ଗୀର ମଧୁର ପ୍ରଣୟ ସତ୍ୟବାନକୁ ବି ମୁଗ୍‌ଧ କରିଥିଲା । ବ୍ୟାଧର ଜାଲରେ କପୋତ ନିରୁପାୟ । ନନ୍ଦିତା ସହିତ ସେ କାରରେ ବସିଲା ।

 

ନନ୍ଦିତାର ଘର, ତାର ଉଦ୍ୟାନ, ଉଦ୍ୟାନର ସୁରଭି, ସେଇ ଆଭିଜାତ୍ୟ ଓ ବିଦ୍ୟାଭ୍ୟାସର ଛଳନା ସାଙ୍ଗକୁ ନନ୍ଦିତାର ସୁଚତୁର ଅଭିନୟ, ସୁପାଚ୍ୟ ଖାଦ୍ୟ, ରାୟସିଂହଙ୍କର ଇଂରାଜୀ କାଇଦାରେ ଅଭିନନ୍ଦନ-ସତ୍ୟବାନର ମନମଞ୍ଚରେ ଅଭିନୟ କରୁଥିଲେ । ଗୋଟିକ ପରେ ଗୋଟିଏ ଠିକ୍‌ ଘଟେ ରେକର୍ଡ଼ ହୋଇଥିବା ଗୀତ ପରି, ଶିଖା ହୋଇଥିବା ନାଟକ ପରି । ନାଟକ ଶେଷକୁ ଥାଏ ନନ୍ଦିତା ଶେଷ ସିନ୍‌ ‘‘କାଲିକୁ ନିଶ୍ଚୟ ଆସିବ । ନହେଲେ ମୁଁ ପୁଣି ଖୋଜିବାକୁ ଯିବି’’ । ତାପରେ ବିଦାୟ ଲଗ୍ନରେ ସାମାନ୍ୟ ବ୍ୟାକୁଳତା । ବାସ୍‍ ଅନ୍ୟୁନ ଦୁଇ ଘଣ୍ଟାର ଡ୍ରାମା । ଯେଉଁଥିରେ ସେ ନିଜେ ମୁଖ୍ୟ ଚରିତ୍ର । ଠିକ୍ ସେହିପରି ଉଦ୍ୟାନ ସଂଲଗ୍ନ ପୋର୍ଟିକୋରେ ଗାଡ଼ିରଖି ନନ୍ଦିତା ଶୀଘ୍ର ଗାଡ଼ିରୁ ଓହ୍ଲାଇ ଗଲା ।

 

ସତ୍ୟବାନ ଚାଲିଲା ତାର ପଛେ ପଛେ । ବୈଠକଖାନାରେ ବସି ଅଳ୍ପ ସମୟ କଲେଜ ଓ ପାଠର ନାମକୁ ମାତ୍ର ଆଲୋଚନା ହେଲା । ତାପରେ ନନ୍ଦିତାର ଅର୍ଡ଼ର ମୁତାବକ କିଛି ଖାଦ୍ୟ ପରିବେଷଣ ହେଲା । ନନ୍ଦିତାର ସ୍ନେହଭରା ଅନୁରୋଧ ‘‘ଆରେ ଖାଅନା । ସବୁତକ ଖାଇବ । ମୋ ରାଣ, ମୋ ରାଣ ।’’ ଠିକ୍‌ ତା ପରେ ପରେ ଆସିଲେ ରାୟସିଂହ । ଇଂରାଜୀ କାଇଦାରେ କରମର୍ଦ୍ଦନ କରି ପଚାରିଲେ ‘‘ସବୁ ଭଲ ତ । ତମକୁ ଦେଖିଲେ ବଡ଼ ଖୁସି ଲାଗେ । ପ୍ରତିଦିନ ଆସିବ ।’’ ସେ ବହୁତ ଅଳ୍ପ କଥାବାର୍ତ୍ତା କଲେ । ଅଳ୍ପ କଥା କହିବା ତାଙ୍କର ଅଭ୍ୟାସ । କିନ୍ତୁ ନନ୍ଦିତା ବିପରୀତ । ସେ ବହୁତ କଥା କହିବାକୁ ଭଲ ବି ପାଏ । ନନ୍ଦିତା ସେମିତି ଗପିଲା । ସହପାଠୀ ବିନୋଦ କମ୍ରେଡ଼ ହୋଇ ସୁଦ୍ଧା କେମିତି କଲେଜରେ ଝିଅମାନଙ୍କୁ ହଇରାଣ କରୁଛି । ତାକୁ ପ୍ରେସିଡ଼େଣ୍ଟ ପାଇଁ ଭୋଟ ଦେଲେ ନାହିଁ ବୋଲି ସେ ପ୍ରତିଶୋଧ ନେଉଛି । ବିନୋଦ ଭାରି ଅଭଦ୍ର-। ନନ୍ଦିତା କହୁଛି ତାକୁ ଟିକେ ଦାବି ଦବାକୁ ହେବ । ଧୈର୍ଯ୍ୟର ସହିତ ସତ୍ୟବାନ ନନ୍ଦିତାର ସବୁ ଅଭିଯୋଗ ଶୁଣିଲା । ସେ କହିଲା ‘‘ମୁଁ ଆଉ କାହାର କମ୍ରେଡ଼ ନୁହେଁ ନନ୍ଦିତା । ମୁଁ ଆଜି ପାର୍ଟି ଅଫିସ ଯାଇଥଲି ସେଇ ନିଷ୍ପତ୍ତି ନେଇ । ମୁଁ ବର୍ତ୍ତମାନ ଯାଉଛି ।’’ ନନ୍ଦିତା ପୁରୁଣା ଭଙ୍ଗୀରେ ବିଦାୟ ନେଲା ସତ୍ୟବାନଠୁ ।

 

ଲିଖିତ ଭାବରେ ସେ ନିଜର ନିଷ୍ପତ୍ତି ଜଣାଇ ଦେଲା । ମଦ୍ୟପଦଳ କେବଳ ଦଲାଲିରେ ମାତିଛନ୍ତି । ଦେଶରେ ପୁଞ୍ଜିପତିଙ୍କ ମଧ୍ୟ ଦେଇ ଏଇ ଗରିବମାନଙ୍କୁ । ଇଂରେଜ ମାନେ କାଁ ଭାଁ ଦିଚାରିଟାଙ୍କୁ ଗଦୀୟାନ କରିଛନ୍ତି । ସେମାନେ ପୁଣି ନିଜେ ସଂପ୍ରସାରିତ ହେବାକୁ ଭୟଭୀତ । ସେଇମାନଙ୍କୁ ଶୋଷଣ କରି ଓଲଟା ଦେଶଟାକୁ କ୍ଷତିଗ୍ରସ୍ତ ମାତ୍ର କରାଯାଉଛି । ବରଂ ଦେଶରେ ଭଲ ରକମ ପୁଞ୍ଜିପତି ଗଢ଼ି ଉଠନ୍ତୁ । ସ୍ୱର୍ଣ୍ଣ କଳସରେ ଲଙ୍କାପୁରୀ ସଜ୍ଜିତ ହେଉ । ଐଶ୍ୱର୍ଯ୍ୟର ଝଲକରେ ହସି ଉଠୁ ଏ ଦେଶ । ଓଃ, କି ଶେଷହୀନ ଦାରିଦ୍ର୍ୟ, କି ଜ୍ୟୋତିହୀନ ଅବସ୍ଥିତି....ନୂତନ ଏ ନେତାଦଳ ବା ଏ ଶାସକ ଦଳ କେଉଁ ଆଡ଼କୁ ବୋହି ନେବେ ଏହାକୁ । ଧନର ସୁସମ ବଣ୍ଟନ, ସାମ୍ୟବାଦ ଓ ଦାରିଦ୍ର୍ୟମୋଚନ....ନିହାତି ଗୋଟିଏ ଫାଙ୍କା ଆବାଜ । ଗୋଟାଏ ମଧୁର ମିଥ୍ୟା । ସତ୍ୟବାନର ଆଖିରେ ନାଚି ଉଠିଲା ଲକ୍ଷ ଲକ୍ଷ ପତ୍ର କୁଡ଼ିଆ, ଅଖା ଘୋରା, ଖଣ୍ଡିଆ ଖାବରା, ଗଛରେ ଝୁଲୁଥିବା ହାଣ୍ଡି.... ଲକ୍ଷ୍ମୀ ଛଡ଼ା ଭିକାରୀ ବଳ । ବାସ୍ତୁହରା ଗୋଷ୍ଠୀ । ପଡ଼ିରହିଛନ୍ତି ଭେଳିକି ଦେଖିବାକୁ ।

 

ଭୋଟରେ ୟାଙ୍କର ଅଧିକାର ନାହିଁ । କର୍ମରେ ଅଧିକାର ନାହିଁ । ଭାରତର ଭୂମି ଉପରେ ଛତୁ ଫୁଟିଲାପରି ବିଛେଇ ହୋଇ ରହିଛନ୍ତି । ଏ ଦଳକ କିଏ ? ଏ କଣ ସେଇ ଆର୍ଯ୍ୟବଂଶଧର ନୁହନ୍ତି । ଏ କଣ ସେଇ ବିଶ୍ୱବିଶ୍ରୁତ ଆର୍ଯ୍ୟ ନୁହନ୍ତି ? ଏତେ ବଡ଼ ଭାରତ ଭୂମିରେ ସ୍ୱଗୃହ ରଚନା କରି ବଞ୍ଚିବାର ଅଧିକାର କଣ ଏମାନଙ୍କର ନାହିଁ । କିଏ ଦେବ ଏମାନଙ୍କର ନୁଖୁରା ମୁଣ୍ଡରେ ତେଲ । କିଏ ଦେବ କଟିକି ବସନ ଓ ପେଟକୁ ଦି ମୁଠା ଭାତ । ଅତୀତ ଅତୀତରେ ମିଶିଛି-

 

ବର୍ତ୍ତମାନ ପୁଣି ଏମିତି ଅତୀତରେ ପରିଣତ ହେବ । ନେତା ବଦଳିବେ, ସରକାର ବଦଳିବ; କିନ୍ତୁ ଏମାନଙ୍କର କୌଣସି ବଦଳା ନାହିଁ । ନିଜର ଦୂରଦୃଷ୍ଟିକୁ ଅବିଶ୍ୱାସ କରି ହେଉନାହିଁ-। ଘୃଣା, କ୍ରୋଧ ଓ ଅଭିମାନରେ ସତ୍ୟବାନ ଦୂରେଇ ଯାଇଛି କମ୍ରେଡ଼ମାନଙ୍କ ଠାରୁ । କମ୍ରେଡ଼ମାନେ ମୁହଁ ମୋଡ଼ୁଛନ୍ତି । ମନେ ମନେ ଖୁସି ମଧ୍ୟ ହେଉଛନ୍ତି । ଅଂଶୀଦାରଟାଏ ହଟିଗଲା । ଭଲ ହୋଇଛି । ଯାଉ, କାଳର ଗତିରେ ଏମିତି କେତେ ଆସିବେ କେତେ ଯିବେ ‘‘.....ନିରବଧି ଅୟଂ କାଳ ବିପୁଳାଚ ପୃଥ୍ୱୀ ।’’ କିଏ କାହାକୁ ଅନେଇ ବସିବ ନାହିଁ । ଭାବି ବସିଲେ ଲାଭ କଣ ।

 

ପରିବର୍ତ୍ତନଶୀଳ ଦୁନିଆରେ ସତ୍ୟବାନର ସବୁ କିଛି ପରିବର୍ତ୍ତନ ହୋଇ ଯାଇଛି । ଦୋକାନ ଅନେକ ଦିନୁ ବନ୍ଦ ହୋଇ ଗଲାଣି । ଟିଉସନ କଥା ସେ ଭୁଲି ଗଲାଣି । ପାର୍ଟି ଅଫିସ ତ ବନ୍ଦ ହେଲା । ବର୍ତ୍ତମାନ ନନ୍ଦିତା ରାୟସିଂହ କବଳରୁ ମୁକ୍ତି ନାହିଁ । ଘରେ ଏକୁଟିଆ ବସି ହେଉନି । ମାଧୁରୀ ପାଖକୁ ଯିବାକୁ ଲାଜ ବି ମାଡ଼ୁଛି । ସତ୍ୟବାନର ସମସ୍ୟା ପରେ ସମସ୍ୟା ମୁଣ୍ଡ ଟେକି ଉଠୁଛି ।

 

ହୁସେନ ସିନା ଖାଦ୍ୟ ଦେଉଛି ବିନା ଆପତ୍ତିରେ । ହେଲେ ସତ୍ୟବାନର କର୍ତ୍ତବ୍ୟ ? କଣ ହୋଇପାରେ ? ସତ୍ୟବାନ କେବେ କର୍ତ୍ତବ୍ୟ ଅକର୍ତ୍ତବ୍ୟର ବିଚାର କରି ବସିନି । ନ ହେଲେ ନନ୍ଦିତା ରାୟସିଂହକୁ ନେଇ ସେ ବିଚାର କରିଥାନ୍ତା ।

 

ଇଂରେଜୀ କାଇଦାରେ ବଢ଼ିଛି ନନ୍ଦିତା । ସେ ପିନ୍ଧେ ଦାମିକା ରଙ୍ଗୀନ୍‌ ପୋଷାକ । ସୁନ୍ଦର ରଙ୍ଗର ଶାଢ଼ୀ ତାକୁ ଯେମିତି ମାନେ, ତାର ଉନ୍ନତ ରୁଚିକୁ ପ୍ରଶଂସା ନ କରି ରହି ହୁଏ ନାହିଁ । ନନ୍ଦିତାର ଅନୁରୋଧରେ ସତ୍ୟବାନ ସିନେମା ଦେଖିବାଠାରୁ ଆରମ୍ଭ କରି କେତେ ହୋଟେଲ ଓ କେତେ ମନୋଜ୍ଞ ଉଦ୍ୟାନ ନ ବୁଲିଛି । ସାଙ୍ଗମାନେ ତାକୁ ନେଇ ଥଟା କରନ୍ତି । ସେମାନଙ୍କ ଚକ୍ଷୁରେ ସତ୍ୟବାନ ନନ୍ଦିତାର କିଣା କିଙ୍କର । କିନ୍ତୁ ସତ୍ୟବାନ କାହାକୁ ଖାତିର କରିବାକୁ ପସନ୍ଦ କରେନାହିଁ । ଯେଉଁ ସମାଜରେ ସାମାନ୍ୟ ଅର୍ଥ ଦେଲେ ସବୁ ପ୍ରକାର ବିକାକିଣା ହୁଏ ସେଇ ଲାଞ୍ଜୁଆ ଖଚୁଆ ସମାଜଟାକୁ ସତ୍ୟବାନ ଖାତିର ମଧ୍ୟ କରେ ନାହିଁ । ନନ୍ଦିତାର ନିମନ୍ତ୍ରଣକୁ ସେ ଉପେକ୍ଷା କରେ ନାହିଁ ।

 

ନନ୍ଦିତା ସ୍ୱାଧୀନ ଆଇନ ବ୍ୟବସାୟ କରିବାକୁ ସଂକଳ୍ପ କରିଛି । ସେ ଲୋଡ଼ିଛି ସାହାଯ୍ୟ ଏବଂ ସାନିଧ୍ୟ । ସତ୍ୟବାନ କୁଣ୍ଠିତ ନୁହେଁ । ଅନ୍ୟର ଆନନ୍ଦ ପାଇଁ ନିଜକୁ ଦାନ କରି ପାରିଲେ ଦାନର ମହତ୍ୱ ବଢେ । ସତ୍ୟବାନ ନିଜକୁ ବିତରଣ କରିବାରେ ହିଁ ଆନନ୍ଦ ପାଏ । ତେବେ ସେ ଅନ୍ୟ କାହାର କଥାରେ ବିଚଳିତ ହୁଅନ୍ତା ବା କାହିଁକି ? ତଥାପି ନନ୍ଦିତାର ଆଭିଜାତ୍ୟ, ତାର ଗୌରବବୋଧ ଓ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ ବେଳେ ବେଳେ ସୃଷ୍ଟିକରେ ମେଘନାଦ । ସତ୍ୟବାନ ନିଜକୁ ସଂଯତ କରିବାକୁ ଚେଷ୍ଟା କରି ବିଫଳ ହୋଇଛି ।

 

ନନ୍ଦିତାର ନିମନ୍ତ୍ରଣ ପ୍ରତିଦିନ ଥାଏ । ପ୍ରତିଦିନ ରାତ୍ରିରେ ବିଦାୟ ନେବା ପୂର୍ବରୁ ସେ ପ୍ରଶ୍ନ କରେ ‘‘ଆଜି ରହିଗଲେ ହୁଅନ୍ତା ନାହିଁ ।’’

 

କଲେଜ ତ ବନ୍ଦ, ପାର୍ଟି ଅଫିସ ଯିବା ମଧ୍ୟ ବନ୍ଦ । ନନ୍ଦିତା ପାଖକୁ ପ୍ରତିଦିନ ଯିବାରେ ଏକ ରକମ ଚଳି ଯାଉଥିଲା । ଏବେ ତା ମଧ୍ୟ ଅସହ୍ୟ ମନେ ହେଉଛି । ନୂତନ ଉପାୟ ସ୍ଥିର କରିବାକୁ ହେବ । ସତ୍ୟବାନ ସେଦିନ କୁଆଡ଼େ ନ ଯାଇ ନିଜ ଖଟ ଉପରେ ଶୋଇ ରହିଥାଏ । ପୁଣି ସେଇ ଡାଏରୀଟା ଆଣି ଖିଅ ଯୋଡ଼ିଲା ।

 

‘‘ମନ୍ଦିରର ପୂଜକଟିଏ ହଠାତ୍‌ ପାଖକୁ ଆସି ବାଟ ଓଗାଳିଲା । ସେ କହିଲା ‘‘ବେହିପୋ ତୁଟା ବେକୁବ୍‌ଟାଏ କି ? କି ବର୍ଣ୍ଣ ବେ ତୁ । ଦେଖୁଛୁ ଦେଉଳର ନୀତି ବଢ଼ୁଛି । ସିଧା ସଳଖ ପଶି ଯାଉଛୁ ।’’ ମତେ ଏତେ ନୀତି ଫିତି କଥା ଜଣା ନ ଥିଲା । ମୁଁ କେବେ ହିନ୍ଦୁ ମନ୍ଦିରର ପୂଜା ପଦ୍ଧତି ଦେଖି ନାହିଁ । ଭୋକରେ ଆତୁର ଥିଲି । ମିନାଜ ଠିକ୍‌ ନ ଥିଲା । ମୁଁ ମଧ୍ୟ ପୂଝାରୀକୁ ଦି ପଦ କଡ଼ା କଥା କହିଦେଲି । ତା ପରେ ସମ୍ଭାଳେ କିଏ ? ମାଡ଼ଖାଇ ନିରାଶରେ ଫେରିଲୁ । ଇଚ୍ଛା ହେଲା ନଦୀ ଗର୍ଭକୁ ଡେଇଁ ବରଂ ଆତ୍ମହତ୍ୟା କରିଥିଲେ ଭଲ ହୋଇଥାନ୍ତା । ବଡ଼ ଦୁଃଖରେ ଭେଳାରେ ବସି ପୁଣି ଚଳାଇ ନେଲି । ସହରର ସୀମା ପ୍ରାୟ ଶେଷ ହୋଇ ଆସୁଥାଏ । ଗୀର୍ଜାଟିଏ ଦେଖାଗଲା । ମୁଁ ପ୍ରକୃତରେ ଆଶାୟୀ ହୋଇ ଉଠିଲି । ଗୀର୍ଜା ସହିତ ମୋର ଘନିଷ୍ଠ ସମ୍ପର୍କ ଥିଲା । ମୁଁ ଜାଣେ ଯେ କୌଣସି ମୁହୂର୍ତ୍ତରେ ଗୀର୍ଜାଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ମୁଁ ମୋ ସିଦ୍ଧାନ୍ତରେ ଅଟଳ ଥିଲି । ଫାଦରଙ୍କ ନିକଟଙ୍କୁ ଯାଇ ମୁଁ ତାଙ୍କୁ ଅଭିବାଦନ କଲି । ସେ ମଧ୍ୟ ମତେ ସାଦରେ ଗ୍ରହଣ କଲେ । ମୁଁ ତାଙ୍କୁ କହିଲି ‘‘ମୁଁ ଓ ମୋ ସ୍ତ୍ରୀ ମରୁ ମରୁ ରକ୍ଷା ପାଇଗଲୁ ।’’ ସେ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଲେ । ମୁଁ ପ୍ରଥମ ଥର ପାଇଁ ସୁଷମାକୁ ‘‘ମୋ ସ୍ତ୍ରୀ’’ ବୋଲି ପରିଚୟ ଦେଇଥିଲି ।

 

ସୁଷମା ପାଇଁ ଓ ମୋ ପାଇଁ ସାଙ୍ଗେ ସାଙ୍ଗେ ଖଦ୍ୟ ମିଳିଲା । ବସ୍ତ୍ରର ବି ବନ୍ଦୋବସ୍ତ ହୋଇଗଲା । କିନ୍ତୁ ସୁଷମା କ୍ଷୁଧିତ ଥିବା ସତ୍ୱେ ବି ଖାଇବାକୁ ମନା କଲା । ମୁଁ ବଡ଼ ଅଡ଼ୁଆରେ ପଡ଼ିଲି । ତାକୁ ଯଦି ମୋ ସ୍ତ୍ରୀ ବୋଲି ପରିଚୟ ଦେଇ ନଥାନ୍ତି ତେବେ କୌଣସି ଅସୁବିଧା ହୋଇ ନଥାନ୍ତା । ବହୁତ ଅନୁନୟ କଲି ତାକୁ । ମୁଁ କହିଲି ‘‘ସୁଷମା, ଏଠି ଠାକୁର ଅଛନ୍ତି । ତାଙ୍କ ନାଁ ଖ୍ରୀଷ୍ଟ-। କୃଷ୍ଣଙ୍କ ପରି ଏ ମଧ୍ୟ ଠାକୁର । ତୁମେ ତାଙ୍କୁ ଘୃଣା କରୁଛ ? ଜଣେ ଈଶ୍ୱର ବିଶ୍ୱାସୀ କେବେ ଏକଥା କରିପାରେ ? ମୋରାଣ, ତମେ ଅବୁଝା ନ ହୋଇ ଖାଇଦିଅ । ଘରେ ପହଞ୍ଚିଲେ ପ୍ରତିକାର କରିବ ।’’

 

ଗୀର୍ଜାରେ ସନ୍ଧ୍ୟାରେ ପ୍ରାର୍ଥନା ଆରମ୍ଭ ହେଲା । ଘଣ୍ଟ ନ ବାଜି ଘଣ୍ଟା ବାଜିଲା । ମୋ ସହିତ ସେ ଦେବାଳୟରେ ସୁଷମା ମଧ୍ୟ ଯୋଗ ଦେଇଥାଏ । ବହୁ ଇଉରୋପୀୟ ଓ ଭାରତୀୟଙ୍କ ମଧ୍ୟ ସମାବେଶ ହୋଇଥାଏ । ସୁଷମାକୁ ଏସବୁ ବଡ଼ ଅଦ୍ଭୁତ ଲାଗୁଥାଏ । ସେ କେବଳ ହାତଯୋଡ଼ି ଆଖି ବୁଜି ମୋ ପାଖରେ ଠିଆ ହୋଇଥିଲା । ସେଦିନ ରାତିରେ ସେ ମତେ କହିଲା ‘‘ମୁଁ ଆଉ ଏଠି ମୁହୂର୍ତ୍ତେ ରହିବି ନାହିଁ । ମୁଁ ଜାଣିଛି ଏମାନେ ଫିରଙ୍ଗୀ । ଏମାନେ ଗୋ ମାଂସ ଖାଆନ୍ତି । ତୁମେ କଣ ତାଙ୍କ ସହିତ ଗୋ ମାଂସ ଖାଉଛ । ମୁଁ ଶେଷକୁ ଅକୂଳରେ ପଶିଲି । ବୁଡ଼ି ମରିଥିଲେ ବରଂ ଭଲ ହୋଇଥାନ୍ତା । ଜାତିଗଲା, କୁଳ ବି ଗଲା । ତୁମେ ଏମିତି ଫିରିଙ୍ଗୀ ବା ମୁସଲମାନ ବୋଲି ମୁଁ ଜାଣିଥିଲେ କଦାପି ଏ କଥା କରି ନଥାନ୍ତି । ତମକୁ ନାରୀ ହତ୍ୟା ଦୋଷ ଲାଗିବ । କାହିଁକି ତମେ ମତେ ଭୁଲାଇ ଦେଲ’’–ମୁଁ ତାଙ୍କୁ ହଲାଇ ଦେଇ କହିଲି ‘‘ସୁଷମା, କାହିଁକି ସେମିତି ହଉଚ । ମୁଁ ମୁସଲମାନ କି ଫିରିଙ୍ଗୀ ବୋଲି ଠିକ୍ କରିତ ଜାଣିନ । ମୁଁ ଯାହା ହେଲେ ବି ତୁମେ ମୋ ସ୍ତ୍ରୀ । ସେଥିରେ ଦୁଃଖ କରି ଲାଭ କଣ ହେବ ।’’

 

ନିର୍ବୋଧଙ୍କ ପରି ସେ କାନ୍ଦିଲା । ଜମାଟ ବନ୍ଧା ବିଶ୍ୱାସର ଅସମ୍ଭବ ମୋହ ତାକୁ ବ୍ୟଥିତ କରିଥିଲା । ସେ କହିଲା ‘‘ମତେ କଥା ଦିଅ । ତମେ ବ୍ରାହ୍ମଣ ହେବ । ମୁଁ ଜଣେ ବ୍ରାହ୍ମଣ କନ୍ୟା । ତମ ଗୋଡ଼ ଧରୁଛି ତୁମେ ବ୍ରାହ୍ମଣ ହେଲେ ମୋ ମନରୁ ଦୁଃଖ ଚାଲିଯିବ । ତୁମେ ଯେଉଁ ଆହାର ଖାଇଛି ପଞ୍ଚଗବ୍ୟ ପାନ କରି ପ୍ରାୟଶ୍ଚିତ ହୋଇ ପଡ଼ିବ । ନନା କହୁଥିଲେ ଚାଣ୍ଡାଳ ସେସବୁ ଆହାର କରନ୍ତି । ତମେ ମୋ ଦେହଛୁଇଁ ନିୟମ କର । ନହେଲେ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି ।’’ ସର୍ବନାଶ । ନିର୍ବୋଧତାର ଗୋଟାଏ ସୀମା ଅଛି । ମୁଁ ପୁଣି ବ୍ରାହ୍ମଣ ହେବି କିପରି ? ବ୍ରାହ୍ମଣ ହେବା ଗୋଟାଏ ଜାତିର ଜନ୍ମଗତ ଅଧିକାର । ତାକୁ ବୁଝାଇ ଦେବାକୁ କହିଲି ‘‘ଠିକ୍ ଅଛି । ତମ ପାଇଁ ମୁଁ ସବୁ କିଛି କରିବି । ହେଲାତ ।’’ ସେ କହିଲା ‘‘ନାଁ, ତମେ ମୋ ଦେହଛୁଆଁ ।’’ ତାକୁ ଶାନ୍ତ କରିବାକୁ ତାହାହିଁ କଲି । ଝିଅଟା ଏଡ଼େ ନିର୍ବୋଧ ବୋଲି ସେ ପର୍ଯ୍ୟନ୍ତ ମୁଁ ଧାରଣା କରି ପାରି ନଥିଲି ।

 

ମୁଁ ଲକ୍ଷ୍ୟ କଲି ପ୍ରାର୍ଥନା ପରେ କାହାରି ମୁହଁରେ ସରସତା ନଥିଲା । ମୁଁ ସାହାସ କରି ଫାଦରଙ୍କୁ କାରଣ ପଚାରିଲି । ଫାଦର କହିଲେ ‘‘କଂଗ୍ରେସ ବସିଲା ଦିନୁ ଭାରତବାସୀ ଆସ୍ତେ ଆସ୍ତେ ଇଂରେଜ ବିରୋଧୀ ହୋଇ ପଡ଼ିଛନ୍ତି । ଗାନ୍ଧୀଙ୍କ ପ୍ରରୋଚନାରେ ଅସହଯୋଗ ଆରମ୍ଭ ହେଲାଦିନୁ ନେତାମାନେ ଆସ୍ତେ ଆସ୍ତେ ବିପ୍ଲବୀ ହୋଇ ପଡ଼ିଲେଣି । ଯାହା ଜଣା ଯାଉଛି ଏଇ ଦ୍ୱିତୀୟ ଗୋଲଟେବୁଲ ବୈଠକ ପରେ ପରେ ସେମାନେ ବିପ୍ଲବ ଆରମ୍ଭ କରିଦେବେ । ଇଂରେଜଙ୍କ ଆସନ ଆଉ ବେଶୀଦିନ ନୁହେଁ । ମଝିରେ ମଝିରେ ଦଙ୍ଗାତ ଲାଗି ରହିଛି । ଏଇ ହିନ୍ଦୁ ମାନେ ଆଦିବାସୀ ସମ୍ପ୍ରଦାୟଙ୍କୁ ଅବହେଳିତ କରି ରଖିଥିଲେ । ପ୍ରଭୁ ଯୀଶୁଙ୍କ କରୁଣାରୁ ସେମାନଙ୍କୁ ଉନ୍ନତ କରିବାରୁ ଚେଷ୍ଟା କରିବାକୁ ଏବେ ଅଚାନକ ବିପଦ ମାଡ଼ି ଆସିଛି । ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାକୁ ଆମେ ଶପଥ ନେଇଛୁ । ଦୁଃସ୍ଥ ମାନବ ପ୍ରାଣରେ ଶାନ୍ତି ପ୍ରତିଷ୍ଠା କରିବା ଆମର ଧର୍ମ । ଯେ ଏହା ପାଳନ କରି ପାରି ନାହିଁ ତାକୁ ପ୍ରକୃତ ଖ୍ରୀଷ୍ଟିୟାନ ବୋଲି କୁହାଯାଏ ନାହିଁ-। ବେଡ଼େନ ପାଓ୍ୱେଲ ତାଙ୍କ ବାଳଚର ଗୋଷ୍ଠୀଙ୍କ ଶିକ୍ଷା ପାଇଁ ଏଇ କଥାକୁ ‘Good turn’ ନାମରେ ଶିକ୍ଷା ଦେଇଥିଲେ । ପ୍ରତିଦିନ ଯଦି ଥରେ ‘Good turn’ ନ କରିଛ ତେବେ ସେଦିନଟି ବିଫଳ ହେଲା ବୋଲି ମନେ କରିବାକୁ ହେବ । ଏପରି ମହତ୍ ଉଦ୍ଦେଶ୍ୟ ନେଇ ଆମେ ଯେତେବେଳେ ଲକ୍ଷ ଲକ୍ଷ ବୁଭୁକ୍ଷୁ ଓ ଅବହେଳିତଙ୍କୁ ମୃତ୍ୟୁ ସଞ୍ଜିବନୀ ଖୁଆଇଲୁ, ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଆଣିଲୁ ସେତେବେଳେ ହିନ୍ଦୁ ମହାସଭାରେ ଆମର ବିଚାର ଆରମ୍ଭ ହୋଇଗଲା । ଆମକୁ ଧର୍ମନିଷ୍ଟକାରୀ ଗୋଷ୍ଠୀ ବୋଲି ସମାଲୋଚନା କରି ପ୍ରବଳ ଉଦ୍ୟମରେ ଆରମ୍ଭ ହୋଇଗଲା ସଂସ୍କାର । ହିନ୍ଦୁମାନେ ଯାହାଙ୍କୁ ଚଣ୍ଡାଳ ବା ପତିତ କରି ଦୂରଦୂର କରୁଥିଲେ ଆମେ ତାଙ୍କୁ ଉଦ୍ଧାର କରିବା କି ପ୍ରକାର ପାପ ହେଲା’’ ।

 

ଏତେବଡ଼ ବକ୍ତୃତା ଶୁଣିବାକୁ ମୋର ବିଶେଷ ଆଗ୍ରହ ନଥଲା । ମୁଁ କେତେଦିନ ହେଲା କଲିକତା ଛାଡ଼ି ସାରିଥିଲି । ରହୁଥିଲି କନ୍ଧମାଳ ଭିତରେ । ସଂସାରର ହଟ୍ଟଗୋଳ ସହିତ ମୋର ବିଶେଷ କିଛି କାରବାର ନଥିଲା । କଲିକତାରେ ପଢ଼ୁଥିବା ବେଳେ ମୁଁ ସେଇ ଭାରତୀୟ ଓ ଇଂରେଜଙ୍କ ସଂଘର୍ଷର ପ୍ରଥମ ପର୍ଯ୍ୟାୟଟା ଦେଖିଥିଲି । ମୁଁ କହିଲି ‘‘ଇଂରେଜ ସରକାର ତ ଅଛନ୍ତି । ଏସବୁକୁ ମୁକାବିଲା କରିବାକୁ । ଭୟ କଣ ?’’ ସେ କହିଲେ–‘‘ଭୟ କିଛି ନାହିଁ । ଧର୍ମ ପ୍ରଚାର ପାଇଁ ଜୀବନ ଦେବା ଆମର କର୍ତ୍ତବ୍ୟ । ହିନ୍ଦୁ ବେଦାନ୍ତ ଦର୍ଶନକୁ ନେଇ ଯେଉଁ ସଂସ୍କାରଟା ରାଜା ରାମମୋହନ ବଡ଼ ଚତୁରତାର ସହିତ ସୃଷ୍ଟି କରିଥିଲେ ସେ କଥା ସମ୍ଭବତଃ ବୁଝି ପାରୁଥିବ । ।’ ମୁଁ କହିଲି ‘‘ମୁଁ ସେସବୁ ଜଣେନା ।’’ ସେ କହିଲେ ‘‘ଆରେ, ଏତେ ବଡ଼ ଆଶ୍ଚର୍ଯ୍ୟ କଥା । ପ୍ରତ୍ୟେକଟି ଖ୍ରୀଷ୍ଟିୟାନ ସେ ବିଷୟରେ ଜାଣି ରଖିବା ଦରକାର । ରାଜା ରାମମୋହନ ଲକ୍ଷ୍ୟ କଲେ ଯେ ଆମର ଏ ଧର୍ମ ଏତେ ବ୍ୟାପକ ଯେ କି ସଭ୍ୟ କି ପତିତ ସମସ୍ତେ ତାରି ଆଡ଼କୁ ଆକୃଷ୍ଟ ହୋଇଛନ୍ତି-। ଯଦି ବୁଦ୍ଧିଜୀବି ଗୋଷ୍ଠୀ ଏଥିରେ ଥରେ ଝାସ ଦିଅନ୍ତି ତେବେ ତ ଭାରତୀୟ ଦର୍ଶନ ଓ ସଂସ୍କୃତିର ଯଥେଷ୍ଟ କ୍ଷତି ହେବ । ଏଇ ଆଶଙ୍କାରେ ବୁଦ୍ଧଙ୍କ ପରି ଧର୍ମକୁ ବଞ୍ଚାଇବାକୁ ଗୋଟାଏ ଉପାୟ କରି ବେଦାନ୍ତ ଦର୍ଶନକୁ ନେଇ ଏକେଶ୍ୱର ବାଦକୁ ‘ବ୍ରହ୍ମଧର୍ମ’ ନାମରେ ପ୍ରତିଷ୍ଠା କରିଦେଲେ-। ହିନ୍ଦୁଧର୍ମରେ ଯେତେ କୁସଂସ୍କାର ଏଥିରେ ତାକୁ ବାଦ ଦେଇ ଆମରି ପରି ଅତି ସରଳ ଭାବରେ ଏହାର ପୂଜା ପଦ୍ଧତି ଖୁବ୍ ଶୁଦ୍ଧ ପୂତ ପ୍ରାଣରେ ଆଗେଇଗଲା । ପୁଣି ଇଂରେଜଙ୍କ ଆଖିରେ ଧୂଳି ଦେବାକୁ ଏହି ଧର୍ମର ନିୟମାବଳୀରେ ‘‘I am not a Hindu’ ବୋଲି ଲେଖାଅଛି । ମୁଁ ବୁଝି ପାରୁନାହିଁ ଏସବୁ ଗୋଟାଏ କି ଚାଲ । ଏ ଲୋକ ଏତେ ଚତୁର ଯେ ଯେକୌଣସି ପ୍ରକାରେ ଗୋଟାଏ ଉପାୟ ପାଞ୍ଚି ପକାନ୍ତି । ତାଙ୍କ ମତରେ ଏ ମଧ୍ୟ ସମ୍ପୂର୍ଣ୍ଣ ଏକ ନୂତନ ଧର୍ମ । ଖ୍ରୀଷ୍ଟିୟାନ ନୁହେଁ କି ହିନ୍ଦୁ ନୁହେଁ । ଏ ବୈଦିକ ଧର୍ମ । ହେଲା ଏବେ । ତେବେ ଏ ଧର୍ମର ଆବିର୍ଭାବ କାହିଁକି କହିଲ ? ବୁଝି ପାରୁଥିବ ଧର୍ମ ଉପରେ ବର୍ତ୍ତମାନ ବିପତ୍ତି ପୁଣି ଶାସନ ମଧ୍ୟ ଟଳମଳ । ଗତକାଲି ଗୋଟାଏ ଅପ୍ରୀତିକର କାଣ୍ଡ ଘଟି ଯାଇଛି । ଜଣେ ଫାଦର ଧର୍ମ ପ୍ରଚାର କରିବାକୁ ଯାଇ ବଡ଼ ବିପତ୍ତିରେ ପଡ଼ିଛନ୍ତି । ତାଙ୍କ ଅବସ୍ଥା ଉଦ୍‌ବେଗଜନକ । ସେଥିପାଇଁ ଆମର ମନ ଭଲ ନାହିଁ । ମୁଁ ତାଙ୍କ ପାଇଁ ପ୍ରାର୍ଥନା କରୁଛି ।’’

 

ମୁଁ କହିଲି ‘‘ଇଂରେଜମାନଙ୍କୁ ଦିନେ ଏ ଦେଶ ଛାଡ଼ି ଯିବାକୁ ହେବ । ଜନ୍‌ସନ୍ ଦମ୍ପତ୍ତି ଦିନେ ଏ କଥା କହୁଥିଲେ । ସେମାନଙ୍କ ଦୂରଦୃଷ୍ଟିରୁ ସେମାନେ ନିଜ ସମ୍ପତ୍ତି ବାଡ଼ି ବିକ୍ରି କରି ଚାଲିଯିବା ଭଲ । ଦୁଃସାହସ କରି ପଡ଼ି ରହିଲେ ଅବଶ୍ୟ କ୍ଷତି କିଛି ନାହିଁ । ମଣିଷ ମଣିଷ ମଧ୍ୟରେ ନିଶ୍ଚୟ ପେଲା ପେଲି ଲାଗି ରହିବ । ଏଇଯା ତାର ସହଜାତ । ଏଥିରୁ ତାକୁ ନିବର୍ତ୍ତାଇବ କିଏ ? ବିଦ୍ୱେଷ ସବୁବେଳେ ହେତୁ ନେଇ ସୃଷ୍ଟି ହୁଏ ନାହିଁ ।

 

ଫାଦରଙ୍କ ଦୁଃଖରେ ମୁଁ ବି ଦୁଃଖୀତ ହୋଇ ପଡ଼ିଲି । ଫାଦରଙ୍କଠାରୁ ମତେ ସବୁ ପ୍ରକାର ସାହାଯ୍ୟ ମିଳି ସାରିଥିଲା । ଦୟା ଖୋଜିବାକୁ ଯାଇ ମୁଁ ଯେମିତି ଭାବରେ ବାରମ୍ବାର ବିଡ଼ମ୍ବିତ ହୋଇଛି ସେ କଥା ଆଉ ମନେ ନ କରିବାକୁ ଇଚ୍ଛା କରୁଛି । ଫାଦରଙ୍କର ଏଇ ଅଯାଚିତ କରୁଣା ମତେ ପ୍ରକୃତରେ ପ୍ରଭାବିତ କରୁଥିଲା । ଦୟା କଣ ତେବେ ବିଦ୍ୱେଷ ପରି ସହଜାତ ନୁହେଁ-? ଏକଣ ମଣିଷର ନିଜ ସୃଷ୍ଟି ? ଏମାନେ ଏପରି ଦୟାଳୁ, ଏପରି ମହତ୍ ହେଲେ କିପରି-?’’

 

ସତ୍ୟବାନର ମନ ବିଦ୍ରୋହ କରି ଉଠିଲା । ଦୟା, କି ଦୟା ସେମାନଙ୍କର । ଶବର ନିଆଁ ଲଗେଇ ମହୁ ମାଛିକୁ ତଡ଼ି ମଧୁ ସଂଗ୍ରହ କଲା ପରି ସମଗ୍ର ଦେଶବାସୀଙ୍କ ମୁହଁରେ ନିଆଁ ଦେଇ ଏ ଜାତି ଦେଶଟାକୁ ଶୋଷଣ କରି ସାରିଛି । ଭାରତ ଆଜି ଦୀନ ହୋଇଛି ଲୁଣ୍ଠନକାରୀଙ୍କ ନିକଟରେ । ଶତ ଶତ ବର୍ଷଧରି ଏ ଜାତିଟା ଦାରିଦ୍ର୍ୟ ଭୋଗ କରି ଦାନ, ଧର୍ମ, ଦାକ୍ଷିଣ୍ୟ ସବୁ ପାଶୋରି ଗଲାଣି । ବର୍ତ୍ତମାନ ତାର ଆଉ ଅଛି କଣ ଯେ ଦେବ । ତା ବୋଲି ଏ ଦେଶରେ ଦୟାର ଅଭାବ ନାହିଁ । ନିଜକୁ ବିପନ୍ନ କରି ଅନ୍ୟକୁ ବଞ୍ଚାଇବା ଏ ଦେଶ ମାଟିର ଗୁଣ । ଆଉ ନନ୍ଦବାବୁ ଲେଖିଲେ କଣ ନାଁ ଆମେ ନିର୍ଦ୍ଦୟ ଆଉ ସେଇମାନେ ହେଲେ ଜ୍ଞାନୀ । ଏ ଦେଶର ଐତିହ୍ୟକୁ ନନ୍ଦବାବୁ ବୋଧ ଭୁଲିଗଲେ ମନେ ମନେ ଅନେକ ଯୁକ୍ତିକଲା ସତ୍ୟବାନ ।

 

ଫାଦର ଆମର କଲିକତା ଯିବାର ସବୁ ଠିକ୍‌ କରିଦେଲେ । ଆମେ କଲିକତାରେ ପହଞ୍ଚିଲୁ । ଆଲୋକମାଳିନୀ କଲିକତା ନଗରୀକୁ ଦେଖି ସୁଷମାର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ-। ସନ୍ଧ୍ୟା ହେଲେ ତାଙ୍କ ଗାଁରେ ଦୀପ ଜଳେ । ଫିରିଙ୍ଗୀ କୋଠୀର କେବଳ ବଡ଼ ଆଲୁଅ ଜଳେ । ସେ ଜାଣିଥିଲା କିନ୍ତୁ ଦେଖି ନଥିଲା । ସୁଷମାକୁ ନେଇ ମୁଁ କୁଆଡ଼େ ବୁଲି ପାରିଲି ନାହିଁ । ମୋର ଚିହ୍ନାପରିଚ ବହୁ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଇଚ୍ଛାଥିଲେ ବି ତାକୁ ଛାଡ଼ିଦେଲେ ଯିବା ବଡ଼ ଅସୁବିଧାଜନକ ଥିଲା । ସେ ବି ମତେ ଦଣ୍ଡେ ଛାଡ଼ୁ ନଥିଲା । ଅଗତ୍ୟା ତାକୁ ଧରି ବଳଦ ଗାଡ଼ିରେ କୃଷ୍ଣନଗର ଅଭିମୁଖେ ଚାଲିଲି । କୃଷ୍ଣନଗର ଅତିକ୍ରମ କରି ମାଲଦାରଠାରୁ ତଳପଟେ ଗଡ଼ିଗଲେ ପ୍ରାୟ ଦିନକର ବାଟ ହେବ ଜନସନ୍‌ଙ୍କ ଚାହା ଇଲାକା, ଯେଉଁଠି ମୋ ମା ରହୁଥିଲେ ।

 

କଲିକତାରେ ବିପ୍ଲବର ସୂଚନା ଯେ ନଥିଲା ତା ନୁହେଁ । ତେବେ କଲିକତା ଥିଲା ଇଂରେଜଙ୍କ ଘର । ତଥାପି କଲିକତାରେ ବୁଦ୍ଧିଜୀବି କମ୍ ନଥିଲେ । କିଏ କହିବ, ସୁବାସ ପୁଣି କଣ ଗୋଟା, ଗଢ଼ିବାରେ ଲାଗିଛନ୍ତି । ଇଂରେଜ ସରକାରଙ୍କ ଗୁପ୍ତଚର ବିଭାଗ ଯଥେଷ୍ଟ ଶକ୍ତିଶାଳୀ । ମଣିଷର ମନସ୍ତତ୍ତ୍ୱକୁ ସେ ଠିକ୍ ବୁଝିଛନ୍ତି । ଏଇ ଗୁପ୍ତଚର ବିଭାଗରେ ଯେତେ ଅଛନ୍ତି ସେ କଣ ସବୁ ଇଂରେଜ ? ମଣିଷ ଜାଣେ ଅଣ୍ଟିଛୁରୀ ତଣ୍ଟି କାଟେ, ମା ପେଟରେ ଶତ୍ରୁ । ମଣିଷର ପ୍ରକୃତ ଶତ୍ରୁ କିଏ ସେ ଜାଣେନା ।

 

ଚାହା ଇଲାକାରେ ପହଞ୍ଚିବାକୁ ପ୍ରାୟ ଦୁଇଦିନ ଲାଗିବ । ଜଳପାଇଗୁଡ଼ି ନିକଟବର୍ତ୍ତୀ ପୂର୍ବ ବଂଗର ଏକ ମନୋରମ ପାର୍ବତ୍ୟାଞ୍ଚଳ ଚାହା ଗଛର ସୁସଜ୍ଜିତ ଉଦ୍ୟାନ । ଉଦ୍ୟାନ ମଝିରେ ଏକ ଛୋଟ ପାହାଡ଼ ଉପରେ ଜନ୍‌ସନ୍ ସାହେବଙ୍କ ବଙ୍ଗଳା । ଉଦ୍ୟାନର ପୂର୍ବସୀମାରେ ଧାଡ଼ି ଧାଡ଼ି ଓଡ଼ିଆ ବସ୍ତୀ । ଉତ୍ତର ସୀମାରେ ବଙ୍ଗାଳୀ ବସ୍ତି । ଓଡ଼ିଆଙ୍କ ତୁଳନାରେ ବଙ୍ଗାଳୀଙ୍କ ସଖ୍ୟା କମ୍ ଥିଲା । କିନ୍ତୁ ମୁଁ ବରାବର ଦେଖି ଆସୁଥିଲି ଓଡ଼ିଆମାନେ ବଙ୍ଗଳା କହୁଥିଲେ । ନିଜ ପିଲାପିଲିଙ୍କ ସହିତ ବଙ୍ଗଳା କହି ଅଭ୍ୟାସ କରୁଥିଲେ । ସ୍କୁଲରେ ପଢ଼ୁଥିବା ଓଡ଼ିଆ ପିଲାମାନେ ବଙ୍ଗଳା ବି ପଢ଼ୁଥିଲେ । ହେଲେ କୌଣସି ବଙ୍ଗାଳୀକୁ କେବେ ଓଡ଼ିଆ କହିବାର ନେଖି ନଥିଲି । ବରଂ ଅଳ୍ପ ସଂଖ୍ୟକ ନେପାଳିଙ୍କ ସହିତ ସେମାନେ ବରାବର ହିନ୍ଦୀ ଭାଷାରେ କଥାବର୍ତ୍ତା କରୁଥିଲେ । ମୋ ମା ବି ଭଲ ବଙ୍ଗଳା କହୁଥିଲେ । ତାଙ୍କ ସହିତ ମୁଁ ଯେତେବେଳେ କଥା କହେ ସେ ଜମା ବଙ୍ଗଳା କହନ୍ତି ନାହିଁ । ସେ ମୋ ସହିତ ସବୁବେଳେ ଓଡ଼ିଆରେ କଥାବାର୍ତ୍ତା କରନ୍ତି । କିନ୍ତୁ ମୋର ଅଧିକ ସମୟ କଟେ ଜନ୍‌ସନ୍‌ ପରିବାରଙ୍କ ସହିତ । ମାଙ୍କୁ ମୁଁ ବେଶି କିଛି ପଚାରି ପାରେନି । ପଚାରିଲେ ସେ ରାଗନ୍ତି ବୋଲି ମୁଁ ଭାବେ । କାରଣ ଦିନେ ବାପାଙ୍କ କଥା ପଚାରିଲି ବୋଲି ସେ କାନ୍ଦିଥିଲେ । ମତେ ସମସ୍ତେ ମାଷ୍ଟର ଜନ୍‌ସନ୍ ବୋଲି ଡାକୁଥିଲେ । ଜନ୍‌ସନ୍ ପରିବାରରେ ପ୍ରକୃତରେ ମୁଁ ବଢ଼ୁଥିଲି । କିନ୍ତୁ ମୋ ମା କହନ୍ତି ସେ ହିଁ ପ୍ରକୃତରେ ମୋ ମା । ତାଙ୍କ ପାଖରେ ମୋର ଅଳ୍ପ ସମୟ କଟୁଥିଲେ ବି ସେ ମତେ ଶାସନ କରୁଥିଲେ । ଅନ୍ୟାନ୍ୟ ଓଡ଼ିଆ ଭାଇମାନେ ମତେ ଭାରି ଆଦର କରୁଥିଲେ । ମୁଁ ସମସ୍ତଙ୍କ ସହିତ ଓଡ଼ିଆରେ କଥା କହୁଥିଲି । ପ୍ରକୃତରେ ମୁଁ ଜାଣିନଥିଲି ମୁଁ କିଏ ? ମାଷ୍ଟର ଜନ୍‌ସନ୍ ମୁଁ ହେଲି କାହିଁକି ? ଓଡ଼ିଆ ଭାଇମାନେ ମତେ ଏତେ ନିଜର ବୋଲି ମନେ କରନ୍ତି କାହିଁକି ?

 

ଗୋଟିଏ ଛୋଟ କୋଠାଘରେ ମୋ ମା’ ରହୁଥିଲେ । ଜନ୍‌ସନ୍ ସାହେବ ତାଙ୍କୁ ସେ ଘର ଦେଇଥିଲେ । ଘର ସାମ୍‌ନାରେ ଗାଡ଼ି ରଖି ମୁଁ ଓହ୍ଲାଇ ପଡ଼ିଲି । ଦୁଇ ଚାରିଜଣ ଓଡ଼ିଆଭାଇ ମତେ ଦେଖି ଦଉଡ଼ି ଆସିଲେ । ମୁଁ ସେମାନଙ୍କୁ ନମସ୍କାର କଲି । ମା ମତେ ଶିଖାଇଥିଲେ ସେମାନଙ୍କୁ ନମସ୍କାର କରିବାକୁ । ଶ୍ରୀମତୀ ଜନ୍‌ସନ୍ ମତେ ଶିଖେଇଥିଲେ କରମର୍ଦ୍ଦନ କରିବାକୁ । କିନ୍ତୁ ମୁଁ ଓଡ଼ିଆ ଭାଇଙ୍କୁ ନମସ୍କାର କଲି । ମୋ ମା’ଙ୍କୁ କହିଲି ‘‘ମୋ ଗାଡ଼ିରୁ ତୁମ ବୋହୁକୁ ନେଇଆସ’’ । ସେ ମୋ ମୁଁହକୁ ଚାହିଁଲେ । ତାଙ୍କ ଆଖିରୁ ଲୁହ ଧାର ଖସି ପଡ଼ିଲା । ସେ ସୁଷମାକୁ ଗାଡ଼ିରୁ ଓହ୍ଲାଇ ଆଣିଲେ । ଅନ୍ୟାନ୍ୟ ନାରୀମାନେ ତାଙ୍କୁ ସାହାଯ୍ୟ କରିବାରେ ଲାଗିଲେ । ମୁଁ ଦାୟିତ୍ୱ ମୁକ୍ତ ହୋଇଗଲି । ମୁଁ ସାଙ୍ଗେ ସାଙ୍ଗେ ଧାଇଁଗଲି ଜନ୍‍ସନ୍‌ଙ୍କ ବଙ୍ଗଳା ଆଡ଼କୁ ।

 

ଜନସନ୍ ସାହେବଙ୍କର ଏଡ଼େ ବଡ଼ ବଙ୍ଗଳାଟା ଖାଲି ପଡ଼ିଥିଲା । ଚଉକି ଦାରଟା ବି ବାରଣ୍ଡାରେ ଦେଖା ଯାଉ ନାହିଁ । ବାଘପରି କୁକୁରଟା ଭିତରୁ ଦଉଡ଼ି ଆସୁ ନାହିଁ । ଘରଟା ଖାଁ ଖାଁ ଲାଗୁଛି ଠିକ୍‌ ଗୋଟାଏ ଭୂତ କୋଠୀପରି । ବୁଢ଼ା ଦରଓ୍ୱାନଟା ନିଜ କୋଠରୀର ନିଶାରେ ଢଳିଛି । ତାକୁ ଉଠାଇଲି । ଆଖି ଖୋଲି ସେ ମତେ ଚାହିଁଲା । ତାପରେ ବିରକ୍ତ କଣ୍ଠରେ କହିଲା ‘‘ଓହୋ, ମାଷ୍ଟର ହେରି ଜନ୍‌ସନ୍ । ଏତେବେଳେ ଆସିଲ ? ହାୟ ଭଗବାନ । ସେ ମତେ କୁର୍ଣ୍ଣିସ କରିବାକୁ ଭୁଲି ନ ଥିଲା । କିନ୍ତୁ ତା କଥାରେ ମୋର ବିସ୍ମୟର ସୀମା ରହିଲା ନାହିଁ । ମୁଁ ତାକୁ କହିଲି ‘‘କଣ ହୋଇଛି ମତେ କହିଲେ ଚନ୍ଦର ।’’ ସେ କାନ୍ଦି ପକାଇଲା । ସେ କହିଲା ‘‘ମିଷ୍ଟର ଜନ୍‌ସନ କେହି କଲିକତାରେ ହତ୍ୟା କରିଦେଲେ । ଇଂରେଜମାନଙ୍କର ଏବେ ଭୟ ହେଉଛି । ମିସେସ୍ ଜନ୍‌ସନ୍ ପିଲାମାନଙ୍କ ସହିତ ଦିଲ୍ଲୀ ଚାଲି ଯାଇଛନ୍ତି । ଏଇ ଚାହା ଇଷ୍ଟେଟକୁ ଜଣେ ବଙ୍ଗାଳୀ ଜମିଦାର କିଣି ନେଇଛନ୍ତି । ନୂତନ ମାଲିକ ଆସି ନାହାନ୍ତି । ଓଡ଼ିଆମାନଙ୍କୁ ତାଙ୍କ ରହିଥିବା ବାସ ସ୍ଥାନ ସବୁ ଦାନ କରି ଯାଇଛନ୍ତି ଶ୍ରୀମତୀ ଜନ୍‌ସନ୍ । ଆହା ତୁମକୁ କୋଳରେ ବଢ଼ାଇଥିଲେ, ଚାକିରୀ ଦେଲେ କିନ୍ତୁ ତୁମେ ତାଙ୍କୁ ଶେଷଥର ପାଇଁ ଦେଖି ପାରିଲ ନାହିଁ ।’’

 

ମୁଣ୍ଡ ମୋର ଘୂରିଗଲା । ସବୁ ଆଶା ଭରସା ମୋର ମିଳେଇ ଗଲା । ମୁଁ ଥକ୍‌କା ହୋଇ ସେଇଠି ବସି ରହିଲି ।

 

ଘରକୁ ଆସି ଦେଖିଲି ମା ଖାଦ୍ୟ ପ୍ରସ୍ତୁତରେ ବ୍ୟସ୍ତ । ସୁଷମା ଖଣ୍ଡେ ପୁରୁଣା ଶାଢ଼ୀ ପିନ୍ଧିଛି । ବେଶ ମାନୁଛି ତାକୁ । ବୋଧେ ମା’ଙ୍କ ପୁରୁଣା ଶାଢ଼ୀ ହୋଇଥିବ । ମୁଁ ମା’ଙ୍କୁ କହିଲି ‘‘ମା ତୁମର ଏ ବୋହୁ ଗୋଟିଏ ବ୍ରାହ୍ମଣ ଝିଅ । ମୁଁ ଜାତି ଫାତି କଥା କିଛି ଜାଣେ ନାହିଁ । ବାଟରେ ତାର ଜାତି ଚାଲିଯାଇଛି । ତାକୁ ଟିକେ ଜାତି କରେଇବ ।’’ ସୁଷମା ମୋ କଥା ଶୁଣି ମନେ ମନେ କ’ଣ ଭାବୁଥିଲା କେଜାଣି କିଛି କହିଲା ନାହିଁ ।

 

ସୁଷମା ମତେ ଛାଡ଼ିଲା ନାହିଁ । ମୁଁ ମୋ ଚାକିରୀ ସ୍ଥାନକୁ ଯାଇ ପାରିଲି ନାହିଁ । ଜନ୍‌ସନ୍‌ ସାହେବ ମାକୁ ଯେଉଁ ପେନ୍‌ସନ୍ ଦେଇଥିଲେ ସେତିକି ଥିଲା ତା ପାଇଁ ଯଥେଷ୍ଟ । କିନ୍ତୁ ଆମେ ତିନିପ୍ରାଣୀ ହେଲୁ । ଚଳିବା କଷ୍ଟକର ହେଲା ଚାହା ବଗିଚାରେ ମୁଁ ହୁଏତ କାମ କରିଥାନ୍ତି । କିନ୍ତୁ ମୁଁ ହେରି ଜନ୍‌ସନ୍ ଦିନେ ଏହାର ମାଲିକ ଥିଲି କହିଲେ ଚଳେ । ମୁଁ ବଡ଼ ଅର୍ଥାଭାବରେ ପଡ଼ିଲି । ମୁଁ କହିଲି ‘‘ସୁଷମା ତୁମେ ମାଙ୍କ ନିକଟର ସୁଖରେ କାଳକାଟ । ମୁଁ ପୁଣି ଚାକିରୀ କରିବାକୁ ଚାଲି ଯାଉଛି । ନଚେତ୍ ଖାଦ୍ୟାଭାବରେ ପ୍ରାଣ ଯିବ ।’’ ସୁଷମା ବିଚଳିତ ହୋଇ ପଡ଼ିଲା, ମା’ ମଧ୍ୟ ଆଉ ରାଜି ହେଲେ ନାହିଁ । ଓଡ଼ିଆ ଭାଇମାନେ ବି ମତେ ଛାଡ଼ିଲେ ନାହିଁ । ସେମାନେ କହିଲେ ‘‘ତମେ ଏଇଠି ଆମର ପ୍ରତିନିଧି ହୁଅ । ତୁମଛଡ଼ା ଆମର ହୋଇ ଏଠି କେହି ନାହିଁ ।’’

 

ମୁଁ ତାଙ୍କୁ ପଚାରିଲି ‘‘ତମେମାନେ ଘରକୁ ଫେରି ଯାଉନ । ଏ ବିଦେଶ ଭୂଇଁରେ ଏପରି କାହିଁକି ପଡ଼ିଛ ?’’ ସେମାନେ କହିଲେ ‘‘ଦେଶର ଆମର ଅଛି କଣ ଯେ ଖାଇ କରି ବଞ୍ଚିବୁ । ଘରଦ୍ୱାର କଥା ତ ଛାଡ଼ । ଘର କହିଲେ ଚାଳ ଛପର ମାଟିଘର ବଖରାଏ କି ଦି ବଖରା । ଖରାଦିନେ ଗାଁରେ ନିଆଁ ଲାଗିଲେ ପୋଡ଼ିଯାଏ, ପବନ ହେଲେ ଉଡ଼ିଯାଏ, ବଢ଼ିହେଲେ ଭାସିଯାଏ, ବର୍ଷାହେଲେ ଧସିଯାଏ । ଏଇତ ଆମର ଘର ।’’ ମୁଁ ତାଙ୍କୁ କହିଲି ‘‘ପୁଣି ତାକୁ ତୋଳେ କିଏ ?’’ ଚିଠି ଆସେ, ଟଙ୍କା ଯାଏ । ଓଡ଼ିଶାର ଅଶୀଭାଗ ଲୋକଙ୍କ ଘରର ଅବସ୍ଥା ଏମିତି...

 

ସତ୍ୟବାନ ତୁଳନା କଲା । ଅତୀତର ସେଇ କେତେ ବର୍ଷ ତଳର କଥା । ସ୍ୱାଧୀନତାର ଅନେକ ପୂର୍ବର ସେଇ ଉତ୍କଳ । ବର୍ତ୍ତମାନ ତ ସେଇ ଅବସ୍ଥାରେ ଅଛି ।

 

‘‘ଓଡ଼ିଆମାନଙ୍କ ପ୍ରତିନିଧି ହୋଇ ସେ ଅନ୍ଧାରୀ ମୂଲକରେ ପଡ଼ି ରହିବାକୁ ମନ ହେଉ ନ ଥାଏ । ବିଶେଷତଃ ଜନସନ ପରିବାରଙ୍କର ସେଠୁ ବିଦାୟ ନେବାପରେ ମତେ କିଛି ଭଲ ଲାଗୁ ନଥାଏ । ସୁଷମା ଜନନୀ ହେବାକୁ ଯାଉଥାଏ । ମୁଁ ଏକ ଉପାୟ ଉଦ୍ଭାବନ କଲି । ନିକଟରେ ଥିଲା ଗୋଟିଏ ସଂସ୍କୃତ ଚତୁଷ୍ଫାଠୀ । ମୁଁ ତାର ଆଚାର୍ଯ୍ୟଙ୍କ ନିକଟକୁ ଗଲି । ତାରି ପ୍ରାଙ୍ଗଣରେ ଇଂରାଜୀ ସ୍କୁଲଟିଏ ଗଢ଼ିବାକୁ ପ୍ରସ୍ତାବ କଲି । ଆଚାର୍ଯ୍ୟ ରାଜି ହେଲେନାହିଁ । ଅନ୍ୟମାନଙ୍କ ଉଦ୍ୟମରେ ସଂସ୍କୃତ ଟୋଲ ନିକଟରେ ଇଂରାଜୀ ହାଇସ୍କୁଲ ଗଢ଼ିବାର ସ୍ଥିର ହେଲା । ମୁଁ ଇଂରାଜୀ ପାଠ ପଢ଼ିଥିଲି । କଲିକତାକୁ ଜନ୍‌ସନ୍ ସାହେବଙ୍କ ଦ୍ୱାରା ମୁଁ ପ୍ରେରିତ ହୋଇ କଲେଜରେ ଅଧ୍ୟୟନ କରିଥିଲି । ମୋରି ପ୍ରବଳ ଆଗ୍ରହ ହେତୁ ସ୍କୁଲଟି ଗଢ଼ି ଉଠିଲା । ମୁଁ ହେଲି ହେଡ଼ମାଷ୍ଟର । ମୋ ସମସ୍ୟା ଗଲା । ଓଡ଼ିଆଙ୍କ ସମସ୍ୟା ବି ଗଲା । ହେଲେ ସ୍କୁଲ ପାଇଁ ପାଣ୍ଠି ବିଶେଷ ହେଲା ନାହିଁ ।

 

କେତେକ ବଦାନ୍ୟ ବ୍ୟକ୍ତିଙ୍କୁ ଭେଟିଲି । କଲିକତା ଯାଇ କେତେ ସାହେବଙ୍କ ଦେଖାକଲି-। ଫାଦରଙ୍କୁ ଭେଟି ଦୁଃଖ ଜଣାଇଲି । ସେ କହିଲେ ଜନ୍‌ସନ୍‌ଙ୍କ ପରିବାର ଦିଲ୍ଲୀରୁ ଲଣ୍ଡନ ଗଲାବେଳେ ମୋ ନାଁରେ ଖଣ୍ଡେ ଚିଠି ଦେଇଥିଲେ । ଯେଉଁଥିରେ ତାଙ୍କର ଠିକଣାଟି ଥିଲା । ମତେ ସେମାନେ ଲଣ୍ଡନ ଚାଲିଯିବାକୁ ଉପଦେଶ ଦେଇ ଯାଇଥିଲେ । ମୁଁ କଲିକତାରୁ କିଛି ଅର୍ଥ ସଂଗ୍ରହ କରି ଫେରିଲି । ମୋ ଚିଠି ସମ୍ୱନ୍ଧରେ ବହୁତ ଖୋଜାଲୋଡ଼ା କରି କିଛି ପାଇଲିନି । ତାପରେ ଜନସନ୍‌ଙ୍କ ଠିକଣା କୌଣସି ମତେ କଲିକତାରୁ ଆଣିଲି । ମୋର ସବୁକଥା ବୁଝାଇ ଚିଠି ଲେଖିଦେଲି ।

 

ସୁଷମା ଆଜିକାଲି ଆଦୌ ଖୁସି ରହୁନାହିଁ । ତାରିପାଇଁ ସବୁ ଛାଡ଼ି ତା ପାଖେ ପାଖେ ରହିଲି; ଅଥଚ ତାର ଆଗ୍ରହ ଆସ୍ତେ ଆସ୍ତେ କମି ଆସୁଛି । ମୋର ମନ ଲାଖି ଝିଅଟିଏ ବି ହେଲା । ମୁଁ ଠିକ୍‌ ତା ନାଁ ‘‘ମାଧୁରୀ’’ ଦେଲି । ମୋର ଆନନ୍ଦ କହିଲେ ନ ସରେ । ଝିଅଟି ଯେତିକି ବଢ଼ିଲା ସୁଷମା ବି ଖୁସିହେଲା । ମୋ ମା ବି ଖୁବ୍‌ ଖୁସି ହେଉଥିଲେ ।

 

ଶ୍ରୀମତୀ ଜନ୍‌ସନ୍‌ଙ୍କଠାରୁ ଉତ୍ତର ପାଇଲି । କେବଳ ଉତ୍ତର ନୁହେଁ ତା ସହିତ କାଗଜ ପତ୍ର ମଧ୍ୟ । ତାଙ୍କର ଭାରତରେ ଥିବା ଅନେକ ଭୂସମ୍ପତ୍ତିର ମାଲିକ ହେଲି ମୁଁ । ପାଠ ନ ପଢ଼ିଥିଲେ ହୁଏତ ସେ ସବୁର ବନ୍ଦୋବସ୍ତ ମୁଁ କରିପାରି ନ ଥାନ୍ତି । ମୋର ଅର୍ଥ ଦେଖି ସମସ୍ତେ ଓଲଟି ମତେ ଈର୍ଷା କରିବସିଲେ । ଅବଶ୍ୟ ମୋ ଖ୍ୟାତି ବଢ଼ିଥିଲା । ଆଚାର୍ଯ୍ୟେ ସବୁବେଳେ ପରୋକ୍ଷରେ ମୋର କୁତ୍ସା କରୁଥିଲେ । ଆଚାର୍ଯ୍ୟେ କେବେ ମୋ ନିକଟରେ ବି ବସୁ ନଥିଲେ ।

 

ଦିନେ ସୁଷମା କାନ୍ଦି କାନ୍ଦି ମତେ କହିଲା ‘‘ମୁଁ ଆଉ ସହି ପାରିବିନି । ତୁମକୁ ମୁଁ କହିଥିଲି ନା ତୁମେ ବ୍ରାହ୍ମଣ ହୁଅ ବୋଲି । ଆଚାର୍ଯ୍ୟେ ନଦୀରୁ ସ୍ନାନ କରି ଫେରୁଥିଲେ । ମାଧୁରୀ ଦାଣ୍ଡରେ ଖେଳୁଥିଲା । ସେ ଆଚାର୍ଯ୍ୟଙ୍କ ନିକଟକୁ ଧାଇଁଗଲା । ଆଚାର୍ଯ୍ୟେ ତାକୁ ପତିତ ଚଣ୍ଡାଳ କହି ଗାଳିଦେଲେ । ସେ ପିଲାଟା କିଛି ବୁଝି ନପାରି କାନ୍ଦି ଉଠିଲା । ମୁଁ ଦଉଡ଼ିଗଲି । ଆଚାର୍ଯ୍ୟଙ୍କୁ ଦେଖି ପ୍ରଣାମ କରିବାକୁ ଯାଉଛି ସେ ଘୁଞ୍ଚିଗଲେ । କହିଲେ ‘ମୋର ମନେ ହେଉଛି ତୁ ଗୋଟିଏ ବ୍ରାହ୍ମଣ କନ୍ୟା’ ମୁଁ ନୀରବରେ ସମ୍ମତି ଜଣାଇଲି । ସେ ପୁଣି କହିଲେ ‘‘ଏ ଜାରଜଟା ସହିତ ଆସିଲୁ କିପରି-?’’ ଘୃଣାରେ ନାକ ଫୁଲାଇ ସେ ପଳାଇଗଲେ । ମାଧୁରୀକୁ ଧରି ମୁଁ ଫେରିଲି ଘରକୁ । ତମେ ମତେ କଥା ଦେଇଥିଲ ନା ତମେ ବ୍ରାହ୍ମଣ ହେବବୋଲି ? ଏଇନା ସେ ସବୁ ଭୁଲିଗଲ ।’’

 

ମୁଁ ସୁଷମାକୁ ଚାହିଁଲି । ଏଡ଼େ ବଡ଼ ପୃଥିବୀଟାରେ କେବଳ ଭାରତୀୟ ଲୋକେ ହିଁ ବଂଶାବଳୀ ଖୋଜନ୍ତି । କନ୍ଧପଲ୍ଲୀରେ ନାରୀମାନଙ୍କର ସ୍ୱେଚ୍ଛା ବିହାର କଥା ଦିନେ ସେ ମତେ କହିଥିଲା । ତା ଛଡ଼ା ସେ ଜାଣିଥିଲା ତାର ଅଜା ଗୋଟିଏ ଅଚିହ୍ନା ବାଳକକୁ ଦୂର ସମ୍ପର୍କୀୟ ନାତି ବୋଲି ପରିଚୟ ଦେଇ ପାଳନ କରିଥିଲେ । ତାକୁ ବ୍ରତ କରିଥିଲେ ଓ ମନ୍ତ୍ର ଶିଖାଇଥିଲେ । ନିଜ ପୁଅମାନଙ୍କ ଅପେକ୍ଷା ସେ ଖୁବ୍‌ ଭଲ ବେଦ ଅଭ୍ୟାସ କରିଥିଲା । ସେ ବର୍ତ୍ତମାନ କାଶୀ ଧାମରେ ଅଛି ।

 

ପ୍ରକୃତରେ କିଏ ମୋର ପିତାମାତା ସେ କଥା ଜାଣିବାର ଉପାୟ ମୋର ନଥିଲା । ବହୁଥର ଇଚ୍ଛାକଲେ ମଧ୍ୟ ମା’ଙ୍କୁ ଏକଥା ପଚାରି ପାରେ ନାହିଁ, କେଜାଣି କାହିଁକି ଏ ଜାରଜ ଶବ୍ଦଟା ମତେ ଭୀଷଣ ବାଧିଥିଲା ଦିନେ ଶାକ୍ୟକୁମାରଙ୍କ ପରି ମୁଁ ମଧ୍ୟ ପଳାୟନ କରି ଏଥିରୁ ମୁକ୍ତି ପାଇବ-। ସୁଷମାର କଥା ରକ୍ଷା କରି ପାରିବି ବୋଲି ମୁଁ ସ୍ଥିର କରି ନେଲି । ମୋର ମନେ ହେଲା ମୁଁ ରତ୍ନାକରରୁ ବାଲ୍ମୀକି ହୋଇ ପାରିବି । ମୁଁ ଅସ୍ଥିର ହୋଇ ପଡ଼ୁଥିଲି । ସୁଷମାର ଅର୍ଥର ଅଭାବ ନାହିଁ-। ସତକୁ ସତ ମୁଁ କାଶୀ ଅଭିମୁଖେ ଯାତ୍ରା କଲି’’....

 

ଡାଏରୀଟା ବନ୍ଦ କରିଦେଇ ସତ୍ୟବାନ ଦୀର୍ଘନିଶ୍ୱାସ ମାରିଲା । ଗୋଟାଏ ଦୀର୍ଘ ଇତିବୃତ୍ତି । ନିଜ ଅଲକ୍ଷ୍ୟରେ ରାସ୍ତା ଉପରକୁ ଗଲା । ସିଗାରେଟ୍‌ଟା ଧରାଇ ନେଲା । ଖବର କାଗଜଟା ଦେଖା ହୋଇ ପାରିନାହିଁ । News agencyକୁ ଗଲେ ମାଗଣାରେ ପଢ଼ି ନେଇ ହୁଏ । ସେ ଯାଉଥିଲା ସେଇ ଉଦ୍ଦେଶ୍ୟରେ । କମ୍ରେଡ ବିନୋଦ ସହ ଦେଖାହେଲା । ଖଦଡ଼ ପୋଷାକ ପିନ୍ଧି ଗାଡ଼ି ଚଢ଼ି ବୁଲୁଛି । କୋଉଠି ହୁଏତ ଆନ୍ଦୋଳନଟାର ସୂତ୍ରପାତ କରିବାକୁ ବୁଲୁଥିବ-। ଏକ ତାତ୍ସଲ୍ୟଭରା ଦୃଷ୍ଟିରେ ବିନୋଦ ଚାହିଁଲା ତାକୁ । ସତ୍ୟବାନର ନିକଟକୁ ଆସି କହିଲା ‘‘ବାଃ, ଚମତ୍କାର । ପୋଷାକପତ୍ରରେ ପରିବର୍ତ୍ତନ, Idealismର ପରିବର୍ତ୍ତନ, ଆଉ ନାରୀ ଶୀକାର କେତେଦୂର ଗଲା । ତୋ ଜାଲରେ କେତେଟା ପତତ୍ରୀ ଧରିଛୁ ?’’ ସତ୍ୟବାନ ଅପ୍ରତିଭ ହୋଇ ବିନୋଦ ନିକଟକୁ ଚାଲିଗଲା । ହାତଟା ଉଠୁଥିଲା ତାର ତଣ୍ଟିଟାକୁ ଚାପି ଧରିବାକୁ । କଟମଟ କରି ତାକୁ ଚାହିଁଲା ସତ୍ୟବାନ ବିନୋଦ କହିଲା । କଣ ରାଗିଲୁକି ? ଆରେ ବେକୁବ । ନନ୍ଦିତା ରାଜ ଦୁଲାଳୀ, ତୋ ପରି ବେକୁବ୍‌କୁ ସେ କେବେ ବିବାହ କରି ନପାରେ । ତୋ ପରି ଅନେକ ଅନେକ ତା ପଛରେ ଗୋଡ଼ାନ୍ତି ।

 

ସତ୍ୟବାନ ଘୃଣାରେ ଆଗେଇଗଲା । ବିନୋଦଟା ଅତି ନିମ୍ନ ରୁଚିର କଥାବାର୍ତ୍ତା କରୁଛି-। ଓଃ କି ଅପମାନ, କି ଲଜ୍ଜା । ଏଇ ଆବର୍ଜନାମୟ ସହରର ଏସବୁ କୁତ୍ସିତ କାମନା । ଏଇଠୁ କିଛି ଦିନ ଦୂରେଇ ଯିବା ଆବଶ୍ୟକ । ସତ୍ୟବାନ ଧୀରେ ଧୀରେ ସହର ଛାଡ଼ି ବିଲଭୂମିରେ ପାଦଦେଲା-। କିଛିଦିନ ବରଂ ମାମୁ ଘରେ ବୁଲି ଆସିଲେ ଭଲ ହୁଅନ୍ତା । କିନ୍ତୁ ସେମାନେ ଯଦି ଗ୍ରହଣ ନ କରନ୍ତି-। ଦେଖାଯାଉ ।

 

ମାମୁଁ ଘରେ ପହଞ୍ଚୁ ପହଞ୍ଚୁ ତାକୁ ଦେଖି ସରୁ କଣ୍ଠରେ ତା ଆଈ ବାହୁନି ଉଠିଲେ । ଭାଇ ଭଉଣୀମାନେ ଶୁଣିଥିବା ଗୁଜବକୁ ଭୁଲିଯାଇ ପିଠିରେ ନାଉ ହୋଇ ପଡ଼ିଲେ । ଓଃ କି ଶାନ୍ତି, କି ନିଷ୍କୃତି । ସତ୍ୟବାନକୁ ପ୍ରକୃତରେ ଖୁବ୍‌ ଆନନ୍ଦ ଦେଇଥିଲା । ଏଇ ଲୋଭନୀୟ ସ୍ନେହପ୍ରବଣ ଗାଁ ଭୂଇଁରେ କିଛିଦିନ ରହି ଯିବାର ଯୋଜନା କଲା ସେ ।

 

ଛୋଟ ପଲ୍ଲୀଟିଏ ତାର ଏ ମାମୁଁ ଘର ଗାଁ । ଗଣିଗଲେ ପଚାଶ କି ଷାଠିଏ ଘର ହେବ । ନାରୀ କୂଳ ଅର୍ଦ୍ଧଶିକ୍ଷିତ । ପୁରୁଷ ଶ୍ରେଣୀ ପ୍ରାୟ କଲିକତାରେ । ଯିଏ ବା ଅଛନ୍ତି ସେ ଦିନସାରା ବିଲ ବାଡ଼ିରେ ପଡ଼ିଥାନ୍ତି । ସତ୍ୟବାନକୁ ପରିବେଶଟା ଆହୁରି ଆରାମଦାୟକ ଲାଗିଲା । ଦିନ ଯାକ ଲାଗିଲା ତାସ ଖେଳ । ଗାଁ ଝିଅମାନେ କିଏ ଭଉଣୀତ କିଏ ଝିଆରୀ । ଳେଖାଯୋଖାରେ ସମସ୍ତେ ନିଜର ।

 

ଖାଲି ସେତିକି ନୁହେଁ, ତାସ୍‌ ଖେଳ ନହେଲେ ମଞ୍ଜି ଗାତେଇ, ନହେଲେ କଉଡ଼ି ଖେଳିବାକୁ ବି ତାକୁ ଭଲ ଲାଗେ । ଛୋଟ ପିଲା ଥିଲାବେଳେ ସାଙ୍ଗ ହୋଇ ତ ଖେଳୁଥିଲେ ।

 

ଏବେ ପୁଣି ଏତେ ଲାଜ କଣ । ଯେଉଁମାନେ ନୂଆ ନୂଆ ଲାଜ କରୁଥିଲେ ଦିନ ଦି’ଟା ପରେ ଆପେ ଆପେ ଛାଡ଼ିଗଲା । ସେମାନଙ୍କର ଦାବି ଓକିଲ ହେଲେ ତାଙ୍କୁ ନେଇ ସିନେମା ଦେଖେଇବ, କିଏ ଶାଢ଼ୀ ତ କିଏ ଚୁଡ଼ି ମାଗିଲାଣି । କିଏ ବା ରିବନ ଓ ଚଟି ମାଗୁଛି । କିନ୍ତୁ ଦୀର୍ଘ ପନ୍ଦର ମାଇଲ ବାଟ କପର୍ଦ୍ଦକ ଶୂନ୍ୟ ସତ୍ୟବାନ କିପରି ଆସିଛି । ସେ କଥା ଥିଲା ଗୋପନୀୟ ।

 

ସମସ୍ତେ ସବୁ ଚାହିଁଥିଲେ । କିନ୍ତୁ ପାତଳା ହୋଇ ଗୋରା ଝିଅଟି ସ୍ନିଗ୍‌ଧା, ନୀଳକଇଁ ଫୁଲପରି ସରାଗ ବୋଳା ଆଖିରେ କେବଳ ନୀରବରେ ଚାହେଁ । ଅଳ୍ପ ହସେ ଅଳ୍ପ ବି କଥା କହେ । ଲାଜ କରେ ଆଉ ଲାଜ କରାଏ ମଧ୍ୟ । ମାନେ ତାକୁ ଚାହିଁ ଦେଲେ ସେ ଅଳ୍ପ ହସି ଏପରି ଲାଜ କରେ ଯେ ନିଜକୁ ଲାଜମାଡ଼େ । ତାର ଧାରୁଆ ମୁହଁରେ ଦୁଇଟି ତୀର୍ଯ୍ୟକ୍‌ ଭୂ ତାକୁ ଭଲ ମାନେ । ତାକୁ ଚାହିଁଲେ ମନେ ହୁଏ ସେ ଯେମିତି କିଛି କହିବାକୁ ଚାହେ ।

 

ପୁଣି ସେଇ ସମ୍ମୋହନ, ସେଇ ନାରୀ, ସେଇ ଆକର୍ଷଣ ।

 

ସକାଳୁ ବନିଶୀଟାଏ ଧରି ବାରିପଟ ପୋଖରୀକୁ ସତ୍ୟବାନ ମାଛ ଧରି ବାହାରିଲା । ଝଙ୍କାଳିଆ ଆମ୍ବଗଛ ତଳେ ନଡ଼ିଆ ଚାଞ୍ଚରା ପକାଇ ବସି ପଡ଼ିଲା । ଥୋପ ଗୁନ୍ଥା ହୋଇ ବନିଶୀ ପଡ଼ିଲା । ଯତ୍ନରେ ଆଣିଥିବା ଡାଏରୀଟା ପୁଣି ଖୋଲିଲା ସତ୍ୟବାନ ।

 

‘‘କାଶୀରେ ପହଞ୍ଚିଲି । ଖାଦ୍ୟର ଅଭାବ ହେଲାନାହିଁ । ଆନନ୍ଦରେ ଗଙ୍ଗାରେ ସାନ କଲି-। ସ୍ନାନ ଘାଟରେ ବହୁ ପଣ୍ଡିତ ଓ ବୈଷ୍ଣବଙ୍କ ଭିଡ଼ ଜମୁଥିଲା । ମନ୍ତ୍ରପାଠରେ ଗଙ୍ଗାଘାଟ ଧ୍ୱନିତ ହେଉଥିଲା । ଜଣକ ମୁଖରୁ ସ୍ତୁତ୍ୟାଂଶ ଶୁଣି ଅନ୍ୟଜଣେ ଗାଇ ଉଠୁଥିଲା । ଏସବୁ ମତେ ଯେତିକି ଚମତ୍କୃତ କଲା ସେତିକି ଆକର୍ଷଣ ମଧ୍ୟ କଲା ।

 

ବ୍ରାହ୍ମଣଙ୍କ ଘରୁ ପବିତ୍ର ବେଦ ଗାୟନ, ଓ ଯଜ୍ଞର ସୁରଭି ଭାସି ଆସୁଥିଲା । କେବଳ ବ୍ରାହ୍ମଣ କାହିଁକି ପ୍ରତ୍ୟକ ପରିବାରରେ ବ୍ରାହ୍ମମୁହୂର୍ତ୍ତରେ ମନ୍ତ୍ରପାଠ ଇତ୍ୟାଦି ହେଉଥିଲା । ସହରର ଉପକଣ୍ଠରେ ଥିଲା ଅନେକ ଚତୁଷ୍ପାଠୀ ଓ ଆଚାର୍ଯ୍ୟଙ୍କ ମଠ । ଦିନେ ବୁଲି ବୁଲି ଗୋଟିଏ ମଠରେ ପହଞ୍ଚିଲି । କ୍ଷୁଧା ହେଉଥାଏ । ସେମାନେ ମତେ ସଂସ୍କୃତ ଭାଷାରେ ପଚାରିଲେ ମଧ୍ୟ ମୁଁ ବେଶ୍‌ ବୁଝି ପାରିଥିଲି । ମତେ ସଂସ୍କୃତର ଉଚ୍ଚାରଣ ଭୟ ଲାଗୁଥିଲା । କେବଳ ପବିତ୍ର ବେଦ ଓ ସଂସ୍କୃତ ଅଧ୍ୟୟନରେ ମୋର ଅଧିକାର ନ ଥିଲା ବୋଲି ମୁଁ ବୁଝିଥିଲି । ସେମାନଙ୍କୁ ଠାର କରି ମୋ ଉଦ୍ଦେଶ୍ୟ ବୁଝେଇବାକୁ ଲାଗିଲି । କିନ୍ତୁ ମୁଁ ସଂସ୍କୃତ ବୁଝୁନ ଥିବାରୁ ସେମାନେ ନିଧାର୍ଯ୍ୟ ରୂପେ ଧରି ନେଇଥିଲେ ଯେ ମୁଁ ଅବ୍ରାହ୍ମଣ । ଏପରିକି ସେଇ ମଠର ଗୋଟିଏ ଦାସ ମଧ୍ୟ ମୋ ସହିତ ସଂସ୍କୃତରେ କଥୋପକଥନ କରୁଥିଲା । ମୁଁ ନିରୂପାୟ ହୋଇ ପୁଣି ଘୂରିଲି । ଗଙ୍ଗାସ୍ନାନ କରି ମୋର ଅପବିତ୍ର ଶରୀରକୁ କେବଳ ପବିତ୍ର କରିବାରେ ଲାଗିଥାଏ ।

 

ଦିନେ ଜଣେ ସନ୍ନ୍ୟାସୀ ମୋ ସହିତ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଲେ । ସେ ମତେ ସାଥିରେ ଧରି ଉତ୍ତର କାଶୀକୁ ଗଲେ । ଗୋଟିଏ ଛୋଟ ଗୁମ୍ଫାରେ ସେ ରହୁଥିଲେ ଓ ଅନତୀ ଦୂରରେ ତାଙ୍କର ଆଶ୍ରମ ଥିଲା । ତାଙ୍କର ବହୁ ଶିଷ୍ୟ ସେ ସ୍ଥାନରେ ରହିଥିଲେ । ମତେ ତାଙ୍କ ସହିତ ରହିବାକୁ ଅନୁମତି ମିଳିଲା । ଆଶ୍ରମର ସେବା କାର୍ଯ୍ୟ କରି ମୁଁ ପ୍ରକୃତରେ ଖୁବ୍‌ ଆନନ୍ଦିତ ହେଲି । ମୁଁ ଗୁହାଳ ପୋଛିଲି, କାଠ କାଟିଲି, ବାସନ ମାଜିଲି ଓ ଘାସ ମଧ୍ୟ କାଟିଲି । ସନ୍ନ୍ୟାସୀ ମୋ କାମରେ ପ୍ରୀତ ହୋଇ ମୋର ଉଦ୍ଦେଶ୍ୟ ପଚାରିଲେ । ମୁଁ ତାଙ୍କୁ କହିଲି ସଂସ୍କୃତ ଶିକ୍ଷା ଓ ବେଦାଧ୍ୟୟନ । ସେ ଗୋଟିଏ ପତ୍ର ଲେଖି ମତେ ଜଣେ ଆଚାର୍ଯ୍ୟଙ୍କ ନିକଟକୁ ପ୍ରେରଣ କଲେ । ଆଚାର୍ଯ୍ୟେ ମତେ ଚାହିଁଲେ ଓ ଦୂରେଇ କରି ଠିଆ ହେଲେ । ଆଉ ସର୍ବଦର୍ଶୀଙ୍କ ପରି କହିଲେ ‘‘ସଂସ୍କୃତ ଅଧ୍ୟୟନରେ କୌଣସି ଅବ୍ରାହ୍ମଣ ଜାରଜର ଅଧିକାର ନାହିଁ ।’’

 

ଆଚାର୍ଯ୍ୟଙ୍କ କଥା ନ ସରୁଣୁ ସ୍ୱୟଂ ସନ୍ନ୍ୟାସୀ ସେଠି ଉପସ୍ଥିତ ହେଲେ । କ୍ରୋଧାନ୍ଧ ହୋଇ ସେ କହିଲେ ‘‘ହେ ବ୍ରାହ୍ମଣ, ପାଣ୍ଡବ କୁଳ ଜାରଜ ଥିଲେ, ସମସ୍ତ କ୍ଷତ୍ରୀୟ କୁଳ ଜାରଜ ଥିଲେ-। ସିଦ୍ଧାଚାର୍ଯ୍ୟ ଦ୍ରୋଣ ଓ କୃପ ସେମାନଙ୍କୁ ଶିକ୍ଷାଦାନ କଲେ କିପରି ? କେବଳ ଭାରତରେ ନୁହେଁ ସମଗ୍ର ପୃଥିବୀରେ କୌଣସି ଉଚ୍ଚବଂଶଜର ରକ୍ତରେ ଗୋଟିଏ ପ୍ରବାହ ନାହିଁ । କେଉଁଠି ଦେବତାର ତ କେଉଁଠି ଦାନବର ରକ୍ତ ପ୍ରବାହିତ ହେଉଛି । ସେଥିରେ ଗର୍ବର ବିଶେଷ କାରଣ ନାହିଁ-। ହେ ଆର୍ଯ୍ୟ, ମଣିଷ ଜାତିର ଇତିହାସ ବଡ଼ କରୁଣ । ହେ ସର୍ବଦର୍ଶୀ, ପ୍ରତ୍ୟେକଟି ମାନବର ଇତିହାସ ଯଦି ଜାଣିପାରୁଛ ତେବେ ଭଲ କରି ଦେଖ ତାଠି ଜାରଜତ୍ୱର ମାତ୍ର କେତେ । ଯେଉଁଠି ବିଧବା ପତ୍ନୀକୁ ବଂଶରକ୍ଷାର୍ଥେ ଅପର ପୁରୁଷଠାରୁ ଗର୍ଭଧାରଣ କରିବାକୁ ଦିଆଯାଏ ସେଇଠି ତମେ ଶିଷ୍ଟାଚାର ଭୁଲି ଦୋଷାରୋପ କରୁଛ ଜଣେ ନୀରିହ ସନ୍ତାନକୁ । ହେ ଆର୍ଯ୍ୟ । ଏ ସନ୍ତାନ ମଧ୍ୟ ଈଶ୍ୱରଙ୍କର । ତୁମ ପରି ଜଣେ ମହାତ୍ମାଙ୍କଠାରୁ ଶିକ୍ଷା ଲାଭ କଲେ ବ୍ରାହ୍ମଣତ୍ୱ ମଧ୍ୟ ପାଇ ପାରିବ । ମୋର ଅନୁରୋଧ ତାର ଶ୍ରଦ୍ଧା ରକ୍ଷା କରି ତାକୁ ଶିକ୍ଷା ଦାନକର ।’’

 

ମୁଁ ଲଣ୍ଡିତ ହେଲି । ଦୀକ୍ଷିତ ହେଲି । ମୁଁ ବୁଝିପାରିଲି, ଯେ କୌଣସି ବ୍ୟକ୍ତିର ପବିତ୍ର ହୃଦୟମନ ତାକୁ ସ୍ୱର୍ଗ ସମ୍ପଦ ଦାନ କରିପାରେ । ଯେଉଁଠି ସକଳ ପାପକୁ ଧୋଇ ନେବାକୁ ପବିତ୍ର ଗଙ୍ଗାର ଆବିର୍ଭାବ ସେଇଠି ଏ ବା କି ଅସମ୍ଭବ କଥା । ସବୁ ଏଇ ମାଟିର ଦାନ-ଆପେ ଆପେ ମାନବ ଉଚ୍ଚରି ଉଠେ ‘‘ଅହଂ ବ୍ରହ୍ମ ଅସ୍ମି, ତତ୍‌ ଅସି ।’’ ଭାରତର ଏଇ ଚିରଞ୍ଜିବୀ ପ୍ରକୃତି ଭାରତବାସୀଙ୍କୁ ଆର୍ଯ୍ୟତ୍ୱ ଦେଇଛି ।

 

ତାପରେ ଆଶ୍ରମରେ ମୋର ନାମ ହେଲା ଅଜପାନନ୍ଦ ବିଜୟଶ୍ରୀ । ମୋର ଗୁରୁ ଥିଲେ ପ୍ରକୃତରେ ବିଦ୍ୱାନ । ସେ ଜଣେ ଆର୍ଯ୍ୟ ଶ୍ରେଷ୍ଠ ପୁରୁଷ ବୋଲି ମୋର ମନେ ହେଉଥିଲା । ତାଙ୍କ ଜୀବନ ଥିଲା ଅତୀବ ଶିକ୍ଷଣୀୟ । ତାଙ୍କରି ତତ୍ତ୍ୱାବଧାନରେ ମୋର ଶିକ୍ଷା ଖୁବ୍‌ ଶୀଘ୍ର ପୂର୍ଣ୍ଣତା ଲାଭ କଲା । ସାଂଖ୍ୟ ଦର୍ଶନରେ ମୋର ଖୁବ୍‌ ପାରଦର୍ଶିତା ଦେଖି ସେ ଭାରି ଖୁସି ହେଲେ । ପ୍ରତିଦିନର ବିଦ୍ୟାଭ୍ୟାସ, ପୂଜା ଆରାଧନା, ଆଲୋଚନା ସଭା ପୁଣି କର୍ମ ଭିତରେ ମୁଁ ଘରଦ୍ୱାର ସବୁକିଛି ଭୁଲିଗଲି । ସୁଷମା ନିକଟକୁ ବ୍ରହ୍ମଜ୍ଞ ହୋଇ ମୋର ଫେରି ଯିବାର କଥା କିନ୍ତୁ ମୁଁ ସେ ଧାରଣା ପର୍ଯ୍ୟନ୍ତ ଭୁଲି ଯାଇଥିଲି । ବେଳେବେଳେ ମୋ ଝିଅଟିର ଡାଡି ଡାକ ମୋର ମନେ ପଡ଼ୁଥିଲା ମାତ୍ର-। ମୋ କାନ୍ଧରେ ଯଜ୍ଞ ଉପବୀତ ଝୁଲୁଥିଲା ଯଦିଓ ସେଇ ଜାରଜ ଶବ୍ଦଟି ମୋ ମନରେ ଅଲିଭା ଦାଗ ଆଙ୍କି ଦେଇଥିଲା । ଅବଶ୍ୟ ମୋର ପରବର୍ତ୍ତୀ ଜୀବନରେ ମୋ ପିତାଙ୍କ ଜୀବନୀରୁ ମୁଁ ଆବିଷ୍କାର କରିଥିଲି ଯେ ସେ ଶବ୍ଦ ମୋ ପ୍ରତି ପ୍ରଯୁଜ୍ୟ ନୁହେଁ । ମୁଁ ଦ୍ୱିଜ ସନ୍ତାନ ।

 

ମୁଁ ଆଶ୍ରମରେ ଅପାର ଆନନ୍ଦରେ ସମୟ କଟାଇବାରେ ଲାଗିଲି । ଦିନେ ଗଙ୍ଗାସ୍ନାନ ସାରି ଫେରୁଛି ମୋର ଅନତି ଦୂରରେ ମୋର ସେଇ ସହୃଦୟ ସନ୍ନ୍ୟାସୀ ଯେ କି ମୋର ପ୍ରଥମ ଗୁରୁ ସେ ମଧ୍ୟ ସ୍ନାନସାରି ବାହୁଡ଼ୁଛନ୍ତି । ପିଣ୍ଡଦାନ କରିବାକୁ ଆସିଥିବା ଜଣେ ଆଗନ୍ତୁକ ହଠାତ୍‌ ମୋ ସାମ୍ନାକୁ ଆସି ବଡ଼ ପାଟିରେ କହିଲା ‘‘ଓ ହୋ, ତମେ ନିଶ୍ଚୟ ସେଇ ହେରି ଜନ୍‌ ସନ୍‌ । ହଁ ଠିକ୍‌ ମୁଁ ତୁମକୁ ଚିହ୍ନି ପାରୁଛି । ସୁମୀ ଅପା ତମକୁ ଚାହିଁ ଚାହିଁ ତା ଆଖିରୁ ପାଣି ମଲାଣି । ଆମ କଲୋନୀ ଲୋକେ କହୁଛନ୍ତି ସେ ତମ ପାଇଁ ସୁଧି ହୋଇ ପଡ଼ୁ । ବାଃ ବେଶ୍‌ ଭଲ ଲୋକ ତମେ । ଝିଅଟା ଆସି ଘରଯୋଗ୍ୟା ହେଲାଣି । ଆଉ ତମେ କଣ ନାଁ ବାବାଜି ସାଜି ବେଶ୍‌ ନିଷ୍କୃତି ପାଇଛ-? ସୁମୀ ଅପା କହିଥିଲା ‘‘ଯୋଉଠି ତମକୁ ଦେଖିବି ତା କଥା କହିଦେବି । ତମେ ଶୀଘ୍ର ଘରକୁ ଫେରିଯାଇ ତାଙ୍କ ଦାୟିତ୍ୱ ବୁଝ ।’’

 

ସନ୍ନ୍ୟାସୀ ମହାତ୍ମା ସବୁକଥା ଶୁଣିଲେ ମୋ ନିକଟକୁ ଫେରିଆସି କଟମଟ କରି ମତେ ଚାହିଁଲେ । ସେ କହିଲେ ‘‘ମୁର୍ଖ, ତୁମେ ବିବାହ କରିଛ ବୋଲି ଆମ୍ଭକୁ ଲୁଚାଇ ରଖିଥିଲ କାହିଁକି ? ଜାଣ, ତମର ଅପରାଧର ସୀମା ନାହିଁ । ସନାତନ ହିନ୍ଦୁ ଧର୍ମରେ ତମପରି ପାପୀ ଆଉ କେହି ନାହିଁ-। ଏ କଥା ପ୍ରଥମରୁ ଜାଣିଥିଲେ ମୁଁ ତମକୁ ଦୀକ୍ଷିତ କରି ନଥାନ୍ତି । ତମେ ସତ୍ୟକୁ ଗୋପନୀୟ ରଖିଥିବାରୁ ତମର ସମସ୍ତ ଶିକ୍ଷା ବ୍ୟର୍ଥ ହେଲା । ବର୍ତ୍ତମାନ ତମେ ଏଇ ମୁହୂର୍ତ୍ତରୁ ଏଠୁ ଗୃହାଭିମୁଖେ ପ୍ରତ୍ୟାବର୍ତ୍ତନ କର । ନିଜ ପାପର ପ୍ରାୟଶ୍ଚିତ ହେବ । ଈଶ୍ୱରଙ୍କ ସଂସାରର ଦାୟିତ୍ୱ ତୁମେ କାହାକୁ ଦେଇ ଆସିଛ ? ତମେ ଠକ ବୋଲି ମୁଁ ଜାଣି ପାରି ନଥିଲି । ଯାଅ, କାଳ ବିଳମ୍ବ ନକରି ଯାତ୍ରାକର-।’’ ମୁଁ ନୀରବରେ ଠିଆ ହେଲି । ମୋ ଅପରାଧ ପାଇଁ କ୍ଷମା ମାଗିବାର ଯୋଜନା କରୁଥିଲି । ପୁଣି ସେ କହିଲେ ‘‘ତୁମେ କ୍ଷମାର ଅଯୋଗ୍ୟ ମଧ୍ୟ । ଅବାଧ୍ୟ ହେଲେ ଅଭିଶପ୍ତ ହେବ । ତୁମେ ଯାତ୍ରା ଆରମ୍ଭ କର ।’’

 

ବାଧ୍ୟ ଶିଶୁପରି ମୁଁ ପୁଣି ଫେରିଲି ସଂସାର ଅଭିମୁଖେ । ସୁଷମା ରୁଗ୍‌ଣା ହୋଇ ପଡ଼ିଥିଲା । ମା ମୋର ସଂସାରରୁ ବିଦାୟ ନେଇ ସାରିଥିଲେ । ସେଇ ସ୍ନେହମୟୀ ଜନନୀଙ୍କୁ ଆଉ ଦେଖି ପାରି ନଥିଲି । ଛୋଟ ଝିଅଟି ବଡ଼ ହୋଇ ଆସିଥିଲା । ଜାଣେନା ପୁଣି ସେଇ ସଂସାରକୁ ଫେରି ଆସିଲେ ବି ମୋତେ କିଛି ପରିବର୍ତ୍ତନ ଜଣା ପଡ଼ି ନଥିଲା । କିନ୍ତୁ ମୁଁ ଆଉ ସେଇ କଲୋନୀରେ ରହିବାକୁ ଇଚ୍ଛା କରୁନଥିଲି । ବିଶେଷତଃ ମା’ଙ୍କ ବିଦାୟ ପରେ ମୋର ସେଇ ସ୍ଥାନପ୍ରତି କୌଣସି ଆକର୍ଷଣ ନଥିଲା । ତା ଛଡ଼ା କେବଳ ଚାହା ଇଲାକାରେ କାମ କରୁଥିବା ଶ୍ରମିକଙ୍କ ଛଡ଼ା ସେଠି ଅନ୍ୟ କେହି ରହୁ ନଥିଲେ । ମୋର ଜୀବନଧାରାର ପରିବର୍ତ୍ତନ ପରେ ମୁଁ ପୁଣି ଜୀବିକାର୍ଜନର ନୂତନ ଉପାୟ ସ୍ଥିର କରିଥିଲି । ମୋର ସମସ୍ତ ସମ୍ପତ୍ତି ବାଡ଼ି ବିକ୍ରୟ କଲି । ନୂତନ ଜୀବିକା ପାଇଁ ସୁଷମା ଓ ମାଧୁରୀଙ୍କ ସହିତ ଓଡିଶା ଅଭିମୁଖେ ଯାତ୍ରାକଲି । ସୁଷମା କହିଥିଲା ‘‘ମତେ ଜଗନ୍ନାଥ ଦର୍ଶନ କରାଇବ । ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ସବୁ ପାପ କ୍ଷୟ ଯାଏ । କିନ୍ତୁ ତାର ସେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବା ପୂର୍ବରୁ ସେ ବିଦାୟ ନେଲା.....

 

ବନିଶୀରେ ମାଛ ଲାଗି ଟାଣି ହେଉଥିଲା । ସେଇ ଝିଅଟା କେତେବେଳୁ ଆସି ସତ୍ୟବାନ ପାଖରେ ଠିଆହୋଇ ବନିଶୀଟା ଧରି ମାଛ ଟାଣୁଥିଲା ସେ ଲକ୍ଷ୍ୟ କରିପାରି ନାହିଁ । ସେ ତନ୍ମୟ ହୋଇ ଚାଲିଥିଲା ଆବିଷ୍କାର ପଥରେ । ତାପରେ ସେ ଝିଅଟା ତାର ଚକ୍ଷୁ ମୁଦ୍ରିତ କଲା । ବାଃ କି ଚମତ୍କାର ଅଭିନୟ । କି ଦୁଃସାହସ । କିଏ ଯଦି ଚାହିଁଥିବ ? ସତ୍ୟବାନ ସାଙ୍ଗେ ସାଙ୍ଗେ ତା ହାତକୁ କାଢ଼ି ପକାଇଲା । ପ୍ରକୃତିସ୍ଥ ହୋଇ ଚାରିଆଡ଼କୁ ଚାହିଁଲା ସୁପ୍ତ ସରୀସୃପଟାଏ ହଠାତ୍‌ ଚେଇଁ ଉଠିଲା ପରି ଅଶ୍ୱସ୍ତି ଅନୁଭବ କଲା ସେ । ସେଇ ଝିଅଟି କହିଲା ‘‘ମୁଁ ଜାଣେ ତମେ ମତେ ଠକି ଦେବ । କି ମୁଁ ମନେ ମନେ ତମକୁ ବରଣ କରି ସାରିଛି । ପାଞ୍ଚ ବର୍ଷ ତଳର କଥା ଟିକେ ମନେ କର । ତମେ ମତେ କାନେ କାନେ କହିଥିଲ ନା ‘‘ତୁମେ ମତେ ଭୁଲି ଯିବନି’’ ତମର ସେଇ ସ୍ନେହ, ସେଇ ଆଲିଙ୍ଗନ ସବୁ କଣ ଭୁଲି ଗଲ ? ତମର ଆମ ଗାଁକୁ ଆସିବା ପାଖାପାଖି ମାସେ ହେଲାଣି । ଶୁଣୁଛି ଏବେ ଚାଲିଯିବ । କାହିଁ ମତେ ପଦଟିଏ ବି ତ କିଛି କହିଲ ନାହିଁ ? କିନ୍ତୁ ମୁଁ ମୋ ହୃଦୟ ସିଂହାସନରେ ତୁମକୁ କେବଳ ବସାଇଛି । ସତ କହୁଛି ତୁମେ ମତେ ଯଦି ଠକି ଦେବ ଏଇ ପୋଖରୀକି ଡେଇଁ ପଡ଼ିବି ।’’ ଅଭିମାନରେ ସେ କାନ୍ଦିଲା । ସତ୍ୟବାନ ବିବ୍ରତ ହୋଇ ପଡ଼ିଲା-। ତାକୁ ଶାନ୍ତ କରିବାକୁ ଚେଷ୍ଟା କଲା । କିନ୍ତୁ ସେ କିଛି ବୁଝିବାକୁ ପ୍ରସ୍ତୁତ ନଥିଲା । ସେ ପୁଣି କହିଲା ‘‘ଆମେ ମଫସଲି ବୋଲି ତମର ଘୃଣା ହେଉଛି ନା ?’’ ବାପ୍‌ରେ କି ଆକ୍ଷେପ, କି ଅଭିନୟ-। ସତ୍ୟବାନ କହିଲା ‘‘ତୁମେ ମତେ ଏତେ ଭଲ ପାଅ ବୋଲି ପ୍ରକୃତରେ ମୁଁ ଜାଣି ନଥିଲି-। କଥା ଦେଉଛି । ତମ କଥା ରଖିବି । ତମେ ବର୍ତ୍ତମାନ ଶୀଘ୍ର ଏଠୁ ଚାଲିଯାଅ ।’’ ସେ କହିଲା ‘‘କାହିଁକି ତମର ଭୟ ହେଉଛି, କାଳେ କିଏ ପ୍ରେମାଳାପ ଦେଖିବ ବୋଲି ? ସେ ସବୁକୁ ମୋର ଭୟ ନାହିଁ । ବରଂ ତମେ ନଥିବା ବେଳେ ତମକୁ ନେଇ ମତେ କିଏ ଥଟ୍ଟା କଲେ ମତେ ଭଲ ଲାଗିବ । ତମେ ବରାବର ଚିଠି ଦେବ ନା ? ପ୍ରତି ମାସରେ ଥରେ ଅନ୍ତତଃ ଆସିବ । ନ ହେଲେ ମୁଁ ସିଧା ତମ ପାଖକୁ ଚାଲିଯିବି ।’’ ସତ୍ୟବାନ କହିଲା ‘‘ହଁ, ଚିଠି ଦେବି ଆସିବି, ଚାଲ ଏଠୁ ଚାଲିଯିବା-। ମାଇଁ ଖୋଜୁଥିବେ ।’’ ସେ କିନ୍ତୁ ଗଲାନାହିଁ । ସେ କହିଲା ‘‘ଅସଲ କଥାଟି ତ ଏପର୍ଯ୍ୟନ୍ତ କହୁନ, କୁହ, କେବେ ଆମର ବିବାହ ହେବ ?’’ ସତ୍ୟବାନ ବିବ୍ରତ ହୋଇ ପଡ଼ିଲା । ଏ କଣ ନାରୀର ଏକ ଶାଶ୍ୱତ କାମନା । ବିବାହ ଓ ସନ୍ତାନ ଉତ୍ପତ୍ତି ? ଏ ଚିରନ୍ତନ ଦୁର୍ବଳତାରୁ ତାର ମୁକ୍ତି ନାହିଁ ଯେପରି । ସେ କହିଲା ‘‘ମୋର ପାଠ ଶେଷ ହୋଇନାହିଁ । ପାଶ୍‌ କରି ସାରିଲେ ମୁଁ ତୁମକୁ ଚିଠିରେ ସବୁ କଥା ଜଣାଇବି ।’’ ନଭେଲ ବହିର ପାଠ ପରି ଝିଅଟି କହିଲା ‘‘ତମେ ପାଶ୍‌ କର ବା ନକର, ତମେ ମୂଲିଆ ହେଲେ ମୁଁ ମୂଲିଆଣୀ ହେବି । ତମେ ରାଜା ହେଲେ ମୁଁ ରାଣୀ ହେବି । ଡରୁଛ କାହିଁକି ?’’ ଏମିତି ସେ ଆଉ କିଛି କହିଗଲା । ସତ୍ୟବାନ ତାର ବନିଶୀ ଧରି ଫେରି ପଡ଼ିଲା । ଝିଅଟି କହିଲା ‘‘ପ୍ରତି ମାସରେ ନୂଆ ନୂଆ ନଭେଲ ବହି ପଠାଇବ ।’’

 

ସେଇଦିନ ରାତିରେ ସତ୍ୟବାନ ସ୍ଥିରକଲା ଗାଁରୁ ବିଦାୟ ନେବ । ଶୋଇବାକୁ ଯିବା ପୂର୍ବରୁ ସେ ଆଈକୁ କହିଥିଲା ରାତି ନ ପାହୁଣୁ ସେ ଚାଲିଯିବ । କିନ୍ତୁ ତାକୁ ଆଶ୍ଚର୍ଯ୍ୟ କରି ସେଇ ଝିଅଟି ଆସି ତାକୁ ଉଠାଇଲା । ରାତି ପାହି ଆସୁଥାଏ । ଆଈ ଉଠି ପବିତ୍ରା ପକାଇବାକୁ ବାହାରି ଯାଇଥାନ୍ତି । ସତ୍ୟବାନର ମୁଣ୍ଡକୁ ଛାତିରେ ଚାପିରଖି ସେ କାନ୍ଦିଥିଲା । ବିରହର ଅଶ୍ରୁ ସତ୍ୟବାନର ମୁଣ୍ଡରେ ଖସି ପଡ଼ୁଥିଲା । ସତ୍ୟବାନ ଅନୁଭବ କରିଥିଲା ନାରୀ ପ୍ରେମ ଓ କରୁଣାର ଏକ ଅକୃତ୍ରିମ ଉତ୍ସ । ଏକ ମୂର୍ତ୍ତିମନ୍ତ ଅବତାର । ହୃଦୟ ତାର ବ୍ୟାକୁଳ ହୋଇ ଉଠିଥିଲା । ମାଧୁରୀକୁ ସେ ଧର୍ମତଃ ବିବାହ କରି ସାରିଛି । କିନ୍ତୁ ସ୍ନିଗ୍‌ଧାକୁ ଏତିକି ଜଣାଇବାର ସାହାସ ତାର ନାହିଁ । ସେ ଜାଣେ ନିଜ ମନସ୍ତତ୍ତ୍ୱ ବ୍ୟତୀତ ଅନ୍ୟ କାହାର ମନସ୍ତତ୍ତ୍ୱ ଉପରେ ନାରୀ ଗୁରୁତ୍ୱ ଦିଏ ନାହିଁ । ସେ ବିଦାୟ ନେଇଥିଲା ସ୍ନିଗଧାଠୁ । ଅଶ୍ରୁ ଛଳ ଛଳ ହୋଇ ଉଠିଥିଲା ସ୍ନିଗ୍‌ଧା । ସେ ନିଜେ ମଧ୍ୟ କନ୍ଦିବାକୁ ବାଧ୍ୟ ହେଲା । ସ୍ନିଗ୍‌ଧାକୁ କହିଲା ‘‘ଛି, ଗଲାବେଳେ କାନ୍ଦନ୍ତିନି ।’’ ସତ୍ୟବାନ ନିଜେ ବୁଝି ପାରି ନଥିଲା ଯେ ସେ କୃତ୍ରିମ ହୋଇଛି । ସେ ମିଥ୍ୟା କହୁଛି । ସ୍ନଗ୍‌ଧା କହିଲା ‘‘ତୁମ ଫଟୋ ନିଶ୍ଚୟ ପଠାଇବ-।’’ ସତ୍ୟବାନ ଆଖିରୁ ଲୁଚିବା ଯାଏ ସ୍ନିଗ୍‌ଧା ଚାହିଁଥିଲା ।

 

କପର୍ଦ୍ଦକଶୂନ୍ୟ ସତ୍ୟବାନକୁ ପଥଚାଲି ପୁଣି ସହରକୁ ଫେରିବାକୁ ପଡ଼ିଲା । ହୁସେନ ତାର ଖବର ସବୁ ଗପିଗଲା । ସତ୍ୟବାନ Law ପାଶ୍‌ କରିଛି । ମାଧୁରୀ ତାକୁ ଖୋଜି ନିରାଶ ହୋଇଛି । ସାଙ୍ଗମାନେ ବରାବର ଖୋଜିବାକୁ ଆସୁଛନ୍ତି । ହୁସେନ ଖବର କାଗଜଟି ବଢ଼ାଇଲା । ନନ୍ଦିତା ପ୍ରଥମ ଶ୍ରେଣୀରେ ଆଉ ସେ ନିଜେ ଦ୍ୱିତୀୟ ଶ୍ରେଣୀରେ Law ପାଶ୍‌ କରିଛନ୍ତି । ନନ୍ଦିତାକୁ ପ୍ରଶଂସା ନକରି ରହି ପାରିଲା ନାହିଁ ସେ ।

 

ସତ୍ୟବାନ ଗୋଟାଏ ଆବେଗରେ ନନ୍ଦିତା ଘରକୁ ଚାଲିଲା । ନନ୍ଦିତାର ଦେଖାନାହିଁ । ଉପର ମହଲାରେ ଅଛି ବୋଲି ଖବର ମିଳିଲା । ସତ୍ୟବାନ ସିଧା ସଳଖ ଉପର ମହାଲାକୁ ଉଠିଗଲା । ଡ୍ରଇଂ ରୁମରେ ବସି ଅପେକ୍ଷା କଲା ନନ୍ଦିତାକୁ । ନନ୍ଦିତା ଆସିବ । କୃତଜ୍ଞତା ଜଣାଇବ, କିନ୍ତୁ ହଠାତ୍‌ ନନ୍ଦିତା ରୁମ୍‌ ଭିତରକୁ ପଶି ଆସିଲା । ସତ୍ୟବାନକୁ ଅପ୍ରତିଭ କରି ସେ; ଆଲିଙ୍ଗନ କରି କହି ଉଠିଲା ‘‘ମୋ ସଫଳତାର ଏହାହିଁ ପ୍ରତିଦାନ । ଆଜି ମୁଁ ତୁମ ସହିତ ସେକେଣ୍ଡ ସୋ ନିଶ୍ଚୟ ଯାଉଛି ।’’ ସତ୍ୟବାନ ଜାଣେ ନନ୍ଦିତା ଏକ ନଛୋଡ଼ବନ୍ଧା ଝିଅ । ତାର ନିଷ୍କୃତି ନାହିଁ ଆଜି ।

 

ସିନେମାରୁ ଫେରିଲା ବେଳକୁ ଦେଖାହେଲା ବିନୋଦ ସହିତ । ସତ୍ୟବାନକୁ ହଲେଇ ଦେଇ ବିନୋଦ କହିଲା ‘‘କିରେ କେମିତି ଅଛୁ ? ପ୍ରାକ୍‌ଟିସ୍‌ ଚାଲିଛି ତ ? ବେଶ୍‌ କରିଛୁ ।’’ ବିନୋଦ ଅର୍ଥପୂର୍ଣ୍ଣ ଚାହାଣୀରେ ଚାହିଁ ଚାଲିଗଲା । ଆଉ ଠିକ୍‌ ତା ପରେ ପରେ ନନ୍ଦିତାର ମୁହଁରେ ସାମାନ୍ୟ ବନ୍ଧୁରତା ଦେଖାଗଲା । ଗାଡ଼ିରୁ ଓହ୍ଲାଇ ନନ୍ଦିତା ନିଜ ରୁମ୍‌କୁ ଡାକି ନେଇଥିଲା ସତ୍ୟବାନକୁ । ହଠାତ୍‌ ସେ ପଚାରି ବସିଲା ‘‘ମୁଁ ତୁମକୁ ଆଜି କେତେ ପ୍ରଶ୍ନ ପଚାରିବାକୁ ଚାହେଁ ସତ୍ୟବାନ । ମୁଁ ରାୟସିଂହ ବଂଶର କନ୍ୟା । ମୁଁ ତମକୁ ବିବାହ କରିବାକୁ ଚାହେଁ ।’’ ସତ୍ୟବାନ ଆଶ୍ଚର୍ଯ୍ୟ ହେଲା । ବାରମ୍ବାର ଏଇ ପ୍ରଶ୍ନ ଏଇ ବିବାହର ମୀମାଂସା । ସେ କହିଲା ‘‘ନନ୍ଦିତା ମୁଁ ମାଧୁରୀକୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ସାରିଛି ।’’ ଅସ୍ୱାଭାବିକ ଭାବେ ନନ୍ଦିତା ହସି ଉଠିଲା । ‘‘ଠିକ ଅଛି ସତ୍ୟବାନ । ବିବାହ ଏକ ବନ୍ଧନ । ତୁମେ ମାଧୁରୀକୁ ବିବାହ କରିପାର । କିନ୍ତୁ ତୁମକୁ ମୁଁ ପ୍ରକୃତରେ କାହିଁକି ଯେ ଭଲପାଏ । ମୋର ନିର୍ମଳ ପ୍ରାଣରେ ଆଘାତ ଦିଅନାହିଁ । ଏ ମୋର ସାମାନ୍ୟ ସ୍ୱେଚ୍ଛାଚାର ମାତ୍ର । ରାୟସିଂହ ବଂଶର ରକ୍ତ ଏସବୁକୁ ଖାତିର କରେନାହିଁ । ମୋର ଉପଭୋଗ ପଥରେ ଯେ କୌଣସି ଅନ୍ତରାୟକୁ ମୁଁ ଭ୍ରୂକ୍ଷେପ କରେନାହିଁ । ମୁଁ ଜାଣେ ତୁମେ ହୁଏତ ଏ ସବୁକୁ ପସନ୍ଦ କରିବ ନାହିଁ ।’’

 

ସତ୍ୟବାନ କହିଲା ‘‘ମତେ ଭୀରୁ ଚୋଲି ମନେ କରନାହିଁ । ସମାଜ, କଳଙ୍କ, ବନ୍ଧନ ଏସବୁକୁ ମୁଁ ଭୟ କରେ ନାହିଁ ନନ୍ଦିତା, କେବଳ ତୁମରି ମଙ୍ଗଳ ପାଇଁ ସତ୍ୟକଥା କହୁଛି ମାତ୍ର ।’’ ନନ୍ଦିତା ତେଜି ଉଠିଲା । ସେ କହିଲା ‘‘ମତେ ସଚେତନ କରି କି ଲାଭ ହେବ ତୁମର । ରାୟସିଂହ ବଂଶର ରକ୍ତରେ ସେ ଆତ୍ମସମର୍ପଣ ଅଧ୍ୟାୟ ନାହିଁ । ତାର କାମନାରେ ସେ ହୁଏ ଅଟଳ । ପୁରୁଷ ହୋଇ ତୁମର ଯେଉଁ ସାହାସ ନାହିଁ ମୋର ସେ ସାହାସ ଅଛି ।’’ ସତ୍ୟବାନ ବିରକ୍ତ ହୋଇ ପଡ଼ୁଥିଲା । ସେ କହିଲା ‘‘ତୁମେ ଜଣେ ନାରୀ ବୋଲି ଯାହା କହିଲି ସେ କଣ ତୁମ ପ୍ରତି ଯଥାର୍ଥ ନୁହେଁ ? ନନ୍ଦିତା କହିଲା ‘‘ହଁ, ମୁଁ ବୁଝି ପାରୁଛି, ମୁଁ ନାରୀ ବୋଲି ମୋର ମର୍ଯ୍ୟାଦା ଉପରେ ଦୃଷ୍ଟି ରଖି ତୁମର ଏ ମନ୍ତବ୍ୟ । ଶୁଣ ସତ୍ୟବାନ । ସେପରି ଏକ ମୂଲ୍ୟହୀନ ଶବ୍ଦକୁ ମୁଁ କେବେ ଭୟ କରିନି । ସେଥିପାଇଁ ମୁଁ କେବେ ଯତ୍ନ କରିବିନି । ମୁଁ ଭଲ ରକମ ବୁଝିଛି ସତ୍ୟବାନ ଯେତେବେଳେ ସୀମିତ ଜନ ସମାଜ ଭିତରେ ନାରୀର ସଂଖ୍ୟା ଥିଲା ଅଳ୍ପ ସେତେବେଳେ ସେ ବହୁ ପୁରୁଷ ଦ୍ୱାରା ବହୁବାର ନିଷିକ୍ତା ହେଲା । କୋମଳ ଅଙ୍ଗରେ ବ୍ୟଥା ସହ୍ୟ କରି ନପାରି ସେ ବଳିଷ୍ଠ ଆଶ୍ରୟରେ ଆତ୍ମଗୋପନ କଲା । କ୍ରମଶଃ ଏଇ ଆତ୍ମରକ୍ଷା ପ୍ରବୃତ୍ତିରୁ ମନ ଓ ବିବେକର ସ୍ୱାକ୍ଷରିତ ଚୁକ୍ତିହେଲା ସତୀତ୍ୱ । ହଁ ସତ୍ୟବାନବାବୁ ମନରେ ନିଆଁ ଲାଗିଲେ ରକ୍ତରେ ନିଆଁ ଲାଗେ । ତୁମକୁ ଅନେକ କଥା କହିପାରେ । କିନ୍ତୁ ବର୍ତ୍ତମାନକୁ ନଷ୍ଟ କରି ନୁହେଁ ।’’

 

ଲ’ ପାଶ୍‌ ତ ହେଲା । ବର୍ତ୍ତମାନ ଉପାୟ ? ଅର୍ଥ ଅଭାବରୁ ଏନ୍‌ରୋଲ ହେବାର ରାସ୍ତା ବନ୍ଦ । ସାମ୍ୟବାଦ ପରି ଗୁଡ଼ାଏ ଅମସାଧିତ କଥାକୁ ନେଇ ମାତିବାରେ ଲାଭ ନାହିଁ ବୋଲି ସେ ସବୁକୁ ସେ ଛାଡ଼ି ସାରିଲାଣି । ବର୍ତ୍ତମାନ ଏକମାତ୍ର ଚିନ୍ତା ସେଇ ଅର୍ଥ । ସମାଜରେ ଏକମାତ୍ର ଧେୟ ଏହି ଅର୍ଥ । ମଣିଷ ମଣିଷ ଭିତରେ ଏଇ ଅର୍ଥ ହିଁ ସୀମାରେଖା ଅଙ୍କନ କରୁଛି । ତାକୁ ବିପୁଳ ଅର୍ଥର ଅଧିକାରୀ ହେବାକୁ ହେବ । ତାର ମନେ ପଡ଼ୁଥିଲା ଚନ୍ଦ୍ରାର କଥା । ତାଙ୍କ ଘରେ ଚନ୍ଦ୍ରା ଥିଲା ଠିକା ଚାକରାଣୀ । ଅନେକ ଦିନ ଧରି ଚନ୍ଦ୍ରା ତାଙ୍କ ଘରେ କାମ କରି ଆସୁଥାଏ । ଚନ୍ଦ୍ରାର ସ୍ୱାମୀ ଅନେକ ଦିନୁ ମୃତ ବୋଲି ସେ ଜାଣିଥିଲେ । ଦିନେ ବୁଲୁ ବୁଲୁ ସହର ତଳି ରାସ୍ତା ଆଡ଼େ ଚାଲିଗଲା ସେ । ସେଇ ରାସ୍ତାରେ ଥିଲା ଅସଂଖ୍ୟ ଝୁମ୍ପୁଡ଼ି ଘର । ଗୋଟିଏ ଛୋଟ ନୂଆଁଣିଆ କୁଡ଼ିଆରେ ଲଣ୍ଠନଟିଏ ଜଳୁଥିଲା । ଗୋଟିଏ ସପ ଉପରେ ବସି ଟିଉସନ ମାଷ୍ଟର ଚନ୍ଦ୍ରା ଝିଅକୁ ପାଠ ପଢ଼ାଉଥିଲେ । ଚନ୍ଦ୍ରା ବସି ଢୁଳଉ ଥିଲା । ସତ୍ୟବାନ ସେଦିନ ଅନେକ କିଛି ଭାବିଥିଲା । ତା ପରଦିନ ଯେତେବେଳେ ସେ ଚନ୍ଦ୍ରାକୁ ପଚାରିଥିଲା ‘‘ଚନ୍ଦ୍ରା ତୁ ଝିଅକୁ ପାଠ ପଢ଼ାଉଛୁ ? ପୁଣି ଟିଉସନ ମାଷ୍ଟର ରଖି ପାରିଛୁ-?’’ ଚନ୍ଦ୍ରା ଅବାକ୍‌ ହୋଇ କହିଲା ‘‘ତୁମେ କେମିତି ଜାଣିଲ ବାବୁ ।’’ ସତ୍ୟବାନ ତାର ଦେଖିଥିବା ଦୃଶ୍ୟ ବର୍ଣ୍ଣନା କଲା । ଚନ୍ଦ୍ରା କହିଲା ‘‘ଛୋଟ ପିଲା ତମେ, କୁଆଡୁ ବୁଝିବ । ମୋ ଝିଅକୁ ମାଇନର ଯାଏ ପାଠ ପଢ଼ାଇବି । ଜାଣୁଛି ବହୁତ ଖର୍ଚ୍ଚ ପଡ଼ିବ । ଇଜ୍ଜତ ବିକି ମଧ୍ୟ ତାକୁ ପଢ଼ାଉଛି । ଅନ୍ତତଃ ନର୍ସ କି ଧାଇଟିଏ ହେବ ।’’ ସତ୍ୟବାନ କହିଲା ‘‘ବାଃ ଭଲ କଥାତ । ତୁ ତାକୁ ବାହା କରିଦେବୁ ନାହିଁ ?’’ ସେ କହିଲା ‘‘ମୋ ହାତରେ ଧନ ନାହିଁ ବାବୁ । ବାହା ପୁଆଣି କି ମୋର ବଳ ନାହିଁ । ମୁଁ ଜାଣିଛି ନର୍ସ କି ଧାଇ ହବା ପାଇଁ କେହି ଚାହାଁନ୍ତି ନାହିଁ । ତାକୁ ଲୋକେ ବାର କଥା କୁହନ୍ତି । ହେଲେ ବାବୁ ସେ ମାଗଣା କଥାରୁ କଣ ମିଳିବ । ତାଙ୍କରି ଦୁଆରେ ମତେ ବାସନ ମାଜିବାକୁ ପଡ଼ୁଛି । ତାଙ୍କରି ଘରେ ଲୋକଙ୍କର ବେଶ ଭିଡ଼ । ବାବୁ ଭାୟା ବି ଦଉଡ଼ୁଛନ୍ତି । ବୁଝିଲ ବାବୁ । ଧନ ଥିଲେ ଏ ଦୁନିଆରେ ସବୁ ଅଛି । ଦି ପଇସା ରୋଜଗାର କରିବାର ଉପାୟ ଥିଲେ କିଏ କାହାକୁ ପଚାରୁଛି ?’’ ସତ୍ୟବାନ ଭାବିଥିଲା, ହିଁ ଠିକ୍‌ କଥା କହିଛି ଚନ୍ଦ୍ରା । ଅର୍ଥ ଆବଶ୍ୟକ; ବଞ୍ଚିବା ପାଇଁ ଏକମାତ୍ର ଲୋଡ଼ା ଅର୍ଥ ଉପାର୍ଜନ କରିବାର କ୍ଷମତା । କାହାର ଅଯଥା ମନ୍ତବ୍ୟରେ ଦୁଃଖ କରିବା ବା ପଛେଇ ଯିବା ନିର୍ବୋଧତା । ଚନ୍ଦ୍ରା ଠିକ୍‌ ବୁଝିଛି ଦୁନିଆକୁ । ‘‘ପିଙ୍ଗଳା ବେଶ୍ୟା ଗୁରୁ ମୋର’’ । ବାଃ ଚମତ୍କାର । ସେ ନୀରବରେ ଚାଲିଯାଇଥିଲା ।

 

ସେ ବୁଝି ପାରିଛି, ଅର୍ଥ ହେଉଛି ପୃଥିବୀର ନାଡ଼ି । ଏ ପୃଥିବୀଟା ଯେତିକି ପୁରୁଣା ହୋଇଛି ଅର୍ଥର ତାଡ଼ନା ମଣିଷକୁ ସେତିକି ଅଧିକ ହୋଇଛି । ମଣିଷ ହେଲେ ପୁଣି ସେଇ ‘ଅଦଳ ବଦଳ’ ଯୁଗକୁ ଫେରି ଯାଆନ୍ତା । ସେ ଏନ୍‌ରୋଲ ହେବ । କେଉଁଠୁ ଆଣିବ ଅର୍ଥ । ଅର୍ଥ ବିନିଯୋଗ ନ କଲେ ଅର୍ଥର ଦ୍ୱାର ଉନ୍ମୁକ୍ତ ହୁଏ ନାଁ । ନନ୍ଦିତା ନିକଟରେ ସେ ଅର୍ଥପାଇଁ କେବେ ହାତ ପାତିବ ନାହିଁ । ବାପାଙ୍କ ନିକଟରେ ତାର ମାଗୁଣି କିଛି ନାହିଁ । ନ ହେଲେ ବର୍ତ୍ତମାନ ଜମି ବିକି ସେ ଅର୍ଥ ଗଣି ଦିଅନ୍ତେଣି । ଛାଡ଼ । ଚିନ୍ତା ସେ କରି ପାରେ ନାହିଁ । ଚିନ୍ତା କରିବା ତାର ପ୍ରକୃତି ବିରୁଦ୍ଧ ଯେମିତି-। ସେ ନୀରବରେ ନିଜ ଖଟ ଉପରେ ବସିଥିଲା ।

 

ପିଣ୍ଡାରେ ଗୋଡ଼ ଦେଲେ ଆଚାର୍ଯ୍ୟ ଓ ତାର ବାପା ହେମନ୍ତବାବୁ । ପୁଣି ବାପା ଆସିଛନ୍ତି । ହୁଏତ ସେଇ ଗୋଟାଏ ଚିନ୍ତାରେ । ‘‘ପୁଅକୁ ଘରକୁ ନେବାକୁ ।’’

 

ସତ୍ୟବାନ ସେମାନଙ୍କୁ ପ୍ରଣାମ କଲା । ଆଚାର୍ଯ୍ୟ ତାକୁ ଆଶୀର୍ବାଦ କଲେ । ଆଚାର୍ଯ୍ୟେ କହିଲେ ‘‘ଓହୋ, ଆଜି କେମିତି ତୋ ଭେଟ ପାଇଗଲୁ । ଆରେ ବାପ, ବଡ଼ କଷ୍ଟରେ ବହୁତ ଥର ଆସିଛୁ । ତତେ ନ ପାଇ ଫେରୁଛୁ । ହଉ ହେଲା, ବର୍ତ୍ତମାନ ତେବେ ଚାଲ । ତତେ ନେବାକୁ ଦଉଡ଼ି ଆସିଛୁ ପରା ।’’ ସତ୍ୟବାନ କହିଲା ‘‘ମତେ ନେବାକୁ । ମାନେ ?’’ ଆଚାର୍ଯ୍ୟ କହିଲେ ‘‘ଆରେ ସେ ମାନେ ଫାନେ କଣ ପଚାରୁଛୁ ବା । ତୁ ଘରର ବଡ଼ ପୁଅ । କେତେ ଦିନ ଏମିତି ରୁଷିଥିବୁ । ତୁ କଣ ଜାଣୁନା ଯେ ତୋ ବୋଉ ବେମାରିଆ । ମା ଆଖିକି ଦିଶୁ ନାହିଁ । ତୋ ଭଉଣୀ ବାହାଘର ହବା କଥା । ବାପର ବୋଝ ତ ପୁଅ ଉଠାଏରେ ବାପ । ତୁ କଣ ଜାଣୁ ନାହୁଁ । ତୁ ଘରକୁ ଚାଲ । ତତେ ଜାତି କରେଇବା ।’’ ସତ୍ୟବାନ ବିରକ୍ତ ହୋଇ ପଡ଼ିଲା । ସେଇ ଗୋଟିଏ ଚିନ୍ତା । ଗୋଟିଏ ପ୍ରକାର ବୁଝାମଣା ଏମାନଙ୍କର । ସେ କହିଲା ‘‘ମୁଁ ଆଦୌ ଯିବି ନାହିଁ । ମୁଁ ଜାତି ଫାତି ଜାଣେ ନାହିଁ । ସମଗ୍ର ମାନବ ଜାତି ଗୋଟିଏ । ଆପଣଙ୍କର କୌଣସି ବ୍ୟବସ୍ଥା ପାଇଁ ମୁଁ ପ୍ରସ୍ତୁତ ନୁହେଁ । ଆପଣ ଫେରି ଯାଆନ୍ତୁ ।’’

 

ହେମନ୍ତବାବୁଙ୍କ ଗମ୍ଭୀର ମୁଁହରେ ଶେଷହୀନ ବିରକ୍ତ ଫୁଟି ଉଠିଲା । ଚୁଟିଟାକୁ ହଲାଇ ଦେଇ ଆଚାର୍ଯ୍ୟ ଧରିଥିବା ବାଡ଼ିକୁ ଭୂଇଁରେ ବାଡ଼େଇ ଦେଲେ । ସେ ଚିତ୍କାର କରି କହିଲେ ‘‘ଆରେ ଏଟା କୁଳାଙ୍ଗାର ନୁହେଁ ତ ଆଉ କଣ ? ବାପଟା ପାଳିଲା, ପୋଷିଲା ସବୁ କଲା । ରୋଜଗାର ବେଳକୁ କଣ ନାଁ । ମୁଁ ମୋର । ହଁ, ହେ, ଏମିତି କେତେ କୁଳାଙ୍ଗାର ବୁଲୁଛନ୍ତି । ଚାଲ ହୋ ହେମନ୍ତବାବୁ । ଏଗୁଡ଼ାଙ୍କ ଦେହରେ ତାକତ ନାହିଁ ସେ ପୁରୁଷ ପଣ କାହିଁ ଯେ ଏମାନେ ସମସ୍ତଙ୍କ ବୋଝ ମୁଣ୍ଡକୁ ନେବେ । ନିଜ ବୋଝ ମୁଣ୍ଡେଇ ନପାରି ଏଗୁଡ଼ାକ ଆଣ୍ଠେଇ ପଡ଼ୁଛନ୍ତି । କି ରୋଜଗାର କରିବେ ଏଗୁଡ଼ା । ହେଇଟି ଦେଖ ହେ ହେମନ୍ତବାବୁ । ଏଇ ବାହାଦିଟାକୁ ଦେଖ । ଯେତେବେଳେ ମୋର ଏ ଦୁଇ ବାହାରେ ତାକତ ଥିବ ଦଶ ପ୍ରାଣୀ କୁଟୁମ୍ବ ପୋଷି ଚାଲିଥିବି । ଆରେ ହେ, ପୁରୁଷ ପୁଅ ବାହା ପିଟିଲେ ଦଶ ଜଣଙ୍କୁ ଚଳେଇବ । ଏତେ ପେଲାପେଲି କଣ ହେ-।’’ ହେମନ୍ତ ବାବୁ ସେମିତି ଠିଆ ହୋଇ ରହିଥିଲେ । ଏତିକି କହି ଆଚାର୍ଯ୍ୟ ବାଡ଼ି ଠକ୍‌ ଠକ୍‌ କରି ରାସ୍ତା ଉପରକୁ ଉଠିଗଲେ । ହେମନ୍ତ ବାବୁଙ୍କ ଶାନ୍ତ କୋମଳ ମୁଁହରେ କଠୋରତା ଦେଖାଗଲା । ସେ କହିଲେ ‘‘ତୋ ମନରେ ବି ଏଇଆ ଥିଲା । ବାହାହବାକୁ ଯଦି ଇଚ୍ଛା କଲୁ କୋଉଠି ପଠଉଣୀ ତ କୋଉଠି ଖିରସ୍ତାନୀ ବାହା ହେବାରେ କି ଲାଭ । ତତେ କଣ ଝିଅ ଅଭାବ ହୋଇଥାନ୍ତା । ରୋଜଗାର କରି ନିଜ ଗୋଡ଼ରେ ତ ଠିଆ ହେବୁ ବୋଲି ଘର ଛାଡ଼ି ଚାଲି ଆସିଛୁ । କେତେ ରୋଜଗାର କଲୁଣି ? ମୁଁ ଜାଣୁଛି । ମନ୍ଦ କର୍ମର ପରିଣତ ମନ୍ଦ ହୁଏ । ତୁ ଆଉ ବାଟକୁ ଫେରିବୁ ନାହିଁ ।’’ ଏତିକି କହି ହେମନ୍ତ ବାବୁ ମୁହଁ ଫେରାଇ ଚାଲିଗଲେ...

 

ହେମନ୍ତ ବାବୁ ଚାଲି ଯାଉଥିଲେ । ତାଙ୍କର ତାଳିପକା ଛିଣ୍ଡା କମିଜଟାକୁ ଦୂରରୁ ଅନାଇ ରହିଲା ସତ୍ୟବାନ । ମୂଳ ସେଇ ଗୋଟିଏ କଥା-ପୋଷଣାହାରୀ ପୁଅ । ହେମନ୍ତବାବୁ କେବେ କଡା କଥା କହି ନ ଥିଲେ । ସତ୍ୟବାନ ଭାବୁଥିଲା ବାପାଙ୍କ କଥା । ଏମିତି ଭଲ । ଆଗରୁ ଶାସନ କରିଥାନ୍ତେ । ଏମିତି ଶାସନ ହୁଏତ ତା ଜୀବନର ଗତି ବଦଳାଇ ପାରିଥାନ୍ତା । ସେ ବାପାଙ୍କୁ ଜାଣେ-। ମନେ ଅଛି ତାଙ୍କର ସେଇ ଦିନର କଥା–ବାପା ଥିଲେ ଏମ୍‌: ଇ: ସ୍କୁଲର ହେଡ଼ମାଷ୍ଟର । ଗୋଟିଏ ପିଅନକୁ ତାର ଗରହାଜିର ଓ ଅନ୍ୟାନ୍ୟ ଦୋଷପାଇଁ ସସପେଣ୍ଡ କରିବାକୁ ପଡ଼ିଲା । ସସ୍‌ପେଣ୍ଡ ଅଡରରେ ଦସ୍ତଖତ କରିଦେବାକ୍ଷଣି ତାଙ୍କ ଚକ୍ଷୁରେ ଭରିଗଲା ଅଶ୍ରୁ । ଘରକୁ ଆସି ମୂକ ପରି ବସି ରହିଲେ । ଖାଇବା ପିଇବା ବନ୍ଦ ହେଲା । ରାତି ଦଶଟା ବେଳେ ପୁଣି ସତ୍ୟବାନକୁ ଯିବାକୁ ପଡ଼ିଲା ସେ ପିଅନ ଘରକୁ । ସେ ଡକା ହୋଇ ଆସିଲା । ତାକୁ ଓ ବାପାଙ୍କୁ ଏକାସଙ୍ଗେ ଖାଇବାକୁ ଦେବାକୁ ବାପା ବାଧ୍ୟ କରିଥିଲେ । ବାପାଙ୍କ ଆସନ ପାଖରେ ତାର ବି ଆସନ ପଡ଼ିଲା । ସେ ଦୁହେଁ ଖାଇଥିଲେ । ଏଇ ସେ ପିତା । କରୁଣାର ଅବତାର ହୋଇ ଯେ ନିଜର ଭୁଲ ଠିକ୍‌ ବି ନିର୍ଣ୍ଣୟ କରି ପାରନ୍ତି ନାହିଁ । ସେ କିପରି ଶାସନ କରି ପାରିଥାନ୍ତେ ତାକୁ । ଆଜି ତାଙ୍କର ଏ ବ୍ୟବହାର ପ୍ରକୃତରେ ଆକସ୍ମିକ ଥିଲା । କିନ୍ତୁ ନିଜ ଯୋଜନାରେ ଅଟଳ ରହିବାକୁ ହେବ ତାକୁ । ନଚେତ୍‌ ତାର ସଫଳତା ଅସମ୍ଭବ । କିନ୍ତୁ କେଉଁ ପ୍ରକାର ସଫଳତା ସେ ଲାଭ କରିବାକୁ ଯାଉଛି ? କେଉଁ ଦ୍ୱାରକୁ ଉନ୍ମୁକ୍ତ କରିବାକୁ ଯାଉଛି ସେ ।

 

ବୋଉ ହୁଏତ ମନେମନେ ଝୁରୁଥିବ । କିନ୍ତୁ ସେ ଯେତେବେଳେ ଘରକୁ ଯାଇଥିଲା । ଗୋଟାଏ ଅଛବ ପରି ତାକୁ ଫେରିବାକୁ ପଡ଼ିଥିଲା । ହୃଦୟ ଓ ମନ ନିକଟରେ ଛୁଆଁ ଅଛୁଆଁ ର ପ୍ରଶ୍ନ କେଉଁଠି ? ସେ ଘରକୁ ସେ ଫେରିବ ବା କାହିଁକି ? ତାର ଗୋଟିଏ ମାତ୍ର ଆବଶ୍ୟକ ଅର୍ଥ । ଯାହାକୁ ହାତ ମୁଠାରେ ଧରି ପାରିଲେ ସେ ଜାଣେ ସବୁକିଛି ପରିବର୍ତ୍ତିତ ହୋଇ ପଡ଼ିବ । ହୃଦୟ, ମନ, ସମାଜ ସମସ୍ତେ ପୁଣି ଏକାକାର ହୋଇ ପଡ଼ିବେ ।

 

ପୁଣି କିଛି ଦିନ ନିରର୍ଥକ ଅପେକ୍ଷାରେ ସେ ଅସ୍ଥିର ହୋଇ ପଡ଼ିଥିଲା । ନନ୍ଦିତା ପାଖକୁ ସେ ଯାଇ ନାହିଁ । ମାଧୁରୀକୁ ମଧ୍ୟ ଆଉ ଦେଖା କରିନାହିଁ । ମାଧୁରୀ ଘରକୁ ଯିବାକୁ ହେଲେ କିଛି ପଥଶ୍ରମ ଆବଶ୍ୟକ । ତଥାପି ସେ ଚାଲି ଚାଲି ପହଞ୍ଚିଲା ସେଠି । ଦ୍ୱାରରେ କରାଘାତ କଲା ସତ୍ୟବାନ । କବାଟ ଖୋଲିଲା ମାଧୁରୀ । ଓଠରେ ସରୁ ଧାରେ ହସ । ନମସ୍କାର କଲା ସେ । କହିଲା ‘‘ମୁଁ ଜାଣିଥିଲି ତମେ ଆଜି ଆସିବ ।’’ ଆଶ୍ଚର୍ଯ୍ୟ ହୋଇ ସତ୍ୟବାନ କହିଲା ‘‘କେମିତି ?’’ ମାଧୁରୀ କହିଲା ‘‘ତା ଅବଶ୍ୟ ମୁଁ କହି ପାରୁନାହିଁ । କିନ୍ତୁ ମତେ ଜଣା ଯାଉଥିଲା ତୁମେ ଆସିବ ।’’ ସତ୍ୟବାନ ଭାବିଥିଲା ମାଧୁରୀ ଅଭିମାନ କରିଥିବ । ଦୀର୍ଘ ଦିନ ହେଲା ସତ୍ୟବାନ ତାଙ୍କୁ ଦେଖା ଦେଉ ନାହିଁ । ସେ ନିଜେ ଗୋଟାଏ କୈଫିୟତ ବି ଚିନ୍ତା କରି ନଥିଲା । କିନ୍ତୁ ଏମାନେ ନିହାତି ଅଲଗା ଧରଣର । ଅଭିମାନ ନାହିଁ, କୌଣସି ଜଟିଳତା ବି ନାହିଁ । ସତ୍ୟବାନ ନନ୍ଦବାବୁଙ୍କ ନିକଟକୁ ଧାଇଁ ଯାଇ ଥିଲା । ସେ ଖୁବ୍‌ ଆଗ୍ରହରେ ଅଭିବାଦନ କଲେ ତାକୁ । ସେ ପଚାରିଲେ ‘‘ବୋଧେ ଖୁବ୍‌ କାର୍ଯ୍ୟବ୍ୟସ୍ତ ଥିଲ ସତ୍ୟବାନ’’ ? ସତ୍ୟବାନ କେବଳ ମୁଣ୍ଡ ହଲାଇ ଥିଲା । ନନ୍ଦବାବୁଙ୍କ ହାତରେ ବନ୍ଧାହୋଇଥିଲା ବ୍ୟାଣ୍ଡେଜ୍‌ । ସେ ପଚାରିଲା ‘‘କଣ ହୋଇଛି ଆପଣଙ୍କର ?’’ ହସ ହସ ହୋଇ ସେ କହିଲେ ‘‘ନାଁ ବିଶେଷ କିଛି ନୁହେଁ । ମୁଣ୍ଡଟା ବୁଲାଇ ଦେବାରୁ ପଡ଼ିଯାଇଥିଲି । ସାମାନ୍ୟ ଫ୍ରାକଚର ହୋଇଛି ।’’ ସତ୍ୟବାନ କୌଣସି ଉତ୍ତର ଦେଇ ପାରିଲା ନାହିଁ । କେମିତି ସେ ଦୁଃଖ ପ୍ରକାଶ କରିବ ସେ ଜାଣେନା ।

 

ନନ୍ଦବାବୁ ଗୋଟାଏ ବେଦାନ୍ତ ପୋଥି ଅଧ୍ୟୟନ କରୁଥିଲେ । ସେ କହିଲେ ‘‘ତମେ ସଂସ୍କୃତ ପଢ଼ିବ ବୋଲି କହିଥିଲ ସତ୍ୟବାନ ? ମୁଁ ତମକୁ ଆଗ୍ରହରେ ଅପେକ୍ଷା କରିଛି ।’’ ଗୋଟାଏ କିନାରା ପାଇଲା ପରି ଆବେଗରେ ସତ୍ୟବାନ କହିଲା ‘‘ହଁ ଆପଣ ତ କଥା କଥାକେ ସଂସ୍କୃତ କହନ୍ତି । ମୋ ମା, ବୋଉ ବାପା ବି ଶ୍ଳୋକ କହି କେତେ ଉଦାହରଣ ଦେଖାନ୍ତି । ଆମ ଦେଶରେ ଏଇ ସଂସ୍କୃତ ଶ୍ଳୋକରୁ ଉଦାହରଣ ଦେବା ଗୋଟାଏ ଅଭ୍ୟାସ । ଶୁଣି ଶୁଣି ମୋର ବି ଇଚ୍ଛା ହୁଏ କହିବାକୁ । ପୁଣି ଆପଣ ଯେମିତି ବୋଲନ୍ତି ଶୁଣିବାକୁ ଭାରି ଭଲ ଲାଗେ । ମୁଁ ବି ଭାବିଲି ସଂସ୍କୃତଟା ପଢ଼ିବି ।’’ ସେ କହିଲେ ‘‘ଦେବଭୂମି ଭାରତରେ କଥିତ ଭାଷା ଥିଲା ସଂସ୍କୃତ । ଅସଂସ୍କୃତ ଭାଷା ମଧ୍ୟ ଥିଲା । କିନ୍ତୁ ସଂସ୍କୃତ ଭାଷା ଥିଲା ତାଙ୍କର ପ୍ରକାଶନର ଭାଷା । ଶ୍ଳୋକ ବୋଲିବା ପ୍ରତ୍ୟେକ ଭାରତୀୟଙ୍କର ଶାଶ୍ୱତ ଅଭ୍ୟାସ । ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ଅଭ୍ୟାସ କୌଣସି ନା କୌଣସି ଆକାରରେ ବଞ୍ଚି ରହିଛି । ସଂସ୍କୃତିର ଏଇ ସ୍ୱାକ୍ଷର ଏଇପରି ବଞ୍ଚି ରହିବ ନିଶ୍ଚୟ ।’’ ସତ୍ୟବାନ ନିଜର ଅବସ୍ଥାର ସୂଚନା ପୁଣି ଦେଇଥିଲା । ସେ କହିଥିଲା ‘‘ମୁଁ ବୋଧେ ଆପଣଙ୍କୁ ମୋର ସ୍କୁଲ ଦିନର କଥା କହିଛି । ଆପଣ ଇଚ୍ଛା କଲେ ମୁଁ ଏଇ ବର୍ତ୍ତମାନଠୁ ପାଠ ଆରମ୍ଭ କରି ଦେବି ।’’

 

ନନ୍ଦବାବୁଙ୍କ ଶିକ୍ଷାର ପଟାନ୍ତର ନଥିଲା । ଅତି ଅଳ୍ପ ଦିନ ଭିତରେ ସତ୍ୟବାନ ସଂସ୍କୃତ ଆୟତ୍ତ କରିବାକୁ ସକ୍ଷମ ହୋଇ ପାରିଥିଲା । ନନ୍ଦବାବୁଙ୍କ ସୁନ୍ଦର ଉଚ୍ଚାରଣ ଓ ଅର୍ଥ କରିବାର ଢଙ୍ଗ ତାକୁ ଚମତ୍କୃତ କରୁଥିଲା । କିନ୍ତୁ ଅର୍ଥର ସେ ଉତ୍କଟ ଅଭାବ ଓ ଭବିଷ୍ୟତର ସେ ଅନିଶ୍ଚିତ ରୂପ ତାକୁ ଦଂଶନ କରୁଥିଲା ।

 

ମାଧୁରୀର ପ୍ରତିଦିନ ଖାଦ୍ୟ ପରିବେଷଣ । ସାଇକେଲରେ ତାକୁ ଛାଡ଼ିଯିବା ଭିତରେ ସତ୍ୟବାନ ମାଧୁରୀକୁ ଦେଖୁଥିଲା ଅତି ନିବିଡ଼ ଭାବରେ । ସ୍ନିଗ୍‍ଧା, ମାଧୁରୀ ଓ ନନ୍ଦିତା...ସତ୍ୟବାନ ମନେ ମନେ ନ ହସି ରହି ପାରୁନଥିଲା । ସେଦିନ ଖାଇ ସାରିଲା ବେଳକୁ ରାତି ଅନେକ ହୋଇ ସାରିଛି । ନନ୍ଦବାବୁ ନିଜ ରୁମ୍‌ରେ ବସିଥାନ୍ତି । ମାଧୁରୀ ସେଦିନ ସତ୍ୟବାନକୁ କହିଥିଲା, ‘‘ଏମିତି ରାତିରେ ନ ଗଲେ କଣ ହୁଅନ୍ତା ନାହିଁ ।’’ ସେ ନୀରବ ରହିଥିଲା । ସତ୍ୟବାନ ମଧ୍ୟ ନିରୁତ୍ତର ରହିଥିଲା । ସେ ଜାଣେନା କାହିଁକି ସେ ମାଧୁରୀ ନିକଟରେ ନିଜକୁ ଉନ୍ମୁକ୍ତ କରିବାକୁ ଚାହେନା । କିନ୍ତୁ ମାଧୁରୀ ହୁଏତ ତାର ଜୀବନର ପରିବର୍ତ୍ତନ କରି ପାରିଛି । ତାର କର୍ତ୍ତବ୍ୟ କଣ ? ସେ ଫେରେ ନିହାତି ଗୋଟାଏ ଅଛିଣ୍ଡା ପ୍ରଶ୍ନ ନେଇ । ବ୍ୟଥିତ ହୁଏ, ପୁଣି ତାକୁ ଜୋର କରି ତଡ଼ି ଦିଏ ମନରୁ । ତଥାପି ସେ ଅପେକ୍ଷା କରିବ । କିନ୍ତୁ କାହିଁକି ଓ କେତେଦିନ ? ଏ ପ୍ରଶ୍ନ ତାର ଅମୀମାଂସିତ ରହିଯାଏ....

 

ସତ୍ୟବାନର ପରିବର୍ତ୍ତନ କିନ୍ତୁ ମାଧୁରୀ ଆଖିରେ ଧରାପଡ଼ି ଯାଇଥିଲା । ସେ କହିଲା ‘‘କଣ ହୋଇଛି ତମର । ଆଜିକାଲି ଏତେ ନୀରବ ରହୁଛ ?’’ ସତ୍ୟବାନ ଜାଣେନା । ଏଇ ପଦେ କଥା ତାର ହୃଦୟର କେଉଁ ଅଂଶକୁ ସ୍ପର୍ଶ କରିଥିଲା । ମାଧୁରୀର ଦୁଇ ହାତକୁ ନିଜ ମୁହଁରେ ଚାପି ଧରି ହତାଶ ଭାବରେ ସେ କହିଲା ‘‘ନା, କିଛି ନୁହେଁ ।’’ ମାଧୁରୀ କଣ ବୁଝିଥିଲା ସେ ଜାଣେନା । କିନ୍ତୁ ଅଶାନ୍ତିର ପ୍ରବଳ ଆକ୍ରମଣରେ ସେଦିନ ରାତିରେ ସତ୍ୟବାନକୁ ନିଦ ହୋଇ ନଥିଲା ।

 

ନନ୍ଦିତାଠାରୁ କୌଣସି ଖବର ନାହିଁ । ସଂସ୍କୃତ ଶିକ୍ଷାର ପ୍ରବଳ ଆଗ୍ରହ ଭିତରେ ନନ୍ଦିତା ପାଖକୁ ଯିବାକୁ ସମୟ ନାହିଁ । ସେ ଜାଣେ ନନ୍ଦିତା ହୁଏତ ଫେରୁଥିବ ତା ଘରୁ । ଶ୍ଳୋକ ପରେ ଶ୍ଳୋକ ପଢ଼ି ଅର୍ଥ କରିବାରେ ସତ୍ୟବାନକୁ ଆଉ ଅସୁବିଧା ହେଉନି । ନିଜେ ପଢ଼ି ବୁଝିବାରେ ଅନେକ ଆନନ୍ଦ ମିଳୁଛି । କାବ୍ୟପାଠରେ ମନ ଲାଗି ରହିଛି । ମାଧୁରୀର ସ୍ନେହ, ପ୍ରେମ ଓ କରୁଣାରେ ଦିନ ବିତି ଯାଉଛି । କିନ୍ତୁ ନନ୍ଦିତା...

 

ଫଗୁ ପୂର୍ଣ୍ଣମୀର ସେଇ ଉଜ୍ଜଳ ତିଥିରେ ନନ୍ଦିତାକୁ ଦେଖିବାକୁ ଗଲା ସତ୍ୟବାନ । ନନ୍ଦିତାର ଅପୂର୍ବ ରୂପଶ୍ରୀ ଦେଖି ସେ ନିଜକୁ ଧନ୍ୟ ମନେ କରିଥିଲା । ସେ ଜାଣେନା ନନ୍ଦିତା ସେଦିନ ଏପରି ସଜ୍ଜିତ ହୋଇଥିଲା କାହିଁକି ? ତାର ଉଜ୍ଜଳ ଗୌର ଅଙ୍ଗରେ ଥିଲା ଚମ୍ପା ରଙ୍ଗର ବସନ । ବେକରେ ଦୁଇ ସରିର ମୁକ୍ତା ମାଳା । ହାତରେ ସୁବର୍ଣ୍ଣ ବାହୁ ବନ୍ଧ । କୃଷ୍ଣ ବେଣୀରେ ଶୁଭ ପୁଷ୍ପର ଗଜରା । ନନ୍ଦିତା ଦିଶୁଥିଲା ଏକ କଳ୍ପିତ ଅପ୍‌ସରୀ ପରି । ସତ୍ୟବାନ ତାର ରୂପଶ୍ରୀକୁ ପ୍ରଶଂସା ନ କରି ରହି ପାରିଲା ନାହିଁ । ନନ୍ଦିତା ସତ୍ୟବାନ ବେକରେ ବାହୁ ବେଷ୍ଟନ କରି କହିଥିଲା ‘‘ମତେ ଏମିତି ଭୁଲିଗଲ ସତ୍ୟବାନ । ତମକୁ ପ୍ରତୀକ୍ଷା କରି କରି ନିରାଶ ହୋଇଗଲି । ହଠାତ୍‌ ମନେ ପଡ଼ିଲି ନାଁ ।’’

 

ସତ୍ୟବାନ କହିଲା ‘‘ତୁମକୁ ଭୁଲି ହୁଏନା ନନ୍ଦିତା । କିଛି ଦିନ ହେଲା କାବ୍ୟ ପାଠରେ ତନ୍ମୟ ହୋଇ ପଡ଼ିଥିଲି । କି ଚମତ୍କାର ରଚନା ସେସବୁ । ବର୍ତ୍ତମାନ ତୁମକୁ ଦେଖି ଭାବୁଛି ପ୍ରକୃତରେ କବିର କଳ୍ପନା ଯେପରି ମୂର୍ତ୍ତିମତୀ ହୋଇ ଉଠିଛି । କି ଚମତ୍କାର କବି ମାନସ । ତୁମେ ହୁଏତ ସେ ସବୁର ପରିଚୟ ପାଇ ନଥିବ ।’’ ନନ୍ଦିତା କହିଲା ‘‘ବାପା, ମୋର ତ ମନେ ହେଉଛି ତମେ ବି କବି ହୋଇ ପଡ଼ିଛ । ତୁମ କଥା ଶୁଣିବାକୁ ମୁଁ କେତେ ଆଗ୍ରହୀ ତୁମେ କଣ ଜାଣନା ସତ୍ୟବାନ । ଅଥଚ ତୁମେ କେଉଁ ଅପୂର୍ବ କାବ୍ୟ ପାଠରେ ଏତେ ମୁଗ୍‌ଧ ହୋଇ ପଡ଼ିଛ ?’’ ସତ୍ୟବାନ କହିଲା ‘‘ଥରେ ଯଦି ଶୁଣିବାକୁ ଚେଷ୍ଟା କରିବ ଭୁଲି ପାରିବନି ନନ୍ଦିତା । ଆହା, ସେତ କୁମାରସମ୍ଭବ । କାଳିଦାସଙ୍କର ସେ ଅତୁଳନୀୟ କବି ମାନସର କଥା କଣ କହିବି । ଦେବାସୁର ଯୁଦ୍ଧରେ ସେନାପତିତ୍ୱ କରିବା ପାଇଁ ପାର୍ବତୀଙ୍କ ଗର୍ଭରୁ ସନ୍ତାନ ଉତ୍ପତ୍ତି ହେବା ଦରକାର । ମହାଯୋଗେଶ୍ୱର ଶିବ ଓ ପାର୍ବତୀଙ୍କର ବିବାହ ଉତ୍ସବ ସରିଗଲା । ତାପରେ ଆସିଛି ବାସର । ଓଃ, କି ଅସମ୍ଭବ କଳ୍ପନା ନନ୍ଦିତା । ଉମା ମହେଶ୍ୱରଙ୍କର ନିରବଚ୍ଛିନ୍ନ ରତି ବିଳାସର ନିପୁଣ ବର୍ଣ୍ଣନା । ତୁମେ କଳ୍ପନା କରି ପାରିବ ନାହି: ନନ୍ଦିତା ।’’ ସତ୍ୟବାନ ଅନେକ କଥା ଗପିଗଲା । ବାଣଭଟ୍ଟଙ୍କ ‘କାଦମ୍ୱରୀ’ ପୁସ୍ତକର ବି ଆଲୋଚନା କଲା ସେ । କିନ୍ତୁ ନନ୍ଦିତା ଭିତରେ କୌଣସି ଆଲୋଚନା ସେ ଲକ୍ଷ୍ୟ କରି ପାରିଲା ନାହିଁ । ବରଂ ନନ୍ଦିତା ସେଦିନ ପ୍ରଥମ ଥର ପାଇଁ ତାକୁ କହିଥିଲା ‘‘ଅନ୍ୟତ୍ର ନିମନ୍ତ୍ରଣ ଅଛି ସତ୍ୟବାନ । ତୁମଠୁ ବିଦାୟ ନେଉଛି ଆଜି ।’’ ସତ୍ୟବାନ ଜାଣେନା । କାହିଁକି ତାକୁ ବାଧିଥିଲା ନନ୍ଦିତାର କୈଫିୟତ । କଣ ସେ ଚାହିଁଥିଲା ଆଉ କେମିତି ତାର ସମାଧାନ ହେଲା ।

 

ଦିନେ ଦିନେ ସକାଳେ ଚା ଖାଇଲା ବେଳେ ସେ ସ୍ନିଗ୍‌ଧାର ଚିଠି ପଢ଼େ । କେବେଠୁ ଆସି ଥାକରେ ପଡ଼ିଥାଏ । ଯେଉଁଦିନ ମନକୁ ଆସେ ଖୋଲିକରି ପଢ଼ିଦିଏ । କି ବ୍ୟାକୁଳ ପ୍ରାର୍ଥନା ଝିଅଟିର । ‘‘ଥରେ ଆସ ।’’ ‘‘ଦର୍ଶନ ଦିଅ ।’’ ‘‘ପ୍ରଣତି ଘେନି’’ । ‘‘ଚୁମ୍ୱନ ନିଅ’’ ଇତ୍ୟାଦି । ପ୍ରତି ଚିଠିରେ ବିଭିନ୍ନ ଚିନ୍ତା । ଅବଶ୍ୟ ନାରୀକୁଳ ସୁଚତୁର ।

 

ଓକିଲାତିର ସ୍ୱପ୍ନ କ୍ରମେ ମନରୁ ମରି ଆସିଲାଣି । ନନ୍ଦବାବୁ ଦିନେ ମାତ୍ର ଏ ବିଷୟରେ ପ୍ରଶ୍ନ କରିଥିଲେ । ନନ୍ଦବାବୁ ବର୍ତ୍ତମାନ ରୁଗ୍‌ଣ । ମାଧୁରୀ ତାଙ୍କ ସେବାରେ ଏତେ ବ୍ୟସ୍ତ ଯେ ତା ସହିତ ଗପ କରିବାର ସୁଯୋଗ ବି ନାହିଁ । ନନ୍ଦିତା ପାଖକୁ ଯିବାକୁ ଇଚ୍ଛା ନାହିଁ । ସ୍ନିଗ୍‌ଧା ନିକଟକୁ ଯିବାକୁ ସାହାସ ନାହିଁ । ଯେଉଁମାନେ ତା ସାଙ୍ଗରେ ପାଶ୍‌ କରିଥିଲେ ପ୍ରତିଷ୍ଠିତ ହୋଇ ଗଲେଣି । ସେ ଖାଲି ଗୋଟାଏ ଗୋଟାଏ ଫାଙ୍କା ଆବାଜରେ ଦିନଗୁଡ଼ା ବିତେଇ ଚାଲିଛି । କିନ୍ତୁ କେତେଦୂର ଏହାର ଗତି-ପରିଣତି କେଉଁଠି ?

 

ବିନୋଦ କଚିରୀରେ ତାର ନିନ୍ଦା କରୁଛି । ବାଟରେ ଦିନେ ଅନୁପ ଦେଖା ହୋଇଥିଲା । ସେ କହିଲା ‘‘କିରେ, ଓକିଲାତି କରିବୁ ବୋଲି ଆଗରୁ ମାତିଥିଲୁ । ଏବେ କଣ ହେଉଛି ? ତୁ ସେ ନାରୀ ଧନ୍ଦା ଛାଡ଼ିଲୁ ନାଁ ନାହିଁ ? କାହିଁକି ସେ ବୁଢ଼ୀ ଧେତେରୀ ନନ୍ଦିତା ପିଛା ଧରିଛୁ ?’’ ସତ୍ୟବାନର ମୁଣ୍ଡ ବୁଲେଇ ଦେଇଥିଲା । ତାର ଇଚ୍ଛା ହେଲା ଏକା ଚାପୁଡ଼ାକେ ଅନୁପର ମୁଣ୍ଡଟାକୁ ଉଡ଼ାଇ ଦେବାକୁ । ସେ କହିଲା ‘‘ଭାରି ବଡ଼ ବଡ଼ କଥା କହୁଛୁରେ ଅନୁପ । ଅଙ୍ଗୁର କୋଳି ଖଟା ଲାଗେ । ହଉ, ମୁଁ ଶୀଘ୍ର ବାରରେ ଜଏନ କରିବି । ଦେଖିବି ତୁ କ’ଣ କରି ପକେଇଛୁ ।’’ ସତ୍ୟବାଦ ଜାଣେ, ବିନୋଦ ସହିତ ତାର ସବୁ କ୍ଳାସମେଟ୍‌ ମାନେ ସତ୍ୟବାନ ବିଷୟରେ ମଜାଗପ କରନ୍ତି ।

 

ପ୍ରତାପ ମହାନ୍ତି ତାର ଦିନେ ଅନ୍ତରଙ୍ଗ ବନ୍ଧୁ ଥିଲା । ସେ ଏବେ ଚାକିରୀ କରୁଛି । ପ୍ରତାପ ଦିନେ କହିଲା ‘‘ହଇରେ ସତ୍ୟ । ତୁ ଏମିତି ହବୁ ବୋଲି ମୁଁ ହେଇଛୁ ।’’ କଥାଟା ଏମିତି କହିଲା ଯେ ସତ୍ୟବାନକୁ ବୁଝିବାରେ ବାକି ରହିଲା ନାହିଁ । ଏଇ ସବୁ ବିନୋଦର କାମ । କି ଲାଭ ପାଉଛି ସେ ସତ୍ୟବାନକୁ ନିନ୍ଦା କରି । କିନ୍ତୁ ସେ ହୁଏତ ଜାଣେନା ସତ୍ୟବାନ ଏସବୁକୁ ଭ୍ରୂକ୍ଷେପ କରେ ନାହିଁ । ସତ୍ୟବାନ ନିଜ ବିଷୟରେ ଯେତିକି ଚିନ୍ତା କରି ପାରି ନାହିଁ । ଅନ୍ୟମାନେ ସେତିକି ଚିନ୍ତା କରି ଲାଗିଛନ୍ତି ।

 

ସେ ଦିନ ସେ ଅଧାଅଧି କ୍ଷୌର ହୋଇ ସାରିଛି କି ନାହିଁ ନନ୍ଦିତା ନିଜେ ତା ରୁମ୍‌ ଭିତରକୁ ପଶିଆସିଲା । ନନ୍ଦିତାର ମୁହଁ ଶୁଖିଥିଲା । ଶରୀରରେ ଦାମିକା ଶାଢ଼ୀ ନଥିଲା । ସେ କେମିତି ବିବ୍ରତ ଥିଲା । ସେ କହିଲା ‘‘ନମସ୍କାର ଦୟାକର ଶୀଘ୍ର ଆସିବ ସତ୍ୟବାନ । ମୁଁ କାର୍‌ରେ ଅପେକ୍ଷା କରୁଛି ।’’ ସତ୍ୟବାନ ହାତରୁ କ୍ଷୌର ଯନ୍ତ୍ରଟା କାଢ଼ି ରଖିଦେଇଥିଲା ସେ । ସେ ଚାଲିଗଲା ପରେ ପରେ ହୁସେନ ଆସିଲା । ହୁସେନ କହିଲା ‘‘କି ମର୍ଦ୍ଦଟାଏ ବେ ତୁ । ଆଜିଯାଏ ଏ ଝିଅଟାକୁ ବାହାତ ହୋଇ ପାରିଲୁ ନାହିଁ । ଖାଲି ଧାଁ ଧଉଡ଼ କରିବାରେ କି ଲାଭ । ହଇରେ, କାହିଁକି ସେ ତୋ ପିଛା ଲାଗିଛି । କଣ ତତେ ସେ ବାହା ହବଟି ?’’ ହୁସେନକୁ କଣ କହିବ ସତ୍ୟବାନ ଚିନ୍ତା କରୁଥିଲା । ସତ୍ୟବାନ ଗୋଟାଏ ଫକୀର ବୋଲି କଣ ହୁସେନ ଜାଣେନା ! ସେ କହିଲା ‘‘କାହିଁକି ଗୁଡ଼ାଏ ଏଣୁ ତେଣୁ କହୁଛୁ ହୁସେନ ।’’ ସତ୍ୟବାନ ପୋଷାକ ପିନ୍ଧି ଚାଲିଯାଇଥିଲା ।

 

ନିଜ ଘରର ପ୍ରଥମ କୋଠରୀରେ ସବୁଦିନପରି ସତ୍ୟବାନକୁ ଆପ୍ୟାୟିତ କରି ନନ୍ଦିତା କହିଲା ‘‘ଆଜିର ନିମନ୍ତ୍ରଣ ଭିନ୍ନ ଧରଣର ସତ୍ୟବାନ । ଆଜି ତୁମକୁ ମୋ ପ୍ରଶ୍ନର ଶେଷ ଜବାବ ଦେବାକୁ ହେବ । ତୁମେ ନାଣ ମତେ ଓ ତୁମକୁ ନେଇ ବାହାରେ ଅନେକ ଆଲୋଚନା । ଅଥଚ ତୁମେ ମତେ ବିବାହ କରିବାକୁ ନାରାଜ । ମୁଁ ମଧ୍ୟ ତମକୁ ଆଉ ବାଧ୍ୟ କରିବାକୁ ଚାହେଁନା । ମୁଁ ଜାଣେ ସତ୍ୟବାନ ମୋ ବିବାହ ମୋ ରୂଚି ମୋ ଇଚ୍ଛା ଉପରେ ନିର୍ଭର କରେ । ଲୋକଙ୍କର ସହସ୍ର ନିନ୍ଦା ଆଲୋଚନା ମତେ ସ୍ପର୍ଶ ମଧ୍ୟ କରି ପାରିବ ନାହିଁ । ମୋ ମନମତ ପୁରୁଷ ମୁଁ ନିର୍ଣ୍ଣୟ କରିବି । ଏହା ସତ୍ୟ, କିନ୍ତୁ ମୁଁ ଜାଣେନା ତୁମର ଅନିଚ୍ଛା ସତ୍ୱେ ଏବଂ ମୋ ମନର ବହୁ ଅନିଛା ସତ୍ୱେ ବି ମୁଁ ତୁମଠୁ ଦୂରେଇ ପାରୁନାହିଁ କାହିଁକି ?’’ ସତ୍ୟବାନ କହିଲା ‘‘ସେ ସମୟ ହୋଇନି ନନ୍ଦିତା । ତୁମେ ବିବାହ କରି ସାରିଲେ ସମସ୍ତ ନାରୀଙ୍କପରି ତୁମର ସ୍ୱାମୀ, ସତୀତ୍ୱ ଓ ସଂସାର ଏ ତିନିଟି ମାତ୍ର ତୁମର ଧେୟ ହୋଇ ପଡ଼ିବ । ସେତେବେଳେ ସତୀତ୍ୱର ଦ୍ୱାହିରେ ତମେ ମୋ ଆଡ଼କୁ ଆଖି ମଧ୍ୟ ଫେରାଇବ ନାହିଁ ।’’

 

ସେ କହିଲା ‘‘ପ୍ରାୟ ଠିକ୍‌ । ନାରୀର ଅବିକଳ ସାଇକୋଲଜି ସେଗୁଡ଼ା । କିନ୍ତୁ ସତ୍ୟବାନ ମୁଁ ତୁମର ସେ ପୌରାଣିକ ନାରୀ ନୁହେଁ । ଏଇ ସାଇକୋଲଜିକୁ ବି ମୁଁ ନିଜେ ବିଚାର କରି ଦେଖିଛି-। ନାରୀକୁ ନେଇ ଯେଉଁ ଦର୍ଶନ ରାମାୟଣରେ ବାଢ଼ି ଦିଆଯାଇଥିଲା । ସେ ଦର୍ଶନ କଣ ବର୍ତ୍ତମାନ ଯାଏ ଅପରିବର୍ତ୍ତିତ ଅଛି । ରାମାୟଣର ନାରୀ ମହାଭାରତରେ ନାହିଁ । ମହାଭାରତର ନାରୀ ପୁରାଣରେ ନାହିଁ, ପୁରାଣର ନାରୀ କାବ୍ୟରେ ନାହିଁ ଓ କାବ୍ୟର ନାରୀ ବର୍ତ୍ତମାନ ସମାଜରେ ବି ନାହିଁ । ମୁଁ ଆଉ ତୁମର ସେ ଅତୀତ ଯୁଗର ସାଇକୋଲଜିର କଲେକ୍‌ସନ ନୁହେଁ । ମୋର ସ୍ନେହ, ପ୍ରେମ ଓ ବିଚାରବୋଧ ଭିନ୍ନ । ଆମର ଜୀବନ କାଳ ସ୍ୱଳ୍ପ ଓ ସେଥିରେ ଯୌବନକାଳ ଆହୁରି ସଂକୀର୍ଣ୍ଣ । ସେମାନେ ଦୀର୍ଘ ଜୀବନ ଓ ଦୀର୍ଘ ଯୌବନ ଉପଭୋଗ କରୁଥିଲେ, ତେଣୁ ତାଙ୍କର ବିଚାରଧାରା ନିଶ୍ଚୟ ଭିନ୍ନ ହେବ ।’’ କୌତୁହଳୀ ହୋଇ ସତ୍ୟବାନ କହିଲା ‘‘ସତେ ।’’ ନନ୍ଦିତା କହିଲା ‘‘ତୁମେ ଅନେକ କାବ୍ୟ ପୁରାଣ ପାଠ କରିଛ ନା ? ତୁମେ ଅବଶ୍ୟ ଜାଣିଥିବ ଯୌବନ କାଳକୁ ସେମାନେ କିପରି ଫେରାଇ ପାରୁଥିଲେ ଓ ଦୀର୍ଘ ମଧ୍ୟ କରି ପାରୁଥିଲେ । ସେଥିପାଇଁ ସେମାନଙ୍କର ସୁଦୀର୍ଘ ପ୍ରତୀକ୍ଷା କରିବାରେ କ୍ଷତି ନାହିଁ । କିନ୍ତୁ ଆମର ଏ ଗତାୟୁ ଜୀବନ ଯୌବନକୁ ଯଥା ସମୟରେ ତିଳ ତିଳ କରି ଉପଭୋଗ କରିବାକୁ ହେବ ସତ୍ୟବାନ । ମୁଁ ଠିକ୍‌ ବୁଝି ପାରିଛି । ଗୋଟାଏ ଯୁଗର ଲୋକ ଅପର ଯୁଗକୁ ନେଇ ବିଚାର କରି ବସିଲେ ଲାଭ କଣ ହେବ । ଆମର ବିବାହ ହୋଇ ନ ପାରିଲେ ବି ଉପଭୋଗରୁ ଆମକୁ ବଞ୍ଚିତ କରିବ କିଏ ? ସତ୍ୟବାନ, ତୁମେ ମତେ ନିର୍ବୋଧ ବୋଲି ମନେ କରନା ।’’ ନନ୍ଦିତାର କଥାକୁ ସତ୍ୟବାନ ଚିନ୍ତା କରୁଥିଲା । ନନ୍ଦିତାର ବୟସ ହୁଏତ ଆଗେଇ ଯାଇଛି । କିନ୍ତୁ ତାର ସୁନ୍ଦର ମୁହଁରେ ବୟସର ଚିହ୍ନ ନାହିଁ । ତଥାପି ନନ୍ଦିତା ଠିକ୍‌ କହିଛି । ଯୌବନଶ୍ରୀକୁ ବିଫଳ ନ କରି ଉପଭୋଗ କରିବା ଉଚିତ୍‌ । ତାହାହିଁ ଈଶ୍ୱରଙ୍କ ଦାନର ପ୍ରକୃତ ସଦୁପଯୋଗ । ନନ୍ଦିତା କହିଲା ‘‘ତୁମେ କଣ ଭାବୁଛ କହି ପାରୁନି ସତ୍ୟବାନ । ଯେଉଁ ଅତୀତର ନୀତିନିୟମ ଶୃଙ୍ଖଳା ଓ ବିଚାରବୋଧକୁ ନେଇ ଆମେ ଗର୍ବକରୁ ସେଇ ଯୁଗରେ ଉପଭୋଗର ଚିତ୍ର କିପରି ଥିଲା ତୁମେ କଣ ଜାଣନା । କାମ ଚେତନା କି ବୃଦ୍ଧି, କି ବିବେକୀ, କି ୠଷି, କି ଦେବତା ସମସ୍ତଙ୍କୁ ବିଭ୍ରାନ୍ତ କରିଛି ସତ୍ୟବାନ । ଚନ୍ଦ୍ରଙ୍କର ଗୁରୁପତ୍ନୀ ହରଣ ଉପାଖ୍ୟାନ ତୁମେ କଣ ଜାଣିନ ? ଇନ୍ଦ୍ରଙ୍କର ଅହଲ୍ୟା ସମ୍ଭୋଗ କଣ ତୁମକୁ ଅବିଦିତ ଅଛି । ବୃଦ୍ଧ ଯଯାତିଙ୍କ କାମ ଚେତନା କଥା କଣ ଜାଣିନ । ଯେ କି ନିଜ ପୁତ୍ରଠାରୁ ବି ଯୌବନ ଭିକ୍ଷା କରିଥିଲେ-।’’ ସତ୍ୟବାନ କହିଲା ‘‘ନା ସେ କାହାଣୀ ହୁଏତ ଜାଣିନି ।’’ ନନ୍ଦିତା କହିଲା ପୁରୁରାଜ ଯଯାତି ବୃଦ୍ଧ ବୟସରେ ଏକ ତରୁଣୀ କନ୍ୟା ବିବାହ କଲେ । ନିଜର ଜରାବସ୍ଥାରେ ତରୁଣୀର ଉପଭୋଗ ବିଡ଼ମ୍ୱନା ବୋଲି ଜାଣିପାରି ନିଜ ରାଜ୍ୟରେ ଯେ କୌଣସି ଯୁବକକୁ ରାଜ୍ୟ ବିନିମୟରେ ଯୌବନ ଭିକ୍ଷା ମାଗିଥିଲେ । କୌଣସି ବ୍ରକ୍ତି ରାଜି ନ ହୋଇଥିଲେ ବି ନିଜ ପୁତ୍ର ପୁରୁ ପିତାଙ୍କ ବିକଳ ସହ୍ୟ କରି ନପାରି ନିଜ ଶରୀରରେ ଜରାକୁ ବହନ କରି ଯୌବନ ଭିକ୍ଷା ଦେଇଥିଲେ । ଆଶାକରେ ବୃଦ୍ଧର ଉପଭୋଗର ଚେତନା ବୁଝିବାରେ ତୁମେ ଅକ୍ଷମ ନୁହଁ । କେବଳ ସେଇ ବୃଦ୍ଧ ଯଯାତି ନୁହଁନ୍ତି ୠଷି କର୍ଦ୍ଦମଙ୍କ ବିଷୟ ଆହୁରି ଚମତ୍କାର । ପ୍ରଜାପତି ମନୁ ଓ ତାଙ୍କ ସ୍ତ୍ରୀ ଶତରୂପାଙ୍କର କନ୍ୟା ଥିଲେ ଦେବହୂତି । ସେ ଥିଲେ ଅସାମାନ୍ୟ ସୁନ୍ଦରୀ । କନ୍ୟାପାଇଁ ଉପଯୁକ୍ତ ପାତ୍ର ସନ୍ଧାନ କରିବାକୁ ବୁଲୁ ବୁଲୁ ସେମାନେ କର୍ଦ୍ଦମ ଋଷିକୁ ଭେଟିଲେ ଓ ତାଙ୍କୁ ଉପଯୁକ୍ତ ମନେକଲେ । ତାଙ୍କ କନ୍ୟାକୁ କର୍ଦ୍ଦମ ୠଷିଙ୍କ ସେବାରେ ନିଯୁକ୍ତ କଲେ ଓ କହିଲେ ଏହି ତୋର ସ୍ୱାମୀ । ଆମେ ତୋତେ ୟାଙ୍କର ହସ୍ତରେ ଅର୍ପଣ କଲୁ । ଦେବହୂତି ୠଷିଙ୍କର ଯଥାର୍ଥ ସେବାରେ ଦିନ କାଟିଲେ । ତପାଶ୍ଚରଣରେ ଋଷି ସମୟ ବିତାଇବାରେ ଲାଗିଥାନ୍ତି । ଦେବହୂତିଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କରିବାକୁ ସମୟ ବା କାହିଁ । ଦେବହୂତିଙ୍କର ଯୌବନଶ୍ରୀ ମଳିନ ହୋଇ ପଡ଼ିଲା । ୠଷିଙ୍କର ତପଭଗ୍ନ ହେଲା । ସେ ନିଜ ସମ୍ମୁଖରେ ଉପସ୍ଥିତା ବୃଦ୍ଧା ପତ୍ନୀକୁ ଚାହିଁଲେ । ନିଜର ଅବିଚାରକୁ ବୁଝି ପାରି ଦୈବଜ୍ଞ ସେ ଋଷି ଆଦେଶ ଦେଲେ ନିକଟମ ପୁଷ୍କରିଣୀରେ ସ୍ନାନ କରି ଆସିବାକୁ । ବୃଦ୍ଧା ପତ୍ନୀ ସ୍ନାନ କରିବା କ୍ଷଣି ପୁଣି ଫେରି ପାଇଲେ ତାଙ୍କର ଯୌବନଶ୍ରୀକୁ । କିନ୍ତୁ ପ୍ରବର୍ଯ୍ୟାରେ ରୁକ୍ଷ କର୍କଶ ହୋଇ ପଡ଼ିଥିବା ୠଷିଙ୍କର ସେଇ ଜଟାଜୁଟ ରୂପକୁ ଚିନ୍ତାକରି କେଜାଣି କାହିଁକି ସେ ଶିଥିଳ ହୋଇ ପଡ଼ିଲେ । ମନୋରମ ପୁଷ୍କରିଣୀର ଏକ ନିଘଞ୍ଚ କୁଞ୍ଜ ନିକଟରେ ପାଦ ତାଙ୍କର ଆହୁରି ଅବଶ ଲାଗିଲା । ସନ୍ତରଣଶୀଳ ଶୁଭ୍ରହଂସ ଦମ୍ପତ୍ତିଙ୍କ ଆଡ଼େ ଚାହିଁ ରହି ସେ କ୍ଷଣକ ପାଇଁ ବିଳମ୍ୱ କରିଦେଲେ । ମନେ ପଡ଼ିଲା ଅମ୍ୱିକାଙ୍କ କଥା । କର୍କଶ ପିଙ୍ଗଳ ବ୍ୟାସଦେବଙ୍କ ଶୃଙ୍ଗାରକୁ ଅନିଚ୍ଛା କରି ଚକ୍ଷୁ ମୁଦ୍ରିତ କରିଥିଲେ ସେ । ଅମ୍ୱାଳିକା ନିସ୍ପନ୍ଦ ପାଣ୍ଡୁର ହୋଇ ପଡ଼ିଥିଲେ-। ଆକାଙ୍‌କ୍ଷିତ ରୁଚିଅନୁକୂଳ ପୁରୁଷର ଅଭାବରେ ଶୃଙ୍ଗାର ବ୍ୟର୍ଥ ହୁଏ ।

 

ଦେବହୃତିଙ୍କୁ ଦେଖି ଋଷି ଉନ୍ମତ୍ତ ପ୍ରାୟ ହୋଇ ତାଙ୍କୁ କୁଟୀରକୁ ଯାଇ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହୃଦୟରେ ବ୍ୟଥା ଅନୁଭବ କରି ଦେବହୃତି ମଧ୍ୟ କୁଟୀରରେ ଚକ୍ଷୁ ମୁଦ୍ରିତ କରି ରହିଲେ । ଆସନ୍ତୁ ଋଷି । ଧର୍ମତଃ ସେ ପତି । ସବୁକିଛି ତାଙ୍କର ଇଚ୍ଛାଧୀନ ।

 

ଶୃଙ୍ଗାର ପରେ ଗ୍ଳାନି ଓ ଅବସାଦରେ ଦେବହୂତି ଯେତେବେଳେ ଚକ୍ଷୁ ଖୋଲିଲେ ସେ ଦେଖିଲେ ତାଙ୍କ ନିକଟରେ ଋଷିଙ୍କ ପରିବର୍ତ୍ତେ ଏକ ଦିବ୍ୟ ତରୁଣ । ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ଏ କଣ ରତି ପତି ମଦନ ? ଚାହିଁଲା କ୍ଷଣି ପ୍ରାଣରେ ଏକ ଅପୂର୍ବ ଶିହରଣ ସୃଷ୍ଟି ହେଉଛି । ନାଁ, ସେ ୠଷି ପତ୍ନୀ । ସେ କଣ ଅହଲ୍ୟାଙ୍କ ପରି ପରପୁରୁଷରେ ନିଷିକ୍ତା ହୋଇ ପଡ଼ିଛନ୍ତି । କେଉଁ ଛିଦ୍ରର ରନ୍ଧ୍ର ଦେଇ ସାକ୍ଷୀ ହୋଇ ନାହାନ୍ତି ତ ଦେବଗଣ । ୠଷିଙ୍କ ଅଭିଶାପରେ ଭସ୍ମ ହୋଇଯିବ ଏ କୁମାର । ସେ ଅସମ୍ଭବ କଳ୍ପନା କଳ୍ପନାରେ ବ୍ୟସ୍ତ ହୋଇ ପଡ଼ିଲେ । କିନ୍ତୁ ସେଇ ତରୁଣ ପୁଣି ରତିକାତର ହୋଇ ପଡ଼ୁଥିଲା । ତାର ପ୍ରତି ଅଙ୍ଗରେ କାମର ଇଙ୍ଗିତ । ଦେବହୂତ ନିଜକୁ ସଂଯତ କରି ପଳାୟନ କରି ଆତ୍ମଗୋପନ କରିବାକୁ ପ୍ରୟାସ କରୁଥିଲେ । କୁଆଡ଼େ ଗଲେ ଆର୍ଯ୍ୟା । କୁଆଡ଼େ ଗଲା ତାଙ୍କର ତପସ୍ୟାର ଫଳ । ପତ୍ନୀ ତାଙ୍କର ପର ପୁରୁଷରେ ବାରମ୍ୱାର ନିଷିକ୍ତା ହେବାକୁ ଗଲାବେଳେ ସେ କେଉଁଠି ? ସେ କାମଦେବକୁ ଦେଖିଲାବେଳକୁ ପ୍ରାଣରେ ଜ୍ୱାଳା ସୃଷ୍ଟି ହେଲାଣି । ବିଚରା ଅହଲ୍ୟା ହୁଏତ ଏଇପରି ନିଜକୁ ରକ୍ଷା କରି ନପାରି ଆତ୍ମ ସମର୍ପଣ କରିବାର ଫଳ ଭୋଗିଥିଲା । ସେଇ ରତିକାନ୍ତ ହସ୍ତ ପ୍ରସାରଣ କରି ନପାରି ଆତ୍ମ ସମର୍ପଣ କରିବାର ଫଳ ଭୋଗିଥିଲା । ସେଇ ରତିକାନ୍ତ ହସ୍ତ ପ୍ରସାରଣ କରି ଆବେଷ୍ଟନ କରିବାକୁ ଉଦ୍ୟତ । ଶରୀରରେ ବ୍ୟଗ୍ରତାର ସୀମା ନାହିଁ । ଜ୍ୱାଳାର ଅନ୍ତ ନାହିଁ । ସରସୀ ଜଳରେ ଅବଗାହନ କରି ଶରୀରରେ ଏ କି ଅସମ୍ଭବ ପରିବର୍ତ୍ତନ ଘଟିଲା ତାର । ତାକୁ କୁଟୀରକୁ ଆସିବାକୁ ନିର୍ଦ୍ଦେଶ ଦେଇ କେଉଁଆଡ଼େ ଗଲେ ଋଷି । ସ୍ୱାମୀ, ଦେବତା । ପର ପୁରୁଷରେ ଶେଷକୁ ନିଷିକ୍ତା ହେବାକୁ ଥିଲା । ଏଇ ସୁକୁମାର ତନୁବିଶିଷ୍ଟ କୁମାର ଅଭିଶପ୍ତ ହେବ ନିଶ୍ଚୟ । ଏଇ କୁମାର ଆଉ କୌଣସି ଦେବତା ନୁହନ୍ତି ତ ? ଦେବଦୂତି କହିଲା ‘‘କିଏ ତୁମେ ଛଦ୍ମବେଶୀ ଦେବତା । ଋଷି ପତ୍ନୀଙ୍କୁ ସମ୍ଭୋଗ କରି କି କଠୋର ଦଣ୍ଡ ଭୋଗ କରିବାକୁ ଆସିଛ । ଆତ୍ମପ୍ରକାଶ କର ଦେବତା । ୠଷି୍କ କ୍ରୋଧରୁ ପରିକ୍ରାଣ ପାଇବ ନାହିଁ ତୁମେ । ମୁଁ ମଧ୍ୟ ପରିତ୍ରାଣ ପାଇବି ନାହିଁ । କିଏ ମତେ ଆଶ୍ରୟ ଦେବ, କିଏ ଖଣ୍ଡନ କରିବ ଅଭିଶାପ । ସର୍ବଜ୍ଞ ଋଷିଙ୍କୁ ଅବିଦିତ କିଛି ରହିବ ନାହିଁ । ଶୀଘ୍ର ଆତ୍ମପ୍ରକାଶ କର ତରୁଣ । କିଏ ତୁମେ ?’’ ଉଚ୍ଛ୍ୱସିତ ଭାବରେ ହସି ଉଠି ନିବିଡ଼ ଆଲିଙ୍ଗନରେ ଆବଦ୍ଧ କଲା ତରୁଣ । ସେ କହିଲା ‘‘ମନୋରମେ ! ଭ୍ରମରେ ପଡ଼ନା । ମୁଁ ତୁମର ପ୍ରାଣପତି କର୍ଦ୍ଦମ-। ତୁମକୁ ରତିସୁଖ ଦାନ କରିବାକୁ ଏ ରୂପ ଧାରଣ କରିଛି । ମୋର ତପସ୍ୟା ବଳରେ ତୁମରି ଯୌବନଶ୍ରୀ ଫେରାଇ ଆଣିଛି । ତୁମକୁ ଏପରି ପ୍ରଲୋଭିତ ରୂପରେ ପୂର୍ବରୁ ମୁଁ ଦେଖିନାହିଁ । ସେତେବେଳେ ତପସ୍ୟାର ନିଶା ମତେ ଅନ୍ଧ କରିଥିଲା । ତୁମର ଅତୁଳନୀୟ ରୂପ ନିକଟରେ ଜଣେ ରୁକ୍ଷ କର୍କଶ ଋଷି ରତିକାମନା କରନ୍ତା କିପରି । ମୋ ରୂପକୁ ମଧ୍ୟ କିୟତ୍‌ କାଳପାଇଁ ପରିବର୍ତ୍ତନ କରିଛି । ଶୁଣ ରୂପସୀ, ସେ ଅବାନ୍ତର କଥା କହିବାକୁ ଧୈର୍ଯ୍ୟ ମୋର ନାହିଁ । ବର୍ତ୍ତମାନ ମୁଁ ସମ୍ଭୂର୍ଣ୍ଣ ଅନାୟତ୍ତ । ମନେରଖ ଏ ରତିବିଳାସ ପାଇଁ ମୁଁ ଦେବଯାନକୁ ଆହ୍ୱାନ କରିଛି । ପୃଥିବୀପୃଷ୍ଠରେ ଆମର ଉପଭୋଗ ପ୍ରଶମିତ ହେଲେ ଆମେ ଦେବଯାନରେ ବସି ଆକାଶମାର୍ଗରେ ତାହା ପୁନଃ ପ୍ରଜ୍ୱଳିତ କରିବା । ପୁନଶ୍ଚ ଆକାଶମାର୍ଗରୁ ଆସି ପାତାଳକୁ ପ୍ରବେଶ କରିବା । ହେ ପ୍ରଜାପତି ନନ୍ଦିନୀ, ଦେବତାମାନେ ମଧ୍ୟ ଏ ରତିସୁଖର ସନ୍ଧାନ ପାଇ ନାହାନ୍ତି । ଏଇ ଦେବଦୁର୍ଲଭ ସୁଖ ତୁମରି ସେବାର ଦାନ ସ୍ୱରୂପ ତୁମକୁ ପ୍ରଦାନ କରୁଛି । ଆବେଗ ଓ ଉତ୍କଣ୍ଠାରେ ସେଇ ଅନିନ୍ଦ୍ୟ ତରୁଣର ଯାନୁଦେଶରେ ମୁର୍ଚ୍ଛିତା ହେଲେ ଦେବହୂତି ।’’

 

ସତ୍ୟବାନ ମୁଗ୍‌ଧ ହୋଇ ଶୁଣୁଥିଲା । ସେ ଭାବୁଥିଲା ଏପରି କାହାଣୀଟାଏ କାହିଁ କେବେ ଶୁଣିନି କି ପଢ଼ିନି ସେ । ଏତେ ସଂସ୍କୃତ ଅଧ୍ୟୟନ କଲାଣି । ଏତେ କାବ୍ୟ ପାଠ ହେଲାଣି । କାହିଁ କେଉଁଠି ଏପରି କାହାଣୀଟାଏ୍‌ ସେ ପଢ଼ିବାକୁ ପାଇ ନାହିଁ । ନନ୍ଦିତାର ଚାତୁର୍ଯ୍ୟ ନିକଟରେ ପରାସ୍ତ ହେବା ସତ୍ୟବାନ ପକ୍ଷରେ ନୂଆ ନୁହେଁ । ସେ ଜାଣେ ନନ୍ଦିତା ତା ନିଜ ଉଦ୍ଦେଶ୍ୟକୁ ଯେ କୌଣସି ଉପାୟରେ ସଫଳ କରିପାରେ । କିନ୍ତୁ ସତ୍ୟବାନ ନନ୍ଦିତାକୁ କହିଥିଲା ‘‘ଶୁଣ ନନ୍ଦିତା, ବୟସ ଅନୁସାରେ ନାରୀର ସାଇକୋଲଜି ବଦଳୁଥାଏ । ସେ ଆଡ଼କୁ ଟିକେ ନଜର ଦେଲେ ଭଲ ହେବ ।’’ କିନ୍ତୁ ନନ୍ଦିତା କହିଥିଲା ‘‘ମୋ ଭଲ ମନ୍ଦର ବିଚାର କରିବାର ଅଧିକାର କେବଳ ମୋର ସତ୍ୟବାନ । ବର୍ତ୍ତମାନକୁ ଉପେକ୍ଷା କରି ମୁଁ ସେପରି ଚିନ୍ତା କେବେ କରି ନପାରେ ।’’

 

ସ୍ନିଗଧା ବାରମ୍ୱାର ଚିଠି ଲେଖୁଛି । ରାତି ରାତି କେବଳ ସତ୍ୟବାନକୁ ସ୍ୱପ୍ନ ଦେଖି ସେ ବିଳିବିଳଉଛି । ତା ବାପା ବୋଉ ତା ପାଇଁ ବରପାତ୍ର ଠିକ୍‌ କରି ସାରିଲେଣି । କିନ୍ତୁ ସେ ବିବାହ କରିବ ନାହିଁ ବୋଲି ଯିଦ୍‌ କରିଛି । ସ୍ନିଗ୍‌ଧା ଲେଖିଛି ଯଦି ସେମାନେ ତାକୁ ବାଧ୍ୟ କରିବେ ତେବେ ବେଦୀରୁ ଉଠି ସେ ସତ୍ୟବାନ ନିକଟକୁ ଚାଲି ଆସିବ । ଯଦି ସେ ତାକୁ ଗ୍ରହଣ ନକରିବ ତେବେ ସେ ନିଶ୍ଚୟ ଆତ୍ମହତ୍ୟା କରିବ । ସେ ଚାହେଁନା ଅସତୀ ହେବାକୁ । ସତ୍ୟବାନ ପାଇଁ ସେ କେତେ ଦିଅଁ ଦେବତା ପୂଜା କରୁଛି ସେ କଥା ବି ଜଣାଇ ଦେଇଛି ।

 

ସ୍ନିଗ୍‌ଧା ନିକଟରୁ ଚିଠି ଉପରେ ଚିଠି ଆସିଲା । ତାର ବିବାହର ଦିନ ନିକଟ ହୋଇ ଆଲିଲାଣି । ସ୍ନିଗ୍‌ଧା ଠିକ୍‌ କରିଛି ରାତି ରାତି ପଳାଇ ଆସିବ । କିନ୍ତୁ ସେ କି ଭୟଙ୍କର ବିପଦର କଥା । ସତ୍ୟବାନ ଚିନ୍ତା କରି ପାରି ନଥିଲା । ସ୍ନିଗ୍‌ଧାର ଶେଷ ଚିଠିଟା ପାଇ ସତ୍ୟବାନ ଅସ୍ଥିର ହୋଇ ପଡ଼ିଲା । ପୁଣି ସେଇ ପନ୍ଦର ମାଇଲର ରାସ୍ତା । ଯିବା ଆସିବା ଦୀର୍ଘ ତିରିଶ ମାଇଲ । ଚାଲିବାକୁ ହେବ ତାକୁ । ନଚେତ୍‌ ବିପଦର ସୀମା ନାହିଁ । ସତ୍ୟବାନ ପ୍ରକୃତରେ ପଥ ଚାଲି ଚାଲି ହାଲିଆ ହୋଇ ପଡ଼ିଥିଲା । ନିଜକୁ ଯେତେ ଯତ୍ନରେ ସେ ବଞ୍ଚାଇବାକୁ ଚାହିଁଥିଲା ସବୁ ଯେମିତି ବିଫଳ ହୋଇ ପଡ଼ୁଥିଲା । ମୁହଁ ସଞ୍ଜବେଳକୁ ସେ ମାମୁଘର ଗାଁରେ ପହଞ୍ଚିଲା । ତାକୁ ଦେଖି ସମସ୍ତେ ଭାରି ଖୁସି ହୋଇଗଲେ । ଆଈ କହିଲେ ‘‘ଆସିଛୁ ଭଲ କରିଛୁ । ଗାଁରେ ଆମର ବାହାଘର । ତୁ ଦେଖିବୁ ପରା ।’’ ସତ୍ୟବାନ ସାମାନ୍ୟ ହସିଦେଲା । ମାମୁ ଝିଅ ଭଉଣୀ ନୀରୁକୁ ନେଇ ସତ୍ୟବାନ ସବୁକଥା ବୁଝାଇ ଦେଲା । ସେ କହିଲା ‘ନୀରୁ, ରାତି ନ ପାହୁଣୁ ମତେ ଫେରିବାକୁ ହେବ ତୁ ଯେମିତି ହେଲେ ଆଜି ରାତିରେ ମତେ ତା ସହିତ ଦେଖା କରାଇ ଦେ ।’’

 

ସତ୍ୟବାନର ଆସିବା ଖବର ଶୁଣୁ ଶୁଣୁ ସ୍ନିଗ୍‌ଧା ଦଉଡ଼ି ଆସିଲା । ମୁହଁରେ ଲୁହର ଦାଗ-। ଦେହ କଳା ପଡ଼ିଯାଇଛି । ସତ୍ୟବାନ ବେକରେ ହାତ ଛନ୍ଦିଦେଇ କଇଁ କଇଁ ହୋଇ କାନ୍ଦି ଉଠିଲା ସ୍ନିଗ୍‌ଧା । ସତ୍ୟବାନ ଗୋଟାଏ ଧରା ପଡ଼ିଥିବା ଡାକୁପରି ଇତସ୍ତତଃ ହୋଇ ପଡ଼ୁଥିଲା । ସେ କହିଲା ‘‘ଶୁଣ ସ୍ନିଗ୍‌ଧା ତୁମେ ତୁନି ହୁଅ ? ସ୍ନିଗ୍‌ଧା କ୍ରନ୍ଦନ ସ୍ୱରରେ ପଚାରିଲା ‘‘କୁହ ତୁମେ ମତେ ଏଥିରୁ ଉଦ୍ଧାର କରିବ କି ନାହିଁ ? ମୁଁ ଆଜି ତୁମ ସହିତ ନିଶ୍ଚୟ ପଳାଇବି । ନହେଲେ ମୁଁ ଆତ୍ମହତ୍ୟା କରିବି ।’’ ତାକୁ ବୁଝାଇବାକୁ ଚେଷ୍ଟା କଲା ସତ୍ୟବାନ । କିନ୍ତୁ କୌଣସି କଥା ନଶୁଣି ସ୍ନିଗ୍‌ଧା କହିଲା ‘‘ନା, ନା, ମୁଁ ଆଉ କାହାର ହୋଇ ପାରିବିନି । ମୁଁ ଜାଣେ, ତମେ ମତେ ଠକି ଦେବାକୁ ବସିଛ । କିନ୍ତୁ ତୁମେ ତା କରି ପାରିବନି ।’’

 

ସତ୍ୟବାନ କହିଲା ‘‘ମୋ ବିଷୟରେ ତୁମେ ହୁଏତ କିଛି ଜାଣିନ ସ୍ନିଗ୍‌ଧା । ଜାଣିଥିଲେ ଏପରି ବାତୁଳ ହୋଇ ନଥାନ୍ତ । ପ୍ରଥମ କଥା ମୁଁ ବିବାହିତ । ତା ଛଡ଼ା ମୁଁ ଆଉ ହିନ୍ଦୁ ହୋଇ ନାହିଁ । ପ୍ରଥମେ ମୁସଲମାନ ହୋଇ ଏବେ ଖ୍ରୀଷ୍ଟିୟାନ ହୋଇଛି । ମୋ ପରି ଗୋଟାଏ ଧର୍ମଛଡାକୁ ବିବାହ କରିବାକୁ ଆଉ ମନ ବଳାନା ସ୍ନିଗ୍‌ଧା । ତୁମ କୋମଳ ପ୍ରାଣରେ ଆଉ ଆଘାତ ଦିଅନା । ତୁମେ ବିବାହ କର । ତୁମ ପରି ଅନେକ ଝିଅ ପ୍ରଥମ ପ୍ରଣୟ ଓ ପ୍ରଥମ ପ୍ରତିଶ୍ରୁତିକୁ ସ୍ମୃତି କରି ବଞ୍ଚନ୍ତି । ଏ ଆଦୌ ନୂଆ କଥା ନୁହେଁ । ତୁମେ ମତେ ପ୍ରଣୟ ଦାନ କରି କଣ ଅସତୀ ହୋଇ ପଡ଼ିଛ ସ୍ନିଗ୍‌ଧା ? ମୁଁ କଣ ତୁମ ମନରେ ସବୁଦିନ ପାଇଁ ତୁମର ହୋଇ ରହିପାରିବି ନାହିଁ । କଥା ଦେଉଛି ତୁମ ସ୍ମୃତି ମୋ ମନରେ ନିଶ୍ଚୟ ଅକ୍ଷୁଣ୍ଣ ହୋଇ ରହିବ । କିନ୍ତୁ ତୁମେ ସତୀତ୍ୱର ଦ୍ୱାହିରେ ସବୁ ଠେଲି ଦେଇ ନିଜକୁ ନିଷ୍କଳୁଷ କରିବାର ଚେଷ୍ଟା କରିବନି ସ୍ନିଗ୍‌ଧା । ଏତିକି ଅନୁରୋଧ ମୋର କଣ ରଖିବନି ? କଥା ଦିଅ ସ୍ନିଗ୍‌ଧା । ଏମିତି ପୁଣି ଆମର ଦେଖା ହେବ । ମୁଁ କଥା ଦେଉଛି ସ୍ନିଗ୍‌ଧା ମୋ ମନ ଭିତରେ ତୁମେ ଚିରଦିନ ପାଇଁ ମୋର ହୋଇ ରହିବ । ମୁଁ ଆଶା କରୁଛି ମୁଁ ନିଶ୍ଚୟ ତୁମର ହୋଇ ରହିବି । ଦେହ ଆଉ ମନ ଗୋଟାଏ କଥା ନୁହେଁ । ପୃଥିବୀର କୌଣସି ବ୍ୟକ୍ତି ଏହାର ପରିଚୟ ବି ପାଇବେ ନାହିଁ ।’’ ସତ୍ୟବାନର ଅନେକ କଥା ଶୁଣିଲା ସ୍ନିଗ୍‌ଧା । ନୀରବରେ ଅଶ୍ରୁ ମୋଚନ କରିଥିଲା ମାତ୍ର । ବହୁ କଷ୍ଟରେ ସ୍ନିଗ୍‌ଧାକୁ ବିଦାୟ ଦେଇଥିଲା ସତ୍ୟବାନ । ଗୋଟାଏ ଝଡର ଅବସାନ ହୋଇଥିଲା ।

 

ରାତି ନ ପାହୁଣୁ ସତ୍ୟବାନ ଅଦୃଶ୍ୟ ହୋଇ ଯାଇଥିଲା । ସେ ଜାଣେ ହୁଏତ ଟିକିଏ ଡେରି ହେଲେ ପୁଣି ସ୍ନିଗ୍‌ଧା ବାଟ ଓଗାଳି ପାରେ । କିନ୍ତୁ ଦେହ ମନ ସବୁ ଯେମିତି ତାର ଅସୁସ୍ଥ ହୋଇ ପଡ଼ିଲା । ମନ ନିହାତି ବିଷାକ୍ତ ହୋଇ ପଡ଼ିଲା । ସେ ନୀରବରେ ବସି ରହିଲା । ପୁଣି ଚାରିଦିନ ପରେ ସ୍ନିଗ୍‌ଧାଠୁ ଚିଠି ଆସିଲା । ‘‘ମତେ ତମେ ଭୁଲାଇ ଦେଲ । ବହୁ ବିଦ୍ୟା ପଢ଼ିଛ । ଠକି ଦେଲ ମତେ । ଦେହ ମନ ଏକ କଥା ନୁହେଁ ବୋଲି ତମେ କହିଗଲ । ନିଜକୁ ପଚାର ଏ ତମ ମନଟା କଣ ଦେହ ବାହାରେ ଅଛି ? ଦେହ ନ ଥିଲେ ମନ ଥାଆନ୍ତା କେଉଁଠି ? ଦେହକୁ ନେଇ ମନ । ତୁମ ମନଟା ଆଉ ଯାହାକୁ ଦେବାକୁ ଚାହୁଁଛ ଦିଅ ପଛେ ମୋର ତମ ଦେହ ଦରକାର । ତୁମ କଥାରେ ମୋ ମନ ବୁଝିନି । ମୁଁ ପୁଣି ଭାବୁଛି ତୁମ ନିକଟକୁ ଚାଲିଯିବି । ତୁମର କୌଣସି ଭୁଲାଣିଆ ଯୁକ୍ତି ମୁଁ ଶୁଣିବି ନାହିଁ ।’’ ଚିଠିଟା ପାଇ ସତ୍ୟବାନ ଟିକିଏ ବିଚଳିତ ହେଲା । ଜୀବନରେ ସେ କେବେ ଖଣ୍ଡେ ବି ପ୍ରେମପତ୍ର ଲେଖି ନାହିଁ । ଗଢ଼ାଯାଇଥିବା ସମ୍ୱନ୍ଧକୁ ଭାଙ୍ଗିବା ପରି କଷ୍ଟ ଆଉ କିଛି ନାହିଁ । ବିଶେଷକରି ଏଇ ନାରୀମାନେ...ଦୁର୍ବୋଧ୍ୟ ଯେତିକି ନିର୍ବୋଧ ବି ସେତିକି । ତାଙ୍କରି ସ୍ନେହ, ତାଙ୍କରି ପ୍ରେମ ଓ ତାଙ୍କରି କରୁଣା କେବଳ ତାଙ୍କର ବିଚାରର ବସ୍ତୁ ।

 

ନନ୍ଦବାବୁଙ୍କ ଦେହ ଭଲ ନଥିଲା । ସତ୍ୟବାଦ ନନ୍ଦବାବୁଙ୍କ ନିକଟରେ ବସି ରହିଲା । ସେ କହିଲେ ‘‘ସତ୍ୟବାନ, ରାଜନୀତିଟା ଛାଡ଼ିଲ । ଏନ୍‌ରୋଲ ହେଉନ । ବର୍ତ୍ତମାନ କରୁଛ କଣ ?’’ ସତ୍ୟବାନ ବିରକ୍ତ ହୋଇ ପଡ଼ିଲା ମନେ ମନେ । ଜୀବନରେ ତାର ପରମଶତ୍ରୁ ଏଇ ଉପଦେଶ ପାଳନ । କାହାର ଆଦେଶାତ୍ମକ କଥା ସତ୍ୟବାନ କେବେ ପାଳନ କରି ନ ପାରେ । ସେ କହିଲା ‘‘ମୁଁ ରାଜନୀତି ଛାଡ଼ିବି କାହିଁକି ? ଗୋଟିଏ ନୂଆ ଚିନ୍ତାଧାରା ମୋର । ମୋ ବନ୍ଧୁମାନେ ସେଇଟାକୁ ପରୀକ୍ଷା କରୁଛନ୍ତି । କେତେଜଣ ସମର୍ଥନ ବି କଲେଣି । ଏନ୍‌ରୋଲ ହେବାକୁ ମୁଁ ସ୍ଥିର କରି ପାରି ନ ଥିଲି । ଏବେ ଚେଷ୍ଟା କରୁଛି । ଆପଣଙ୍କ ନିକଟରୁ ଗୋଟାଏ ବିଶିଷ୍ଟ ଜ୍ଞାନ ଲାଭ କରିଛି । ବର୍ତ୍ତମାନ ଅନେକ ବହି ପଢ଼ାରେ ମୋର ଆଗ୍ରହ ବଢ଼ିଛି । ବିଶେଷ କରି ଏ ସଂସ୍କୃତ ସାହିତ୍ୟ । ଯୌବନ କାଳ ପାଇଁ ଯେତିକି ଉପାଦେୟ ବାଲ୍ୟକାଳ ପାଇଁ ସେତିକି ଉପାଦେୟ ଓ ବୃଦ୍ଧାବସ୍ଥା ପିଇଁ ଏକାନ୍ତ ଆବଶ୍ୟକ । ଆପଣଙ୍କର ଏ ପୋଥିଗୁଡ଼ା ପ୍ରକୃତରେ ଦର୍ଶନ ଚର୍ଚ୍ଚାରେ ପରିପୂର୍ଣ୍ଣ । ଏ ଗୁଡ଼ା ପଢ଼ିବାକୁ ମତେ ଭାରି ଭଲ ଲାଗୁଛି ।’’ ଏଣୁ ତେଣୁ କେତେ ଗପସପ ପରେ ରାତ୍ରି ଭୋଜନ ସାରି ସତ୍ୟବାନ ଫେରିଲା । ସେଦିନ ମଧ୍ୟ ଦୁଇଖଣ୍ଡ ପୋଥି ସାଙ୍ଗରେ ଧରି ଆସିଥିଲା ସତ୍ୟବାନ ।

 

ନିଜ ରୁମ୍‌ଟିରେ ବସିବାକୁ ସତ୍ୟବାନକୁ ଭଲ ଲାଗୁ ନ ଥିଲା । ଘରେ ବସିଲେ ନିଜ ପରିସ୍ଥିତିର ଭୟଙ୍କର ରୂପ ତାକୁ ବାଧୁଥିଲା । ବାଧ୍ୟ ହୋଇ ନନ୍ଦିତା ନିକଟକୁ ଗଲେ ତାକୁ ବହୁ ସମୟ ଅଯଥା ବ୍ୟୟ କରିବାକୁ ପଡ଼ୁଥିଲା । ସାଙ୍ଗମାନଙ୍କ ପାଖକୁ ଯିବାର ଉପାୟ ମଧ୍ୟ ନଥିଲା । ସେମାନେ ସମସ୍ତ ପ୍ରତିଷ୍ଠିତ । ମାଧୁରୀ ନିକଟକୁ ପ୍ରତ୍ୟହ ଯିବାରେ ଆଗ୍ରହ ବି ନାହିଁ । ସତ୍ୟବାନ ସକାଳ ପ୍ରହରଟି ଘରେ ବସି ବସି ବିତାଇ ଦେଲା । ମଧ୍ୟାହ୍ନ ଭୋଜନଟା କରିସାରି ହାତରେ ପୋଥିଟି ଧରି ଅଗତ୍ୟା ସେ ନୂତନ ପାର୍କ ଆଡ଼କୁ ଚାଲିଲା । ନୂଆ ହୋଇ ଗଢ଼ି ଉଠିଥିବା ପାର୍କଟିରେ କିନ୍ତୁ ଏକ ବିରାଟ ବଡ଼ ଦ୍ରୁମ ରହିଯାଇଛି । ସତ୍ୟବାନ ସେଇ ବୃକ୍ଷ ନିକଟକୁ ଯାଇ ଶିଅ ଉପରେ ବସି ପଡ଼ିଲା । ବରଗଛର ବହଳିଆ ପତ୍ର । ତାର ସ୍ନିଗ୍‌ଧ ଛାୟା । ଗୁଣ୍ଡୁଚି ଓ ପକ୍ଷୀଙ୍କର ଚିଁ ଚା ଶବ୍ଦ ତାକୁ ମୁଗ୍‌ଧ କରୁଥିଲା । ସେ କବି ନୁହେଁ । ହାତରେ କେବେ କଲମ ଧରି କବିତା ଲେଖିବାର ପ୍ରୟାସ ପର୍ଯ୍ୟନ୍ତ କରି ନାହିଁ । କିନ୍ତୁ ନିଜ ଜୀବନ କାବ୍ୟର କବି କିଏ ? ଅନନ୍ତ ପ୍ରକୃତି କୋଳରେ ମଣିଷ କବି ସାଜେ ।

 

ସେ ପୋଥି ଖଣ୍ଡକ ଖୋଲି ପଢ଼ିବାର ଉଦ୍ୟମ କଲା । ପାର୍କଟା ନିଶୂନ ଥିଲା । ଏ ପୋଥି ଥିଲା ଏକ ଭିନ୍ନ ଧରଣର । ମଙ୍ଗଳାଚରଣ ଥିଲା ଅତି ସାମାନ୍ୟ । ପୂର୍ବ ପଠିତ କାବ୍ୟ ମାନଙ୍କଠାରୁ ଏ ଥିଲା ଏକ ସ୍ମରଣୀୟ ରଚନା । କେବଳ ପଦ୍ୟ ନୁହେଁ, ସ୍ଥଳ ବିଶେଷରେ ଗଦ୍ୟରେ ମଧ୍ୟ ରଚିତ ହୋଇଥିଲା । ସେଇ କାବ୍ୟର କବି ଥିଲେ ଦ୍ୱିଜ ଦିଗମ୍ୱର ବାନାମ୍ୱର ରଥ । କବି ନିଜେ ଥିଲେ କାବ୍ୟର ନାୟକ । କିନ୍ତୁ କାବ୍ୟଟିକୁ ପ୍ରଥମ ପୁରୁଷରେ ରଚନା ନ କରି ତୃତୀୟ ପୁରୁଷରେ ରଚନା କରି ଥିଲେ । ତାଙ୍କ ପିତା ଥିଲେ ଦ୍ୱିଜଶ୍ରେଷ୍ଠ ସନାତନ ରଥ । ସନାତନ ରଥ ତର୍କ ଶାସ୍ତ୍ରରେ, ଅଦ୍ୱୈତ ବେଦାନ୍ତରେ ଗଭୀର ଜ୍ଞାନ ହାସଲ କରି ଭାରତ ଖଣ୍ଡରେ ପ୍ରସିଦ୍ଧ ହୋଇଥିଲେ । ଗୃହତ୍ୟାଗ କରି ସନାତନ କାଶୀର ପଣ୍ଡିତ ସଭାରେ ଯୋଗ ଦେବାକୁ ଯାତ୍ରା କରିଥାନ୍ତି ।

 

ସତ୍ୟବାନ ଟିକିଏ ଚିନ୍ତାକଲା । ବେଶୀ ଦିନ ତଳର କଥା ନୁହେଁ ତ ? ଇଂରେଜ ରାଜତ୍ୱର ମଧ୍ୟକାଳର ଶେଷାଂଶ ହେବ ବୋଧେ । ଭାରତରେ ଧର୍ମାନୁଚିନ୍ତାର ପରମ୍ପରା ଅବିକ୍ଷତ । ଇଂରେଜଙ୍କ ସକଳ ଚେଷ୍ଟା ସତତଃ ବିଫଳ ହୋଇଛି । ନନ୍ଦବାବୁଙ୍କ ଡାଏରୀର ସେଇ ଅଂଶଟି ମନେ ପଡ଼ିଲା ‘‘ଜଗନ୍ନାଥ ସଂସ୍କୃତିର ଖଡ଼ିଛୁଆଁ ଯାହା ମନରେ ଥରେ ହୋଇଛି ପୁରୁଷ ପରେ ପୁରୁଷ ଧରି ବିଲୁପ୍ତି ପରେ ମଧ୍ୟ ଦିନେ ସେ ନିଶ୍ଚୟ ମୁଣ୍ଡ ଟେକି ଉଠିବ ଏହା ନିଃସନ୍ଦେହ ।’’ ଭାରତରେ ଧର୍ମ କହିଲେ ଭାରତୀୟ ଜୀବନକୁ ହିଁ ବୁଝାଏ ଓ ଜୀବନ କହିଲେ ଧର୍ମକୁ ବୁଝାଏ । ଏ ଦୁଇଟା ଅବିଚ୍ଛେଦ୍ୟ । ଅଭେଦ୍ୟ ।

 

ସତ୍ୟବାନ ପୁଣି ପୋଥି ପାଠରେ ମନଦେଲା । ...‘‘ସନାତନଙ୍କ ପରେ ଦିଗମ୍ୱର ରଥ ଅଭିଜ୍ଞ ଶାସ୍ତ୍ରଜ୍ଞ ବୋଲି ବିବେଚିତ ହେଲା । କିନ୍ତୁ ପିତାଙ୍କ ପରି ତାର ଅଧିକ ଜ୍ଞାନ ନ ଥିଲେ ବି କମ୍‌ ଜ୍ଞାନ ନ ଥିଲା । ସେ ଥିଲା ଚରମପନ୍ଥୀ । ନୈଷ୍ଠିକ ବ୍ରାହ୍ମଣର ସମସ୍ତ ଲକ୍ଷଣ ସତ୍ତ୍ୱେ ସେ ଚାର୍ବାକ ନୀତିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲା । ‘‘ଯାବତ୍‌ ଜୀବେତ୍‌ ସୁଖେନ ଜୀବେତ୍‌’’ ଥିଲା ତାର କାମନା । ରାଜଦରବାରର ପଣ୍ଡିତ ମହାସଭାର ନିମନ୍ତ୍ରଣକୁ ସେ ଉପେକ୍ଷା କରୁଥିଲା । ବରଂ ସମାଜରେ ଯେ କୌଣସି ଜାତିର ଗୃହସ୍ଥ ପାଇଁ ସେ ପୂଜା କରିବାରେ ଆଗ୍ରହ ପ୍ରକାଶ କରୁଥିଲା ।

 

ସେଇ ଗାଁରେ ଥିଲା ଶ୍ୟାମଳୀ ନାମରେ ଦ୍ୱିଜକନ୍ୟା । ସେ ଥିଲା ପ୍ରତ୍ୟେକଟି କନ୍ୟାଙ୍କ ପରି ବାଲ୍ୟ ବିବାହିତା । କୌଣସି କୌଣସି ଦୁଃସ୍ଥ ପିତା କନ୍ୟା ଘରଯୋଗ୍ୟ ହେବା ପୂର୍ବରୁ ବି ତାକୁ ଶାଶୁ ଘରକୁ ପଠାଇ ଦେଉଥିଲେ । କିନ୍ତୁ ଶ୍ୟାମଳୀ ଗୃହ ଯୋଗ୍ୟା ହେବା ପର୍ଯ୍ୟନ୍ତ ପିତୃ ଗୃହରେ ରହିବାର ସୁଯୋଗ ପାଇଥିଲା । କାରଣ ସେ ଥିଲା ଏକ ମାତ୍ର କନ୍ୟା । କିନ୍ତୁ ଗ୍ରାମ ମୁଖ୍ୟଙ୍କର ଲୋଲୁପ ଦୃଷ୍ଟିରୁ ସେ ମୁକ୍ତ ହୋଇ ପାରିଲା ନାହିଁ । ତାଙ୍କରି ଯନ୍ତ୍ରଣାରେ ରାଜ ଦରବାରକୁ ସେ କନ୍ୟା ପ୍ରେରିତ ହେବାର ନିର୍ଦ୍ଦେଶ ଆସିଲା । କନ୍ୟା ପ୍ରାପ୍ତ ବୟସ୍କା ହେବା ମାତ୍ରେ ଯାହାକୁ ନିର୍ଦ୍ଦେଶ-। ସେ ସେ କନ୍ୟାକୁ ରାଜଗୃହକୁ ପ୍ରେରଣ କରିବାକୁ ବାଧ୍ୟ ହୁଏ । ରାଜ୍ୟର ପ୍ରତ୍ୟେକଟି ପଦାର୍ଥଠାରୁ ଆରମ୍ଭ କରି ଜୀବ ପର୍ଯ୍ୟନ୍ତ ରାଜାଙ୍କର । ତାଙ୍କର ଅନୁଗ୍ରହରେ ସବୁକିଛି ପରିଚାଳିତ । ତାଙ୍କରି ଭୋଗ ପାଇଁ ସମସ୍ତ ପଦାର୍ଥ ଉଦ୍ଦିଷ୍ଟ । ରାଜାଙ୍କର ଉଦ୍ଦେଶ୍ୟକୁ କାର୍ଯ୍ୟରେ ପରିଣତ କରନ୍ତି ତାଙ୍କର ଅଧସ୍ତନମାନେ । ଆଉ ସର୍ବ କନିଷ୍ଠ ଗ୍ରାମମୁଖ୍ୟଙ୍କ ଉପରେ ଏହାର ଗୁରୁ ଦାୟିତ୍ୱ ନିର୍ଭର କରେ । ରାଜ୍ୟବାସୀମାନେ ଅକଥନୀୟ ଯନ୍ତ୍ରଣା ଭୋଗ କରି ବିଦୀର୍ଣ୍ଣ ହୃଦୟରେ ଏହାକୁ ସହ୍ୟ କରନ୍ତି ।

 

ସାଧାରଣତଃ ବ୍ରାହ୍ମଣମାନଙ୍କ ଭାଗ୍ୟରେ ଏପରି ବିଡ଼ମ୍ୱନା ଘଟି ନ ଥିଲା । ଏପରି ରାଜାଦେଶ କେବଳ ବ୍ରାହ୍ମଣେତର ଜାତିଙ୍କ ପାଇଁ ହେଉଥିଲା । ତେଣୁ ଦ୍ୱିଜ କନ୍ୟା ଶ୍ୟାମଳୀ ପ୍ରତି ଏ ଆଦେଶ ଥିଲା ସଂପୂର୍ଣ୍ଣ ନୂତନ । ରାଜାଙ୍କର ଏପରି ଆଦେଶର ପରିଣତି ଭୟାବହ ହେବ ବୋଲି ତାଙ୍କୁ ଭୟଭୀତ କରାଯାଇଛି । ଏହାଦ୍ୱାରା ଯୌନ ଅଙ୍ଗରେ କୁଷ୍ଠ ହେବ ବୋଲି ମଧ୍ୟ ବୁଝାଇ ଦିଆଯାଇଛି । କିନ୍ତୁ ରାଜା ସେଇ ନିଷିଦ୍ଧ ଫଳ ଭକ୍ଷଣ କରିବାକୁ ଅଟଳ ପ୍ରତିଜ୍ଞ । ହୁଏତ ତର୍କ ପଣ୍ଡିତ ସନାତନ ଥିଲେ ଏହାର ପ୍ରତିକାର କରିଥାନ୍ତେ । ବର୍ତ୍ତମାନ ଦ୍ୱିଜ ବଂଶର ଏ ବିପତ୍ତିକୁ ମୁକାବିଲା କରିବାକୁ କେହି ନାହିଁ । ଦିଗମ୍ୱର ଯୁବକ ମାତ୍ର ।

 

କିନ୍ତୁ ଦିଗମ୍ୱରଙ୍କୁ ଏ କଥା ଅସହ୍ୟ ବୋଧ ହେଲା । ଦ୍ୱିଜ ବ୍ୟତୀତ ଦ୍ୱିଜ କନ୍ୟା ଅନ୍ୟର ଉପଭୋଗ୍ୟା କଦାପି ହୋଇ ନ ପାରେ । ପୃଥିବୀର ସମସ୍ତ ମାନବ ସମାଜ ଜାରଜ ହୋଇପାରେ କିନ୍ତୁ ସ୍ତୋତ୍ରିୟ ବ୍ରାହ୍ମଣ ସମାଜରେ ତା ହୋଇ ନ ପାରେ । ଏହା କେବଳ ସମଗ୍ର ବ୍ରାହ୍ମଣ ସମାଜ ପ୍ରତି ଘୋର ବିଡ଼ମ୍ୱନା ମାତ୍ର । ବଳାତ୍କାରରେ କେବେ କେମିତି ଯବନ କର୍ତ୍ତୃକ ଦ୍ୱିଜକନ୍ୟା ଅପହୃତା ହୋଇଛନ୍ତି କିନ୍ତୁ ଜାଣିଶୁଣି କୌଣସି ଦ୍ୱିଜକୁଳ କୁଳକନ୍ୟାକୁ ଅନ୍ୟର ଉପଭୋଗ୍ୟା କରି ନ ପାରେ । ଏହାର ମୁକାବିଲା କରିବାକୁ ହେବ । ରାଜକର୍ମଚାରୀ ଗ୍ରାମମୁଖ ଗୋବିନ୍ଦର ବଂଶ ଧ୍ୱଂସ କରିବା ଦରକାର । ସାଧାରଣତଃ ବ୍ରହ୍ମଣ କନ୍ୟାଙ୍କ ବିଷୟରେ ରାଜାଙ୍କୁ କେହି ଖବର ଦେଇ ନ ଥାନ୍ତି । ଗୋବିନ୍ଦ ହୀନ ଆଉ ଧୂର୍ତ୍ତ । ପାପିଷ୍ଠର କାମାର୍ତ୍ତ ଦୃଷ୍ଟିଥିଲା ଅପ୍ରାପ୍ତ ବୟସ୍କା ଶ୍ୟାମଳୀ ଉପରେ । ନାରକୀଟାର ରାଜ ଉଚ୍ଛିଷ୍ଟ ଭୋଗ କରିବାରେ ଅପାର ଆନନ୍ଦ । କିନ୍ତୁ ଏଥର ତାକୁ ସମୁଚିତ ଶାସ୍ତି ଦେବାକୁ ହେବ । ଘୃଣା, ଦ୍ୱେଷ ଓ କ୍ରୋଧରେ ଦିଗମ୍ୱର ଦୁଇ ଓଠ ଚାପି ଧରିଲା ।

 

ବୟୋଜ୍ୟେଷ୍ଠ ଦ୍ୱିଜମାନେ ସମର୍ଥନ କଲେ ସେ ଗୋବିନ୍ଦର ଗୃହଦାହ କରନ୍ତା ! ରାଜାଙ୍କର ମସ୍ତକ ଛେଦନ କରନ୍ତା । ଏ ଦେଶର ରକ୍ଷକ ଏମାନେ । ଶାସକ ଏମାନେ, ବୁଭୁକ୍ଷୁ ଶ୍ୱାନଦଳ, ପ୍ରତ୍ୟେକଟି ତରୁଣୀ କନ୍ୟା ବିବାହିତା ଅବିବାହିତା ନିର୍ବିଶେଷରେ ଆଦେଶ ପାଇ ରାଜ ଅନ୍ତଃପୁରକୁ ପ୍ରେରିତ ହୁଅନ୍ତି । କାହାଣୀ ନୁହେଁ, ସତ୍ୟ । ସବାରୀରେ ବୁନ୍ଦ ହୋଇ ଯେମିତି ଯେଇଥାନ୍ତି ନିଶିଥର ନିଥର ବେଳାରେ ଠିକ୍‌ ସେମିତି ସେଇ ବେଳାରେ ମଧ୍ୟ ଫେରି ଆସନ୍ତି । ସେଇ ମର୍ମନ୍ତୁଦ ଅନୁଭୂତି କୋମଳ ପ୍ରାଣର ସେ ଅକଥନୀୟ ନିର୍ଯ୍ୟାତନା ସବୁ ଯେମିତି କର୍କଶ ବନ୍ଧୁର ହୋଇ ଆଉ ଗୋଟାଏ ବ୍ୟକ୍ତିତ୍ୱକୁ ଜନ୍ମ ଦିଏ । କେତେ ସନ୍ତାନ କୁମାରୀ କନ୍ୟା ଗର୍ଭରୁ ଜନ୍ମଲାଭ କରି ମୃତ୍ୟୁ ବରଣ କରନ୍ତି । ଅକାରଣରେ ଅପରାଧୀ ଜନନୀ ନିଜ ସନ୍ତାନକୁ ନିର୍ମମ ଭାବରେ ହତ୍ୟା କରେ । ‘‘କୁଜନନୀ ନ ଭବିଷ୍ୟତି’’ ଏଇ ନିର୍ମଳ ଆଦର୍ଶର ବହୁଦୂରକୁ ଚାଲିଯାଏ ସେ । ନାରୀତ୍ୱ, ବାତ୍ସଲ୍ୟ ଓ ମାତୃତ୍ୱ ସବୁ କିଛିର ଇତି ହୁଏ । ନାରୀ ଓ ସମାଜର ରୂପ ବଦଳେ ।

 

ଦିଗମ୍ୱର ଚିନ୍ତା କରୁଥିଲା । ଚିତ୍କାର କରି ଉଠୁଥିଲା କିଏ ? କିଏ ହତ୍ୟା କରୁଛି ସମାଜକୁ ? ପଠାଣ ନାଁ କିରସ୍ତାନ ? କିଏ ହତ୍ୟା କରୁଛି ପରମ୍ପରାକୁ ସ୍ୱଦେଶୀ ନାଁ ବିଦେଶୀ । ମୃତ କାମାନ୍ଧ ଏ ପଶୁ ଦଳକୁ ନିର୍ମମ ଭାବରେ ହତ୍ୟା କରିବା ଦରକାର । ଏ ନାରକୀୟ ଲୀଳାରେ ଶେଷ କେଉଁଠି ? ଦେଶରେ ତ ଫିରିଙ୍ଗୀ ଶାସନର ଅତ୍ୟାଚାର ବଢ଼ୁଛି । କିନ୍ତୁ ଫିରିଙ୍ଗୀ ବିଦେଶୀ ଏପରି ନଗ୍ନ ନାରକୀୟତା ପାଇଁ ତାଙ୍କର ଆଗ୍ରହ ଥାଇପାରେ । ରାଜ୍ୟଜୟ ପରେ ରାଜ୍ୟଭୋଗ ଅଧ୍ୟାୟ । ତା ଭିତରେ ହୁଏତ କିଛି ପ୍ରମାଦ ରହି ଯାଉଛି । କିଛି ବୀଭତ୍ସତା ରହି ଯାଉଛି । କିନ୍ତୁ ସ୍ୱଦେଶର ଏଇ ହୀନ ପ୍ରବଞ୍ଚକ ଦଳ କାମାର୍ତ୍ତ କ୍ଷୁଧିତ ଶ୍ୱାନଦଳ । ଅନ୍ତଃଶତ୍ରୁ ଏଗୁଡ଼ାକ । ଏମାନଙ୍କ ହାତରୁ ସମାଜକୁ ବଞ୍ଚାଇବାକୁ ହେବ । କିନ୍ତୁ ଏ ବିପ୍ଳବରେ ଯୋଗ ଦେବ କିଏ ? ଦିଗମ୍ୱର ଚିନ୍ତିତ ହୋଇ ପଡ଼ୁଥିଲା । ଶ୍ୟାମଳୀର ପ୍ରେରିତ ହେବାର ଦିନ ପାଖେଇ ଆସୁଥିଲା ।

 

ଧିକ ବ୍ରାହ୍ମଣର ଜ୍ଞାନ ଭଣ୍ଡାରକୁ । ଧିକ ପୁରୁଷର ପୁରୁଷ ପଣିଆକୁ । ଧିକ ଏ ଜୀବନର ମୋହକୁ । ଦିଗମ୍ୱରର ବିବେକ ଦଂଶନ ଅସହ୍ୟ ହୋଇ ଆସିଲା । ହିଂସ୍ର ଭାବରେ ସେ ନିଷ୍ପତ୍ତି କରିନେଲା । ଗୋବିନ୍ଦର ଗୃହରେ ସେ ଅଗ୍ନି ସଂଯାଗ କରିବ ଆଉ ଶ୍ୟାମଳୀକୁ ନିଶ୍ଚୟ ଉଦ୍ଧାର କରିବ । ବ୍ରାହ୍ମଣ କନ୍ୟାର ମାନ ମହତକୁ ସେ ରକ୍ଷା କରିବ ନିଶ୍ଚୟ । ଶ୍ୟାମଳୀ ହୁଏତ ଆତ୍ମହତ୍ୟା କରି ଦିଅନ୍ତା । କିନ୍ତୁ ତାର ପରିବାରରେ ବାପାମାଙ୍କଠାରୁ ଆରମ୍ଭ କରି ସମସ୍ତ ଆତ୍ମୀୟ ସ୍ୱଜନ ତାକୁ ନିଶ୍ଚୟ ଜଗି ରହିଥିବେ । କାରଣ ଶ୍ୟାମଳୀ ଯଦି ଆତ୍ମହତ୍ୟା କରେ ସେମାନେ ଇଚ୍ଛାକରି ତାକୁ ମାରି ଦେଇଛନ୍ତି ବୋଲି ରାଜଦରବାରରେ ପ୍ରମାଣିତ ହେବ ଓ ଫାଶି ଖୁଣ୍ଟରେ ଝୁଲିବ ସମସ୍ତଙ୍କ ମୁଣ୍ଡ । ସେଇଥିପାଇଁ ସେ ଶବାରୀରେ ବସିବା ପର୍ଯ୍ୟନ୍ତ ସେମାନେ ଜଗି ବସୁଥିଲେ । ମଣିଷର ମନ ଓ ମନସ୍ତତ୍ତ୍ୱ ପଣ୍ୟ ଦ୍ରବ୍ୟରେ ପରିଣତ ହେଉଥିଲା । ଦିଗମ୍ୱର ଜାଣେ ଶ୍ୟାମଳୀକୁ ତା ପରିବାରରୁ ମୁକ୍ତ କରିବା ମଧ୍ୟ ତା ପକ୍ଷରେ କଷ୍ଟକର କାମ ।

 

ଏଇ ଜୀବନର ମୋହ ତୁଳନାରେ ସବୁ ତୁଚ୍ଛ । ସବୁ ମିଥ୍ୟା ବୋଲି ଦିଗମ୍ୱର ଭଲ ରକମ ଜାଣେ । ମଣିଷ ପକ୍ଷରେ ନିଜ ଜୀବନଠାରୁ ପ୍ରିୟତର ଆଉ କିଛି ନାହିଁ । ଯେଉଁ ଜନନୀକୁ ସକଳ ଶାସ୍ତ୍ରରେ ସ୍ୱର୍ଗାଦପି ଗରିୟସୀ ବୋଲି କୁହାଯାଉଛି ସେଇ ଜନନୀ ହିଁ ତ ତାର ଅବୈଧ ସନ୍ତାନକୁ ହତ୍ୟା କରେ କାହିଁକି ? ନିଜକୁ ହତ୍ୟା ନ କରି ନିଷ୍ପାପ ଶିଶୁଟିକୁ ତଣ୍ଟି ଚିପି ମାରିବା ପଛରେ କେଉଁ ଅନ୍ତରାତ୍ମାର ପ୍ରେରଣା ସେ ପାଇଥାଏ । କେଉଁ ଅନାଦି କାଳରୁ ମାନବ ଜୀବନର ସ୍ୱାଦକୁ ବୁଝି ସାରିଛି ଓ ସବୁକିଛିର ବିନିମୟରେ ଜୀବନକୁ ବଞ୍ଚାଇବାକୁ ଚେଷ୍ଟିତ ହୋଇଛି । ସତ୍ୟ ହୋଇପାରେ । କିନ୍ତୁ ଦିଗମ୍ୱର ଦ୍ୱିଜ ଦ୍ୱିଜକୁଳର ସମ୍ମାନକୁ ବଳି ଦେଇ ନ ପାରେ । ସେ ଜୀବନସର୍ବସ୍ୱ ନୁହେଁ ।

 

ନିଝୁମ ରାତିରେ ସେ ଶ୍ୟାମଳୀର ଗୃହ ଦ୍ୱାରରେ କରାଘାତ କଲା । ଭୟକାତର ପରିବାର ପ୍ରଥମେ ଦିଗମ୍ୱରକୁ ଦେଖି କିଛି ବୁଝି ପାରି ନଥିଲେ । ଦିଗମ୍ୱର ନିଜ ଉଦ୍ଦେଶ୍ୟକୁ ସହଜ ଭାବରେ ବ୍ୟକ୍ତ କଲା । ଗୋଟାଏ ବଡ଼ ପଘା ଫିଟାଇ ଆଣି ଶ୍ୟାମଳୀର ପିତାମାତା ଭାତୃ ଭଗିନୀ ସମସ୍ତଙ୍କୁ ପୃଥକ ପୃଥକ ବନ୍ଧନ କରି ଘରକୁ ଶିକୁଳି ଲଗାଇ ଦେଲା । ଗୋବିନ୍ଦର ଗୃହରେ ଅଗ୍ନ ସଂଯୋଗ କରି ଶ୍ୟାମଳୀକୁ ନେଇ କ୍ଷିପ୍ର ପଦକ୍ଷେପରେ ପଳାୟନ କଲା । ସେ ଭାବୁଥିଲା ହୁଏତ ଗୋବିନ୍ଦ ଘରର ଅଗ୍ନି ସମଗ୍ର ଗ୍ରାମକୁ ଦଗ୍‌ଧ କରିପାରେ । ଯଦି ଗ୍ରାମବାସୀମାନେ ଠିକ୍‌ ସମୟରେ ଉଦ୍ୟମ ନ କରିବେ ହସ୍ତପଦ ଆବଦ୍ଧ ଶ୍ୟାମଳୀର ପରିବାର ଜୀବନ୍ତ ଦଗ୍‌ଧ ହୋଇ ପାରନ୍ତି । କିନ୍ତୁ ମଣିଷର ନିରାପତ୍ତା ଜ୍ଞାନ ସବୁ ପ୍ରାଣୀଙ୍କ ଅପେକ୍ଷା ଅଧିକ । ସେମାନେ ନିଶ୍ଚୟ ନିଜକୁ ମୁକ୍ତ କରିବେ, ନିଜକୁ ବଞ୍ଚାଇବେ । ନ ହେଲେ ମରନ୍ତୁ, କ୍ଷତି କଣ । ଦଳେ ସ୍ୱାର୍ଥପର ଅନୁଦାର ଜନ୍ତୁ ମରନ୍ତୁ ଜୀବନ୍ତ ଦଗ୍‌ଧ ହୋଇ । ଜଣକୁ ମାରି ନିଜେ ବଞ୍ଚିବାର ଲୋଭ କାହିଁକି ? ଜନ୍ମ ଦେଇଥିବା ସନ୍ତତିକୁ ବଳି ଦେଇ ବଞ୍ଚିବାକୁ ପ୍ରୟାସ କରିଥିବା ପାପପାଇଁ ଜୀବନ୍ତ ଦଗ୍‌ଧ ହୁଅନ୍ତୁ ସେମାନେ । ଶ୍ୟାମଳୀ ସତିତ ସମସ୍ତେ ଆତ୍ମହତ୍ୟା କରିବା ଉଚିତ ଥିଲା ସେମାନଙ୍କର । ସେମାନେ ଦୂରରୁ ଦେଖି ପାରୁଥିଲେ ଗୋବିନ୍ଦ ଘରର ନିଆଁ ଆକାଶକୁ ଉଠୁଥିଲା । ସେମାନଙ୍କର ପାଦ ଚଞ୍ଚଳ ହୋଇ ପଡ଼ିଥିଲା ।

 

ଓଡ଼ିଶାର ଉତ୍ତର ସୀମାନ୍ତବାଟେ ବଙ୍ଗଳାକୁ ଚାଲିଯିବା ସହଜ । ଦିଗମ୍ୱର ତାର ସମସ୍ତ ଖବର ରଖିଥିଲା । ଆଉ ଗୋଟିଏ ଦିନର ରାସ୍ତା ଅତିକ୍ରମ କଲେ ଓଡ଼ିଶାର ସୀମା ଲଘଂନ କରିଯିବେ ସେମାନେ । ସମଗ୍ର ଦିନ ଭିତରେ ସେମାନେ ମାତ୍ର ଘଣ୍ଟାଏ ସମୟ କିଛି ଜଳଖିଆ ଖାଇବାରେ କଟାଇ ଥିଲେ । ବାଟରେ ଡକାୟତି ଓ ଶଇତାନିର ଭୟ ମଧ୍ୟ ଥାଏ । କେତେକ ଗାଡ଼ିଆଳଙ୍କ ସହିତ ବନ୍ଧୁତା କରି ରାତିଟିଏ ଚଟିଘରେ କଟାଇ ଦେଇ ପୁଣି ରାତି ନ ପାହୁଣୁ ବାହାରି ଯାଇଥିଲେ ।

 

ସଂଧ୍ୟା ଆଗତ ହେବା ପୂର୍ବରୁ ସେମାନେ ପ୍ରାୟ ସୀମା ଲଘଂନ କରି ସାରିଥିଲେ । ସୁବର୍ଣ୍ଣରେଖା ଲଘଂନ କରି ନନ୍ଦଗ୍ରାମରେ ପହଞ୍ଚିଲା ବେଳକୁ ବୋଧେ ରାତି ଘଡ଼ିଏ ହୋଇ ଯାଇଥିଲା । କ୍ଳାନ୍ତି ଓ ଗ୍ଳାନିରେ ଦୁଇଦିନ ଅକ୍ଳାନ୍ତ ପରିଶ୍ରମରେ ଅବଶ ହୋଇ ପଡ଼ିଥିଲା ଅଙ୍ଗ । ଗୋଟିଏ ବ୍ରାହ୍ମଣ ପରିବାରରେ ସେମାନେ ସେଦିନ ଅତିଥି ହେଲେ ।

 

ଗୃହସ୍ୱାମୀ ସେମାନଙ୍କୁ ଦେଖି ବୁଝିପାରିଥିଲେ ଯେ ସେମାନେ ନିଶ୍ଚିତ ବିପଦଗ୍ରସ୍ତ । କୁମାରୀଟିର ଶୁଖିଲା ମୁହଁକୁ ଦେଖି ତାଙ୍କର ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା । ବିଶେଷତଃ ସେ ସମୟରେ ସାଙ୍ଗରେ ନାରୀରତ୍ନଧରି ଏପରି ପଥ ଯାତ୍ରା କରିବା ବିରଳ । କାରଣ ଖଣ୍ଟ ଓ ସିପାହୀଙ୍କର ଉପଦ୍ରବ କମ୍‌ ନ ଥିଲା । ଗୃହସ୍ୱାମୀ ତାଙ୍କୁ କହିଲେ ‘‘ମନେ ହେଉଛି ଏ କନ୍ୟାଟିକୁ ତୁମେ ଚୋରାଇ ନେଉଛ ।’’ ଦିଗମ୍ୱର କହିଲା ‘‘କେଉଥି ପାଇଁ ଆପଣଙ୍କର ଏପରି ସନ୍ଦେହ ହେଉଛି କୁଆଡ଼ୁ ଆସି କୁଆଡ଼େ ଯାଉଛ । ତମେ କଣ ପଥ ମଧ୍ୟରେ ଡାକୁ ଉପଦ୍ରବ କଥା ଜାଣ ନାହିଁ । ନାରୀଟିଏ ସାଙ୍ଗରେ ଧରି ଏକାକୀ ଏପରି ଗତି କରିବା କମ୍‌ ଦୁଃସାହସର କଥା ନୁହେଁ । ସେଥିପାଇଁ ଭାବିଲି ହୁଏତ ଏ ଚୋରାମାଲ ହୋଇଥିବ ।’’ ଦିଗମ୍ୱର ହସିଲା । ନିହାତି ଭୁଲ ନୁହେଁ-ଅନୁମାନରେ ସାମାନ୍ୟ ସତ୍ୟତା ଅଛି ବୋଲି ଦିଗମ୍ୱର ହସି ହସି ଉତ୍ତର ଦେଲା ଓ ନିଜ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଲା । ତାପରେ ନିହାତି ଆପଣାର ପରି ସେ ବ୍ରାହ୍ମଣ କହିଲେ ‘‘ଅଶ୍ୱାରୋହୀମାନେ ଦେଖିଥିଲେ ଅବସ୍ଥା ସରି ଯାଆନ୍ତାଣି । ମୋର ଭୟ ହେଉଛି ତୁମେ ଶେଷ ପର୍ଯ୍ୟନ୍ତ ଏ କନ୍ୟାକୁ ରକ୍ଷା କରି ପାରିବ କି ନାହିଁ ।’’

 

ଦିଗମ୍ୱର ଅଣ୍ଟାର ତୀକ୍ଷ୍‍ଣ ଛୁରୀକାରେ ହାତ ଦେଇ କହିଲା ‘‘ଗୋସେଇଁ ମଉସା, ମୁଁ ତୁମପରି ବ୍ରାହ୍ମଣ ହେଲେ ବି ଭୀରୁ ନୁହେଁ । ମୋ ଦେହରେ ବିନ୍ଦୁଏ ରକ୍ତ ଥିବା ଯାଏ ଏ କନ୍ୟାକୁ ରକ୍ଷା କରିବି ।’’ କିନ୍ତୁ ଗୃହସ୍ୱାମୀ ଏଥିରେ ସନ୍ତୁଷ୍ଟ ହେଲେ ନାହିଁ । ସେ କହିଲେ ‘‘ବୁଝି ପାରିଲ ନାହିଁ ଯୁବକ । ଏ କଳିକାଳ । ଏ ଯୁଗରେ ବ୍ରାହ୍ମଣ ଉପରେ ବି ଅତ୍ୟାଚାରର ସୀମା ନାହିଁ । ଲୋକେ ବ୍ରହ୍ମହତ୍ୟାକୁ ବି ଭୟ କରୁ ନାହାନ୍ତି । ଘୋର ପାପର ସମୟ ଆସିଛି ଯୁବକ । ହତ୍ୟା, ପ୍ରବଞ୍ଚନା ଏ ଗୋଟାଏ ସାମାନ୍ୟ ନିତିଦିନିଆ କଥାରେ ପରିଣତ ହୋଇଛି । ମୋ କଥା ଶୁଣ । ପ୍ରଭାତ ନ ହେଉଣୁ ମୁଁ ଏ କନ୍ୟାକୁ ଗୋଟିଏ ବୃଦ୍ଧା ନାରୀବେଶରେ ସଜାଇ ଦେବି । ତୁମେ ଶୀଘ୍ର ଏଠୁ ଚାଲିଯିବ । ଓଡ଼ିଶାର ସୀମା ଏଇଠୁ ଶେଷ ହୋଇଛି ସିନା ଓଡ଼ିଶାର ଡଗରମାନେ ଏଇଠି ପଇଁତରା ମାରୁଛନ୍ତି । ସେମାନେ ତୁମ ସହିତ ଏ କନ୍ୟାକୁ ଦେଖିଲେ ସନ୍ଦେହରେ ତୁମକୁ ଧରି ନେବେ । ଏଇ ରୂପବତୀ କନ୍ୟାକୁ ବୃଦ୍ଧା ନାରୀ ରୂପେ ସଜାଇ ଦେଲେ ବି ସେ ବୃଦ୍ଧା ପରି ଦେଖାଯିବ ନାହିଁ ।’’

 

ଦିଗମ୍ୱର କହିଲା ‘‘ତଥାପି ତାକୁ ଆପଣ ସଜାଇ ଦେବେ । ତେଣିକି ଯାହା ହେବ ଦେଖାଯିବ । ସୁନ୍ଦରୀ ରାଜକନ୍ୟାର ଚିତ୍ରପଟରେ ମନ୍ତ୍ରୀ ପୁଅର କାଦୁଅ ବୋଳା କଥା ମନେଥିବ । ରାଜପୁତ୍ର କାଳେ ସେଇ ଚିତ୍ରପଟର କନ୍ୟାକୁ ବିବାହ କରିବାକୁ ଯିଦ୍‌ କରିବ ଏଇ ଆଶଙ୍କାରେ ମନ୍ତ୍ରୀପୁଅ ପୁଷ୍କରିଣୀ କୂଳର ରାଜକନ୍ୟାଙ୍କ ଚିତ୍ରପଟରେ କାଦୁଅ ବୋଳି ଦେଇ ଯାଇଥିଲା । ରାଜପୁତ୍ର ସ୍ନାନ କରିବାକୁ ଆସି ପାଣି ଛାଟି କାଦୁଅକୁ ଧୋଇ ଦେଇ ଯିଦ୍‌ ଧରିଲା ସେଇ ଅନିନ୍ଦ୍ୟ ସୁନ୍ଦରୀକୁ ବିବାହ କରିବାକୁ । ଜାଣନ୍ତି ତ ?’’ ବ୍ରାହ୍ମଣ ଗୋସେଇଁ ହସି ଉଠିଲେ । ନିଜର ବୟସ୍କ ଚକ୍ଷୁ ଖୋଲି ସେ କେତେ କଥା କହିଗଲେ । କଲିକତାଠୁ ଦୂରରେ ରହିଲେ ବିପଦର ମାତ୍ରା କମ୍‌ ବୋଲି ସେ ଦିଗମ୍ୱରକୁ ଉପଦେଶ ଦେଇଥିଲେ । ତା ପରଦିନ ପୁଣି ସେମାନେ ଅନୁକୂଳ କରି ବାହାରିଗଲେ ।

 

ଗାଁ ଭୂଇଁ ସରିଗଲା । ସରୁ ରାସ୍ତାଟି ଲମ୍ୱି ଯାଇଛି ବନ ଭୂମି ଆଡ଼େ । ଏଇ ନିଘଞ୍ଚ ବନଭୂମି ଅତିକ୍ରମ କଲେ ପୁଣି ଜନବସତିର ସନ୍ଧାନ ମିଳିଯିବ । ଅଙ୍କା ବଙ୍କା ପଥ ଦେଇ ବନଭୂମି ଅତିକ୍ରମ କରିବାକୁ ହେବ । ହିଂସ୍ର ପଶୁଙ୍କ ଭୟ ସହିତ ଡାକୁମାନଙ୍କ ଭୟ । ମନେମନେ ଜଗନ୍ନାଥଙ୍କୁ ସ୍ମରଣ କରି ଆଉ କେତେଜଣ ପଥିକଙ୍କ ସହିତ ଏମାନେ ବନ ପଥରେ ପାଦ ଦେଲେ-। ବହୁ ସର୍ପିଳ ପଥ, କଣ୍ଟକାକୀର୍ଣ୍ଣ । ଚାଲିବାରେ ଅଜସ୍ର ପୀଡ଼ା ହେଉଛି । ତଥାପି ପଥ ମଧ୍ୟରେ ଶାନ୍ତି ଝରଣା କୂଳରେ ବିଶ୍ରାମ ନେଇ ସେମାନେ ସନ୍ଧ୍ୟା ପୂର୍ବରୁ ଅନେକ ଦୂର ଚାଲି ଯାଇଥିଲେ-। ବନଭୂମି ପାତଳ ହୋଇ ଆସିଥିଲା । ଛୋଟ ପାହାଡ଼ଟିର ଅନତୀ ଦୂରରେ ସେମାନଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ମନ୍ଦିର ବେଢ଼ା । ମନ୍ଦିର ବେଢ଼ା ଭିତରେ ଏକ ବିରାଟ ପୁଷ୍କରିଣୀ । କାଳ ବିଳମ୍ୱ ନକରି ସେମାନେ ସେଇ ଦିଗକୁ ଆଗେଇଲେ ।

 

ମନ୍ଦିର ବେଢ଼ାଟି ଥିଲା ଅତି ମନୋରମ । କରବୀର, ଟଗର ଓ କନିଅର ଗଛର ଛୋଟ ଜଙ୍ଗଳଟିଏ କଜଳପାତି ଓ କୁମ୍ଭାଟୁଆଙ୍କ ଦ୍ୱାରା ଶୋଭିତ ହେଉଥିଲା । ବେଢ଼ା କରରେ ଥିଲା ଧାଡ଼ି ଧାଡ଼ି ଅତିଥି ନିଳୟ । ଚଲାପଥର ନିକଟରେ ଥିବାରୁ ଜଙ୍ଗଲ ଅତିକ୍ରମ କରି ଆସିଥିବା ବାଟୋଇମାନେ ସାଧାରଣତ ଏଇଠି ବିଶ୍ରାମ ନିଅନ୍ତି । ଏଇଠୁ ଅଳ୍ପ ଦୂରରେ ଜନ ବସତି ଅଛି । ଯଦି କେହି ଗାଁରେ ରହିବାକୁ ଇଚ୍ଛା କରେ ସେ ଗାଁ ଚଉପାଢ଼ୀକୁ ଯାଇ ଆତିଥ୍ୟ ଲାଭ କରିଥାଏ ।

 

ବେଢ଼ାର ଠିକ୍‌ ମଧ୍ୟ ଭାଗରେ ଥିଲା ଅଘୋର ଶିବଙ୍କର ମନ୍ଦିର । କିନ୍ତୁ ଏ ମନ୍ଦିରର ଦେବତା ଅଘୋର ଶିବ ହେଲେ ମଧ୍ୟ ଏହି ମନ୍ଦିରକୁ ସାଧାରଣ ଲୋକେ ‘‘ଯମଧର୍ମ’’ ମନ୍ଦିର ବୋଲି କହୁଥିଲେ । ଅଘୋର ଶିବଙ୍କର ନଟ ମନ୍ଦିରର ଦ୍ୱାର ଦେଶରେ ଯମ ଓ ଧର୍ମଙ୍କର ଦୁଇଟି ପ୍ରତିମୂର୍ତ୍ତି ଥିଲା । ସନ୍ଧ୍ୟା ହୋଇ ଆସୁଥିଲା । ଏମାନେ ପୁଷ୍କରିଣୀରେ ସ୍ନାନ କରି ଦିଅଁ ଦର୍ଶନ କରିବାକୁ ଗଲେ-। ପୂଝାରୀ ଶୀଘ୍ର ଶୀଘ୍ର ପୂଜା ଶେଷ କରୁଥିଲେ । ସନ୍ଧ୍ୟା ପୂର୍ବରୁ ପୂଜା ଶେଷ କରି ସେ ଗ୍ରାମକୁ ବାହାରି ଯାଆନ୍ତି । ସେମାନେ ପୂଜକଙ୍କୁ ପ୍ରଣାମ କଲେ । ତାଙ୍କୁ ଆଶୀର୍ବାଦ କରି ପୂଜକ ତାଙ୍କ ଭାଷାରେ କହିଲେ ‘‘ଏଠି ରହିବ ନାଁ ଗାଁକୁ ଚାଲିଯିବ ।’’ ଏଇ ଭାଷା ବୁଝିବାରେ ଦିଗମ୍ୱରକୁ ଅସୁବିଧା ହେଉ ନଥିଲା । ଦିଗମ୍ୱର କହିଲା ‘‘ନା, ଆଉ କୁଆଡ଼େ ଯାଇ ପାରିବୁ ନାହିଁ । ବଡ଼ କ୍ଳାନ୍ତ ଲାଗୁଛି । କିଛି ପ୍ରସାଦ ମିଳିଲେ ପ୍ରାଣଟା ରକ୍ଷା ହୋଇ ଯାଆନ୍ତା ।’’ ପୂଜକ ତାଙ୍କୁ କିଛି ପ୍ରସାଦ ଦେଇ କହିଲେ ‘‘ତୁମ ପତ୍ନୀ ଏଠି ରାତିରେ ଡରିବେ ନାହିଁ ତ ।’’ ଦିଗମ୍ୱର ମୁଣ୍ଡ ହଲାଇ ମନା କଲା-। ପୂଜକ ଗୃହକୁ ପ୍ରତ୍ୟାବର୍ତ୍ତନ କଲା ।

 

ତାପରେ ଦିଗମ୍ୱର କହିଲା ‘‘ଶ୍ୟାମଳୀ, ତୁମକୁ ନିଜର ସ୍ତ୍ରୀ ବୋଲି ତ ପରିଚୟ ଦେଇ ହେଉନି । ଏ ଘୋର ବିପତ୍ତିରେ ତୁମକୁ କେମିତି ଯେ ବଞ୍ଚାଇବି ଜାଣି ପାରୁନାହିଁ । ତମେ ରାଜି ହେଲେ ଏ ଗାଁ ଭୂଇଁରେ କୌଣସି ବ୍ରାହ୍ମଣଙ୍କୁ ତୁମକୁ ସମର୍ପଣ କରନ୍ତି ।’’ ଶ୍ୟାମଳୀ ଭୟରେ ତାକୁ ଜାବୁଡ଼ି ଧରିଲା । କିଛି କ୍ଷଣ ପୂର୍ବରୁ ବ୍ରାହ୍ମଣ କହିଥିବା ବଙ୍ଗଳା ଭାଷା ବୁଝିବା ତା ପକ୍ଷରେ ଟିକିଏ କଷ୍ଟ ଥିଲା । ଅଚିହ୍ନା ଏ ଗା ଭୂଇଁ । ତାକୁ କଣ ଏଇଥିପାଇଁ ଆଣିଥିଲେ ଦିଗମ୍ୱର । ସେ କହିଲା ‘‘ଏଇ କଣ ତମର ଇଚ୍ଛା । ଏଇ କଣ ତମର ତ୍ୟାଗ । ଏକ ଅପରିଚିତ ସ୍ଥାନରେ, କୌଣସି ଅପରିଚିତ ଲୋକକୁ ମତେ କ୍ରୀତଦାସୀ କରିବାକୁ ଅର୍ପଣ କରିବ ବୋଲି ଭାବିଛ । ମୁଁ ଯଦି ତମର ନିହାତି ଅଯୋଗ୍ୟ... ।’’ କାନ୍ଦି ଉଠିଲା ଶ୍ୟାମଳୀ । ଦିଗମ୍ୱର ବିସ୍ମିତ ଓ ଆହତ ହୋଇ ସ୍ୱୟଂ ମନ୍ତ୍ରପାଟ ପୂର୍ବକୁ ଦେବତାଙ୍କ ସମ୍ମୁଖରେ ହସ୍ତଗନ୍ଥୀ ବନ୍ଧନ କଲେ । ଅଘୋର ଶିବଙ୍କର ସେଇ ନଟ ମନ୍ଦିରରେ ଦୁଇଟି ଅଘୋରୀଙ୍କର ଘର ସଂସାରର ଶୁଭଦାନ କରାହେଲା ।

 

ରାତ୍ରିର ଶେଷ ପ୍ରହରରେ ଶ୍ୟାମଳୀ ପଚାରିଲା । ‘‘ଆମେ କଣ ଆଉ ଘରକୁ କେବେ ଫେରିବା ନାହିଁ ।’’ ଦିଗମ୍ୱର କହିଲା ‘‘ବର୍ତ୍ତମାନ ପାଇଁ ସେ ପଥ ରୁଦ୍ଧ । ରାଜା ମରିଗଲେ ହୁଏତ ସେ ଚେଷ୍ଟା କରାଯାଇ ପାରେ । ଗଡ଼ଜାତରେ ଇଂରେଜ ରାଜତ୍ୱ ହେଲେ ଭଲ ହୁଅନ୍ତା ।’’ ଗୋଟାଏ ଦୁଶ୍ଚିନ୍ତାରୁ ସେମାନେ ମୁକ୍ତ ହୋଇଥିଲେ । ଗଭୀର ନିଦ୍ରା ଘୋଟି ଯାଇଥିଲା ସେମାନଙ୍କୁ ।

 

ପ୍ରଭାତର ଶାନ୍ତ ଲଗ୍ନରେ ମନ୍ଦିରରେ ଘଣ୍ଟାଧ୍ୱନି ଶୁଣି ସେମାନେ ଉଠି ପଡ଼ିଲେ । ମନୋଜ୍ଞ ସେ ପରିବେଶ । ସ୍ନାନ ମାର୍ଜନ ପରେ ଶିବ ଦର୍ଶନ । ଆରାଧନା କରି ଦିଗମ୍ୱର ପ୍ରାଣରେ ଶାନ୍ତି ଅନୁଭବ କଲା । ମନ୍ଦିରର ପୂଜକ ଦୁଇଜଣ ତାଙ୍କୁ ଭାରି ଆଦର କଲେ । ସେମାନଙ୍କର ଖାଦ୍ୟ ପେୟର ସବୁ ସୁବିଧା କରିଦେଲେ । ଶ୍ୟାମଳୀ ସେମାନଙ୍କ ଭାଷା ବୁଝିବାରେ ପୂରା ସମର୍ଥ ହେଉ ନଥାଏ । କିନ୍ତୁ ଦିଗମ୍ୱରଙ୍କୁ କୌଣସି ଅସୁବିଧା ହେଉ ନଥାଏ । ପୂଝାରୀମାନେ ଅନୁରୋଧ କଲେ ସେଠି ଆଉ କିଛିଦିନ ରହିବାକୁ । ଆଉ ସପ୍ତାହେ ଗଲେ ଶିବ ରାତ୍ରି ଉତ୍ସବ ହେବ । ଭାଗ୍ୟରେ ଥିଲେ ଅଘୋର ମନ୍ଦିରର ଶିବରାତ୍ରି ଦର୍ଶନ ମିଳେ ।

 

ମହାଶିବରାତ୍ରି ଥିଲା ସେ ସ୍ଥାନର ସର୍ବଶ୍ରେଷ୍ଠ ଉତ୍ସବର ଦିନ । ଅଘୋର ଶିବଙ୍କର ମନ୍ଦିର ଦ୍ୱାରରେ ମୁଖଶାଳା ଭିତରେ ଯମ ଓ ଧର୍ମଙ୍କର ଦୁଇଟି ପ୍ରତିମୂର୍ତ୍ତି । ଗୋଟିଏ ଭୟଙ୍କର କାଳପାଶଧାରୀ ଯମ ଓ ଅପରଟି ପ୍ରଶାନ୍ତ ବଦନ ବରଦ ହସ୍ତ ପ୍ରସାରଣକାରୀ ଧର୍ମରାଜ । ଗୋଟିଏ ଦେବତାର ଦୁଇଟି ରୂପ । ଯମ ନିଜେ ଧର୍ମରାଜ । ସେ ଧର୍ମାଧର୍ମର ନିୟାମକ । ପରମ ଦୟାରେ ସେ ପୃଥିବୀର ଧର୍ମ ପାଳନ କରନ୍ତି ଓ ପ୍ରଚଣ୍ଡ କ୍ରୋଧରେ ସେ ଅଧର୍ମର ସଂହାର କରନ୍ତି । ପ୍ରତ୍ୟେକଟି ଜୀବର ଗୁପ୍ତ ଚିତ୍ରର ଅଭିଲେଖ ତାଙ୍କରି ପାଖରେ ଥାଏ । ସମୟାନୁସାରେ ସମସ୍ତଙ୍କର ବିଚାର ସେ କରିଥାନ୍ତି ।

 

ଏଇ ମନ୍ଦିରର ମଙ୍ଗଳମୟ ଦେବତା ଅଘୋର ଶିବ ଏବଂ ଏଇଠି ଗଢ଼ି ଉଠିଥିବା ସମ୍ପ୍ରଦାୟର ନାମ ଅଘୋରୀ ସମ୍ପ୍ରଦାୟ । ଭାରତରେ ବହୁ ରହସ୍ୟଜନକ ଅଗଣିତ ସମ୍ପ୍ରଦାୟ ପରି ଏ ମଧ୍ୟ ଗୋଟିଏ ସମ୍ପ୍ରଦାୟ । ଏହି ସମ୍ପ୍ରଦାୟର ନିୟମ କାନୁନ ମଧ୍ୟ ଅତି ଅଦ୍ଭୁତ । ଏମାନଙ୍କର ମୂଳ ଲକ୍ଷ୍ୟ ହେଲା ‘‘ନିର୍ବିକାର’’ ହେବା । ପ୍ରତିବର୍ଷ ମହାଶିବରାତ୍ରି ଉତ୍ସବ ଏଠି ମହାସମାରୋହରେ ପାଳନ ହୁଏ । ସାଧାରଣ ଲୋକଙ୍କ ବ୍ୟତୀତ ଅଘୋରମାନଙ୍କର ଏଥିରେ ଥାଏ ସ୍ୱାତନ୍ତ୍ର୍ୟ । ଅଘୋର ମାନେ ପ୍ରାଧାନତଃ ଏହାକୁ ପାଳନ କରିଥାନ୍ତି । କାଉଁରୀ ପୀଠରୁ ଆସନ୍ତି ଭୈରବ ଭୈରବୀ ଗଣ, ହିମାଳୟରୁ ଆସନ୍ତି ଶିବଗଣ, ପ୍ରତିବର୍ଷ ଏମାନଙ୍କର ନିର୍ବିକାରତ୍ୱର ପରୀକ୍ଷା ହୁଏ । ଯମ ଓ ଧର୍ମ ଦୁହେଁ ହୁଅନ୍ତି ସାକ୍ଷୀ । ତାଙ୍କରି ଆଗରେ ପରୀକ୍ଷା ଦେଇ ତିନିଟି ରାତ୍ରି ଉଦ୍‌ଯାପନ କରିଥାନ୍ତି ଅଘୋର ମାନେ । ନିତିଦିନ ପରି ମନ୍ଦିର ବେଢ଼ାରେ କାହାରିକୁ ରହିବାକୁ ଦିଆଯାଏ ନାହିଁ । ତାଦ୍ୱାରା ଶିବଙ୍କର ଯାତାୟତରେ ବାଧା ସୃଷ୍ଟି ହୁଏ ଓ ଶିବ ରାଗିଯାଇ ଅଭିଶାପ ଦିଅନ୍ତି । ଏହାହିଁ ହେଉଛି ଅଘୋରମାନଙ୍କ ଧାରଣା ଓ ପ୍ରଚାର ।

 

ଯେ କୌଣସି ଲୋକ ଏହି ଅଘୋର ପନ୍ଥାର ସଭ୍ୟ ହୋଇ ପାରିବେ । ପୂର୍ବେ ଏସବୁକୁ ଏକ ନିଷିଦ୍ଧ ସମ୍ପ୍ରଦାୟ କରି ସ୍ୱଳ୍ପ ସଂଖ୍ୟକଙ୍କ ଭିତରେ ଆବଦ୍ଧ କରି ରଖା ଯାଇଥିଲା । କିନ୍ତୁ ବର୍ତ୍ତମାନ ତାକୁ ଏଥିରୁ ମୁକ୍ତ କରି ଦିଆଯାଇଛି । ସଭ୍ୟ ସଂଖ୍ୟାଯାଏ ବଢ଼ିବାରେ ଆପତ୍ତି ନାହିଁ । କିନ୍ତୁ ପୁରୁଣା ସଭ୍ୟ ଓ ନୂଆ ସଭ୍ୟଙ୍କ ଭିତରେ କେତେକ ପାର୍ଥକ୍ୟ ରଖାଯାଇଛି । ଶିବରାତ୍ରି ପୂଜାରେ ରାତ୍ରି ପୂଜାରେ ନୂଆଙ୍କର ପ୍ରବେଶ ନାହିଁ । ନୂଆ ପୁରୁଣା ହେବାଯାଏ ଅପେକ୍ଷା କରିବାକୁ ହେବ । ପୁରୁଣାଙ୍କ ମଧ୍ୟରେ ଅଧିକାଂଶ କେବଳ ସମ୍ଭ୍ରାନ୍ତ ବଂଶୀୟ । ଅବଶ୍ୟ ଏମାନଙ୍କ ବ୍ୟତୀତ ଅଧିଆ ପଡ଼ିବାକୁ ଆସୁଥିବା ଦଶଜଣ ନାରୀଙ୍କୁ ମାତ୍ର ଏହି ଉପାସନା ପାଇଁ ଅନୁମତି ମିଳିଥାଏ ।

 

ଏହି ଦେବତା ପ୍ରତ୍ୟକ୍ଷ ଦେବତା । ଯେଉଁମାନେ ଏହାଙ୍କର ଉପାସନା କରି ଆସିଛନ୍ତି ସେମାନେ ଫଳ ପ୍ରାପ୍ତ ହୋଇଥିବା ପ୍ରତ୍ୟକ୍ଷ କଥା । ତେଣୁ ଉପାସିକାଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିଥାଏ-। ଏହି ମନ୍ଦିରର ଠିକ୍‌ ତଳେ ଅଛି ଏକ ବିରାଟ ଭୂଗର୍ଭ କୋଠରୀ । ସେହି କୋଠରୀକୁ ବେଷ୍ଟନ କରି ରହିଛି ଦଶଟି ଛୋଟ ଛୋଟ କୋଠରୀ । ଏହି ଭୂଗର୍ଭ କୋଠରୀଠାରୁ ଗୋଟିଏ ସିଡ଼ି ଅଛି ନଟ ମନ୍ଦିର ଦେହକୁ । ଠିକ୍‌ ବୃଷଭଙ୍କ ଖୁଣ୍ଟ ପଛଆଡ଼େ ଅଛି ତାର ଗୁପ୍ତଦ୍ୱାର । କେବଳ ଶିବରାତ୍ରିଦିନ ଶିବ ସେଇବାଟେ ନଟ ମନ୍ଦିର ମଧ୍ୟକୁ ଆସିଥାନ୍ତି । ଭୂ-ଗର୍ଭର ସେଇ ଦଶଟି କୋଠରୀ ମଧ୍ୟରେ ସନ୍ତାନ ପ୍ରାର୍ଥନୀ ନାରୀମାନେ ଶିବରାତ୍ରି ଦୁଇଦିନ ପୂର୍ବରୁ ଅଧିଆ ପଡ଼ିଥାନ୍ତି । କାହାକୁ କାହାକୁ ଶିବ ନିଜେ ଦର୍ଶନ ଦିଅନ୍ତି ଓ ମନସ୍କାମନା ପୂର୍ଣ୍ଣ କରନ୍ତି । ତା’ପର ବର୍ଷ ସେ ସନ୍ତାନଟି ଧରି ଭୋଗ ରାଗ କରିବାକୁ ଆସେ । କିନ୍ତୁ ତାକୁ ଆଉ ଶିବରାତ୍ରିର ରାତ୍ରି ଉପାସନାର ସୁଯୋଗ ଦିଆଯାଏ ନାହିଁ । କେବଳ ନ ପାଇଥିବା ଭକ୍ତଙ୍କୁ ସୁଯୋଗ ମିଳେ । ଧାରଣା ଦେଇ ପଡ଼ିଥିବା ନାରୀମାନଙ୍କ ମଧ୍ୟରୁ ଯାହାକୁ ମହାଦେବଙ୍କର ଦୟା ହୁଏ ତାକୁ ମାତା ପାର୍ବତୀ ହେବାର ସୁଯାଗ ମିଳେ । ସେ ଶିବଙ୍କ କୋଳରେ ବିଜେ କରନ୍ତି । ଘଣ୍ଟା ଘଣ୍ଟା କାହାଳୀ ଓ ଭେରୀ ନାଦରେ ଚତୁର୍ଦ୍ଦିଗ କମ୍ପିଉଠେ । ମଶାଲର ଆଲୋକ ଓ ଝୁଣା ଧୂଆଁର ବହଳ ପ୍ରସ୍ତର ମଧ୍ୟରେ ବୃଷଭ ଖୁଣ୍ଟ ଭିତରୁ ଉମାଙ୍କୁ ବକ୍ଷରେ ଧାଣ କରି ଦର୍ଶନ ମହାଦେବ । ‘‘ଓଁ ନମଃ ଶିବାୟ’’ ‘‘ହରହର ଓ’’ ଇତ୍ୟାଦି ଧ୍ୱନିରେ ନଟ ମନ୍ଦିର ମୁଖରିତ ହୁଏ । ଏହିପରି ଅନେକ ବର୍ଣ୍ଣନା ଶୁଣି ଶିବରାତ୍ରି ଉତ୍ସବ ଦେଖି ନୟନ ସାର୍ଥକ କରିବାକୁ ଦିଗମ୍ୱର ଓ ଶ୍ୟାମଳୀ ଆଗ୍ରହୀ ହୋଇ ପଡ଼ିଲେ । ଶ୍ୟାମଳୀ ସଭ୍ୟ ହେବାକୁ ଆଗ୍ରହ ପ୍ରକାଶ କରିଥିବାରୁ ପୂଜକ ତାକୁ ଖୁବ୍‌ ତାରିଫ୍‌ କରିଥିଲା ।

 

Unknown

ଏଇ ସମ୍ପ୍ରଦାୟର ମୁଖ୍ୟ ଦର୍ଶନ ‘‘ନିର୍ବିକାର’’ ହେବା, ‘‘ନିର୍ଲିପ୍ତ’’ ହେବା । ଏହାହିଁ ସମସ୍ତ ବେଦାନ୍ତ ଦର୍ଶନର ସାର କଥା । ହିନ୍ଦୁ ଧର୍ମଶାସ୍ତ୍ରର ପ୍ରାଣ କେନ୍ଦ୍ର । ଏହାକୁ ହିଁ ପ୍ରକୃତରେ ଶିକ୍ଷା କରି ପାରିଲେ ଜୀବନ ଜ୍ୱାଳାକୁ ପରିତ୍ରାଣ ମିଳେ । ଏହି ସମ୍ପ୍ରଦାୟର ପ୍ରତିଷ୍ଠାତା କେଉଁ ସ୍ମରଣାତୀତ ଅତୀତକାଳରେ ଏକଥା ପ୍ରଚାର କରିଥିଲେ, ପ୍ରାଣୀର ଦୁଃଖ ମୋଚନ ପାଇଁ । ସମ୍ପ୍ରଦାୟଟି ସେଇଦିନୁ ବହୁ ସୁଖ, ଦୁଃଖ ଆଲୋଚନା ଓ ସମାଲୋଚନା ଭିତରେ ସନାତନ ଦର୍ଶନବାଦର ଏ ମୂଳମନ୍ତ୍ରକୁ ପ୍ରାଣୀର ମଙ୍ଗଳ ପାଇଁ ପ୍ରଚାର କରି ଆସୁଛି । କିନ୍ତୁ ବିପକ୍ଷବାଦୀଙ୍କର କ୍ରୁରତାକୁ ପ୍ରଶ୍ରୟ ନ ଦେବା ପାଇଁ ସଭ୍ୟ ସଂଖ୍ୟାକୁ ସର୍ବଦା ନିୟନ୍ତ୍ରିତ କରି ରଖା ଯାଇଛି । ଅଘୋର ବାବା ଥିଲେ ଏହାର ପ୍ରତିଷ୍ଠାତା । ବର୍ତ୍ତମାନ ତାଙ୍କର ନବମ ପୁରୁଷ କାମାକ୍ଷା ପୀଠରେ ସାଧନାରତ । ଥରେ ଥରେ ଶିବରାତ୍ରି ଦିନ ତାଙ୍କର ଆବିର୍ଭାବ ମଧ୍ୟ ହୋଇଥାଏ । ଭକ୍ତଗଣ ତାଙ୍କର ଦର୍ଶନ ପାଇଁ, ଶିବ ଦର୍ଶନ ପାଇଁ ଓ ଭୈରବ ଭୈରବୀଙ୍କ ଦର୍ଶନ ପାଇଁ ଦୂରା ଦୂରାନ୍ତରୁ ଆସିଥାନ୍ତି । ସଭ୍ୟମାନଙ୍କ ବ୍ୟତୀତ ଅନ୍ୟମାନେ ରାତ୍ରି ପୂର୍ବରୁ ମନ୍ଦିର ବେଢ଼ା ତ୍ୟାଗ କରିଥାନ୍ତି । ନଚେତ୍‌ ଯମଧର୍ମଙ୍କ ଦ୍ୱାରା ସେମାନେ ଅଭିଶପ୍ତ ହେବେ ବୋଲି ସେମାନଙ୍କ ଧାରଣା ଦିଆ ଯାଇଥାଏ । ସଭ୍ୟମାନେ ଅଘୋର ଶିବଙ୍କୁ ଛୁଇଁ ଯମଧର୍ମଙ୍କୁ ସାକ୍ଷୀ ରଖି ଶପଥ କରିଥାନ୍ତି “ଏ ଧର୍ମର ସବୁ ନୀତି ମାନିବୁ । ଗୂଢ଼ ତଥ୍ୟକୁ ପ୍ରକାଶ କରିବୁ ନାହିଁ ।’’ ଅଘୋରମାନେ ଅତ୍ୟନ୍ତ ନୈଷ୍ଠିକ । ପ୍ରାଣଗଲେ ମଧ୍ୟ ସମ୍ପ୍ରଦାୟ ନିୟମ ବହିର୍ଭୁତ କାର୍ଯ୍ୟ କରନ୍ତି ନାହିଁ କି କୌଣସି କଥା ପ୍ରକାଶ କରନ୍ତି ନାହିଁ ।

 

ପୂଝାରୀମାନେ ଦିଗମ୍ୱର ଓ ଶ୍ୟାମଳୀକୁ ଅତି ଆପଣାର କରି ସାରିଛନ୍ତି । ଗ୍ରାମର ଜମିଦାନ ପୁତୟ ଦେବେନ୍ଦ୍ର ଏବେ ସଭ୍ୟ ତାଲିକାଭୁକ୍ତ ହୋଇଛି ପ୍ରାୟ ଦୁଇବର୍ଷ ହେବ । ସେ ମଧ୍ୟ ଏମାନଙ୍କର ଖୁବ୍‌ ଯତ୍ନ ନେଉଛି । ଦିଗମ୍ୱରକୁ ସଭ୍ୟ କରିବା ପାଇଁ ଏମାନଙ୍କର ଇଚ୍ଛା ହେଲେ ମଧ୍ୟ ଦିଗମ୍ୱର ଆଗ୍ରହ ପ୍ରକାଶ କରି ପାରୁ ନାହିଁ । ସେ ଜଣେ ବାସ୍ତୁହରା ମାତ୍ର ।

 

ଶିବରାତ୍ରିର ଠିକ୍‌ ପୂର୍ବଦିନ ଅଘୋର ମନ୍ଦିରକୁ ଆସିଲେ ଅନେକ ଭକ୍ତ । ପୁତ୍ର ହୋଇଛି, କନ୍ୟା ହୋଇଛି । ଶିବଙ୍କର ଅପାର କରୁଣାରୁ କେହି ବିଫଳ ହୋଇ ନାହାନ୍ତି । ଯେଉଁମାନେ ଅଧିଆ ପଡ଼ିବାକୁ ଆସନ୍ତି ସେମାନଙ୍କ କଥା ପୂଝାରୀ ଜଣାଣ କରେ । ପୂଝାରୀ ସ୍ୱପ୍ନାଦେଶ ପାଇଁ ସେମାନଙ୍କୁ ଜଣାଯାଏ । ଯାହାକୁ ଆଦେଶ ହୁଏ ସେ ଅଧିଆ ପଡ଼େ ଓ ଯାହାକୁ ଆଦେଶ ମିଳେ ନାହିଁ ସେ ଫେରି ଯିବାକୁ ବାଧ୍ୟ ହୁଏ । ଆଦେଶ ମିଳିଥିବା ନାରୀମାନେ ଦୁଇଦିନ ପୂର୍ବରୁ ଭୂଗର୍ଭ କୋଠରୀମାନଙ୍କରେ ଧାରଣା ଦିଅନ୍ତି । ଶିବରାତ୍ରି ଦିନ ସେମାନଙ୍କର ଶିବଦର୍ଶନ ହେଲେ ଭଲ କଥା-। ନ ହେଲେ ଅନ୍ୟ ଦୁଇଟି ଦିନ ମଧ୍ୟ ଅପେକ୍ଷା କରନ୍ତି । ଯେଉଁଦିନ ମିଳେ ସେଦିନ ତାଙ୍କ କାମ ଶେଷ ହୋଇଯାଏ ଓ ସେମାନଙ୍କୁ ଫେରିବାକୁ ଅନୁମତି ମିଳିଯାଏ ।

 

ଯେଉଁମାନେ ପୁତ୍ରବତୀ ହୋଇ ଆସିଥାନ୍ତି ଶ୍ୟାମଳୀ ତାଙ୍କ ସହିତ ଖଣ୍ଡ ଖଣ୍ଡିଆ ବଙ୍ଗଳାରେ କଥାବାର୍ତ୍ତା କରିବାକୁ ଲାଗିଲା । ସେ କେମିତି ଶିବ ଦର୍ଶନ କଲା । କେମିତି ତାକୁ ସନ୍ତାନ ପାଇବାକୁ ଆଶୀଷ ମିଳିଲା ଇତ୍ୟାଦି ଯେତେଥର ପଚାରେ କେବଳ ଗୋଟିଏ ଉତ୍ତର ମିଳେ ‘‘ନିଜ ଅନୁଭୂତିରୁ ଜାଣିବ । କେହି କାହା ଆଗରେ ସ୍ୱ ଅନୁଭୂତି କହିବାକୁ ମନା । କହିଲେ ଧର୍ମହାନି ଘଟିବ । ଯମଧର୍ମଙ୍କ ଆଗରେ ଶପଥ କରିଛୁ । ଦଣ୍ଡ ଭୋଗିବାକୁ ପଡ଼ିବ । ଅଘୋର ଅଭିଶାପ ଦେବେ ।’’

 

ଅଧିଆ ପଡ଼ିବାକୁ ନାରୀମାନେ ଆସିଲେ । ପୂଜକ ସ୍ୱପ୍ନାଦେଶ ବଳରେ କେବଳ ଦଶଜଣଙ୍କୁ ନିର୍ବାଚନ କରି ଅନ୍ୟମାନଙ୍କୁ ଫେରାଇ ଦେଲେ । ବିଚରାମାନେ ନିରାଶ ହୋଇ ଫେରି ଗଲେ । କିନ୍ତୁ ଦିଗମ୍ୱର ଶ୍ୟାମଳୀ କି କାହାରିକୁ ଏଗୁଡ଼ା ଭଲ ଲାଗିଲା ନାହିଁ । ଧର୍ମଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ । କିନ୍ତୁ ଅଘୋରଙ୍କ ବିଷୟରେ ସମାଲୋଚନା ଭୟାବହ ।

 

ସେଇ ଉତ୍ସବମୟ ଶିବରାତ୍ରି ଦିବସ । ମନ୍ଦିର ବେଢ଼ାରେ ସମବେତ ଜନତା । ଶ୍ୟାମଳୀ ଓ ଦିଗମ୍ୱର ଜନସମାଗମ ଦେଖି ଖୁସି ହେଉଥିଲେ । କିନ୍ତୁ ରାତ୍ରିର ପ୍ରଥମ ପ୍ରହର ନ ହେଉଣୁ ମନ୍ଦିରର ନିୟମ ହେତୁ ଭକ୍ତଗଣଙ୍କୁ ଫେରିବାକୁ ହେଲା । ରାତ୍ରି ହେଲେ ଶିବ ଶ୍ମଶାନକୁ ଯିବେ । ରାତ୍ରି ଉପାସନା ବନ୍ଦ । କେବଳ ରହିଲେ ଅଘୋର ଗଣ । ପୂଜକ ଓ ଦେବେନ୍ଦ୍ର ଦିଗମ୍ୱର ଓ ଶ୍ୟାମଳୀଙ୍କର ଅନେକ ଯତ୍ନ କରୁଥାନ୍ତି । ପୂଜକ କହିଲା ଦିଗମ୍ୱରକୁ ନଟ ମନ୍ଦିରର ଉତ୍ତର ପାଖ କୋଣକୁ ଠିଆ ହେବ । ନ ହେଲେ ଏ ଭୈରବଙ୍କ ଉତ୍ପାତ ସମ୍ଭାଳି ପାରିବ ନାହିଁ ।’’

 

ଗୋଟିଏ ବିରାଟ ପଥର ଚଟାଣ ପରିଷ୍କାର କରାଯାଇ ଭାଙ୍ଗ ସହିତ ଗଞ୍ଜାଇ କଲି ବଟାଗଲା । ଛେନା ଓ କଦଳୀ ପଡ଼ି ଦୁଇକୁଣ୍ଡ ପଣା ତିଆରି ହେଲା । ଗୋଟାଏ ବଡ଼ ମାଠିଆରେ ଆସିଲା ହାଣ୍ଡିଆ । ଦିଗମ୍ୱର ଓ ଶ୍ୟାମଳୀଙ୍କୁ ଦେବେନ୍ଦ୍ର ନିଜ ଲୋକ ମନେ କରି ଅଘୋର ସମ୍ପ୍ରଦାୟ ପରି ବ୍ୟବହାର କରୁଥିଲେ । ସେମାନଙ୍କୁ କିଛି ନିଷିଦ୍ଧ ନଥିଲା ଓ କିଛି ଗୋପନୀୟ ନଥିଲା । ଶିବଙ୍କ ମନ୍ଦିର ବେଢ଼ାରେ ଥିବା ଶକ୍ତିମୟର ମା ଦୁର୍ଗାଙ୍କ ମନ୍ଦିର ନିକଟରେ ଚାରି ପାଞ୍ଚଟି ଖାସିର ମାଂସ ରନ୍ଧା ହୋଇ ରଖା ଯାଇଥିଲା । ନିର୍ଦ୍ଦିଷ୍ଟ ସମୟରେ ଶକ୍ତିଙ୍କ ମନ୍ଦିରରେ ପାନ ଭୋଜନ ଆରମ୍ଭ ହେଲା । କେହି କିଛି ବାରଣ କରିବେ ନାହିଁ । କହାରିକୁ କିଛି ମନା ନାହିଁ । ଯାହା ଖାଇଯିବ ଯାହା ପିଇଯିବ ମନା ନାହିଁ । ସବୁ ମୁକ୍ତ, ସମସ୍ତେ ସମାନ । ସମସ୍ତ ନିର୍ବିକାର । ଜୀବନରେ ପ୍ରତିବର୍ଷ ଏଇ ଗୋଟିଏ ପରୀକ୍ଷା ।

 

ଭାଙ୍ଗ ଓ ମଦର ଉତ୍ତେଜନା କ୍ରମେ ବଢ଼ି ଆସୁଥାଏ । ସେଇ ତାମସୀ ରଜନୀର ନିଶିଥରେ ମନ୍ଦିର ମଧ୍ୟରୁ ଘଣ୍ଟ ଘଣ୍ଟା କାହାଳୀ ଓ ଭେରିନାଦ ହେଲା । ଶକ୍ତି ମନ୍ଦିରରେ ଯେ ପ୍ରସାଦ ପାଉଥିଲେ ଯିଏ ବା ପାଇ ସାରିଥିଲେ ସମସ୍ତେ ଧାଇଁଲେ ମନ୍ଦିର ଆଡ଼କୁ ଶିବଙ୍କର ଆବିର୍ଭାବ ସମୟ ହୋଇଚି ।

 

ସମଗ୍ର ନଟ ମନ୍ଦିରଟି ଝୁଣା ଧୂଆଁର ବହଳ ଆସ୍ତରଣରେ ଅସ୍ପଷ୍ଟ ଦିଶୁଛି । ମଶାଲର ଆଲୋକ ଦୀପ ଦୀପଜଳି ଉଠୁଛି । ପାର୍ବତୀଙ୍କୁ ଦେହାର୍ଦ୍ଧରେ ଧାରଣ କରି ବୃକ୍ଷଭ ଖମ୍ୱ ମଧ୍ୟରୁ ଶିବଙ୍କର ଆବିର୍ଭାବ ହେଲା । ବିକଚ ପଦ୍ମଲୋଚନ ଦେବତା ପରମ କାରୁଣିକ ଭକ୍ତ ଚିତ୍ତାନନ୍ଦ ଦାନକାରୀ । ଭକ୍ତ ପାଇଁ ଆବିର୍ଭାବ ହେଲେ । ସମସ୍ତଙ୍କ ମସ୍ତକ ଭୁଲୁଣ୍ଠିତ ହେଲା । ‘‘ଓଁ ନମଃ ଶିବାୟ’’ ‘‘ହର ହର ଓଁ’’ ଧ୍ୱନିରେ ନଟ ମନ୍ଦିର ନିନାଦିତ ହେଲା । ହୁଳହୁଳି ଓ ଘଣ୍ଟ ନାଦ ଉଛୁଳି ପଡ଼ିଲା । ସମସ୍ତଙ୍କ ଉପରେ ଦୟାର୍ଦ୍ର ଦୃଷ୍ଟି ନିପେକ୍ଷ କରି ଶିବ ପାର୍ବତୀଙ୍କ ସହିତ ମୂହୂର୍ତ୍ତକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଗଲେ । ମଶାଲ ଆଲୋକ ସବୁ ମନ୍ଦିର ବାହାରକୁ କାଢ଼ି ଦିଆଗଲା ।

 

ନଟ ମନ୍ଦିରର କୋଣରେ ଥିବା ଉଚ୍ଚସ୍ଥାନମାନଙ୍କରେ ଦୀପ ଜଳୁଥିଲା । ସେଇ ସ୍ତିମିତ ଦୀପାଲୋକରେ ଅସ୍ପଷ୍ଟ ଧୂମ, ବଳୟ ଭିତରେ ମୁହୂର୍ତ୍ତକ ମଧ୍ୟରେ ଶ୍ୱାନ ଶୃଗାଳଙ୍କ ପରି ଭୈରବ ଭୈରବୀଙ୍କଠାରୁ ଆରମ୍ଭ କରି ଶିବଗଣ ଓ ଅଘୋରଗଣ ରତି ବିଳାସରେ ଉନ୍ମତ୍ତ ହୋଇ ପଡ଼ିଲେ । ନିର୍ବିକାରତ୍ୱର ଏହାହିଁ ଚରମ ପରୀକ୍ଷା ।

 

ପୂଝାରୀର ନିର୍ଦ୍ଦେଶରେ ଯେଉଁ କୋଣରେ ଏ ଦୁହେଁ ନିର୍ଲଜଙ୍କ ପରି ଠିଆ ହୋଇଥିଲେ ସହସା ସେଠୁ ଶ୍ୟାମଳୀକୁ କେହି ଟାଣି ନେବାର ଦେଖି ଦିଗମ୍ୱର ଶ୍ୟାମଳୀ ସହିତ ଗଲା । ଶ୍ୟାମଳୀ ଦିଗମ୍ୱରକୁ ଟାଣି ଧରିଥାଏ । ବୃଷଭ ଖମ୍ୱ ମଧ୍ୟ ଭାଗର ସିଡ଼ି ଦେଇ ଶ୍ୟାମଳୀକୁ ଟାଣି ନେଉଥିଲା ଭୂଗର୍ଭ ପ୍ରକୋଷ୍ଠ ଭିତରକୁ । ଭୂଗର୍ଭର ସେଇ ପ୍ରକୋଷ୍ଠରେ ମଧ୍ୟ ଅସ୍ପଷ୍ଟ ଦୀପାଲୋକ ଜଳୁଥିଲା । ସେଠି ମଧ୍ୟ ସେଇ ଶ୍ୱାନ ଶୂକରଙ୍କ ବୀଭତ୍ସ ଲୀଳା । ଶ୍ୟାମଳୀକୁ ଟାଣି ଧରିଥିବା କେହି ଜଣେ ଧକ୍‌କା ଦେଇ କହିଲା ‘‘ହଇବେ କାହ୍ନୁ ! ତୁ କାଲି ଆଉ ଶିବ ହେବୁ ନାହିଁ । ଏଇ ଝିଅଟାକୁ ଆଠଦିନ ହେଲା ପାଲିଥିଲୁ ତାକୁ କାହିଁକି ପାର୍ବତୀ କଲୁନାହିଁ । ତାକୁ କୋଉଠି ଲୁଚେଇ ଥିଲୁ । ଦେ ଛାଡ଼ି ଦେ ।’’ ଶିବ ବେଶଧାରୀ କାହ୍ନୁ, ନିଶାରେ ଟଳିମଳ ହେଉଥିଲା । ଦେବେନ୍ଦ୍ରଠାରୁ ଧକ୍‌କା ଖାଇ ଟଳି ପଡ଼ିଲା । ତଳେ ପଡ଼ିଯାଇ ସେ ଖନେଇ କରି କହିଲା ‘‘ହଇବେ, ତୋରି ପାଇଁ କଣ ତାକୁ ଏତେ ଯତ୍ନ କରିଥିଲି ।’’ ଶୃଙ୍ଗାରକାରର ଏ ଶ୍ୱାନ ଦଳଙ୍କୁ ବଧ କରି ପାରିଲେ କ୍ଷତି କଣ । ଦିଗମ୍ୱର ଶ୍ୟାମଳୀକୁ ଟାଣି ନେଇ ପ୍ରକୋଷ୍ଠ ବାହାରକୁ ଯିବାରୁ ଉଦ୍ୟତ ହେଲା । କିନ୍ତୁ ଶ୍ୟାମଳୀ ବି ଭାଙ୍ଗ ଖାଇଛି । ଦିଗମ୍ୱର ଶ୍ୟାମଳୀକୁ ଜୋରକରି ଟାଣି ନେଉଥିଲା । ଦେବେନ୍ଦ୍ର କହିଲା ‘‘ହଇରେ କାହ୍ନୁ, ଏବର୍ଷ ଯୋଉ ଦଶଟା ଯାକ ଅଧିଆଙ୍କୁ ବାଛିଛୁ ସେ ଗୁଡ଼ା ସବୁଯାକ ଅପଦାର୍ଥ । ଭୈରବଙ୍କ ହାବୁଡ଼େ ପଡ଼ିଛନ୍ତି ।’ ଏତିକି ବେଳେ ଜଣେ ଭୈରବୀଙ୍କ ପ୍ରବଳ ଆକ୍ରମଣ ହେଲା ଦେବେନ୍ଦ୍ର ଉପରେ । ଦିଗମ୍ୱର ଶ୍ୟାମଳୀକୁ ଜୋରକରି ବାହାରକୁ ଟାଣି ଆଣିଲା । କିନ୍ତୁ ଶ୍ୟାମଳୀ ପୁଣି ସେଇ ଦିଗକୁ ଧାଇଁ ଯାଉଥିଲା । ଦିଗମ୍ୱର କଷିକରି ଚାପୁଡ଼ାଟାଏ ମାରିଲା ତାକୁ । ଭୈରବ ଭୈରବୀଙ୍କ କଥା ମନେ ପକାଇ ଦିଗମ୍ୱର ଥରି ଉଠୁଥିଲା । ସମଗ୍ର ବର୍ଷର ସଞ୍ଚିତ ଉତ୍ତଜନାକୁ ଭୈରବଗଣ ମାତ୍ର ତିନିଟି ଦିନରେ ଉଦ୍‌ଯାପନ କରନ୍ତି ।

 

ପୂଝାରୀଟା ଶ୍ୟାମଳୀକୁ କିଛି ଭାଙ୍ଗ ଖୁଆଇ ଦେଇଥିଲା । ଯଦିଓ ଦିଗମ୍ୱର ତା ନିଜର ଭାଙ୍ଗତକ ଢାଳି ଦେଇଥିଲା । ସେଇ ନିଶାର ମାହାତ୍ମ୍ୟ ଦିଗମ୍ୱର ବୁଝି ପାରୁଥିଲା । ଶ୍ୟାମଳୀ ମଧ୍ୟ କାମାତୁରା ହୋଇ ପଡ଼ିଥିଲା । ସେ ଦିନର ସେ ଭୟଙ୍କର କାଳ ରାତ୍ରି କଥା ମନେ ପଡ଼ିଲେ ସର୍ବାଙ୍ଗ ଶିହର ଉଠେ ।

 

ଅଭ୍ୟାସ ବଶତଃ ଦିଗମ୍ୱର ବ୍ରାହ୍ମ ମୁହୂର୍ତ୍ତରେ ଉଠିଥାଏ । ସ୍ନାନ ସାରିଲା । କିନ୍ତୁ ମନ୍ଦିରକୁ ଯାଇ ପୂଜା କରିବ କିପରି । ସମ୍ଭବତଃ ସମସ୍ତେ ମୁର୍ଦ୍ଦାର ପରି ପଡ଼ି ରହିଥିବେ । କିନ୍ତୁ ମନ୍ଦିର ମଧ୍ୟରୁ ଘଣ୍ଟା ଧ୍ୱନି ହେଲା । ଶୁଭିଲା ମନ୍ତ୍ରପାଠ । ଦିଗମ୍ୱର ଚମତ୍କୃତ ହୋଇ ମନ୍ଦିର ଆଡ଼କୁ ଗଲା । ମନ୍ଦିରଟି ବେଢ଼ାର ଠିକ୍‌ ମଧ୍ୟ ଭାଗରେ ଥିଲା । ତେଣୁ ଦୀର୍ଘାୟତନ ବେଢ଼ା ମଧ୍ୟରେ ଟିକିଏ ଚାଲିବାକୁ ହୁଏ । ଦିଗମ୍ୱର ନିଜ ଆଖିକୁ ବିଶ୍ୱାସ କରି ପାରିଲା ନାହିଁ । ସେଇ ଭୈରବ ଭୈରବୀଗଣ ସ୍ନାନ ସମାପ୍ତ କରି ଆରାଧନାରତ । ପୂଜକ ଦେହରୁ ସମ୍ପୂର୍ଣ୍ଣ ହୋଇ ନୀଳ ଛାଡ଼ି ନାହିଁ । ଚକ୍ଷୁର ଅରୁଣ ରାଗ ଲିଭି ନାହିଁ । କିନ୍ତୁ ସେ ନିଷ୍ଫଳ ଭାବରେ ପ୍ରଭାବିତ ଆଳତୀ ବଢ଼ାଇବାରେ ଲାଗିଛି । ନଟ ମନ୍ଦିରର ସ୍ଥାନେ ସ୍ଥାନେ ପୁରାଣ ପାଠ ମଧ୍ୟରେ ହେଉଛି । ରାତ୍ରିର ସେ ଶ୍ୱାନ ଦଳଙ୍କର କୌଣସି ଚିହ୍ନବର୍ଣ୍ଣ ନାହିଁ । ସମସ୍ତେ ତତ୍ପର ହୋଇ ଆରାଧନାରତ । ସମସ୍ତେ ସ୍ନାନ ବଢ଼ାଇ ସାରିଛନ୍ତି । କେତେକଙ୍କ ଦେହରେ ରତିଘାତ ଚିହ୍ନ ସୁସ୍ପଷ୍ଟ । କିନ୍ତୁ ଯମଧର୍ମଙ୍କ ନିକଟରେ ନିର୍ବିକାର । ନଚେତ୍‌ ରକ୍ଷା ନାହିଁ । ସବୁରି ପ୍ରାଣରେ ଭୟ ଓ ଧର୍ମପାଳନ ତୀବ୍ର ଆକାଂକ୍ଷା ।

 

ଉତ୍ସବର ଆଜି ଦ୍ୱିତୀୟ ଦିନ । ସାରାଦିନ ପୁରାଣ ପାଠ ହେଲା । ହୋମ ଯଜ୍ଞ ହେଲା । ଶୁଣାଯାଏ ପୂରାକାଳରେ ନିଜେ ଶିବ ଏ ଯଜ୍ଞରେ ପୂର୍ଣ୍ଣାହୁତି ଦେଉଥିଲେ । ବୁଢ଼ା ବୁଢ଼ୀ ଲୋକେ ଚର୍ମ ଚକ୍ଷୁରେ ଏ କଥା ଦେଖିବାରେ ପ୍ରକାଶ କରନ୍ତି ଏବେ କଳିକାଳ, ମୁଗଲ ଗୋଳ ହେଲା, ବିଧର୍ମୀ ରାଜ୍ୟ ଶାସନ କଲେ ତେଣୁ ସେ ସବୁ ଗୋପ୍ୟାନ ହୋଇଗଲା । ଆଜି ମଧ୍ୟ ନିଶାରେ ମହାକାଳ ଶିବ ଉମାକୁ ବକ୍ଷରେ ଧରି ଆବିର୍ଭାବ ହେବେ । ସ୍ୱର୍ଗରୁ ଦେବତାମାନେ ପୁଷ୍ପ ବୃଷ୍ଟି କରିବେ । ଏଇ ଛଡ଼ାଫୁଲ ଡେଉଁରିଆ ତିଆରି ପାଇଁ ଭକ୍ତମାନେ ନେଇଥାନ୍ତି । ଶ୍ୟାମଳୀ ସୁସ୍ଥ ହୋଇଥିଲେ ପଳାଇ ଯିବାର ଉଦ୍ୟମ କରିଥାନ୍ତା ଦିଗମ୍ୱର । କିନ୍ତୁ ଶ୍ୟାମଳୀ କିଛିଟା ସୁସ୍ଥ ହେଲେ ମଧ୍ୟ ଆଜିର ଉତ୍ସବ ଦେଖିବାକୁ ଯିଦ୍‌ କରୁଛି ।

 

ହୋମ ଆରମ୍ଭ ହୋଇଗଲା । ଅଧିଆ ପଡ଼ିଥିବା ନାରୀମାନେ ହୋମ ନିକଟକୁ ଆସିଲେ-। ସେମାନଙ୍କ ନିର୍ଜୀବ ଶରୀର ପ୍ରତି ଘୃଣା ଓ ଦୟା ଆସୁଥାଏ । ସେମାନଙ୍କ ପାଇଁ ପୂଜକ ସ୍ୱତନ୍ତ୍ର ପୁଷ୍ପମାଳା ଆଣି ତାଙ୍କ ବେକରେ ଲମ୍ୱାଇ ଦେଲା । ଦିଗମ୍ୱର ସେମାନଙ୍କୁ ନୀରିକ୍ଷଣ କରୁଥିଲା । କେତେକ ହୁଏତ ଦ୍ୱିଜ କନ୍ୟା ଥିବେ । ଦିଗମ୍ୱର ଭାବିଥିଲା ପବିତ୍ର ବ୍ରାହ୍ମଣକୁଳରେ ଜାରଜର ପରମ୍ପରା ନାହିଁ । ଦିଗମ୍ୱରର ଅହମିକା କରକାପରି ମିଳାଇ ଗଲା । ସବୁ ସମ୍ଭବ । ମଣିଷ ଜାତି ପକ୍ଷରେ ଭଙ୍ଗା ଗଢ଼ା ସବୁ ସମ୍ଭବ । କିନ୍ତୁ ଏଇ ପୁତ୍ରାର୍ଥିନୀମାନେ କଣ ସମସ୍ତେ ପୁତ୍ରବତୀ ହେବେ ?

 

ଦିନସାରା ପୂଜକ ଓ ଦେବେନ୍ଦ୍ର ଶ୍ୟାମଳୀର ଆରୋଗ୍ୟ ପାଇଁ ବ୍ୟସ୍ତ ହୋଇ ପଡ଼ୁଥିଲେ-। ଦିଗମ୍ୱର କ୍ରୋଧାନ୍ଧ ହୋଇ ଉଠୁଥିଲା । ଦିଗମ୍ୱର ଶ୍ୟାମଳୀକୁ କହିଲା ‘‘ପ୍ରିୟା, ଗତ ରାତ୍ରି କଥା ଚିନ୍ତା କରି ପାରୁଛ । ମୁଁ ନଥିଲେ ତୁମର ଅବସ୍ଥା କଣ ହୋଇଥାନ୍ତା । ଭୈରବଙ୍କ ଦାଉ ଓ ଅଘୋରଙ୍କ ଜୁଲୁମ ତ ଆଖିରେ ଦେଖିଲ । ଯଦି ତାଙ୍କରିହାବୁଡ଼େ ପଡ଼ିଥାନ୍ତା ?’’ ଶ୍ୟାମଳୀ ଦିଗମ୍ୱରର ପାଟିକୁ ବୁଜି ଧରି କହିଲା ‘‘ବନ୍ଦକର । ତୁମେ କଣ ଯମଧର୍ମଙ୍କ କଥା ସବୁ ଭୁଲିଗଲ । ଏ ଗୁଡ଼ା କହିଲେ ପରା ପାପ ହୁଏ । ପ୍ରଭୁ ଅଘୋର, ପ୍ରଭୁ ଯମଧର୍ମ ତମ ଦୋଷ ଖଣ୍ଡନ କରନ୍ତୁ ।’’ ଦିଗମ୍ୱରର ଇଚ୍ଛା ହେଲା ଗତ ରାତ୍ରି ପରି ପୁଣି ଚାପୁଡ଼ାଟାଏ କଷି ଦେବ । ଯେଉଁଥି ପାଇଁ ସମାଜ ଓ ଆତ୍ମିୟଙ୍କୁ ପରିତ୍ୟାଗ କରି ସେ ଅକଥନୀୟ ଦୁଃଖ ବରଣ କଲା ଏ ଉନ୍ମତ୍ତ ନାରୀ ପୁଣି ସେଇ ରାସ୍ତା ଧରିବାକୁ ବସିଛି । ଦିଗମ୍ୱର କହିଲା ‘‘ବର୍ତ୍ତମାନଯାଏ କଣ ନିଶା ଛାଡ଼ି ନାହିଁ । ଆଜି ରାତିରେ ବି ଗତ ରାତ୍ରିର ପୁନରାବୃତ୍ତି ହେବ ।’’ ଗୋଟାଏ ପକ୍‌କା ଅଘୋର ପରି ସେ କହିଲା ‘‘ହେଲେ ହେବ ।’’

 

ସେଇ ଲୀଳା ଚକ୍ଷୁରେ ଦେଖିବାକୁ କଣ ଶ୍ୟାମଳୀ ଉନ୍ନତ୍ତ ହୋଇ ପଡ଼ିଛି । ଦିଗମ୍ୱର କିଛି ସମାଧାନ କରି ପାରୁନଥିଲା । ରାତ୍ରି ପ୍ରଥମ ପ୍ରହରରେ ପୂଜକ ଯେମିତି ଭାଙ୍ଗ ଦୁଇ ଠୋଲା ଆଣି ସେ ଦୁଇ ଜଣଙ୍କୁ ଦେଲା ଶ୍ୟାମଳୀ ତୃଷିତଙ୍କ ପରି ଠୋଲାରେ ମୁହଁ ଲଗାଇ ଦେଲା । ଦିଗମ୍ୱର ନ ହସି ରହିପାରିଲା ନାହିଁ । ସେ କହିଲା ‘‘ଶ୍ୟାମଳୀ, ଏତେ ଲୋଭୀ ତମେ, ସବୁ ପିଅନା, ମୁଁ ତୁମ ପାଇଁ ଆଉ ଆଣି ଦଉଚି । ଅଭାବ ନାହିଁ । ଯେତେ ପିଇ ପାରିବ ।’’ ସେ ସାଙ୍ଗେ ସାଙ୍ଗେ ଦଉଡ଼ି ଗଲା । ଶ୍ୟାମଳୀଠୁ ଠୋଲାଟା ଛଡ଼ାଇ ନେଇ ତାକୁ କ୍ରୋଧାନ୍ଧ ହୋଇ ଚାହିଁଲା ଦିଗମ୍ୱର । କି ରହସ୍ୟ ଅଛି ଏଥିରେ ସେ ବୁଝି ପାରି ନଥିଲା । ପୂଜକ ଆସିବା ପୂର୍ବରୁ ଦୁଇଟିଯାକ ଠୋଲାରୁ ଭାଙ୍ଗ ସେ ଢାଳି ଦେଇଥିଲା । ଆଜିର ଭାଙ୍ଗ ଥିଲା କାଲିଠାରୁ ଆହୁରି କଡ଼ା । ଏଥିରେ ଧୁତୂରା ମଞ୍ଜି ବି ବଟା ହୋଇଥିଲା ।

 

କୌତୁହଳପୂର୍ଣ୍ଣ ସେଇ ରଜନୀର ନିଶାର୍ଦ୍ଧ ହେଲା । ପୁଣି ସେଇ ଭେରୀତୁରୀ ବାଜି ଉଠିଲା । ଅଘୋରମାନେ ମାଂସ ପଲାଉ ଆଦି ଆକଣ୍ଠ ଭୋଜନ ସାରିପୁଣି ମୁନ୍ଦାଏ ମୁନ୍ଦାଏ ନିଶାପାଣି ପିଇ ପୂଜା ସ୍ଥାନରେ ପହଞ୍ଚି ଗଲେ । ନଟମନ୍ଦିର ଧୂମାୟିତ ହେଲା । ଜଳିଲା ମଶାଲ । ଉମାଙ୍କୁ ବକ୍ଷରେ ଧାରଣ କରି ମହାକାଳ ଆବିର୍ଭାବ ହେଲେ । ବାଜିଲା ଡ଼ମ୍ୱରୁ, କରତାଳ । ହୁଳହୁଳି ଉଚ୍ଛୁଳି ପଡ଼ିଲା । ମନ୍ତ୍ରପାଠ, ସ୍ତୋତ୍ର ପାଠ ହେଲା । ଭକ୍ତଗଣ ହୋଇ ପ୍ରଣାମ କଲେ । ମହାକାଳ ସ୍ଥିର ନୟନରେ ଭକ୍ତମାନଙ୍କୁ ଚାହିଁଲେ । ତାଙ୍କର ଦିବ୍ୟଦୃଷ୍ଟି ସମସ୍ତଙ୍କ ଉପରେ ପଡ଼ିଲା । ଦିଗମ୍ୱର ଓ ଶ୍ୟାମଳୀଙ୍କ ଉପରେ ମଧ୍ୟ ସେ କୃପାବୃଷ୍ଟି ନିପେକ୍ଷ କଲେ । ମଶାଲର ଆଲୋକ କାଢ଼ି ନିଆଗଲା । ଏଇ ନିର୍ଦ୍ଦେଶ ପାଇଁ ଯେପରି ଭକ୍ତ ଅଘୋରଗଣ ପ୍ରତୀକ୍ଷା କରିଥିଲେ । ପୁଣି କ୍ଷୀଣ ଦୀପାଲୋକରେ ନିର୍ବିକାର ଲୀଳା ରଚନା କଲେ ଅଘୋରଗଣ । କିନ୍ତୁ ମହାକାଳ ଶୀଘ୍ର ଅନ୍ତର୍ଦ୍ଧାନ ନ ହୋଇ ଏଇ ଲୀଳାକୁ ନୀରିକ୍ଷଣ କରୁଥିଲେ ଓ ଦିଗମ୍ୱର ଓ ଶ୍ୟାମଳୀ ଉପରେ ତୀକ୍ଷ୍ମ ନିପେକ୍ଷ କରୁଥିଲେ । ଦିଗମ୍ୱରର ଦୃଷ୍ଟି ତାହା ଏଡ଼ାଇ ଯାଇନଥିଲା । ଦିଗମ୍ୱର ନିଜକୁ ପ୍ରସ୍ତୁତ କରି ରଖିଥିଲା-। ନିଶାପାନରେ ମହାକାଳଙ୍କର ଶରୀର ଶକ୍ତିଶୂନ୍ୟ । ତାଙ୍କର ଆକ୍ରମଣର ଠିକ୍‌ ଜବାବ ସେ ଦେଇ ପାରିବ । ଦେଖାଯାଉ ।

 

ମହାକାଳ ତାଙ୍କ ବକ୍ଷରୁ ପାର୍ବତୀଙ୍କୁ ଧୀରେ ଧୀରେ ଓହ୍ଲାଇ ଦେଲାକ୍ଷଣି ଦିଗମ୍ୱର ଶ୍ୟାମଳୀ ସହିତ ସେଠୁ ଅନ୍ତର୍ଦ୍ଧାନ ହୋଇଗଲା । ଆଜି କିନ୍ତୁ ଶ୍ୟାମଳୀ ତାକୁ ବିପଦଗ୍ରସ୍ତ କରି ନଥିଲା । କାରଣ ଆଜି ସେ ନିଶାପାନ କରିନାହିଁ ।’ ରାତି ତଥାପି ଅନେକ ବାକି ଅଛି । ଦିଗମ୍ୱର କହିଲା ‘‘ପ୍ରିୟେ । ବର୍ତ୍ତିଗଲେ । ଏଠୁ ଶୀଘ୍ର ଯିବା ଆବଶ୍ୟକ । ନଚେତ୍‌ ମୁକ୍ତି ନାହିଁ । କ କଣ କହୁଛ-?’’ ଶ୍ୟାମଳୀ ପ୍ରକୃତିସ୍ଥା ଥିଲା । ସେ କହିଲା ‘‘ମୁଁ ବି ସେଇଆ କହୁଥିଲି । କିନ୍ତୁ ଏ ହିଂସ୍ରଜନ୍ତୁ ପୂର୍ଣ୍ଣ ଜଙ୍ଗଲ ଭିତରକୁ ରାତି ନ ପାହୁଣୁ ଯିବା କିପରି ।’’ ଦିଗମ୍ୱର କହିଲା ‘‘ଜଙ୍ଗଲ ଅପେକ୍ଷା ଏ ସ୍ଥାନ ଆହୁରି ଭୟଙ୍କର ଶ୍ୟାମଳୀ । ପବିତ୍ର ଧର୍ମପୀଠରେ ଧର୍ମ ନାମରେ ଏ ନାରକୀମାନେ କି ଲୀଳା ରଚନା କରୁଛନ୍ତି ଦେଖିଲ ତ । ଆହୁରି ରାତିଏ ଅଛି ।’’ ସେମାନଙ୍କ ଚକ୍ଷୁ ସମ୍ମୁଖରେ ଉଲଗ୍ନ ଦେବେନ୍ଦ୍ର ପାର୍ବତୀଙ୍କୁ ଧରି ଅନ୍ୟମନ୍ଦିର ଉଦ୍ଦେଶ୍ୟରେ ଚାଲିଗଲା । ଶ୍ୟାମଳୀ ମୁହଁରେ ଲଚଗା ଦେଇ ହସିଲା । କିଛି ସମୟ ପରେ ଶିବଙ୍କୁ ମଧ୍ୟ ସେ ଆଡ଼କୁ ଯିବାର ଦେଖାଗଲା । ଦିଗମ୍ୱର କହିଲା ‘‘ପ୍ରିୟେ, ଏମାନଙ୍କ ନୀତି ସବୁ ଅଭୂତ । ରାତିସାରା ଏପରି ଲୀଳାରତ ଅଥଚ ରାତି ନ ପାହୁଣୁ ପୁଣି ସ୍ନାନ ସାରି ଆରାଧନାରତ । ଆମେ ଯଦି ରାତି ପାହିବା ଯାଏ ରହିବା ତେବେ ଦେବେନ୍ଦ୍ର କି ପୂଝାରୀ ହାବୁଡ଼େ ନିଶ୍ଚୟ ପଡ଼ିବା । ବରଂ ଚାଲିଯିବା ଭଲ ।’’ ସେମାନେ ଯେଉଁଠି ଆତ୍ମଗୋପନ କରିଥିଲେ ପୁଣି ପୂଜକ ଓ ଦେବେନ୍ଦ୍ର ସେଇ ବାଟ ଦେଇ ଫେରିଲେ । ପୂଜାକ କହିଥିଲା ‘‘ରାତି ତ ପାହି ଆସିଲାଣି । ଆଉ ଥରେ ଅଧେ ଶୃଙ୍ଗାର କରି ସ୍ନାନକୁ ଯିବା । ତୁ ବ୍ୟସ୍ତ ହନା । କାଲିକି ସେ ଟୋକିଟାକୁ ନିଶ୍ଚୟ ପାର୍ବତୀ କରିବି । ଦି ଦିନ ହେଲା ଆମକୁ ଠକି ଦେଲେଣି ସେମାନେ ।’’ ଦିଗମ୍ୱର ଓ ଶ୍ୟାମଳୀ ଭୟରେ ଜଡ଼ସଡ଼ ହୋଇ ଯାଇଥିଲେ । ସେମାନେ ଅଦୃଶ୍ୟ ହେବାପରେ ଦିଗମ୍ୱର ଓ ଶ୍ୟାମଳୀ ଧୀରେ ଧୀରେ ସେଠୁ ବାହାରି ପଡ଼ି ସିଧା ସଳଖ ଜଙ୍ଗଲ ରାସ୍ତାରେ ପାଦ ଦେଲେ । ପ୍ରଣାମ ଅଘୋର ଶିବ । ପ୍ରଣାମ ଯମଧର୍ମ । ଧର୍ମ ରକ୍ଷା କରିବାକୁ କେଉଁ ମନ୍ଦିରକୁ ଯିବ ମାନବ ?’’

 

ସତ୍ୟବାନ ଶିହରି ଉଠିଲା । କି ଚତ୍ମକାର କାବ୍ୟ । ପୋଥିଟି ବନ୍ଦ କରିବାକୁ ବାଧ୍ୟ ହେଲା ସେ । ଅନେକ ଡେରି ହେଲାଣି । ଅପରାହ୍ନ ପ୍ରାୟ ସରି ଆସିଲାଣି । ଏକାଦିକ୍ରମେ ଅନେକ ପୃଷ୍ଠା ପଢ଼ି ହୋଇଗଲା । ଅବିଶିଷ୍ଟାଂଶ ପଢ଼ିବାକୁ ଆଗ୍ରହ ଆସୁଥିଲେ ମଧ୍ୟ କ୍ଳାନ୍ତି ବୋଧ ହେଉଛି । ସେ ପାର୍କ ବାହାରକୁ ଆସିବ ବୋଲି ଠିଆ ହୋଇଥିଲା । ନନ୍ଦିତା ଓହ୍ଲାଇଲା ଗାଡ଼ିରୁ । ସତ୍ୟବାନ ଧୀର ପଦକ୍ଷେପରେ ବୃକ୍ଷ ଅନ୍ତରାଳକୁ ଚାଲିଗଲା । ନନ୍ଦିତା ଓ ବିନୋଦ ସାଂଧ୍ୟ ଭ୍ରମଣରେ ଆସିଛନ୍ତି-। କିନ୍ତୁ ନନ୍ଦିତା କେବେ ସହର ଭିତରେ ଏପରି ରୋମାନ୍‌ସ ସୃଷ୍ଟି କରିବାକୁ ପସନ୍ଦ କରେ ନାହିଁ । ସତ୍ୟବାନ ଭଲ ରକମ ନନ୍ଦିତାକୁ ଜାଣେ । ନନ୍ଦିତାର ଅଭିରୁଚି ଅତି ଚତ୍ମକାର । ପ୍ରକୃତରେ ପ୍ରଶଂସା ନ କରି ରହି ହୁଏ ନାହିଁ । ସେମାନେ ଗୋଟାଏ ସିମେଣ୍ଟ ବେଞ୍ଚରେ ପାଖାପାଖି ବସିଲେ ଖୁବ୍‌ ଅଳ୍ପ ସମୟ ପାଇଁ । ସତ୍ୟବାନ ଛାତିରେ ବ୍ୟଥା ଅନୁଭବ କଲା । କିନ୍ତୁ କାହିଁକି ? ସେ ତ ନନ୍ଦିତାକୁ ବିବାହ କରିବ ନାହିଁ । ନନ୍ଦିତା ବାରମ୍ୱାର କହିଛି ‘‘ମୋର ବହୁ ବନ୍ଧୁଙ୍କ ମଧ୍ୟରୁ ତୁମେ ଅତି ଆପଣାର-। ତୁମକୁ ମୁଁ ସବୁଠୁ ଅଧିକ ଭଲପାଏ ।’’ ନନ୍ଦିତା ସ୍ପଷ୍ଟବାଦିନୀ । ଠିକ୍‌ ସତ୍ୟବାନ ପରି ନନ୍ଦିତା ନିର୍ଭୀକା । ସତ୍ୟବାନ ତାକୁ ତାରିଫ୍‌ କରେ । ପ୍ରକୃତରେ ନନ୍ଦିତା ଅଳ୍ପ କ୍ଷଣ ପରେ ସେଠୁ ଚାଲିଗଲା-। ବୃଷ ଅନ୍ତରାଳରୁ ବାହାରି ଆସିଲା ସତ୍ୟବାନ । କିନ୍ତୁ ନିଜ ଉପରେ ସତ୍ୟବାନର ରାଗ ହେଲା । ଏମିତି ଚୋରଙ୍କ ପରି ସେ ଏ କଣ କଲା ? କାହିଁକି ସେମାନଙ୍କଠାରୁ ନିଜକୁ ଲୁଚାଇ ଦେଲା । ସତ୍ୟବାନ ନିଜ ଉପରେ ରାଗୁଥିଲା ।

 

ପାର୍କ ବାହାରେ ରାସ୍ତାରେ ଉଦ୍ଦେଶ୍ୟହୀନ ଭାବରେ ସତ୍ୟବାନ ଚାଲିଥିଲା । ହାତରେ ସେଇ ପୋଥି ଖଣ୍ଡକ । ପୁଣି ନନ୍ଦିତାର ଗାଡ଼ି ତା ନିକଟରେ ବ୍ରେକ ଦେଲା । ଗାଡ଼ିରେ ବିନୋଦ ନଥିଲା । ନନ୍ଦିତା ଦ୍ୱାର ଖୋଲି ଆହ୍ୱାନ କଲା । ଗାଡ଼ିରେ ବସିଲା ସତ୍ୟବାନ ।

 

ନନ୍ଦିତା କହିଲା ‘‘ଆଜିକାଲି ତମର ଦେଖା ମିଳୁନାହିଁ ସତ୍ୟବାନ । ବୋଧେ ଖୁବ୍‌ କାର୍ଯ୍ୟବ୍ୟସ୍ତ ଅଛ । କେତେଥର ତୁମଘରୁ ଫେରିଲିଣି ।’’ ସତ୍ୟବାନ ପାଟିରୁ ଆଜି ବିପରୀତ କଥା ବୃଷ୍ଟି ହେଲା । ସେ କହିଲା ‘‘ନନ୍ଦିତା ଦେବୀ । ତୁମର ବନ୍ଧୁ ଅଭାବ ନାହାନ୍ତି । ମୋ ପରି ଗୋଟାଏ ଅପଦାର୍ଥ ତୁମର ବନ୍ଧୁ ହେବା ଅଯୋଗ୍ୟ ।’’ କେଉଁ ଏକ ଆହତ ଯନ୍ତ୍ରଣାରେ ସତ୍ୟବାନ ପାଟିରୁ ଏକଥା ବାହାରି ପଡ଼ିଥିଲା । କିନ୍ତୁ ପରକ୍ଷଣରେ ସେ ଚମକି ପଡ଼ିଲା । ନିଜ ଉପରେ ରାଗ ହେଲା ତାର । ଆଜି ତାର ଏ କଣ ହୋଇଛି । ଧନ୍ୟରେ ପୁରୁଷର ମନସ୍ତତ୍ୱ । ନିଜକୁ କେବେ ଏପରି ଦୟନୀୟ ଭାବରେ ସତ୍ୟବାନ ଉପସ୍ଥାପିତ କରିନାହିଁ । ସେ ହୀନମନ୍ୟ ଭାବ କେବେ ତାକୁ ଆଚ୍ଛନ୍ନ କରିନାହିଁ । ଅଥଚ ସେ ଏସବୁ କଣ କହୁଛି । ଆତ୍ମ ଦ୍ୱନ୍ଦ୍ୱକୁ ନେଇ ଅସମ୍ଭବ ଭାବରେ ସେ ନୀରବ ହୋଇଗଲା ।

 

ନନ୍ଦିତା କହିଲା ‘‘ଏ କଣ କହୁଛ ସତ୍ୟବାନ । ଗୋଟାଏ ସାଧାରଣ ଦୁର୍ବଳ ପୁରୁଷପରି ତୁମ ମୁଖରୁ ଏ ଭାଷା ଶୋଭା ପାଏନା । ମୋ କଥା ତୁମେ ଜାଣ ସତ୍ୟବାନ । ତୁମକୁ ବାରମ୍ୱାର କହିଛି, ମୋର ଏ ରାୟସିଂହ ରକ୍ତ କେବେ ଶିଥିଳ ହେବାର ନୁହେଁ । ଏ ନିର୍ଭୀକ ରକ୍ତ କିଛି ପ୍ରାର୍ଥନା କରେ ନାହିଁ । ତୁମେ ସମାଜକୁ ଚିହ୍ନିନ ସତ୍ୟବାନ । ଏ ସମାଜ ଅର୍ଥ ଓ ଆଭିଜାତ୍ୟକୁ ନେଇ ତିନିଟି ସ୍ତରରେ ବିଭକ୍ତ ହୋଇ ଆସିଛି । ପ୍ରଥମ ଗ୍ରୁପଟି ଆଭିଜାତ୍ୟ ଓ ବିପୁଳ ଅର୍ଥକୁ ନେଇ ସୃଷ୍ଟ । ସେମାନଙ୍କ ମନସ୍ତତ୍ତ୍ୱ ପୂରାପୂରି ଭିନ୍ନ । ନିଜର ସୁବିଧାନୁସାରେ ଧର୍ମ ଓ ସମାଜକୁ ଏମାନେ ରୂପ ଦିଅନ୍ତି । ଆବଶ୍ୟକ ଅନୁସାରେ ଧର୍ମ ଓ ସମାଜର ରୂପ ବଦଳେ । ଆଇନ୍‌ କୋହଳ ହୁଏ । ସେଇଥିପାଇଁ ଏମାନେ ନିଜ ସ୍ତରୀୟ ବନ୍ଧୁ ଖୋଜିଥାନ୍ତି । ତୁମକୁ ଥରେ କହିଥିଲି ନିମ୍ନ ସ୍ତରୀୟ ଲୋକେ ନିଜର ମନସ୍ତତ୍ୱକୁ ନେଇ ଅନ୍ୟମାନଙ୍କ ଉପରେ ଆରୋପ କରି ନିଜକୁ ଦୟନୀୟ କରିବା ସାଙ୍ଗେ ସେମାନଙ୍କୁ ହଟହଟା କରନ୍ତି ।

 

ମଝି ସ୍ତରୀୟ ଲୋକଙ୍କ ମନସ୍ତତ୍ୱ ମଧ୍ୟ ମଝାମଝି । ସେମାନେ ଉଚ୍ଚସ୍ତରୀୟ ମନସ୍ତତ୍ୱକୁ ଗ୍ରହଣ କରି ପାରନ୍ତି ନାହିଁ କି ନିମ୍ନସ୍ତରୀୟ ମନସ୍ତତ୍ୱକୁ ଛାଡ଼ି ପାରନ୍ତି ନାହିଁ । ବରାବର ଏ ଦୁଇଟାର ସମନ୍ୱୟ ଆଣିବାରେ ବ୍ୟସ୍ତ ରହିଥାନ୍ତି ମାତ୍ର । ଆଉ ନିମ୍ନସ୍ତରୀୟ କଥା ଛାଡ଼ । ଯାହା ବୁଝିଥିବେ ସେଇଆ । ତୁମେ ହୁଏତ ସ୍ୱୀକାର କରିବନାହିଁ ସତ୍ୟବାନ । ଗୋଟିଏ ନିମ୍ନ ଶ୍ରେଣୀର କନ୍ୟା ପୂଜା ଆରାଧନା ଇତ୍ୟାଦି ଇତ୍ୟାଦି ଧର୍ମ ଅଧିକ ପାଳନ କରେ । ସତୀତ୍ୱ, ସଚ୍ଚୋଟ, ନିଷ୍ଠାପର, କର୍ତ୍ତବ୍ୟପରାୟଣ, ଆଦି ଶବ୍ଦକୁ ଅଧିକ କହେ ଏବଂ ଏଇ ପ୍ରକାର ଆଦର୍ଶକୁ ବଞ୍ଚାଇବାକୁ ଅଧିକ ଚେଷ୍ଟା କରେ । ଗୋଟାଏ ମଧ୍ୟବତ୍ତି ଶ୍ରେଣୀର କନ୍ୟା ନିକଟରେ ଏଗୁଡ଼ା ଇଚ୍ଛଧୀନ ମାନେ ଅପ୍‌ସନାଲ କଥା । ସେ ମଝାମଝି ସବୁରେ ସମାଧାନ ଆଣେ । କିନ୍ତୁ ଗୋଟାଏ ପ୍ରଥମ ଶ୍ରେଣୀର କନ୍ୟା ନିକଟରେ ଏଇପରି କେତେକ ଶବ୍ଦ ନିରର୍ଥକ । ମୁଁ କୌଣସି ସଂକୀର୍ଣ୍ଣ ମନସ୍ତତ୍ୱଦ୍ୱାରା ବିଦୀର୍ଣ୍ଣ ହେବାକୁ ଚାହେଁନା । ମୁଁ ମୁକ୍ତ । ଚିର ମୁକ୍ତ । କେବଳ ତୁମେ ନୁହଁ, ବିନୋଦ ନୁହଁ, ମୋର ଅନେକ ଆଦରଣୀୟ ବନ୍ଧୁଙ୍କୁ ମୁଁ ଏ ବିଷୟରେ ସଚେତନ କରିଛି ସତ୍ୟବାନ । ତୁମେ ମତେ ଦୟାକରି ଭୁଲ ବୁଝିବ ନାହିଁ । ତୁମପାଇଁ ମୁଁ ପୂରାପୂରି ଭିନ୍ନ । ଜାଣେନା ତୁମପାଇଁ ମୋର ଅସମ୍ଭବ ଦୁର୍ବଳତା କାହିଁକି ଦେଖାଦିଏ ଓ ବାରମ୍ୱାର ମୋର ଅବିଚଳିତ ମନ ଓ ହୃଦୟରେ ବ୍ୟଥା ସୃଷ୍ଟି କରେ ।’’

 

ସତ୍ୟବାନକୁ ଏତେ ଦୀର୍ଘ ବତ୍କୃତା ଓ ନନ୍ଦିତାର କୈଫିୟତ ଆଜି ଆଦୌ ଭଲ ଲାଗୁ ନଥିଲା । ନନ୍ଦିତାକୁ କିଛି ଉତ୍ତର ଦେଇ ଆହତ କରିବାକୁ ତାର ଆଜି ଇଚ୍ଛା ମଧ୍ୟ ନାହିଁ । ନିଜର କୌଣସି କିନାରା କରି ହେଉନାହିଁ । ସେ ଚିନ୍ତାମଗ୍ନ ହୋଇ ପଡ଼ୁଛି ଆସ୍ତେ ଆସ୍ତେ ନନ୍ଦିତା କହିଲା ‘‘ଆମ ପରିବାରର ଗୋଟାଏ କାହାଣୀ ଶୁଣ ।’’ ମୋ ବାପାଙ୍କର ମା ଥିଲେ ଗୋଟିଏ ଗରିବ ଘରର ଝିଅ । ଆମ ଜେଜେଙ୍କର ଦାସ ଦାସୀ ପରିବୃତ୍ତି ସଂସାର । ଜେଜେଙ୍କର ଚରିତ୍ର ତାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ମୋ ଜେଜୀ କେବଳ ଉପାସ ବ୍ରତ କରିବାରେ ଲାଗିଲେ । ଉପାସ ବ୍ରତ କଲେ ଜେଜେଙ୍କର ଚରିତ୍ର ସଂଶୋଧିତ ହେବ ବୋଲି ତାଙ୍କର ଧାରଣା ଥାଏ । ଲୋକେ ମନେ କରନ୍ତି ଉଦ୍ଦେଶ୍ୟ ପୂରଣ ପାଇଁ ଭଗବାନ ଏକ ମାଧ୍ୟମ । ଜେଜୀ ତାଙ୍କ ଜପ ତପରେ ଲାଗିଥାନ୍ତି । ଇଂରେଜ ଅମଳ । ଜେଜେ ଥିଲେ ସାହେବୀ କାଇଦାବାଲା । ତାଙ୍କର ଅନେକ ଇଂରେଜ ବନ୍ଧୁଥିଲେ । ସେମାନ ଜେଜେଙ୍କର ଅତିଥି ହେଉଥିଲେ । ସୁରା ସାକିର ଧାରା ବୋହି ଯାଉଥିଲା ଘରେ । ଏଥିପାଇଁ ଜେଜେ ଗୋଟାଏ ବାହାର ପ୍ରସ୍ଥ ଘର କରିଥିଲେ, ମାନେ ଗୋଷ୍ଟ ହାଉସ ପରି । ଥରେ ଇଂରେଜଙ୍କ ସହିତ ଜେଜେ ଅନ୍ତପୁରକୁ ପଶି ଆସିଲେ ବୋଲି ଜେଜୀ ଆତ୍ମହତ୍ୟା କରିଥିଲେ । ଏଇ କାହାଣୀ ମୁଁ ପିଲାଦିନେ ବହୁବାର ଶୁଣିଥିଲି । ସତ୍ୟବାନ କହିଲା ‘‘ବହୁନାରୀ ସମ୍ଭୋଗ କରିଥିବା ଜଣେ ପରୁଷ ନିଜକୁ କେବେ ଚରିତ୍ରହୀନ ବୋଲି ଭାବେ ନନ୍ଦିତା ? କିନ୍ତୁ ବହୁ ପୁରୁଷଙ୍କ ଦ୍ୱାରା ଉପଭୋଗ୍ୟା ଜଣେ ନାରୀକୁ ସେ ବେଶ୍ୟା ବୋଲି କହେ । ସମାଜରେ ଏଇ ବେଶ୍ୟା ଶବ୍ଦଟା ଯେତେଦୂର ବ୍ୟବହାର ହୁଏ ତାର ବିପରୀତ ବିଟପ ଶବ୍ଦ କଣ ସେତିକି ବ୍ୟବହାର ହୁଏ ।’’ ନନ୍ଦିତା କହିଲା ‘‘ଏଗୁଡ଼ା ଭୟଙ୍କର ପକ୍ଷପାତିତା ମୁଁ ଜାଣେ । ସେଥିପାଇଁ ମୁଁ ନିରର୍ଥକ ଦୁର୍ନାମକୁ ଖାତିର କରେ ନାହେଁ । ଆବଶ୍ୟକ ହେଲେ ମୁଁ ବିବାହ କରିପାରେ । ନିଜର ବି ପାରେ । କିନ୍ତୁ ମୋର ସେ ନୁର୍ଜୟ ରକ୍ତରେ ହୀନମନ୍ୟ ଭାବ ନାହିଁ । ତୁମେ ଆସ ସତ୍ୟବାନ । ତୁମରି ବନ୍ଧୁତ୍ୱ ପାଇଁ ମୁଁ ଶାଶ୍ୱତ ପ୍ରତୀକ୍ଷା କରି ବସିଛି ।’’

 

ଏହାର ଅବ୍ୟବହିତ ପୂର୍ବକୁ ସତ୍ୟବାନ ପୋଥିଟି ପଢ଼ି ବିଭୋର ହୋଇ ପଡ଼ିଥିଲା । ଅଘୋର ମନ୍ଦିର ନିଶା ତାକୁ ମଧ୍ୟ ଅଚେତ କରି ପକାଇଥିଲା । ସେ ନୀରବରେ ଭାବୁଥିଲା ‘‘ନିଜ ବଂଶର ଆଭିଜାତ୍ୟ ନନ୍ଦିତା ପ୍ରକାଶ କରୁଛି । ଏମିତି କେତେ ବଂଶର ଇତିହାସ ମୋ ହାତର ପୋଥିରେ । କେଉଁ ଅସ୍ପଷ୍ଟ ଅତୀତରେ ସ୍ଥାପିତ ସେଇ ଯମଧର୍ମ ଅଘୋର ମନ୍ଦିର ଅଘୋର ଧର୍ମ ପାଳନ କରି ଆସୁଛି । କେତେ ଯେ ବବୈଧ ଜାରଜ ସନ୍ତାନ ପ୍ରତି ବର୍ଷର ସମ୍ଭୋଗରୁ ସୃଷ୍ଟି ହୋଇ ସମଗ୍ର ଭାରତରେ ବଂଶ ବିସ୍ତାର କରି ଲାଗିଛନ୍ତି ତାର ହିସାବ ନାହିଁ । ଯମଧର୍ମୀ ମାନଙ୍କ ବିଶ୍ୱାସ ଯେ ନିଜେ ମହାକାଳ ଶିବ ପ୍ରତ୍ୟେକଟି ଭକ୍ତ ଭିତରେ ଆବିର୍ଭୂତ ହୁଅନ୍ତି ଓ ଜଗଜ୍ଜନନୀ ମା ପାର୍ବତୀ ପ୍ରତ୍ୟେକଟି ଭକ୍ତନାରୀଙ୍କ ଭିତରେ ଆବିର୍ଭୁତା ହୁଅନ୍ତି । ସେମାନେ ନିଜର ସୃଷ୍ଟି ବିନ୍ୟାସକୁ ଉପଭୋଗ କରିବାକୁ ଏଇ ମହୋତ୍ସବ ସୃଷ୍ଟି କରିଛନ୍ତି ବୋଲି ଶୁଣାଯାଏ । ଏଇ ଧର୍ମ ଈଶ୍ୱରଙ୍କ ସ୍ୱପ୍ନାଦେଶରେ ସୃଷ୍ଟି ହୋଇଥିଲା । ସତ୍ୟବାନ ଭାବୁଥିଲା, ଅବାସ୍ତବ ଓ କଳ୍ପନାର ମଧୁର ମିଶ୍ରଣରେ ଜାତି ଓ ଧର୍ମର ଏ ସମାଜ ଗୋଟାଏ ମହାଦ୍ରୁମରେ ପରିଣତ ହୋଇଛି । ସତ୍ୟବାନର ଭୀଷଣ ଇଚ୍ଛା ହେଉଥିଲା ପୋଥିଟିର କଥାବସ୍ତୁ ନନ୍ଦିତାକୁ ଶୁଣାଇବାକୁ.....

 

ନନ୍ଦିତାର ସତ୍ୟବାନଠାରୁ କଥା ଶୁଣିବାରେ ପ୍ରବଳ ଆଗ୍ରହ । ସତ୍ୟବାନ କହିଥିଲା ‘‘ନନ୍ଦିତା, ଆଜି ଗୋଟାଏ ଚତ୍ମକାର କାହାଣୀ ଆବିଷ୍କାର କରିଛି । ତୁମକୁ ନିଶ୍ଚୟ କହିବି’’–ସତ୍ୟବାନ ସଂକ୍ଷେପରେ ଦିଗମ୍ୱରର ଜୀବନ କାହାଣୀ ଶୁଣାଇଥିଲା । ନନ୍ଦିତା କହିଲା ‘‘ପ୍ରକୃତରେ କି ଆଡ଼ଭେଞ୍ଚର କି ରୋମାନସ୍‌ । ତୁମେ ସେ ଅବଶିଷ୍ଟାଂଶ ପଢ଼ନା ।’’ ସେମାନେ ସେଇଠୁ ଆରମ୍ଭ କଲେ ଯେଉଁଠୁ ସେ ଦୁହେଁ ରାତ୍ରି ନପାହୁଣୁ ବନଭୂମି ମଧ୍ୟକୁ ପଶିଗଲେ–

 

କେତେ ଦୂର ଜଙ୍ଗଲପଥ ଅତିକ୍ରମ କରି ଏକ ଝରଣାକୂଳରେ ସାମାନ୍ୟ ବିଶ୍ରାମ ପରେ କିଛି ଆହାର କଲେ ସେ ଦୁହେଁ । ପୁଣି ଗଲାପଥ ଦେଖି ଚାଲିବାରେ ଲାଗିଲେ । ବିଗତ ଦୁଇ ରାତ୍ରିର ଅନିଦ୍ରା ହେତୁ ଶରୀରରେ କ୍ଳାନ୍ତି ଭରିଯାଇଥାଏ । ଅବଶ ଶରୀର ଆଉ ପାଦେବି ଆଗେଇବାକୁ ଦେଉ ନଥାଏ । କ୍ରମଶଃ ବନଭୂମି ପାତଳା ହୋଇ ଆସିଲା । ମନେହେଲା ଆଉ ଅଳ୍ପକ୍ଷଣ ପରେ ବନଭୂମି ଶେଷହେବ । ଗୋଟିଏ ପ୍ରକାଣ୍ଡ ବୃକ୍ଷତଳେ ଗୋଟିଏ ସୁଦୀର୍ଘ ଚିକ୍‌କଣ ପଥରଚଟାଣ ଦେଖି ଶ୍ୟାମଳୀ ଥକ୍‌କା ମେଣ୍ଟାଇବାକୁ ଚାହିଁଲା । ପଥର ଚଟାଣ ଉପରେ ଟିକିଏ ବିଶ୍ରାମ କରୁ କରୁ ନିଘୋଡ଼ ନିଦରେ ଶୋଇପଡ଼ିଲା । ଅପରାହ୍ନ ହୋଇ ଆସିଥିଲା ପ୍ରାୟ ।

 

ଦିଗମ୍ୱର ଶ୍ୟାମଳୀକୁ ଜଗି ବସିଲା । ବସି ବସି ଭାବୁଥିଲା ଅଘୋର ମନ୍ଦିର କଥା । ଆଜି ତୃତୀୟ ଦିନ । ଉଦ୍‌ଯାପନ ଦିବସ । ଶିବ ଆଜି ଚନ୍ଦ୍ରଶେଖର ବେଶରେ ବିଜେ ହେବେ । ଶୁଣିଛି ଆଜି ସିଦ୍ଧ ଗନ୍ଧର୍ବ କିନ୍ନର କିନ୍ନରୀ ଅନେକ ଆସିବେ । ଦେବଗଣରେ ମନ୍ଦିର ବେଢ଼ା ପୂର୍ଣ୍ଣ ହୋଇଯିବ । ସେ ଅପୂର୍ବ ଦୃଶ୍ୟ ନଦେଖିଲେ ବୁଝି ହେବନାହିଁ ବୋଲି ପୂଝାରୀ କହୁଥିଲା । ଦିଗମ୍ୱର ହିଂସ୍ର ମନ ଚିତ୍କାର କରି ଉଠିଲା । ଧୂର୍ତ୍ତ ଶୃଗାଳଦଳ । ଯେଉଁ ପବିତ୍ର ଜାତି ଧର୍ମକୁ ବଞ୍ଚାଇବାକୁ ତାକୁ ଜୀବନର ସମସ୍ତ ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିଲା ସେଇ ଧର୍ମ ନାମରେ ଏ ଶେଷହୀନ ବୀଭତ୍ସତା, ପ୍ରବଞ୍ଚନା ସେ ସହ୍ୟ କରି ନପାରେ । ଅନ୍ଧ ମାନବ ସମାଜ, ଉଦ୍ଦେଶ୍ୟ ପୂରଣରେ ବିଦ୍ଧପରିକର କିପରି ବା ସେଥିରୁ ତାଙ୍କୁ ନିବୃତ୍ତ କରିବ, କିପରି ବା କହିବ ‘‘ଏ ପ୍ରହସନ, ଏ ବ୍ୟଭିଚାରଠାରୁ ଦୂରେଇ ଯାଅ ଭାଇମାନେ । ଧର୍ମ ନାମରେ କଳଙ୍କ ଲେପନାହିଁ ।’’ ସେ କେବଳ ଯନ୍ତ୍ରଣାରେ ଛଟପଟ ହୋଇଥିଲା । ସବୁ ଆଜି ଫାଙ୍କା ହୋଇଗଲାଣି । କିନ୍ତୁ ଏ ଗୁପ୍ତ ଚିନ୍ତାର ଚିତ୍ରଣ ସେ କରିବ କାହା ଆଗରେ । ଅଭିଶାପର ଭୟରେ ଜନତା ତ୍ରସ୍ତ । ସେମାନଙ୍କ ସରଳ ବିଶ୍ୱାସରେ ବିଷ ବୋଳିବ କିଏ ? ସେମାନେ ବା କାହିଁକି ଧର୍ମଛଡ଼ା କଥାରେ ବିଶ୍ୱାସ କରିବେ । ଧାରଣା ହେଉ ପଛେ ଭ୍ରାନ୍ତ, ପୂର୍ବପୁରୁଷ ତାକୁ ବିଶ୍ୱାସ କରି ବଞ୍ଚିଥିଲେ, ଆଉ ବର୍ତ୍ତମାନର ପୁରୁଷ କଣ ତାକୁ ଉପେକ୍ଷା କରିବ । ଅନେକ ଚିନ୍ତାର ବୃଶ୍ଚିକ ଦଂଶନରେ ଦିଗମ୍ୱର ଇତସ୍ତତଃ ହେଉଥିଲା । ଶ୍ୟାମଳୀ ଗଭୀର ନିଦ୍ରାମଗ୍ନ ।

 

ଶୁଖିଲା ପତ୍ରର ଖସ୍‌ ଖସ୍‌ ଶବ୍ଦ ଶୁଭିଲା-ହିଂସ୍ର ଜନ୍ତୁଙ୍କ ଭୟରେ ହାତରେ ଛୁରୀଟାକୁ ମୁଠାଇ ଧରିଲା ଦିଗମ୍ୱର । ଶ୍ୟାମଳୀକୁ ହଲାଇ ହଲାଇ ଉଠାଇବାକୁ ଚେଷ୍ଟା କରି ଚାରି ଆଡ଼କୁ ସତର୍କ ଦୃଷ୍ଟି ପକାଉ ଥାଏ ।

 

ଦୁଇଟି ଉନ୍ନତ୍ତ ଶାର୍ଦ୍ଦୁଳ ମାଡ଼ି ଆସିଲେ ତାଙ୍କରି ଆଡ଼କୁ । ପୂଜକ ଓ ଦେବେଦ୍ର ସମ୍ଭବତଃ ତାଙ୍କରି ଉଦ୍ଦେଶ୍ୟରେ ଧାଇଁ ଆସୁଛନ୍ତି । ସେମାନେ ହୁଏତ ଧରି ନେବେ ଏମାନଙ୍କୁ । ଦିଗମ୍ୱର ହସ୍ତର ମୁଷ୍ଟିକୁ ଆହୁରି ଦୃଢ଼ କରି ନେଇ ସେମାନଙ୍କୁ ଚାହିଁ ରହିଲା । ସେମାନେ ଯଥା ଶୀଘ୍ର ନିକଟକୁ ଆସିଲେ । ପୂଜକ ହସି ଦେଇ କହିଲା ‘‘ଆରେ ବାପ୍‌ରେ, ଏକବାରେ ହତ୍ୟା କରିବାକୁ ତିଆର । କିରେ ବାବା, ଆମେ ସ୍ୱପ୍ନାଦେଶ ପାଇ ଆସିଛୁ । ତମର ଭାଗ୍ୟ । ତୁମପତ୍ନୀଙ୍କୁ ମନ୍ଦିରର ଦେବଦାସୀ ହେବା ପାଇଁ ସ୍ୱାପ୍ନାଦେଶ ହୋଇଛି । ଅଘୋରଙ୍କ ନିକଟରେ ଗୋଟିଏ ଦେବଦାସୀ ଥିଲା । କିଛିଦିନ ତଳେ ସେ ଜଣେ ଭୈରବଙ୍କ ସହିତ କାମାକ୍ଷା ଦର୍ଶନ କରିବାକୁ ଯାଇ ଆଉ ଫେରିନାହିଁ । ତାଙ୍କର ସ୍ଥାନରେ ତୁମ ପତ୍ନୀ ଦେବଦାସୀ ହେବେ । ତୁମକୁ ଖୋଜିଲା ବେଳକୁ ତୁମେ କାହାକୁ କିଛି ନ କହି ଛୁ । ତୁମେ ବୁଝିପାରୁନ ମହାଶୟ, କେଉଁ ସୌଭାଗ୍ୟରୁ ତୁମ ପାଇଁ ଏ ସ୍ୱପ୍ନାଦେଶ ହୋଇଛି । ବଂଶରେ ଯଦି ଜଣେ ଦେବଦାସୀ ହୁଅନ୍ତି ତାଙ୍କର ଚଉଦ ପୁରୁଷ ଉଦ୍ଧାର ପାଆନ୍ତି ।’’

 

ଦେବେନ୍ଦ୍ର କହିଲା ‘‘ଏ ତୁମର ବଦ୍‌ସାହାସ ମହାଶୟ । ମହାକାଳାଙ୍କ ଅନୁଗ୍ରହକୁ ଉପେକ୍ଷା କରି ତୁମେ ପଳାୟନ କରୁଛ । ମନେରଖ ତ୍ରିନୟନଙ୍କ ଦିବ୍ୟ ଦୃଷ୍ଟି ବାହାରକୁ କେହି ଯାଇ ପାରିବେ ନାହିଁ । ହଉ, ଯାହା ହେବାର ହେଲାଣି । ଆଜି ଉଦ୍‌ଯାପନ ଦିନରେ ଚନ୍ଦ୍ରଶେଖରଙ୍କର କ୍ରୋଧ ସୃଷ୍ଟି କରନାହିଁ । ସମଗ୍ର ପୃଥିବୀକୁ ଖରାପ ହେବ ।’’

 

ଭଣ୍ଡମାନଙ୍କର ଉଦ୍ଦେଶ୍ୟ ବୁଝିବା ଦିଗମ୍ୱର ପକ୍ଷରେ କଷ୍ଟକର ନଥିଲା । ତାର ଅନ୍ତରାତ୍ମା ଗୋଟିଏ ହିଂସ୍ର ଶାର୍ଦ୍ଦୁଳ ପରି ଗର୍ଜନ କରି ଉଠୁଥିଲା । ଯେଉଁ ବଂଶର ପୁରୁଷ ସେ ନିଜେ ସେଇ ବଂଶର ପୁରୁଷ ଏଇ ପୂଜକ । ଜଣେ ବଞ୍ଚାଇବାର ପ୍ରତିଶ୍ରୁତିରେ ଦୃଢ଼ ପରିକର ଓ ଜଣେ ଗ୍ରାସ କରିବାକୁ ତତ୍ପର । କ୍ରୋଧାନ୍ଧ ହୋଇ ସେ କହିଲା ‘‘ଫେରିଯାଅ ନାରକୀ, ମୁଁ ମହାକାଳଙ୍କ ଆଦେଶକୁ ଉପେକ୍ଷା କରେ । ମୋ ପଥରେ ବାଧା ସୃଷ୍ଟି କର ନାହିଁ ।’’ ସେମାନେ ଗୋଟାଏ ପୈଶାଚିକ ହସ ହସି ବନଭୂମିକୁ ଥରାଇ ଦେଇ କହିଲେ ‘‘ଆଃ କି କୋପ, ସାକ୍ଷାତ ବିଶ୍ୱାମିତ୍ର ତ । ରେ ପାପିଷ୍ଠ । ମୃତ୍ୟୁ ତୋର ନିକଟତର ହେଲାଣି । ଭଲରେ ଭଲରେ ନାରୀଟିକୁ ଦେଇ ଚାଲିଯା । ତୋପରି ଅପଗଣ୍ଡ ହାତରେ ତାର ଅବମାନନା ହେଉଛି ମାତ୍ର । କଥାମାନି ଭଲରେ ଛାଡ଼ି ଦେ ।’’ ଦିଗମ୍ୱର ଅସମ୍ଭାଳ ହୋଇ ପଡ଼ିଲା । ଦେହର ପ୍ରତି ରକ୍ତ ବିନ୍ଦୁ ଉତ୍ତପ୍ତ ହୋଇ ପଡ଼ିଲେ । ସେ କହିଲା ‘‘ସେ ନିର୍ଲଜ ବିଟପଗଣ, ଭାବିଛ ଧମକ ଦେଇ ଉଦ୍ଦେଶ୍ୟଚରିତାର୍ଥ କରିବ । ଏ ପିଣ୍ଡରେ ବିନ୍ଦୁଏ ରକ୍ତ ଥିବା ଯାଏ ତାହା କରାଇ ଦେବି ନାହିଁ ।’’ ପୂଜକର ବଜ୍ର ମୃଷ୍ଟିଘାତରେ ବନଭୂମି କମ୍ପି ଉଠିଲା । ଦିଗମ୍ୱର ଛୁରୀକା ବହୁ ଛିଟିକି ଗଲା । ପୂଜକର ଘନ ଘନ ମୁଷ୍ଟିଘାତରେ ଦିଗମ୍ୱର ଭୂତଳଶାୟୀ ହେଲା । ମୁହଁରୁ ଝରିଲା ରୁଥିର । ତାର ବାକ୍‌ଶକ୍ତି ରୁଦ୍ଧ ହେଲା । ସଂଜ୍ଞାହୀନ ହୋଇ ପଡ଼ିଲା ସେ । ଛୁରୀଟା ଉଠାଇ ପୂଜକ କହିଲା ‘‘ଏଇଟାକୁ ଏଇଠି ଶେଷ କରିଦେଇ ଯିବା । ଶୃଗାଳମାନେ ଏ ନାରୀକୁ ଭକ୍ଷଣ କରନ୍ତୁ । ମହାକାଳଙ୍କ ଭକ୍ଷଣ କରନ୍ତୁ । ମହାକାଳଙ୍କ ଆଦେଶସଙ୍କୁ ଅବମାନନା କରିବାର ଫଳ ପାଉ ।’’ତାର ମସ୍ତକକୁ ସେମାନେ ଗୋଇଠା ମାରି ଗଡ଼େଇ ଦେଲେ । ଶ୍ୟାମଳୀ ଗୋଟାଏ ପଥର ମୂର୍ତ୍ତିରେ ବସିଥିଲା । ଦେବେନ୍ଦ୍ର କହିଲା ‘‘ସୁନ୍ଦରୀ, ଆଉ ଡେରି କାହିଁକି ? ତୁମର ଏ ଅଧମ ପତି ମୃତ । ମହାକାଳ ତୁମ ପ୍ରତି ପ୍ରସନ୍ନ ହୋଇଛନ୍ତି । ଚାଲ, ଆନନ୍ଦ ମନରେ ସେ ଦେବଦେବଙ୍କର ସେବା କର । ଆଜି ରାତିରେ ଚନ୍ଦ୍ରଶେଖରଙ୍କ ବକ୍ଷରେ ପାର୍ବତୀ ହୋଇ ବିଜେ କରିବ । ସିଦ୍ଧ ଗନ୍ଧର୍ବ, ନର କିନ୍ନର ସମସ୍ତେ ତୁମକୁ ପ୍ରଣାମ କରିବେ ଦେବି ! ଆଉ ବିଳମ୍ୱ କର ନାହିଁ ।’’

 

ଶ୍ୟାମଳୀର ମସ୍ତକ ଘୂରି ଯାଉଥିଲା । ଏ କଣ କଲ ଭଗବାନ । ରୁଦ୍ଧ ପ୍ରାଣ ତାର ହାହାକାର କରି ଉଠିଲା । ମସ୍ତକର ଦାରୁଣ ପୀଡ଼ା ଅନୁଭବ କରି ସେ ନିସ୍ତେଜ ହୋଇ ଟଳି ପଡ଼ିଲା ସେଇଠି । ଦେବେନ୍ଦ୍ର କାଳ ବିଳମ୍ବ ନକରି ଶ୍ୟାମଳୀର ମୂର୍ଚ୍ଛିତ ଶରୀରକୁ କାନ୍ଧକୁ ଉଠାଇ ନେଲା । ପୂଜକ କହିଲା ‘‘ଚାଲ, ସେଇଟାକୁ ମୁଁ ଖତମ କରି ଦେଇ ଯିବି । ଆମର ବିଳମ୍ୱ ହେଲେ ସବୁ କାମ ଅଚଳ ହୋଇ ପଡ଼ିବ ।’’ ଶୁଖିଲା ପତ୍ରର ଶସ୍‌ ଶସ୍‌ ଶବ୍ଦ ହେଲା । ଦିଗମ୍ୱର ସଂପୂର୍ଣ୍ଣ ଚେତାଶୂନ୍ୟ ହୋଇ ନ ଥାଏ । ଯନ୍ତ୍ରଣାରେ ସେ ଅସ୍ଥିର ହେଉଥାଏ । ସେ ଦୁଇଜଣ ଖସ୍‌ ଖସ୍‌ଶବ୍ଦ ଆଡ଼େ ଚାହିଁଲେ । ଦେବେନ୍ଦ୍ର କହିଲା ‘‘ଏଇ ଦେଖ, ପାଦ୍ରିଟା ଇଆଡ଼େ ଆସୁଛି । କଣ କରିବା’’ ପୂଜକ ଛୁରୀଟାକୁ ବଣକୁ ଫୋପାଡ଼ି ଦେଲା । ପାଦ୍ରି ତାଙ୍କ ନିକଟତର ହେଲେ । ଏମାନଙ୍କୁ ଦେଖି ପାଦ୍ରି ବିସ୍ମିତ ହେଲେ । ଭଙ୍ଗା ଭଙ୍ଗା ବଙ୍ଗଳା ଭାଷାରେ ସେ କହିଲେ ‘‘କଣ ହୋଇଛି ।’’ ପୂଜକ ତତ୍‌କ୍ଷଣାତ ଉତ୍ତର ଦେଲା ‘‘ଏଦୁହେଁ ହିଂସ୍ର ଜନ୍ତୁଙ୍କ ଆକ୍ରମଣରେ ଏ ଦୁର୍ଦ୍ଦଶା ପ୍ରାପ୍ତ ହୋଇଛନ୍ତି । ଗୋଟାଏ ଦନ୍ତାବଳ ବାରହା ହାବୁଡ଼େ ପଡ଼ିଥିଲେ । ଆମେ ବାରହାକୁ ଘଉଡ଼ାଇ ଦେଉଛି ।’’ ପାଦ୍ରି କହିଲେ ‘‘ଆହା, ଯୁବକଟିର ଅବସ୍ଥା ସାଂଘାତିକ । ତୁମ ମାନଙ୍କର ଦୟା ହେଉ । ଏଇ ବନଭୂମି ଠିକ୍‌ ଶେଷ ହୋଇଗଲେ ଆମର ମିଶନ ଡାକ୍ତରଖାନା ଅଛି । ପ୍ରତିଦିନ ବହୁ ବନବାସୀ ବ୍ୟଜନ୍ତୁଙ୍କ ଦ୍ୱାରା କ୍ଷତ ବିକ୍ଷତ ହୋଇ ସେଠାରେ ଚିକିତ୍ସିତ ହୁଅନ୍ତି । ଟିକିଏ ସେଠି ଖବର ଦେଇ ଦେଲେ ଆମର ସର୍ଭିସ୍‌ ଦଳ ଆସି ଏମାନଙ୍କୁ ନେଇଯିବେ ।’’ ଦେବେନ୍ଦ୍ର କହିଲା ‘‘ପାଦ୍ରି ମହାଶୟ । ଆମେ ବାଧ୍ୟ ହୋଇ ବାଟରେ ଅଟକି ଯାଇଛୁ ସିନା, ଆମର ସମୟ ନାହିଁ । ଆମର ଆଜି ବଡ଼ ପର୍ବର ଉଦ୍‌ଯାପନ ଦିନ । ଶହ ଶହ ଲୋକ ଆମ ଅପେକ୍ଷାରେ ବସିଥିବେ । ଆପଣ ଦୟାକରି ଏହାର ବ୍ୟବସ୍ଥା କରନ୍ତୁ । ବେଳତ ରତ ରତ ହେଲାଣି ।’’ ଶ୍ୟାମଳୀର ମୂର୍ଚ୍ଛିତ ଦେହକୁ ସେଇ ଚଟାଣ ଉପରେ ପକାଇ ଦେଇ ସେ ଦୁହେଁ ଯଥାଶୀଘ୍ର ସେଠୁ ପଳାୟନ କଲେ ।

 

ପାଦ୍ରି ନିଜ ପକେଟରୁ ତୁଳା କାଢ଼ି ଯୁବକଯିର କ୍ଷତ ସ୍ଥାନକୁ ପୋଛି ଦେଲେ । ଏଥିଲା ତାଙ୍କର ପ୍ରତିଦିନର କର୍ମ । କନ୍ୟାଟିର ବିଶେଷ କ୍ଷତି ନ ହେଲା ପରି ମନେ ହେଉଛି । ସେ ଶ୍ୟାମଳୀକୁ ସାମାନ୍ୟ ଉପଚାର କରିବାକୁ ଆରମ୍ଭ କଲେ । ନିକଟରୁ ପାଣି ଟୋପାଏ ମିଳିଥିଲେ ଖୁବ୍‌ ଭଲ ହୋଇଥାନ୍ତା । କିନ୍ତୁ ତା’ତ ଦିଶୁନି । ବେଳ ବୁଡ଼ି ଆସୁଛି । ସେ ଶ୍ୟାମଳୀର ନାକ ଫୁଙ୍କିଲେ । ଅଳ୍ପ ସମୟ ପରେ ଶ୍ୟାମଳୀ ଆଖି ଖୋଲିଲା । ତାପରେ ପାଦ୍ରିଙ୍କୁ ଦେଖି ସେ ଆହୁରି ବିବ୍ରତ ହୋଇ ପଡ଼ିଲା । ପାଦ୍ରିଙ୍କର ଭଙ୍ଗା ଭଙ୍ଗା ବଙ୍ଗଳା ସେ ବୁଝି ପାରିଲା ନାହିଁ । ଆହୁରି ତ୍ରସ୍ତ ହେଲା । ବହୁ କଷ୍ଟରେ ଦିଗମ୍ୱର କହିଲା ‘‘ମହାଶୟ, କିଏ ତୁମେ ଦେବଦୂତ । ମତେ ବଞ୍ଚାଅ । ଶ୍ୟାମଳୀ, ଭୟ କର ନାହିଁ ।’’ ପାଦ୍ରି ଝିଅଟିକୁ କହିଲେ ‘‘ତୁମର କିଛି କଷ୍ଟ ହେଉଛି ମା ।’’ ଶ୍ୟାମଳୀ ଯାହା ବୁଝୁ ନ ବୁଝୁ ମୁଣ୍ଡ ହଲାଇ ମନାକଲା । ତାପରେ ଦିଗମ୍ୱରଙ୍କୁ ପାଦ୍ରି କହିଲେ ‘‘ତୁମେ କଣ ଉଠି ପାରିବ ଯୁବକ ?’’ ଦିଗମ୍ୱର କହିଲା ‘‘ନା ଆପଣ ମତେ ନେଇଯିବାର ବନ୍ଦୋବସ୍ତ କରନ୍ତୁ । ପାଦ୍ରି କହିଲେ ‘‘ଏଠି ବନ୍ୟଜନ୍ତୁଙ୍କ ନିକଟରେ ତୁମକୁ ଏପରି ଆହତ ଅବସ୍ଥାରେ ଛାଡ଼ିଦେଇ ଯିବ କିପରି ।’’ ଦିଗମ୍ୱର କହିଲା ‘‘ଭୟ ନାହିଁ ମହାଶୟ । ଆପଣ ନିର୍ଭୟରେ ଯାଆନ୍ତୁ । ମୁଁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବି । ଶ୍ୟାମଳୀ ତୁମେ ମଧ୍ୟ ପାଦ୍ରି ସାହେବଙ୍କ ସହିତ ଯାଅ ।’’ କାଳବିଳମ୍ୱ ନ କରି ପାଦ୍ରିଙ୍କ ସହିତ ଶ୍ୟାମଳୀ ଚିକିତ୍ସାଳୟ ଅଭିମୁଖେ ଚାଲି ଯାଉଥିଲା । ଦିଗମ୍ବର ସେମାନଙ୍କ ଗତି ପଥକୁ ଚାହିଁଲା । ପୁଣି ପାଦ୍ରି ଫେରୁ ଫେରୁ ନିଶ୍ଚିତ ରାତି ଘଡ଼ିଏ ହେବ । ଦେବତାର ଅଭିଶାପରୁ ଦିଗମ୍ୱର ହୁଏତ କୌଣସି ବଣ୍ୟ ପ୍ରାଣୀର ଆହାର ହୋଇପାରେ । ସେ ଅପେକ୍ଷା କରି ରହିଲା । କିନ୍ତୁ ପ୍ରାୟ ରାତି ଘଡ଼ିଏ ବେଳକୁ ପାଦ୍ରି ତାଙ୍କର ସେବକ ଦଳଧରି ସେଠି ଉପସ୍ଥିତ ହୋଇଥିଲେ ଓ ଦିଗମ୍ୱରକୁ ଚିକିତ୍ସାଳୟକୁ ଟେକି ନିଆଯାଇଥିଲା ।

 

ଦେବେଦ୍ର ଓ ପୂଜକ ଉର୍ଦ୍ଧ୍ୱଶ୍ୱାସ ହୋଇ ପଳାୟନ କରୁଥିଲେ । ଦେବେନ୍ଦ୍ର କହିଲା ଦେଶରେ ଫିରିଙ୍ଗୀକି ହାକିମି । ନ ହେଲେ ଏ ବନ୍ଦମାସ ପାଦ୍ରିଟାକୁ ଆଜି ଖତମ କରି ଦେଇଥାନ୍ତି । ଯାହା ମନେ ହେଉଛି ଏଗୁଡ଼ା ଦେଶଟାକୁ ଏମିତି ମାଡ଼ି ବସିଥିବେ । ୟାଙ୍କ ବିରୁଦ୍ଧରେ ଯିଏ ବାହାରୁଛନ୍ତି ତାଙ୍କୁ ତ କଳେ ବଳେ କୌଶଳେ ଖତମ କରି ଦେଉଛନ୍ତି । ପୂଜକ କହିଲା ‘‘ଛାଡ଼ ସେ କଥା । ସବୁଦିନେ ସମାନ ଯିବ ନାହିଁରେ । ମହାକାଳ ଏଗୁଡ଼ାଙ୍କୁ ସଂହାର କରିବେ । ମ୍ଳେଛ ସଂହାର ବେଳ ଆସିଲେ ସବୁ ସାଫ୍‌ ହୋଇଯିବ ।’’ ସେମାନେ ଆୟୋଜନ ଦାୟିତ୍ୱରେ ଥିଲେ । ବେଳ ପ୍ରାୟ ଗଡ଼ି ଗଲାଣି । ତାଙ୍କର ବିଳମ୍ୱ ପାଇଁ ବହୁ ଅସୁବିଧା ହୋଇଯିବ । ସେମାନେ ଦଉଡ଼ିବାକୁ ଲାଗିଲେ-

 

ଦିଗମ୍ୱରର ମସ୍ତକରେ ବିରାଟ କ୍ଷତ ହୋଇଥିଲା । ଛାତିରେ ଜଖମ ହୋଇଥିଲା । ପାଦ୍ରିଙ୍କ ଚିକିତ୍ସାରେ ସେ ଆସ୍ତେ ଆସ୍ତେ ଆରୋଗ୍ୟ ହୋଇ ଆସିଲା । ଶ୍ୟାମଳୀ ତାର ପାଖେ ପାଖେ ଥାଏ । ତାର ସୁନ୍ଦର ମୁହଁଟି ମଳିନ ହୋଇ ପଡ଼ିଥାଏ । ବାପ ମା ଭାଇବନ୍ଧୁ ସମସ୍ତଙ୍କୁ ଛାଡ଼ି ସେ ବିଚାରୀ ତାରି ପାଇଁ ଦଣ୍ଡ ପାଉଛି । କେତେ ସହିବ ଆଉ । ଦୁର୍ଗତି ଯେ ଶେଷ ହୋଇନାହିଁ ।

 

ଦିଗମ୍ୱର ସୁସ୍ଥ ହେଲା । ପାଦ୍ରିଙ୍କୁ ତାର ଇତିହାସ କହିଲା । ପାଦ୍ରିଙ୍କ ହୃଦୟରେ ଦିଗମ୍ୱର ପ୍ରତି ଅସୀମ କରୁଣା । ଦିଗମ୍ୱରର କଲିକତା ଯାତ୍ରା କରିବା କଥା ଶୁଣି ସେ କହିଲେ ‘‘ଏଠିକୁ କଲିକତା ବେଶୀ ବାଟ ନୁହେଁ । କିନ୍ତୁ ରାସ୍ତା ଅତି ଭୟଙ୍କର । ମୋର ମଧ୍ୟ କଲିକତା ଯିବାର କଥା । ମୁଁ ଭାବୁଛି ତମେ ଏକୁଟିଆ ଗଲେ ପୁଣି ବିପଦରେ ପଡ଼ିବ । ତୁମର ତ ଜୀବିକାର୍ଜନ ପାଇଁ କଲିକତା ଯିବା କଥା । ମୁଁ ଭାବୁଛି ମୁଁ ତୁମକୁ ଜନସନ ସାହେବଙ୍କ ନିକଟକୁ ନେଇଯିବି । ସେ ତୁମର ବ୍ୟବସ୍ଥା କରିଦେବେ ।’’

 

ପାଦ୍ରିଙ୍କ ସହିତ ନିର୍ଦ୍ଦଷ୍ଟ ଦିନ ପଥ ଯାତ୍ରା ଆରମ୍ଭ ହେଲା । ବାଟରେ ଆଉ କିଛି ବିପତ୍ତି ଘଟିଲା ନାହିଁ । କଲିକତାରେ ପହଞ୍ଚିବାକୁ ସେମାନଙ୍କୁ ପ୍ରାୟ ଦୁଇଦିନ ଲାଗିଥିଲା । ଦ୍ୱିତୀୟଦିନ ସଂଧ୍ୟା ପୂର୍ବରୁ ସେମାନେ ଜନ୍‌ସନଙ୍କ କୋଠୀରେ ପହଞ୍ଚିଲେ । ପାଦ୍ରି ତାଙ୍କର ସବୁ ଦୁଃଖ ବର୍ଣ୍ଣନା କରିଦେଲେ ଜନ୍‌ସନ ସାହେବଙ୍କ ନିକଟରେ । ଜନ୍‌ସନ ସାହେବ ବଡ଼ ଦୟାର୍ଦ୍ର ଦୃଷ୍ଟିରେ ସେମାନଙ୍କ ଆଡ଼କୁ ଚାହିଁଲେ । ତାପରେ ତାଙ୍କର ବଙ୍ଗଳାରେ ଥିବା ବାହାର ଗୃହରେ ସେମାନଙ୍କୁ ଆଶ୍ରୟ ମିଳିଲା । କିନ୍ତୁ ଜନ୍‌ସନ ସାହେବ କହିଥିଲେ ସେମାନଙ୍କୁ ଯଥାସମୟରେ ଚାହା ଇଷ୍ଟେଟ୍‌କୁ ଯିବାକୁ ହେବ ।

 

ଦିଗମ୍ୱରର ଶିକ୍ଷାଥିଲା ଭିନ୍ନ ଧରଣର । ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ସ୍ନାନ କରିବା-। ଆରାଧନା କରିବା ଥିଲା ତାର ଅଭ୍ୟାସ । ସେ ଜାଣେ ‘ଧର୍ମ ରକ୍ଷିତ ଧାର୍ମିକ’ । ମହାକାଳ ଶିବଙ୍କ ନାମରେ ଭଣ୍ଡମାନେ ତାକୁ ହତ୍ୟା କରିବାକୁ ବସିଥିଲେ । ସେଇ ମହାକାଳ ପରମ କାରୁଣିକ ଦୂତ ପ୍ରେରଣ କରି ତାକୁ ରକ୍ଷା କରିଛନ୍ତି ମହାକାଳ ସେ ଭଣ୍ଡ ଗୁଡ଼ାଙ୍କୁ ନିଶ୍ଚୟ ଶାସ୍ତି ବିଧାନ କରିବେ-। ଦିଗମ୍ୱର ମହାକାଳଙ୍କୁ ପ୍ରଗତି କରି ଜଣାଣ କରେ । ତାର ମାନସ ପଟରୁ ସେଇ ମନ୍ଦିରର ଦୃଶ୍ୟ କେବେ ଅପସାରିତ ହେଉନଥିଲା ।

 

ଶ୍ରୀମତୀ ଜନ୍‌ସନଙ୍କର ତାଙ୍କପ୍ରତି ଦୟାର ସୀମା ନଥିଲା । ତାଙ୍କର ମଧୁର ବ୍ୟବହାର ଦିଗମ୍ୱର ମନରୁ ଦୁଃଖ ଲାଘବ କରିଥିଲା । ଜନ୍‌ସନ ସାହେବ ଶ୍ୟାମଳୀକୁ ନିଜ ଝିଅପରି ଭଲ ପାଉଥିଲେ । ସେମାନଙ୍କ ସହିତ ଚାହା ଇଷ୍ଟେଟକୁ ଯିବାକୁ ହେଲା ଦିଗମ୍ୱର ଓ ଶ୍ୟାମଳୀଙ୍କୁ । ପାଦ୍ରି ମଧ୍ୟ ତାଙ୍କ ସହିତ ସେ ରମଣୀୟ ସ୍ଥାନକୁ ଯାଇଥିଲେ ।

 

ବଙ୍ଗଳାର ସେଇ ଉତ୍ତର ସୀମାନ୍ତ ଆଡ଼କୁ ପାର୍ବତ୍ୟାଞ୍ଚଳରେ ଥିଲା ଅନେକ ଚାହା ଇଲାକା । ଜନ୍‌ସନଙ୍କର ଚାହା ଇଲାକା ଥିଲା ପୂର୍ବ ଭାଗରେ ରମଣୀୟ ଉଦ୍ୟାନ, ଛୋଟ ଛୋଟ ପାହାଡ଼ ଓ ବୃକ୍ଷଲତା ପ୍ରାଣରେ ଅପୂର୍ବ ଆନନ୍ଦ ଆଣିଦେଲା । ଚାହା ବଗିଚାର ମଧ୍ୟ ଭାଗରେ ଥିବା ଛୋଟ ପାହାଡର ସାନୁଦେଶରେ ଦେବଦାରୁ ବେଷ୍ଟିତ କୁଞ୍ଜରେ ଥିଲା ଜନ୍‌ସନ୍‍ଙ୍କର ବଙ୍ଗଳା । ଚାହା ଉଦ୍ୟାନର ଶେଷଭାଗରେ ଥିଲା ମୂଲିଆଙ୍କ ବସ୍ତି । ଘରଗୁଡ଼ିକ ଜନସନଙ୍କଦ୍ୱାରା ନିର୍ମିତ ହୋଇଥିଲା-। ଦିଗମ୍ୱରଙ୍କୁ ସେଥିରୁ ବଖରାଏ ଘର ମିଳିଗଲା । ଈଶ୍ୱରଙ୍କର ଅପାର କରୁଣା । ଶ୍ୟାମଳୀ ତାର ଘର ସଂସାର ଏଇ କୁଡ଼ିଆରେ ଆରମ୍ଭ କଲା । ସେମାନଙ୍କ ପରି ଆଉ କେତେକ ଓଡ଼ିଆଲୋକ ମଧ୍ୟ ସେଇଠି ଆତ୍ମ ଗୋପନ କରିଥିଲେ । ଦିଗମ୍ୱର ସହିତ ସେମାନଙ୍କ ଦେଖା ହେବାପରେ ସେମାନେ ଯେତିକି ଆଶ୍ୱସ୍ତ ହୋଇଥିଲେ ଦିଗମ୍ୱର ମଧ୍ୟ ସେତିକି ଆଶ୍ୱସ୍ତ ହୋଇଥିଲା-

 

ଦିଗମ୍ୱର ଥିଲା ବର୍ଣ୍ଣଶ୍ରେଷ୍ଠ ବ୍ରାହ୍ମଣ । ଅନ୍ୟମାନେ ଚାହା ଇଲାକାରେ କାମ କରୁଥିଲେ, ମୂଲ ପାଉଥିଲେ । କିନ୍ତୁ ଦ୍ୱିଜ ଦିଗମ୍ୱର ମୂଲ ଲାଗି ନପାରେ ଏହା ତା ଜାତିର କାମ ନୁହେଁ । ଦ୍ୱିଜ କନ୍ୟା ଶ୍ୟାମଳୀ ମଧ୍ୟ ଇତର ନାରୀଙ୍କ ପରି ଚାହାପତ୍ର ତୋଳାଳୀରେ ପରିଣତ ହୋଇ ନପାରେ । କିନ୍ତୁ ଏହି ଉଦ୍ୟାନରେ ବାସ କରୁଥିବା ପ୍ରତ୍ୟେକଟି ମାନବକୁ ଏହିପରି ଅନ୍ନ ସଂସ୍ଥାନ କରିବାକୁ ପଡ଼ୁଥିଲା । ଏହାହିଁ ଥିଲା ସେମାନଙ୍କର ବୃତ୍ତି । ଜନ୍‌ସନ୍‍ ଦମ୍ପତ୍ତି ଦିଗମ୍ୱରକୁ ନିଷ୍କ୍ରିୟ ଦେଖି ବିସ୍ମିତ ହୋଇ ପଡ଼ିଲେ ।

 

ଦିଗମ୍ୱର କୌଣସି କଥାକୁ ଭ୍ରୁକ୍ଷେପ ନକରି ବାଲୁକାରେ ବେଦୀ ନିର୍ମାଣ କଲା । ବାଲିଗରଡ଼ାରେ ନିର୍ମାଣ କଲା ଲିଙ୍ଗ । ତାପରେ ବେଲପତ୍ର ଚଢ଼ାଇ ପୂଜା ଆରମ୍ଭ କରିଦେଲା । ଅଶାନ୍ତ ମାନବ ଦଳ ସ୍ୱମୂଲ୍ୟରୁ ଦିଗମ୍ୱରଙ୍କୁ କିଛି କିଛି ଦାନ କରି ପାଣି ଲାଗି କରିବାରେ ଲାଗିଲେ-। ଦେବତାର ଆରାଧନାରେ ଦିଗମ୍ୱର ଆହୁରି ତତ୍ପର ହୋଇ ପଡ଼ିଲା । ଦ୍ୱିଜ ପୁତ୍ରର ପେଟ କେବେ ଅପୋଷା ରହେ ନାହିଁ । ଏକଥା ଜନ୍‌ସନ ଦମ୍ପତିଙ୍କୁ ଜଣା ନଥିଲା ।

 

ଜନ୍‍ସନ ଦମ୍ପତ୍ତି ଦିଗମ୍ୱରର କାମ ଦେଖି ଖୁସି ହେଲେ ନାହିଁ । ଉପାର୍ଜନକ୍ଷମ ଯୁବକ ସେ । ଅନ୍ୟର ଉପାର୍ଜନ ଉପରେ ଜୀବିକା ନିର୍ବାହ କରିବା କେତେଦୂର ସମୀଚୀନ । ସେମାନେ କିନ୍ତୁ ଦିଗମ୍ୱରକୁ ସେ ବିଷୟରେ ପ୍ରଶ୍ନ କରି ପାରି ନଥିଲେ । ବରଂ ଦିଗମ୍ୱର ସହିତ ମଧୁର ଆଳାପ କରିବାକୁ ତାଙ୍କୁ ଭଲ ଲାଗୁଥିଲା । ଦିଗମ୍ୱର ଯେମିତି ବାହାରେ ଲିଙ୍ଗ ସ୍ଥାପନା କରି ପୂଜା କରୁଥିଲା ଶ୍ୟାମଳୀ ସେମିତି ଜଗନ୍ନାଥଙ୍କ ଚିତ୍ରପଟ ଆଙ୍କି ପ୍ରଣତି କରି ଦୁଃଖ ଜଣାଉଥିଲା । ଶ୍ୟାମଳୀ ମା’ ହେବାକୁ ଯାଉଥିଲା ।

 

ଦିନେ ପାଦ୍ରି ସାହେବ ଓ ଜନ୍‌ସନ ଦମ୍ପତ୍ତୀ ଏକାଠି ବସି ଚା ପାନ କରୁଥିଲେ । ଦିଗମ୍ୱରର ସେତେବେଳେ ଆରାଧନା ଶେଷ ହୋଇଥାଏ । ସେ ଘରକୁ ଫେରୁଥାଏ । କାନିରେ ବନ୍ଧା ହୋଇଥାଏ ଚାଉଳ । ଦୂରରୁ ତାକୁ ଲକ୍ଷ୍ୟ କରି ଶ୍ରୀମତୀ ଜନ୍‌ସନ କି ପ୍ରକାର ମନ୍ତବ୍ୟ ଦେଲେ କେଜାଣି ଚପରାଶି ଆସି ଦିଗମ୍ୱରକୁ ଡାକି ନେଇ ଗଲା । ସେମାନେ ଦିଗମ୍ୱରକୁ ବସିବାକୁ ଆସନ ଦେଇ ପ୍ରଥମେ ଦିଗମ୍ୱରର ପ୍ରଶଂସାମାନ କଲେ । ତାପରେ ପାଦ୍ରି ତାକୁ କହିଲେ ‘‘ଯୁବକ ତୁମେ ଆମର ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କର । ତୁମର ଖୁବ୍ ବୁଦ୍ଧି ଅଛି । ପ୍ରଭୁ ଯୀଶୁଙ୍କ କୃପାରୁ ତୁମେ ଖୁବ୍ ବଡ଼ ସରକାରୀ ଚାକିରୀ ପାଇଯିବ । ତୁମର ଆଉ କୌଣସି ଅସୁବିଧା ରହିବ ନାହିଁ ।’’ ଦିଗମ୍ୱର ବିସ୍ମିତ ହୋଇ ପଡ଼ିଲା । ଏ ପୁଣି କି ପରୀକ୍ଷା ପ୍ରଭୁ । ଗରିବ ଦ୍ୱିଜକୁ ଏପରି ବାରମ୍ୱାର ପରୀକ୍ଷା କରୁଛ କାହିଁକି ? ସେ କହିଲା ‘‘ଧର୍ମାନ୍ତର କଥା କହୁଛନ୍ତି । ମୋର ସେଥିରେ ଆବଶ୍ୟକତା କଣ ଥାଇପାରେ ?’’ ଶ୍ରୀମତୀ ଜନ୍‌ସନ୍ କହିଲେ ଯୁବକ, ପ୍ରତ୍ୟେକ ମାନବ ଗୋଟାଏ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖେ । ତୁମେ କଣ ତାର ବ୍ୟତିକ୍ରମ । ଅନ୍ୟ ଉପରେ ମୁଁ ନିର୍ଭର କରିନାହିଁ ମହାଶୟା । ପରମ ପିତାଙ୍କ ଦାନ ବ୍ୟତୀତ ଅନ୍ୟ କିଛି ଉପରେ କିଏ ଭରସା କରେ ଯୁବକ ତୁମ ପରି ଜଣେ ଉଦୀୟମାନ ଯୁବକର ଏ କଣ ଯଥାର୍ଥ କର୍ତ୍ତବ୍ୟ । ଭୁଲ ବୁଝନା । ଭବିଷ୍ୟତରେ ତୁମେ ଏହାର ମହତ୍ୱ ବୁଝି ପାରିବ । ଧର୍ମାନ୍ତର ଗ୍ରହଣରେ ତୁମର କୌଣସି କ୍ଷତି ହେବନାହିଁ ।’’ ଦ୍ୱିଗମ୍ୱର କହିଲା ‘‘କ୍ଷତି ନ ହୋଇପାରେ । ଲାଭ ବା କଣ ହୋଇପାରେ । ଯେଉଁ ଧର୍ମକୁ ରକ୍ଷା କରିବାକୁ ସମସ୍ତ ତ୍ୟାଗ କରି ଆସିଛି ଆଜି ସ୍ୱଇଚ୍ଛାରେ ତାକୁ ତ୍ୟାଗ କରି ନ ପାରେ । ମୋର ଶିକ୍ଷା ଓ ସଂସ୍କୃତି ମୋ ପଛରେ ଠିଆ ହୋଇଛି ମହାଶୟା । ମୋ ମତରେ ଧର୍ମ ଏକ । ତାର ପରିବର୍ତ୍ତନ କରିବାରେ ଆବଶ୍ୟକତା ବା କଣ ? ପାଦ୍ରି କହିଲେ ‘‘ଠିକ୍ କହିଛ ଯୁବକ । ପ୍ରକୃତରେ ଧର୍ମ ଏକ । କିନ୍ତୁ ତାର ଆରୋଧନା ପଦ୍ଧତି ମାତ୍ର ଭିନ୍ନ । ସମଗ୍ର ପୃଥିବୀରେ ଆଜି ଯେଉଁ ଧର୍ମ ପାଳନ ହୋଉଛି ସେଇ ଧର୍ମକୁ ଗ୍ରହଣ କରି ବିଶ୍ୱମାନବରେ ପରିଣତ ହୁଅ । ତୁମର ସବୁ ସଂକୀର୍ଣ୍ଣତା ଦୂର ହୋଇଯିବ ।’’ ଚଉପାତୀ ହୋଇଥିଲେ ନାକରେ ଟିକେ ନାଶ ଦେଇ ତାଙ୍କ କଥା ବିଚାର କରିବାର ସମୟ ମିଳିଥାନ୍ତା । କିନ୍ତୁ ଏ ତ ଅସ୍ଥାନ । ତଥାପି ଦିଗମ୍ୱରର ଶାସ୍ତ୍ରଜ୍ଞାନ କମ୍ ନଥିଲା । ସେ କହିଲା ‘‘ଓ ହୋ, ମନେ ପଡ଼ିଲା ସର୍ବନାଶ ସମୁତ୍ପନେ ଅର୍ଦ୍ଧତ୍ୟଜତି ପଣ୍ଡିତ ।’’ ଆଚ୍ଛା ମୁଁ ଆପଣଙ୍କ କଥା ବିଚାର କରି ଦେଖିବି । ସେଦିନର କଥୋପକଥନ ସ୍ଥଗିତ ହେଲା । ଅନ୍ୟାନ୍ୟ ବିଷୟରେ ସେମାନେ ଆଲୋଚନା କଲେ । ଦିଗମ୍ୱର ଘରକୁ ବାହୁଡ଼ି ଆସିଲା ।

 

ତା ପରଦିନ ପୁଣି ଆସିଲା ସଙ୍କେତ । ଦିଗମ୍ୱର ଗଲା । କିନ୍ତୁ ପାଦ୍ରି ସେଠି ନଥିଲେ । ଜନ୍‌ସନ୍ ସାହେବ କହିଲେ ‘‘ବୋଧେ ଆମ ପ୍ରସ୍ତାବ କଥା ମନେଥିବ । କଣ ବିଚାର କଲ ।’’ ପ୍ରତ୍ୟୁତ୍ପନ୍ନମତି ଦିଗମ୍ୱର କହିଲା ‘‘ଆପଣଙ୍କୁ ମୋ କଥା କହିବି କହିବି ବୋଲି କହି ପାରିନାହିଁ । ଆପଣ ମୋର ପ୍ରତିଭା ଜାଣନ୍ତି ନାହିଁ । ମତେ ସାଧାରଣ ବ୍ରାହ୍ମଣ ବୋଲି ମନେ କରନ୍ତୁ ନାହିଁ । ମୁଁ ଅସାଧ୍ୟ ସାଧନ କରିପାରେ । ପାଣି ନାଗି କରି ମୁଁ ଯାହା କହିବି ସେଇଆ ଘଟିବ । ଆପଣଙ୍କ ବିପତ୍ତି ପଡ଼ିଲେ ମୁଁ ଅନେକ ଉପକାରରେ ଆସିବି ।’’

 

ଦିଗମ୍ୱରର ମଧୁର କଥାରେ ଜନ୍‌ସନ୍ ଦମ୍ପତି ପ୍ରକୃତରେ ସବୁ ଭୁଲିଗଲେ । ଏମିତି ମଧୁର କଥାରେ ମଣିଷ ଅନ୍ୟକୁ ଭୁଲାଏ । ଏଇ ଦ୍ୱିଜ ଦିଗମ୍ୱର ନିଜକୁ ରକ୍ଷା କରି ନପାରି ଯେ ଦିନ କେଇଟା ତଳେ ତାଙ୍କରି ଚରଣରେ ଆଶ୍ରୟ ଲୋଡ଼ିଥିଲା ତାରି ପ୍ରତିଭା ନିକଟରେ ଜନ୍‌ସନ୍ ଦମ୍ପତ୍ତି କିପରି ହାରମାନିଲେ ଭାବି ହେଉନାହିଁ । ସେଦିନ ମଧ୍ୟ ଦିଗମ୍ୱର ଏଇ ପ୍ରଶ୍ନକୁ ଏଡ଼ାଇ ଦେଇଥିଲା ।

 

ପୁଣି କିଛିଦିନ ଚାଲିଗଲା । ସେଇ ପ୍ରଶ୍ନ, ସେଇ ସମସ୍ୟା ଦେଖାଗଲା । ଶ୍ରୀମତୀ ଜନ୍‌ସନ୍ କହିଲେ ‘‘ତୁମେ ଆମକୁ ଠକି ଦେଉଛ ଯୁବକ । ଆମ ଧର୍ମ ଗ୍ରହଣ କଲେ ପ୍ରକୃତରେ ତମର କ୍ଷତି ହେବ ନାହିଁ ।’’ ଦିଗମ୍ୱର କହିଲା ‘‘ସେ କଥା ମୁଁ ଭାବୁଚି । କ୍ଷତି କିଛି ନ ହେଲେ ବି ଲାଭ କଥାଟାତ ଦେଖିବାକୁ ହେବ । କହିଥିଲି ପରା, ମଣିଷ ସମାଜ ଏକ । ମାନବିକତା ନାମରେ ତାର ଧର୍ମ ମଧ୍ୟ ଏକ । ଏଇ ପୃଥିବୀରେ ରାମ, କୃଷ୍ଣ, ବୁଦ୍ଧ, ଯୀଶୁ ଓ ମହମ୍ମଦ ଆଦି ଯେତେ ରାସ୍ତା ପକାଇଛନ୍ତି ପ୍ରତ୍ୟେକଟି ରାସ୍ତା ଅପରଠାରୁ ଭିନ୍ନ । ତା ବୋଲି ଜଣେ ଅନ୍ୟ ଜଣକୁ ନିକୃଷ୍ଟ ବୋଲି କହିବାକୁ ଚେଷ୍ଟା କରିବା ବା ଗୋଟିଏ ରାସ୍ତାରୁ ଆଉ ଗୋଟାଏ ରାସ୍ତାକୁ ଟାଣି ନେବା ମୋ ବିଚାରରେ ଠିକ୍ ନୁହେଁ ।’’ ସେ କହିଲେ ‘‘ବାଃ, ଚମତ୍କାର ତୁମର ଚିନ୍ତାଧାରା । ପ୍ରକୃତରେ ମୁଁ ତୁମକୁ ପ୍ରଶଂସା ନକରି ରହି ପାରୁନି ।’’ ଦିଗମ୍ୱର କହିଲା ‘‘ମୁଁ ଗୋଟାଏ ଏପରି ବିରାଟ ଧର୍ମର ଦାୟାଦ ଯେଉଁ ବିଷୟରେ ତୁମକୁ ସଠିକ୍ ଧାରଣା ଦେଇ ପାରିବ ନାହିଁ । ମହାଶୟା, ମୋର ଏ ଧର୍ମ ଜ୍ଞାନ, ପ୍ରେମ, କରୁଣା, ମୈତ୍ରୀ ସବୁଥିରେ ଅଦ୍ୱିତୀୟ । ଏହାର ରୋମାଞ୍ଚକର କଥାବସ୍ତୁ ପାଠ କଲେ ଅପୂର୍ବ ଆନନ୍ଦ ପାଇବେ । ଧର୍ମଜ୍ଞାନ ଚର୍ଚ୍ଚାକଲେ ବିସ୍ମୟରେ ବୁଡ଼ିଯିବେ । କରୁଣାର କଥା ଶୁଣିଲେ ଚକ୍ଷୁରୁ ଲୋତକ ଝରିବ ଆଉ ମୈତ୍ରୀ କଥା ଶୁଣିଲେ କର୍ଣ୍ଣ ସାର୍ଥକ ହେବ ।’’ ସେ କହିଲେ ‘‘ବାଃ, ତୁମେ ଜଣେ ସୁନ୍ଦର ବକ୍ତା । ତୁମ କଥା ଶୁଣିବାକୁ ବେଶ୍ ଭଲ ଲାଗୁଛି । ଆଚ୍ଛା, ତୁମ ଧର୍ମର ଗୋଟାଏ ରୋମାଞ୍ଚକର କଥା ଶୁଣାଇଲେ ଖୁସି ହେବୁ ।’’ ଦିଗମ୍ୱର କହିଲା ‘‘ସେତ ବହୁତ ଅଛି । ଆପଣଙ୍କୁ ଗୋଟିଏ ଚତ୍ମକାର ଅଧ୍ୟାୟ ଶୁଣାଇବି ।’’

 

ଦିଗମ୍ୱର କହିଲା ‘‘ମୋର ମନେହୁଏ ଆପଣ ରାଧାକୃଷ୍ଣଙ୍କ କଥା କିଛି କିଛି ଜାଣନ୍ତି । ବର୍ତ୍ତମାନ ମୁଁ ବୃନ୍ଦାବନର ଗୋଟାଏ ଲୀଳା ବର୍ଣ୍ଣନା କରୁଛି ଶୁଣନ୍ତୁ–ଏକଦା ରାଧା କୃଷ୍ଣଙ୍କୁ ଚମତ୍କୃତ କରିବାକୁ ଇଚ୍ଛା କଲେ । ନିଜ ଗୌର ଅଙ୍ଗକୁ ନୀଳ କଲେ । କଟିରେ ପୀତ ବସନ ପିନ୍ଧିଲେ । ଶିରରେ ମୟୁର ପୁଚ୍ଛ ଓ କୃଷ୍ଣଙ୍କର ଅନ୍ୟାନ୍ୟ ଅଳଙ୍କାର ପିନ୍ଧି କୁଞ୍ଜବନକୁ ଗଲେ । ମାଧବୀ ଲତାର ସେ ନିଘଞ୍ଚ ଶ୍ୟାମକୁଞ୍ଜ....ଶ୍ରୀମତୀ ଜନ୍‌ସନ୍ ପଚାରିଲେ ‘‘ମାଧବୀ ଲତା କେଉଁ ପ୍ରକାର ଲତା ?’’ ଦିଗମ୍ୱର ବଡ଼ ଆଡ଼ୁଆରେ ପଡ଼ିଗଲା । ଲତାଟିର ନାଁ ଶୁଣିଥିଲେ ବି ଲତାଟିର ପରିଚୟ କେବେ ପାଇନି । ସେ କିନ୍ତୁ ହାରିବାର ପାତ୍ର ନୁହେଁ, କହିଲା ‘‘ଶ୍ୟାମବର୍ଣ୍ଣର ସୁନ୍ଦର ପତ୍ରଯୁକ୍ତ ଲତା ।’’ ତାପରେ ଲତା କୁଞ୍ଜରୁ କୃଷ୍ଣଙ୍କ ବେଣୁ ବାଦନ ଆରମ୍ଭ କଲେ । ପ୍ରଥମ ରନ୍ଧ୍ରରେ ସ୍ୱର ଦେଲାକ୍ଷଣି ବେଣୁ ଗାଇ ଉଠିଲା ‘‘ଆସ ଚନ୍ଦ୍ରାବଳୀ, କୁଞ୍ଜବନେ ଆସ ଚନ୍ଦ୍ରାବଳୀ । ମିଳନ ମଧୁର ମୁହୂର୍ତ୍ତ ଉତ୍ତୀର୍ଣ୍ଣ ହେବାକୁ ବସିଲାଣି ।’’ ରାଧା ତ୍ରସ୍ତ ହୋଇ ଦ୍ୱିତୀୟ ରନ୍ଧ୍ରରେ ସ୍ୱର ଦେଲେ । ବଂଶୀ ଗାଇ ଉଠିଲା ‘‘ଆସ ପ୍ରାଣ ସହୀ ରାଧିକା, କୁଞ୍ଜବନେ ଆସ । ଆସ ରାଇ ବିନୋଦିନୀ, ମିଳନ କାମନାରେ ମୁଁ ବ୍ୟଥିତ ।’’ ରାଧା ନିଜ ନାମ ଶୁଣି ଲଜ୍ଜାରେ ବଂଶୀକୁ ତଳେ ରଖିଦେଲେ । ବଂଶୀ ବାଜିବାରେ ଲାଗିଲା । ରାଧା କାମପୀଡ଼ାରେ ଅବଶ ହୋଇ ପଡ଼ିଲେ । ନିରୂପାୟ ହୋଇ ସେ ବଂଶୀକୁ ପ୍ରଣାମ କରି କହିଲେ ‘‘ହେ ବଂଶୀ, ଥରେ ହେଲେ କୃଷ୍ଣ କୃଷ୍ଣ ବୋଲି ଡାକ । ଥରେ ତୋର ପ୍ରଭୁଙ୍କୁ ଉଚ୍ଚାଟ କର ।’’ ବଂଶୀ ଗାଇ ଉଠିଲା । ‘‘ଆସ ରସରାଜ, ଆସ ରାଇପ୍ରାଣେଶ୍ୱର । କୁଞ୍ଜବନେ ଆସ ଆସ-।’’ ଉଚ୍ଚାଟନ ସ୍ୱରରେ ବଂଶୀ ଗାଇ ଉଠିଲା । ସେ ଧ୍ୱନି ଶୁଣି କୃଷ୍ଣ ଅନ୍ତପୁରରେ ଉଚ୍ଚାଟିତ ହେଲେ । ତ୍ରିଭୁବନ ଉଚ୍ଚାଟିତ ହୋଇ ପଡ଼ିଲା । ରାଧାଙ୍କ ଚାତୁର୍ଯ୍ୟ ବୁଝିପାରି କୃଷ୍ଣ ଲତିତାଙ୍କୁ ଡାକିଲେ । ସେ କହିଲେ ‘‘ସଖୀ, ମତେ ରାଧା ବେଶ କର ।’’ ଲଳିତା ହସିଲେ । ସେ କହିଲେ । ‘‘ଗୋପୀନାଥ, ତୁମର ଏ ଇନ୍ଦ୍ରନୀଳ କାନ୍ତି ଉପରେ ଶ୍ରୀରାଧାଙ୍କର ଗୌରକାନ୍ତି କିପରି ରଚନା କରିବି ମୁଁ ।’’ କୃଷ୍ଣ କହିଲେ ଅଳଙ୍କାର ଆଣ ସଜନୀ । ମୁଁ ଆଉ କ୍ଷଣେ ବି ରହି ପାରୁନାହିଁ । ଲଳିତା ଦେଖିଲେ କୃଷ୍ଣଙ୍କର–ସେ ନୀଳ ତନୁ ଶ୍ରୀରାଧଙ୍କ ବର୍ଣ୍ଣ ଧାରଣ କରି ସାରିଲାଣି । ‘‘ଚତୁର କାହ୍ନୁ, ଯାଦୁକର ତୁମେ’’ । ଏକଥା କହୁ କହୁ ଲଳିତା ତାଙ୍କୁ ରାଧାବେଶ କରି ସାରିଥିଲେ । କୃଷ୍ଣ କହିଲେ ‘‘ସଖୀ, ମୁଁ ତ ରାଧାଙ୍କ ବଂଶୀ ସ୍ୱନରେ ଅସ୍ଥିର । ମୁଁ କଣ ପ୍ରେମଭିକ୍ଷା କରିବି ଆଉ ସେ ମୋ ମଜା ଦେଖିବ । ତୁମେ ମତେ ଏଥିରୁ ବଞ୍ଚାଅ । ମତେ ଉପାୟ ବତାଅ । ଯଦ୍ୱାରା ଶ୍ରୀରାଧାର ଧୈର୍ଯ୍ୟ ବନ୍ଧ ଭାଙ୍ଗିଯିବ-।’’ ଲଳିତା କହିଲା ‘‘ତୁମେ ତୁମ ମୋହନ ବାଦ୍ୟ ବଜଉନ ରସରାଜ’’ କୃଷ୍ଣଙ୍କ ହାତରେ ଲଳିତା ମୋହନ ବାଦ୍ୟ ଅର୍ପଣ କରି ମଜା ଦେଖିବାକୁ ଗଲେ । ବାଜିଲା ମୋହନ ବାଦ୍ୟ-। ତ୍ରିପୁର ମୋହିତ ମୂର୍ଚ୍ଛିତ ହୋଇ ପଡ଼ିଲା । ରାଧା ସହ୍ୟ କରି ନପାରି ଅଧିକ ଉଚ୍ଚରେ ବଂଶୀ ବାଦନ କଲା । ଏଣେ ଉଚ୍ଚାଟନ ତ ତେଣେ ମୋହନ । ରାଧା କୃଷ୍ଣଙ୍କ ଉଦ୍ଦେଶ୍ୟରେ ଓ କୃଷ୍ଣ ରାଧାଙ୍କ ଉଦ୍ଦେଶ୍ୟରେ ଧାବିତ ହେଲେ ।

 

ସ୍ୱର୍ଗରେ ଦେବଗଣ ଅସ୍ଥିର ହୋଇ ବ୍ରହ୍ମାଙ୍କୁ କହିଲେ ‘‘ହେ ବିଧାୟକ, ଆମକୁ ଆଉ ଅଧିକ ବ୍ୟାକୁଳ ହେବାକୁ ଦିଅ ନାହିଁ । ଆମକୁ ମର୍ତ୍ତ୍ୟକୁ ଯାଇ ଏ ରାସଲୀଳା ଦେଖିବାକୁ ଅନୁମତି ଦିଅ ।’’ ବ୍ରହ୍ମା କହିଲେ ‘‘ହେ ଦେବକୁଳ, ନିର୍ଲଜ ହେଲକି ? ପିତାମାତାଙ୍କ ରାସଲୀଳା କି ଅବଲୋକନ କରିବ ଓ ସେଥିରେ ବ୍ୟାଘାତ ସୃଷ୍ଟି କରିବ ?’’ ଦେବତାମାନେ କହିଲେ ‘‘ହେ ବ୍ରହ୍ମା, ତୁମେ ସ୍ୱର୍ଗରେ ଏଇ ରାସଲୀଳା ସୃଷ୍ଟିକର । ନଚେତ୍ ମଦନ ପୀଡ଼ାରେ ଆମେ ନିର୍ବାଣ ପାଇଯିବୁ । ତୁମେ ଶୀଘ୍ର ଏହାର ଉପାୟ ସ୍ଥିର କର । ନହେଲେ ସବୁ ନିୟମ ଲଙ୍ଘନ କରି ଆମେ ମର୍ତ୍ତ୍ୟକୁ ଧାବମାନ ହେବୁ ।’’ ବ୍ରହ୍ମା ଉପାୟ ନିର୍ଣ୍ଣୟ କରିବାକୁ ଧ୍ୟାନମଗ୍ନ ହେଲେ । କିନ୍ତୁ ଦେବତାମାନେ ଉଚ୍ଛନ୍ନ ହୋଇ ମର୍ତ୍ତ୍ୟକୁ ଧାବମାନ ହେଲେ ।’’ ଧ୍ୟାନରୁ ଉଠି ବ୍ରହ୍ମା ଦେଖିଲେ ସର୍ବନାଶ । ବୃନ୍ଦାବନରେ ପରମ ପିତାମାତା ଯୁଗଳ ଅବସ୍ଥାରେ ଅଛନ୍ତି । ଅଥଚ ଅବିବେକୀ ଦେବବୃନ୍ଦ ଧାବମାନ ହେଉଛନ୍ତି । ବ୍ରହ୍ମା କୁଞ୍ଜବନରେ ମାୟାର ଜାଲ ଘେରାଇ ଦେଲେ । ଦେବତାମାନେ କୁଞ୍ଜବନରେ ରାସଲୀଳା ଦେଖି ନପାରି ମଦନ ପୀଡ଼ାରେ ଆହତ ହେଲେ । ଦେବତାଙ୍କର ଆତୁର ସହ୍ୟ କରି ନପାରି କୃଷ୍ଣଙ୍କ ଆଜ୍ଞାରେ ବ୍ରହ୍ମା ମର୍ତ୍ତ୍ୟଲୋକକୁ ଯାଇଥିବା ଦେବତାଙ୍କୁ ବୃନ୍ଦାବନରେ ବୃକ୍ଷରେ ପରିଣତ କଲେ ।’’

 

ଦିଗମ୍ୱରର ଏଇ ଦୀର୍ଘ ରୋମାଞ୍ଚକର କାହାଣୀ ଶୁଣି ଜନ୍‌ସନ୍ ଦମ୍ପତି ମୁଗ୍‌ଧ ହୋଇପଡ଼ିଲେ । ଶ୍ରୀମତୀ ଜନ୍‌ସନ୍ କହିଲେ ‘‘ବାଃ, ଚମତ୍କାର କଳ୍ପନା ବିଳାସ । କିନ୍ତୁ ତୁମ ଧର୍ମ ଭିତରେ ଏପରି କାହାଣୀ କାହିଁକି ରଖିଛ ?’’ ଦିଗମ୍ୱର କହିଲା-‘‘ମୁଁ ମୂଳରୁ କହିଛି ସେ ରହସ୍ୟ ଭେଦ କରିବା କୌଣସି ସାଧାରଣ ମାନବ ପକ୍ଷରେ ଅସମ୍ଭବ’’ । ସେମାନେ କହିଲେ ‘‘ଧର୍ମ କହିଲେ କଣ ଗୁଡ଼ାଏ କାହାଣୀର ସମାହାର ବ୍ରାହ୍ମଣ ?’’ ତାପରେ ଦିଗମ୍ୱର ଉତ୍‌କେଶର କେଶରୀ ପରି ନିଜର ଅର୍ଜିତ ବିଦ୍ୟାର ପରିଚୟ ଦେଇଥିଲା । ସଂଖ୍ୟା, ନ୍ୟାୟ, ଦର୍ଶନ, ମାୟାବାଦ, ମୁକ୍ତିବାଦ ଇତ୍ୟାଦିର ସମ୍ୟକ୍ ପରିଚୟ ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନେ କୌଣସି ତାତ୍ତ୍ୱିକ ଆଲୋଚନା ଶୁଣିବାକୁ ଆଗ୍ରହୀ ନଥିଲେ । ଦିଗମ୍ୱର ଫେରି ଆସିଥିଲା ।

 

ଜନ୍‌ସନ୍ ଦମ୍ପତ୍ତି ପ୍ରକୃତରେ ଖୁବ୍ ଦୟାଳୁ ଥିଲେ । ଶ୍ରୀମତୀ ଜନ୍‌ସନ୍‌ଙ୍କ ଅସୁସ୍ଥତା ଦେଖାଦେଲାବେଳେ ଦିଗମ୍ୱର ତାଙ୍କ ପାଇଁ ପାଣିଲାଗି କରୁଥିଲା । ଜନ୍‌ସନ୍ ପରିବାରଙ୍କର ମଙ୍ଗଳ କାମନା କରି ସେ ପ୍ରତ୍ୟହ ପାଣିଲାଗି କରିଥାଏ । ହୁଅନ୍ତୁ ପଛେ ବିଜାତୀୟ ମାନବିକତାର ମନ୍ତ୍ରରେ ଦୀକ୍ଷିତ ଏ ପରିବାରକୁ ସଦାଶିବ ଆନନ୍ଦରେ ରଖନ୍ତୁ, । ତାଙ୍କର ମଙ୍ଗଳ ହେଉ ।

 

ନନ୍ଦିତା କହିଲା ‘‘ପୋଥିଟି ଶେଷ ହେବ ନାହିଁ ନଁ । କଣ । ବେଶ୍ ଦୀର୍ଘତ ।’’ ସତ୍ୟବାନ କହିଲା ‘‘ଯଦି ବିରକ୍ତ ଲାଗିଲାଣି, କହିଲେ ବନ୍ଦ କରିଦେବି’’ । ନନ୍ଦିତା କହିଲା ‘‘ନାଁ, ଆଉଟିକିଏ ପଢ଼ାଯାଉ ।’’

 

‘‘ଶ୍ରୀମତୀ ଜନ୍‌ସନ୍ ଦିଗମ୍ୱରକୁ ଅତି ଆପଣାର କରି ଦେଖୁଥିଲେ । ତାକୁ ଖୁବ୍ ସ୍ନେହ କରୁଥିଲେ । ସେ ସବୁବେଳେ କହୁଥିଲେ ଦିଗମ୍ୱରର ଚକ୍ଷୁର ଜ୍ୟୋତି କି ଉଜ୍ଜଳ, କି ତେଜିୟାନ । ତାର ଚାହାଣୀ କେତେ ତୀର୍ଯ୍ୟକ୍ । ତାର ଚକ୍ଷୁର କଳା ଡୋଳା କେତେ ଆକର୍ଷଣୀୟ । ପ୍ରତିଦିନ ସେ ଦିଗମ୍ୱର ସହିତ ଗପସପ କରିବାକୁ ଭଲ ପାଉଥିଲେ । ସେ କହିଥିଲେ ‘‘ମୋର ଏକାନ୍ତ ଇଚ୍ଛା ଦିଗମ୍ୱର । ତୁମେ ଏଇ ଧର୍ମ ଗ୍ରହଣ କର ।’’ ଦିଗମ୍ୱର ତାଙ୍କୁ ଯବାବ ଦେଇ ପାରେ ନାହିଁ । ଦିଗମ୍ୱର ଜାଣିଥିଲା, ପିତାଙ୍କପରି ସେ ନୈଷ୍ଠିକ ନୁହେଁ । ସେ ସୁଖବାଦୀ ହୋଇଥିଲେ ବି ଧର୍ମପାଇଁ ତାର ତ୍ୟାଗର ପଟାନ୍ତର ନାହିଁ । ତାର ପ୍ରତିଟି ରକ୍ତ କଣିକାରେ ପୁଣ୍ୟ ବ୍ରାହ୍ମଣ୍ୟ ଧର୍ମର ଯେଉଁ ପ୍ରବାହ ଖେଳୁଥିଲା ତାକୁ ବିନାଶ କରିବା ତାପରି ଅଧମ ପକ୍ଷରେ ଅସମ୍ଭବ । ତା କାନ୍ଧରୁ ଏ ପବିତ୍ର ଯଜ୍ଞପୋବୀତକୁ ଓହ୍ଲାଇ ଦେଇ ପାରିବ ସେ ? ଦିଗମ୍ୱର ପକ୍ଷରେ ଏହା ନିହାତି ଅସମ୍ଭବ କଥା ।

 

ଦିଗମ୍ୱର ତାଙ୍କ ନିକଟକୁ ଯିବାକ୍ଷଣି ସେ ଧର୍ମରେ ଥିବା ଅନେକ ପ୍ରେମ କହିବାକୁ ଅନୁରୋଧ କରନ୍ତି । ଦିଗମ୍ୱର ତାଙ୍କୁ ଚନ୍ଦ୍ରଙ୍କର ଗୁରୁ ପତ୍ନୀ ହରଣ, ଅହଲ୍ୟାଙ୍କ ଉପାଖ୍ୟାନ, ବ୍ରାହ୍ମାଙ୍କ ସାବିତ୍ରୀ କନ୍ୟା ଉପାଖ୍ୟାନ କଥା ଶୁଣାଇ ପାରିଥିଲା । ସେ ସବୁ ଶୁଣି ସେ କହିଥିଲେ ‘‘ଏ କ’ଣ ବ୍ୟଭିଚାର ନୁହେଁ ବ୍ରାହ୍ମଣ, ସବୁ ଜାଣି ଶୁଣି ଏ କଳଙ୍କିତ ଧର୍ମକୁ ପରିତ୍ୟାଗ କରି ପାରୁନାହିଁ ।’’ ତାଙ୍କ କଥା ଶୁଣି ଦିଗମ୍ୱରର ସର୍ବାଙ୍ଗ କମ୍ପି ଉଠିଲା । ସେ କହିଲା ‘‘ଏ ସତାତନ ଧର୍ମ ମହାଶୟା, ଏଥିରେ କିଛି ମିଶାଇଲେ ଯାହା ଫେଡ଼ିଲେ ବି ସେଇଆ । ସମୁଦ୍ରର ଜଳ ପରି ଏହା ସର୍ବଦା ପୂର୍ଣ୍ଣ ଓ ଅକ୍ଷୟ-। ଆପଣ ଏହାର ରହସ୍ୟ ଭେଦ କରି ପାରିବେ ନାହିଁ ।’’ ସେ କହିଲେ ‘‘ପୃଥିବୀରେ ଏପରି କିଛି ଅଭେଦ୍ୟ ରହସ୍ୟ ନାହିଁ । ବୁଝିବାକୁ ଚେଷ୍ଟା କଲେ ସବୁ ବୁଝି ହେବ । ଅଯଥା ଆତ୍ମବଡ଼ିମାରେ ଗର୍ବିତ ହୁଅ ନାହିଁ ଯୁବକ । କେଉଁ ମହାତତ୍ତ୍ୱକୁ ଅବୋଧ୍ୟ ମନେ କରି ଏପରି କହୁଛ ମୁଁ ବୁଝି ପାରୁନାହିଁ ।’’ ଦିଗମ୍ୱର ପଛେଇ ନ ଯାଇ ଆବୃତ୍ତି କଲା–

 

ଉତ୍‌କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତଂ

ବିମୂଢ଼ା ନାନୁ ପଶ୍ୟନ୍ତି, ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।

 

ମୂଢ଼ମାନେ ଦେହାନ୍ତରଗାମୀ ବା ଦେହସ୍ଥିତ ଅଥବା ବିଷୟଭୋଗ ପ୍ରବୃତ୍ତି କିମ୍ୱା ତ୍ରିଗୁଣଯୁକ୍ତ ଜୀବାତ୍ମାକୁ ଦେଖି ପାରନ୍ତି ନାହିଁ । କିନ୍ତୁ ଜ୍ଞାନନେତ୍ରଯୁକ୍ତ ମାନେ ଦେଖି ପାରନ୍ତି । ଇତି ଗୁହ୍ୟତମଂ ଶାସ୍ତ୍ର’’ ଆପଣ ଏହାର ଅର୍ଥ ଶୁଣି ଯାହା ଭାବିବାର ଭାବନ୍ତୁ । ‘‘ଯେଉଁ ଧର୍ମକୁ ଆପଣ ଗୋଟାଏ ବାତୁଳ ପରି ପ୍ରେମ କାହାଣୀ ସମନ୍ୱିତ ବୋଲି ମନେ କରିଛନ୍ତି ତାହା ନିହାତି ଅସଙ୍ଗତ । ପ୍ରାକ୍ ଐତିହାସିକ କାଳକୁ ଫେରିଗଲେ ଏ ଧର୍ମର ସାର୍ବଭୌମତ୍ୱ ଓ ସର୍ବବ୍ୟାପକତାକୁ ଉପଲବ୍‌ଧି କରିହେବ । ସଭ୍ୟତାର ଅଗ୍ରଗତି ସଙ୍ଗେ ସଙ୍ଗେ ଏଇ ମହାନ୍ ସର୍ବବ୍ୟାପୀ ସନାତନ ଧର୍ମକୁ ପିତୁଳା ଭିତରେ ଆବଦ୍ଧ କରି ରୂପଦାନ କରିଛୁ ଆମେ । କାରଣ ସେ ସର୍ବଦା ଆମର ନିକଟତର ହେବ ବୋଲି । ମହାଶୟା, ଏ ଭୂମି ଦେବଭୂମି । ଏଠି ପ୍ରତ୍ୟେକଟି ବୃକ୍ଷରେ ଦେବତାର ନିବାସ । ଏହାର ଧୂଳି ଦେବତାର ପଦରେଣୁ । ଏହାର ନଦନଦୀ ଦେବତାର ପାଦୋଦକ । ଆପଣମାନେ ନିଜର ପୁଣ୍ୟବଳରେ ଏ ଭୂମିରେ ପାଦ ଦେଇଛନ୍ତି ।’’ ଜନ୍‌ସନ୍ ଦମ୍ପତ୍ତି ଦିଗମ୍ୱର କଥାରେ କ୍ଷୁବ୍‌ଧ ହୋଇ ପଡ଼ୁଥିଲେ ବି ନୀରବ ହୋଇ ଶୁଣୁଥିଲେ । ଦିଗମ୍ୱର କୌଶଳ କ୍ରମେ ଧର୍ମାନ୍ତର ଗ୍ରହଣ ପ୍ରସଙ୍ଗକୁ ଏଡ଼ାଇ ଦେଇ ପାରୁଥିଲା ।

 

ଜନ୍‌ସନ୍ ସାହେବଙ୍କର ଅନ୍ୟାନ୍ୟ ବ୍ୟବସାୟ ମଧ୍ୟ ଥିଲା । ବହୁ କାର୍ଯ୍ୟରେ ତାଙ୍କୁ କଲିକତା କୋଠୀରେ ରହିବାକୁ ହେଉଥିଲା । ଏବେ ତାଙ୍କର ଅନୁପସ୍ଥିତି ଦୀର୍ଘତର ହେବାକୁ ଲାଗିଲା ଓ ଶ୍ରୀମତୀ ଜନ୍‌ସନ୍‍ଙ୍କୁ ଚାହା ଇଷ୍ଟେଟ କାର୍ଯ୍ୟରେ ସହାୟତା କଲା ଦିଗମ୍ୱର । ପ୍ରତିଦିନ ଦିଗମ୍ୱରକୁ ଅନ୍ତତଃ ସେଇ ଧର୍ମ ସମ୍ୱନ୍ଧୀୟ କୌଣସି ନା କୌଣସି ପ୍ରଶ୍ନର ଉତ୍ତର ଦେବାକୁ ହୁଏ । ଅତିଷ୍ଠ ହୋଇ ସାରିଥିଲେ ବି ସେ ପ୍ରତ୍ୟେକଟି ପ୍ରଶ୍ନର ଉତ୍ତର ଦେଇ ପାରୁଥିଲା ଓ ନିଜକୁ ରକ୍ଷା କରି ପାରୁଥିଲା । ଶ୍ରୀମତୀ ଜସ୍‌ସନ୍‌ଙ୍କ ପ୍ରତି ଅବଶ୍ୟ ତାର ଗଭୀର ଶ୍ରଦ୍ଧା ଥିଲା ଓ ସେ ମଧ୍ୟ ଦିଗମ୍ୱରକୁ ଖୁବ୍ ସ୍ନେହ କରୁଥିଲେ । ଶ୍ରୀମତୀ ଜନ୍‌ସନ୍ ଦିନେ ପଚାରିଥିଲେ ‘‘ଗୋଟିଏ ଧର୍ମର ନାରୀ, ଅପର ଧର୍ମର ପୁରୁଷକୁ ବିବାହ କରିବାକୁ ଇଚ୍ଛାକଲେ ତୁମ ଧର୍ମ କଣ ବିଚାର କରେ ।’’ ଦିଗମ୍ୱର କହିଲା ‘‘ବୈଦିକ କାଳରେ ସବୁ ଥିଲା ଏକାକାର । ଯେ କୌଣସି ନାରୀ ଯେ କୌଣସି ପୁରୁଷକୁ ବିବାହ କରି ପାରୁଥିଲା । କିନ୍ତୁ ଏବେ ସେଗୁଡ଼ା ପ୍ରାୟ ନିଷିଦ୍ଧ ହୋଇଛି ଓ ବର୍ଣ୍ଣଶଙ୍କରଙ୍କ ଉତ୍ପତ୍ତିର କାରଣ ବୋଲି କୁହାଯାଇଛି ।’’ ସେଇ ଆବେଗମୟୀ ନାରୀ ବର୍ଣ୍ଣଶଙ୍କର କଥାଟି କିଛି ବୁଝି ନ ପାରି କହିଲେ ‘‘ତୁମ ନିକଟରେ କିଛି ଗୋପନୀୟ ରଖିବାକୁ ଚାହେଁନା ଦିଗମ୍ୱର । ତୁମ ତେଜ ଓ ତୁମର ନିର୍ଭୀକତା ମୋ ପ୍ରାଣରେ ଅତୁଳନୀୟ ମମତା ସୃଷ୍ଟି କରି ସାରିଛି । ମତେ ତୁମେ ଘୃଣା କରିବନି ଯୁବକ, ମୁଁ ତୁମ ସନ୍ତାନର ଜନନୀ ହେବାକୁ ଚାହେଁ ।’’ ଦିଗମ୍ୱର ହତବାକ୍ ହୋଇ ପଡ଼ିଲା-। ଶ୍ରୀମତୀ ଜନ୍‌ସନଙ୍କ ସହିତ ଦୀର୍ଘ ଦିନର ସାନିଧ୍ୟର ଏହାହିଁ ପରିଣତି । ବିସ୍ମିତ ହୋଇ ଦିଗମ୍ୱର ନିର୍ବାକ୍ ହୋଇ ପଡ଼ିଥିଲା ।

 

ନନ୍ଦିତା ହସି ଉଠିଲା । ସେ କହିଲା ‘‘ତୁମେ ବୁଝିପାରିନ ସତ୍ୟବାନ, ସବୁ ଯୁଗରେ ସବୁ ଦେଶରେ ନାରୀର ପ୍ରକୃତି ସମାନ । ନାରୀ ସବୁକିଛି ଆତ୍ମୀକରଣ କରିବାକୁ ଚାହେଁ । ଶ୍ରୀମତୀ ଜନ୍‌ସନ୍‌ଙ୍କର ପୁତ୍ର କନ୍ୟା ଅଛନ୍ତି । ତଥାପି...’’ ସତ୍ୟବାନ କହିଲା ‘‘ପୁରୁଷ ହେଉ ବା ନାରୀ ହେଉ, ପ୍ରତିଭା ଓ ସୌନ୍ଦର୍ଯ୍ୟ ନିକଟରେ ଆତ୍ମସମର୍ପଣ କରିବା ନିହାତି ଗୋଟାଏ ସ୍ୱାଭାବିକ କଥା ।’’ କିନ୍ତୁ ନନ୍ଦିତା କହିଲା ‘‘ଆତ୍ମସମର୍ପଣ କରିବା ଓ ସନ୍ତାନ କାମନା କରିବା ଏକ କଥା ନୁହେଁ । ମୁଁ ଏହାର ସାଇକୋଲଜି ବୁଝି ପାରୁନି ।’’ ସତ୍ୟବାନ ନିହାତି ବିଜ୍ଞପରି ହସି ଉଠିଲା । ସେ କହିଲା ‘‘ସାଇକୋଲଜିଟା ଅତି ମାମୁଲି ନନ୍ଦିତା, ସ୍ମୃତି ବା ସ୍ମାରକୀ ଯାହା କିଛି କହିପାର ।’’ ନନ୍ଦିତା ଯୁକ୍ତି ବାଢ଼ି ବସିଲା ‘‘ନାଁ ତା ମଧ୍ୟ ନୁହେଁ । ଏ ଗୋଟାଏ ଦୁର୍ବଳତାର ଅନ୍ୟରୂପ ଛଡ଼ା ଅନ୍ୟ କିଛି ନୁହେଁ ।’’

 

ପୁଣି ସେମାନେ ପଠନ ଆରମ୍ଭ କଲେ । ଶ୍ରୀମତୀ ଜନ୍‌ସନ୍‌ଙ୍କ ପ୍ରଣୟ ଉନ୍ନତ୍ତ କରି ରଖିଲା ଦିଗମ୍ୱରକୁ । ସେତେବେଳକୁ ଶ୍ୟାମଳୀ ପୁତ୍ର ସନ୍ତାନର ଜନନୀ ହୋଇ ସାରିଥିଲା । ଦିଗମ୍ୱର ଜାଣେନା, କେଉଁ ଦୁଷ୍ପ୍ରବୃତ୍ତି ତା ଭିତରେ ବଳବତ୍ତର ହୋଇ ଉଠିଥିଲା । ତାର ଅତୀତ ଓ ବର୍ତ୍ତମାନ ମଧ୍ୟରେ କୌଣସି ରାଜିନାମା ନଥିଲା ।

 

ଦିଗମ୍ୱର ନିଜକୁ କ୍ଷମା କରିପାରୁ ନଥିଲା । ଶ୍ୟାମଳୀ ପ୍ରତି ସେ କରୁଛ କି ନାହିଁ ସେ ବିଷୟ ଚିନ୍ତା କରୁ ନଥିଲା । ଗୋଟିଏ ପୁରୁଷର ବହୁ ପତ୍ନୀ ଗ୍ରହଣ କରିବାର ଅଧିକାର ମଧ୍ୟ ଅଛି । ସେ କାଶୀଧାମକୁ ଯାତ୍ରା କରିବାକୁ ସ୍ଥିର କରୁଥିଲା । କାଶୀଧାମ ଯାତ୍ରା କଲେ ଗଙ୍ଗାରେ ସ୍ନାନ କରି ଏ ଶରୀରରୁ ସବୁ ପାପ ରାଶି ଧୋଇଦେବ । ପ୍ରାୟଶ୍ଚିତରେ ପୁନର୍ଜିବୀତ ହୋଇ ପାରିବ ସେ । ପିତାଙ୍କ ଦର୍ଶନ ମଧ୍ୟ ମିଳିପାରିବ । କିନ୍ତୁ ଶ୍ରୀମତୀ ଜନ୍‌ସନ୍‌ଙ୍କ କବଳରୁ ମୁକ୍ତି ନାହିଁ । ମନେ ମନେ ଋଷି ପରାଶରଙ୍କୁ ପ୍ରଣାମ କଲା ସେ ।

 

ଦିଗମ୍ୱର ବାରମ୍ୱାର ଭାବୁଥିଲା । ଶ୍ରୀମତୀ ଜନ୍‌ସନ୍‌ଙ୍କର ଏପରି ଇଚ୍ଛା ସୃଷ୍ଟିହେଲା କାହିଁକି ? ଶାସ୍ତ୍ର କହେ ସେ ହୁଏତ ପୂର୍ବଜନ୍ମର ସମ୍ପର୍କ ହୋଇପାରେ । ଶ୍ରୀମତୀ ଜନ୍‌ସନ୍‌ଙ୍କୁ ଦିଗମ୍ୱରର ଶ୍ଳୋକପାଠ ଖୁବ୍ ଭଲଲାଗେ । ସେ ତାଙ୍କୁ କେତେଥର ‘‘ସ୍ୱଧର୍ମେ ନିଧନଶ୍ରେୟ’’ ଶ୍ଳୋକ ଶୁଣେଇ ଦେଇଛି । ନିଜଧର୍ମ ନିଜକୁ ବଡ଼ । ଏ ଧର୍ମକୁ କେହି ଉପଦେଶ ଦେଇ ଗଢ଼ି ନାହିଁ । କଂସାରି ଲତାପରି ସେ ଆପେ ଆପେ ଶୁଷ୍କ ବାଲୁକାରେ ମାଡ଼ି ଯାଇଛି ଓ ଯାଉଥିବ । ତେଣୁ ଝୁଣ୍ଟି ପଡ଼ିବାର ବା ଥକି ପଡ଼ିବାରେ ପରିତ୍ରାଣ ନାହିଁ ।

 

ଦିଗମ୍ୱର ପୂରାପୂରି କାଶୀ ଯାତ୍ରାର ଉଦ୍ୟମ ଆରମ୍ଭ କଲା । ଶ୍ୟାମଳୀ ନିଜକୁ ଅସହାୟ ମନେ କରୁଥିଲେ ମଧ୍ୟ ତା ପଥରେ ବାଧା ସୃଷ୍ଟିକରି ନଥିଲା । ପୁତ୍ର ନିବେସି ପତ୍ନୀ ପାଶେ, ଅଥବା ଚଳିବ ସନ୍ୟାସେ । କିନ୍ତୁ ଏ ଯେ ଶିଶୁପୁତ୍ର । ଏ ପୁତ୍ରର ସମସ୍ତ ଦାୟିତ୍ୱ ଜନ୍‌ସନ୍ ପରିବାର ବୁଝୁଥିଲେ । ଶ୍ୟାମଳୀ ପ୍ରକୃତରେ ଥିଲା ଏକ ମହିୟସୀ ନାରୀ । ତାର ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା ନକରି ରହି ହେଉ ନଥିଲା । ପ୍ରକୃତରେ ଏଇ ମହାଭାରତୀୟ ନାରୀ ପୁରୁଷର କେବଳ ଶଯ୍ୟାସଙ୍ଗିନୀ ନଥିଲା । ଏପରିକି ତ୍ରେତୟାରେ ମଧ୍ୟ ନାରୀ ଚରିତ୍ରରେ ମହତ୍ୱ ଦେଖାଇବାକୁ ବାଲ୍ମୀକି ରାମଙ୍କ ମୁଖରେ କୁହାଇଛନ୍ତି ଲକ୍ଷ୍ମଣଙ୍କୁ ‘‘ହେ ଲକ୍ଷ୍ମଣ, ପତ୍ନୀ ସୀତା କାର୍ଯ୍ୟସୁ ମନ୍ତ୍ରୀ, କରଣେସୁ ଦାସୀ, ସ୍ନେହେସୁ ମାତା, ଶୟନେସୁ ରମ୍ଭା, ଧର୍ମେ ଚ ପତ୍ନୀ, କ୍ଷମୟା ଧରିତ୍ରୀ, ରଙ୍ଗେ ସଖୀ...ଏଇ ନାରୀ ଯୁଗଯୁଗ ଧରି ତାର ବଂଶ ପରମ୍ପରାକୁ ରକ୍ଷା କରେ... । ନନ୍ଦିତା ବାଧା ଦେଇ କହିଲା ନାଁ ତା କଦାପି ନୁହେଁ ବନ୍ଧୁ ସତ୍ୟବାନ । ମୁଁ ଏହାକୁ ସମର୍ଥନ କରି ନପାରେ । ସତ୍ୟଯୁଗରେ ମଣିଷର ମୁଖା ଭିନ୍ନ... ।’’ ସତ୍ୟବାନ ହସି ଉଠିଲା । ସେ କହିଲା ‘‘ମୁଁ ତୁମକୁ ସମର୍ଥନ କରୁଛି । ବର୍ତ୍ତମାନ ଶୁଣ...

 

ଶ୍ୟାମଳୀର ପ୍ରେରଣାରେ ଦିଗମ୍ୱର ଆଲୋକ ପଥରେ ଆଗେଇ ଯିବାକୁ ବସିଲା । ଏକ ଅପରିପକ୍ୱ ମନନେଇ ସିନା ଶ୍ୟାମଳୀକୁ ଆସିବାକୁ ହୋଇଥିଲା କିନ୍ତୁ ଶ୍ୟାମଳୀର ପରାମର୍ଶ ଥିଲା ଅତୁଳନୀୟ । ଦିଗମ୍ୱରର ପ୍ରତ୍ୟେକଟି କାମ ତାକୁ ଅବିଦିତ ନଥିଲା । ସେ କହିଥିଲା ‘‘ବାଲିଘର ପରି ଏ ସଂସାର ଗଢ଼ି ଉଠିଛି । ପୁଣି ନିମିଷକ ମଧ୍ୟରେ ଭାଙ୍ଗିଯିବ । ଏ ଭଙ୍ଗାଗଢ଼ାକୁ ଧରି ବସି ରହିଲେ ଚଳିବ ନାହିଁ । ଗତି ତ ଅବ୍ୟାହତ ରହିବ । ତୁମେ ତୁମ ପିତାଙ୍କ ପରି ସନ୍ନ୍ୟାସ ନେବା ବିଧେୟ ।’’

 

ନନ୍ଦିତା କହିଲା ‘‘ଏଣିକି ପାଠ ବନ୍ଦ ହେଉ । ବୋରିଂ ଲାଗୁଛି । ଅବଶ୍ୟ ଅନେକ ଉପାଦେୟ କଥା ଏ ପୋଥିରୁ ଜଣାଗଲା ।’’ ସତ୍ୟବାନ କହିଲା ‘‘ମୋର ମନେ ହେଉଛି ସନାତନ ହିନ୍ଦୁ ଧର୍ମକୁ କେତେକ ବର୍ବର ଅତିଶୟ ଭଣ୍ଡତାରେ ପୂର୍ଣ୍ଣକରି ଦେଇଛନ୍ତି । ସମଗ୍ର ପୃଥିବୀରେ ବୈଦିକ ଯୁଗର ନିରାକାର ଧର୍ମ ପ୍ରଚଳିତ ହେଲେ ଖୁବ୍‌ ଭଲ ହୁଅନ୍ତା ।’’ ନନ୍ଦିତା ସେତେବେଳେ ତା କଥା ଶୁଣିବାକୁ ଇଚ୍ଛୁକ ନଥିଲା । ଗଭୀର ରାତ୍ରିକୁ ସ୍ୱାଗତ କରି ସେମାନେ ଆଲୋକ ଲିଭାଇ ଦେଲେ । ନନ୍ଦିତା ପଚାରିଲା ‘‘ପ୍ରକୃତରେ ରସଲୀଳାର ବର୍ଣ୍ଣନାଟା ଚମତ୍କାର ହୋଇଛି, ନାଁ ସତ୍ୟବାନ ?’’ ସତ୍ୟବାନ କହିଲା ‘‘ନାଁ ସବୁଠୁ ଚମତ୍କାର ଅଘୋର ମନ୍ଦିରର ଶିବରାତ୍ରି ବର୍ଣ୍ଣନା ।’’

 

ପୁଣି ଗୋଟାଏ ନୀରବତା ଭିତରେ ସତ୍ୟବାନ ନିଜକୁ ହଜାଇ ଦେଲା । ଜୀବନର ନିଷ୍ଫଳତା ଏବେ ବେଶ୍‌ ବୁଝି ହେଉଛି । ନିଜ ଉପରୁ ତାର ଅତୁଟ ବିଶ୍ୱାସ ଏବେ ଶିଥିଳ ହୋଇ ଆସୁଛି ବୋଲି ସେ ମନେ କଲାଣି । ମାଧୁରୀ ନିକଟକୁ ପୁଣି କିଛିଦିନ ଯାଇ ନାହିଁ ସେ । ନନ୍ଦିତାଠୁ ମଧ୍ୟ ଦୂରେଇ ରହିଲା । ହୁଏତ ପୁଣି ନୂଆ ଉପାୟଟାଏ ଦେଖା ଯାଇପାରେ । ଅଭାବ ଏବେ ତଣ୍ଟି ଚିପି ଧରିଲାଣି । କମିଜଟା ପ୍ରାୟ ଛିଣ୍ଡି ଗଲାଣି । ଗାଁଆଡ଼ୁ ଯେ ଆସୁଛି ବିପଦ ଶୁଣାଇ ଦେଇ ଯାଉଛି । ଏସବୁ ପିତାମାତାଙ୍କ ଅଭିଶାପ ବୋଲି ମଧ୍ୟ ତାତ୍ସଲ୍ୟ କଲେଣି । ଆଚାର୍ଯ୍ୟେ ଏବେ ଦିନେ ପୁଣି ଆସି ଜୁଲମ କରି ଯାଇଛନ୍ତି । ସେ କହିଥିଲେ ‘‘ଏଇଟା କୁଳତ୍ୟାଗୀଟାଏ । ଅଚ୍ଛବଙ୍କ ସଙ୍ଗେ ସମାନ । ଅଚ୍ଛବଙ୍କପରି ବାହାରେ ବାହାରେ ରହିବ ପରା ।

 

ସତ୍ୟବାନ ଭାବୁଥିଲା ବୈଦିକ ଯୁଗରୁ ଏ ଜାତି ଯେତିକି ଆଗେଇ ଚାଲିଛି ସେତିକି ଜଟିଳ, ଜଟିଳରୁ ଜଟିଳତର ହୋଇ ପଡ଼ୁଛି । ଅଜସ୍ର ଖିଆଲୀଙ୍କ ମନଗଢ଼ା ନିୟମରେ ଭାରାକ୍ରାନ୍ତ ହୋଇ ଦିଗ୍‌ଭାନ୍ତ ହୋଇ ପଡ଼ିଲାଣି । ବୈଦିକ ଧର୍ମର ସମ୍ପୂର୍ଣ୍ଣ ବିଲୁପ୍ତ ଘଟି ସାରିଲାଣି । ପୃଷ୍ଠପୋଷକ ବ୍ରାହ୍ମଣକାଳ ମଧ୍ୟ ତାକୁ ତଣ୍ଟି ଚିପି ହତ୍ୟା କରି ସାରିଛନ୍ତି । ଦ୍ୱିଜ ଦିଗମ୍ବର ଭଣ୍ଡ । ଧର୍ମାନ୍ତର ଗ୍ରହଣ ନକରି ଧର୍ମ ବିଦ୍ୱେଷୀ କାର୍ଯ୍ୟରେ ଲିପ୍ତ ରହିଥିଲା । ସତ୍ୟବାନକୁ ଧର୍ମ ଅଧର୍ମ କଥା ଗପିବାକୁ ଭଲ ଲାଗେ ନାହିଁ । ଯାଆନ୍ତୁ କିଏ କୁଆଡ଼େ ଯାଉଛନ୍ତି । ପୃଥିବୀରେ ସେଇ ନିରାକାର ଧର୍ମ ହିଁ ଦିନେ ପ୍ରତିଷ୍ଠିତ ହେବ । ତଥାପି ଭାବିଲେ ଆଶ୍ଚର୍ଯ୍ୟ ଲାଗେ–କେଉଁ ଅନନ୍ତ ସ୍ରୋତ ସେ ଧର୍ମ ବୃକ୍ଷର ମୂଳରେ ଜଳଦାନ କରୁଛି । ସମସ୍ତ ଶାଖା ଛେଦନ କରି ମୂଳପର୍ଯ୍ୟନ୍ତ ଛେଦନ କଲେ ମଧ୍ୟ ସେ ପୁନଃ ପୁନଃ ପଲ୍ଲବିତ ହେଉଛି ଓ ପୁଣି ଏକ ମହାଦ୍ରୁମରେ ପରିଣତ ହୋଇ ପଡ଼ୁଛି । ତାର ମୃତ୍ୟୁ ଘଟାଇବା ଏକ କଳ୍ପନା ମାତ୍ର । ଦଳ ଦଳ ହୋଇ ଆସିଛନ୍ତି ସଂସ୍କାରକ ଦଳ । କେବଳ ଶୈବାଳ ଛଡ଼ାଇବାରେ ତାଙ୍କର କାର୍ଯ୍ୟ ଶେଷ ହୋଇଛି ମାତ୍ର ।

 

ଦ୍ୱିଜ ଦିଗମ୍ବରଙ୍କର ରଚନା ସେଇଠୁ ଶେଷ ହୋଇ ଯାଇଛି । ତାଙ୍କ ବିଷୟରେ ଆଉକିଛି ଜାଣିବାକୁ ଇଚ୍ଛା ହେଉଥିଲା । ନନ୍ଦବାବୁ ଲେଖିଛନ୍ତି ତାଙ୍କ ମା ଖ୍ରୀଷ୍ଟିୟାନ ହୋଇଥିଲେ କିନ୍ତୁ ତାଙ୍କ ବାକ୍‌ସରେ ଗୋଟିଏ ଜଗନ୍ନାଥ ଚିତ୍ରପଟ ରଖି ଲୁଚାଇ ଲୁଚାଇ ପୂଜା କରୁଥିଲେ । ସତ୍ୟବାନ ସେମାନଙ୍କ ବିଷୟରେ ଟିକିଏ ଚିନ୍ତାକରି ସେଥିରୁ ନିବୃତ୍ତ ହେଲା । ନିଜ ଚିନ୍ତା ବଳବତ୍ତର ହୋଇ ଦେଖା ଦେଉଥିଲା ।

 

କିଛି ଦିନ ଯୋଜନା ପରେ ଯୋଜନା । କଳ୍ପନାର ମନ୍ଦିର ନିର୍ମାଣ । ଏହିପରି ସତ୍ୟବାନ ନିରର୍ଥକ ସମୟ କଟାଇ ଥିଲା । କିନ୍ତୁ ବିରକ୍ତ ଲାଗିଲେ ସେ ନନ୍ଦିତା ଘରକୁ ଯାଇ ଆଳାପ କରିଥାଏ-। ସାରାଦିନ ଛଟପଟ ହେବାପରେ ସେ ସଂଧ୍ୟା ସମୟକୁ ନନ୍ଦିତା ଘରକୁ ଯିବାକୁ ସ୍ଥିର କଲା । ମାନସିକ ଅସ୍ଥିରତା ସେ ଆଦୌ ସହ୍ୟ କରି ପାରେ ନାହିଁ । ଜୀବନରେ ଚିନ୍ତା ଥିଲା ତାର ଅପମୃତ୍ୟୁ-

 

ସେ ଥିଲା ଏକ ଚନ୍ଦ୍ରାର୍କିତ ରଜନୀ । ସତ୍ୟବାନ ନନ୍ଦିତା ଘର ସମ୍ମୁଖରେ ପୁଷ୍ପୋଦ୍ୟାନ ଭିତରୁ ପାହାଚ ଉପରକୁ ଉଠୁଥିଲା । ନନ୍ଦିତା ଘରେ ସଙ୍ଗୀତର ଝଙ୍କାର । ସମ୍ଭବତଃ କିଛି ପାର୍ଟି ଫାର୍ଟି ଥାଇପାରେ । ସେ ପାଦ ଫେରାଇ ନେବାକୁ ଯାଉଛି ପୁଣି କୌତୁହଳୀ ହୋଇ ନିକଟତର ହେଲା । ନନ୍ଦିତାଙ୍କର ସୁଦୀର୍ଘ ହଲ୍‌ଘର ମଝିରେ ନୃତ୍ୟରତା ନଟୀ । ବାୟକ ଓ ଗାୟକ ତାଳ ସଂଯୋଗ କରି ଲାଗିଛନ୍ତି । ଗୋଟିଏ ଦୀର୍ଘ ବେତ୍ରାସନରେ ବସିଛନ୍ତି ନିଜେ ପଦ୍ମଚରଣ ରାୟସିଂହ । ତାଙ୍କ ମସ୍ତିଷ୍କ ସାମାନ୍ୟ ଝୁଙ୍କି ଯାଇଛି ତଳକୁ । ଚକ୍ଷୁ ସମ୍ଭବତଃ ମୁଦ୍ରିତ । ଗୋଟିଏ ସୋଫାରେ ନନ୍ଦିତା ଓ ବିନୋଦ । ନୃତ୍ୟ ଉପଭୋଗ କରୁଛନ୍ତି ସେମାନେ । ସତ୍ୟବାନ ଫେରି ପଡ଼ିଲା ସମ୍ପଦ ଓ ପ୍ରମୋଦର ନିଳୟରୁ । ଧନିକ ଶ୍ରେଣୀର ମାମୁଲି ଘଟଣା ଏଗୁଡ଼ା ।

 

ସତ୍ୟବାନ ନିଜ କୋଠରୀରୁ ଫେରି ଆସିଲା । ମୁହଁମାଡ଼ି କିଛି ସମୟ ଶୋଇ ରହିଲା ସେ । ତାକୁ କିଛି ଉପାୟ ସ୍ଥିର କରିବାକୁ ହେବ । ତାର ଦ୍ୱାରର କବାଟ ନିକଟରେ କଣଟାଏ ଚକ୍‌ ଚକ୍‌ କରି ଉଠିଲା । ହୁସେନ ଝିଅର ହାର । କିଛି ସମୟ ତଳେ ପିଲାଟି ସେଇଠି ଖେଳୁଥିଲା ।

 

ସତ୍ୟବାନ ହାରଟିକୁ ଉଠେଇ ନେଲା । ହାରଟିକୁ ଝିଅର ମା ହାତରେ ଜିମା ଦେବାକୁ ହେବ । କିନ୍ତୁ ସେ ସ୍ଥିର ହୋଇ ଠିଆ ହେଲା । ଏଇ ଛୋଟ ହାରଟା ଆବଶ୍ୟକତା ପୂରଣ କରି ପାରିବ ନାହିଁ । ତଥାପି କାମରେ ଆସିବ । ଶେଷକୁ ହୁସେନ୍‌ ଝିଅର ହାର ଆତ୍ମସାତ କରିବାକୁ ହେବ ତାକୁ । ବିବେକର ଦଂଶନରେ ସେ ବିବ୍ରତ ହୋଇ ପଡ଼ିଲା । ସିଗାରେଟ ଖଣ୍ଡେ ଧରାଇ ସେ ଅନ୍ୟ ମନସ୍କଭାବେ ରାସ୍ତାରେ ପାଦଦେଲା । ପରେ ଚାରିଟା ହାର ହୁସେନ୍‌ ଝିଅକୁ ଦେଲେ କଣ ଚଳିବ ନାହିଁ ? କିନ୍ତୁ ହୁସେନ୍‌ ଜାଣିଲେ କ୍ଷତି କଣ ? ଭିକ୍ଷା ସେ ମାଗି ନପାରେ । ଧପ୍‍ପାବାଜି କରିବାରେ ତାର ଆଗ୍ରହ ନାହିଁ । ଗୋଟାଏ ଉଦ୍‌ଭ୍ରାନ୍ତ ପରି ସେ ରେଳଷ୍ଟେସନ ଆଡ଼େ ଧାଇଁଗଲା । ବିନାଟିକଟରେ ବିନା ଉଦ୍ଦେଶ୍ୟରେ ସେ ଟ୍ରେନରେ ବସିଲା । ଗୋଟାଏ ପଳାତକ, ଗୋଟାଏ ଡାକୁ ସେ । ଗୋଟାଏ ନିର୍ଲଜ ବେକାର ସେ । ସେ ଗୋଟାଏ ଶତାବ୍ଦୀର କୀଟ ହୋଇ ସମାଜ ଗଢ଼ି ନପାରେ ।

 

ଏକ ସୁସଭ୍ୟ ସହରରେ ସେ ଓହ୍ଲାଇଗଲା । ଆଲୋକମାଳାରେ ସଜ୍ଜିତ ସହରଟି । କୌଶଳ କରି ଷ୍ଟେସନ୍‌ରୁ ସେ ମୁକ୍ତ ହୋଇ ରାସ୍ତାରେ ଚାଲିଲା । ପେଟର କ୍ଷୁଧାର ତାଡ଼ନା । ରାତି ପାହିଲେ ଯାଇ ସୁନାର ବିକାକିଣା । ବର୍ତ୍ତମାନ ଅର୍ଦ୍ଧରାତିରେ କିଏ ତାକୁ ଦେବ ଆହାର ମୁଠାଏ । ଗୋଟାଏ ବଡ଼ ହୋଟେଲ ନିକଟକୁ ଗଲା ସତ୍ୟବାନ । ଗେଟ୍‌ ତାଲା ବନ୍ଦ ଅଛି । ଦରୱାନଟା ଢୁଳାଇବାରେ ଲାଗିଛି । କୌଣସି ଆଶା ନାହିଁ ଏଠି । ନନ୍ଦିତା ସହିତ ସେ ଏମିତି କେତେ ହୋଟେଲକୁ ଆସିଛି । କିନ୍ତୁ ବର୍ତ୍ତମାନ ଜଠର ଜ୍ୱାଳା ତାକୁ ଅସ୍ଥିର କଲାଣି ।

 

ସତ୍ୟବାନ ଫେରିବାକୁ ବସିଛି ହଠାତ୍‌ ଜଣେ ରୂପବତୀ ଯୁବତୀ ନାରୀ ହୋଟେଲର ଗେଟ ନିକଟକୁ ଆସିଲେ । ସେ ଯେ ଗେଟ୍‌ ବାହାରେ ଅଛି ସେ ଆଡ଼କୁ ଦୃଷ୍ଟି ନ ଦେଇ କହିଲେ ହିନ୍ଦି ଭାଷାରେ ‘‘ହେ, ଶୁଣ ତ । ସାଇଡ଼ରେ ଥିବା ଗ୍ୟାରେଜ୍‌ ଦେଖି ଆସିଲ DLV 989 ନମ୍ବର ଗାଡ଼ି ଅଛି କି ? ନାରୀଟି ତାକୁ କଣ ବୋଲି ଭାବିଲା କେଜାଣି । ବେହେରା ବୋଲି ଭାବି ପାରିଥାଏ । ଏତେ ରାତିରେ ସେଇ ସୁନ୍ଦରୀ ତରୁଣୀର ଗାଡ଼ି ଦରକାର । ସତ୍ୟବାନ୍‌କୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ସନ୍ଦେହ ବି ହେଲା । କାଳ ବିଳମ୍ବ ନକରି ସେ ଖୋଲା ଗ୍ୟାରେଜ୍‌ ଗୁଡ଼ାକ ଦେଖି ଆସିଲା । ଅନେକ ଗାଡ଼ି ଅଛି । କିନ୍ତୁ ସେଇ ନମ୍ବର ନାହିଁ । ଫେରିଆସି ତାଙ୍କୁ ଜଣାଇଲା । ସେ ସେମିତି ଗେଟ୍‌ ଭିତରେ ଠିଆ ହୋଇଥିଲେ ଓ ସତ୍ୟବାନ ଗେଟ୍‌ ବାହାରେ ଥିଲା । ସେ ପୁଣି କହିଲେ ‘‘ଶୁଣ । ମୋର ଗୋଟାଏ କାମ କଲେ ବହୁତ ପଇସା ଦେବି । ତୁମେ କାହାକୁ କିଛି ନ କହି ଟିକିଏ କାଥଲିକ୍‌ କ୍ଳବ୍‌ କୁ ଯାଇ ଏଇ ନମ୍ବର ଗାଡ଼ି ଖୋଜିବ । ସେଠି ଯଦି ନ ପାଇବ ବେଗମ୍‌ ଉଦ୍ୟାନକୁ ଯିବ । ସେଠି ଆଗ ବାହାରେ ଥିବା ଗାଡ଼ିକୁ ଦେଖିବ । ସେଠି ନ ପାଇଲେ ଟିକେଟ୍‌ କରି ବେଗମ ଉଦ୍ୟାନ ଭିତରକୁ ଯିବ । ସେଠି ଭିତରେ ମଧ୍ୟ ଗାଡ଼ି ପାର୍କ ହୋଇଥାଏ । ଗାଡ଼ିଟିର ସନ୍ଧାନ କରି ପାରିଲେ ମୁଁ ନିଶ୍ଚୟ ତମକୁ ପୁରସ୍କୃତ କରିବି । ତୁମ ଆସିବାଯାଏ ମୁଁ ତୁମକୁ ଚାହିଁଥିବି । ବେଗମ ଉଦ୍ୟାନକୁ ଯିବାକୁ ହେଲେ କୋଡ଼ିଏ ଟଙ୍କାର ଟିକଟ ପଡ଼ିବ । ଫେରି ଆସି ମତେ ସତର ନମ୍ବର ରୁମ୍‌ରେ ଖବର ଦେବ ।’’

 

ସତ୍ୟବାନ୍ କହିଲା ‘‘ମ୍ୟାଡ଼ମ, ମୁଁ ଏ ହୋଟେଲର କେହି ନୁହେଁ । ମତେ ଆପଣଙ୍କ ଦରୱାନ୍‌ ଭିତରକୁ ଛାଡ଼ିବ ନାହିଁ । ଆପଣ ତାର ବ୍ୟବସ୍ଥା କରିଥିବେ ।’’ ସେ କହିଲେ ‘‘ଠିକ୍‍ ଅଛି । ମୁଁ ସେ ବ୍ୟବସ୍ଥା କରୁଛି । ତୁମେ ଶୀଘ୍ର ଯାଅ । ସାଙ୍ଗେ ସାଙ୍ଗେ ପର୍ସରୁ ପଚାଶ ଟଙ୍କା କାଢ଼ି ସେ ସତ୍ୟବାନ କୁ ଧରାଇ ଦେଲେ । ଗାଡ଼ିର ନମ୍ବର ଭଲ କରି ମନରଖି ସତ୍ୟବାନ ବାହାରିଗଲା । ଘଟଣାଟି ନିଶ୍ଚୟ ରହସ୍ୟଜନକ ମନେ ହେଉଛି । ଦେଖାଯାଉ ।

 

କଣ କରିବି ଭାବି ଭାବି ସତ୍ୟବାନ ରେଳଷ୍ଟେସନ୍‌ ଆଡ଼େ ଗଲା । ସମ୍ପୂର୍ଣ୍ଣ ନୂଆ ଜାଗା । କାଥ୍‌ଲିକ୍‌ କ୍ଳବ ବା ବେଗମ ଉଦ୍ୟାନ ଏମାନେ ସବୁ କେଉଁଠି ସେ ଜାଣେ ନାହିଁ । ଭଦ୍ରମହିଳାଙ୍କୁ ମୂଳରୁ ମନା କରି ଦେଇଥିଲେ ନିଶ୍ଚୟ ନିଷ୍କୃତି ମିଳିଥାନ୍ତା । କିନ୍ତୁ ସତ୍ୟବାନର ସ୍ୱଭାବ ସେପରି ନଥିଲା । ସେ ଗୋଟିଏ ଟାକ୍‌ସି ନିକଟକୁ ଗଲା । ଟ୍ୟାକ୍‌ସିବାଲାମାନେ ନିଶ୍ଚୟ ସ୍ଥାନଟିମାନ ଦେଖିଥିବେ । ସତ୍ୟବାନର ଅନୁମାନ ସତ୍ୟ । ସେ ଟ୍ୟାକ୍‌ସିରେ ବସିପଡ଼ି କାଥଲିକ୍‌ କ୍ଳବକୁ ଟ୍ୟାକ୍‌ସି ଚଳାଇ ନେବାକୁ କହିଲା । ରାତିର ଅନେକ ହୋଇଛି ।

 

କାଥଲିକ୍‌ କ୍ଳବ ବାହାରେ ଅଜସ୍ର ଗାଡ଼ି । କ୍ଳବ୍‌ରୁ ଭାସି ଆସୁଛି ହାସ୍ୟରୋଳ କାଚଗ୍ଳାସ ଟୁନ୍‌ଟୁନ୍‌ ଶବ୍ଦ । କେହି କେହି କ୍ଳବରୁ ସସ୍ତ୍ରୀକ ଫେରୁଥିଲେ । ସତ୍ୟବାନ ଟିକିଏ ଦେଖି ନେଲା । ନାଁ ଗାଡ଼ି ନାହିଁ । ସେ ବେଗମ ଉଦ୍ୟାନ’ କୁ ଗାଡ଼ି ଚଳାଇ ନେବାକୁ କହିଲା । ପ୍ରକୃତରେ ‘ବେଗମ ଉଦ୍ୟାନ’ ବେଶ୍‌ ଦୂର ବାଟରେ ପଡ଼ିଲା । ସହରଠାରୁ ପ୍ରାୟ ଦଶ ମାଇଲ ଦୂର ହେବ । ବାହାରେ ଥିବା ଗାଡ଼ିସବୁ ଦେଖିଗଲା ସତ୍ୟବାନ । ସେଇ ଗାଡ଼ିଟି ନଥିଲା । ପୁଣି ଟିକେଟ କରି ସେ ଅର୍ଦ୍ଧରାତ୍ରିରେ ପ୍ରବେଶ କଲା ‘ବେଗମ ଉଦ୍ୟାନ’ ଭିତରକୁ । ସୁଦୀର୍ଘ ସୁଉଚ୍ଚ ପ୍ରାଚୀର ଘେରା ଉଦ୍ୟାନରେ ସଜ୍ଜିତ ପୁଷ୍ପଲତା । ଘାସର ଲନ୍‌ । ଏକ ଦୀର୍ଘ ପୁଷ୍କରିଣୀ । ଚମତ୍କାର ଲତାକୁଞ୍ଜ । ସେଇଠି ଘାସର ଗାଲିଚାରେ କେତେ ଦମ୍ପତିଙ୍କର ରାସଲୀଳା । ସତ୍ୟବାନ ମୁହୂର୍ତ୍ତେ ମାତ୍ର ଚାହିଁଲା । ଏସବୁରେ ତାର ଅଧିକାର ନାହିଁ ଯେମିତି । ଉଦ୍ୟାନ ଭିତରେ ଥିଲା କ୍ଷୀଣ ଆଲୋକ । ଉଦ୍ୟାନଟି ରମଣୀୟ ଦେଖାଯାଉଥିଲା । କିନ୍ତୁ ସତ୍ୟବାନ ଗାଡ଼ିଟିକୁ ସନ୍ଧାନ କରି ସାରି ବାହାରି ଆସିଲା ।

 

ବାଟରେ ଟ୍ୟାକସି ଚାଳକ କହିଲା ‘‘ଏଇ ରାଜ୍ୟର ହିନ୍ଦୁ ରାଜା ଥିଲେ ବିଜୟ ବର୍ମନ । ତାଙ୍କର ଗୋଟିଏ ବେଗମପତ୍ନୀ ଥିଲେ । ତାଙ୍କର ପାଇଁ ସେ ନିର୍ମାଣ କରିଥିଲେ ଏ ‘ବେଗମ୍‌ ଉଦ୍ୟାନ’ । ଏଇ ଉଦ୍ୟାନ ମଝିରେ ବେଗମଙ୍କର ମଣିମୟ ଛୋଟ ଅଟ୍ଟାଳିକାଟାଏ ଅଛି । ବର୍ତ୍ତମାନ କ୍ଳବ-କମ୍‌-ହୋଟେଲରେ ପରିଣତ ହୋଇଛି । ବର୍ତ୍ତମାନ ଏଇ ହୋଟେଲର ଗୋଟିଏ କୋଠରୀର ଏକ ରାତ୍ରିରେ ଭଡ଼ା ପାଞ୍ଚଶହ ଟଙ୍କା ।’’ ଭାରତରେ ଐଶ୍ଚର୍ଯ୍ୟକୁ ମନେ ମନେ ତାରିଫ୍‌ କଲା ସତ୍ୟବାନ । ଭାରତ ଏକ ମଣିମୟପୁର ଥିଲା । ବିଦେଶୀ ତସ୍କର ଦଳ ତାକୁ ଶ୍ରୀହୀନ କରି ଚାଲିଗଲେ । ସତ୍ୟବାନ ଶୀଘ୍ର ଶୀଘ୍ର ହୋଟେଲର ଗେଟ୍‌ ନିକଟକୁ ଗଲା । ତା ପାଇଁ ମ୍ୟାଡ଼ାମ୍‌ ଗେଟ ଖୋଲାଇ ଦେଇଥିଲେ ।

 

‘ମାଡାମ୍‌’ ଙ୍କୁ ଖବରଟା ଦେବାକ୍ଷଣି ସେ ନିର୍ବାକ୍‌ ହୋଇ ସତ୍ୟବାନକୁ ଚାହିଁ ରହିଲେ । ସତ୍ୟବାନ ଟ୍ୟାକ୍‌ସି ଭଡ଼ା ଦେବାକୁ ଆସିଲା । ଟିକେଟ କୋଡ଼ିଏ ଟଙ୍କା ଯାଇଛି । ‘ବେଗମ ଉଦ୍ୟାନ’ ଏତେଦୂର ବୋଲି ସେ ଜାଣି ନଥିଲା । ତେଣୁ ଅର୍ଥ ସ୍ୱଳ୍ପତା ଅନୁଭବ କରି ସେ ପକେଟରୁ ହାରଟି କାଢ଼ିଲା । ଟ୍ୟାକ୍‌ସି ବାଲା ହାତରେ ହାରଟି ଦେଇ ସେ କହିଲା ‘‘ଭାଇ ମୋର ସବୁ ଚୋରି ଯାଇଛି । ଟ୍ୟାକ୍‌ସିବାଲା ସାଙ୍ଗେ ସାଙ୍ଗେ ପକେଟରୁ ପଚିଶ ଟଙ୍କା ବାହାର କରି ସତ୍ୟବାନ ହାତକୁ ବଢ଼ାଇ ଦେଲା । ସେ କହିଲା ‘‘ଚିନ୍ତା କରନା ଭାଇ, ଘରକୁ ଗଲେ ଏ ଟଙ୍କା ମୋ ଠିକଣାରେ ମନିଅର୍ଡ଼ର କରିଦେବ । ହାରଟା ନେଇଯାଅ ।’’ ସେ ହାରଟି ଫେରାଇ ଦେଲା । ନିଜ ଠିକଣାଟି ସତ୍ୟବାନ ହାତରେ ଦେଇଗଲା । ଲଜ୍ଜିତ ହେଲା ସତ୍ୟବାନ । ସେ କଣ ପ୍ରକୃତରେ ଏତେ ତଳକୁ ଖସି ଯାଇଛି ?

 

ସତ୍ୟବାନ ପୁଣି ଭଦ୍ର ମହିଳାଙ୍କ ନିକଟକୁ ଗଲା । ପ୍ରବଳ ଆଗହରେ ସେ ପଚାରିଲେ ‘‘ଗାଡ଼ି ନିକଟରେ କେହି ନଥିଲେ ? କୁଞ୍ଚୁକୁଞ୍ଚିଆ ବାଳ, ଛୋଟ ନିଶ । ଡେଙ୍ଗା ଗୋରା ଭଦ୍ରଲୋକ ଜଣେ । କଳା ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଛନ୍ତି । ଆଖିରେ ଚଷମା ଅଛି । କେମିତିକା ଝିଅ ସହିତ ବସିଥିଲେ କହି ପାରିବ ।’’ ସତ୍ୟବାନ ବର୍ତ୍ତମାନ ଘଟଣାଟି ବେଶ୍‌ ବୁଝି ପାରିଥିଲା । ସେ କହିଲା ‘‘ମୁଁ କେବଳ ଗାଡ଼ିର ନମ୍ବର ଦେଖି ପଳାଇ ଆସିଛି । ଆପଣ ସେପରି କହିଥିଲେ ମୁଁ ଦେଖିବାକୁ ଚେଷ୍ଟା କରିଥାନ୍ତି । ସେ ଇତସ୍ତତଃ ହୋଇଗଲେ । ତାଙ୍କ ଚକ୍ଷୁରୁ ଅଶ୍ରୁ ଝରି ପଡ଼ିଲା । ସତ୍ୟବାନ କହିଲା ‘‘ରାତି ଅନେକ ହେଲାଣି ଆପଣ ଏଥର ବିଶ୍ରାମ କରିବାକୁ ଯାଆନ୍ତୁ ।’’ ପ୍ରକୃତିସ୍ଥ ହୋଇ ସେ କହିଲା ‘‘ଶୁଣ, ତୁମର ପରିଚୟ ପାଇଲେ ଖୁସି ହେବି । ମୋର ଅନେକ ଉପକାର କରିଛ । ଏ ଜୀବନରେ ସୁଝି ପାରିବି ନାହିଁ ।’’ ଏତେ କୃତଜ୍ଞତା ଏଇ ସାମାନ୍ୟ କାମ ପାଇଁ । ସେ କହିଲା ‘‘ମୁଁ ଓକିଲାତି କରେ । ଟ୍ରେନ୍‌ରେ ଆସୁଥିଲି ସବୁ ଚୋରି ହୋଇଗଲା ।’’

 

ସେ କହିଲା ‘‘ବର୍ତ୍ତମାନ କୁଆଡ଼େ ଯିବ ? ସତ୍ୟବାନର ଦୁଃଖରେ ସେ ଯେମିତି ବ୍ୟସ୍ତ ହୋଇ ଉଠିଲେ । ତାଙ୍କର ଆନ୍ତରିକତାର ପଟାନ୍ତର ନାହିଁ । ଅଳ୍ପ ସମୟର ସେ ଆନ୍ତରିକତା ସତ୍ୟବାନକୁ ଅତି ଭଲ ଲାଗିଲା । ସତ୍ୟବାନ କହିଲା ‘‘ମୁଁ ବର୍ତ୍ତମାନ ରେଳ ଷ୍ଟେସନ୍‌ ଆଡ଼େ ଯାଉଛି-। ମୁଷାଫିର ଖାନାରେ ରହିବି । କାଳ କିଛି ବ୍ୟବସ୍ଥା କରିବି ।’’ ସତ୍ୟବାନକୁ ଏଇ ଅଳ୍ପ ସମୟ ହେଲା ଦେଖିଲେ ବି ତା ପ୍ରତି ସେ ସଦୟ ହୋଇ ପଡ଼ିଥିଲେ । ସେ କହିଲେ ‘‘ରହ । ପାଖରେ ରୁମ୍‌ ଖାଲିଥିଲେ ମୁଁ ତମକୁ ସେଇଠି ରଖାଇ ଦେବି ।’’ ସତ୍ୟବାନ କହିଲା ‘‘ନାଁ, ମୋ ହାତରେ ସମ୍ବଳ ନାହିଁ । ଆପଣ ରହନ୍ତୁ । ମୁଁ ଆସୁଛି ।’’ ସତ୍ୟବାନର ହାତ ଧରି ନେଇ ସେ ବାରଣ କଲେ । ତାପରେ ଦରୱାନ୍‌କୁ ଡାକି କହିଲେ ‘‘ଆଜି ରାତିକପ ପାଇଁ ଗୋଟାଏ ରୁମ୍‌ ଖୋଲିଦେ । କାଲିକୁ ଏ ବାବୁ ଚାଲିଯିବେ । ପଇସା ମୋଠୁ ପାଇବ ।’’ ସେ ଦରୱାନ୍‌ର ହାତକୁ ଦଶଟଙ୍କିଆ ନୋଟଟି ବଢ଼ାଇ ଦେଲେ । ସଲାମ କରି ଦରୱାନ୍‌ ଚାଲିଗଲା । ବାଃ ଅର୍ଥର କି କରାମତି । ଲୋକଟି ସାଙ୍ଗେ ସାଙ୍ଗେ ଅଠର ନମ୍ବର କୋଠରୀଟି ଖୋଲିଦେଲା । ସତ୍ୟବାନ କୃତଜ୍ଞ ହୋଇ ଭଦ୍ରମହିଳାଙ୍କୁ ଶୁଭ୍ରରାତ୍ରି ଜଣାଇ ରୁମ୍‌କୁ ଗଲା । କିନ୍ତୁ ଆଖିରେ ତାର ନିଦ ନଥିଲା ।

 

କିଛି ସମୟ ପରେ ଭଦ୍ରମହିଳା ସତ୍ୟବାନର ରୁମ୍‌ ଭିତରକୁ ଆସିଲେ । ଖୋଲା ଦେହରେ ଖଟ ଉପରେ ବସିଥିଲା ସତ୍ୟବାନ । କବାଟଟା ସେ ବନ୍ଦ କରି ନଥିଲା । ସେ ଅପ୍ରତିଭ ହୋଇ ପଡ଼ିଲା । ଖଟରୁ ଉଠିପଡ଼ି ସାଙ୍ଗେ ସାଙ୍ଗେ ସାର୍ଟଟା ପିନ୍ଧିବାକୁ ଯାଉଥିଲା । ଭଦ୍ରମହିଳା ଜୋର କରି ବାରଣ କଲେ । ସେ କହିଲେ ‘‘ଆରେ ତମେ ସେମିତି ବସ ନା । ମୁଁ ତୁମ ଶୋଇବାରେ ଡିଷ୍ଟର୍ବ କଲି । ରାତି ବହୁତ ହେଲାଣି । ମତେ ନିଦ ହେଉନାହିଁ ।’’ ତାପରେ ସେ ସତ୍ୟବାନର ପରିଚୟ ଚାହିଁଲେ । କହିଲା ‘‘ମୁଁ କହିଛି ପରା ମୁଁ ଗୋଟିଏ ଓକିଲ ଏବଂ ମୋର କେହି ନାହିଁ ।’’ ସେ ଆହୁରି ବ୍ୟଥିତ ହୋଇ ପଡ଼ିଲେ । ସତ୍ୟବାନ ପ୍ରତି ତାଙ୍କର ଦୟା ହେଲା ।

 

ତାପରେ ସେ କହିଲେ ‘‘ତମେ ମୋ ବିଷୟରେ କଣ ଭାବିଛ କହିଲା ?’’ ସତ୍ୟବାନ ତାଙ୍କର ମୂଲ୍ୟବାନ ଶାଢ଼ୀ ଓ ଗହଣାକୁ ଚାହିଁଲା । ସେ ଯେ ଜଣେ ରୁଚି ସମ୍ପନ୍ନା ନାରୀ ଏଥିରେ ସନ୍ଦେହ ନଥିଲା । ସେ ଜଣେ ଐଶ୍ଚର୍ଯ୍ୟବତୀ ନାରୀ ବୋଲି ମଧ୍ୟ ଜଣା ଯାଉଥିଲା । କିନ୍ତୁ ହୋଟେଲର ଏକ ନିଭୃତ କୋଠରୀରେ, ରାତ୍ରିର ବିଗତ ଯାମରେ ପରି ପୁରୁଷକୁ ରାସ୍ତାରୁ ଧରି ଆଣିଥିବା ନାରୀ ବିଷୟରେ କି ମନ୍ତବ୍ୟ ଦିଆଯାଇପାରେ । କାଳବିଳମ୍ବ ନକରି ସତ୍ୟବାନ କହିଲା ‘‘ଆପଣ ଜଣେ ବୈଭବଶାଳିନୀ ନାରୀ । କିନ୍ତୁ ନିଶ୍ଚୟ ବିପଦଗ୍ରସ୍ତ ।’’ ସେ କାନ୍ଦି ପକାଇଲେ । କେତେ କମ୍‌ ସମୟ ମଧ୍ୟରେ ଘେନା ଘନି, ଏତେ ଆତ୍ମିୟତା ଓ ଆତ୍ମ ପ୍ରକାଶ ।

 

ସେ ଆଖି ପୋଛି ଦେଇ ନିଜ କାହାଣୀ କହିଲେ । ସେ କହିଲା ମୁଁ ଏକ ଶିଳ୍ପପତିଙ୍କ କନ୍ୟା । ମୋ ପିତାଙ୍କର ନାମ ବୋଧେ ଶୁଣିଥିବ । ଶ୍ରୀଯୁକ୍ତ ଚାଲିହା । ମୁଁ ମୋ ପିତାଙ୍କର ଏକମାତ୍ର କନ୍ୟା, ଏକମାତ୍ର ଉତ୍ତରାଧିକାରିଣୀ । ମୋ ପିତା ମତେ ବିବାହ ଦେଇଛନ୍ତି ଶିଳ୍ପପତି କୋଠରୀଙ୍କ ପୁତ୍ରଙ୍କୁ । କିନ୍ତୁ....’’ ସେ ଟିକେ ରହିଯାଇ ଛେପ ଢୋକିନେଲେ । ତାପରେ ବାହରକୁ ଚାହିଁଲେ । ସତେ ଯେମିତି ସେ ସତର୍କ ହୋଇ ପଡ଼ିଲେ । ତାପରେ ପୁଣି କହିଲେ ‘‘ମୋ ସ୍ୱାମୀ ମୋତେ ଖୁବ୍‌ ଭଲ ପାଆନ୍ତି । ତାଙ୍କପରି ମୋର ସୁବିଧା ଅସୁବିଧା କେହି ବୁଝନ୍ତି ନାହିଁ । ମୋର ସାମାନ୍ୟ ବେରାମ ହେଲେ ତିନିଟି ଡାକ୍ତର ଲଗାଇ ଦିଅନ୍ତି । ଘରେତ ଦାସ ଦାସୀଙ୍କର ଅଭାବ ନାହିଁ । ସେ ଯୁଆଡ଼େ ଯାଆନ୍ତି ମତେ ସାଙ୍ଗରେ ନ ନେଲେ ବାହାରନ୍ତି ନାହିଁ । କେବଳ ଭାରତର ନୁହେଁ ପୃଥିବୀର ପ୍ରଧାନ ସହର ଗୁଡିକ ତାଙ୍କ ସହିତ ମୁଁ ବୁଲି ଆସିଲାଣି । ମୋର ବିବାହର ପ୍ରାୟ ଦୁଇବର୍ଷ ଭିତରେ ମୋର ଭାରତ ଦର୍ଶନ ସରିଛି । ଆଚ୍ଛା ତୁମେ ଭାବୁଥିବ ମୁଁ କେତେ ସୁଖୀ । ନୁହେଁ-?’’

 

‘‘କି ଆଶ୍ଚର୍ଯ୍ୟ’’ । ସତ୍ୟବାନ ନିଜ ଅଲକ୍ଷରେ କହି ପକାଇଲା । ‘ଆପଣ କହୁଛନ୍ତି ଆପଣଙ୍କ ସ୍ୱାମୀଙ୍କର ସ୍ନେହ ପ୍ରେମର ତୁଳନା ନାହିଁ । ଆପଣ ତ ଐଶ୍ଚର୍ଯ୍ୟରେ ଲାଳିତ ପାଳିତ । ଆଉ ଆପଣଙ୍କର ଦୁଃଖ କ’ଣ । ଯଦି କିଛି ଥିବ ସେ ସବୁ କାଳ୍ପନିକ ଦୁଃଖ । ମୋ ଅନୁମାନ ଯଦି ସତ୍ୟହୁଏ ଆପଣଙ୍କର ହୁଏତ ସନ୍ତାନ ସନ୍ତତି ନାହାନ୍ତି ।’’ ସେ କହିଲେ ‘‘ହଁ ତମେ ଠିକ୍‌ କହିଛ ।’’ ସତ୍ୟବାନ କହିଲା ‘‘ନ ହୋଇଥିଲେ ହେବ । ବର୍ତ୍ତମାନ ଯୁଗରେ ସବୁକିଛି ଅଭାବ ଦୂର ହୋଇପାରୁଛି । ଆପଣ ଏତେ ଦୁଃଖ କଲେ କଣ ହେବ ।’’ ସେ କହିଲେ ‘‘ନା, ନା, ତୁମେ ମୋ କଥା ଆଗ ଶୁଣ । ଶୁଣିଲେ ସିନା କହିବ । ଦିନେ ମୋ ସ୍ୱାମୀଙ୍କ ପକେଟରୁ ମୁଁ ଛୋଟ ଛୋଟ ରୁମାଲ ଆବିଷ୍କାର କଲି । ରୁମାଲଟା ବିଷୟରେ ଟିକିଏ କିଛି ଭାବିଲି । କିନ୍ତୁ ମୁଁ ମୋର ଦେବୋପମ ସ୍ୱାମୀଙ୍କୁ ଅବିଶ୍ୱାସ କରିବା କଥା ସ୍ୱପ୍ନରେ ବି ଭାବିନାହିଁ । ତାଙ୍କୁ ଆଉ ପଚାରିବି କଣ-

 

ନିୟମ ବଶତଃ ଆମେ ଠିକ୍‌ ଆଠଟା ବେଳେ ଡିନର ଆଉ । ସେ ଯେମିତି ଗୋଟିଏ ଇଂଲିଶ ଏକାଡେମୀରେ ପଢ଼ିଥିଲେ ମୁଁ ମଧ୍ୟ ସେମିତି ଇଂଲିଶ ଏକାଡେମୀରେ ପଢ଼ିଥିଲି । ଆଠଟା ବେଳେ ଡିନରେ ଖାଇବା ଆମର ଯେମିତି ନିୟମିତ ଥିଲା, ନଅଟା ବେଳେ ବିଛଣାକୁ ଯିବା ସେମିତି ନିୟମିତ ଥିଲା । ମୁଁ ବିଛଣାକୁ ଶୀଘ୍ର ଯାଏ । ସେ କିନ୍ତୁ ବସି ବସି କାଗଜପତ୍ର ଦେଖୁଥାନ୍ତି । ମୁଁ ତାଙ୍କୁ କିସ୍‌ କରି ଆଗ ଶୋଇପଡ଼େ । ସେ ମୋର କୌଣସି ଅସୁବିଧା ରଖି ଦିଅନ୍ତି ନାହିଁ । ତାଙ୍କ ସ୍ନେହ ନିକଟରେ ମୁଁ ଚିର ଋଣୀ । କିନ୍ତୁ ସେଇ ରୁମାଲଟିର କଥା କେଜାଣି କେମିତି ମୁଁ ଭୁଲି ପାରିଲି ନାହିଁ । ସେ ରୁମାଲଟା ମୋ ପାଖରେ ଥାଏ । ଦିନେ ମୁଁ ପଚାରିଲଦେଲି ‘‘ଏଇଟା କାହା ରୁମାଲ, ତୁମ ପକେଟ ଭିତରେ ଥିଲା ?’’ ସେ କହିଲେ ‘‘ହୁଏତ କ୍ଳବରୁ ଭୁଲରେ ଚାଲି ଆସିଥିବ ।’’ ତାଙ୍କ ସହିତ ବହୁବାର ମୁଁ କ୍ଳବ ଯାଉଥିଲି । ତେଣୁ ମୁଁ ରୁମାଲ ବିଷୟରେ ବିଶେଷ କିଛି ଭାବି ପାରିଲି ନାହିଁ । କିନ୍ତୁଁ ଧନ୍ୟ ସେ ରୁମାଲ । ନିଜେ ଯେମିତି ନିଜ କାହାଣୀ ବଖାଣୀବାକୁ ବସିଲା ।

 

ମୁଁ ରାତିରେ ଯେତେ ଶୀଘ୍ର ଶୋଇଲେ ବି ଦିନରେ ଡେରିରେ ଉଠେ । ମୁଁ ଠିଲା ବେଳକୁ ସେ ନିଘୋଡ଼ ନିଦରେ ଶୋଇଥାନ୍ତି । ସେ ଉଠନ୍ତି ଆହୁରି ଡେରିରେ । ଦିନେ ହଠାତ୍‌ ମୋ ନିଦ ରାତି ମଧରେ ଭାଙ୍ଗିଗଲା । ମୋ ନିଦର ଏପରି ବ୍ୟତିକ୍ରମ କେବେ ହେଉ ନଥିଲା । ମୁଁ ଦେଖିଲି ସେ ବିଛଣାରେ ନାହାନ୍ତି । ହୁଏତ ବାଥରୁମ ଯାଇଥିବେ ଭାବି ଅପେକ୍ଷା କଲି । କିନ୍ତୁ କାହାନ୍ତି ? ସେ ବାଥ୍‌ରୁମରେ ନଥିଲେ, କବାଟ ବାହାରୁ ବନ୍ଦ ଥିଲା । ମୁଁ ଏକାକୀ ଖଟ ଉପରେ ବସି ରହିଲି । ସେଇ ରୁମାଲ କଥା ମୋ ମନରେ ଉଙ୍କି ମାରିଲା ।

 

ମୋ ସ୍ୱାମୀଙ୍କୁ ଆଉ ବିଷୟରେ କିଛି ପଚାରିଲେ ନାହିଁ । ମନେ ମନେ ଖୁବ୍ ଅନୁସନ୍ଧାନ କଲି, କିନ୍ତୁ ମୁଁ ଏତେ ଶୀଘ ଶୋଇପଡ଼େ ଯେ ‘ସେ ସବୁ କିଛି ଜାଣିପାରେ ନାହିଁ । ନିଦ ମୋର ଶତ୍ରୁ ହେଲା । ତାପରେ ନିଦ ନ ହେବାପାଇଁ ମୁଁ ଗୁପ୍ତରେ ଔଷଧ ଖାଇଲି । ତଥାପି ହେଲା ନାହିଁ । ମୁଁ ଚିନ୍ତିତ ହୋଇ ପଡ଼ୁଥାଏ । କିନ୍ତୁ ମୋ ସ୍ୱାମୀଙ୍କର ସେହି ପ୍ରେମ କରୁଣା କୌଣସିଟିରେ ପରିବର୍ତ୍ତନ ନ ଥାଏ । ଦିନେ ମୁଁ ମୋ ସ୍ୱାମୀଙ୍କ ବିଫ୍ କେଶରୁ ଗୋଟିଏ ଔଷଧ ଶିଶିର ଆବିଷ୍ମାର କଲି । ଯେଉଁଥିରେ ଚାରି ଘଣ୍ଟା ପାଇଁ ନିଦ ହେବାର ଲେଖାଥିଲା । ମୋ ମନରେ ସନ୍ଦେହ ଆହୁରି ବଢ଼ିଗଲା । ସେଦିନ ମୁଁ ଅନେକ ଚିନ୍ତା କରିଥିଲି । ଅଭ୍ୟାସ ବଶତଃ ମୋ ପିଲାଦିନୁ ମତେ ପ୍ରତ୍ୟହ ଦୁଧ ପିଇବାକୁ ଦିଆଯାଏ । ମୋ ସ୍ୱାମୀଙ୍କୁ ମଧ୍ୟ ଗିଲାସେ ଦୁଧ ପିଇବାକୁ ଦିଆଯାଏ । ଅନ୍ୟ କିଛି ନ ହେଲେ ମଧ୍ୟ ଦୁଧ ନପିଇଲେ ସେ ନିଜେ ଦୁଃଖିତ ହୁଅନ୍ତି । ଦୁଧ ବ୍ୟତୀତ ଅନ୍ୟ କୌଣସି ଭଲ ଖାଦ୍ୟ ନାହିଁ ବୋଲି ସେ କହନ୍ତି । ତେଣୁ ଦୁଧ ପିଇବା ଆମର ନିୟମିତ ଥିଲା । ମୁଁ ଗପ ବହିରେ ପଢ଼ିଥିବା କଥାକୁ ମନେକରି ମୋ ଦୁଧରେ ସେଇ ଔଷଧ ମିଶୁଥିବା କଥା ସନ୍ଦେହ କଲି । ଅବଶ୍ୟ ପରେ ମୁଁ ଆବିଷ୍କାର କଲି କଥାଟିର ସତ୍ୟତା ଥିଲା । ଡିନର ପରେ ତାଙ୍କର ବିଶ୍ୱସ୍ତ ଅତି ଆପଣାର ଭୃତ୍ୟ ବାସୁଦେବ ଦୁଇଟି ରୂପା ଗ୍ଳାସରେ ଦୁଧ ଆଣି ଆମକୁ ବେଡ଼ରୁମରେ ଦେଇ ଯାଉଥିଲା । ଆମେ ଦୁହେଁ ସାଙ୍ଗ ହୋଇ ଦୁଧ ପାନ କରୁଥିଲୁ । ତେଣୁ ମୋର ସନ୍ଦେହ କରିବା ନିରର୍ଥକ । କାରଣ କୌଣସି ଗ୍ଳାସ କାହାପାଇଁ ନିର୍ଦ୍ଦିଷ୍ଟ ନ ତିଲା । ତଥାପି ମୋର ସନ୍ଦେହ ଘୁଞ୍ଚିଲା ନାହିଁ । ଦିନେ ତାଙ୍କ ଅନୁପସ୍ଥିତିରେ ବାସୁଦେବକୁ ପଚାରି କଥାଟିର ରହସ୍ୟ ଉଦ୍‌ଘାଟନ କଲି । ବାସୁଦେବ କହିଥିଲା ‘‘କେବଳ ସାନ ଖାମିଦ ବା ଆପଣଙ୍କୁ ଔଷଧ ଦିଆଯାଉ ନାହିଁ । ବଡ଼ ଖାମିଦ ମଧ୍ୟ ଏଇ ଔଷଧ ଖାଆନ୍ତି । ସାରାଦିନର କଠିନ ପରିଶ୍ରମ ଟଙ୍କା, ପାଇସାର ଧନ୍ଦା, ରାତିରେ ଟିକିଏ ଗଭୀର ନିଦ୍ରା ନ ହେଲେ ଏସବୁ କାମ ଚଳିବ କେମିତି ।’’ କିନ୍ତୁ ମୋ ସ୍ୱାମୀ ମଧ୍ୟ ଏଇ ଔଷଧ ଖାଉଥିବା କଥା ଶୁଣି ମୋର ସବୁ ଚିନ୍ତା ପୁଣି ଗୋଳମାଳ ହୋଇଗଲା । ଯେଉଁ ଦୁଇଟି ଡ୍ରପ୍‌ ଆମ ଦୁଧରେ ପଡ଼ୁଥିଲା ତାକୁ ଆମେ ଦିହେଁ ଏକସାଙ୍ଗେ ପିଉଥିଲୁ । ଏ ଔଷଧ ଅତ୍ୟନ୍ତ ମୂଲ୍ୟବାନ୍‌ ଓ ବିଦେଶରେ ପ୍ରସ୍ତୁତ ଥିଲା । ଜାଣେନା, ଏଇ ଔଷଧ ସମ୍ପର୍କରେ କିଛି ପଚାରିବାକୁ ବି ମୋର ଇଚ୍ଛା ହେଲା ନାହିଁ । ମୋର ସ୍ୱାସ୍ଥ୍ୟ ଭଲ ଥାଏ । ସ୍ୱାମୀଙ୍କର ମଧ୍ୟ ସୁନ୍ଦର ସ୍ୱାସ୍ଥ୍ୟ । ତେବେ....

 

ମୁଁ କିନ୍ତୁ ଅନୁସନ୍ଧାନରୁ ବିରତ ହେଲି ନାହିଁ । ଏଇ ନିଦ କବଳରୁ ମୁକ୍ତି ପାଇବା ମୋ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । ମୁଁ ଦୁଧ ନ ପିଇଲେ ମୁଁ ଜାଣେ ମୋ ସ୍ୱାମୀ ମଧ୍ୟ ପିଅନ୍ତି ନାହିଁ ତାଙ୍କର ପିଇବା ମୋ ଅପେକ୍ଷା ଅଧିକ ଆବଶ୍ୟକ ମନେକରି ମୁଁ ବାଧ୍ୟ ହେଉଥିଲି । ଦିନେ ମୁଁ ମୋର ଜଣେ ବାନ୍ଧବୀଠାରୁ ଜାଣିବାକୁ ପାଇଲି ଯେ ହୋମିଓପାଥିକ ଔଷଧରେ ଏଲୋପାଥିକ ଔଷଧର ଗୁଣକୁ କାଟି ଦେବାର ବ୍ୟବସ୍ଥା ଅଛି । ଅବଶ୍ୟ ମୋ ବାନ୍ଧବୀକୁ ମୁଁ ଏସବୁ କିଛି କହିବା ଉଚିତ୍‌ ମନେ କରି ନ ଥିଲି । କାରଣ ମୋ ସ୍ୱାମୀଙ୍କ ବିରୁଦ୍ଧରେ କିଛି କହିବାକୁ ମୋର ଜିଭ ଲେଉଟି ନଥିଲା । ତାପରେ ମୁଁ ମୋର ହୋମିଓପାଥି ବ୍ୟବହାର କଲି ଓ ଆବିଷ୍କାର କଲି ସବୁ ରହସ୍ୟ । ମୋର ସେଇ ସ୍ନେହଶୀଳ ସ୍ୱାମୀ ମତେ ଛାଡ଼ି ପ୍ରତ୍ୟେକ ରାତିରେ ବରାବର ଚାଲି ଯାଉଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରହସନ ଚାଲିଛି । କିନ୍ତୁ ମୁଁ ଏହାର ପ୍ରତିବାଦ କରି ପାରୁନାହିଁ । ତାଙ୍କର ସ୍ନେହରେ ତୁମେ କିଣି ହୋଇଯିବ । ମୋ ମୁହଁ ନ ଦେଖିଲେ ସେ ବିଛଣାରୁ ଉଠନ୍ତି ନାହିଁ । ମୁଁ ନ ଥିଲେ ସେ ଭଲରେ ଖାଆନ୍ତି ନାହିଁ । ମୋ ସହିତ ପରାମର୍ଶ ନ କଲେ ସେ କୌଣସି ଭଲ କାମରେ ହାତ ଦିଅନ୍ତି ନାହିଁ । ତୁମେ ମତେ ଭାଗ୍ୟବତୀ ନ କହି କଣ କହିବ ? କିନ୍ତୁ ବର୍ତ୍ତମାନ ସବୁ କଥା ତୁମେ ହିଁ ଜାଣି ପାରିଛି । କୁହ ଏହାର କି ପ୍ରତିକାର ମୁଁ କରିବି ?’’

 

ଗୋଟାଏ ଓକିଲାତି ବୁଦ୍ଧି ବାହାର କରି ସତ୍ୟବାନ କହିଲା ‘‘ସ୍ୱାମୀଙ୍କ ପ୍ରତି ଏତେ ଦରଦ, ଆଉ ସହ୍ୟ କରିପାରୁ ନାହାନ୍ତି କାହିଁକି ? ଆପଣଙ୍କ ସ୍ୱାମୀଙ୍କ ଖୁସିରେ ତ ଆପଣ ଖୁସି ହେବା କଥା ।’’ ସେ ବିଚଳିତା ହୋଇ ପଡ଼ିଲେ । ଏପରି ଉତ୍ତରର ପ୍ରତିକ୍ରିୟାକୁ ସତ୍ୟବାନ ଲକ୍ଷ୍ୟ କଲା । ସେ କହିଲା ‘‘ନା, ସେ ବିଷୟ ମୁଁ ଅନେକ ଭାବିଛି । ମୋ ସ୍ୱାମୀଙ୍କୁ କଷ୍ଟ ନ ଦେବାକୁ ମୁଁ ସ୍ଥିର କରିଥିଲେ ବି ମୁଁ ଏହାକୁ ଆଦୌ ସହ୍ୟ ପରି ପାରୁନାହିଁ ।’’ ସତ୍ୟବାନ କହିଲା, ‘‘ତାହେଲେ ତାଙ୍କୁ ଖୋଲା ଖୋଲି କହି ଦିଅନ୍ତୁ ।’’ ସେ; କହିଲେ ‘‘ତା ମଧ୍ୟ ଅସମ୍ଭବ । ଯେତେ ଥର ଭାବୁଛି, ତାଙ୍କ ମୁହଁ ଦେଖିଲାକ୍ଷଣି ମୋ ଜିଭ ଲେଉଟୁ ନାହିଁ । ଆଉ କହିବା ପରି ସାହସ ବି ମୋର ନାହିଁ । ଦିନ ଯେତିକି ଆଗେଇ ଯାଉଛି, ମୁଁ ଯେତେ ଯେତେ ଏହାର ଆବିଷ୍କାର କରୁଛି ସେତିକି ଅନ୍ତର୍ଦାହରେ ମରିଯାଉଛି ।’’ ସତ୍ୟବାନ କହିଲା ‘‘ଆପଣଙ୍କ ପରି ଗୋଟିଏ ସୁନ୍ଦରୀ ପତ୍ନୀ ଥାଉ ଥାଉ ଆପଣଙ୍କ ସ୍ୱାମୀ ଯଦି ଅନ୍ୟତ୍ର ଯାଉଥାନ୍ତି, ସେ ଦୋଷ ଆପଣଙ୍କର । ଏସବୁରୁ ପ୍ରତିକାର ପ୍ରଥମରୁ କରିବାର ଥିଲା । ବର୍ତ୍ତମାନ ଆପଣ କଣ କରିବାକୁ ଚାହାନ୍ତି ।’’ ସେ କହିଲେ ‘‘ସେଇ କଥା ମୁଁ ବୁଝି ପାରୁନାହିଁ । ଯେଉଁଦିନ ମୁଁ ଆବିଷ୍କାର କରୁଛି ମୋ ସ୍ୱାମୀ ମତେ ଛାଡ଼ି ଦେଇ ଯାଇଛନ୍ତି ସେଦିନ ମୋ ଅବସ୍ଥା କହିଲେ ନ ସରେ । ଆପଣ ମତେ ସାହାଯ୍ୟ କରନ୍ତୁ ।’’ ସତ୍ୟବାନ କହିଲା ‘‘ଆପଣଙ୍କର ଏ ଅଦ୍ଭୁତ ସମସ୍ୟାର ସମାଧାନ ଆପଣଙ୍କ ଚାହିଦା ଅନୁସାରେ କିପରି ହୋଇ ପାରିବ ମୁଁ ଚିନ୍ତା କରି ପାରୁନାହିଁ । ଆପଣ ପୁଷ୍ପବାଦିନୀ ହୁଅନ୍ତୁ, ନ ହେଲେ...’’ ସେ କହିଲେ ‘‘ନା, ତା ହୋଇ ପାରିବିନି ଓକିଲ ସାହେବ । ତମେ ଏହାର ପ୍ରତିକାର କରିବାର ପନ୍ଥା ନିର୍ଣ୍ଣୟ କର ।’’ ହଠାତ୍‌ ଓକିଲ ସାହେବ ନାଟାଁ ଶୁଣିଲାକ୍ଷଣି ସତ୍ୟବାନ ଆଶ୍ଚର୍ଯ୍ୟ ହେଲା । ସେ ଓକିଲ ବୋଲି ଜାଣିଲା ବେଳୁ ହୁଏତ ନାରୀଟିର ଏ ଅନୁରୋଧ । ସେ କହିଲା ‘‘ଏହାର ଦୁଇ ପ୍ରକାର ସମାଧାନ ହୋଇପାରେ । ହୁଏତ ଆପଣ ତାଙ୍କୁ ଡାଇଭୋରସ କରିଦେବେ, ନ ହେଲେ ଆପୋଷ ନିଷ୍ପତ୍ତି କରିଦେବେ । ମାନେ ନିଜେ ସହିବାକୁ ଚେଷ୍ଟା କରିବେ ।’’ ସେ କହିଲେ ‘‘ଏଗୁଡ଼ା ଅତି ସହଜ ଉପାୟ ଓକିଲ ସାହେବ୍‌ । ଏପରି ନିଷ୍ପତ୍ତି ମୁଁ କରିପାରିବି ନାହିଁ । ମୋ ସ୍ୱାମୀଙ୍କ ବିରୁଦ୍ଧରେ ମୁଁ ସ୍ୱର ଉତ୍ତୋଳନ କରିପାରିବି ନାହିଁ କି ଏହାକୁ ସହ୍ୟ କରିପାରିବି ନାହିଁ ।’’ ସତ୍ୟବାନ କହିଲା ‘‘ଏ ବଡ଼ ଅଦ୍ଭୁତ ନିଷ୍ପତ୍ତି । ତାହେଲେ ଆପଣଙ୍କ ସ୍ୱାମୀଙ୍କୁ ଅନୁରୋଧ କରନ୍ତୁ ଏସବୁକୁ ଛାଡ଼ିଦେବେ ।’’ ସେ କହିଲେ ‘‘ମୁଁ ଏସବୁ ତାଙ୍କୁ ଜାଣିବାକୁ ଦେବି ନାହିଁ । ସମସ୍ୟା ଜଟିଳତର ହେବ । ସେ ବାଳକ ନୁହନ୍ତି ଯେ ଲଡ଼ୁ ଦେଲେ ଭୁଲିଯିବେ ।’’ କଣ୍ଠକୁ ଆହୁରି ଅନୁଚ୍ଚକରି ସତ୍ୟବାନର ନିକଟକୁ ଲାଗିଯାଇ ସେ କହିଲେ ‘‘ଓକିଲ ସାହେବ । ମୋ ଶରୀର ପ୍ରତି ତାଙ୍କର ଆଉ ଆକର୍ଷଣ ନାହିଁ । ଏତକ କଣ ବୁଝି ପାରୁନାହିଁ । ନଚେତ୍‌ ମୁଁ ତାଙ୍କ ପାଖରେ ଥାଉ ଥାଉ ‘ବେଗମ ଉଦ୍ୟାନ’ରେ ସେ ଅନ୍ୟ ତରୁଣୀ ସହିତ ରାତ୍ରିଯାପନ କରନ୍ତେ କାହିଁକି ? ମୁଁ ଠିକ୍‌ ଭାବିଛି ଓଖିଲ ସାହେବ୍‌ ମୋର ଏ ଶରୀରକୁ ନେଇ ତାଙ୍କୁ ଆକର୍ଷଣ କରିବାକୁ ଚେଷ୍ଟା କରିବା ବୃଥା । ମତେ ସେ ତାଙ୍କର ପ୍ରିୟତମା ପତ୍ନୀର ଅଧିକାରରୁ କେବେ ବଞ୍ଚିତ କରି ନାହାନ୍ତି । ମୁଁ କାହିଁକି ତାଙ୍କୁ ବିରକ୍ତ କରିବି । କାହିଁକି ମୁଁ ତାଙ୍କ ମନରେ କଷ୍ଟ ଦେବି ?’’ ସତ୍ୟବାନ ନୀରବରେ ବସି ରହିଲା । ଏପରି ଗୋଟାଏ ଅଦ୍ଭୁତ ସମସ୍ୟାର ସମାଧାନ ସେ କିପରି କରିବ । ନାରୀଟି କଣ ଚାହେଁ, ତାମଧ୍ୟ ଠିକ୍‌ ଧରି ହେଉ ନାହିଁ । ଜଣେ ଓକିଲ ହିସାବରେ ଯାହା କରଣୀୟ ସେ କହି ସାରିଛି ।

 

ସତ୍ୟବାନକୁ ନୀରବ ଦେଖି ସେ କହିଲେ ‘‘ମୁଁ ଜାଣେ ଓକିଲ ସାହାବ । ତମର ଓକିଲାତି ବୁଦ୍ଧି ଏଥିରେ ଖାଟିବ ନାହିଁ ।’’ ସତ୍ୟବାନ କହିଲା ‘‘ହଁ ଠିକ୍‌ କରୁଛନ୍ତି । ଆପଣଙ୍କର ଯାହା ଇଚ୍ଛା କରନ୍ତୁ । Have your own ways.” ସେ କହିଲେ ‘‘ବାଃ ଚମତ୍କାର ସମାଧାନ କଲ । ମୁଁ ତୁମଠୁ ସାହାଯ୍ୟ ଚାହେଁ । ତମେ କଣ ମତେ ସାହାଯ୍ୟ କରିପାରିବ ?’’ ସତ୍ୟବାନ ଗୋଟାଏ ବିରୋଚିତ ଭାବ ଦେଖାଇ କହି ପକାଇଲା । ‘‘ମୋ ଦ୍ୱାରା ଯଦି ଆପଣ ଉପକୃତ ହେବେ ମୁଁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ।’’

 

ତାପରେ ଗୋଟାଏ ନୀରବତା ଦେଖାଗଲା । ସେ କହିଲେ ‘‘ମୁଁ ଏଇଠି ଏମିତି ଏକାକିନୀ ହୋଇ ରଜନୀ ବିତାଇବି । ତୁମକୁ ଏଇଟା ଭଲ ଲାଗୁଛି ? କଣ ଭାବୁଛ । ମତେ ଭୀଷଣ କଷ୍ଟ ହେଉଛି । ମତେ ଏ ଦୁଃଖରୁ ପରିତ୍ରାଣ କରି ପାରିବ ନାହିଁ ।’’ ଜଣେ ବିବାହିତା ନାରୀର ଦୁଃଖ । ତାକୁ ପୁଣି କେଉଁ ଉପାୟରେ ଦୂର କରାଯାଇ ପାରେ । ସେ କହିଲା ‘‘ମୁଁ ଆପଣକୁ କଥା ଦେଉଛି । ମୁଁ ଆପଣଙ୍କ ଇଚ୍ଛାନୁସାରେ ଯାହା ଚାହିଁବେ କରିବି ।’’ ସେ କହିଲେ ‘‘ଓକିଲ ସାହାବ, ତମେ କଣ ମଣିଷର ମନ ଚିହ୍ନ ନାହିଁ । କେମିତି ଆଉ ଜଣାଇବି । ମୋର କୋଳଶୂନ୍ୟ ବାତ୍ସଲ୍ୟ ବିନା ପ୍ରାଣରେ ଦାରୁଣ ବ୍ୟଥା, ତମେ ମୋତେ ରକ୍ଷାକର ଓକିଲ ସାହାବ’’ ସେଇ ସବିନୟ ଅନୁରୋଧରେ ସତ୍ୟବାନ ଦ୍ରବିଭୂତ ହୋଇ ପଡ଼ୁଥିଲା । ସେ ବସିଥିଲା ପଥର ପ୍ରତିମା ପରି ।

 

ଭଦ୍ର ମହିଳାଙ୍କର ଅନୁରୋଧ ‘‘ମୁଁ ଯେତେଦିନ ରହିବି, ତୁମେ ଏଇଠି ରହ ।’’ ସତ୍ୟବାନଙ୍କୁ ତାଙ୍କୁ କଥା ଦେଇଥିଲା । ସେଇ ଅଠର ନମ୍ବର ରୁମରେ ସତ୍ୟବାନ ଏକ ପ୍ରକାର ଆତ୍ମ ଗୋପନ କଲା । ମନେ ପଡ଼େ ସେଇ ଅଘୋର ମନ୍ଦିରର ଲୀଳା, ସେଇ ଜାରଜ ଉତ୍ପତ୍ତିର ଅଧ୍ୟାୟ । କିନ୍ତୁ ସେ ଭାବୁଥିଲା କିଏ ବା ଜାରଜ । ମୂଲ୍ୟହୀନ ଶବ୍ଦଟିଏ ହୁଏତ । ଯେ କୌଣସି ମାନବ ନିଶ୍ଚୟ ନାରୀ ପୁରୁଷଠାରୁ ଉତ୍ପତ୍ତି ଲାଭ କରିଛନ୍ତି । ପିତାର ପରିଚୟ ନ ମିଳିଲା ବୋଲି ଶିଶୁ କେବେ ଜାରଜ ହୋଇପାରେ । ପୁଣି ମିଥ୍ୟା ପରିଚୟ ସୃଷ୍ଟି କରି ପାରିଲେ ଜାରଜତ୍ୱର ଖଣ୍ଡନ ହୋଇପାରେ । ତା ହେଲେ ଏ ଶବ୍ଦଟିର ମୂଲ୍ୟ କେଉଁଠି ? ଏ ଗୋଟାଏ ପ୍ରବଞ୍ଚନା ମାତ୍ର ।

 

ଦିନସାରା ଭଦ୍ର ମହିଳାଙ୍କ ସହିତ ତା’ର ଦେଖା ହୋଇ ନ ଥିଲା । ତାଙ୍କର ସେଇ ପ୍ରଶଂସନୀୟ ସ୍ୱାମୀଙ୍କ ନିକଟରେ ତାଙ୍କର ସବୁ ସମୟ କଟି ଯାଇଥିଲା । ସେମାନଙ୍କ ଦାମ୍ପତ୍ୟ ଦେଖିଲେ ପ୍ରକୃତରେ ସନ୍ଦେହ କରି ହେବ ନାହିଁ । କିନ୍ତୁ ଚକ୍ରବାକ ପରି ସେମାନଙ୍କର ରାତ୍ରି ବିଚ୍ଛେଦ ଘଟୁଥିଲା । ଭଦ୍ରମହିଳା ସମଗ୍ର ରାତ୍ରିଟି ହସ ଖୁସିରେ ବିତାଇ ଦେଉଥିଲେ ସତ୍ୟବାନ ସହିତ । ତାଙ୍କର ଆଉ ଗ୍ଳାନି ନ ଥିଲା । ସତ୍ୟବାନ ମଧ୍ୟ ତାଙ୍କର ଗ୍ଳାନି ଦୂର କରି ଖୁସି ହୋଇଥିଲା ।

 

ଭଦ୍ରମହିଳାଙ୍କ ନାମ ମଞ୍ଜୁଶ୍ରୀ । ସେ କହିଲେ ‘‘ତୁମେ ମତେ ଆପଣ ନକହି ମଞ୍ଜୁଶ୍ରୀ ବୋଲି ଡାକ । ପ୍ରକୃତରେ ତମ ପାଖରେ ମୁଁ ଚିର ଋଣୀ । ମୋର ଯିବା ବେଳ ହୋଇଗଲା । କିନ୍ତୁ ତୁମଠୁ ଦୂରକୁ ଯିବାକୁ ମୋର ଇଚ୍ଛା ନାହିଁ ।’’ ସତ୍ୟବାନ ମନେ ମନେ ପ୍ରମାଦ ଗଣିଲା । ସ୍ନିଗ୍‌ଧା କଥା ମାନସ ପଟରୁ ଲିଭି ନାହିଁ । ନାରୀର ଅବିବେକିତାର ପରିଚୟ ସେ ପାଇ ସାରିଛି । ତାଙ୍କର ବିବେକଶୂନ୍ୟ ପ୍ରତିକ୍ରିୟାର ଉଦ୍‌ଗୀରଣ ହେଲେ ଅବସ୍ଥା ଅସମ୍ଭାଳ ହୋଇ ଉଠିବ । ସେ କହିଲା ‘‘ଏଇ କଣ ଆମର ଶେଷ ଦେଖା ମଞ୍ଜୁଶ୍ରୀ । ଏମିତି ବାରମ୍ବାର ଆମର ଦେଖା ହେବ । ସେ ସୁଯୋଗକୁ ଅପେକ୍ଷା କର । ବିଚ୍ଛେଦ ନହେଲେ ମିଳନର ଧୁମରତା କାହିଁ ?’’

 

ସେମାନଙ୍କ ହୋଟେଲରୁ ବିଦାୟ ନେବାକୁ ମାତ୍ର ଗୋଟିଏ ଦିନ ବାକିଅଛି । ଆଜି ରାତ୍ରି ହିଁ ସେଇ ବିଚ୍ଛେଦର ରାତ୍ରି । ସତ୍ୟବାନର ମଞ୍ଜୁଶ୍ରୀ ପ୍ରତି ଅନୁରାଗ ବଢ଼ି ଯାଉଛି । ଛଳନାରୁ ଆରମ୍ଭ ହୋଇ ହୃଦୟରେ ଏମିତି ସ୍ଥାନ ଅଧିକାର କରି ବସିବାଏ କଥା ସେ ହୁଏତ ଚିନ୍ତା କରି ନଥିଲା । ମଞ୍ଜୁଶ୍ରୀ ଆଜି ଅନେକ ଅନୁନୟ କରିବ । ଆଜିର ଏ ରାତି ସ୍ମରଣୀୟ ହୋଇ ଉଠିବ ।

 

ରାତି ଏଗାରଟା ବାଜିଲା । ମଞ୍ଜୁଶ୍ରୀର ଦେଖାନାହିଁ । ସମ୍ଭବତଃ ମଞ୍ଜୁଶ୍ରୀର ସ୍ୱାମୀ ଆଜି ବାହାରକୁ ଯାଇ ନାହାନ୍ତି । ସତ୍ୟବାନ ବାହାରକୁ ଯାଇ ଗାଡ଼ିଟିର ସନ୍ଧାନ ନେଲା । ଗାଡ଼ିଟି ଗ୍ୟାରେଜରେ ଅଛି । ମଞ୍ଜୁଶ୍ରୀ କହିଥିଲା ରାତି ନପାହୁଣୁ ସେମାନେ ବିଦାୟ ନେବେ । ତେବେ ମଞ୍ଜୁଶ୍ରୀ ସହିତ ଦେଖା ହେବ କେମିତି । ସତ୍ୟବାନ ଟିକିଏ ଚିନ୍ତିତ ହୋଇ ପଡ଼ିଲା । ଏ ଆଭିଜାତ୍ୟସମ୍ପନ୍ନ ହୋଟେଲରୁ ସେ ବିଦାୟ ନେବ କିପରି ?

 

ମଞ୍ଜୁଶ୍ରୀକୁ ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ ଅପେକ୍ଷା କଲା ସତ୍ୟବାନ । କିନ୍ତୁ ମଞ୍ଜୁଶ୍ରୀ ଆସି ନଥିଲା । ସତ୍ୟବାନ ବିବ୍ରତ ହୋଇ ଶୋଇ ଯାଇଥିଲା । ନିଦ ଭାଙ୍ଗିଲା ବେଶ୍‌ ଡେରିରେ । ଡେରିରେ ଉଠିବା ତାର ଅଭ୍ୟାସ କିନ୍ତୁ ଆଜିର ବିଳମ୍ବ ଥିଲା ଭିନ୍ନ ଦିନ ନଅଟା ବାଜି ସାରିଛି । କବାଟଟା ଖୋଲି ଦେଇ ସେ ଆଗ ମଞ୍ଜୁଶ୍ରୀର ରୁମ ଆଡ଼କୁ ଚାହିଁଲା । ବାହର ପଟୁ ବନ୍ଦ ଅଛି । ସମ୍ଭବତଃ ସେମାନେ ଯାଇ ସାରିବେଣି । ସେ ରୁମ ବାହାରେ ପଦ ଚାରଣ କଲା । ବର୍ତ୍ତମାନ ଉପାୟ...

 

ସେଦିନ ରାତ୍ରିର ସେ ପରିଚୟ ଦରୱାନ୍‌ ତା ହାତକୁ ଖଣ୍ଡେ ବଡ଼ ଲଫାଫା ବଢାଇ ଦେଲା । ମଞ୍ଜୁଶ୍ରୀର ସମ୍ବାଦ ହୋଇପାରେ । ରୁମ୍‌ ଭିତରକୁ ପଶିଯାଇ ସେ ଚିଠିଟି ଖୋଲିଲା । ମଞ୍ଜୁଶ୍ରୀ ଲେଖିଛି–

 

ପ୍ରିୟତମା । ଯିବା ପୂର୍ବରୁ ଦେଖା ହେଲାନାହିଁ । ତୁମକୁ ଭୁଲି ପାରିବି ନାହିଁ । ସବୁ କଥା ଖାଲି ମନେ ପଡ଼ିବ । ପୁଣି କେବେ ଆମର ଦେଖାହେବ ଈଶ୍ୱର ଜାଣନ୍ତି । ତୁମ ଠିକଣାଟି ନେଇଛି-। ଚିଠି ଦେବି । ଏହା ସହିତ୍‌ ପଚାଶ ହଜାର ଟଙ୍କାର ଚେକ୍‌ ମୋର ପ୍ରୀତ୍ୟୁପହାର ରହିଲା-। ଭଙ୍ଗାଇ ହୋଟେଲର ବିଲ ଇତ୍ୟାଦି ଦେଇ ଦେବ । ଆଉ ସମୟ ନାହିଁ ।

 

ପ୍ରୀତି ସହ

ଇତି

ମଞ୍ଜୁଶ୍ରୀ ।’’

 

ସତ୍ୟବାନ ନିଜକୁ ବିଶ୍ୱାସ କରି ପାରିଲା ନାହିଁ । ଏଇ ବିପୁଳ ଅର୍ଥଦାନ ପ୍ରୀତିଦାନ କାହିଁକି ? ୟେ କଣ ପ୍ରକୃତରେ ତାର ପ୍ରାପ୍ୟ । ସେ ଚେକ୍‌ଟା ଭଙ୍ଗାଇ ନେଇ ଶୀଘ୍ର ଶୀଘ୍ର ହୋଟେଲରୁ ମୁକ୍ତ ହୋଇଗଲା । ତାକୁ ଫେରି ଯିବାକୁ ହେବ । ଗୋଟାଏ ଅଜବ ଖିଆଲରେ ସେ ପଳାଇ ଆସିଥିଲା । କିନ୍ତୁ ହେଲା କଣ । ଏଇ ପରିସ୍ଥିତ ପାଇଁ କଣ ସେ ପ୍ରେରିତ ହୋଇଥିଲା । ମଣିଷ କଣ ଅବସ୍ଥାର ଦାସ । ଗୋଟାଏ ନିଷ୍ପ୍ରାଣ ଖେଳଣା.....

 

ସତ୍ୟବାନ ଫେରିଲା ତାର ସେଇ କୋଠରୀକୁ । ହୁସେନ୍‌ ତାକୁ ଅପେକ୍ଷା କରି କରି ଅତିଷ୍ଠ ହେଲାଣି । ହାରଟି ପକେଟରେ ପଡ଼ିଛି । ସତ୍ୟବାନ ଦେଖିଲା ହୁସେନର ଛୋଟ ଝିଅଟା ତାକୁ ଦେଖି ଦଉଡ଼ି ଆସୁଛି । ହୁସେନ୍‌ ଅଳ୍ପ ଦୂରରେ ବସିଛି । ଝିଅଟିକୁ ପାଖକୁ ନେଇ ସତ୍ୟବାନ ତା ବେକରେ ହାରଟି ପିନ୍ଧାଇ ଦେଇ କହିଲା ‘‘ତୋ ହାରଟିକୁ ମୁଁ ଚୋରାଇ ନେଇଥିଲି ।’’ ସତ୍ୟବାନ ଆଖିରୁ ଲୁହ ଝରି ପଡ଼ିଥିଲା । ପ୍ରକୃତରେ ସେଇଦିନ ସତ୍ୟବାନ ପ୍ରାଣ ଭରି କାନ୍ଦିଥିଲା ।

 

ଯେଉଁ ଅର୍ଥପାଇଁ ସତ୍ୟବାନ ଭବିଷ୍ୟତ ଆଗରେ କଳା ପର୍ଦ୍ଦା ଝୁଲୁଥିଲା କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ତା ଭିନ୍ନ ହୋଇଗଲା । କାଳ ବିଳମ୍ବ ନକରି ଯାଦୁକର ଯାଦୁ ସୃଷ୍ଟି କଳାପରି ସତ୍ୟବାନ ତାର ଯୋଜନାର ଜାଲ ବିସ୍ତାର କଲା । ସେ ଏନ୍‌ରୋଲ ହେଲା । ପ୍ରାକ୍‌ଟିସ୍‌ କରିବା ପାଇଁ ଚେମ୍ବର ଭଡ଼ା ନେଲା । ବହି କିଣିଲା । ସାଙ୍ଗମାନଙ୍କୁ ଆପାୟିତ କରି ନିଜ ଯୋଗ୍ୟତାର ପରିଚୟ ଦେବାକୁ ଗଲା । ଯେଉଁ ବନ୍ଧୁମାନେ ତାର ନୂତନ ଚିନ୍ତଧାରାକୁ ଏପର୍ଯ୍ୟନ୍ତ କେବଳ ପରୀକ୍ଷା କରି ଚାଲିଥିଲେ ସେମାନେ ତାକୁ ସର୍ବୋତ୍କୃଷ୍ଟ ଚିନ୍ତାଧାରା ବୋଲି ସାବସ୍ତ୍ୟ କରିଦେଲେ । ଗଢ଼ି ଉଠିଲା ଏକ ନୂତନ ରାଜନୈତିକ ଦଳ । ମାଧୁରୀକୁ ନିଜ ଚେମ୍ବରକୁ ଦେଖାଇ ସତ୍ୟବାନ କହିଲା ‘‘ଏ ସବୁ ତୁମେ ଦେଖାଶୁଣା କର । ଆମ ନୂଆ ପାର୍ଟିଟିରେ ସମ୍ପାଦକା ତୁମେ । ଏସବୁ କରିବାକୁ ମୋର ବେଳ ନାହିଁ-।’’ ମାଧୁରୀ କେବଳ ସତ୍ୟବାନର ପରିବର୍ତ୍ତନକୁ ଲକ୍ଷ୍ୟ କରୁଥିଲା । ଗୋଟାଏ ଗଠନମୂଳକ କାମ ପାଇଁ ଅଜସ୍ର ଉଦ୍ୟମ ଲୋଡ଼ା । ସତ୍ୟବାନର ଚିନ୍ତାକୁ ନେଇ ଯେଉଁ ଦାୟିତ୍ୱମୂଳକ ଦଳ ଗଢ଼ି ଉଠିଲାଣି ସେ ତାର ଦାୟିତ୍ୱ ନେବାକୁ ଅନିଚ୍ଛୁକ । ସକ୍ରିୟ ସହଯୋଗ ବିନା ସବୁ ନଷ୍ଟ ହୋଇଯିବ । କେବଳ ଅର୍ଥ ଶ୍ରାଦ୍ଧ ହେବା କଥା । କିନ୍ତୁ ମାଧୁରୀ ତାକୁ କିଛି କହିବାକୁ ଇଚ୍ଛା କରୁ ନଥିଲା । ନନ୍ଦବାବୁଙ୍କର ଅସୁସ୍ଥତା ହେତୁ ମାଧୁରୀ ମଧ୍ୟ ସହଯୋଗ କରିପାରୁ ନଥିଲା ।

 

ସତ୍ୟବାନର ଚେମ୍ବରରେ ବନ୍ଧୁମାନଙ୍କ ଭିଡ଼ । ଗୋଟିଏ ବି କେଶ୍‌ ଦେଖା ନାହିଁ । କିନ୍ତୁ କଚିରୀରେ ତାର ଅଧିକ ସମୟ କଟିଥାଏ । ତଳ କୋର୍ଟ ଭାବନ୍ତି ତାର ବଡ଼ କୋର୍ଟରେ କାମ ଓ ବଡ଼ କୋର୍ଟ ଭାବନ୍ତି ତାର ତଳ କୋର୍ଟରେ କାମ ସତ୍ୟବାନର ପକେଟରେ ଶହ ଶହ ଟଙ୍କାର ବିଡ଼ା-। ଖର୍ଚ୍ଚ ବି କରେ ଖୁବ୍‌ । କିନ୍ତୁ କେଶ୍‌ ନାହିଁ ଖବର କାଗଜରେ ବାହାରି ପଡ଼ିଛି ‘‘ବ୍ରି ଫ୍‌ ହଜିଛି-।’’ ଦୁଇଟି ବଡ଼ ବଡ଼ କେଶ୍‌ର ନାମ ସେ ଉଲ୍ଲେଖ କରିଥିଲା । କୌଣସି ସହୃଦୟ ବ୍ୟକ୍ତି ତାକୁ ପାଇଥିଲେ ଜମା ଦେଇ ପାଞ୍ଚଶହ ଟଙ୍କା ପୁରସ୍କାର ନିଅନ୍ତି ।’’

 

ମୋହରୀରମାନେ ତାଠୁ ବକ୍‌ ସିସ୍‌ ପାଇଲେ । ବଡ଼ବଡ଼ ଓକିଲଙ୍କ ମୋହରୀର ମାନଙ୍କୁ ମୋଟା ଦାରିଆ ବକ୍‌ସିସ୍‌ ଦେଇ ସେ କେଶ୍‌ ପାଇବାକୁ ଲାଗିଲା । ୟେ ବ୍ୟବସାୟ । ଅର୍ଥ ବିନିଯୋଗ ନ କଲେ ଉପାର୍ଜନ ହେବ କୁଆଡ଼ୁ । ମୂଳ ସୂତ୍ରଟି ସେ ନିର୍ଣ୍ଣୟ କରିଥିଲା ନିଜ ବୁଦ୍ଧିକୁ ପ୍ରଶଂସା ନକରି ରହି ପାରିଲା ନାହିଁ । ତାପରେ ମୁଦେଇ ମଦାଲା ଠିକ୍‌ କରି କେଶ୍‌ ଫାଇଲ୍‌ ହେଲା । ଅନ୍ୟ ଓକିଲଙ୍କଠାରୁ ଆସିଲା ଅନେକ ନିୟନ୍ତ୍ରଣ । ଅନେକ ସମ୍ମାନ କେଶ୍‌ ପରେ କେଶ୍‌ ଆରମ୍ଭ ହୋଇଗଲା । ଖବର କାଗଜରେ କୃତଜ୍ଞତା ଜ୍ଞାପନ ଆରମ୍ଭ ହେଲା । ଜିତିଥିବା ଲୋକେ ତାର ଭୁରି ଭୁରି ପ୍ରଶଂସା କଲେ । ମୋହରୀରମାନେ ତାର ପ୍ରଶଂସା କଲେ । କଚେରୀର ପିଅନ୍‌ ଶ୍ରେଣୀ ତାର ସ୍ତୁତି ଗାନ କଲେ । ଗୋଟାଏ ଓକିଲ ପରି ଓକିଲ ସେ ଉଦାରଚେତା ବିଜ୍ଞ ମାନବ । ଯୁଗ ପୁରୁଷ ଇତ୍ୟାଦି ଇତ୍ୟାଦି ।

 

ତା ଘରେ ଚା ଭୋଜୀ, ତା ଘରେ ରାତ୍ର ଭୋଜନର ଆସର । ବଡ଼ ବଡ଼ ହୋଟେଲରେ ବହୁ ବିଜ୍ଞ ବ୍ୟକ୍ତିଙ୍କ ସହିତ ମଦ୍ୟପାନ । ସବୁ ଖୋଲି ଖର୍ଚ୍ଚର ଖସଡ଼ା । ପ୍ରକୃତରେ ରୋଜଗାରର ଉପାୟ ନଥିଲା । ଜିତୁଥିବା କେଶ୍‌ର ଅର୍ଥ ଥିଲା ମୋହରୀରଙ୍କ ପାଇଁ ନିଅଣ୍ଟ ।

 

ବଞ୍ଚିବାର ଚାବିକାଠି କେବଳ ଅର୍ଥ । ଜନତା ଆଜି ତାର ବ୍ୟବହାରରେ ମୁଗ୍‌ଧ । ତାର ବିଚାର ବୁଦ୍ଧିରେ ଚାଳିତ ହେବାକୁ ତତ୍ପର । ସେ ନେତା । ବହୁ ସମିତିର ସେ ବକ୍ତା । କିନ୍ତୁ କେତେଦିନ...କେଶରୁ ସେପରି ଆୟ ନାହିଁ । ହାତରୁ ଅର୍ଥ ଖାଲି ହୋଇ ଆସୁଛି । ଆତ୍ମମର୍ଯ୍ୟାଦା ପାଇଁ, ବଂଶମର୍ଯ୍ୟାଦା ପାଇଁ, ସାମାଜିକ ପ୍ରତିଷ୍ଠା ପାଇଁ, ପ୍ରତ୍ୟେକଟି ସ୍ତରରେ ତିଷ୍ଠିବା ପାଇଁ ଏକମାତ୍ର ଆବଶ୍ୟକ ଅର୍ଥ । କିନ୍ତୁ ସେ ଅର୍ଥ ଆସିବ କେମିତି ? ହୃତ୍‌ପିଣ୍ଡର ଏ କ୍ଷତି ଦେଖାଇବ କେମିତି । ସଂଧ୍ୟାବେଳେ ମଦର ଆସର । ରାତ୍ରିରେ ମଧୁର ନିଦ୍ରା । ଜୀବନର ସକଳ ଅବସାଦର ଅବସାନ । କିନ୍ତୁ ସତ୍ୟବାନର ଅବସାଦର ପରିଧି ବଢ଼ି ଯାଉଥିଲା ।

 

ନନ୍ଦିତା ଆସି ଜୁନିୟର ହେବାକୁ ଜିଦ୍‌ କରୁଛି । ସ୍ୱାଧୀନ ବ୍ୟବସାୟ କରିବାକୁ ସେ ପ୍ରଥମରୁ ଇଚ୍ଛା କରିଥିଲା । କିନ୍ତୁ କାହାପାଖରେ ଜୁନିୟର ହେବାକୁ ତାର ସ୍ପୃହା ନଥିଲା । ସତ୍ୟବାନର ଉଦାର ହୃଦୟକୁ ସେ ଚିହ୍ନେ । ସତ୍ୟବାନ ନନ୍ଦିତାକୁ ଗ୍ରହଣ କଲା । ଗୋଟାଏ ଖାଲି ଡବା ସତ୍ୟବାନ । କେତେଦିନ ଆଉ ଗଡ଼ିଯିବ ଏମିତି । ମାଧୁର୍ଯ୍ୟରୀର ଦେଖାନାହିଁ କି ତା ପାଖକୁ ଯିବାକୁ ସତ୍ୟବାନର ସମୟ ନାହିଁ । କ୍ଳବକୁ ପ୍ରାୟ ନନ୍ଦିତା ଗାଡ଼ିରେ ଯିବାକୁ ହେଉଛି । କଚେରୀରୁ ଫେରି ଅଳ୍ପ ସମୟ ପ୍ରସ୍ତୁତ ହେଲା ପରେ ପରେ ନନ୍ଦିତା ଛୁଟି ଆସେ ଗାଡ଼ିଧରି । ନନ୍ଦିତା । ତାର ସମସ୍ୟା କଥା କହୁଥିଲା । ବିନୋଦ ତାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ସାରିଥିଲେ ବି କଥାଟାକୁ ଅନିର୍ଦ୍ଦିଷ୍ଟ ରଖିଛି । ସେ କେବେ ବିନୋଦର କୃପା ଭିକ୍ଷା କରିବାକୁ ଚାହେଁ ନାହିଁ । ବିନୋଦ ଯଦି ଆସିବ ଆସୁ । କୋର୍ଟସିପ୍‌ ପାଇଁ ବିନୋଦର କୌଣସି ପ୍ରୋଗ୍ରାମ୍‌ ମଧ୍ୟ ନାହିଁ । ନନ୍ଦିତା ତାକୁ ନିମନ୍ତ୍ରଣ ଦେଉନାହିଁ । ସତ୍ୟବାନକୁ ମଧ୍ୟ ନନ୍ଦିତା ଆଉ ବିବାହର ପ୍ରତିଶ୍ରୁତି ମାଗି ନାହିଁ-। ସଂଧ୍ୟାର ବାନ୍ଧବୀ ନନ୍ଦିତା ।

 

ସତ୍ୟବାନ ଚେମ୍ବରରେ ବସିଥିଲା । କେହି ଜଣେ ମହକିଲ ତାକୁ ସୁନ୍ଦର ଶାଢ଼ୀଟିଏ ଆଣି ଉପହାର ଦେଲା । ସେ କହିଲା ‘‘ଜୟପୁରୁ ଯାଇଥିଲି । କିଛି ଶାଢ଼ୀ ଆଣିଥିଲେ । ଶ୍ରୀମତୀ ମହାନ୍ତି ପାଇଁ ଏ ଶାଢ଼ୀଟି ଆଣିଛି ।’’ ସତ୍ୟବାନ ଆଶ୍ଚର୍ଯ୍ୟ ହେଲା ଶ୍ରୀମତୀ ମହାନ୍ତି । ସେ ବିବାହ କରିଛି ବୋଲି ଲୋକଟିର ଧାରଣା ହୋଇଛି ହୁଏତ । ଅବଶ୍ୟ ତାର ଅନୁମାନ ଅସତ୍ୟ ନୁହେଁ । ସେ ଶାଢ଼ୀଟିକୁ ଆଗ୍ରହରେ ଉଠାଇ ନେଇ ଚାହିଁଲା । ବେଶ୍‌ ସୁନ୍ଦର ଶାଢ଼ୀଟିଏ ତ ।

 

ସେଦିନ ସେ କ୍ଲବକୁ ଯାଇ ପାରିଲା ନାହିଁ । ମନେ ହେଲା ଏଇ ଶାଢ଼ୀଟିକୁ ତାର ମାଲିକ ପାଖରେ ପହଞ୍ଚାଇ ଦେବା ଆବଶ୍ୟକ । କିନ୍ତୁ କୋଉ ମୁହଁରେ ସେ ମାଧୁରୀ ନିକଟକୁ ଯିବ । ସେ କି ବିଚାର କରିଛି । ମାଧୁରୀର ପିତାଙ୍କ ଆଗରେ ବିବାହର ପ୍ରତିଶ୍ରୁତି ଦେଇ ସେ ନିରବ ରହିଛି । ନିଜର ଉଦ୍ଦେଶ୍ୟ ସାଧନ ପରେ ଦିନେ ହେଲେ ତାଙ୍କ ନିକଟକୁ ଯାଇ ଦିପଦ ମଧୁର ଆଲୋଚନା କରି ନାହିଁ । ସିଗାରେଟ ଖାଇବାର ମାତ୍ରାଟା ଏବେ ଏତେ ବଢ଼ିଯାଇଛି ଯେ ନନ୍ଦବାବୁଙ୍କ ପାଖରେ କିଛି ସମୟ ବିନା ସିଗାରେଟରେ ବସିବା କଥା ସେ ଚିନ୍ତା କରିପାରୁ ନାହିଁ । କିନ୍ତୁ ସତ୍ୟବାନ ସମସ୍ତ ଦ୍ୱନ୍ଦକୁ ପରାସ୍ତ କରି ଶାଢ଼ୀଟି ଧରି ମାଧୁରୀକୁ ଉପହାର ଦେବାକୁ ଗଲା ।
 

ନନ୍ଦବାବୁ ରୋଗଶଯ୍ୟାରେ । ନର୍ସ ଓ ଡାକ୍ତର ବସିଛନ୍ତି । ମାଧୁରୀ ଇଞ୍ଜେକ୍‌ସନ୍‌ ପାଇଁ ଗରମ ପାଣି ଆଣୁଛି । ନିଜକୁ ଗୋଟିଏ ଦୋଷୀ ଆସାମୀ ପରି ମନେକଲା ସତ୍ୟବାନ । ନନ୍ଦବାବୁଙ୍କ ଚକ୍ଷୁ ମୁଦ୍ରିତ ଥିଲା । ସତ୍ୟବାନ ଶାଢ଼ୀଟାକୁ ଗୋଟାଏ ସେଲଫ ଉପରେ ରଖିଦେଇ ନନ୍ଦବାବୁଙ୍କ ଶଯ୍ୟାଧାର ନିକଟରେ ଥିବା ଗୋଟାଏ ଟୁଲରେ ବସି ପଡ଼ିଲା । ନନ୍ଦବାବୁଙ୍କର ଚକ୍ଷୁ ଗତ ଦୁଇଦିନ ଧରି ଖୋଲି ନାହିଁ ବୋଲି ସତ୍ୟବାନ ଶୁଣିବାକୁ ପାଇଲା । ନିଜ ଉପରେ ତାର ରାଗ ହେଲା । ସେ ମାଧୁରୀର କୌଣସି ଖବର ରଖି ନାହିଁ । ହୁଏତ ତା ଛଡ଼ା ମାଧୁରୀର ଅତି ଆପଣାର ହୋଇ କେହି ନାହିଁ । ନନ୍ଦବାବୁ ଥ୍ରମ୍ବୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି ବୋଲି ଡାକ୍ତରମାନେ କହିଥିଲେ । ତାଙ୍କର କଥୋପକଥନରୁ ନନ୍ଦବାବୁଙ୍କର ଶୋଚନୀୟ ଅବସ୍ଥାର ପରିଚୟ ମିଳୁଥିଲା । ଇଞ୍ଜେକ୍‌ସନ୍‌ ଦେଇସାରି ଡାକ୍ତର ଓ ନର୍ସ ଚାଲିଗଲେ । ମାଧୁରୀ ନୀରବରେ ନନ୍ଦବାବୁଙ୍କ ନିକଟରେ ବସି ରହିଲା ।

 

ମାଧୁରୀ ନିକଟକୁ ଯାଇ ସତ୍ୟବାନ କହିଲା ‘‘ତମେ ବ୍ୟସ୍ତ ହୋଇ ପଡ଼ିବଣି । ମତେ ଟିକେ ଖବର ଦେଇଥିଲେ ହୋଇ ନଥାନ୍ତା ।’’ ମାଧୁରୀ ଉତ୍ତର ନଦେଇ କେବଳ ଚାହିଁଲା । କେଡ଼େ ନିରର୍ଥକ ଥିଲା ତାର କଥା ଯାହାର ଅଯଥାର୍ଥତା ସେ ନିଜେ ବୁଝି ପାରୁ ନାହିଁ ।

 

ସତ୍ୟବାନର ଚେମ୍ବର ବୟ ଟେଲିଗ୍ରାମଟିଏ ଧରି ସେଠି ପହଞ୍ଚିଲା । ମଞ୍ଜୁଶ୍ରୀର ଟେଲିଗ୍ରାମ । ଆସନ୍ତାକାଲି ସେ ବନାରସରେ ପହଞ୍ଚିବ । ଲରେନ୍‌ସ ହୋଟେଲର ଏକ ନମ୍ବର ରୁମ୍‌ ସେ ରୀଜର୍ଭ କରିଛି । ସେଇଠିକି ଯିବାପାଇଁ ମଞ୍ଜୁଶ୍ରୀ ଟେଲିଗ୍ରାମ କରିଛି । ସତ୍ୟବାନର ଏଇ ପ୍ରତିଷ୍ଠାର ମୂଳ ମଞ୍ଜୁଶ୍ରୀ । ତାର ଅନୁରୋଧ ଉପେକ୍ଷିତ ହୋଇ ନ ପାରେ । କିନ୍ତୁ ମାଧୁରୀକୁ ଏପରି ଅବସ୍ଥାରେ ଛାଡ଼ିଯିବା ଅମାନୁଷିକତା ଛଡ଼ା ଅନ୍ୟ କଣ ହୋଇପାରେ ।

 

ମାଧୁରୀ କହିଲା ‘‘କି ଟେଲିଗ୍ରାମ, ଏମିତି ଅସ୍ଥିର ହୋଇ ପଡ଼ୁଛି ଯେ, ସତ୍ୟବାନ କହିଲା ‘‘ଏ ଗୋଟାଏ କେଶ, କାଲି ବନାରସରେ ପଡ଼ିବ । କେଶ୍‌ରେ ମୁଦେଇ ଜଣେ ଭଦ୍ରମହିଳା । ସେ ଟେଲିଗ୍ରାମ କରିଛନ୍ତି । କାଲି ନ ପହଞ୍ଚିଲେ କେଶ୍‌ ଏକ ତରଫା ହୋଇଯିବ । ପ୍ରଥମରେ ମୁଁ ୟାଙ୍କର କେଶ୍‌ କରି କିଛି ଅର୍ଥ ପାଇଥିଲି’’ । ମାଧୁରୀ କହିଲା ‘‘ତୁମେ ଯାଅ । କର୍ତ୍ତବ୍ୟ ନିକଟରେ କାହାରି ସ୍ଥାନ ନାହିଁ କର୍ସଟି ଆଉ ଘାଣ୍ଟକ ପରେ ଆସିବ ।’’ ସତ୍ୟବାନ କହିଲା ‘‘ମାଧୁରୀ ମତେ କ୍ଷମା କରିବ-। ତମର ବର୍ତ୍ତମାନ ଅନେକ ଟଙ୍କା ଦରକାର ହେଉଥିବ । କିଛି ନ ଭାବି କିଛି ଟଙ୍କା ରଖିବ କି ?’’ ସତ୍ୟବାନଠାରୁ ଅପ୍ର୍ୟାତଶିତ ଭାବେ ଏକଥା ଶୁଣି ମାଧୁରୀ ଟିକିଏ ରହିଗଲା । ସେ କହିଲା ‘‘ନା ତମେ ନିଜ କାମରେ ଯାଅ । ସେସବୁ ଭାବିବାର ଆବଶ୍ୟକତା ନାହିଁ ।’’

 

ଧର୍ମତା ମାଧୁରୀ ତାର ପତ୍ନୀ, ଯଦିଓ କୌଣସି ବନ୍ଧନରେ ସତ୍ୟବାନ ଆବଦ୍ଧ ନଥିଲା । ସତ୍ୟବାନ ମଞ୍ଜୁଶ୍ରୀ ଉଦ୍ଦେଶ୍ୟରେ ଯାତ୍ରା କରିଥିଲା । ମଞ୍ଜୁଶ୍ରୀ ଓ ତାର ସ୍ୱାମୀଙ୍କ ସେଇ ଅଦ୍ଭୁତ ଦାମ୍ପତ୍ୟ କଥା ସତ୍ୟବାନ ବାଟଯାକ ଭାବୁଥିଲା । ସେ ଭାବୁଥିଲା ମାଧୁରୀ କଥା । ମାଧୁରୀ ନିକଟରେ ସେ ନିଜକୁ କିପରି ଉପସ୍ଥାପିତ କରୁଥିଲା । କିନ୍ତୁ ଏ କେବଳ ଗୋଟାଏ ଇମୋସନ୍‌, ଗୋଟାଏ ଦୁର୍ବଳତା ମାତ୍ର । ସେ ବନାରସରେ ଓହ୍ଲାଇ ଟ୍ୟାକ୍‌ସିଧରି ହୋଟେଲରେ ପହଞ୍ଚିଥିଲା ।

 

ମଞ୍ଜୁଶ୍ରୀ ଏକା ଥିଲା । ସାଙ୍ଗରେ ତାର ସ୍ୱାମୀ ନଥିଲେ । ତାକୁ ଦେଖି ମଞ୍ଜୁଶ୍ରୀ କାନ୍ଦି କାନ୍ଦି କହିଥିଲା ତାର ସନ୍ତାନଟି କ୍ଷୟ ହୋଇ ଯାଇଛି । ସ୍ୱାମୀ ତାର ସ୍ୱିଜରଲ୍ୟାଣ୍ଡ ଯାଇଛନ୍ତି । ସେ ଆସିଛି ଗଙ୍ଗାସ୍ନାନ କରି ଅନ୍ନପୂର୍ଣ୍ଣା ଦର୍ଶନ କରିବ । ତାର ପାପ ପ୍ରକ୍ଷାଳନ କରିବ । ସତ୍ୟବାନ କହିଲା, ‘‘ତା ହେଲେ ତୁମେ ମତେ ଏଠିକି ଡକାଇଲ କାହିଁକି ?’’ ସେ କହିଲା ‘‘ବାଃ, ତୁମ ସହିତ ମୋର ସମ୍ପର୍କକୁ ତୁମେ ପାପ ବୋଲି ଭାବିଛି ନାଁ କଣ ? ଯେଉ ନିର୍ମଳ ପ୍ରାଣରେ ମୁଁ ତମକୁ ଭଲ ପାଇଛି ତାର ପବିତ୍ରତା ସ୍ୱର୍ଗ ରାଜ୍ୟରେ ବି ନାହିଁ । ସହସାର ଚକ୍ଷୁରେ ତୁମେ ଯାହାକୁ ଗର୍ହିତ ବୋଲି କୁହ ଦେବତା ଚକ୍ଷୁରେ ତାହା ସେପରି ନୁହେଁ । ରାଧାକୃଷ୍ଣଙ୍କ ପ୍ରେମତତ୍ତ୍ୱ ଜାଣ । ପରକୀୟାର ବୈଶିଷ୍ଟ୍ୟ ତୁମକୁ ଜଣାନାହିଁ । ମଣିଷର ହୃଦୟରେ ଦେବତାର ଅଧିଷ୍ଠାନ । ଦୁଇଟି ପବିତ୍ର ହୃଦୟର ମିଳନରେ ଅପବିତ୍ରତା ବା ପାପର ସ୍ଥାନ ନାହିଁ । ତା ଯୁକ୍ତିରେ ସତ୍ୟବାନ ପରାସ୍ତ ହେଲା । ଆଶ୍ଚର୍ଯ୍ୟ ମଧ୍ୟ ହେଲା ।

 

ମଞ୍ଜୁଶ୍ରୀ ଗଙ୍ଗାସ୍ନାନ କଲା । ଅନ୍ନପୂର୍ଣ୍ଣା ଦର୍ଶନ କରିଥିଲା । ମଞ୍ଜୁଶ୍ରୀ ସହିତ ତିନିଟି ମାଧୁର ଯାମିନୀ ବିତାଇ ଦେଲା ସତ୍ୟବାନ । ମଞ୍ଜୁଶ୍ରୀ ଚତୁର୍ଥ ଦିବସରେ ବିଦାୟ ନେବା କଥା । ସେ କହିଲା ‘‘ପ୍ରକୃତରେ ତମର ଉପସ୍ଥିତି ମତେ ଏତେ ଆନନ୍ଦ ଦିଏ ଯେ ତୁମଠୁ ଦୂରେଇ ଯିବାକୁ ଇଚ୍ଛା ହୁଏ ନାହିଁ ।’’ ସତ୍ୟବାନ କହିଲା ‘‘ମୋଠୁ ଦୂରେଇ ରହିଛି ବୋଲି ତୁମକୁ ମୁଁ ଭଲ ଲାଗୁଛି ମଞ୍ଜୁଶ୍ରୀ । ଶ୍ରେୟଠୁ ଦୂରେଇ ନ ରହିଲେ ଶ୍ରେୟର ମୂଲ୍ୟ ବୁଝି ହୁଏନା ।’’ ମଞ୍ଜୁଶ୍ରୀ ଶାନ୍ତିରେ ନିଶ୍ୱାସ ମାରିଥିଲା । ତାର ହୃଦୟରେ ପୂର୍ବର ସେ ଦୁଃଖର ଚିହ୍ନ ନଥିଲା । କିନ୍ତୁ ନିଜକୁ ସମର୍ଥନ କରିବାକୁ ଯେମିତି ସେ ସବୁବେଳେ ଚାହୁଥିଲା । ତାର କ୍ରିୟା କଳାପ ଯେ ତ୍ରୁଟିନାହିଁ ଏହାହିଁ ସେ ସର୍ବଦା ପ୍ରମାଣ କରିବାକୁ ଚାହୁଁଥିଲା । ସେଇଥିପାଇଁ ହୁଏତ ପରକୀୟା ପ୍ରୀତିର ଉଦାହରଣ ଦେଇଥିଲା ସେ ।

 

କୌଣସି ଗୋଟାଏ ଯୁକ୍ତିର ଖିଅଧରି ସତ୍ୟବାନ କହିଲା ‘‘ମଣିଷର ଶରୀର ପଣ୍ୟ ହେଲେ ମଧ୍ୟ ଆତ୍ମା ପଣ୍ୟ ହୁଏ ନାହିଁ । ସେଥିପାଇଁ ମୁଁ ଏସବୁ ନଗଣ୍ୟ କାର୍ଯ୍ୟର ତ୍ରୁଟି ଦେଖେ ନାହିଁ-। ମୋ ବିଚାରରେ ତୃଟି ବୋଲି କିଛି ନାହିଁ । କାରଣ କୌଣସି କଥାର ଅନ୍ତର୍ନିହିତ ଅର୍ଥ ଆମେ ବୁଝୁନା । ଅହଲ୍ୟା, ଦ୍ରୌପଦି, ତାରା, କୁନ୍ତୀ, ମନ୍ଦୋଦରୀ ଏ ସମାଜରେ ପ୍ରାତଃସ୍ମରଣୀୟା । ତୁମେ ବେଶ୍ୟା ଚିରଞ୍ଜିବୀର କାହାଣୀ ଶୁଣୁଥିବ । ତାର ପ୍ରତିଦ୍ୱନ୍ଦି ଥିଲେ ତା ଗୃହ ସମ୍ମୁଖର ସାଧୁ ସାଧୁ ନାମଧୁନ କରି ବଞ୍ଚୁଥିଲେ । ଚିରଞ୍ଜିବୀ ଶରୀର ବିକ୍ରି କର ବଞ୍ଚୁଥିଲା । ଏକଦା ସାଧୁ ତାକୁ କୁତ୍ସିତ ଭାଷାରେ ଗାଳି ଦେଇ କହିଥିଲେ । ତା ଶରୀରରେ କୁଷ୍ଠ ବ୍ୟାଧି ହେବ । ସେ ନରକକୁ ଯିବ । ସଂସାରବାସୀଙ୍କୁ ସେ ଭ୍ରଷ୍ଟ କରୁଛି, ଅପଥଗାମୀ କରୁଛି । ଚିରଞ୍ଜିବୀ ତାଙ୍କୁ ଉତ୍ତର ଦେଇଥିଲା ଯେ ସେ ସଂସାରର କେତେକ ଅତୃପ୍ତ ଆତ୍ମାକୁ ଶାନ୍ତି ଦେଉଛି ମାତ୍ର । ସଂସାରର କେତେକ ଉତ୍ତାପକୁ ସେ ଶୀତଳ କରି ଭାରସାମ୍ୟ ରକ୍ଷା କରିବା ସାଙ୍ଗେ ସାଙ୍ଗେ ଜୀବିକାର୍ଜନ କରୁଛି ।

 

ସାଧୁ ତାକୁ ‘ପାତକୀ’ ବୋଲି ଗାଳି ଦେଇ ଚାଲିଗଲେ । ଭାଗ୍ୟର ବିଡ଼ମ୍ବନା ହେତୁ ଗୋଟିଏ ମୁହୁର୍ତ୍ତରେ ହେଲା ଦୁଇଜଣଙ୍କର ମୃତ୍ୟୁ । ଯମଦୂତଗଣ ସାଧୁଙ୍କ ଆତ୍ମାକୁ ବାନ୍ଧିଦେଇ ପୀଡ଼ନ ପୁର୍ବକ ଯାତ୍ରା କରୁଥିଲେ ଓ ଦେବଦୂତଗଣ ଚିରଞ୍ଜିବୀର ଆତ୍ମାକୁ ବିମାନରେ ସ୍ଥାପନ କରି ସସମ୍ମାନେ ଘେନି ଯାଉଥିଲେ । ଚିରଞ୍ଜିବୀକୁ ଦେଖି ସାଧୁଲଜ୍ଜିତ ହୋଇପଡ଼ିଲେ ଆଉ ଚିରଞ୍ଜିବୀ ସାଧୁଙ୍କ ଅବସ୍ଥା ଦେଖି ବ୍ୟଥିତ ହୋଇ ଦେବଦୂତଙ୍କୁ ତାଙ୍କ ଭ୍ରମ ସମ୍ପର୍କରେ ବୁଝାଇଲା ।

 

ସେ ହୁଏତ ନରକକୁ ଯିବା କଥା । କିନ୍ତୁ ଦେବଦୂତଗଣ ତାକୁ କହିଥିଲେ ଶରୀର ନୁହେଁ ଆତ୍ମାହିଁ ସର୍ବସ୍ୱ । ଏ ପାପାତ୍ମା ରାମଧୁନ ମଧ୍ୟରେ ଶରୀରର ଧ୍ୟାନ କରିଥିଲା ଓ ଅନ୍ୟର ତ୍ରୁଟି ଲକ୍ଷ୍ୟ କରୁଥିଲା । କିନ୍ତୁ ଦେବୀ ତୁମର ଶରୀର ଚର୍ଚ୍ଚା ଭିତରେ ତୁମର ଧ୍ୟାନଥିଲା ପରମ ପିତାଙ୍କ ଚରଣରେ । ‘‘ଶୁଣ ମଞ୍ଜୁଶ୍ରୀ ଏଇ ଶରୀରଟାକୁ ନେଇ ଏତେ ଚର୍ଚ୍ଚା । କହିଁକି ? ନିଜକୁ ଏ ଚିନ୍ତାରୁ ମୁକ୍ତ କର ।’’ ସେ ହୁଏତ ବୁଝି ପାରିଥିଲା । ମଞ୍ଜୁଶ୍ରୀ କହିଲା ‘‘ହଁ ସେ ସବୁ ରହସ୍ୟ କଥା ମୁଁ ଜାଣେ-।’’

 

ଯିବାପାଇଁ ମଞ୍ଜୁଶ୍ରୀ କାନ୍ଦିଲା । ସେ କହିଲା ‘‘ଠିକ୍‌ ତୁମରି ପରି, ତୁମରି ଗୁଣ, ତୁମରି ବୁଦ୍ଧି ନେଇ ପୁତ୍ରଟିକୁ ପାଇବାକୁ ମା ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରି ଯାଉଛି ।’’ ଏଥର ମଧ୍ୟ ମଞ୍ଜୁଶ୍ରୀ ଠିକ୍‌ ସେଇ ପଚାଶହଜାର ଟଙ୍କାର ଚେକ୍‌ଟିଏ ପ୍ରୀତ୍ୟୁପହାର ଦେଇଥିଲା ।

 

ସତ୍ୟବାନ ଫେରି ଆସିଲା । ମାଧୁରୀ ନିକଟକୁ ଯାଇ ଅପ୍ରତିଭ ହେଲା ସେ ନନ୍ଦବାବୁଙ୍କର କାଳ ହୋଇ ଯାଇଛି । ମାଧୁରୀକୁ ଜଗି ରହିଛି ହସପିଟାଲର ସେ ନର୍ସଟି ସତ୍ୟବାନ ଅପରାଧି ପରି ମାଧୁରୀ ନିକଟରେ ଠିଆହେଲା । ମାଧୁରୀ ମୁଖରେ ଭାଷା ନଥିଲା । ଗୋଟାଏ ସାହସରେ ମାଧୁରୀକୁ କହିଲା ‘‘ମତେ କ୍ଷମା କର ମାଧୁରୀ । ମୋ ରାଣ ଆଉ ଏଠି ତୁମକୁ ଏକାକୀ ଛାଡ଼ି ଯିବି ନାହିଁ ।’’ ମାଧୁରୀକୁ ନିଜ ଘରକୁ ଆଣିଲା ସତ୍ୟବାନ । ନନ୍ଦବାବୁଙ୍କ ବିୟୋଗ ପାଇଁ ଶୁଦ୍ଧି କ୍ରିୟାରେ ଓକିଲମାନଙ୍କୁ ନିମନ୍ତ୍ରଣ କଲା । ଶୁଦ୍ଧକ୍ରିୟା ପାଳିତ ହୋଇଥିଲା ମହାସମାରୋହରେ । ନନ୍ଦବାବୁଙ୍କ ଘରର ସମସ୍ତ ଜିନିଷ ନିଜଘରକୁ ଉଠାଇ ଆଣିଥିଲା ସେ ।

 

ମାଧୁରୀ ଘରକୁ ଆସିବାପରେ ସତ୍ୟବାନ ଅଧିକ ମୁକ୍ତ ହୋଇପଡ଼ିଲା । ନୂତନ ନିର୍ମିତ ରାଜନୈତିକ ଦଳଟାର ଦାୟିତ୍ୱ ମାଧୁରୀର । ସତ୍ୟବାନର ନବନିର୍ମିତ ପ୍ରାସାଦର କର୍ତ୍ତ୍ରୀ ମାଧୁରୀ । ଓକିଲାତି ବିଦ୍ୟା ସେ ମଧ୍ୟ ପଢ଼ିଥିଲା । କ୍ରମଶଃ ସତ୍ୟବାନ ମାଧୁରୀ ଉପରେ କେଶ୍‌ ଦାୟିତ୍ୱ ବି ଅର୍ପଣ କଲାଣି । ଜୁନିଅରମାନେ ମାଧୁରୀ ସହିତ ପରାମର୍ଶ କରିବାକୁ ଭଲ ପାଉଛନ୍ତି । କିନ୍ତୁ ସତ୍ୟବାନ ସଂଧ୍ୟାରେ ଚେମ୍ବରକୁ ଆସିବା ଭୁଲି ଗଲାଣି । କେବେ ନନ୍ଦିତା ଓ କେବେ ଆଉ କେହି ବନ୍ଧୁଙ୍କ ସହ ସେ ରମଣୀୟ ସଂଧ୍ୟାକୁ କ୍ଳବଘରେ ଉପଭୋଗ କରେ । ଫେରୁ ଫେରୁ ଅନେକ ରାତି ହୋଇଥାଏ । କିନ୍ତୁ ପ୍ରକାତରୁ ଅତି ପ୍ରତ୍ୟୁଷରୁ ଉଠି କେଶଗୁଡ଼ିକର ତଦାରଖ ନେବା ତାର ଥିଲା ଏକ ଶୃଙ୍ଖଳିତ ଅଭ୍ୟାସ ।

 

ପ୍ରତିଷ୍ଠିତ ଓକିଲ ସତ୍ୟବାନ । ଗାଁରୁ ଆସନ୍ତି ସାହାର୍ଯ୍ୟପ୍ରାଥୀ ଦଳ । ରୋଗୀ ଡାକ୍ତରଖାନାରେ-ସାହାଯ୍ୟ । ପୁଅ ବ୍ରତ ହେବ–ସାହାଯ୍ୟ. ପିଲା ନାଁ । ଲେଖାଇବ–ସାହାଯ୍ୟ । ଗାଁରେ ଥିଏଟର ହେବ–ଚାନ୍ଦା । ଗାଁରେ କ୍ଳବଘର ହେବ-ଚାନ୍ଦା । ଗାଁରେ ଦୁର୍ଗାପୂଜା ହେବ-ଚାନ୍ଦା । ଝିଅ ବାହାଘରକୁ ଅର୍ଥ ନିଅଣ୍ଟ ଧରିଛି- ସାହାଯ୍ୟ । ବାପାଙ୍କ ଶ୍ରାଦ୍ଧକୁ ଟଙ୍କା ନାହିଁ ସାହାଯ୍ୟ–ଇତ୍ୟାଦି ଇତ୍ୟାଦି । ଜଣେ ଧନାଢ଼୍ୟ ବଦାନ୍ୟ ବ୍ୟକ୍ତି ଭାବରେ ସତ୍ୟବାନର ଅନେକ ସୁନାମ । ତାର କୋଠା ତାର ଗାଡ଼ି ତାର ରୋଜଗାର ଆଜି ଆଲୋଚନାର ବସ୍ତୁ । କେହି କେହି ତାକୁ ଦ୍ୱିତୀୟ ମଧୁ ବାରିଷ୍ଟର ବୋଲି ବି କହିଲେଣି ।

 

ଖେଳୁ ଖେଳୁ ବାଲିଘର ଗଢ଼ି ଉଠେ । ଗଢ଼ି ଉଠେ କେବଳ ଭାଙ୍ଗିଯିବ ବୋଲି । ନିଜର ଅଲକ୍ଷ୍ୟରେ ଗଢ଼ି ଉଠିଲା ସତ୍ୟବାନର ସଂସାର । ବାପ, ମା, ଭାଇ ଭଉଣୀ କାହାରି ବନ୍ଧନରେ ଆବଦ୍ଧ ନଥିଲା ସତ୍ୟବାନ । କିନ୍ତୁ ଆଜି ତାକୁ ବାନ୍ଧି ଦେଲା କିଏ ? ମାଧୁରୀ କନ୍ୟାର ଜନନୀ ହୋଇ ସାରିଛି । ଘରର ନାମ ‘ବାଲିଘର’ ଆଉ କନ୍ୟାର ନାମ ‘ରୂପା’ । ବାଃ ଚମତ୍କାର । କିନ୍ତୁ ସତ୍ୟବାନକୁ ଆବଦ୍ଧ କରିଛି କିଏ ? ସତ୍ୟବାନ ନିଜର ଭାବନାକୁ ନେଇ ହସି ଉଠିଲା । ସତ୍ୟବାନ କେବେ ଶୃଙ୍ଖଳାବଦ୍ଧ ହୋଇ ନପାରେ । ‘ବାଲିଘର’ କେବେ ଦୀର୍ଘଜୀବି ହୋଇ ନପାରେ । ସଂସାରଟା ଗୋଟାଏ ‘ବାଲିଘର’ ।

 

ସତ୍ୟବାନର ପ୍ରଶଂସାରେ ସମସ୍ତେ ଶତମୁଖ ହେଲେ । କିନ୍ତୁ ସେ ନିଜକୁ ପ୍ରଶଂସା କରୁ ନଥିଲା । ଅବଶ୍ୟ ନିଜକୁ କେବେ ଘୃଣା ବା ଧିକ୍‌କାର କରିବା ସତ୍ୟବାନର ନୀତି ବିରୁଦ୍ଧ । ଇଚ୍ଛା ହେଲେ ସେ ଆକଣ୍ଠ ମଦ୍ୟପାନ କରି ଦେଉଥିଲେ । କିନ୍ତୁ ବାଦ କରିପାରୁ ନଥିଲା । ଦିନେ ଏଇପରି ସମୟରେ ହେମନ୍ତବାବୁ ଆସି ପହଞ୍ଚିଲେ । ତାଙ୍କୁ ପ୍ରଣାମ କରିବାକୁ ସତ୍ୟବାନର ସାହାସ ବି ହେଲା ନାହିଁ । ସେ ପ୍ରଚୁର ମଦ୍ୟପାନ କରିଥିଲା । ଅସୁସ୍ଥତାର ଛଳନା କରି ସେ ଶୋଇ ପଡ଼ିଲା ।

 

ତା ପରଦିନ ସକାଳୁ ଆଚାର୍ଯ୍ୟଙ୍କୁ ଧରି ହେମନ୍ତବାବୁ ପୁଣି ଆସିଲେ । ସେ କହିଲେ ‘‘ସତ୍ୟ ତମ ଭାଇ ଭଉଣୀଙ୍କ ବାହାଘର ଗୋଟିଏ ତିଥିରେ ଠିକ୍ କରି ଦେବାକୁ ଚାହୁଁଛି । ତୋର ମତ କ’ଣ ? ବାପାଙ୍କ କଥା ଶୁଣି ସତ୍ୟବାନ ଆହୁରି ଆଶ୍ଚର୍ଯ୍ୟ ହେଲା । ବିବାହର ବୟସ କେବେଠୁ ବିତି ସାରିଲାଣି । ସେଇ ଗୋଟିଏ ଚିନ୍ତା ଗୋଟିଏ ସମସ୍ୟା । ଆଚାର୍ଯ୍ୟେ କହିଲେ ‘‘କିରେ ଆଉ ଭାବୁଛୁ କଣ । ତୁ ମର୍ଦ୍ଦପୁଅ । ତୋର ଗୋଟାଏ ଦୋଷ କଣ । ଏକା ଘଣ୍ଟାକେ ଜାତି କରିଦେବି ।’’

 

ଏଇ ଆଚାର୍ଯ୍ୟ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଛନ୍ତି । ସତ୍ୟବାନ୍‌ ଯେ କୁଳବୁଡ଼ା ବାଳୁଙ୍ଗା ଏକଥା ବାରମ୍ବାର କହି ନାସିକା କୁଞ୍ଚନ କରି ପଳାଇ ଯାଇଛନ୍ତି । ପୁଣି ସେଇ ପ୍ରଶ୍ନ–

 

ସତ୍ୟବାନ୍‌ କହିଲା ‘‘ଉମାର ବାହାଘର ପାଇଁ ଆପଣଙ୍କର ଟଙ୍କା ଦରକାର ହେବ ବାପା-। ଯାହାହେବ ମତେ କହିବେ ।’’ ହେମନ୍ତବାବୁ ଏପରି ଗୋଟାଏ ଉତ୍ତର ହୁଏତ ଆବଶ୍ୟକ କରୁ ନଥିଲେ । ସେ ଜାଣନ୍ତି ଏହାକୁ ସମାଧାନ କରିବା ତାଙ୍କ ପକ୍ଷରେ ଅସମ୍ଭବ । ସେ କହିଲେ ‘‘ମୋର ବର୍ତ୍ତମାନ ସହରରେ କାମ ଅଛି । କିଛି ବରାଦ ଦେବାକୁ ଅଛି । ମୁଁ ଆସିବା ଯାଏ ଆଚାର୍ଯ୍ୟ ମହାଶୟ ଏଇଠି ଅପେକ୍ଷା କରଥାନ୍ତି ।’’ ଆଚାର୍ଯ୍ୟଙ୍କୁ ଛାଡ଼ି ସେ ଚାଲିଗଲେ ।

 

ଆଚାର୍ଯ୍ୟଙ୍କ ନିକଟକୁ ଯାଇ ସତ୍ୟବାନ୍‌ ଚିଲମଟି ବଢ଼ାଇ ଦେଲା । ନିଜ ବନ୍ଧୁମାନଙ୍କ ସହିତ ସତ୍ୟବାନ୍‌ ବେଳେବେଳେ ଚିଲମ ଟାଣିବାକୁ ଭଲପାଉଥିଲା । ସେ ଜାଣେ ପଣ୍ଡିତିଆ ଲୋକେ ଏ ଗୁଡ଼ାକର ଆଦର କରନ୍ତି । ପ୍ରକୃତରେ ଆଚାର୍ଯ୍ୟେ ଖୁବ୍‌ ଖୁସି ହୋଇ ଚିଲମଟି ଧରି ନେଇ ଦି କଳ ଟାଣି ଦେଲେ । ଆଚାର୍ଯ୍ୟ କହିଲେ ‘‘ତୁ କୋଉଠୁ ୟାକୁ ପାଇଲୁ ।’’ ସତ୍ୟବାନ୍‌ ବେଳ ଉଣ୍ଡି କହିଲା ‘‘ଆଚାର୍ଯ୍ୟେ, ମୁଁ ବିବାହିତ । ମୋ ପାଖରେ ମୋ ସ୍ତ୍ରୀ ଅଛି । ତମେ ଏ କଥା ଟିକେ ବାପାଙ୍କୁ ଜଣାଇ ଦେଉନ ।’’ ଆଚାର୍ଯ୍ୟେ ଦମ୍‌ ନେଉଥିଲେ । ସେ କହିଲେ ‘‘ହ ହେ କି ବାହାଘର । ଥରେ ତ ବାହା ହେଇଚ । ମର୍ଦ ପୁଅଟାଏ ତ ମାଇକିନା ଝିଅଟାଏ ବାହାହେବ । ତମେ ବାହା ହେଇଛ ଯଦି ଭଲ କଥା । ହେଲେ ଜାତି ପତିରେ ହେଇଚଟି ।’’ ତାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସତ୍ୟବାନ୍‌ କହିଲା ‘‘ହଁ, ଝିଅଟି ଆର୍ଯ୍ୟ କୁଳର ।’’ ସତ୍ୟବାନ୍‌ ପକେଟରୁ କିଛି ଟଙ୍କା କାଢ଼ି ଆଚାର୍ଯ୍ୟଙ୍କୁ ଦେଲା । ଏ କଥା ସେ ମଞ୍ଜୁଶ୍ରୀଠୁ ଶିଖିଥିଲା । ଅସାଧ୍ୟ ସାଧନାର ଏ ଗୋଟାଏ ମାର୍ଗ ।

 

ଆଚାର୍ଯ୍ୟେ ଢାଳିଲେ ଆଶୀଷ । ସତ୍ୟବାନ୍‌ର ପ୍ରଶଂସାରେ ତାଙ୍କ ଜିହ୍ୱା ଅସ୍ଥିର ହୋଇ ପଡ଼ିଲା । ହେମନ୍ତବାବୁ ବଜାରରୁ ଫେରିଲେ । ଆଚାର୍ଯ୍ୟେ କହିଲେ ‘‘ହେମନ୍ତବାବୁ, ପୁଅଟା ତମର ଅତି ବଡ଼ ମିଞ୍ଜାସର । ତାପରି ପିଲାଟାଏ ଖଣ୍ଡମଣ୍ଡଳରେ ନାହିଁ । ବୁଝିଲ ହେମନ୍ତବାବୁ । ପୋଷିଲା ପୁଅକୁ ନ ଦେବ ଗାଳି । ସେ ବାହା ହେଇ ସାରିଛି ବୋଲି କହୁଛି । ଭଲ କଥା । ତା ସଂସାର ସେ ଯାହାକୁ ନେଇ କରିବାର କରୁ । ସେଥିରେ ଆମର କଣ କହିବାକୁ ଅଛି । ହଇହେ ହେମନ୍ତ ବାବୁ । ତମର ଏ ପୁଅର ଯୋଉ ଥାଟ, ତା ସାଙ୍ଗକୁ ସିମିତିଆ ଝିଅଟିଏ ଲୋଡ଼ା । ଆମ ମଫସିଲି ଝିଅ ତା ସାଙ୍ଗକୁ ଫିଟ୍‌ ହେବେ ନାହିଁ । ତାଙ୍କ ଲାଖି କାମ ସେ କରନ୍ତୁ । ସେଥିରେ ଆମର କଣ କରିବାର ଅଛି । ମୁ ଗୋଟାଏ ଅବିବେକୀ ଲୋକ ଭଳିଆ କାହିଁକି ତାଙ୍କୁ ବାଧ୍ୟ କରନ୍ତି । ତାଙ୍କ କଥାରେ ରାଜି ହୋଇଗଲି । ତାର ଯୋଉ ଉଦାର ମନ । ତମ ଝୁଅ ବାହାଘର ଉଠେଇ ଦେବ ହେ ।’’ କିନ୍ତୁ ହେମନ୍ତବାବୁ ଆଚାର୍ଯ୍ୟଙ୍କ କଥାରେ ବିଶେଷ ପ୍ରଭାବିତ ହୋଇ ନଥିଲେ । ସେ ଉଠି ପଡ଼ିଲେ । ଗାଁକୁ ଯିବାକୁ ହେବ । ଅନେକ ଆୟୋଜନ ବାକି ଅଛି ।

 

Unknown

ସିଡ଼ିରୁ ଓହ୍ଳାଇ ଆସୁଥିଲା ସତ୍ୟବାନ୍‌ । ସେ କହିଲା ‘ଆପଣଙ୍କୁ ଚାହିଁ ଚାହିଁ କଚିରୀ ବାହାରି ଯାଉଥିଲି । ଉମା ବାହାଘର ପାଇଁ ଦଶହଜାର ଟଙ୍କା ଦେଉଛି । ଭାବୁଛି ଆପଣଙ୍କର ସୁବିଧା ହେବ ।’’ ହେମନ୍ତବାବୁ ବିସ୍ମିତ ହେଲେ । ସତ୍ୟବାନ୍‌ର ମନ ତଳେ କଣ ତାଙ୍କ ପରିବାର ପାଇଁ ଦୟାମାୟା ମମତା ଭରି ରହିଛି । କେଜାଣି । ଠାକୁର ଜାଣନ୍ତି । ତାଙ୍କର ଚକ୍ଷୁ କୋଣରେ ଲୋତକ ଜମିଗଲା । ଟଂକା ଧରି ସେ ଫେରିଲେ ଗାଁକୁ । କିନ୍ତୁ ସତ୍ୟବାନ୍‌କୁ ଘରକୁ ଯିବାକୁ ବାଧ୍ୟ କରିଗଲେ ନାହିଁ । ତାର ବିବାହ କଥା ଉଠାଇଲେ ନାହିଁ । ଉମାର ବିବାହର ଦାୟିତ୍ୱ ଦେଇ ଗଲେ ନାହିଁ । ସତ୍ୟବାନ୍‌ ସେ ପରିବାରରେ ଗୋଟାଏ ଅଲୋଡ଼ା ଅଖୋଜା ଅଧ୍ୟାୟ । ସେ ଜାତିହରା । ଅସ୍ପୃଶ୍ୟ ସେ କିନ୍ତୁ ସତ୍ୟବାନ୍‌ ଘରକୁ ଯିବା କଥା କି ବାହାଘରର କଥା କିଛି ଚିନ୍ତା କରି ପାରି ନଥିଲା । ସେ ତାର କର୍ତ୍ତବ୍ୟ କରିଛି । ସତ୍ୟବାନର ମନରେ ଆଜି ଅସମ୍ଭବ ଶାନ୍ତି ।

 

ସତ୍ୟବାନର ଖ୍ୟାତି ବଢ଼ିବା ସାଙ୍ଗେ ସାଙ୍ଗେ ସୁରାର ମାତ୍ରା ବି ବଢ଼ି ଯାଉଥିଲା । ବେଳେବେଳେ ଅତ୍ୟଧିକ ସୁରାପାନ ପାଇଁ ତାର ଅସୁସ୍ଥତା ବି ଦେଖା ଦେଉଥିଲା । କିନ୍ତୁ ନିଜକୁ ସେ ଧ୍ୱଂସ ମୁଖରୁ ରକ୍ଷା କରିପାରୁ ନଥିଲା । ଜୁନିଅର ମାନେ ତାଠାରୁ ବିପୁଳ ଅର୍ଥ ପାଇ ତାର ସ୍ତୁତିଗାନ କରୁଥିଲେ । ସେମାନେ ନିଜ ପ୍ରଦେଶରେ ସବୁ କେଶ୍‌ର ଦାୟିତ୍ୱ ନେଉଥିଲେ । କିନ୍ତୁ ସତ୍ୟବାନକୁ ବାହାରକୁ ଯିବାକୁ ମଧ୍ୟ ହେଉଥିଲା । ସେ ଯାଉଥିଲା ଉଡ଼ାଜାହାଜରେ । ଅନ୍ୟାନ୍ୟ ଓକିଲମାନେ ତାର ଛିଦ୍ର ଅନ୍ୱେଷଣ କରିବାରେ ଲାଗିଥିଲେ । ଈର୍ଷାରେ କେତେକ ଜଳୁଥିଲେ ।

 

କରିଛି ବୋଲି ଯେତେବେଳେ ତାର ଧାରଣା ହେଲା ମାଧୁରୀକୁ ସାଙ୍ଗରେ ନେଇ ସେ ଉଡ଼ାଜାହାଜରେ ବୁଲିଲା । କିନ୍ତୁ ଜୀବନକୁ ଉପଭୋଗ କରିବାରେ ତାର କୌଣସି ଦ୍ୱିଧା ନଥିଲା । ପ୍ରତିବର୍ଷ ସେ ଦୁଇମାସ ଛୁଟିରେ ଯେକୌଣସି ଶୈଳନିବାସରେ ସପତ୍ନିକ ରହୁଥିଲେ । ସତ୍ୟବାନ ଅର୍ଥ ଉପାର୍ଜନ କରୁ ନଥିଲା କେବଳ ବ୍ୟାଙ୍କ୍‌ରେ ଅଂକ ସଂଖ୍ୟା ବଢ଼ାଇବାକୁ । ଯେଉଁ ଅର୍ଥର ବିନିମୟରେ ପ୍ରାଣରେ ସୁଖ ଜାତ ହେଲା ନାହିଁ ସେ ଅର୍ଥ ବିନର୍ଥ । ତା’ର ଏଇ ଜୀବନ ଦର୍ଶନକୁ ମାଧୁରୀ ଗ୍ରହଣ କଲେ ଭଲ ନଚେତ୍‌ କ୍ଷତି ନାହିଁ । ନିଜର ଯୋଜନାର ସେ ନିଜେ ସଂଚାଳକ । ବେଳେବେଳେ ମାଧୁରୀ ତା ସହିତ ଯାତ୍ରା କରୁଥିଲା । କିନ୍ତୁ ସତ୍ୟବାନର କୌଣସି କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଅଧିକାର ପୃଥିବୀରେ କାହାର ନଥିଲା ।

 

ସତ୍ୟବାନ ବିଦେଶ ଭ୍ରମଣରେ ଯିବାକୁ ସ୍ଥିର କଲା । କିନ୍ତୁ ଶିଶୁ କନ୍ୟାକୁ ନେଇ ମାଧୁରୀ ତା ସହିତ ଯିବାକୁ ଚାହିଁ ନଥିଲା । କିନ୍ତୁ ସତ୍ୟବାନର ଗତି ସର୍ବଦା ଥିଲା ଅବାରିତ । ସେ ଗଲା ୟୁରୋପ । ସତ୍ୟବାନ ବୁଲିଥିଲା ଇଉରୋପୀୟ ତରୁଣୀଙ୍କ ଗହଣରେ । ସମଗ୍ର ଇଉରୋପ ବୁଲିବାକୁ ତାକୁ ଅନ୍ୟୁନ ଦେଢ଼ମାସ ଲାଗିଯିବ । କେତେ ପ୍ରୌଢ଼ା ଓ ତରୁଣୀଙ୍କୁ ବନ୍ଧୁ ରୂପେ ପାଇ ସେ ଆନନ୍ଦିତ ହେଉଥିଲା । ସତ୍ୟବାନ କବି ନୁହେଁ । କିନ୍ତୁ କାବ୍ୟ ଲେଖିଥିଲେ ସେ ସୁନ୍ଦର ବର୍ଣ୍ଣନା ଦେଇ ପାରିଥାନ୍ତା । ବାହ୍ୟ ପ୍ରକୃତି ସହିତ ଅନ୍ତଃ ପ୍ରକୃତିର ଗୋଟାଏ ମଧୁର ସମନ୍ୱୟ ଥିଲା ସେଠି ।

 

ସତ୍ୟବାନ ଗୋଟାଏ ବଡ଼ ଧରଣର ହୋଟେଲରେ ବସି ତରୁଣୀ ବନ୍ଧୁଙ୍କ ସହିତ ସୁରାପାନ କରୁଥିଲା । ହଠାତ୍‌ ତାର ଦୃଷ୍ଟି ପଡ଼ିଲା ସେଇ ଭାରତୀୟ ଭଦ୍ର ଲୋକଙ୍କ ଉପରେ । ସେ ଥିଲେ ମଞ୍ଜୁଶ୍ରୀର ସ୍ୱାମୀ ମିଷ୍ଟର କୋଠାରୀ । ସେ ତାଙ୍କର ନିଜ କାମରେ ବ୍ୟସ୍ତଥିଲେ । ତରୁଣୀ ବନ୍ଧୁର କଟି ଦେଶ ବେଷ୍ଟନ କରିଥିଲା ତାଙ୍କର ବାହୁ । ଭଙ୍ଗା ସ୍ୱରରେ ସେ କଥା କହୁଥିଲେ । ସତ୍ୟବାନ ମଞ୍ଜୁଶ୍ରୀର କଥା ଭାବିଲା ।

 

ମଞ୍ଜୁଶ୍ରୀ ଠାରୁ ଅନେକ ଦିନ ହେଲା କୌଣସି ଖବର ମିଳି ନାହିଁ । ସତ୍ୟବାନର ଚିଠି ଦେବାକୁ ସୁବିଧା ନାହିଁ । ମଞ୍ଜୁଶ୍ରୀ ମନା କରିଥିଲା । ସେ କହିଥିଲା ସବୁବେଳେ ତାରିଠାରୁ ଆଗ ଖବର ଆସିବା ଶ୍ରେୟସ୍କର । କିନ୍ତୁ ମଞ୍ଜୁଶ୍ରୀର ଦୀର୍ଘ ଦିନର ନୀରବତାର କାରଣ କଣ ହୋଇପାରେ-। ହୁଏତ ସେ ଜନନୀ ହୋଇ ସାରିଥିବ । ଜନନୀ ହେବାକୁ ଯାଉଛି ବୋଲି ଯେଉଁ ବାର୍ତ୍ତା ଦେଇଥିଲା ବାଶ୍‌ ତାପରେ ଆଉ ଯୋଗସୂତ୍ର ବିଚ୍ଛିନ୍ନ । ମଞ୍ଜୁଶ୍ରୀ ହୁଏତ ଭୁଲି ଯିବାକୁ ଚେଷ୍ଟା କରିବ । ସ୍ମୃତି କ୍ରମଶଃ ଅସ୍ପଷ୍ଟ ହୋଇ ଆସିବଣି । ମିଃ କୋଠାରୀ ବହୁବାର ବିଦେଶ ଭ୍ରମଣରେ ଯାଆନ୍ତି ବୋଲି ସେ କହିଥିଲା । ସତ୍ୟବାନ ମଞ୍ଜୁଶ୍ରୀକୁ ପଚାରିଥିଲା ‘‘ତୁମେ ତାଙ୍କ ସହିତ ଯାଆନି କାହିଁକି ? ଅନ୍ତତଃ ସ୍ଥାନଗୁଡ଼ା ବୁଲି ଦେଖିବାର ମନରେ ପରିବର୍ତ୍ତନ ଆସିବ ?’’ ସେ କହିଲା ‘‘ଯାଇଛି ପ୍ରତ୍ୟେକ ଥର । ମୋ ସ୍ୱାମୀ ମତେ ସାଙ୍ଗରେ ନ ନେଲେ କୁଆଡ଼େ ଯାଆନ୍ତି ନାହିଁ । କିନ୍ତୁ ମୁଁ ସେଠି ପହଞ୍ଚିବା ପରେ ପରେ ଅସୁସ୍ଥ ହୋଇପଡ଼େ । ସେ ମତେ ହସପିଟାଲରେ ରଖାଇ ଦିଅନ୍ତି-। ମୋର ବହୁତ ଟ୍ରିଟ୍‌ମେଣ୍ଟ ହୁଏ । ଖର୍ଚ୍ଚ ବି ଖୁବ୍‌ ହୁଏ । ମୋ ବେରାମ ଭଲ ହେଲେ ପୁଣି ଆମେ ଆସୁ’’ । ସତ୍ୟବାନ ହସି ଉଠି କହିଥିଲା ‘‘ତୁମେ ତମର ହୋମିଓପ୍ୟାଥିକ ବ୍ୟବସ୍ଥା କରି ରଖନାହିଁ କାହିଁକି ? ସେ କହିଥିଲା ‘‘ସେତେବେଳକୁ ମୁଁ ସେସବୁ ଆବିଷ୍କାର କରି ନଥିଲି । ବାରମ୍ବାର ଅସୁସ୍ଥ ହେବାରୁ ମୁଁ ଆଉ ସେଆଡ଼େ ଯିବାକୁ ମନ କରିନାହିଁ ।’’

 

ପରକ୍ଷଣରେ ତାର ଚକ୍ଷୁ ସମ୍ମୁଖରେ ଦେଖାଗଲା ମାଧୁରୀର କୋମଳ ମୁଖଶ୍ରୀ । ସେ ବେତ୍ରାଘାତ ପାଇଲା ପରି ଉଠି ପଡ଼ିଲା । ନାଁ, ସତ୍ୟବାନର କାହାକୁ ଭୟ ନାହିଁ । ନିଜର ଜୀବନକୁ ତିଳ ତିଳ କରି ଉପଭୋଗ କରିବାକୁ ଚାହେଁ ସେ । ନିଜ ଅର୍ଜିତ ଅର୍ଥର ସାର୍ଥକ ବିନିଯୋଗ କରିବାକୁ ହେବ ତାକୁ । ସେ ମୂର୍ଖ ନୁହେଁ । ନାରୀ ନିକଟରେ ତାର ସଂସାର ହିଁ ବଡ଼ । ମଞ୍ଜୁଶ୍ରୀ, ମାଧୁରୀ ସମସ୍ତେ ସଂସାରକୁ ନେଇ ବ୍ୟସ୍ତ । ଭଗବାନଙ୍କୁ ଅଶେଷ ଧନ୍ୟବାଦ । ନାରୀକୁ ସେ ଘର କରଣା ଡିଉଟି ବାଣ୍ଟି ଦେଇଛନ୍ତି ।

 

ପୃଥିବୀର ବିଶିଷ୍ଟ ମଦ୍ୟର ସ୍ୱାଦ, କାମକଳାକୁଶଳା ଇଉରୋପୀୟ ତରୁଣୀଙ୍କ ସହ ଆଳାପ, ସତ୍ୟବାନକୁ ଇଉରୋପରେ ଆହୁରି କିଛି ଦିନ ରଖାଇ ଦେଲା । ପ୍ୟାରିସ ସହରରେ ବୁଲିଲା ବେଳେ ପୁଣି ମଞ୍ଜୁଶ୍ରୀର ସ୍ୱାମୀ କୋଠାରୀଙ୍କସହ ଦେଖା ହୋଇଗଲା । ବେଶ୍‌ ମେଳାପୀ ଲୋକ ଥିଲେ ମିଃ କୋଠାରୀ । ଦୈବ ଯୋଗକୁ ସେମାନଙ୍କର ବନ୍ଧୁତା ବି ହୋଇଗଲା । ମିଃ କୋଠାରୀଙ୍କଠାରେ କୌଣସି ସଂକୀର୍ଣ୍ଣତା ନଥିଲା । ସେ ଉଦାରମନା, ମୁକ୍ତହସ ଅତ୍ୟଧିକ ସାହାଯ୍ୟପରାୟଣ । ପ୍ରକୃତରେ ଏପରି ଏକ ବନ୍ଧୁଙ୍କ ପ୍ରତି ସତ୍ୟବାନର ପ୍ରଶଂସାର ସୀମା ରହିଲା ନାହିଁ । ମଞ୍ଜୁଶ୍ରୀ ତାର ସ୍ୱାମୀକୁ ଅନେକ ପ୍ରଶଂସା କରେ । ସେମାନଙ୍କର ବନ୍ଧୁତା ବଢ଼ି ଯାଇଥିଲା । ତା ପରେ ପ୍ୟାରିସରେ ସେମାନେ ଏକାଠି ବୁଲିଲେ । ଫେରିଲାବେଳେ ହୋଇଗଲା । ସେମାନେ ଗୋଟିଏ ପ୍ଳେନରେ ଟିକେଟ୍‌ କାଟିଲେ ।

 

ପ୍ୟାରିସର ସୁନ୍ଦର ଖେଳନା ଦୋକାନରୁ ମିଃ କୋଠାରୀ କେତେକ ଖେଳନା କିଣିଥିଲେ-ସତ୍ୟବାନ ପଚାରିଲେ ‘‘କାହାପାଇଁ କିଣୁଛନ୍ତି ?’’ ସେ କହିଲେ ‘‘ମୋ ପୁଅ ପାଇଁ, ଭାରି ଖେଳନା ପ୍ରିୟ ସେ ।’’ ସତ୍ୟବାନ ମଧ୍ୟ ନିଜେ କିଛି ଖେଳନା କିଣିଲା ରୂପାପାଇଁ । କିନ୍ତୁ ବିଖ୍ୟାତ ପ୍ୟାରିସରୁ ମାଧୁରୀ ପାଇଁ ସେଣ୍ଟଟିଏ ନେବ ତ ।

 

ସେମାନେ ସେଇ ଗୋଟିଏ ପ୍ଲେନରେ ଫେରିଲେ । ସତ୍ୟବାନକୁ ପାଲାମ ଏଆରପୋର୍ଟରୁ ପୁଣି ପ୍ଲେନ ବଦଳାଇବାକୁ ହେବ । ମିଷ୍ଟର କୋଠାରୀ ନିଜ କାର ଯୋଗେ ଯାତ୍ରା କରିବେ । ପ୍ଲେନରୁ ଓହ୍ଲାଇ ସେମାନେ ବାହାରକୁ ଆସିଲେ । ମିଷ୍ଟର କୋଠାରୀଙ୍କ ପତ୍ନୀ ଓ ପୁଅ ଅପେକ୍ଷା କରି ବସିଥିଲେ । ଗାଡ଼ି ନିକଟକୁ ଯାଇ ସତ୍ୟବାନ ମିଷ୍ଟର କୋଠାରୀଙ୍କଠାରୁ ବିଦାୟ ନେବାକୁ ବାହାରିଲା । ମିଃ କୋଠାରୀ ପରିଚୟ କରାଇ ଦେଲେ । ମଞ୍ଜୁଶ୍ରୀ କେବଳ କ୍ଷୁଦ୍ର ନମସ୍କାରଟିଏ କଲା । ମିଃ କୋଠାରୀ କହିଲେ ‘‘ପ୍ୟାରିସ୍‌ରେ ଆମେ ଦିହେଁ ଏକାଠି ଥିଲୁ । ମିଃ ମହାନ୍ତି ବଡ଼ ଅମାୟିକ ଲୋକ । ମଞ୍ଜୁଶ୍ରୀ ସାମାନ୍ୟ ହସିଲା । ସତ୍ୟବାନ ମଧ୍ୟ ଅଳ୍ପ ହସିଲା । ବ୍ରିଫକେଶରୁ ଖେଳଣାଟି କାଢ଼ି ପୁଅ ହାତରେ ଦେଲା ସତ୍ୟବାନ । ସେଣ୍ଟଟି ବଢ଼ାଇ ଦେଲା ମଞ୍ଜୁଶ୍ରୀ ହାତକୁ ‘‘ନିଅନ୍ତୁ ଏ ସାମାନ୍ୟ ଉପହାରଟି ।’’ ଗୋଟାଏ ଖେଳୁଆଡ଼ ଢଙ୍ଗରେ ପୁଅକୁ ଗେଲକରି ମିଃ ମିସେସ୍‌ କୋଠାରୀଙ୍କୁ ନମସ୍କାର କରି ସେ ମୁଁହ ବୁଲାଇ ନେଲା ।

 

ସତ୍ୟବାନ ଇଉରୋପରୁ ଫେରି ଆସିବା ପରେ ରୁଗ୍‌ଣ ହୋଇ ପଡ଼ିଲା । ଶରୀରରେ ଅସୀମ ଯାତନା ସୃଷ୍ଟି ହେଲା । ଡାକ୍ତରମାନେ ତାକୁ ବିଶ୍ରାମ ନେବାକୁ ପରାମର୍ଶ ଦେଲେ । ସତ୍ୟବାନର ଆହାର ନିଦ୍ରା ସବୁ କିଛି ଥିଲା ଅନିୟମିତ । ବିଶେଷତଃ ଦୀର୍ଘ ଦେଢ଼ମାସର ଭ୍ରମଣ, ଅନିଶ୍ଚିତତା, ମଦ୍ୟପାନ ଓ ଅନିୟମିତ ନିଦ୍ରା ତାକୁ ଅସୁସ୍ଥ କରି ସାରିଥିଲା । ସେ କିନ୍ତୁ ବିଶ୍ରାମ ନେବାକୁ ଅନିଚ୍ଛୁକ ଥିଲା । ଓକିଲାତି କଲାଦିନୁ ସେ ସକାଳ ପାଞ୍ଚଟା ବେଳୁ ଶଯ୍ୟାତ୍ୟାଗ କରି ବ୍ରିଫ୍‌ ପ୍ରସ୍ତୁତ କରୁଥିଲା । କେଶ୍‌ ପାଇଁ ପ୍ରସ୍ତୁତ ହେଉଥିଲା । କିନ୍ତୁ ଏବେ ମଦ୍ୟପାନର ମାତ୍ରା ବଢ଼ିବା ଦିନୁ ସେ ପ୍ରାୟ ଅନିୟମିତ ରୂପେ ଡେରିରେ ଉଠୁଥିଲା । ବେଳେବେଳେ ରୂପାର ଅତ୍ୟାଚାରରେ ତା ନିଦ ଭାଙ୍ଗୁଥିଲା ।

 

ଦିନେ ଭୋର୍‌ରୁ ଉଠି ପଡ଼ିଲା ସେ । ‘ମାଧୁରୀ’ ‘ମାଧୁରୀ’ ଡାକି ଏଣେତେଣେ ଖୋଜିଲା ତାକୁ । ମାଧୁରୀ କେତେବେଳୁ ଶଯ୍ୟାତ୍ୟାଗ କରି ସାରିଛି ବୋଧେ । ଚା ଦରକାର । ସତ୍ୟବାନ ତାକୁ ଖୋଜି ଯାଉଥିଲା । ପାଖ ରୁମରେ ମାଧୁରୀ ଥିଲା ଧ୍ୟାନରତ । ସମ୍ମୁଖରେ ଏକ ମସିଆ ଟିଣ ସୁଟ୍‌କେଶ୍‌ ଖୋଲା ହୋଇଛି । ଦୀପଟିଏ ଜାଳି ଦେବତା ପୂଜୁଛି ମାଧୁରୀ ଟିଣ ସୁଟ୍‌କେଶ୍‌ ଭିତରେ ଜଗନ୍ନାଥଙ୍ଗର ଚ୍ଛିନ୍ନ ଚିତ୍ରପଟ । ନିଜଘରେ ମାଧୁରୀର ଏ ପୂଜା ଏ ଉପାସନା ଆବିଷ୍କାର କରି ସତ୍ୟବାନ ବିସ୍ମିତ ହୋଇଗଲା । ଅଗାଧୁଆ, ଅଘଷା ସତ୍ୟବାନ ମଧ୍ୟ କୌତୂହଳୀ ହୋଇ ଚକାମାଲି ପକାଇ ମାଧୁରୀ ପଛରେ ବସିଗଲା । ମାଧୁରୀ ଧ୍ୟାନରତ । ରୂପା ଉଠି ସାରିଥିଲା । ସେ ମଧ୍ୟ ଧାଇଁ ଆସି ସତ୍ୟବାନର ପିଠିରେ ନାଉ ହୋଇ ପଡ଼ିଲା । ସତ୍ୟବାନର ମନରେ ଅସମ୍ଭବ କାମନା । ମଧୁମୟ ଏ ସଂସାର କେଉଁଠି କେମିତି ବ୍ୟଥିତ ମଥିତ କରି ତାକୁ ବକ୍ର କରିଦେଲା । ତାର ଅର୍ଦ୍ଧଚେତନ ମନରେ କେଉଁ ଭାବନା ଖେଳିଲା କେଜାଣି ସେ କହିଲା ‘‘ମାଧୁରୀ ଏ ସେବା ପୂଜା କେବେ ଆରମ୍ଭ କଲ ? ମୋ ବୋଉ ବି ଏମିତି ପୂଜା କରେ ।’’ ମାଧୁରୀ କହିଲା ‘‘ମୁଁ ପିଲାଦିନୁ ଏ ଦିଅଁକୁ ପୂଜୁଛି । ମୋ ବାପାଙ୍କ ମା ଏଇ ଦିଅଙ୍କୁ ପୂଜୁଥିଲେ । ପୁଣି ମୋ ମା ବି ପୂଜୁଥିଲେ ।’’ ସତ୍ୟବାନ କହିଲା ‘‘ତୁମେ କେଉଁ ଉଦ୍ଦେଶ୍ୟରେ ଏ ଦିଅଁକୁ ପୂଜା କରୁଛ ମାଧୁରୀ ?’’ ସେ କହିଲା ‘‘କିଛି ନୁହେଁ, ଏ ଗୋଟାଏ ଅଭ୍ୟାସ । ନ କଲେ ଭଲ ଲାଗେ ନାହିଁ । ଏବେ କିନ୍ତୁ ତମ ଦେହ ପାଇଁ ପୂଜା କରୁଛ ।’’

 

ସତ୍ୟବାନ ଚକାମାଲି ପକେଇ ସେଇଠି ତଳେ ବସିଥାଏ । ମାଧୁରୀ କହିଲା ‘‘ଏ କଣ । ଆଜି ଦେହ ଭଲ ଲାଗୁଛି ତ ? ଆଜି କଚେରୀ ଯିବାର ନାହିଁ ?’’ ସତ୍ୟବାନ ହସିଲା । ସେ କହିଲା ‘‘ମାଧୁରୀ, ତୁମ କଥା ଦେଖି ହସ ମାଡ଼ୁଛି । ମୋ ଦେହ କଥା ମତେ ଆଉ କାହିଁକି ପଚାରୁଛ । ତୁମର ସେ ଛିନ୍ନ ଚିତ୍ରପଟକୁ ପଚାରୁଛ । ତୁମର ସେ ଛିନ୍ନ ଚିତ୍ରପଟକୁ ପଚାର ? ତୁମ ଭିତରେ ଏ କିମ୍ଭୁତ ଧାରଣା କିପରି ପଶିଲା ଜାଣି ପାରୁନାହିଁ ।’’

 

ମାଧୁରୀ କହିଲା ‘‘ତୁମକୁ ଏହାର ଉତ୍ତର ବି ମୁଁ ଦେଇ ପାରୁନାହିଁ । କାରଣ ଏ ବିଷୟରେ ମୋର ମଧ୍ୟ ଜ୍ଞାନ ଅଳ୍ପ । କେବଳ ଏ ହେଉଛି ମୋ ମାଙ୍କର ଶେଷଇଚ୍ଛା ବା ନିର୍ଦ୍ଦେଶ ଯାହାକୁ ମୁଁ ପାଳନ କରିବାକୁ ବାଧ୍ୟ ହୋଇଥିଲି ଓ ଆସ୍ତେ ଆସ୍ତେ ସେ ବି ମୋର ଗୋଟାଏ ଅଭ୍ୟାସରେ ପଡ଼ିଗଲା । ଏବେ ମୁଁ ଇଚ୍ଛା କରି କରି ଆସୁଛି । ମୋ ମା କହିଥିଲେ ‘‘ତୋର ଯଦି କିଛି ଦୁଃଖ ପଡ଼ିବ । ୟାଙ୍କୁଇ କହିବୁ । ସେ ନିଶ୍ଚୟ ତୋ କଥା ବୁଝିବେ ।’’ ହସି ଉଠିଲା ସତ୍ୟବାନ । ସେ କହିଲା ‘‘ଏ ଗୋଟାଏ ଚୂଡ଼ାନ୍ତ ନିର୍ବୋଧତା । ଯାହାକି କାକତାଳିକ ନ୍ୟାୟରୁ ସୃଷ୍ଟି-ମାନେ ଯାହା ଅକସ୍ମାତ ଯେତେବେଳେ ସଫଳ ହୋଇଛି ସେ ତାଙ୍କ ଦୟାରୁ ହୋଇଛି ବୋଲି ଗୋଟାଏ ଗୋଟାଏ କାହାଣୀ ସୃଷ୍ଟି କରାଯାଇଛି । ତାପରେ ପୁରୁଷାନୁକ୍ରମିକ ଭାବେ ତାରି ପ୍ରଚାର ଫଳରେ ଧାରଣା ବଦ୍ଧମୂଳ ହୋଇଯାଇଛି । ଯାହାକୁ ସହଜରେ ଭାଙ୍ଗି ହେବ ନାହିଁ । ନହେଲେ ଗୋଟାଏ କାଗଜ ଫଟ, ଖଣ୍ଡେ ପଥର ବା କାଠ ଉଦ୍ଦେଶ୍ୟରେ ମଣିଷର ଏ ଜାତରୋକ୍ତି, ଓ ଆଶା ଆକାଂକ୍ଷା ପ୍ରକୃତରେ ନିନ୍ଦନୀୟ । ସଚେତନର ଅଚେତନଠାରୁ କୃପାଭିକ୍ଷା ଯେ କେତେ ଅଯୌକ୍ତିକ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।’’ ମାଧୁରୀ କହିଲା ‘‘ସେ ସବୁ ବଡ଼ ବଡ଼ ଆଲୋଚନା କଥା ମୁଁ ଜାଣେନା । କିନ୍ତୁ ମୋ ଡାଡ଼ିଙ୍କ ଆଲୋଚନା ମୁଁ ଶୁଣିଛି । ସେ କହୁଥିଲେ ଆଧ୍ୟାତ୍ମବାଦୀମାନେ ପୃଥିବୀରେ ଅଚେତନ ବସ୍ତୁ ନଥିବାର କହନ୍ତି ।’’

 

ରୂପା ନାଉ ହୋଇଥିଲା ସତ୍ୟବାନର ପିଠିରେ । ତା ଆଖିରୁ ଭଲ କରି ନିଦ ଛାଡ଼ି ନଥିଲା । କି ଦେହରୁ ଅଳସ ଛାଡ଼ି ନଥିଲା । ସେ କହିଲା ‘‘ଡାଡ଼ି, ମାମୀଙ୍କ ଠାକୁରଙ୍କୁ ତୁମେ ରାଗୁଛ-? ତାଙ୍କୁ ଜୁହାର କର ନାଁ । ତୁମ ଦେହ ଭଲ ହୋଇଯିବ ।’’ ରୂପାକୁ ଗେଲ କରି ସତ୍ୟବାନ ସେଠୁ ଉଠିଗଲା । ସେ ସବୁ ସେ ଶିଖିବାକୁ ଚାହେଁ ନାହିଁ । ନନ୍ଦବାବୁଙ୍କ ସହିତ କେତେ ବେଦ ବେଦାନ୍ତ ନ ପଢ଼ିଛି । ଗୁଡ଼ାଏ ଯୁକ୍ତି, ଗୁଡ଼ାଏ ଅଛିଣ୍ଡା ପ୍ରଶ୍ନ । ଅସମାଧିତ ଉତ୍ତର, ସନ୍ଦିହାନ କଥା । ସମଗ୍ର ଗୀତା ଭିତରେ ଗୋଟାଏ ବୋଲି ସମାଧିତ ଉତ୍ତର ସେ ପାଇ ନାହିଁ । ଭାଗବତର ବର୍ଣ୍ଣନାରେ ତାର ହୃଦ୍‌ବୋଧ ହୋଇନାହିଁ । ନିଜ ଦେଶର ପରମ୍ପରା, ଓ ଜ୍ଞାନ ହିସାବରେ ସମସ୍ତ ସେ ପାଠ କରି ଦେଖିଛି । ଗୋଟାଏ ପାଠ୍ୟ ବୋଲି ମନେକରି ଏକଦା ସେ ପଢ଼ିଥିଲା, ଧର୍ମ ପୁସ୍ତକ ହିସାବରେ ନୁହେଁ । ଧର୍ମ ପୁସ୍ତକ ହିସାବରେ ସେଇ ବହି ଗୁଡ଼ାକରେ ଗୁଡ଼ାଏ ଉପଦେଶ ଥାଏ ଯାହାକି ସତ୍ୟବାନକୁ ଭାରି ବାଧେ । ତାର ଏକମାତ୍ର ଚିନ୍ତା ଥିଲା ପ୍ରତ୍ୟେକର ଚଲାପଥ ଭିନ୍ନ । କାହାରିକୁ ଉପଦେଶ ଦେଇ ନିଜ ରାସ୍ତାକୁ ଟାଣି ଆଣିବା ସଂକୀର୍ଣ୍ଣତା । ମାଧୁରୀର ମାଙ୍କର ଉପଦେଶ କଥା ଭାବିଲା । ଆଉ ମାଧୁରୀର ଗୋଟାଏ ଚୂଡ଼ାନ୍ତ ନିର୍ବୋଧତା ଦେଖି ମାଡ଼ିଲା ତାକୁ ।

 

ସତ୍ୟବାନ କଚେରୀକୁ ଗଲା । ସେଇ ଚିତ୍ରପଟ । ସେଇ ଚକାନୟନ ତାର ଚାରିଆଡ଼େ ଦେଖାଗଲା । ସେ ଅନେକ ଚେଷ୍ଟା କରି ଆଖି ଫେରାଇଲା । କିନ୍ତୁ ସତ୍ୟବାନର ଚକ୍ଷୁରେ ସେଇ ଗୋଟିଏ ଦୃଶ୍ୟ । ଗୋଟିଏ ସ୍ଥାନରୁ ଆଖି ଫେରାଇ ଆଉ ଗୋଟିଏ ସ୍ଥାନକୁ ଚାହିଁଲେ ମଧ୍ୟ ସେଠି ସେଇ ଚିତ୍ରପଟର ଦେବତା । ସେଇ ଚକାନୟନ । ସେ ବିସ୍ମିତ ହେଲା । ଚକ୍ଷୁ ବନ୍ଦ କରି ବସିଲା, ତଥାପି ତ୍ରାହି ନାହିଁ । ବନ୍ଦ ଚକ୍ଷୁରେ ମଧ୍ୟ ସେଇ ଚକାଡ଼ୋଳା ଯାହାକୁ ଚାହିଁଲା ତା ଭିତରେ ଚକାଡ଼ୋଳାର ନୃତ୍ୟ । ପ୍ରତିଦିନ ପରି ସେ ଘରକୁ ଆସି ଶୀଘ୍ର ଶୀଘ୍ର କ୍ଳବ ଆଡ଼େ ପଳାଇଲା । ଚକାଡ଼ୋଳା ତା ଆଗେ ଆଗେ ଅଛନ୍ତି । ସେ ନନ୍ଦିତା ସହ ପ୍ରଚୁର ମଦ୍ୟପାନ କରିବାରେ ଲାଗିଲା । କିନ୍ତୁ ଚକାଡ଼ୋଳା ତା ଆଖିରୁ ଅନ୍ତର ହେଉ ନାହାନ୍ତି ।

 

‘‘ଚକାଡ଼ୋଳା ଆଉ ମୋ ଡୋଳାରେ ଲାଖି ଯାଇ ନାହାନ୍ତି ତ’’ ସତ୍ୟବାନ ମନେ ମନେ ବିରକ୍ତ ହୋଇ ଥଟ୍ଟା କଲା । କିନ୍ତୁ ଦିନ ପରେ ଦିନ ବିତି ଗଲେ ମଧ୍ୟ ମଦ୍ୟପାନର ମାତ୍ରା ସେ ବଢ଼ାଇ ଦେଇଥିଲେ ମଧ୍ୟ ଚକାଡ଼ୋଳା ତା’ ଆଖିରୁ ଅନ୍ତର ହେଲେ ନାହିଁ । ସତ୍ୟବାନ ଭାବିଲା ଏ ଗୋଟାଏ ସାଇକୋଲଜିକାଲ ବ୍ୟାଧିମାନେ ମାନିଆ ହୋଇପାରେ । ହୁଏତ ଗୋଟିଏ ସାଇକିଆଟ୍ରିକ୍‌ ପାଖକୁ ଯାଇ ଏହାର ଚିକିତ୍ସା କରାଇବାକୁ ହେବ । ନଚେତ୍‌ ଏ କାଳିଆ ଭୂତ ହୁଏତ ତାକୁ ଉନ୍ମାଦ କରିଦେବ । କିନ୍ତୁ ସେ ମାଧୁରୀକୁ କିଛି କହିବାକୁ ଚାହୁଁ ନ ଥିଲା । ସେ ଚେଷ୍ଟାକରି କେବେ ଆଉ ତାର ସେ ଦେବତା କଥା ମନେ ପକାଉ ନ ଥିଲା । ମାଧୁରୀ ଭକ୍ତ ନୁହେଁ କି ଭକ୍ତ ଭାବରେ କେବେ ସେ ପ୍ରସଙ୍ଗ ଆରମ୍ଭ କରିବ ନାହିଁ ଏ କଥା ସତ୍ୟବାନ ଜାଣେ ।

 

ସତ୍ୟବାନ ଭାବିଥିଲା କିଛି ଦିନ ରାତି ବିତି ଗଲେ ଏ ଦୃଶ୍ୟ ହୁଏତ ଆପେ ଆପେ ଲିଭିଯିବ । କିନ୍ତୁ ତା ହେଲା ନାହିଁ । ସତ୍ୟବାନ ଅତିଷ୍ଠ ହୋଇ ମାଧୁରୀକୁ କହିଲା, ‘‘ମାଧୁରୀ, ତୁମର ସେ ଦେବତା ମୋ ପିଛା ଧରିଛନ୍ତି । ମୁଁ ଅନେକ ବିଦ୍ରୂପ କରିବା ସତ୍ତ୍ୱେ ସେ ମୋ ପିଛା ଧରିଛନ୍ତି । ମୁଁ ଅନେକ ବିଦ୍ରୂପ କରିବା ସତ୍ତ୍ୱେ ସେ ମୋ ଆଖିରୁ ମୁହୂର୍ତ୍ତେ ବି ଘୁଞ୍ଚି ନାହାନ୍ତି । ତମ ଦେବତାଙ୍କ କିମିଆରେ ମୁଁ ହଇରାଣରେ ପଡ଼ିଲିଣି । କଣ କହୁଛ ?’’ ମାଧୁରୀ ସେସବୁ ଜାଣେନା । ଦେବତା, ପୂଜା, ଆରାଧନା, ଧର୍ମ ପୁସ୍ତକ ପାଠ ଇତ୍ୟାଦିକୁ ସେ ନିଜ ଚେତନା ଭିତରେ ରଖି ନାହିଁ । କେବଳ ଏହି ଚିତ୍ରପଟର ଦେବତା ପୂଜା ଥିଲା ତାର ମା’ଙ୍କର ଶେଷ ନିର୍ଦ୍ଦେଶ ଓ ପାଳନ କରୁ କରୁ ହୁଏତ କରି ଚାଲିଛି । ମାଧୁରୀ ସତ୍ୟବାନ କଥାର କୌଣସି ଅର୍ଥ ବୁଝି ପାରି ନ ଥିଲା ।

 

ସତ୍ୟବାନର ଚେଷ୍ଟାର ଅନ୍ତ ନ ଥିଲା । କିନ୍ତୁ ଆସ୍ତେ ଆସ୍ତେ ସେଇ ଦୃଶ୍ୟପଟକୁ ସେ ଭୁଲିବାକୁ ଚେଷ୍ଟା କରୁଥିଲା । ଅଥଚ ଠିକ୍‌ ମାଧୁରୀର ପୂଜାବେଳକୁ ତା ନିଦ କେମିତି ଭାଙ୍ଗି ଯାଉଥିଲା ସେ କଥା ଭାବି ସେ ଆଶ୍ଚର୍ଯ୍ୟ ହୁଏ । ସେ ପୂଜାରେ ଘଣ୍ଟ ବାଜେ ନାହିଁ କି ଉଚ୍ଚ କଣ୍ଠରେ ପ୍ରାର୍ଥନା ହୁଏ ନାହିଁ । କେବଳ ଫୁଲଟି ଚଢ଼ାଇ ଦେଇ ଦୀପଟିଏ ଜାଳି ଦିଏ । କିଛି ସମୟ ପରେ ବାକ୍‍ସଟି ବନ୍ଦ କରି ରଖିଦିଏ । ଏତିକି ମାତ୍ର ସେ ପୂଜା । ଭୋଗ ରାଗ ଧୂପ ଦୀପ ଘଣ୍ଟ ଘଣ୍ଟା ଇତ୍ୟାଦିର ପ୍ରବଳ ଆୟୋଜନ ତ ନ ଥାଏ । ତଥାପି ଠିକ୍‌ ସେ ଦେବତା ପୂଜାବେଳକୁ ସତ୍ୟବାନର ନିଦ ଭାଙ୍ଗିଯାଏ । ସେ ଜଣେ ମାଧୁରୀ ତାର ପୂଜା ଦେଉଥିବ । କିନ୍ତୁ ଆଉ କେବେ ସେ ଠାକୁରଙ୍କୁ ଦେଖିବାକୁ ଚାହେଁ ନାହିଁ । ହୁଏତ ବାହୁଟି ଲାଗିଲା ପରି ପୁଣି କଣ ସେ କରିଦେବେ ।

 

ସକାଳୁ ଉଠି ସତ୍ୟବାନ ଦେଖିଲା ରୂପା ମଧ୍ୟ ପୂଜାପୂଜି ଆରମ୍ଭ କରିଛି । ତାର ଠାକୁର ଭିନ୍ନ ଧରଣର । ଠାକୁରଙ୍କର ଗୋଟିଏ ଛୋଟିଆ ଗଦା ତିଆରି ହୋଇଛି । ସେଥିରେ ଯୋତାଠାରୁ ଆରମ୍ଭ କରି ବାସକେଟ ପର୍ଯ୍ୟନ୍ତ ଅଛି । ତା’ ଉପରେ ଖଣ୍ଡେ କନା ଢଙ୍କା ଯାଇଛି । ଫୁଲ ଖଞ୍ଜାଯାଇ ଢଳା ହେଉଛି ପାଣି । ସତ୍ୟବାନ ଚଟି ଖୋଜି ଖୋଜି ପାଉ ନ ଥାଏ । ମାଧୁରୀ ହୁଏତ ରୋଷେଇ ଘରେ । ବାରଣ୍ଡା ସାରା ରୂପାର ଠାକୁରଙ୍କ ଜଳରେ ଭାସୁଛି । ସତ୍ୟବାନ କହିଛି, ‘‘ରୂପା ୟେ କଣ ହେଉଛି । ମୋ ଚଟି ରଖିଛୁ କି ?’’

 

ରୂପା ସାଙ୍ଗେ ସାଙ୍ଗେ ପାଖକୁ ଚାଲି ଆସି କହିଲା, ‘ଡାଡ଼ି, ତୁମେ ମୋ ଠାକୁରଙ୍କ ଉପରେ ପାଣି ନାଗି କର । ଆସନା, ତମେ ଏଇ ମଗଟା ନେଇ ପାଣି ଢାଳ । ତମ ଦେହ ଏକଦମ ଭଲ ହୋଇଯିବ ।’’ ରୂପାକୁ ଟାଣି ନେଇ ଗେଲ କଲା ସତ୍ୟବାନ । ଏଡ଼େ ସୁନ୍ଦର କଣ୍ଢେଇଟାଏ ରୂପା । ଆନନ୍ଦରେ ତାକୁ ଜାକି ଧରିଲା କିଛିକ୍ଷଣ । ସେ କହିଲା, ‘‘ରୂପା, ତତେ ଏ ଠାକୁର କଣ କହିଛନ୍ତି ତାଙ୍କ ଉପରେ ପାଣି ଢାଳିବାକୁ ?’’ ରୂପା କହିଲା, ‘‘ତମେ ଦେଖିନ ଡାଡ଼ି, ଆମର ଏଇ ଯୋଉ ମନ୍ଦିର ନାହିଁ, ସେଇଠି ନନା ନିତି ପାଣି ଢାଳନ୍ତି । ନନା କହନ୍ତି ପାଣି ନାଗି କଲେ ଦେହ ଭଲ ହବ ।’’ ସତ୍ୟବାନ ଆଶ୍ଚର୍ଯ୍ୟ ହେଲା । ରୂପା ଏ ଭିତରେ ତାଙ୍କ ପଡ଼ାର ଶିବ ମନ୍ଦିରକୁ ଯାଇ ବୁଲି ଆସିଲାଣି ନିଶ୍ଚୟ । କିଏ ତାକୁ ଏତେ କଥା ଶିଖଉଛି । ସେ କହିଲା, ‘‘ରୂପା, ମୋ ଚଟି ଦେଲୁ, ସୁନାଟା ପରା ।’’ ରୂପା ତ ଠାକୁର ଭାଙ୍ଗି ପାଣି ସରସର ଚଟିଦିଟା ତା ଗୋଡ଼ ପାଖରେ ରଖି ଦେଇ ହସିଲା । କହିଲା ‘‘ଡାଡ଼ି, ତମେ ମୋ ଠାକୁର ଭାଙ୍ଗି ଦେଲ । ଯା, ତମ କଥା ଆଉ ଠାକୁର ବୁଝିବେ ନାହିଁ ।’’ ରୂପା କଥା ଶୁଣି ସତ୍ୟବାନ ପ୍ରକୃତରେ ଆଶ୍ଚର୍ଯ୍ୟ ହେଲା ।

 

ସତ୍ୟବାନ ଘରେ ଓଷାବ୍ରତ ହୁଏ ନାହିଁ । ମାଧୁରୀ ସେ ବିଷୟରେ ଅନଭିଜ୍ଞ । ତା ଛଡ଼ା ସତ୍ୟବାନ କୌଣସି ମନ୍ଦିରକୁ ଦିଅଁ ପୂଜିବାକୁ ଦିଅଁ ପୂଜିବାକୁ କେବେ ଯାଇ ନାହିଁ । ମାଧୁରୀ ହୁଏତ ଏଇ ଓଷାବ୍ରତ ଓ ପର୍ବ ପବାର୍ଣୀର ନିୟମ କାନୁନ କିଛି ଜାଣେ ନାହିଁ । ତେବେ ରୂପାର ଏ ଶିକ୍ଷା କମ ଆଶ୍ଚର୍ଯ୍ୟର କଥା ନୁହେଁ ।

 

ସତ୍ୟବାନ ଆଉ ସେ ଓଦା ଚଟି ଦୁଇଟା ପିନ୍ଧି ପାରିଲା ନାହିଁ । ବାରଣ୍ଡା ଯାକ ପାଣି । ମାଧୁରୀର ଦେଖା ନାହିଁ । ଚା କପେ ବି ଆସିବାକୁ ନାହିଁ । ସମ୍ଭବତଃ ଚାକରମାନେ କେହି ଏ ପର୍ଯ୍ୟନ୍ତ ଆସି ନାହାନ୍ତି । ସତ୍ୟବାନ ମାଧୁରୀକୁ ଖୋଜିବାକୁ ତା ଠାକୁରଙ୍କ ନିକଟକୁ ଗଲା । ମାଧୁରୀ ସେଠି ନ ଥିଲା । ମାଧୁରୀ ବେଡ଼୍‌ରୁମ୍‌ରେ ଶୋଇଛି । ଅଥଚ ସତ୍ୟବାନ ସେଇଠୁ ଉଠି ଆସିଛି । ମାଧୁରୀ ଉପରେ ତାର ନଜର ବି ନାହିଁ । ଅସମୟରେ ମାଧୁରୀର ନିଦ୍ରା । ମାଧୁରୀ ଦେହରେ ହାତ ଦେଇ ସେ ଦେଖିଲା ଭୟଙ୍କର ଉତ୍ତାପ । ସତ୍ୟବାନ ବିବ୍ରତ ହୋଇପଡ଼ିଲା । ରୂପା କହିଲା, ‘‘ଡାଡ଼ି, ମାମୀଙ୍କ କଣ ଜର ହୋଇଛି ।’ ଆଉ ତୁମକୁ ଚାହା ଦବ କିଏ ? ଚିନାକୁ ଡାକିବି ।’’ ରୂପାର ବୁଦ୍ଧିକୁ ପ୍ରଶଂସା ନ କରି ରହି ହେବ ନାହିଁ । ସୁନା ପ୍ରତିମାଟା । ସବୁ କଥାରେ ନଜର । ଚାକରମାନେ ରହନ୍ତି ତଳ ମହଲାରେ । ରୂପା ଚିନାକୁ ଡାକି ଆଣି ଦି କପ ଚା ବରାଦ କରି ଦେଲା-। ଡାଡ଼ିଙ୍କର କପେ ଆଉ ତାର ବି କପେ ।

 

ମାଧୁରୀ ସଂଜ୍ଞାଶୂନ୍ୟ ପରି ପଡ଼ି ରହିଲା । ଡାକ୍ତର ଆସିଲେ । ଚିକିତ୍ସାର ଅସୁବିଧା ନାହିଁ-। ଅର୍ଥର ସୁଲଭତା ନିକଟରେ ଅଭାବର ଚିହ୍ନ ରହିବ କେଉଁଠି ? କିନ୍ତୁ ମାଧୁରୀର ଶରୀର ଆରୋଗ୍ୟ ହେବାକୁ ନାହିଁ । ଡ଼ାକ୍ତରମାନେ ତାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଲେ । ସତ୍ୟବାନ ବ୍ୟଥିତ ହୋଇପଡ଼ିଲା । ଏ ପର୍ଯ୍ୟନ୍ତ ସତ୍ୟବାନର ହୃଦୟରେ ବେଦନାର ଛାୟାପାତି ବି ହୋଇ ନ ଥିଲା । ତା ବୁଢ଼ୀ ମା’ ମୃତ୍ୟୁବେଳକୁ ତାକୁ ଦେଖିବାକୁ ଚାହିଁଥିଲେ ବି ସତ୍ୟବାନ ଯାଇ ନ ଥିଲା । ତା ବୋଉ ବାରମ୍ବାର ବେମାର ହେଉଛନ୍ତି । ତାଙ୍କର ଜୀର୍ଣ୍ଣ ଶରୀରରେ ବହୁ ବ୍ୟଥା ଅନୁଭବ କରୁଛନ୍ତି । ସାନ ଭାଇ ଯାମିନୀର ମଟର ଧକ୍‌କାରେ ଗୋଡ଼ ବି ଭାଙ୍ଗି ଯାଇଥିଲା । କିନ୍ତୁ ସତ୍ୟବାନ କାହାପାଇଁ ବେଦନା ଅନୁଭବ କରିପାରିନାହିଁ । ସେଇଥିପାଇଁ ସେ ଭାବେ ଯେ ସେ ନିହାତି ଅଲଗା ମଣିଷ । କିନ୍ତୁ ମାଧୁରୀର ଅସୁସ୍ଥତା ତାକୁ ଅସ୍ଥିର କରି ସାରିଲାଣି । ମାଧୁରୀର ସେଇ ଦେବତା ଏବେ ତାକୁ ଅସ୍ଥିର କରୁନାହାନ୍ତି । ହେଲେ ପୂରାପୂରି ତାଠୁ ଦୂରେଇ ଯାଇ ନାହାନ୍ତି । ରୂପା କହୁଛି, ‘‘ଡାଡ଼ି, ତମେ ଠାକୁରଙ୍କୁ ପୂଜା କର । ମାମୀକୁ ସେ ଭଲ କରିଦେବେ ।’’ ତିନି ବର୍ଷର ଝିଅ ରୂପା । ବଡ଼ ମଣିଷଙ୍କ ପରି ସବୁ କଥାରେ କଥା କହିବ । ଉପଦେଶ ଦେବ । ଗେଲ କରି ପକେଇବି । ସତ୍ୟବାନ ଦେଖିଲା ରୂପା ସୁଟ୍‌କେଶଟି ଖୋଲି ଦେଇ ଆଖିବୁଜି ବସି ଜଣାଣ କରୁଛି । ‘‘ମାମୀକୁ ଭଲ କରିଦିଅ ।’’ ସତ୍ୟବାନର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏଇ ଠାକୁର ସମସ୍ତଙ୍କ ପିଛା ଧରିଛନ୍ତି ନାଁ କଣ । ରୂପାଟା ସବୁବେଳେ ଠାକୁର ଠାକୁର ହଉଚି । ସତ୍ୟବାନ ରୂପା ପାଖକୁ ଯାଇ କହିଲା ‘‘ଠାକୁରଙ୍କୁ କଣ କହୁଛୁ ରୂପା ?’’ ରୂପା କହିଲା ‘‘ଡାଡ଼ି, ମୁଁ ପାଣି ଆଣେ ଠାକୁରଙ୍କୁ ପୂଜା କରିଦେବି । ମାମୀ ତ ପୂଜା କରୁ ନାହିଁ । ଠାକୁର ରାଗି ଗଲେଣି । ଆହା ବିଚରା ଠାକୁରଙ୍କୁ କିଏ ଗାଧୋଇ ଦେବ । ମୁଁ ପାଣି ଆଣେ ।’’

 

ସର୍ବନାଶ । ମାଧୁରୀର ଚିତ୍ରପଟଟି ସବୁଦିନ ପାଇଁ ରୂପାର ପାଣି ଢଳାରେ ଚାଲି ଯାଇଥାନ୍ତା । ସତ୍ୟବାନ ବାକ୍‌ସଟା ବନ୍ଦ କରିବାକୁ ଉଠିଗଲା । କିନ୍ତୁ ଫେରି ଆସିଲା । ଭୟ ହେଲା ମନରେ । ସେ ଗାଧୋଇ ନି । ବାକ୍‌ସ ନିକଟକୁ ଯିବାକ୍ଷଣି ଚେଇଁ ଉଠିଲା ସଂସ୍କାର ।

 

ରୂପାର ବାରଣ କଲା ସେ । ସେ କହିଲା ‘‘ଦେଖ ତୁ ପାଣି ଢଳାଢଳି କରନା । ଠାକୁର ବତୁରି ଯିବେ ।’’ ସେ କହିଲା ‘‘ତାହେଲେ, ଡାଡ଼ି ତମେ ପୂଜା କର । ମାମୀଙ୍କ ଠାକୁରେ ମାମୀଙ୍କୁ ଭଲ କରିଦେବେ ।’’ ପିଲାଦିନୁ ଠାକୁର ପୂଜା ଇତ୍ୟାଦି ସତ୍ୟବାନ କେବେ କରି ନାହିଁ । କିନ୍ତୁ ରୂପାର ଏକା ଜିଦ୍‌ ପୂଜା କରି ମାମୀଙ୍କ ଠାକୁରଙ୍କୁ କହିବାକୁ ହେବ ।

 

ରୂପାର ଅନୁରୋଧରେ ସତ୍ୟବାନ ଶତ ଅନିଚ୍ଛାସତ୍ୱେ ଗାଧୋଇ ପଡ଼ି ସେ ବାକ୍‌ସ ନିକଟକୁ ଗଲା । ସେଇ ଚିତ୍ରପଟକୁ ସେ ଭୟ କରେ । ସେ ମଧ୍ୟ ପୂଜା କରି ପାରେ ନାହିଁ । ତଥାପି ସେ ପୂଜା କଲା । ଯେମିତି ମାଧୁରୀ ପୂଜା କରେ । ଫୁଲଟିଏ ଓ ଦିପଟିଏ । ବାସ୍‌ । ତାର ଠିକ୍‌ ମନେ ଅଛି ପିଲାଦିନେ ସେ ତା ବୋଉର ଠାକୁରମାନଙ୍କୁ ଫୋପାଡ଼ି ଦେଇଥିଲା । ମାଧୁରୀ ଅସୁସ୍ଥ ହେବା ଦିନଠାରୁ ଏ ଦିଅଁ ତାର ଅପୂଜା ଥିଲେ । ସତ୍ୟବାନ କହୁଥିଲା ‘‘ଦେବତା ଅର୍ଥ ସ୍ତ୍ରୀଲୋକଙ୍କ ବିଶ୍ୱାସର ଜମାଟବନ୍ଧା ରୂପ ।’’

 

ସେ ଗୋଟାଏ ନିର୍ଜୀବ ଫଟୋକୁ ପୂଜା କରି ନ ପାରେ । ସତ୍ୟବାନର ଚଢ଼େଇଥିବା ଫୁଲଟି ଖସି ପଡ଼ିଲା । ହୁଏତ ଏହାକୁ ଗୋଟାଏ ଦେବତାର ବରଦାନ ବୋଲି କୁହାଯାଇ ପାରିଥାନ୍ତା-। କିନ୍ତୁ ସତ୍ୟବାନ ସେ ସବୁ ଚାହିଁ ନ ଥିଲା । ରୂପାର ଅନୁରୋଧ ଓ ସେଇ ଦେବତାର ସେଇଦିନୁ ତା ଆଖିରେ ନାଚ ହେତୁ ସେ ଗୋଟାଏ କିଛି ଉପାସନା କରିଦେଇଛି ।

 

ଲବଣୀ ପିତୁଳା ପରି ତାର ଝିଅ ରୂପାଟି । ତାରି ନାଲି ନାଲି ପାଦରେ ଠୁକୁ ଠୁକୁ ଚାଲି ତାର ପ୍ରାଣକୁ ମୂର୍ଚ୍ଛନାମୟ କରିଦେଇଛି । ସତ୍ୟବାନର ଜୀବନରେ ସେ ଅନେକ ଅନେକ ପରିବର୍ତ୍ତନ । ବ୍ୟଥା ଓ ଅନୁରାଗରେ ତାର ଜୀବନ ଗଢ଼ା ହୋଇନାହିଁ । ସେ ଜୀବନକୁ ବୁଝିଥିଲା ଠିକ୍‌ ଭିନ୍ନ ପ୍ରକାରେ । ରୂପା କହିଲା । ‘‘ମାମୀ, ଡାଡ଼ି ତୋ ପାଇଁ ପୂଜା କରି ଦେଲେଣି । ତୁ ଶୀଘ୍ର ଭଲ ହୋଇଯିବୁ ।’’

 

ସତ୍ୟବାନ ଅର୍ଥ ଅର୍ଜନ କରିଥିଲା । ଘରକୁ ଘରଣୀ ବି ଆଣିଥିଲା । କିନ୍ତୁ ସେ କେବେ ଗୃହସ୍ଥ ହୋଇପାରି ନ ଥିଲା । ସକାଳ ହେଲେ ଚେମ୍ବରକୁ ଯିବା ତା ପରେ କଚେରୀକୁ ଯିବା ସଂଧ୍ୟା ହେଲେ କ୍ଳବକୁ ଯିବା ହେଲା ତାର କାମ । ଇଚ୍ଛାହେଲେ ଘରେ ଖାଏ ନ ହେଲେ ବାହାରେ ଖାଇଥାଏ । ତାର କୌଣସି କର୍ମରେ ମାଧୁରୀର ଆପତ୍ତି ନଥାଏ । ରୋଷେଇ ହୁଏ । ସତ୍ୟବାନ ପାଇଁ ମାଧୁରୀ ଅପେକ୍ଷା ବି କରେ । ତା’ପରେ ରୂପାକୁ ଖାଇବାକୁ ଦେଇ ନିଜେ ଖାଏ । ଚାକରମାନେ ବି ଖାଇ ଦିଅନ୍ତି । କିନ୍ତୁ ଶରୀର ଅସୁସ୍ଥ ହେଲା ଦିନୁ ସତ୍ୟବାନ ପ୍ରାୟ ଘରେ ଖାଉଥିଲା । ସତ୍ୟବାନ ନିଜେ ରୋଷେଇ ଶାଳକୁ ବିଜେ କଲା । ଚାକରମାନେ ଏବେ ରୋଷେଇ କରୁଛନ୍ତି, କିନ୍ତୁ ମାଧୁରୀର ରନ୍ଧା ଥିଲା ଭିନ୍ନ ଧରଣର । ସେ କହିଲା ‘‘ଚିନା, ତୁ ମା’ଙ୍କ ପରି ରୋଷେଇ କରି ପାରୁନୁ । ଦେଖ୍‌ ମୁଁ କରିଦେଇ ପାରିବି । ଆଜି ମାଙ୍କର ଜର ନାହିଁ । ମୋ ରନ୍ଧା ସେ ଖାଇବେ ।’’ ସତ୍ୟବାନ ଜାଣେନା କାହିଁକି ଓ କିପରି ତାଙ୍କୁ ତୃପ୍ତିକର ବୋଧ ହେଉଥିଲା । ଅବଶ୍ୟ ଚିନାର ସାହାଯ୍ୟରେ ସେଦିନ ସେ ପ୍ରଥମ ଥର ପାଇଁ ରୋଷେଇ ଘରେ ଲଣ୍ଡଭଣ୍ଡ ହୋଇଥିଲା । ତଥାପି ତାକୁ ଆନନ୍ଦ ଲାଗୁଥିଲା । ସେ କହିଲା ‘ମାଧୁରୀ, ମୋ ରନ୍ଧା ଆଜି ଖାଇବ ନାଁ । ତୁମପାଇଁ ମୁଁ ନିଜେ ରାନ୍ଧିଛି ।’’ ମାଧୁରୀ ହସିଲା । ତା ଚକ୍ଷୁରୁ ଝରୁ ପଡ଼ିଲା ଦୁଇଧାର ଲୁହ । ସେ ସ୍କୁଲରେ ପଢ଼ୁଥିବାବେଳେ ସ୍ନେହମୟୀ ମାଙ୍କର ବିୟୋଗ ହେଲା । ତାପରେ ଡାଡ଼ିଙ୍କ ମମତାରେ ସେ ଚଳି ଆସିଥିଲା-

 

ସତ୍ୟବାନର ଚକ୍ଷୁ ବି ଛଳ ଛଳ ହୋଇ ପଡ଼ିଲା । କିନ୍ତୁ ସେ ଜାଣେନା କାହିଁକି ମାଧୁରୀ ହସି ଥିଲା ଓ କାନ୍ଦି ଥିଲା । ତା ସ୍ନେହର କି ପ୍ରକାର ଅନୁମୋଦନ କଲା ମାଧୁରୀ ।

 

ଚିନା ଆସି କହିଲା, ‘‘ବାବୁ, ଡ୍ରଇଁ ରୁମରେ ଆଚାର୍ଯ୍ୟେ ଓ ବୁଢ଼ାବାବୁ ଆସି ବସିଛନ୍ତି । ଆପଣଙ୍କୁ ଡାକୁଛନ୍ତି ।’ ସତ୍ୟବାନ ତଳକୁ ଓହ୍ଲାଇ ଗଲା ।

 

ଆଚାର୍ଯ୍ୟେ ଓ ବାପାଙ୍କୁ ପ୍ରଣାମ କଲା ସତ୍ୟବାନ । ଆଚାର୍ଯ୍ୟେ ତା ମୁଣ୍ତରେ ଚାଉଳ ଦିଟା ପକାଇ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କଲେ । ସତ୍ୟବାନ ଜାଣେ, ତାକୁ ମୁସଲମାନ ଓ କିରସ୍ଥାନ ବୋଲି କହି ତାକୁ ସ୍ପର୍ଶ କରୁ ନଥିଲେ ଆଚାର୍ଯ୍ୟେ । ଅଥଚ ପୂର୍ବପଥର ଗଞ୍ଜେଇ ଚିଲମ ଓ ସାମାନ୍ୟ ଅର୍ଥରେ ସବୁ ବଦଳି ଗଲାଣି । ଖ୍ୟାତି, ଧର୍ମ ଓ ଆଶୀଷକୁ କିଣିବାକୁ ହୁଏ । ଭାରତରେ ଏହାର ଦୃଷ୍ଟାନ୍ତ ଅଧିକ । ଖ୍ୟାତି ପାଇଁ ପାଗଳ, କର୍ଣ୍ଣ, ହରିଶ୍ଚନ୍ଦ୍ର ଓ ଶିବ ନିଜର ସର୍ବସ୍ୱ ଦେଇ ଅୟନାନ୍ତ କାଳଯାଏ ଖ୍ୟାତି କିଣି ଦେଇଛନ୍ତି । ଏକଦା ଫ୍ରାନ୍‌ସର ଲୋକେ ପ୍ରାୟଶ୍ଚିତ ପାଇଁ ପାପମୁକ୍ତ ହେବାପାଇଁ ଟଙ୍କା ନେଇ ସାର୍ଟିଫିକେଟ କିଣୁଥିଲେ । ଆଚାର୍ଯ୍ୟଙ୍କର କିଛି ଗଞ୍ଜେଇ ଓ ପଇସା ହେଲେ ଚଳିଯିବ ।

 

ଉମାର ବାହାଘର ସୁରୁଖୁରୁରେ ହୋଇଯିବା କଥା ହେମନ୍ତବାବୁ ପୁଅକୁ କହିଲେ । ଆଚାର୍ଯ୍ୟେ କହିଲେ ‘‘ବାବୁ ହେମନ୍ତ, ଦେଖିଲଟି କେଉଁ ସୁକୃତିରେ ଏଭଳିଆ ପୁଅ ପାଇଥେଲ ଦେଖ ହୋ ତୁମର ସବୁ ଭାର ମୁଣ୍ଡକୁ ନେଇଗଲା ।’’ ସତ୍ୟବାନ ମନେ ମନେ ହସିଲା । ଏଇ ଆଚାର୍ଯ୍ୟଙ୍କ ପୂର୍ବ କଥା ମନେକରି । ଝିଅ ଘରକୁ ଭାର ଯିବ । ପୁଣି ହେମନ୍ତବାବୁ ବଜାରକୁ ବାହାରିଗଲେ ସଉଦା କରିବାକୁ । ଆଚାର୍ଯ୍ୟେ କହିଲେ ‘‘ମୁଁ ତ ବୁଢ଼ାମଣିଷ ହେମନ୍ତବାବୁ ତେମେ ଯାଅ । ମୁଁ ଏଇଠି ବିଶ୍ରାମ କରୁଛି ।’’ ହେମନ୍ତବାବୁ ଚାଲିଗଲା ପରେ ଆଚାର୍ଯ୍ୟେ କହିଲେ ‘ସବୁକଥା ହେଲା ଯେ, ହେଲେ, ଆରେ ପୁଅ ତୋରି ସକାଶେ ହେମନ୍ତବାବୁ ଖାଲି ସନ୍ତେଇ ହଉଚି । ଲୋକେ କଣ ଗୋଟାଏକୁ ତିନିଟା ବାହା ହଉନାହାନ୍ତି । ତୁ ଏବେ ବାପ ମନ ରଖିବାକୁ କୁଳର କନ୍ୟାଟିଏ ବାହାହୋଇ ପଡ଼ିଲେ ହୁଅନ୍ତା ନାହିଁ, ତୋର କଣ ପାଞ୍ଚଟା ପୋଷିବାକୁ ଡର ଅଛି । ଆରେ ବାବୁ, ମୋ ଶଶୁରଘର ଗାର ସୁଣ୍ଡୀପୁଅ ବସନ୍ତ ଏଗାରୁଟା ସ୍ତ୍ରୀ ବାହା ହେଇଥିଲା । ତୋର ଯେବେ ଅଜାତିର ମାଇକିନାଟାଏ ଅଛି, ସେ ଥାଉ । କେତେ ଲୋକଙ୍କର ତ ପୁଣି ରକ୍ଷିତା ଅଛନ୍ତି । ତୋ ଇଚ୍ଛା । ତୁ ତ ବଡ଼ ଲୋକ । ଯାହାଇଚ୍ଛା କର ।’’ ପୁଣି ସେଇ ପୁରୁଣା ପ୍ରଶ୍ନ । ସେଇ ଗୋଟାଏ ନିଶା-। ସତ୍ୟବାନ ବାହାର କଲା ସେଇ ପୁରୁଣା ଔଷଧ । ଆଗ ଡିଆସିଲି ଆଉ ସିଗାରେଟ୍‌ ଲାଗିଲା । ସତ୍ୟବାନ କହିଲା ‘‘ଆଚାର୍ଯ୍ୟେ, ତମର ତ ସେଇ କଥା ଗଲାନାହିଁ । ସେଗୁଡ଼ା ରଖ । ଏ ବିଲାତି ସିଗାରେଟ୍‌ ଖାଅ । ଟାଣିଦେଲେ ଦେଖିବ କେମିତି କଡ଼ା ।’’ ଆଚାର୍ଯ୍ୟେ ସିଗାରେଟ୍‌ ଧରାଇଲେ । ତାପରେ ସତ୍ୟବାନ ଚିଲମରେ ନିଆଁ ଲଗାଇଲା । ଆଚାର୍ଯ୍ୟେ କହିଲେ ‘‘ଆରେ ସତ୍ୟ, ତୋ ଚିଲମର ଏ ଧୂଆଁ ସତରେ ଭାରି ମିଠା । ମୁଁ ପରା ସେଦିନୁ ଭୁଲି ପାରିନାହିଁ । ଆଚ୍ଛାକରି ସେଦିନ ଟାଣି ଦେଇଥିଲି ।’’ ଆଚାର୍ଯ୍ୟଙ୍କ ମୁହରୁ ଗଞ୍ଜେଇ ଧୂଆଁ ଭକ ଭକ ବାହାରୁଥାଏ-। ସତ୍ୟବାନ କହିଲା ‘‘ଆଚାର୍ଯ୍ୟେ, ଖାଲି ଗଞ୍ଜେଇ ଚଳୁଛି ନାଁ ଆଉ କିଛି ଚଳେ ?’’ ସେ ହସିଦେଇ କହିଲେ ‘‘ଆରେ ତୁ ଟା ବଗୁଲିଆଟାଏ । ହିସାବରେ ତ ନାତି ହେବୁ । ତୁ ଜାଣି ନ ଥିବୁ ଯେ । ମୋ ବାପା ଗୋସବାପା ଆମ ଘରେ କାଳୀ ଠାକୁରାଣୀ ରଖିଛନ୍ତି । ଭାରି ପ୍ରତ୍ୟକ୍ଷ । ପ୍ରତି ଅମାବାସ୍ୟ ରାତିରେ ମୁଁ ହୋମ କରି ସୋମରସ ଟିକକ ଆହୁତି ଦିଏ । ଠାକୁରାଣୀ ପ୍ରସାଦ ତ-। ଟିକିଏ ପାଇ ଦେଇଥାଏ-। ନ ହେଲେ ଆମେ କୋଉଠୁ ପାଇବୁରେ ସତ୍ୟ । କାଇଁ ତୋ ପାଖରେ ବିଲାତ ନଥିବ କି ? ଟିକିଏ ଦଉନୁ ।’’ ସେ କହିଲା ‘‘ବାଃ, ଚମତ୍କାର କଥା,’’ ସେ ଆଚାର୍ଯ୍ୟଙ୍କୁ ହୁଇସ୍କି ଗିଲାସେ ଧରାଇ ଦେଲା । ଗୋଟିଏ ପୁରୁଣା ଅଭ୍ୟାସ ପରତ ଆଚାର୍ଯ୍ୟେ ସାଙ୍ଗେ ସାଙ୍ଗେ ସେତକ ଶେଷ କରିଦେଲେ-। ସେ କହିଲେ ‘‘ବାବୁରେ ସତ୍ୟ, ତୋ ବାପା ବର୍ତ୍ତମାନ ଆସି ମତେ ଗାଁକୁ ଯିବାକୁ ଡାକିବ । ତୁ ତାକୁ କହିଦେବୁ ମୁଁ ଆଉ ଦି ଚାରିଟା ଦିନ ଏଇଠି ରହିବି । ବୁଢ଼ା ମଣିଷ କେତେ ଧଁ । ଦଉଡ଼ି କରିବି,’’ ସତ୍ୟବାନ କହିଲା ‘‘ଆଚାର୍ଯ୍ୟେ ଆପଣ ତ ମୋ ଘରେ ପାଣି ଛୁଅନ୍ତି ନାହିଁ । ଖାଇବେ କଣ ?’’ ସେ କହିଲେ ‘‘ମୋ କଥା ମୁଁ ବୁଝିବି । ମୋର ଖାଇବାରେ ସେତେ ଆଗ୍ରହ ନାହିଁ-। ଜଳପାନ କିଣି ଖାଇଦେବି । ଆଜି ମୁଁ ଆଉ କିଛି ଆହାର କରିବି ନାହିଁ । ତୋର କୋଉଘରେ ମତେ ଟିକେ ଶୋଇବାକୁ ଜାଗା କରିଦେ ।’’

 

ଗଞ୍ଜେଇ ସାଙ୍ଗକୁ ହୁଇସ୍କି ବଡ଼ ଜୋରରେ ଆଚାର୍ଯ୍ୟଙ୍କୁ ଧରି ନେଇଥିଲା । ସତ୍ୟବାନ ବଡ଼ ଅଡ଼ୁଆରେ ପଡ଼ିଲା । ତଳ ମହଲାର ଗୋଟିଏ ଷ୍ଟୋର ଘରକୁ ଆଚାର୍ଯ୍ୟଙ୍କୁ ନେଇଗଲା ସେ । ସେଇଠି ସାଙ୍ଗେ ସାଙ୍ଗେ ଆଚାର୍ଯ୍ୟେ ଖଣ୍ଡେ ଗାମୁଛା ପାରିଦେଇ ଢଳି ପଡ଼ିଲେ । ରୂପା ଖପ ଖପ ହୋଇ ତଳକୁ ଓହ୍ଲାଇ ଆସିଲା । ଆଚାର୍ଯ୍ୟଙ୍କ ନିକଟକୁ ଦଉଡ଼ି ଯାଇ ସେ କହିଲା ‘‘ଡାଡ଼ି, ତାଙ୍କର କଣ ହେଇଛି । ସେ କଣ ମରିଗଲେ ?’’ ରୂପା ହାତକୁ ଧରି ସତ୍ୟବାନ ସେଠୁ ଚାଲି ଆସିଲା ।

 

ସତ୍ୟବାନ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ପଡ଼ୁଥିଲା । ତାର ଡାକ୍ତରୀ ଚିକିତ୍ସାର କୌଣସି ଅବହେଳା ନଥିଲା । ଡାକ୍ତରମାନେ କହିଥିଲେ ଧୂମପାନ ଏକବାରେ ବନ୍ଦ କରିବାକୁ । ଧୂଆଁ ପତ୍ରରେ ଥିବା ନିକୋଟିନ ହେତୁ ତାର ଅନେକ କ୍ଷତି ହେଉଛି । ମଦ୍ୟପାନ ପୂରାପୂରି ବନ୍ଦ କରିବାକୁ ତାଙ୍କର ନିର୍ଦ୍ଦେଶ । କିନ୍ତୁ ସତ୍ୟବାନ ପକ୍ଷରେ କାହାର ଉପଦେଶ କି ନିର୍ଦ୍ଦେଶ ମାନିବା ପ୍ରାୟ ଅସମ୍ଭବ । ସେଥିପାଇଁ ସେ ପାର୍ଟି ଅଫିସ ଛାଡ଼ି ଦେଇଥିଲା । ସେଥିପାଇଁ ସେ ଗୃହ ତ୍ୟାଗ କରିଥିଲା । ସତ୍ୟବାନ ନିଜର ସେଇ ନୂତନ ଗଠିତ ଦଳକୁ ‘‘ତୋଫାନ’’ ନାମରେ ନାମିତ କଲା । ତାର ନୂତନ ଚିନ୍ତାଧାରାର ସମର୍ଥକ ଥିଲେ ତାର ସାଥୀ ଅରୁଣ ଓ ଜୀବନ । ଅରୁଣ ଥିଲା କ୍ଳର୍କ ଆଉ ଜୀବନ ଥିଲା ଶିକ୍ଷକ । ଦୁଇଜଣଙ୍କୁ ଚାକିରୀରୁ ଉଠେଇ ଆଣିଲା ସେ । ମାଧୁରୀରୁ ତତ୍ତ୍ୱାବଧାରିକା ରୂପେ ମନୋନୀତ କଲା । ପାର୍ଟି ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଜମା କରିଦେଇ ସତ୍ୟବାନ କହିଲା ‘‘ଭାଇମାନେ, ଏଇ ଅର୍ଥର ସୁଧରେ ଆମେ ଆଗେଇ ପାରିବା । ଆପଣମାନେ ନିଜକୁ ଅନ୍ୟାନ୍ୟ କାମରେ ବିନିଯୋଗ କରି ମଧ୍ୟ ପାର୍ଟିକାମ କରି ପାରିବେ । କେବଳ ଅରୁଣ ଓ ଜୀବନକୁ ପାର୍ଟି ତରଫରୁ ଦରମା ଯୋଗାଇ ଦିଆଯିବ ।’’

 

ଏଇ ପାର୍ଟିର ଚିନ୍ତାଧାରା ବିଷୟରେ ଓ କାର୍ଯ୍ୟକଳାପ ବିଷୟରେ ସତ୍ୟବାନ ଦୀର୍ଘ ଏକ ଲିଖିତ ମନ୍ତବ୍ୟ ଦେଇଥିଲା । ପ୍ରଥମ ପଦକ୍ଷେପରେ ସେ କହିଥିଲା ସାମ୍ୟବାଦ ପରି ଏକ ଧୂଆଁବାଣ ବିରୁଦ୍ଧରୁ ଯୁଦ୍ଧ । ସମସ୍ତ ପୁଞ୍ଜିପତିଙ୍କର ଅର୍ଥର ତାଲିକା, ପୁଞ୍ଜି ଧନର ଖୋଜ ପାଇଁ ଗୋଟାଏ ଗୋଇନ୍ଦା ସଂସ୍ଥା ରଖିବାକୁ ହେବ । ତାପରେ ପ୍ରକୃତରେ ଏ ଦେଶର ସମସ୍ୟା ପ୍ରତି ପ୍ରଥମେ ଦୃଷ୍ଟିପାତ କରିବାକୁ ହେବ । ଦେଶର ପ୍ରକୃତ ସମସ୍ୟା କହିଲେ ବୁଝାଏ ପ୍ରତି ସ୍ଥାନର ଆଞ୍ଚଳିକ ସମସ୍ୟା । ବଢ଼ି, ମରୁଡ଼ି, ଘରପୋଡ଼ି, ତୋଫାନ, ଭୂମିକମ୍ପ ଓ ଅନାବୃଷ୍ଟି ଏ ଦେଶର ଅଣ୍ଟା ଭାଙ୍ଗି ଚାଲିଛି । ଆଉ ଦେଶର ନେତୃବୃନ୍ଦ ଚନ୍ଦ୍ର ଗ୍ରହରେ ଅବତରଣ କରି ପୃଥିବୀରେ ଚନ୍ଦ୍ର ଉଦିଆ ଜାଲିବାରେ ବ୍ୟସ୍ତ । ଏ ଦେଶର ମାଟି ଗୋଡ଼ିରେ, ପାଣି ପବନରେ ଯେ ମଣିଷ ହୋଇ ନାହିଁ ସେ ଏ ଦେଶର ସମସ୍ୟା ବୁଝିବ କିପରି ? ଇଂରେଜମାନେ ଏ ଦେଶର ସମସ୍ୟାକୁ ବୁଝି ନ ଥିଲେ ତେଣୁ ତାଙ୍କର ପ୍ରତିକାର ଭିତରେ ସ୍ଥାୟୀ ସମାଧାନର ବ୍ୟବସ୍ଥା ନଥିଲା । ଇଂରେଜ ଦାୟାଦ ବର୍ତ୍ତମାନର ଶାସକମାନେ ସ୍ଥାୟୀ ପ୍ରତିକାରର ଦୃଷ୍ଟାନ୍ତ ଅଭାବରୁ ପୂର୍ବପରି ସାହାଯ୍ୟ ବଣ୍ଟନରୂପକ ଇଂରେଜ ପ୍ରଦର୍ଶିତ ବ୍ୟବସ୍ଥାକୁ ବର୍ତ୍ତମାନ ଯାଏ ଚାଲୁ ରଖିଛନ୍ତି । ଏମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖେଇବାକୁ ହେବ । ଦଶଟା ବଢ଼ି ମାରଣ କମିଟି, ତୋଫାନ ନୀରିକ୍ଷଣ କମିଟି କରିଦେଲେ ଏ ଦେଶର କୌଣସି ଉପକାର ହେବ ନାହିଁ ବରଂ କମିଟିର ସଭ୍ୟମାନଙ୍କର ମାସିକ ଦରମାରେ ଆଉ କିଛି ଶୂନ ବସିଯିବ । ସତ୍ୟବାନ ତା ପିଲାଦିନର ସ୍ମୃତିଟିଏ ବଖାଣିଥିଲା ।

 

ସେତେବେଳେ ତାକୁ ସମ୍ଭବତଃ ପନ୍ଦର ବର୍ଷ ହୋଇଥିବ । ହାଇସ୍କୁଲରେ ପଢ଼ୁଥାଏ । ଆରମ୍ଭ ହେଲା ବନ ମହୋତ୍ସବ । ସରକାରଙ୍କ ତରଫରୁ ଟ୍ରକରେ ନଦା ହୋଇ ଆସିଲା ଅନେକ କିସମର ଗଛ । ସ୍କୁଲର ହତାଠାରୁ ଆରମ୍ଭ କରି ହଷ୍ଟେଲର ହତା ଓ ପାଖ ଆଖ ସଡ଼କ କରରେ ଗଛ ଲଗା ହେଲା । ବାଉଁଶର ଗୋରଡ଼ା ବୁଲିଗଲା । ଗଛର ଉପକାରିତା ଉପରେ ଆସିଥିବା ଅତିଥି, ସ୍କୁଲର ପ୍ରଧାନ ଶିକ୍ଷକ ଓ ଛାତ୍ର ପ୍ରତିନିଧିମାନେ ଦୀର୍ଘ ବକ୍ତୃତା ଦେଲେ । ତା ପରେ ପ୍ରାୟ ଏକ ପକ୍ଷ ପରେ ପାଣି ନ ଦେବା ହେତୁ ଗଛ ସବୁ ଡାଙ୍ଗ ହୋଇଗଲା । ଗୋରଡ଼ା ସବୁ ବୁଲା ଛୁଆଏ ଭାଙ୍ଗି ନେଲେ ଜାଳ କରିବାକୁ । ସତ୍ୟବାନ ହେଡ଼ମାଷ୍ଟ୍ରଙ୍କୁ କହିଥିଲା ‘‘ସାର୍‌, ସରକାର, ବନମହୋତ୍ସବରେ ଆମ ସବ୍‌ଡ଼ିଭିଜନ ପାଇଁ ୮୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବକ୍ତୃତାରେ କୁହାଯାଇଥିଲା । କିନ୍ତୁ ମାତ୍ର ପନ୍ଦରଟା ଦିନ ଭିତରେ ଏହାର ପରିଣତି କଣ ହେଲା ଦେଖନ୍ତୁ । ଏ ସବୁ ଜାତୀୟ ଅର୍ଥ ଏଇପରି ନଷ୍ଟ ହେଉଛି ଅଥଚ ଲୋକେ ଅଭାବରେ ମରୁଛନ୍ତି ।’’ ପ୍ରଧାନ ଶିକ୍ଷକ ବଡ଼ ପାଟିରେ କହିଥିଲେ ‘‘ଆରେ ତୁ ନେତା ହେବୁ କିରେ । ସେ ସବୁ ବଡ଼ ବଡ଼ କଥା ଭାବି ଲାଭ କଣ । ପରୀକ୍ଷାରେ କଣ କରୁଛୁ ଦେଖ । ଆମେ ପତର ସାଉଁଟା ଲୋକ, ତୋଟା ମୂଲ କରିବୁ କାହିଁକି ?’’

 

ଆଜି ମଧ୍ୟ ସତ୍ୟବାନ ସେଇ କଥା କହିଲାବେଳେ ତେଜି ଉଠୁଥିଲା । ସେ କହିଥିଲା ‘‘ଏ ଦେଶରେ ମହାତ୍ମାଙ୍କ ପରେ ଆଉ କୌଣସି ଦେଶପ୍ରେମିକ ନେତା ଜନ୍ମ ହୋଇ ନାହାନ୍ତି ।’’ କେତେଜଣ ତାକୁ ସମର୍ଥନ କଲେ । କେତେ ବା ପ୍ରତିବାଦ କଲେ । ସେ ଶୁଣିବାକୁ ପ୍ରସ୍ତୁତ ନଥିଲା । ସେ କହିଥିଲା ‘‘ବନ୍ଧୁଗଣ ଭାରତର ସବୁ ପ୍ରଦେଶ ଦେଖିଛି । ରାଜସ୍ଥାନର ମରୁ ଅଞ୍ଚଳଠାରୁ ଆସାମର କାଚାର ଅଞ୍ଚଳ ପର୍ଯ୍ୟନ୍ତ । ସେଇ ଛାତି ଦେଖା ପତର କୁଡ଼ିଆର ସଂଖ୍ୟା କୋଉଠି କମ ନାହିଁ । ରାସ୍ତାର ଦୁଇ କଡ଼ରେ ସ୍ଥାନେ ସ୍ଥାନେ ଏମାନଙ୍କର ଅସଲ ରୂପ ଦେଖିବାକୁ ମିଳେ । ମୋର ମନେହୁଏ ଏଇ ରାଜପଥ ଦେଇ କଣ ଏ ସ୍ୱାଧୀନ ଦେଶର କୌଣସି ନେତା ଗସ୍ତ କରନ୍ତି ନାହିଁ, ବର୍ଷାଦିନେ ପାଣି ଭିତରେ ତେଲଗୁଣି ପୋକ ପରି ସାଲୁ ସାଲୁ ହୋଇ ବଞ୍ଚୁଥିବା ସେଇ ଆସାମର ଜନତାଙ୍କୁ ବୋଧେ କେବେ ଦେଖନ୍ତି ନାହିଁ । ରାଜସ୍ଥାନର ସେଇ ମରୁ ଅଞ୍ଚଳରେ ଦୁଇ ଶହ ହାତ ତଳୁ ଓଟ ବେକରେ ଦଉଡ଼ି ଦେଇ ପାଣି ଟାଣୁଥିବା ଜନତାଙ୍କ ଦୃଶ୍ୟ କଣ କେବେ ତାଙ୍କ ଆଖିରେ ପଡ଼ି ନାହିଁ କି ତାମିଲନାଡ଼ୁର ସେଇ ଗୋଟିଏ ବଖରାରେ ଭାଗ କରି ମୋଡ଼ିମାଡ଼ି ହୋଇ ରହୁଥିବା ଦଶପ୍ରାଣିଆ ପରିବାରର କଥା ସେ ଜାଣନ୍ତି ନାହିଁ । ଦେଶରେ ପାର୍ଲିଆମେଣ୍ଟ ହେଲା, ନେତା ହେଲେ, ଦେଶର ଆୟ ଦେଶରେ ବିନିଯୋଗ ହେଲା । ହେଲେ ହୋଇଛି କଣ ? ଆମର ନୂତନ ଖସଡ଼ା ତିଆରି ହେବ । ପୁଞ୍ଜିପତିଙ୍କର ଅର୍ଥକୁ ହିସାବ ରଖିଲେ ତାଙ୍କ ଉପରେ ଚଢ଼ଉ ଆରମ୍ଭ ହେବ । ତାଙ୍କ ବିଳାସ ପାଇଁ ଟଙ୍କା ଦେଇ ବାକି ଅର୍ଥ ଆମ ଦେଶ କାମରେ ଲଗାଇବାକୁ ବାଧ୍ୟ କରାଯିବ । ଦେଶରେ କେତେ ପୁଞ୍ଜିପତି ହେବାର ହୋଇଯାଆନ୍ତୁ । ଗୁଡ଼ାଏ ଲୋକ ଧନୀ ହୁଅନ୍ତୁ । କ୍ଷତି ନାହିଁ । ଆମର ଲୋଡ଼ା ସାଧାରଣ ଅବସ୍ଥାର ପରିବର୍ତ୍ତନ । ସେଥିପାଇଁ ମୋର ଅନେକ ଯୋଜନା ଅଛି । ମୁଁ ସମସ୍ତଙ୍କ ବିଚାର ପାଇଁ ତାକୁ ପ୍ରଦାନ କରୁଛି । ଏଥିରେ ଶିକ୍ଷାଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ସୁନ୍ଦର ସଂସ୍କାର ଅଛି ।

 

ଗୋଟାଏ ବିଶିଷ୍ଟ କଥା ପ୍ରତି ସତ୍ୟବାନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କଲା । ସେ କହିଲା ସରକାରଙ୍କର ଦୂରଦୃଷ୍ଟି କଥା କହୁଛି । ଯେତେକ ନୂତନ ସହର ଗଢ଼ି ଉଠୁଛି ସେଥିରେ ରାସ୍ତାର ଯେ ପ୍ଲାନ ହୋଇଛି ଦେଖିବା କଥା । ସେଇ ସରୁଆ ରାସ୍ତା । ଫୁଟ୍‌ ପାଥ ନାହିଁ । ଦୁଇପଟୁ ଗାଡ଼ି ମୁହାଁମୁହିଁ ହୋଇ ହୁଏ ଆକ୍‌ସିଡ଼େଣ୍ଟ । ଯିବା ରାସ୍ତା ଓ ଆସିବା ରାସ୍ତା ଅଲଗା କରିବାପାଇଁ ସରକାର ସାଙ୍ଗେ ସାଙ୍ଗେ ଗୋଟାଏ ପୋଲିସ ରଖାଇ ଦିଅନ୍ତି ନିୟନ୍ତ୍ରଣ କରିବାକୁ । ଦେଶରେ ରାସ୍ତାର ଆବଶ୍ୟକୀୟ ସଂପ୍ରସାରଣ ନାହିଁ ଅଥଚ ଗାଡ଼ି, ମଟର, ମଟର ସାଇକେଲ କମ୍ପାନୀକୁ ଲାଇସେନ୍‌ସ ଦିଆ ଚାଲିଛି । ବଢ଼ୁଛି ଗାଡ଼ି ମଟର ସଂଖ୍ୟା । ଅଥଚ ରାସ୍ତାର କୌଣସି ସୁବ୍ୟବସ୍ଥା ନାହିଁ ।

 

ଦେଶରେ କ୍ରମେ ବିଦ୍ୱାନ ଲୋକେ ବି ଚୋରି କରିବାରେ ପ୍ରବୃତ୍ତ ହେଲେଣି ଅଥଚ ସରକାର ତାର କାରଣ ନିର୍ଣ୍ଣୟ କରି ପାରୁନାହାନ୍ତି କି ନିରାକରଣର ନୂତନ ପନ୍ଥା ଉଦ୍‌ଭାବନ କରୁ ନାହାନ୍ତି । ସେଇ ପ୍ରାଚୀନ ପନ୍ଥା ଚୋର ପୋଲିସ୍‌ଙ୍କ ବାଗୁଡ଼ି-ଖେଳ ବା ଲୁଚକାଳି ଖେଳ । ଲୋକଙ୍କ ସାଇକୋଲଜି ବି ଧନ୍ୟ, ଚୋର ହାତରେ ଜୀବନ ଦେବାକୁ ହେଉଥିଲେ ବି ଧନ ରଖିବାର ଲାଳସା ଛାଡ଼ୁଛି କିଏ ?’’

 

ଦେଶ ବିଷୟରେ ସତ୍ୟବାନର ଥିଲା ଗଭୀର ଚିନ୍ତା । ଥରେ ସେ ଦେଶ କଥା କହିବାକୁ ଆରମ୍ଭ କଲେ ଅନର୍ଗଳ ଗପିଯାଏ । ଘନ ଘନ ତାଳିରେ ପାର୍ଟି ଅଫିସ କମ୍ପିଯାଏ । କିନ୍ତୁ ସେ ସେଥିରେ ବିଶ୍ୱାସ କରେ ନାହିଁ । ସେ କହିଥିଲା ‘‘ଏ ସବୁ ନୁହେଁ । ପ୍ଲାନ ଅନୁସାରେ କାମ ନକରି ଗୁଡ଼ାଏ ଫମ୍ପା କଥା କହିବାରେ କି ମୂଲ୍ୟ ?’’ ସେମାନଙ୍କର ପ୍ରଥମ ପଦକ୍ଷେପ ଆରମ୍ଭ ହେବାର ଯୋଜନା ହେଲା ।

 

ସବୁଦିନ ପରି ସତ୍ୟବାନ ଅତି ପ୍ରତ୍ୟୁଷରୁ ଉଠିଲା । ଗତ ରାତ୍ରିରେ ଗୋଟିଏ ସୁଦୀର୍ଘ ବକ୍ତୃତା ଦେଇ ସେ ପ୍ରଚୁର ମଦ୍ୟପାନ କରି ଶୋଇଥିଲା । ପ୍ରତିଦିନର କାମକୁ ଏତିକିବେଳେ କରିବାକୁ ହୋଇଥାଏ । ଆଚାର୍ଯ୍ୟଙ୍କ କଣ୍ଠର ମନ୍ତ୍ର ଧ୍ୱନି ତଳଆଡ଼ୁ ସ୍ପଷ୍ଟ ଶୁଭୁଛି । ସେ କାନ ଡେରି ଶୁଣିଲା । ଗତ କାଲି ଦିନଠାରୁ ଆରମ୍ଭ କରି ସାରା ରାତି ନିରାହାରରେ ଅଚେତ ହୋଇ ପଡ଼ିଥିବା ବୃଦ୍ଧ ଆଚାର୍ଯ୍ୟ ପ୍ରତ୍ୟୁଷରୁ ଉଠି ମନ୍ତ୍ର ପାଠ କରୁଥିଲେ । ସମଗ୍ର ଗୃହଟି ମନ୍ତ୍ର ଧ୍ୱନିରେ ପୂରି ଉଠୁଥିଲା-। ପିଲାଦିନେ ସଂସ୍କୃତକୁ ଭୟ କରୁଥିବା ସତ୍ୟବାନ ନନ୍ଦବାବୁଙ୍କ ସାହାଯ୍ୟରେ ସଂସ୍କୃତ ପାଠ ପ୍ରତି ଅନୁରାଗୀ ହୋଇଥିଲା । ଆଚାର୍ଯ୍ୟଙ୍କ କଣ୍ଠର ସୁସ୍ପଷ୍ଟ ଉଚ୍ଚାରଣରେ ମୁଗ୍‌ଧ ହୋଇ ପଡ଼ିଲା ସେ । ନନ୍ଦବାବୁ ମଧ୍ୟ ସୁନ୍ଦର ଛନ୍ଦରେ ଗାନ କରୁଥିଲେ । ତାଙ୍କ କଣ୍ଠରେ ଭଲ ଶୁଭୁଥିଲା ମନ୍ତ୍ର ଗାନ । କିନ୍ତୁ ସତ୍ୟବାନ ନିଜେ କିଛି ଗାନ କରିବାର ଚେଷ୍ଟା କରି ନାହିଁ ।

 

ରୂପାର ଅଳସ ଶୀଘ୍ର ଛାଡ଼େ ନାହିଁ । ହେଲେ ସେ ବି କେତେବେଳୁ ଯାଇ ଆଚାର୍ଯ୍ୟଙ୍କୁ ଲକ୍ଷ୍ୟ କରୁଛି ଦେଖି ସତ୍ୟବାନ ଆଶ୍ଚର୍ଯ୍ୟ ହେଲା । ନିରବରେ ରୂପା ଦ୍ୱାର ଦେଶରେ ଠିଆ ହୋଇ ମନ୍ତ୍ରପାଠ ଶୁଣୁଥିଲା । ଆଚାର୍ଯ୍ୟେ ଚିତା ଚୈତନ୍ୟ ଲଗାଇଥିଲେ । ତାଙ୍କର ଶୁଦ୍ଧପୁତ କର୍ମ ପଦ୍ଧତିକୁ ମନେ ମନେ ପ୍ରଶଂସା କଲା ସତ୍ୟବାନ । ତା ପରେ ଖଣ୍ଡେ ଓଦା ଗାମୁଛା ପିନ୍ଧି ଗାମୁଛା ଖଣ୍ଡେ କାନ୍ଧରେ ପକାଇ ସେ ଘରୁ ବାହାରିଗଲେ । ରୂପା ମଧ୍ୟ ତାଙ୍କ ପଛରେ ମନ୍ତ୍ରମୁଗ୍‌ଧ ହେଲା ପରି ବାହାରିଲା । ଉପରୁ ସତ୍ୟବାନ ଡାକିଲା ‘‘ରୂପା, କୁଆଡ଼େ ଯାଉଛୁ । ଯାନା ମା ।’’ ରୂପା କହିଲା, ‘‘ଡାଡ଼ି, ମୁଁ ଏ ଅଜାଙ୍କୁ ମନ୍ଦିର ଦେଖାଇ ଦେଇ ଆସିବି ।’’ ସତ୍ୟବାନ ବିରକ୍ତ ହେଲା । ମାଧୁରୀକୁ ଡାକି ସେ କହିଲା ଦେଖ, ରୂପା ବୋଧେ ଏଣେତେଣେ ବୁଲୁଛି । ମୁଁ କହିଥିଲି ନାଁ ତା ପାଇଁ ଗୋଟାଏ ଗଭର୍ଣ୍ଣେସ ରଖିବି ବୋଲି । ତାର ଶିକ୍ଷା ଖରାପ ହେଉଛି ।’’ ତୁମ; ବରାବର ମନା କରି ଆସୁଛ । ଏଇ ଦେଖ ଆଚାର୍ଯ୍ୟଙ୍କ ସାଙ୍ଗେ ସାଙ୍ଗେ ପାଗଳି ଦଉଡ଼ି ଗଲାଣି ।’’ ରୂପା ରୀତିମତ ଦଉଡ଼ି ଦଉଡ଼ି ଯାଉଥାଏ । ତାର ସୁନ୍ଦର କଳା ବାଳର ଗୋଛାଟି ପଛରେ ଉଡ଼ୁଥାଏ ।

 

ସତ୍ୟବାନ କଚେରୀ ଯିବା ପୂର୍ବରୁ ଆଚାର୍ଯ୍ୟେ ଫେରି ସାରିଥିଲେ । ସତ୍ୟବାନ ପଚାରିଲା ‘‘ଆଚାର୍ଯ୍ୟେ କଣ କିଛି ଖାଇବା ହେଲାଣି ?’’ ସେ କହିଲେ ‘‘ସେଥିରୁ ତୁ କଣ ପାଇବୁ । ମତେ ଟିକେ ସେଇଥିରୁ ଦେଇଯା ।’’ ସତ୍ୟବାନ ହସି ହସି କହିଲା ‘‘ଆପଣ ଭାରି ରସିକ ଲୋକ ତ-। ଚିଲମଟା ବି ଦେଇଯିବି ।’’ ସତ୍ୟବାନ କଚେରୀରୁ ଫେରି ଦେଖିଲା ଆଚାର୍ଯ୍ୟେ ସେଇ ଘରଟିରେ ତଳେ ଗାମୁଛା ପାରି ଶୋଇଛନ୍ତି ।

 

ରୂପା କହିଲା ‘‘ଡାଡ଼ି, ଦାଢ଼ିଆ ଅଜା ଠାକୁରଙ୍କ କତିରେ ତମ ପାଇଁ ପାଣି ନାଗି କଲେ । କହିଲେ ‘ଭରଦ୍ୱାଜ ଗୋତ୍ର ସତ୍ୟବାନ ବାବୁର ମଙ୍ଗଳ କର ହେ ଈଶ୍ୱର’ । ଏତେବଡ଼ ପାଟି କଲେ ଯେ ମୁଁ ଚମକି ପଡ଼ିଲି । ସେ ଏଡ଼େ ପାଟି କାଇଁକି କଲେ ଡାଡ଼ି ? ଈଶ୍ୱର କିଏ ?’’ ରୂପା ହାତ ଧରି ସତ୍ୟବାନ ମାଧୁରୀ ନିକଟକୁ ନେଲା । ସେ କହିଲା ‘‘ରୂପା କଣ କହୁଛି ଟିକେ ଶୁଣ ମାଧୁରୀ । ତାକୁ ନଜର ନ ଦେଲେ ହେବନାହିଁ ।’’ ରୂପା କହିଲା ‘‘ମୁଁ କଣ କଲି ଡାଡ଼ି, ତମକୁ କିଛି ପଚାରିଲେ ତମେ ରାଗୁଛ ନାଁ । ? ତୁମକୁ ଆଉ ପଚାରିବି ନାହିଁ ଯା ।’’ ସତ୍ୟବାନ ରୂପାକୁ ଟାଣି ଗେଲ କଲା । ସେ କହିଲା ‘‘ଛୋଟ ପିଲା ଏ ସବୁ ଶିଖନ୍ତି ନାଇଁ, ବୁଝିଲୁ ।’’

 

ଆଚାର୍ଯ୍ୟଙ୍କ ପ୍ରତି ସତ୍ୟବାନର ମନ କୋମଳ ହୋଇ ପଡ଼ିଥିଲା । ତାଙ୍କ ଶ୍ଲୋକ ପାଠରେ ଗୋଟାଏ ମମତା ସୃଷ୍ଟି ହେଉଥିଲା । ସେ ପଚାରିଲେ ‘‘ଆଚାର୍ଯ୍ୟେ, ଏତେ ଶ୍ଲୋକ ଘୋଷିଲେ କେମିତି’’ ସେ କହିଲେ ‘‘ବ୍ରାହ୍ମଣ ପୁଅ, ଶ୍ଲୋକ ଘୋଷିଲେ ପେଟ ପୋଷିବୁ ପରା ।’’ ସତ୍ୟବାନ ନିରବ ହୋଇ ଯାଇଥିଲା । ସମାଜରେ ଏ ଦଳକ ପରୋଜୀବି ନିର୍ମୂଳିଲତା । ଅନ୍ୟର ଉପାର୍ଜନରେ କୋଉ ଅନାଦି କାଳରୁ ବଢ଼ି ବଢ଼ି ଚାଲିଛନ୍ତି । ଅବଶ୍ୟ ବର୍ତ୍ତମାନ ସମାଜରେ ‘ଧର୍ମ କହିଲେ କର୍ମ ନୁହେଁ’ ଭାବ ପ୍ରକାଶ ପାଇଲାଣି । ଧର୍ମ ନାମରେ ନିଷ୍କ୍ରିୟ ହେବା ଲୋକଙ୍କର ସଂଖ୍ୟା କମି ଆସିଲାଣି । ତଥାପି କମ ମଧ୍ୟ ନାହିଁ ।

 

ଦିନେ ସକାଳୁ ସକାଳୁ ପୂଜାସାରି ଆଚାର୍ଯ୍ୟେ ସତ୍ୟବାନକୁ କହିଲେ ଦେ ଟୋପାଏ ହେଇଯାଉ । କେତେ ଶ୍ଲୋକ ଗାଇବି ଦେଖିବୁ । ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ ମୋର ଜିଭ ଅଗରେ । ଆଚାର୍ଯ୍ୟଙ୍କ କଥା ଶୁଣିବାକୁ ଭଲ ଲାଗୁଥିଲା । ସେ ତାଙ୍କୁ ଗଞ୍ଜେଇ ଚିଲମ ଦେଇ ପାଖରେ ବସିଲା-। ତାପରେ ଦିହେଁ ମିଶି ହ୍ୱିସ୍କି ସେବାକଲେ ଉତ୍ତେଜନା ବଢ଼ିଲା । ଆଚାର୍ଯ୍ୟେ ସ୍ୱ ବାହାଦୂରୀ ଦେଖାଇ ଖୁବ୍‌ ଗର୍ଜନ କରି ଶ୍ଲୋକ ଗାଇଲେ । ଆଉ ତାଙ୍କ ସହିତ ତାଳ ଦେଇ ସତ୍ୟବାନ ନିଜ ଆଲକ୍ଷ୍ୟରେ ଶ୍ଲୋକ ଗାନ କରିବାକୁ ଲାଗିଲା । ନିଶାର ପ୍ରାବଲ୍ୟରେ ଆଚାର୍ଯ୍ୟେ ବାରମ୍ବାର ଶଙ୍କରାଷ୍ଟକ ଗାନ କରିବାରେ ଲାଗିଛନ୍ତି ଆଉ ସତ୍ୟବାନ ମଧ୍ୟ ତାଙ୍କ ସହିତ ସମତାଳରେ ଆବୃତ୍ତି କରି ଚାଲିଥାଏ । ରୂପା ବସିଥାଏ ତା ତାଡ଼ିର କୋଳରେ ଠିକ୍‌ ଗୋଟିଏ କାଠ ପିତୁଳି ପରି । ବହୁ ଆବୃତ୍ତି ପରେ ସତ୍ୟବାନର ଶ୍ଲୋକଟି ଆୟତ୍ତ ହୋଇ ଯାଇଥିଲା । କିନ୍ତୁ ସତ୍ୟବାନ ଯେତେବେଳେ ପ୍ରକୃତିସ୍ଥ ହୋଇଥିଲା ତାକୁ ଆଶ୍ଚର୍ଯ୍ୟ ଲାଗିଲା । ଲଜ୍ଜା ମଧ୍ୟ ଲାଗିଲା । ସେ ଉପାସନା ଜାଣେ ନାହିଁ-। ସେଥିପାଇଁ ତାର ଆଗ୍ରହ ମଧ୍ୟ ନାହିଁ । ହିନ୍ଦୁ ଜଗତର ଦେବ ଦେବୀ ଓ ପୂଜା ପୂଜି ବିଷୟରେ ତାର ଜ୍ଞାନ ଯେ ନ ଥିଲା ତା ନୁହେଁ । ନନ୍ଦବାବୁଙ୍କ ପାଖରେ ବହୁ ଧର୍ମ ପୁସ୍ତକ ଅଧ୍ୟୟନ ସେ କରିଛି-। ସଂସ୍କୃତ ସାହିତ୍ୟ ସମ୍ପଦକୁ ସେ ପ୍ରାଣ ଭରି ଭଲ ପାଇଛି । ତଥାପି ତାର ସେଥିପ୍ରତି ସ୍ପୃହା ପର୍ଯ୍ୟନ୍ତ ନ ଥିଲା ।

 

ଆଚାର୍ଯ୍ୟେ ଭାବିଥିଲେ ସତ୍ୟବାନର ଶ୍ଲୋକ ଶିଖିବାରେ ପ୍ରବଳ ଆଗ୍ରହ ଅଛି । ଯେତେବେଳେ ଗଞ୍ଜେଇ ସାଙ୍ଗକୁ ହ୍ୱିସ୍କିର ନିଶା ପ୍ରବଳ ହୋଇଯାଏ ଆଚାର୍ଯ୍ୟେ ପ୍ରତିଦିନ ନୂଆ ନୂଆ ଶ୍ଲୋକ ଶିଖାଇବାକୁ ଲାଗନ୍ତି । ଆଉ ସତ୍ୟବାନ ମଧ୍ୟ ନିଜ ନିୟନ୍ତ୍ରଣରୁ ବାହାରି ଯାଇଥାଏ । ସେ ମଧ୍ୟ ଆବୃତ୍ତି କରି ଆୟତ୍ତ କରିବାକୁ ଲାଗିଯାଏ । କିନ୍ତୁ ଆଚାର୍ଯ୍ୟେ ଖୁବ୍‌ ଶୀଘ୍ର ବେମାର ହୋଇ ପଡ଼ିଲେ । ତାଙ୍କର ବୃଦ୍ଧ ଶରୀର ଏତେ ନିଶାକୁ ହଜମ କରି ପାରିଲା ନାହିଁ । ବାଧ୍ୟ ହୋଇ ସେ ବିଦାୟ ନେଲେ ।

 

ମାଧୁରୀର ସୁପରିଚାଳନାରେ ସତ୍ୟବାନର ପାର୍ଟି ଗ୍ରାମରେ ଚଢ଼ଉ ଆରମ୍ଭ କଲେ । ତାଙ୍କର ହସ୍ତକ୍ଷେପରେ ଗ୍ରାମରେ ଗଢ଼ି ଉଠିଥିବା ଗ୍ରାମ ପଞ୍ଚାୟତ ଓ ସରପଞ୍ଚ ବ୍ୟତିବ୍ୟସ୍ତ ହେବାକୁ ଲାଗିଲେ । ସରକାରରୁ ମିଳୁଥିବା ଅର୍ଥର ପ୍ରକୃତ ବିନିଯୋଗ ହେଉନାହିଁ । ଗାଁରେ ଅଚଳ ପମ୍ପସେଟ-। ଦଳକଢ଼ା ଟଙ୍କା ଋଣ ଟଙ୍କା ଇତ୍ୟାଦିର ହିସାବ ଦେବାରେ ସେମାନେ ରକ୍ତ ଚାଉଳ ଚୋବାଇବାକୁ ଆରମ୍ଭ କଲେ । ଏଇ ଗାଁ, ଯେଉଁଠି କେଉଁ ଅନାଦି କାଳରୁ ବାର ବର୍ଷଯାଏ ଶିଶୁ ଲଙ୍ଗଳା ଅଭ୍ୟାସ ଛାଡ଼ି ପାରିନାହିଁ, ଗ୍ରାମ ସେବକ ଓ ସେବିକା ରଖିବାରେ ସରକାରଙ୍କର ହେଳା ନାହିଁ । ଛୋଟିଆ ଖଣ୍ଡେ ଗାଁର ଅର୍ଥରେ ସୁସମ ବଣ୍ଟନ ନାହିଁ । ସେମାନେ ଗାଁର ଏକ ନିମ୍ନ ଭୂମିରେ ଆରମ୍ଭ କଲେ ଖନନ କାର୍ଯ୍ୟ । ଭୂମିଟି ଥିଲା ସରକାରଙ୍କର । ପ୍ଲାନ ଥିଲା ଏକ କ୍ଷୁଦ୍ର ଜଳ ସଂରକ୍ଷଣ ଭଣ୍ଡାର ନିର୍ମିତ ହେବ । ଖୋଲା ହୋଇଥିବା ମାଟିରେ ସ୍କୁଲ ଛାତ୍ରଙ୍କ ସାହାଯ୍ୟରେ ଗଢ଼ା ହେବ ଇଟା-। ପାର୍ଟି ପଇସାରେ ଗୃହ ଉପକରଣ ଯୋଗାଇ ଦିଆଯିବ । ଗାଁଟିର ପ୍ଲାନ କରାଯାଇ ପ୍ରତ୍ୟେକଙ୍କୁ ତିନିଗୁଣ ଜମିରେ ଅନ୍ତତଃ ଦୁଇ ବଖରା ପକ୍‌କା ଘର ଯୋଗାଇ ଦିଆଯିବ । ସେଥିରେ ଆଜ୍‌ବେଷ୍ଟସ ଛାତ ଓ ପାଇଖାନା କରାଯିବ । ଛାତ୍ରମାନଙ୍କର ଛୁଟିର ସଦୁପଯୋଗ ହେବ ।

 

ସ୍କୁଲର ସିଲାବସ ପରିବର୍ତ୍ତନ ହେବ ଏବଂ ସ୍କୁଲ ଶିକ୍ଷାକୁ ଦୁଇଟି ଅଧ୍ୟାୟରେ ବିଭକ୍ତ କରାଯିବ । ନିମ୍ନ ଶ୍ରେଣୀର ପିଲାଏ ବାର ବର୍ଷର ତଳକୁ ରହିବେ ଓ ଉଚ୍ଚ ଶ୍ରେଣୀର ପିଲାଏ ରହିବେ ଉପରକୁ । ଉଚ୍ଚ ଶ୍ରେଣୀର ପିଲାଙ୍କ ସ୍କୁଲକୁ ୩୦ ଟି ଶିଳ୍ପ କାରଖାନା ଘେରି ରହିବ ।

 

ଛାତ୍ରଟିଏ ନିମ୍ନ ଶ୍ରେଣୀରେ ସରକାରୀ ଅର୍ଥରେ ଓ ଉଚ୍ଚ ଶ୍ରେଣୀରେ ସ୍ୱ ଉପାର୍ଜନରେ ଚଳିବ । ଦିନ ଦୁଇଟାରୁ ଚାରିଟା ଯାଏ ସେମାନଙ୍କର କର୍ମର ଆୟରେ ସେମାନଙ୍କୁ ଚଳିବାକୁ ହେବ-। ଫଳରେ ପିତାମାତାଙ୍କ ଉପରେ ତାର ଖର୍ଚ୍ଚ ପାଠ ଶେଷଯାଏ ପଡ଼ିବ ନାହିଁ । ଏବଂ ତଦ୍ୱାରା ଏ ଦେଶରୁ ଭୟଙ୍କର ଯୌତୁକ ପ୍ରଥା ଉଠାଇ ଦିଆଯାଇ ପାରିବ ।

 

ଗାଁ ଗୁଡ଼ିକ ଗଢ଼ି ଉଠିବ ନୂଆ ପ୍ଲାନରେ । ପ୍ରତି ଗାଁରେ ଛୋଟ ଶିଶୁଙ୍କ ପାଇଁ ବିନୋଦନ ପାର୍କ ଓ ପାର୍କକୁ ଲାଗି ରହିବ ଶିଶୁ ଚିକିତ୍ସା କେନ୍ଦ୍ର । ପ୍ରତି ପାଞ୍ଚଟି ଗାଁର ମଧ୍ୟ ସ୍ଥଳରେ ରହିବ ଏକ ଚିକିତ୍ସାଳୟ ଓ ଗୋଟିଏ ପଶୁ ଚିକିତ୍ସା କେନ୍ଦ୍ର ତଥା କୃଷି କେନ୍ଦ୍ର ।

 

ତିଆରି ହେଉଥିବା ଗୁଣ୍ଡ ଇଟାରେ ରାସ୍ତା ଘାଟ ନିର୍ମାଣ ହୋଇଯିବ । ପ୍ରାୟ ପନ୍ଦରଟି ବର୍ଷରେ ଏ ଦେଶର ପୁରପଲ୍ଲୀ ଭିନ୍ନ ଆକାର ଧାରଣ କରିବ । ସହରରୁ କମିଯିବ ଭିଡ଼ । କୃଷି କ୍ଷେତ୍ରର ପ୍ରକୃତ ତତ୍ତ୍ୱାବଧାନ ଆରମ୍ଭ କରାଯିବ । ମିଳିତ କୃଷି ଫାର୍ମ ଓ ସେଣ୍ଟର ସବୁ ବିଲ ମଝିରେ ସୃଷ୍ଟି କରାଯିବ । ସେ ସବୁ ସ୍ଥାନରେ ବୃକ୍ଷରୋପଣ କରି ସେଠାରେ ରେଡ଼ିଓ ଆଦି ଖଞ୍ଜି ଦିଆଯିବ । ତାପରେ ଦେଖାଯିବ ବ୍ରିଟିଶ ଯୁଗର ସେ ଚାକିରୀର ମୋହ ଭାଙ୍ଗି ଚୁରମାର ହୋଇ ଯାଇଛି । ପାଠ ପଢ଼ି ନ ପାରୁଥିବା ପିଲାଙ୍କୁ କେହି ଖୁଞ୍ଚା ଦେବେ ନାହିଁ ‘‘ଏଇଟାକୁ ପିଅନ ଚାକିରୀଟାଏ ବି ମିଳିବ ନାହିଁ, ଇତ୍ୟାଦି ଇତ୍ୟାଦି । ସତ୍ୟବାନର ସୁନ୍ଦର ନକ୍‌ସା ପ୍ଲାନରେ ଆହୁରି କେତେ ପ୍ରକାରର ବ୍ୟବସ୍ଥା ଥିଲା । ତେଣୁ ଏହାର ପ୍ରଥମ ଅଧ୍ୟାୟରେ ଗ୍ରାମ ପଞ୍ଚାୟତ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା କ୍ଷଣି ଆରମ୍ଭ ହେଲା ବିବାଦ । ଏମାନଙ୍କର କଥାରେ କେହି କର୍ଣ୍ଣପାତ ମଧ୍ୟ କଲେ ନାହିଁ । ଗୁଡ଼ାଏ କୁହା ମୁଣ୍ଡା କପିଳା ବୋଲି ଲୋକେ ଓଲଟି ତାଙ୍କୁ ଗାଳି ଦେବାକୁ ଆରମ୍ଭ କଲେ । ପ୍ରତିଷ୍ଠିତ ସରପଞ୍ଚ ଓ ସ୍ୱାର୍ଥପର ପାର୍ଟି ବିବାଦରେ ଏମାନେ ଜର୍ଜରିତ ହେଲେ ।

 

ସତ୍ୟବାନ କହିଲା ‘‘ଡରିବାର ଆବଶ୍ୟକତା ନାହିଁ । ଗାଁର ଧୋବା ସାହୀକୁ ଚାଲ । ସେଇଠି ଗୋଟାଏ ବିରାଟ ପୋଖରୀ ଖୋଳାଇବାକୁ ଗୋଟାଏ ମେସିନ ପଠାଇ ଦେଉଛି । ଧୋବା ପିଲାଙ୍କୁ ଲଗେଇ ଇଟା ତିଆରି କରେଇ ଦେବି । ତା ପରେ ଦେଖାଯିବ ।’’

 

ସତ୍ୟବାନ କଚିରୀରୁ ଫେରି ବିଶ୍ରାମ ନେଉଥାଏ । ଶରୀର ଅସୁସ୍ଥ ହେବା ପରେ ସେ ବିଶେଷ କିଛି କରି ପାରୁ ନ ଥାଏ । ଗୋଟାଏ ଆରାମ ଚେୟାରରେ ପଡ଼ି ପଢ଼ୁଥାଏ ବହି ଖଣ୍ଡେ । ରୂପା ଆସି କହିଲା ‘‘ଡାଡ଼ି, ଆଜି ମନ୍ଦିରକୁ ବହୁତ ଲୋକ ପୂଜା କରିବାକୁ ଯାଉଛନ୍ତି । ଆମେ ବି ଯିବା । ଚାଲ ଯିବା ।’’ ପ୍ରକୃତରେ ଘର ପାଖର ସେ ମନ୍ଦିରଟିରେ କ୍ରମେ କ୍ରମେ ଲୋକ ଭିଡ଼ ହୋଇ ଆସୁଥାଏ । ବୋଧେ କିଛି ପର୍ବ ଥିବ । ସତ୍ୟବାନ କହିଲା ‘‘ରୂପା, ତୁ ଏଥର ମୋ ସାଙ୍ଗରେ ଲଣ୍ଡନ ଯିବୁ । ମୁଁ ତତେ କେତେ ଭଲ ଜାଗା ଦେଖାଇବି । କେତେ ଭଲ ଜିନିଷ ଖାଇବାକୁ ଦେବି ।’’ ରୂପା କହିଲା ‘‘ନାଁ, ତମେ ଏଇନା ଆସ । ମୁଁ ତମକୁ ବଢ଼ିଆ ପାଦୁକ ଦେବି । ତୁମେ ଆଗ ଆସିଲ ।’’ ରୂପା ତା ହାତ ଧରି ଟାଣିଲା । ମନେ ମନେ ବିରକ୍ତ ହେଉଥିଲେ ବି ସତ୍ୟବାନ ରୂପାକୁ କଡ଼ା କରି କିଛି କହି ପାରୁ ନଥିଲା । ଟିକିଏ ରାଗରେ କଥା କହିଦେଲେ ରୂପା ଫୁଲି ଫୁଲି କାନ୍ଦୁଥିଲା । ତାର ମୁହଁ ଲାଲ ହୋଇ ଯାଉଥିଲା । କୁନୁକୁନିଆ ସୁନ୍ଦର ମୁହଁରେ ଲୁହର ଦାଗ ବସି ଯାଉଥିଲା । ସତ୍ୟବାନ ତାକୁ ଗେଲ କରି ଭୁଲାଇବାକୁ ଚେଷ୍ଟା କଲା । ସେ କହିଲା ‘‘ତୁ ରେଡ଼ି ହୁଅତ । ମାମୀକୁ ଡାକ । ଆଜି ତୋ ସାଙ୍ଗ ଲିଲିର ଜନ୍ମଦିନ । ତୁ ତାକୁ ‘happy birthday’ କରିବାକୁ ଯିବୁନି ।’’ ରୂପା କହିଲା ‘‘ମୁଁ କଣ ଓକିଲ ? ଲିଲିପରା ଅବିକା ଏଇଠୁ ଯାଇଛି । ତା କଣ୍ଢେଇକି ଜର ହୋଇଥିଲା ଯେ ମୁଁ ଈଶ୍ୱରଙ୍କ ଉପରେ ପାଣି ଢାଳି କରି ଆସିଛି । ତୁମେ ନ ଗଲେ ମତେ ଜର ହବ-। ମୁଁ ବି ମରିଯିବି ।’’ ସତ୍ୟବାନ କହିଲା ‘‘ରୂପା, ତୁ ଏସବୁ କୋଉଠୁ ଶିଖିଲୁ । କାଇଁକି ଏମିତି ଅଝଟ ହଉଛୁ ? ମୋ ସୁନା ମା, ସେମିତି ଦୁଷ୍ଟ ହେବୁ ନାହିଁ । ମୁଁ ତୋ ପାଇଁ କେତେ ଭଲ ଜିନିଷ ଆଣିବି-।’’

 

ରୂପା କହିଲା ‘‘ଡାଡ଼ି, ତମେ ସିନା ଯାଉନ । ମୋ ସାଙ୍ଗ ସାମୀ ତା ଡାଡ଼ି ମାମୀଙ୍କ ସାଙ୍ଗରେ ଗଲାଣି । ଲିଲି ବି ଯାଇଛି । ଆଉ ତମେ ନଗଲେ ମୁଁ ଏକା ଯିବି ?’’ ସତ୍ୟବାନ କହିଲା ‘‘କାଇଁକି ତୋ ମାମୀକୁ ନେଇଯା’’ ରୂପା କହିଲା ‘‘ବାଃ, ମାମୀ ତ କେବେ ଯାଇନାହିଁ ।’’ ‘‘ମୁଁ ବି ତ କେବେ ଯାଇନାହିଁ ରୂପା’’ ସତ୍ୟବାନ କହିଲା । ରୂପା କହିଲା ‘‘ଡାଡ଼ି ତମକୁ ଶ୍ଲୋକ ବୋଲି ଆସେ-। ମୁଁ ଜାଣିଛି । ନନା ଯେମିତି ବୋଲନ୍ତି ତୁମେ ବି ସେମିତି ବୋଲି ପାରୁଛ । ଆସନା ଆମ ଠାକୁରଙ୍କ ପାଖରେ ବୋଲିବ । ମୁଁ ତମକୁ ପାଦୁକ ଦେବି’’ ରୂପା କଥା ଶୁଣି ପ୍ରକୃତରେ ସତ୍ୟବାନ ଆଶ୍ଚର୍ଯ୍ୟ ହେଲା । ନଜର କମ୍‌ ନୁହେଁ ପିଲାଟିର । ଆଚାର୍ଯ୍ୟଙ୍କ ସହିତ ସେ ଶ୍ଲୋକ ଆବୃତ୍ତି କରିବା କଥା ରୂପା ଠିକ୍‌ ମନେ ରଖିଛି । ରୂପା ଯିଦ୍‌ ଧରି ବସିଲା । ନନ୍ଦିତା ଆସିବ ଅଳ୍ପ ସମୟ ପରେ । କ୍ଲବ ବେଳ ବି ହୋଇ ଆସିଲାଣି । କିନ୍ତୁ ରୂପା ତାକୁ ଘୋସାଡ଼ିବାରେ ଲାଗିଛି ।

 

ରୂପାର ବ୍ୟାକୁଳ ଅନୁନୟରେ ସତ୍ୟବାନକୁ ବାଧ୍ୟ ହୋଇ ମନ୍ଦିରକୁ ଯିବାକୁ ପଡ଼ିଲା । ଡାଡ଼ିଙ୍କୁ ପ୍ରସ୍ତୁତ କରି ରୂପା ମାମୀକୁ ବି ତା ଯିଦ୍‌ର ଶିକାର କରି ଦେଲା । ସତ୍ୟବାନ ଓ ମାଧୁରୀ ରୂପାର ଦୁଇ ହାତକୁ ଧରି ମନ୍ଦିରରେ ପ୍ରବେଶ କଲେ । ସେଦିନ ଥିଲା ଶିବରାତ୍ରି । ଲୋକ ଭିଡ଼ ହୋଇଥାଏ ଛୋଟ ମନ୍ଦିରଟିରେ । ସତ୍ୟବାନକୁ ଟାଣି ନେଇ ରୂପା କହିଲା ‘‘ଡାଡ଼ି, ଏଇଠି ଠିଆ ହୋଇ ଶ୍ଲୋକ ବୋଲ ।’’ ସତ୍ୟବାନ ସମବେତ ଲୋକମାନଙ୍କୁ ଚାହିଁଲା । ନିଜ ନିଜ ପୂଜାରେ ସମସ୍ତେ ବ୍ୟସ୍ତ । କିଏ ବା ତାଙ୍କ ଆଡ଼କୁ ଧ୍ୟାନ ଦେଉଛି । ମାଧୁରୀ ନିରବରେ ଠିଆ ହୋଇଥାଏ । ରୂପା କହିଲା ‘‘ଡାଡ଼ି ବୋଲ ନାଁ । ମୋ ରାଣ । ତୁମେ ବୋଲିଲ ।’’ ସତ୍ୟବାନର ଜିଭ କିନ୍ତୁ ଲେଉଟୁ ନ ଥାଏ । ତଥାପି ଧୀର କଣ୍ଠରେ ସେ ଶଙ୍କରାଷ୍ଟକଟିକୁ ଆବୃତ୍ତି କଲେ । ରୂପା ଦୁଇହାତ ଯୋଡ଼ି ଆଖିବୁଜି ଠିଆ ହୋଇ ରହିଥାଏ । ଆବୃତ୍ତି ପରେ ପରେ ସେ ନିଜେ ଆଗ ମୁଣ୍ଡିଆ ମାରି ନିଜେ ପାଦୁକ ଆଣି କହିଲା ‘‘ଡାଡ଼ି, ହାତ ଦେଖାଅ । ପାଦୁକ ନିଅ । ମାମୀ ପାଦୁକ ନିଅ,’’ ସେ ଦୁହେଁ ରୂପାଠାରୁ ପାଦୁକ ପାଇଲେ । ଏକ ଅପୂର୍ବ ଚେତନାରେ ସତ୍ୟବାନର ମନ ଭରି ଉଠିଲା ଯେମିତି । କ୍ଲବ ଯିବାର ସମୟ ଗଡ଼ି ଯାଉଥିଲା । ସେ ଶୀଘ୍ର ଚାଲି ଆସୁଥିଲା । ହଠାତ୍‌ କେହି ଜଣେ ତା ନାଁ ଧରି ଡାକିଲା । ସତ୍ୟବାନ ଟିକେ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । ପିଲାଦିନର ସାଙ୍ଗ ଯୋଗିଆ । ଯୋଗିଆ କହିଲା ‘‘ତୁ ତ ଭାଇ ବଡ଼ ଲୋକ ହେଇଛୁ ରେ ସତ୍ୟ । ତୋ ଦୁଆରେ ଗାଡ଼ି ମଟର ଲାଗି ରହୁଛି । ତୋ ଦେଖା ମିଳିବା କଷ୍ଟ । ହେଲେ ବେଳେବେଳେ ମନହୁଏ ତୋ ପାଖକୁ ଟିକେ ଯାଆନ୍ତି । କାଳେ ଚିହ୍ନିବୁ ନାହିଁ ।’’ ସତ୍ୟବାନ ଯୋଗିଆକୁ କୁଣ୍ଢେଇ ପକେଇଲା । ଦଣ୍ଡା ବରଗଛରେ ଡାଳି ମାଙ୍କୁଡ଼ି ଖେଳ, ଗୁଚିତାଣ୍ଡ ଖେଳ ସବୁ ମନେ ଅଛି ସତ୍ୟବାନର । ଯୋଗିଆକୁ ସେ ଚିହ୍ନିବ ନାହିଁ । ସେ କହିଲା ‘‘ତୁ ଗୋଟାଏ ଏମିତି କଣ କହୁଛୁରେ ଯୋଗି । ତୋର ତ ଦେଖା ଦର୍ଶନ ନାହିଁ-। ମନକୁ ଫାନ୍ଦି ପକଉଛୁ କଣ । ଆରେ ଯୋଗି ଗୋଟାଏ ବଡ଼ କାମରେ ତମର ସବୁ ସାହାଯ୍ୟ ଦରକାର କରୁଥିଲି । ତୁ ଯଦି ଟିକେ ସାହାଯ୍ୟ କରନ୍ତୁ ହୋଇଯାନ୍ତା । କିଛି ନାହିଁ, ତୁ ଆମ ଗାଁ ଧୋବା ଦଳକୁ ଟିକେ ବୁଝାଇ ପାରିଲେ ହୋଇଯିବ । ସେଗୁଡ଼ା ପରସ୍ପରର ମଙ୍ଗଳ ପାଇଁ ସମାନ ଭାବରେ ତାଙ୍କ ଜାଗାକୁ ବାଣ୍ଟିବାରେ ସାହାଯ୍ୟ କଲେ ତାଙ୍କ ବସ୍ତିଟା ମୁଁ ଆଗ ଗଢ଼େଇ ଦେବି । ଅପର ପାର୍ଟିର ଲୋକେ ଧୋବା ଦଳକୁ ଶିଖେଇ ଦେଲେଣି । ଫଳରେ ସେମାନେ ବୁଝି ପାରୁ ନାହାନ୍ତି । ଆରେ ଯୋଗି, ସେଗୁଡ଼ା ଥରେ ବୁଝିଲେ ସବୁ ଠିକ୍‌ ହୋଇଯିବ । ଚିରଦିନ ପାଇଁ ବର୍ଷା, ଝଡ଼ ତୋଫାନ ଓ ନିଆଁରୁ ରକ୍ଷା ପାଇଯିବେ । ମୁଁ ତତେ ସବୁ ବିସ୍ତାରିତ କରି ବୁଝେଇ ଦେବି-। ଗାଁ ବାଲା ଅନ୍ୟ ପାର୍ଟିଠାରୁ ଅର୍ଥ ପାଇ ସିନେ ମତେ କିଛି କରେଇ ଦେଉ ନାହାନ୍ତି ନ ହେଲେ ଦେଖନ୍ତୁନାଁ ମାତ୍ର ପନ୍ଦର ବର୍ଷ ଭିତରେ ହସି ଉଠନ୍ତା ଏ ଦେଶ ।’’ ଯୋଗିଆ ତର ତର ହେଉଥିଲା । ଏଡ଼େ ବଡ଼ ବଡ଼ କଥା, ଦେଶ ଦଶର କଥାରେ ତାର ଆଗ୍ରହ ନ ଥିଲା । ମାଧୁରୀକୁ ଚାହିଁ ସେ କହିଲା ‘‘ଏ ତୋ ସ୍ତ୍ରୀ ବୋଧେ । ଆଜ୍ଞା ନମସ୍କାର’’ । ନମସ୍କାର ଜଣାଇଲା । ସତ୍ୟବାନ କହିଲା କିରେ ମୋ କଥା ମନେ ରହିଲାଟି । ଆସିବୁ ।

 

ଘରକୁ ଆସି ମାଧୁରୀ କହିଲା ‘‘ବଡ଼ ଆଶ୍ଚର୍ଯ୍ୟ ଲାଗିଲା ମତେ, ତୁମେ କି ସୁନ୍ଦର ମନ୍ତ୍ରପାଠ କଲ । ଡାଡ଼ି ତ ସବୁବେଳେ ଏମିତି କରୁଥିଲେ । ହେଲେ ତୁମକୁ କେବେ ଏମିତି ପୂଜକ ଭାବରେ ଦେଖିନି ତ’’ ? ସତ୍ୟବାନ କହିଲା ‘‘ହଁ, ଏ ରୂପାକୁ ଏଥର ନିଶ୍ଚୟ ଗୋଟାଏ ଇଂଲିଶ ଏକାଡ଼େମୀକୁ ପଠାଇବି । ନ ହେଲେ ତାର ଯିଦ୍‌ ବଢ଼ି ଯାଉଛି ।’’

 

ସେତିକିରେ ରୂପାର ଦାଉରୁ ରକ୍ଷା ମିଳିଲା ନାହିଁ । ଠିକ୍‌ ସନ୍ଧ୍ୟା ବେଳକୁ ଯେତେବେଳେ ସତ୍ୟବାନ କଚିରୀରୁ ଫେରି ଆରାମ ଚେୟାରରେ ଶୋଇ ବହି ପଢ଼ୁଥାଏ, ରୂପା ଆସି ହାତ ଧରି ଟାଣିବାକୁ ଆରମ୍ଭ କରେ । ‘ଚାଲ ଡାଡ଼ି, ମନ୍ଦିରକୁ ଚାଲ । ତମେ ମନ୍ତ୍ର ପଢ଼ିବ । ମୁଁ ପାଦୁକ ଦେବି ।’ କିନ୍ତୁ ସତ୍ୟବାନକୁ ବିରକ୍ତ ଲାଗୁଥିଲା । ଏ ସବୁରେ ତାର ଆଗ୍ରହ ନ ଥିଲା । ତାରି ଝିଅ ହୋଇ ରୂପା ଏ ସବୁ କାହିଁକି ଶିଖିଲା । ଗୋଟାଏ ଛୋଟ ପିଲାର ଯିଦ୍‌କୁ ସବୁଦିନେ ବରଦାସ୍ତ କରାଯାଇ ନ ପାରେ । କିନ୍ତୁ ରୂପା ନ ଛାଡ଼େ । କାନ୍ଦିବାର ଛଳନା କରେ । ନ ଖାଇ ଶୋଇପଡ଼େ ରୂପା । କି ଅସମ୍ଭବ ପିଲାଟାଏ ସେ । ସତ୍ୟବାନ ବାଧ୍ୟ ହୋଇ ମନ୍ଦିରକୁ ଗଲା । ଶିବଲିଙ୍ଗରେ ପାଣି ଢାଳିଲା । ଶ୍ଳୋକ ବୋଲିଲା । ନିହାତି ଗୋଟାଏ ବିରାଟ ପରିବର୍ତ୍ତନ ତା ଜୀବନରେ । ନିଜକୁ ଲାଜ ମାଡ଼ିଲାଣି-। ଜୁନିଅର ମାନେ ଏ ବିଷୟରେ ଗପସପ ଆରମ୍ଭ କରିଦେଇଛନ୍ତି । ସମସ୍ତେ କହୁଛନ୍ତି ସତ୍ୟବାନର ଆସିଛି ବିରାଟ ପରିବର୍ତ୍ତନ । ତା ପରି ଗୋଟାଏ ସୁସଭ୍ୟ ଲୋକ ଆଜିର ସମାଜରେ ବିରଳ । ତାର କାମ, ତାର ଚିନ୍ତାଧାରାକୁ ନେଇ ସବୁଠି ଆଲୋଚନା ଚାଲିଛି ।

 

କି ଝିଅଟାଏ ରୂପା । ଗୋଟାଏ ପରମ ନାସ୍ତିକକୁ ଆସ୍ତିକରେ ପରିଣତ କରି ସାରିଛି । ‘‘ବୟସ ଗଡ଼ିଲା ବେଳକୁ ରାମାନନ୍ଦୀ ଚିତା’’ ଢଗଟି ମନେ ପକେଇ ସେ ହସିଲା । ସଭ୍ୟଲୋକେ ସମାଲୋଚନା କରନ୍ତି ‘‘ବୃଦ୍ଧା ବେଶ୍ୟା ତପସ୍ୱିନୀ’’ ହେବା ଭାରତୀୟ ଜୀବନର ଗତି । କିନ୍ତୁ ପ୍ରକୃତରେ ସତ୍ୟବାନର ପ୍ରତ୍ୟହ କ୍ଳବ ଯିବାପରି ମନ୍ଦିରକୁ ଯିବା ନିୟମିତ ହୋଇଗଲା । ଠିକ ମନ୍ଦିରରୁ ଆସି ପୋଷାକ ବଦଳାଇ ସେ କ୍ଳବକୁ ବାହାରିଯାଏ ।

 

ଅତୀତର କମ୍ରେଡ଼ମାନେ କିଏ ଓକିଲ ତ କିଏ ବଡ଼ ପାହ୍ୟା ହାକିମ । ଯେଉଁଠି ଦେଖାହେଲେ ବି ଥଟ୍ଟା କରିବାକୁ ଲାଗିଯାନ୍ତି । ବିନୋଦ କହୁଛି ‘‘ଏ ଭାଣ୍ଡାମୀ କାହିଁକି କମ୍ରେଡ଼ ସତ୍ୟବାନ, ସବୁ କ୍ଷେତ୍ରରେ ଶଠତା ଆରମ୍ଭ କରି ଦେଇଛ ।’’

 

ସତ୍ୟବାନ ମନେ ମନେ କଥାଟାକୁ ଓଜନ କରେ । ସତ୍ୟବାନ କେବେ ଭଲ ପାଠ ପଢ଼ୁ ନଥିଲା ଅଥଚ ସେ ଗୋଟିଏ ଫାଷ୍ଟକ୍ଳାସ ଛାତ୍ର ହିସାବରେ ସୁଖ୍ୟାତି ଲାଭ କରିଥିଲା । ସେ କେବେ ନେତା ହେବାକୁ ଚେଷ୍ଟା କରି ନଥିଲା ଅଥଚ ସେ ଗୋଟାଏ ବଡ଼ ନେତା ହିସାବରେ ଗଣା ଯାଇଛି । କୌଣସି ନାରୀକୁ ସେ ପ୍ରକୃତରେ ପ୍ରେମ କରି ପାରି ନାହିଁ ଅଥଚ ସେ ପ୍ରେମ ବିଶାରଦ । ପୁଣି ଗୋଟାଏ ପରମ ନାସ୍ତିକର ଗୋଟାଏ ପରମ ଆସ୍ତିକରେ ପରିଣତ ହେବାକୁ ଯିବା ଶଠତା ବୋଲି ଯଦି ଲୋକେ କହନ୍ତି ଭୁଲ କେଉଁଠି ?’’ କିନ୍ତୁ ଏଥିପାଇଁ କଣ ସେ ନିଜେ ଦାୟୀ ? ଏ ପ୍ରଶ୍ନର ଉତ୍ତର କିଏ ଦେବ ?

 

ଦ୍ୱିଜ ଦିଗମ୍ବରଙ୍କ ଜୀବନୀ ଓ ନନ୍ଦବାବୁଙ୍କ ଜୀବନୀ କଥା ମନେ କଲା ସତ୍ୟବାନ । ମଣିଷର ଜୀବନର ଗତି ନିଶ୍ଚୟ ପରିବର୍ତ୍ତନଶୀଳ । ତେବେ ଏ ପରିବର୍ତ୍ତନ କଣ କେବଳ ଗୋଟିଏ ଦିଗକୁ । ଅବିଶ୍ୱାସରୁ ବିଶ୍ୱାସ ଦିଗକୁ । ଶୂନ୍ୟରୁ ବିନ୍ଦୁ ଆଡ଼କୁ ?

 

କଚିରୀରେ ବାରରେ ବସିଥିଲେ ବିନୋଦ ଓ ଅନ୍ୟାନ୍ୟ ଲୋକମାନେ । ପ୍ରତିଦିନପରି ସତ୍ୟବାନ ବସି ଚୁରୁଟ ଟାଣୁଥିଲା । ସତ୍ୟବାନ ଜାଣେ ବିନୋଦ ତାକୁ ସହିପାରେ ନାହିଁ । ସେ ଚରୁଟ ଟାଣେ ବୋଲି ବିନୋଦ ଦାମିକା ଚୁରୁଟ ଟାଣେ । ବେଶ ପୋଷାକରେ ଖୁବ୍‌ ଉନ୍ମତ ଧରଣର ରୁଚି ଦେଖାଏ । ଆଭିଜାତ୍ୟର ଗୋଟାଏ ମୋଟା ଖୋଳପା ଯେମିତି ତା ଚାରିପଟେ ଘେରି ରହିଥାଏ । ସତ୍ୟବାନ ଜାଣେ ବିନୋଦ କିପରି ଅର୍ଥ ରୋଜଗାର କରେ । କିନ୍ତୁ ବିନୋଦର ତା ପ୍ରତି ସମସ୍ତ ବିଦ୍ରୂପକୁ ଗୋଟାଏ ଅଦ୍ଭୁତ ଖିଆଲରେ ଗ୍ରହଣ କରିଯାଏ । ନନ୍ଦିତା ଦିନେ ତାକୁ ଏଥିପାଇଁ କହିଥିଲା ‘‘ମୁଁ ତୁମକୁ ଭଲପାଏ କାରଣ ତୁମପରି ଉଦାର ବୋଧେ ଆଉ କେହି ହୋଇପାରିବେନି-।’’

 

ବିନୋଦ ଗୋଟାଏ ଉପହାସ ଢଙ୍ଗରେ କଥା ଆରମ୍ଭ କଲା । ସେ କହିଲା ‘‘ସତ୍ୟବାନ ଗୋଟାଏ ଧର୍ମ ବକ ପାଲଟିଛି । ତୋର ଏ ବିରାଡ଼ି ବୈଷ୍ଣବ ହେବାର କାରଣ କଣ ରେ କମ୍ରେଡ଼ ।’’ ସତ୍ୟବାନ ହସି ହସି କହିଲା ‘‘ତୋ ପରି ସଂକୀର୍ଣ୍ଣ ଚିନ୍ତାର ଲୋକେ ସେଗୁଡ଼ା ବୁଝନ୍ତି ନାହିଁ’’ । ବିନୋଦ କହିଲା; ‘‘ସତେ ! ତୁ ଏମିତି ବିସ୍ତୀର୍ଣ୍ଣ ମନା ତେବେ କେବେଠାରୁ ହୋଇଗଲୁ ? କାରଣ....’’

 

ସତ୍ୟବାନ କହିଲ କାରଣ ଅତି ସହଜ । ମୁଁ ମଦ୍ୟପାନ କଲାବେଳେ ମତେ କହିଲ ମଦ୍ୟପ, ସେଥିରେ ଦ୍ୱିଧା ନାହିଁ । ପ୍ରେମ କଲାବେଳେ ନିର୍ଦ୍ୱନ୍ଦରେ କହିଲ ପ୍ରେମିକ ।’’ ବିନୋଦ କହିଲା ‘‘ପ୍ରେମିକ ନୁହେଁ କହ ବିଟପ ।’’ ସତ୍ୟବାନ କହିଲା ‘‘ହେଲା ଏବେ ମୁଁ ବିଟପ । ମାନେ ସେ ଶବ୍ଦଟା ଯେବେ ମୋ ପ୍ରତି ଯଥାର୍ଥ ତେବେ ମୁଁ ଉପାସନା କଲେ କାହିଁକି ଉପାସକ ନ ହୋଇ ଭଣ୍ଡ ହେବି, ମତେ ବୁଝାଇ ପାରିବୁ ? କହିପାରିବୁ କେଉଁଠି କିଏ ମନା କରିଛି ବା ବର୍ତ୍ତମାନ ମନା କରୁଛି ଯେ ଜଣେ ବିଟପ ଉପାସକ ହୋଇ ନପାରେ ବା ଉପାସନାରେ ତାର ଅଧିକାର ନାହିଁ । ଜୀବନରେ ମଣିଷକୁ ବହୁ କ୍ଷେତ୍ରରେ ଅଭିନୟ କରିବାକୁ ହୋଇଥାଏ ଏବଂ ପ୍ରତିଟି କ୍ଷେତ୍ରରେ ତାର ଜୀବନ ଭିନ୍ନ । ଗୋଟିଏ ମୁହୂର୍ତ୍ତ ଅପର ମୁହୂର୍ତ୍ତଠାରୁ ଭିନ୍ନ । ଜୀବନର ମାନଦଣ୍ଡ କଣ କହିପାରିବ କମ୍ରେଡ଼-?’’

 

‘‘ଉପାସକ ଥିଲାବେଳେ ମୁଁ ହୁଏତ ଶଠ ନଥିବି । ତୁମେ ତୁମର ସଂକୀର୍ଣ୍ଣତାକୁ ପରିତ୍ୟାଗ କରି କମ୍ରେଡ଼ । ନିଜକୁ ସଂସ୍କାର କରି ନିଅ ।’’ ବିନୋଦ ନିରବ ହୋଇଗଲା । ଗୋଟିଏ ଗଭୀର ନିସ୍ତବ୍‌ଧତା ମଧ୍ୟରେ ବିନୋଦ ସହିତ ସମସ୍ତେ ବୁଡ଼ିଗଲେ ଯେମିତି । ପରିସ୍ଥିତିକୁ ହାଲୁକା କରିବାକୁ କହିଲା ସତ୍ୟବାନ ‘‘ପୃଥିବୀରେ କୌଣସି ଦୁଇଟି ଲୋକର ଚିନ୍ତା ଏକ ନୁହେଁ ବିନୋଦ ।’’

 

ଦିନେ ସତ୍ୟବାନର ଚେମ୍ବର ଭିତରକୁ ଦଳେ ଲୋକ ପଶି ଆସିଲେ । ଜୁନିଅରମାନେ ଆସି ନଥାନ୍ତି । ମହକିଲମାନେ ବି ଆସି ନଥାନ୍ତି । ଦଳେ ଲୋକଙ୍କୁ ଦେଖି କୌଣସି ଫୌଜଦାରୀ ମାମଲା ବୋଲି ସେ ଧରି ନେଇଥିଲା । କିନ୍ତୁ ତାକୁ ନମସ୍କାର କରି ସେମାନେ ଗୋଟିଏ ନିମନ୍ତ୍ରଣ ପତ୍ର ତାକୁ ଧରାଇ ଦେଇଥିଲେ । ସେ ଥିଲା ଏକ ଧର୍ମ ସଭା । ବିଶିଷ୍ଟ ବ୍ୟକ୍ତିମାନେ ସେଥିରେ ଯୋଗଦାନ କରିବେ । ଗୋଟିଏ ଦିନର ମୁଖ୍ୟ ବକ୍ତା ହିସାବରେ ସତ୍ୟବାନକୁ ସେମାନେ ନିମନ୍ତ୍ରଣ ଦେଇଛନ୍ତି । ସତ୍ୟବାନ ଆଶ୍ଚର୍ଯ୍ୟ ହୋଇ କହିଲା ‘‘ଆପଣମାନଙ୍କର ସମ୍ଭବତଃ ଭୁଲ ହୋଇ ଯାଇଛି-। ମୁଁ ଧର୍ମ ବିଷୟରେ କିଛି ଜାଣେ ନାହିଁ । ତୁମର ଏ ଧର୍ମ ସଭାରେ ମୁଁ ବା କଣ ଭାଷଣ ଦେବି ।’’ ସେମାନଙ୍କ ପ୍ରତିନିଧି ହାତଯୋଡ଼ି ଠିଆହେଲେ । ସେ କହିଲେ ‘‘ଆପଣଙ୍କ କଥା ଆମେ କଣ ଶୁଣିନୁ ଆଜ୍ଞା । ଶୁଣିଛୁ, ଜାଣିଛୁ ମଧ୍ୟ । ଆପଣ ନାହିଁ କଲେ ହେବ ନାହିଁ । ଆପଣଙ୍କ ପରି ବିଜ୍ଞ ଲୋକଙ୍କ ମୁହଁରୁ ଏମିତି କଥା ଶୁଣିବାକୁ ମିଳିଲା । ଆପଣ ଏ ଦେଶର ଗୋଟାଏ ଜ୍ୱଳନ୍ତ ତାରକା । ଆପଣଙ୍କୁ ଯିବାକୁ ହେବ । ଆମେମାନେ ଆପଣଙ୍କଠାରୁ ଦିପଦ ଶୁଣିଲେ ଧନ୍ୟହେବୁ ।’’ ସେମାନେ ସତ୍ୟବାନକୁ ରାଜି କରି ଦେଇ ଚାଲିଗଲେ ।

 

ସତ୍ୟବାନ ନ ହସି ରହି ପାରିଲା ନାହିଁ । ଧର୍ମ ବିଷୟରେ ତାର ଜ୍ଞାନ ନାହିଁ । ଏ ଗୋଟେଏ ଅଯଥା ବିଚାର । ସେ ଗୀତା ବା ପୁରାଣ କୌଣସି ବହିରୁ କିଛି ଉଦ୍ଧାର କରି ପାରିବ ନାହିଁ ଯଦିଓ ଗୀତା ଭାଗବତ ସବୁ ସେ ସୁନ୍ଦରଭାବରେ ପାଠ କରି ସାରିଛି । ଧର୍ମପରାୟଣ ବ୍ୟକ୍ତିମାନେ ହୁଏତ ତାଠୁ ଦି ପଦ ଧର୍ମକଥା ଶୁଣିବାକୁ ଇଛା କରି ଆସିଥିବେ । ତେବେ ସେ ଗୋଟାଏ ଭିନ୍ନ ଧରଣର ବକ୍ତୃତା ଦେବାକୁ ପ୍ରସ୍ତୁତ ହେଲା ।

 

ସେହି ଧର୍ମ ଓ ସଂସ୍କୃତିର ମହାସଭାର ଦ୍ୱିତୀୟଦିନ ମୁଖ୍ୟ ବକ୍ତା ଭାବରେ ସତ୍ୟବାନର ନାମ ଖବରକାଗଜରେ ବାହାରିଗଲା । ବିନୋଦ ଏଥିରେ ନ ହସି ରହିପାରିଲା ନାହିଁ । ନନ୍ଦିତାକୁ ସେ କହିଲା । ‘‘କମ୍ରେଡ଼ ସତ୍ୟବାନର କି ଅସମ୍ଭବ ଧୃଷ୍ଟତା ଦେଖିଲ ନନ୍ଦିତା । ସେ ପୁଣି ଧର୍ମ ସଭାରେ ମୁଖ୍ୟ ବକ୍ତା ହେବାକୁ ବସିଛି । ସେ ପ୍ରତିଶ୍ରୁତି ଦେଲା କେମିତି–ତାକୁ ଡାକୁଥିଲା କିଏ ବା କେମିତି ? ଭଣ୍ଡଟା ଏବେ କଣ ମନ୍ଦିର ଫନ୍ଦିର ଯାଉଛି ବୋଲି ସମସ୍ତେ କହୁଛନ୍ତି । ତା ବୋଲି ଏତେ ଗୁଡ଼ାଏ ଧର୍ମପରାୟଣ ବିଜ୍ଞ ଲୋକଙ୍କ ଭିତରେ ସେ କଣ କହିବ ଧର୍ମ ବିଷୟରେ ।’’ ନନ୍ଦିତାକୁ ବିନୋଦ କହିଥିଲା ସେ ବକ୍ତୃତା ସେମାନେ ପ୍ରକୃତରେ ଶୁଣିବାକୁ ଯିବେ ।

 

ନନ୍ଦିତାକୁ ନେଇ ବିନୋଦ ସଭା ମଣ୍ଡପରେ ପହଞ୍ଚିଲା ଓ ପ୍ରଥମ ଧାଡ଼ିରେ ବସିଲା । ବହୁ ବିଜ୍ଞ ଲୋକ ଥିଲେ । ଅନେକ ଧର୍ମପରାୟଣ ବ୍ୟକ୍ତି ପ୍ରକୃତରେ ସଭା ମଣ୍ଡନ କରିଥିଲେ । ସେମାନଙ୍କୁ ଦେଖି ସତ୍ୟବାନ ଛାତି ଦବିଗଲା । ତଥାପି ସେ ଠିଆ ହେଲା ମଞ୍ଚ ଉପରେ ନନ୍ଦିତା ଓ ବିନୋଦଙ୍କ ଉପରେ ତାର ନଜର ପଡ଼ିଛି ।

 

ସତ୍ୟବାନ ବକ୍ତୃତା ଆରମ୍ଭ କଲା ‘‘ଭାଇମାନେ, ମୋ ପରି ଗୋଟାଏ ଅଧର୍ମୀ ବ୍ୟକ୍ତିକୁ ଏପରି ଏକ ସୁଧୀ ସମାଜରେ, ବିଶେଷ କରି ଏକ ଧର୍ମ ସଭାକୁ ଡାକିବା ଆଦୌ ଠିକ୍‌ ହୋଇନାହିଁ-। ତଥାପି ମୁଁ ମୋ ନିଜ କଥା କହିବି ବୋଲି ନିମନ୍ତ୍ରଣ ରକ୍ଷା କରି ଆସିଛି । ଧର୍ମ କଣ ମୁଁ ଜାଣେ ନାହିଁ । ଆପଣମାନେ କୁହନ୍ତୁ ଆପଣଙ୍କ ଘର ପାଖରେ ଜଣେ ବ୍ୟକ୍ତି ନିରାହାରରେ ମରୁଥିବ । ଆଉ ଆପଣ ପୂଜା କରିବେ ବୋଲି ସୁନ୍ଦର ଭୋଗରାଗ ସଜାଡ଼ି ଯାଉଥିବେ ମନ୍ଦିରକୁ । କୁହନ୍ତୁ ଆପଣ, କାହାର ପୂଜା କରିବା ଆପଣଙ୍କର ଆବଶ୍ୟକ । ଜୀବନ୍ତର ନା ଜଡର ।’’ ଘନଘନ ତାଳିରେ କମ୍ପି ଉଠିଲା ସଭାସ୍ଥଳ । ସତ୍ୟବାନ କହିଲା, ‘‘ଦେଖନ୍ତୁ ଭାଇମାନେ ପୁରାତନ କାଳରୁ ଧର୍ମ ସହିତ କର୍ମକୁ ଏକାକାର କରି ଦେଖିଛନ୍ତି । ଆପଣଙ୍କର ଜ୍ଞାନଭଣ୍ତାର ଗୀତାରେ କର୍ମ କରିବାକୁ ଲୋକଙ୍କୁ ଅନେକ ଉପଦେଶ ଦିଆଯାଇଛି ଓ କର୍ମର ମହତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ତଥାପି ଗୁଡ଼ାଏ ଲୋକ ଅଦ୍ୟାପି ଲଣ୍ଡିତ ହୋଇ ସନ୍ୟାସ ଗ୍ରହଣ କର୍ମ ତ୍ୟାଗ କରି ଭିକ୍ଷାବୃତ୍ତି କରୁଛନ୍ତି । କୁହନ୍ତୁ ଭାଇମାନେ, ସନ୍ୟାସ ଗ୍ରହଣ କରୁଥିବା ଲୋକଙ୍କ ପାଇଁ କର୍ମ ନ କରିବାର ମନୋବୃତ୍ତି ଦେଇଛି କିଏ ? ବିଶାଳ ବୌଦ୍ଧ ଧର୍ମ ମଧ୍ୟ ଏମିତି ଏକ ନିଷ୍କ୍ରିୟ କର୍ମବାଦ ଉପରେ ଠିଆ ହୋଇଛି । ସକ୍ଷମ ବ୍ୟକ୍ତି ସନ୍ୟାସ ନାଁରେ କର୍ମହୀନ ହୋଇ ଅନ୍ୟ ଉପରେ ନିର୍ଭର କରିବା କେତେଦୂର ଯୁକ୍ତି ସଙ୍ଗତ । ଅବଶ୍ୟ ଗୀତାରେ ଜ୍ଞାନୀମାନଙ୍କୁ କର୍ମ ନ କରିବାର ରିହାତି ଅଛି ପୁଣି ତାଙ୍କ ସଂଖ୍ୟା ଶତକଡ଼ା ପାଞ୍ଚ ବୋଲି କୁହାଯାଇଛି । କୁହନ୍ତୁ କର୍ମ ନା ନିଷ୍କର୍ମ କେଉଁଟା ଶ୍ରେୟ । ଧର୍ମ କରିବା ଅର୍ଥ ନିଷ୍କ୍ରିୟ ହେବା କି ?’’ ପୁଣି ତାଳି ଉପରେ ତାଳି ବାଜିଲା ।

 

ସତ୍ୟବାନ କହିଲା ‘‘ମୁଁ ନାସ୍ତିକଟା ଆଉ ଗୋଟାଏ କଥା କହି ଆପଣମାନଙ୍କୁ ବିରକ୍ତ କରିବି । ଏପରି ପାପ ନାହିଁ ଯାହା ମାନବ କରେ ନାହିଁ ବା କରି ନାହିଁ । ତେବେ ମୁଁ ବିଚାର କରେ ଏଇ ପାପ ପୁଣ୍ୟର ଚିନ୍ତାଧାରା ହିଁ ସମାଜର ବିଶିଷ୍ଟ କଳଙ୍କ । ମୋ ବିଚାରରେ ପାପ ବୋଲି କିଛି ନାହିଁ । କିଛି ଅନୁଚିତ କାମ କଲେ ଦୋଷ ହୁଏ । ତାକୁ ପାପ ନାମରେ ଅଭିହିତ କରାଯାଇଛି । ଗୋଟାଏ ହାସ୍ୟାସ୍ପଦ ଉପାୟରେ କେମିତି ପାପ ପ୍ରକ୍ଷାଳନ କରାଯିବାର ବ୍ୟବସ୍ଥା ଅଛି ଦେଖନ୍ତୁ । ପାପ କରିଥିବା ଲୋକ ପ୍ରାୟଶ୍ଚିତ କରି ଗଙ୍ଗା ସ୍ନାନ କରିଦେଲେ ପାପ ଛାଡ଼ିଯାଏ । ତେବେ ଏ ଦେଶର ଯେ କୌଣସି ଅସ୍ପୃଶ୍ୟ ବ୍ୟକ୍ତି ଗଙ୍ଗାସ୍ନାନ କରି ଦେଇ ପବିତ୍ର ହେଇ ପାରିଥାନ୍ତା । ବିଚରା ମହାତ୍ମାଙ୍କୁ ଆଉ ଆନ୍ଦୋଳନ କରିବାକୁ ପଡ଼ି ନ ଥାନ୍ତା । ଦେଖନ୍ତୁ ଭାଇମାନେ, ଯେତେବେଳେ ଯେଉଁଟା ସୁବିଧା ଅତୀତରେ ସେଇଟାକୁ ହିଁ ବିଚାରକୁ ନିଆଯାଇଛି ।’’ ପୁଣି ବାଜିଲା ତାଳି ।

 

‘‘ପୁଣି ଗୋଟାଏ ଉଦାହରଣ ଦେବି । କାଶ୍ମୀର ଭ୍ରମଣରେ ଯାଇଥିଲି । ରହିଲି ଗୋଟିଏ ବୋଟ୍‍ ହାଉସରେ । ମୋ ପାଖ ରୁମ୍‌ରେ ଗୋଟିଏ ନବ ଦମ୍ପତ୍ତି ରହୁଥାନ୍ତି । ସେମାନେ ଥିଲେ ନୈଷ୍ଠିକ ପରିବାରର ଓ ବ୍ୟବସାୟୀ ସମ୍ପ୍ରଦାୟର ଲୋକ । ଅର୍ଥର ପ୍ରାଚୁର୍ଯ୍ୟ ଅଛି । ବୋଟ୍‌ ହାଉସର ପରିଚାଳନ ଥିଲେ ମୁସଲମାନ । ପ୍ରଥମରେ ଶ୍ରୀମତୀଙ୍କ ଆଡ଼ୁ ଆପତ୍ତି ଆସିଲା ସେ ମୁସଲମାନ ରନ୍ଧା ଖାଇବେ ନାହିଁ । ତାଙ୍କୁ ରାଜପୁତ ବା ବ୍ରାହ୍ମଣ ହୋଟେଲରେ ରହିବାକୁ ହୋଇଥାନ୍ତା । ଘରୁ ଆସିଲା ବେଳେ ଶାଶୁ ତାଙ୍କୁ ବାରମ୍ବାର ଏଇ ଉପଦେଶ ଦେଇଥିଲେ । ଯୁବକ ସ୍ୱାମୀ ତାକୁ ହସି ହସି ସମାଧାନ କରିଦେଲେ । ସେ କହିଲେ ଏଇଟାକୁ ଏବେ ତମର ବ୍ରାହ୍ମଣ ହୋଟେଲ ମନେକର-। ମା’ଙ୍କୁ ସେପରି କହିଲେ କଣ ହେବ ନାହିଁ । ବିଶେଷତଃ ସେତେବେଳେ ଥିଲା ଟୁରିଷ୍ଟ ସିଜିନ୍‌ । ସବୁ ହୋଟେଲରେ ଲୋକ ଭିଡ଼ । ଆଉ ଜାଗା ବା ମିଳିବ କେଉଁଠୁ । ଯୁବକଟି ବିବାହ ପୂର୍ବରୁ ରିଜର୍ଭ କରାଇଥିଲେ । ତାପରେ ଆସିଲା ଖାଦ୍ୟପେୟ କଥା । ନିରାମିଷ ଭୋଜନ ସେ ସମାଜର ଗୋଟାଏ ଅଭ୍ୟାସ । କିନ୍ତୁ ଯୁବକ ସ୍ୱାମୀ ଅଣ୍ଡା ଓ କୁକୁଡ଼ାର ସ୍ୱାଦ ପାଇଲା ଦିନୁ ଛାଡ଼ି ପାରି ନଥିଲେ-। ଆପଣମାନେ ଜାଣନ୍ତି ମହାତ୍ମାଙ୍କ ଜୀବନରେ ଏପରି ଏକ ଅନୁଭୂତି ଥିଲା । ଯୁବକ ସ୍ୱାମୀ ଅଣ୍ଡା ଆମଲେଟ ଖାଇଲାବେଳେ ଶ୍ରଦ୍ଧାରେ ବାଧ୍ୟ କରି ସାମାନ୍ୟ ଖୁଆଇ ଦେଲେ । କ୍ରମେ ମାତ୍ର ଆଠଟା ଦିନରେ ପୂରାପୂରି ଆମିଷ ଭୋଜନ ନ ହେଲେ ଆଉ ଚଳିଲା ନାହିଁ । ତାପରେ ଯିବା ଦିନ ଯେମିତି ପାଖେଇ ଆସିଲା ଶ୍ରୀମତୀଙ୍କର ବ୍ୟସ୍ତ ଭାବ ଦେଖାଗଲା । ପାପର ସମୀକ୍ଷା କରି ସେ ବିଷଣ୍ଣ ହୋଇ ପଡ଼ି ସ୍ୱାମୀଙ୍କର ଅବିବେକିତାକୁ କଠୋର ଆକ୍ଷେପ କଲେ । ତାପରେ ହୋଟେଲ ମାଲିକ ତାଙ୍କୁ ଯାହା ବୁଝେଇଥିଲା ମୋ ଜୀବନରେ ତାହା ଥିଲା ଅତ୍ୟନ୍ତ ଶିକ୍ଷଣୀୟ । ସେ କହିଥିଲା ତାର ହିନ୍ଦୀ ଭାଷାରେ ‘‘ମା, ପାପ ଓ ପୁଣ୍ୟ ଦୁଇଟା ଭିନ୍ନ କଳ୍ପନା । ପାପକୁ ଉଠାଇ ଦେଲେ ତା ଜାଗାରେ କଣ ପୁଣ୍ୟ ଭରିଯାଏ ?’’ ତା ଛଡ଼ା ତୁମେ ଯେତେ ଅନ୍ୟାନ୍ୟ ପାପ କର କଣ ବାହାରେ ଛାଡ଼ି ଦେଇ ତୁମେ ମନ୍ଦିରକୁ ଯାଇଥାଅ । ସ୍ନାନ କରିଦେଲେ ତୁମେ ଯଦି ଶୌଚ ହୋଇପଡ଼, ତେବେ ସ୍ନାନ କରିଦେଲେ ଏ ପାପ ତୁମଠୁ ଧୋଇ ହୋଇଯିବ ନାହିଁ କାହିଁକି ? ପାପ ମଣିଷ ଯୋଉଠି କରେ ସେ ପାପକୁ ସେଇଠି ସେ ଛାଡ଼ିଯାଏ । ପାପ ତା ସହିତ ଚାଲିଯାଏ ନାହିଁ । ସେ ହୁଏତ ପାପ ପାଇଁ ଦଣ୍ଡ ଭୋଗିପାରେ । କିନ୍ତୁ ପାପ ତା ସହିତ ଲାଖି ରହେ ନାହିଁ । ମଳ ମୂତ୍ର ତ୍ୟାଗ କଲାପରି ପାପକୁ ତ୍ୟାଗ କରି ହୁଏ । ନଚେତ୍‌ ଆମିଷ ଭକ୍ଷଣ କରିଥିବା ଲୋକ ଚିରକାଳ ଅପବିତ୍ର ହୋଇ ଅସ୍ପୃଶ୍ୟ ହୋଇ ରହି ଯାଉଥାନ୍ତେ । ସ୍ରୋତ୍ରିୟ ବ୍ରାହ୍ମଣମାନେ ମୋର ଏଇଠି ଅତିଥି ହୁଅନ୍ତି । ତାଙ୍କର ଏ ବୁଝାମଣା ନାହିଁ । କିନ୍ତୁ ତୁମପରି ନବ ବିବାହିତାମାନେ ଯେତେ ଆସନ୍ତି ତାଙ୍କର ଅଜସ୍ର ଆପତ୍ତି ଥାଏ । ଏ ସବୁ ଅପରିପକ୍ୱ ମନର ଚିନ୍ତା । ଆପଣ ଗଙ୍ଗା ସ୍ନାନ କରି ପବିତ୍ର ହୁଅନ୍ତି । ମୋ ପରି ମୁସଲମାନଟାଏ ଗଙ୍ଗା ସ୍ନାନ କଲେ ଆପଣ ତାକୁ ପବିତ୍ର ବୋଲି ଗ୍ରହଣ କରିବେ ତ ? ଆପଣମାନଙ୍କର ଦୁର୍ବଳ ଚିନ୍ତାର ରୂପ ଦେଖିଲେ ?’’

 

ତା କଥାର ମର୍ମ ବୁଝି ମୁଁ ପ୍ରକୃତରେ ଚମତ୍କୃତ ହୋଇଥିଲି । ଦୁର୍ବଳ ଲୋକେ ପାପ ଚିନ୍ତାରେ ଅସ୍ଥିର ହୁଅନ୍ତି । ଆପଣମାନେ ମତେ ଏସବୁ ଅଶାସ୍ତ୍ରୀୟ ଚିନ୍ତା ପାଇଁ ଗାଳି ଦେଇ ପାରନ୍ତି-। କିନ୍ତୁ ମନେ ରଖନ୍ତୁ ଶାସ୍ତ୍ର ଯେତେବେଳେ ଲେଖା ହୋଇଥିଲା ସେତେବେଳେ ଲୋକସଂଖ୍ୟା ଥିଲା ଅତି ଅଳ୍ପ । ତେଣୁ ଶାସ୍ତ୍ର ତାଙ୍କୁ ଶାସନ କରିବାକୁ ସୃଷ୍ଟି ହୋଇଥିଲା । ଆଜିର ବିରାଟ ସମାଜରେ ତାର ଆଉ ଉପଯୋଗ ନ ହେବା ଭଲ । ଶାସ୍ତ୍ରମତେ ଆମେ ଚାଲିପାରୁ ନାହିଁ ବା ଶାସ୍ତ୍ର ଆମକୁ ଅନ୍ୟ ଦିଗକୁ ନେଇ ପାରୁନାହିଁ । ମଣିଷ କର୍ମ ଅକର୍ମ ଦୁଇଟାକୁ ଚିହ୍ନି ପାରିଲେ ଆଜିର ଜୀବନର ସମସ୍ତ ଆବଶ୍ୟକୀୟତା ସେ ଲାଭ କରି ପାରିବ ।’’ ପୁଣି ବାଜିଲା ତାଳି ।

 

ନିନୋଦର ପ୍ରରୋଚନାରେ ଶ୍ରୋତା ଜଣେ ଉଠି ନିବେଦନ କଲେ ‘‘ବକ୍ତା ମହାଶୟ କିଛି ଧର୍ମ କଥା କହନ୍ତୁ । ଜୀବର ଅନୁଭୂତି ତ ଶୁଣିଲୁ ।’’ ସତ୍ୟବାନ କହିଲା ‘‘ମୋ ମତରେ ଧର୍ମ କହିଲେ ମାନବିକତାକୁ ହିଁ ବୁଝାଏ ?’’ ଲୋକେ ତାଳି ଦେଲେ । ସତ୍ୟବାନ କହିଲା ‘‘ଆପଣମାନେ ଯଦି ବେଦ ବେଦାନ୍ତ, ଉପନିଷେଦ, ପୁରାଣ ଇତ୍ୟାଦିର ଚର୍ଚ୍ଚା ଚାହାନ୍ତି ତେବେ ମୁଁ ନାଚାର । ତଥାପି ମୋର ସାମାନ୍ୟ ଜ୍ଞାନରେ ଯାହା ଅଛି କିଛି କହିବି ।’’ ସେ କହିଲା ଜୀବାତ୍ମା ଓ ପରମାତ୍ମାଙ୍କ ସମ୍ପର୍କ ବିଷୟରେ । ଦ୍ୱୈତବାଦୀଙ୍କ ମତରେ ଜୀବ ପରମ ଦୁଇ ମଣିଷ ଭିତରେ ବିବେକ ଓ ମନର ସମ୍ପର୍କକୁ ନେଇ ସେ ସାଂଖ୍ୟମତର ବିଚାର କଲା ଓ ଅନେକ ପ୍ରକାର ଆଲୋଚନା କଲା । ନନ୍ଦବାବୁଙ୍କ ନିକଟରେ ଅନେକ ତାତ୍ତ୍ୱିକ ଆଲୋଚନା ହୋଇଥିଲା । ଇଛା କରିଥିଲେ ସତ୍ୟବାନ ସେ ସମସ୍ତର ଆହୁରି ସୁନ୍ଦର ଆଲୋଚନା କରିପାରି ଥାନ୍ତା । କିନ୍ତୁ ସେ ସେଇ ପ୍ରାଚୀନ ତତ୍ତ୍ୱର ଉଦ୍ଧୃତି କରିବାକୁ ଚାହେଁ ନାହିଁ । ସେଇଥିପାଇଁ ସେ ନିଜ ଅନୁଭୂତିରୁ ଆହରିତ ଜ୍ଞାନ ଉପରେ ଆଲୋଚନା କରିଥିଲା ।

 

ସଭାରେ ସତ୍ୟବାନର ଗଭୀର ଜ୍ଞାନର ଉଚ୍ଚ ପ୍ରଶଂସା କରାଗଲା । ବିନୋଦ ଭାବିଥିଲା ଧର୍ମ ଜ୍ଞାନ ଆଲୋଚନା କରିବାକୁ ପଡ଼ିଲେ ହୁଏତ ସତ୍ୟବାନ ଧରାପଡ଼ିଯାଇଥାନ୍ତା । କିନ୍ତୁ ସେ ଆଶା ତାର ବିଫଳ ହେଲା ।

 

ଅନ୍ୟାନ୍ୟ ଧର୍ମ ସମାଜକୁ ଏହାପରେ ସତ୍ୟବାନର ବକ୍ତା ହିସାବରେ ଆସିଲା ଡାକରା । କ୍ଳବ ସମୟ ତାର ନଷ୍ଟ ହୋଇ ଯାଉଥିଲା । ଏଣେ କମ୍ରେଡ଼ଙ୍କ ମିଟିଙ୍ଗ । ‘ତୋଫାନ’ ଫଉଜ ବୀରଦର୍ପରେ ଆଗେଇଛନ୍ତି । ଧୋବା ସାଇରେ ପୋଖରୀ ଖୋଳା ପ୍ରାୟ ଶେଷ ହେବାକୁ ଯାଉଛି । ଇଟାକାମ ହୋଇ ସାରିଲାଣି । ଧୋବାମାନେ ସେମାନଙ୍କ ପ୍ଳାନରେ ଘରକରି ସୁଖରେ ରହିବାକୁ ରାଜି ହୋଇ ସାରିଲେଣି । କମ୍ରେଡ଼ମାନେ କହୁଛନ୍ତି ଆଗରେ ଇଲେକ୍‌ସନ ଆସୁଛି । ସେଥିରେ ଠିଆ ହେଲେ ହୁଏତ ଏସବୁ କାମ ପାଇଁ ସୁବିଧା ହୋଇ ପାରିବ । କିନ୍ତୁ ସତ୍ୟବାନ ଅପେକ୍ଷା ମାଧୁରୀ କଥାରେ ଲୋକଙ୍କର ପ୍ରତ୍ୟୟ ଆସୁଥିଲା । ସତ୍ୟବାନ କହିଲା ‘‘ମାଧୁରୀ, ମୋର ଶରୀର ଅସୁସ୍ଥ । ଯେତେଦିନ ବଞ୍ଚିବି । ଟିକେ ଭଲରେ ବଞ୍ଚିଯାଏ । ତୁମେ ସେ ଇଲେକ୍‌ସନରେ ଠିଆ ହୁଅ-।’’ ପାର୍ଟିକାମ, କଚିରୀ କାମ, ଏଠି ସଭା, ସେଠି ଡାକରାରେ ସତ୍ୟବାନ ବିରକ୍ତ ହୋଇ ପଡ଼ିଥିଲା । କ୍ଳବକୁ ଯିବା ନିହାତି ବନ୍ଦ ହେଲାଣି କହିଲେ ଚଳେ । ରୂପାତ ମନ୍ଦିର ନ ଗଲେ ନ ଛାଡ଼େ । ସତ୍ୟବାନ ଅତିଷ୍ଠ ହୋଇ ଟିକେଟ କାଟିଲା ବାହାରକୁ । ନିହାତି ଅଣନିଶ୍ୱାସୀ ଲାଗିଲାଣି ତାକୁ । ପୁଣି ସେଇ ପରିଚିତ ସହରକୁ ଯାଇଥିଲା ସତ୍ୟବାନ । ସେଇ ପାହାଡ଼ିଆ ସହରଟି ଯେଉଁଠି ମଂଜୁଶ୍ରୀ ସହିତ କେତେଟି ଦିନ ସେ କଟାଇ ଥିଲା । ମଞ୍ଜୁଶ୍ରୀ ଏବେ ସମ୍ପୂର୍ଣ୍ଣ ନିରବ । ସତ୍ୟବାନ ଅନ୍ୟ ଏକ ହୋଟେଲରେ ରହିଲା । ଏଇ ପାହାଡ଼ିଆ ସହରଟିର ପାର୍ବତ୍ୟ ଅଞ୍ଚଳରେ ଏକ ରମଣୀୟ ଉପତ୍ୟକା ଅଛି । ବେଶ୍‌ ନିଛାଟିଆ ସ୍ଥାନଟିଏ । ଅବଶ୍ୟ ବାନ୍ଧବୀ ମଞ୍ଜୁଶ୍ରୀ ପାଇଁ ତାକୁ ଖୁବ୍‌ ଭଲ ଲାଗିଥିଲା ସେ ସ୍ଥାନଟି । ନିରୁଦ୍ଦେଶ୍ୟ ସତ୍ୟବାନ । ମାଧୁରୀ ରୂପାକୁ ସାଙ୍ଗରେ ଆଣିଥିଲେ ହୁଏତ ହୋଇଥାନ୍ତା । ଅପରାହ୍ନର ମଳିନ ଛାୟାଲୋକ ଉପତ୍ୟକାଟିକୁ ଆହୁରି ରମଣୀୟ କରିଥିଲା । ସତ୍ୟବାନ ଏକାକୀ ବସିଲା ଗୋଟିଏ ପୁଷ୍ପିତ କିଂଶୁକ ବୃକ୍ଷମୂଳେ । ପାଦତଳେ ବହୁଥିଲା ସ୍ୱଚ୍ଛ ଝରଣାର ଧାର । କେତେ ଅଚିନ୍ତା ଚିନ୍ତାର ଥିଲା ଅତୀତର ସମୀକ୍ଷା । ସତ୍ୟବାନ ନିରବର ବସି ଝରଣାକୁ ଗୋଡ଼ି ପକାଉଥିଲା । ସନ୍ଧ୍ୟା ନଇଁ ଆସିଲା । ଉପତ୍ୟକାର ଗେଟ୍‌ ସନ୍ଧ୍ୟା ପୂର୍ବରୁ ବନ୍ଦ ହୁଏ । କିନ୍ତୁ ସତ୍ୟବାନ ଅନ୍ୟମନସ୍କ ଭାବରେ ବସିଥିଲା । ପାହାଡ଼ ଉପରକୁ ଯାଇଥିବା ଭ୍ରମଣକାରୀମାନେ ଓହ୍ଳାଇ ଆସୁଥିଲେ । କେହି କେହି ଝରଣାରୁ ଜଳପାନ କରି ତୃଷାମେଣ୍ଟାଇ ଫେରୁଥିଲେ । ହଠାତ୍‌ ସତ୍ୟବାନ ଲକ୍ଷ୍ୟ କଲା କମ୍ରେଡ଼ ବିନୋଦ ଓ ନନ୍ଦିତା ପାହାଚରୁ ଓହ୍ଳାଇ ଆସିଲେ । ମନ ଭିତରେ ଆଦିମ ସରୀସୃପଟା ଛଟପଟ ହୋଇ ଉଠିଲା । ନନ୍ଦିତା ବୋଧେ କୋର୍ଟସିପ୍‌ରେ ଆସିଛି । ସତ୍ୟବାନକୁ ସେଠି ସେପରି ବସିଥିବାର ଦେଖି ନନ୍ଦିତା ପ୍ରକୃତରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା । ବିନୋଦର ଘୃଣା ଓ ବିରକ୍ତି ତା ମୁହଁରେ ସ୍ପଷ୍ଟ ହୋଇ ପଡ଼ୁଥିଲା । ସତ୍ୟବାନ ସେତେବେଳେ ପର୍ବତର ସବୁଜ ସାନୁଦେଶରେ ସୂର୍ଯ୍ୟାସ୍ତ ଆଡ଼େ ଜାଣିଶୁଣି ଚାହିଁଥିଲା । ପକ୍ଷୀଙ୍କର କାକଳିରେ ବନଭୂମି ମୁଖରିତ ହେଉଥିଲା । ସତ୍ୟବାନ ନିକଟକୁ ଆସି ନନ୍ଦିତା କହିଲା ‘‘ନମସ୍କାର, ଆରେ ତମେ ଏଠି ଏକାକୀ ଏମିତି ବସିଛ ? କଣ ହୋଇଛି ?’’ ସତ୍ୟବାନ କହିଲା ‘‘ନାଁ, ଏମିତି ବୁଲି ଆସିଛି । ଏଠି କଚିରୀରେ କାମ ଥିଲା ।’’ ବିନୋଦ ହୁଏତ କଥାଟାକୁ ମନେ ମନେ ନାପସନ୍ଦ କରୁଥିଲା । ସେ କହିଲା ‘‘ବଡ଼ ଓକିଲ, ସବୁଆଡ଼େ କାମ ।’’ ନନ୍ଦିତାର ବିପର୍ଯ୍ୟସ୍ତ ବସନରୁ ବୁଝି ହେଉଥିଲା ସେମାନେ ଇତି ପୂର୍ବରୁ ପାହାଡର ଗୁମ୍ଫା ଗୃହ ଆଡ଼େ ଯାଇଥିବେ । ଏହି ଗୁମ୍ଫା ଗୃହ ବିଷୟରେ ଗାଇଡ଼ ଦିନେ ସତ୍ୟବାନକୁ ସନ୍ଧାନ ଦେଇଥିଲା । ମଞ୍ଜୁଶ୍ରୀ ସହିତ ସେ ତାର ସ୍ୱାଦୁ ଉପଭୋଗ କରିଛି ।

 

ବିନୋଦ ସହିତ ନନ୍ଦି ତାକୁ ଦେଖୁ ଦେଖୁ ନନ୍ଦିତା ହଠାତ୍‌ ଦେବାକୁ ପ୍ରସ୍ତୁତ ନ ଥିଲା । କିନ୍ତୁ କୈଫିୟତ ନ ଦେବାଯାଏ ଯେମିତି ନାରୀର ମନ ସ୍ଥିର ହୁଏ ନାହିଁ । ନନ୍ଦିତା ଅଶ୍ୱସ୍ତି ଅନୁଭବ କରୁଥିବା କଥା ସତ୍ୟବାନ ବୁଝି ପାରିଥିଲା । ସତ୍ୟବାନର ଟ୍ୟାକ୍‌ସି ବାହାରେ ଥିଲା । ସେ ଶୀଘ୍ର ଶୀଘ୍ର ଓହ୍ଲେଇ ଆସି ଗାଡ଼ିରେ ବସିଲା । ନନ୍ଦିତା କହିଲା ‘‘ଆଜି ରହୁଛ ତ’ କୋଉଠି ରହିବ ।’’ ସେ କହିଲା ‘‘ଗୋଟାଏ ହୋଟେଲରେ ଉଠିଛି ।’’ ସେ ଚାଲିଗଲା । ନନ୍ଦିତାର ବିବାହ ଯୋଜନା ଫଳପ୍ରଦ ହେଉ ।

 

ସତ୍ୟବାନ ଆସି ହୋଟେଲର ଲନ୍‌ରେ ବସି ଚା ପିଉଥିଲା । ମନେ ମନେ ନନ୍ଦିତା କଥା ଭାବୁଥିଲା । ଭାବୁଥିଲା ମଞ୍ଜୁଶ୍ରୀ କଥା । କିନ୍ତୁ ନନ୍ଦିତାର ଟ୍ୟାକ୍‌ସି ଆସିଲା ସେଇଠିକୁ । ଆଶ୍ଚର୍ଯ୍ୟ । ବିନୋଦ ହୁଏତ ଭାବିପାରେ ସତ୍ୟବାନ ଇଛା କରି ତାଙ୍କ ପିଛା ଧରିଛି ବୋଲି । ଧୂର୍ତ୍ତ ଦଲାଲ ବିନୋଦ....

 

ନନ୍ଦିତା ଗାଡ଼ିରୁ ଓହ୍ଲେଇ ସିଧା ସଳଖ ଆସିଲା ସତ୍ୟବାନ ପାଖକୁ । ସେ କହିଲା ‘‘ଆରେ ଏଇଠିକୁ ଆସିଲ । ଆମକୁ କହିଲ ନାହିଁ ।’’ ବିନୋଦ ଓ ନନ୍ଦିତା ପାଖ ଚଉକିରେ ବସିଲେ-। ସତ୍ୟବାନ ତାଙ୍କ ପାଇଁ ଚା ମଗାଇ ଦେଲା । ଅନେକ ପ୍ରକାରର ଗପ ଆରମ୍ଭ ହେଲା । ନନ୍ଦିତା ନିଜକୁ ଟିକିଏ ମୁକ୍ତ କରିବାକୁ ଚେଷ୍ଟା କରୁଥାଏ । ସେମାନେ ଠିକ୍ ତାରି ରୁମ୍‌ର ପାଖ ରୁମ୍‌ରେ ରହିଛନ୍ତି ବୋଲି ସେ ବୁଝି ସାରିଲାଣି । ସାରା ଦିନର କ୍ଳାନ୍ତି ହେତୁ ବିନୋଦ ଟିକେ ସ୍ନାନ କରିବାକୁ ରୁମକୁ ବାହାରିଗଲା । ଦିନର ଆଲୋକ ଲିଭି ସାରିଥିଲା । ଲନ୍‌ରେ ଥିଲା ଅନୁଜ୍ୱଳ ଆଲୋକ । ସତ୍ୟବାନର ନିକଟକୁ ଘୁଞ୍ଚି ଯାଇ ନନ୍ଦିତା କହିଲା ‘‘ସତ୍ୟବାନ, ଆମେ କୋର୍ଟସିପ ଆରମ୍ଭ କରିଛୁ । ଏହା ପରେ ଆମର କାଶ୍ମୀର ପ୍ରୋଗ୍ରାମ ଅଛି । ସତ୍ୟବାନ କହିଲା ‘‘ବାଃ, ଚମତ୍କାର । ବଡ଼ ଉପଭୋଗ୍ୟ ସ୍ଥାନ ସେ ।’’ ହଠାତ୍‌ ନନ୍ଦିତା ଏ ଅତ୍ୟାଧୁନିକତା ଭିତରୁ ପୌରାଣିକ ଯୁଗକୁ ଠେଲି ହୋଇ ଗଲାପରି ଅଭିନୟ କଲା । ଫିସ୍‌ ଫିସ୍‌ କରି କହିଲା ‘‘ଦେଖ, ସତ୍ୟବାନ । ତୁମ ଆଖିର ଇଙ୍ଗିତରେ ମୁଁ ପୁଣି ମୋ ଭବିଷ୍ୟତ ନଷ୍ଟ କରିବାକୁ ଇଛା କରୁ ନାହିଁ । ତୁମେ ଏଠିକି କାହିଁକି ଆସିଛ ତା ମୁଁ ଜାଣେନି । କିନ୍ତୁ ତୁମର ଉଦାରତା ମୁଁ ଜାଣେ । ବିନୋଦର କୁଟିଳତା ତୁମକୁ ଅଜଣା ନାହିଁ । ତୁମ ବିଷୟରେ ବିନୋଦ ସବୁ ଜାଣେ । ଚାରିଆଡ଼େ ତୁମକୁ ନେଇ ମୋ ବିଷୟରେ ଆଲୋଚନା ଚାଲିଛି । ତୁମକୁ ପୁଣି ଏଠି ଦେଖି ବିନୋଦ ନିଶ୍ଚୟ କିଛି ଭାବି ସାରିବଣି । ମତେ ଭୀଷଣ ଖରାପ ଲାଗୁଛି ।’’ ନନ୍ଦିତାର ପୂର୍ବ ଗୌରବ ଓ ବକ୍ତବ୍ୟକୁ ମନେ ପକାଇଦେବାକୁ ସତ୍ୟବାନ କହିଲା ‘‘ନନ୍ଦିତା, ତୁମେ ରାୟ ସିଂହ ବଂଶର ଝିଅ । ତମର ସାଇକୋଲଜି ଭିନ୍ନ । ବିନୋଦ ନିଶ୍ଚୟ ତୁମରି ସ୍ତରର । ସେ ଅନ୍ତତଃ ତୁମ ପରି ବ୍ରଡ଼୍‌ ହୋଇଥିବ ।’’ ନନ୍ଦିତାର ପୂର୍ବର ସେ ଫାଙ୍କା କଥାର ନିଷ୍ପତ୍ତି ହୋଇଯାଇଥିଲା । ସତ୍ୟବାନର ହାତ ଧରି ସେ କହିଲା ‘‘ଦୁନିଆର ପ୍ରତ୍ୟେକ ନାରୀ ଓ ପ୍ରତ୍ୟେକ ପୁରୁଷ ସମାନ ସତ୍ୟବାନ । ସେମାନଙ୍କର ସାଇକୋଲଜି ବି ପ୍ରାୟ ସମାନ ଧରଣର ।’’ ସତ୍ୟବାନ କହିଲା ‘‘ତୁମେ ବ୍ୟସ୍ତ ହୁଅନା ମୁଁ ସବୁ ଠିକ୍‌ କରିଦେବି । ଆଜି ମୁଁ ବିନୋଦକୁ ଡିନର ଖାଇବାକୁ ଦେବି । ତୁମେ ମୋଠୁ ଯଥାଶୀଘ୍ର ମଞ୍ଜୁଶ୍ରୀ ଉପାଖ୍ୟାନଟି ଶୁଣ । ଶୁଣିଲେ ଦୁଃଖ ଲାଘବ ହେବ ।

 

ସଂକ୍ଷେପରେ ମଞ୍ଜୁଶ୍ରୀ ଉପାଖ୍ୟାନ କହିଲା ସତ୍ୟବାନ । ନନ୍ଦିତା ହସିଥିଲା ଏକ ଇଙ୍ଗୀତାତ୍ମକ ହସ ।

 

ଡିନର ଟେବୁଲରେ ବିନୋଦ ପ୍ରଚୁର ମଦ୍ୟପାନ କଲା । କିନ୍ତୁ ତାଠୁ ଅଧିକ ପାନ କଲା ସତ୍ୟବାନ । ନନ୍ଦିତା ସେମାନଙ୍କୁ ବାରଣ କରି ନିରାଶ ହେଲା । କେବଳ ବିନୋଦକୁ ଦେଖାଇବାକୁ ତାର ଅହମିକାରେ ପ୍ରହାର ଦେବାକୁ ବୟକୁ ଦୁଇ ଶହ ଟଙ୍କା ବକ୍‌ସିସ୍‌ ଦେଲା ସତ୍ୟବାନ । ବିନୋଦ କହିଲା ‘‘ମୁଁ ଏଇ ହୋଟେଲରେ ଏତେ ବକ୍‌ସିସ୍‌ ଦେଇ ନଥାନ୍ତି । ଗ୍ରାଣ୍ଡରେ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ମୁଁ ବକ୍‌ସିସ୍‌ ଦେଇଛି ।’’ ସତ୍ୟବାନ କହିଲା ‘‘ପ୍ୟରିସ୍‌ରେ ମୁଁ ହଜାର ଟଙ୍କା ବକ୍‌ସିସ୍‌ ଦେଉଥିଲି ।’’ ଦୁହେଁ ଉଚ୍ଚକଣ୍ଠରେ ଅଟ୍ଟାହାସ୍ୟ କରି ଉଠିଲେ । ନନ୍ଦିତା ନିରବରେ ବସିଥିଲା । ରାତି ଆଗେଇ ଯାଉଥିଲା ।

 

ନନ୍ଦିତା ସହ ମାତ୍ର ଦୁଇଟି ଦିନ କଟାଇ ସତ୍ୟବାନ ଫେରି ଆସିଲା ।

 

ଘରେ ପହଞ୍ଚି ସତ୍ୟବାନ ଦେଖିଲା ଆଚାର୍ଯ୍ୟେ ଆସି ତାରି ଅପେକ୍ଷାରେ ଅଛନ୍ତି । ରୂପାର ଶ୍ଳୋକ ଆବୃତ୍ତି ଚାଲିଛି । ଆଚାର୍ଯ୍ୟେ ତାକୁ ଶ୍ଳୋକ ଶିଖାଉଛନ୍ତି । ତାର ମଧୁର କଣ୍ଠରେ ଶ୍ଳୋକ ଆବୃତ୍ତି ବଡ଼ ସୁନ୍ଦର ଲାଗୁଛି । ସତ୍ୟବାନ ପହଞ୍ଚୁ ପହଞ୍ଚୁ ରୂପା କହିଲା । ‘‘ଡାଡ଼ି, ଏଥର ତୁମ ସହିତ ଗାଇବି । ଅଜା ଶିଖାଇ ଦେଇଛନ୍ତି ଯେ’’ ସତ୍ୟବାନ ପ୍ରମାଦ ଗଣିଲା । ପୁଣି ସେଇ ଯିଦ୍‌ । ଭୁଲି ନାହିଁ ସେ । ସତ୍ୟବାନ ବୁଝିପାରୁ ନ ଥିଲା । ଭାବିଲେ ବିସ୍ମୟ ଲାଗୁଥିଲା ତାକୁ । କିଏ ସେଇ ମହାତ୍ମା ତା ପରି ଦାନବ ନାସ୍ତିକ କୋଳରେ ଜନ୍ମଗ୍ରହଣ କରି ତାକୁ ହୁଏତ ପରିତ୍ରାଣ କରିବାକୁ ଆସିଛି ।

 

ଆଚାର୍ଯ୍ୟଙ୍କର ଯଥାର୍ଥ ସେବା କରାଗଲା । ବିନୋଦ ସହିତ ପ୍ରଚୁର ମଦ୍ୟପାନ କରିବା ଫଳରେ ସତ୍ୟବାନର ଶରୀର ଆହୁରି ଅସୁସ୍ଥ ହୋଇ ଆସିଲା । ମାଧୁରୀ ତାର ପଶିଯାଇଥିବା ଆଖିକୁ ଚାହିଁ ଚାହିଁ କେତେ କଣ ଭାବୁଥିଲା । କିନ୍ତୁ ବିନୋଦ ସହ ମଦ୍ୟପାନ ଓ ନନ୍ଦିତା ସହ ରାତ୍ରିର ଅଭିସାର କଥା କୋଉଠୁ ବା ସେ ବୁଝନ୍ତା ।

 

ମାଧୁରୀ କହିଲା ‘‘ତୁମେ ବାହାରକୁ ଗଲେ ସମ୍ଭବତଃ ଶରୀର ଉପରେ ଅନେକ ଅତ୍ୟାଚାର କରୁଛ । ଆଉ ତୁମକୁ ଛାଡ଼ିବିନି ।’’ ସତ୍ୟବାନ କହିଲା, ‘‘ମାଧୁରୀ, ଗୋଟାଏ ଶୟତାନର ଇଛା କିପରି ଜାଣିଛ ? ମୁଁ ଭାବୁଝି ମୋ ଉପରେ ଗୋଟାଏ ଶୟତାନ ସବାର ହୋଇ ରହିଛି । ମୁଁ କଣ ଭଲ ମନ୍ଦ ବୁଝେନା ମାଧୁରୀ ? କିନ୍ତୁ ମୁଁ ନିଜକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ । ମୁଁ ଜାଣେ ତୁମେ ତୁମ ସଂସାରର ଭାର ତୁଲାଇ ନେବ ।’’

 

ନନ୍ଦିତା ଫେରି ଆସିଥିଲା । ସତ୍ୟବାନର ଅସୁସ୍ଥ ହେବା ଖବର ଶୁଣି ସେ ଧାଇଁ ଆସିଲା-। ସତ୍ୟବାନ ଶୋଇ ରହିଥାଏ । ବେଳେବେଳେ ଉଠି ବୁଲେ । ମନ ହେଲେ କଚିରୀ ବି ଯାଉଥାଏ-। ନନ୍ଦିତାକୁ ଦେଖି ସେ କହିଲା ‘‘ଫେରି ଆସିଲ ନନ୍ଦିତା । ସବୁ ଭଲ ତ ।’’ ନନ୍ଦିତା କହିଲା ‘‘ତମେ ଗୋଟାଏ ଧର୍ମବକ ଦେଖୁଛି । ଧର୍ମ ସଭାରେ ଖୁବ୍‌ ତ ଭାଷଣ ଦେଉଥିଲ । ହେଲେ....’’ ତାକୁ ବାଧା ଦେଇ ସତ୍ୟବାନ କହିଲା ‘‘ନନ୍ଦିତା, ମତେ ଫର୍ମ କଥା କହିବ ନାହିଁ । ସେ ସବୁ ମୁଁ ଜାଣେନା । ତା ଛଡ଼ା ଧର୍ମ ପାଳନ କଲେ କାମିନୀର ଉପଭୋଗରୁ ବଞ୍ଚିତ ହେବା କଥା କୋଉଠି ବାରଣ ନାହିଁ । ମୁଁ ଅନେକ ଶାସ୍ତ୍ର ବି ପଢ଼ିଛି ନନ୍ଦିତା । ତୁମେ ଜାଣନା । ପ୍ରତ୍ୟେକଟି ଋଷି ତାଙ୍କର ଧର୍ମାଚରଣ ସତ୍ତ୍ୱେ ବି ଗୋଟିଏ ଗୋଟିଏ ପତ୍ନୀ ପାଖରେ ରଖିଥିଲେ । ପୁଣି ଦରକାର ହେଲେ ଅନ୍ୟ ପତ୍ନୀ ଉଦରରେ ସନ୍ତାନ ଉଦ୍ଭବ କରାଉଥିଲେ । କଠୋର ତପାଶ୍ଚରଣରେ କାମ ପ୍ରବୃତ୍ତି ମରିଯାଏ ନାହିଁ । ତୁମେ ବିଶ୍ୱାମିତ୍ର ଓ ମେନକାଙ୍କ ଉପାଖ୍ୟାନ କଥା ଭାବିଲ ।’’ ବିନୋଦ ମଧ୍ୟ ତାକୁ ଦେଖିବାକୁ ଆସୁଥିଲା । କଥାର ମୋଡ଼ ବଦଳାଇଲା ସତ୍ୟବାନ ।

 

ହେମନ୍ତବାବୁ ଯେତେବେଳେ ଆସୁଥିଲେ, ସତ୍ୟବାନ ସହିତ ମାତ୍ର ପଦେ ଅଧେ କଥାବାର୍ତ୍ତା କରି ତଳୁ ତଳୁ ପଳାଇ ଯାଉଥିଲେ । ମାଧୁରୀ ସହିତ ତାଙ୍କର କେବେ ଦେଖା ହୁଏ ନାହିଁ-। ସେ କେବେ ମାଧୁରୀକୁ ଦେଖିବାକୁ ପ୍ରୟାସ କରନ୍ତି ନାହିଁ । ଜାତି ଯିବାର ଗୋପନୀୟ ଭୟ ମଧ୍ୟ ତାଙ୍କୁ ଜଗି ରହିଥିଲା । ଗାଁ ବାଲା ଆଖି ବୁଜି ନାହାନ୍ତି । ସତ୍ୟବାନକୁ ଘରେ ପୂରେଇଲେ ତାଙ୍କୁ ଏକ ଘରକିଆ କରିବାର ଧମକ କେତେଥର ସେ ଶୁଣିଛନ୍ତି । ଏବେ ପୁଣି ସତ୍ୟବାନ ରାଜନୀତିରେ ଯୋଗ ଦେଇ ଧୋବା ସାହୀରେ କାମ କରେଇବା ଦିନୁ ଅନ୍ୟ ଦଳମାନେ ତାର ଗଇ ଖୋଳି ବସୁଛନ୍ତି । ସେମାନଙ୍କ କୁତ୍ସା ଶୁଣି ହେବ ନାହିଁ ।

 

ଆଚାର୍ଯ୍ୟେ କହୁଥିଲେ ସତ୍ୟବାନର ପରୀ ପରି ଝିଅଟିଏ ହୋଇଛି । ତାର ବିଚକ୍ଷଣ ଗୁଣଗ୍ରାମ କଥା ସେ ଶୁଣିଛନ୍ତି । ହେଲେ ସତ୍ୟବାନ କେବେ ତା ସ୍ତ୍ରୀ ବା ଝିଅ କଥା ତାଙ୍କୁ କହେ ନାହିଁ । ଏ ବିଷୟରେ ସତ୍ୟବାନର ଏତେ ନୀରବତା ଯେ ହେମନ୍ତବାବୁ ବି ଭରସି କରି କିଛି କହନ୍ତି ନାହିଁ ।

 

ମାଧୁରୀ ଜାଣେ ସତ୍ୟବାନର ପିତା ମାତା ଭାଇ ଭଉଣୀ ସମସ୍ତେ ଅଛନ୍ତି । ହେଲେ କେହି ତାକୁ ଦେଖିବାକୁ ଆସନ୍ତି ନାହିଁ କାହିଁକି ? ସେ ବିଷୟ ସେ ସତ୍ୟବାନକୁ ପ୍ରଥମେ ଥରେ ପଚାରି ଥିଲା । ସତ୍ୟବାନ କହିଥିଲା ‘‘ମୁଁ ମୋ ପିତାଙ୍କର ତ୍ୟଜ୍ୟ ପୁତ୍ର । ମୋର ଜାତି ନାହିଁ । ମୋ ବିଷୟରେ ସେମାନଙ୍କର ଗୋଟାଏ ବିସ୍ତୃତ କିମାକାର ଧାରଣା । ସେମାନେ ଏଠିକି ଆସିଲେ ତାଙ୍କର ଜାତି ଯିବ ବୋଲି ଡରନ୍ତି । ତେଣୁ ତାଙ୍କ କଥା ମୁଁ ଭାବେ ନାହିଁ ।’’

 

ହେମନ୍ତବାବୁଙ୍କ ଆସିବା କଥା ବେଳେ ବେଳେ ମାଧୁରୀ ଶୁଣେ । କିନ୍ତୁ ତାଙ୍କ ପାଖକୁ ସେ ଆସିବାକୁ ସାହସ କରିପାରେ ନାହିଁ । ମାଧୁରୀର ସଂସ୍କୃତି ମଧ୍ୟରେ ଏପରି ଏକ ଅପମିଶ୍ରଣ ନାହିଁ । ସେ ହୁଏତ ଏହାର ବିକଳାଙ୍ଗ ଚିତ୍ର କଥା କେବେ ଚିନ୍ତା କରି ନାହିଁ ।

 

ସତ୍ୟବାନର ଦେହ ଅସୁସ୍ଥ ହୋଇପଡ଼ୁଥାଏ । ହେମନ୍ତବାବୁ ସେ ଖବର ଶୁଣି ଧାଇଁ ଆସିଲେ । ପ୍ରଥମଥର ପାଇଁ ଉପର ମହଲାକୁ ଉଠିଲେ ହେମନ୍ତବାବୁ । ମାଧୁରୀ ତାଙ୍କୁ ପ୍ରଣାମ କଲା । ରୂପା ତାଙ୍କ ମୁହଁକୁ ବଲ ବଲ କରି ଚାହିଁଲା । କହିଲା ‘‘ତୁମେ ତ ସେ ଦାଢ଼ିଆ ଅଜା ନୁହଁ । ତମକୁ ଗୀତ ଆସେ ।’’ ହେମନ୍ତବାବୁଙ୍କ ଆଖିରୁ ଲୁହ ଝରି ପଡ଼ିଲା । ସତ୍ୟବାନ କହିଲା ‘‘ରୂପା, ତୁ ପ୍ରଣାମ କରୁନୁ’’ । ରୂପା କହିଲା ‘‘ଆରେ ମାମୀ ପରା କରିଦେଲା ।’’ ସେମାନେ ସମସ୍ତେ ହସି ଉଠିଲେ ।

 

ହେମନ୍ତବାବୁ ସତ୍ୟବାନର ଦେହ ବିଷୟରେ ପ୍ରଶ୍ନ କରି ସବୁ ଖବର ନେଲେ । ସତ୍ୟବାନକୁ ସାଂଘାତିକ ବେମାର ଧରି ସାରିଲାଣି ହୁଏତ । ମୁହଁଟା ସେଥା ଦେଖାଗଲାଣି । ମନେ ମନେ ସେ ବ୍ୟଥିତ ହୋଇ ପଡ଼ିଲେ । ସବୁ ଈଶ୍ୱରଙ୍କ ଇଛା । ଯାମିନୀ କେବେଠୁ ଚାକିରୀ ପାଇ ଦୂରକୁ ଚାଲି ଗଲାଣି । ଉମା ତ ଅନେକ ଦିନୁ ବାହା ହୋଇ ଯାଇଛି । ଘରେ ବୁଢ଼ା ବୁଢ଼ୀ ଦୁଇ ପ୍ରାଣୀ ମାତ୍ର । ମାଧୁରୀ ଚା ତିଆରି କଲା । ରୂପା ଚା କପଟା ଧରି ବଡ଼ ସନ୍ତର୍ପଣରେ ପହଞ୍ଚି ଗଲା ହେମନ୍ତବାବୁଙ୍କ ନିକଟରେ । ସତ୍ୟବାନ ଶାସନ ଆଖିରେ ଚାହିଁ କହିଲା ‘‘ରୂପା, ପକେଇ ଦବୁ ସବୁ-। ଗରମ ଚା ଢାଳିଗଲେ ଫୋଟକା ହୋଇଯିବ । ତୁ ମୋ କଥା ମାନୁନୁ । ତତେ ବୋଡ଼ିଂ ସ୍କୁଲକୁ ପଠେଇବି । ତୋର ନାଁ ଲେଖା ହେବ ଜାନୁଆରୀ ମାସରେ ।’’ ରୂପା କହିଲା ‘‘ମୁଁ ଯିବି ନାହିଁ ଡାଡ଼ି । କାହିଁକି, ମୁଁ ତମର କଣ କଲିକି ? ତମେ ସିନା ଭଲ ପିଲା ନୁହଁ, ତମ ଡାଡ଼ିକି ଛାଡ଼ି ଚାଲି ଆସିଲ । ଡାଡ଼ି, ତମ ଡାଡ଼ି କଣ ବଞ୍ଚିଛନ୍ତି ନାଁ ମଲେଣି ।’’ ସତ୍ୟବାନର ମୁଣ୍ଡ ଗରମ ହୋଇଗଲା । ଚଉକିରୁ ଉଠି ସେ ଘର ଭିତରକୁ ପଳାଇଲା । ସେ ଲକ୍ଷ୍ୟ କରୁଥିଲା ହେମନ୍ତବାବୁ ରୂପା ହାତରୁ ଚା କପ୍‌ ଟା ନେଇ ଖାଉଛନ୍ତି । ବଡ଼ ଆଶ୍ଚର୍ଯ୍ୟ ଲାଗିଲା ତାକୁ । ବାପାଙ୍କର ହୁଏତ ଜାତି କଥା ମନେ ନାହିଁ ।

 

ପରିସ୍ଥିତିଟା ଅସ୍ୱାଭାବିକ ହୋଇ ପଡ଼ିଥିଲା । ସତ୍ୟବାନ ପୁଣି ଆସି ସେଠି ବସିଲା । ସେ କହିଲା ‘‘ବାପା, ବୋଉକୁ ସାଙ୍ଗରେ ନେଇ ଆସିଲେ ନାହିଁ ?’’ ଏତେ ଦିନ ପରେ ସତ୍ୟବାନ କଣ୍ଠରୁ ଏଇ ପଦକ କଥା ଶୁଣି ପ୍ରକୃତରେ ହେମନ୍ତବାବୁଙ୍କ ଚକ୍ଷୁରେ ଲୁହ ଭରି ଯାଇଥିଲା ।

 

ଦଳ ଦଳ ଯୁବକଙ୍କର ଉତ୍ସର୍ଗୀକୃତ ଜୀବନ ଓ ସତ୍ୟବାନର ଅର୍ଥରେ ଧୋବା ସାହି ଗଢ଼ି ଉଠିଲା । ଦୁଇ ବଖର ପକ୍‌କା ଘର ସହିତ ସାନିଟାରୀ ପାଇଖାନା, ରିଜର୍ଭୟର୍‌ରୁ ପମ୍ପ ଦ୍ୱାରା ସେମାନଙ୍କ ଘରକୁ ପାଣି ସରବରାହ, ବିଜୁଳି ଆଲୁଅ । ସାମନା ଜାଗାରେ ଛୋଟ ବଗିଚାରେ ସୁନ୍ଦର ଫଳପୁଷ୍ପ ରୋପଣ, ବିଦ୍ୟାଳୟ ଓ ଚିକିତ୍ସାଳୟ, ସୁନ୍ଦର ପକ୍‌କାରାସ୍ତା ଓ ଅନୁର୍ବର ଭୂମିକୁ ଚାଷ କରିବାକୁ ଟ୍ରାକ୍ଟରର ବ୍ୟବସ୍ଥା । ଉନ୍ନତ ବିହନ ଯୋଗାଣ, ପ୍ରତି ଘରେ ଘରେ ରେଡ଼ିଓର ବ୍ୟବସ୍ଥା ଇତ୍ୟାଦି ଲୋକଙ୍କ ଆଖି ଖୋଲି ଦେଲା । ସତ୍ୟବାନ କହିଥିଲା ସେମାନଙ୍କର ସୁବିଧା ପାଇଁ ଘରେ ଘରେ ବିଜୁଳି ପଙ୍ଖା ଲଗାଇ ଦିଆଯିବ ଏବଂ ଉଚ୍ଚ ଶିକ୍ଷାର ସବୁ ବ୍ୟବସ୍ଥା ମଧ୍ୟ କରି ଦିଆଯିବ । ଭବିଷ୍ୟତ ନିଶ୍ଚୟ ଉଜ୍ୱଳମୟ । ଧୋବାସାହୀ ପିଲାମାନେ ତାଙ୍କ ପାର୍କରେ ଖେଳିଲେ । କାମ କଲେ । ତାଙ୍କ ସ୍କୁଲର ଉଦ୍ୟାନ ନିର୍ମାଣ କଲେ । ତାଙ୍କ ଖେଳ ପଡ଼ିଆରେ ଖେଳିବାକୁ ଆରମ୍ଭ କଲେ । ସେମାନେ କହିଲେ ସତ୍ୟବାନ ଗୋଟିଏ ସ୍ୱର୍ଗଚ୍ୟୁତ ଦେବତା । ପ୍ରତିବର୍ଷ ମାଇନର ପରୀକ୍ଷାପରେ ମାଇନର ପରୀକ୍ଷା ଦେଇଥିବା ପିଲାଙ୍କୁ ପ୍ରଦେଶର ରାଜଧାନୀ ଓ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ନେବାକୁ ସତ୍ୟବାନ ବ୍ୟବସ୍ଥା କରିଦେଲା । ଏବଂ ମାଟ୍ରିକ୍‌ ପରୀକ୍ଷାପରେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ପିଲାଙ୍କୁ ଦେଶର ରାଜଧାନୀ ଦିଲ୍ଲୀ ନେଇ ପାଖ ଆଖ ସହର ବୁଲାଇ ଦେଶ ପ୍ରତି ମମତା ସୃଷ୍ଟି କରିବାକୁ ସତ୍ୟବାନ ସ୍ଥିର କରି ଦେଇଥିଲା ।

 

ସତ୍ୟବାନ କହିଥିଲା ଦେଶରେ ପ୍ରକୃତରେ ଦେଶପ୍ରେମର ଏକାନ୍ତ ଅଭାବ । ଗଣତନ୍ତ୍ର ଯଦି ରାଜତନ୍ତ୍ରରେ ପରିଣତ ହେଲା ତାର ମୂଲ୍ୟ ଆଉ ରହିଲା କୋଉଠି ? ମାନବିକ ଅଧିକାରରୁ ମାନବ ଯେତେବେଳେ ବଞ୍ଚିତ ହୁଏ ଦେଶର ଗଣତନ୍ତ୍ରର ସେଇଠି ହୁଏ ଅପମୃତ୍ୟୁ ।

 

‘ତୋଫାନ’ ପାର୍ଟିର ପ୍ରଶଂସନୀୟ କାମରେ ପ୍ରକୃତରେ ସତ୍ୟବାନ ନିଜେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲା । ସମସ୍ତେ କହୁଥିଲେ ସତ୍ୟବାନ ସର୍ବଭାରତୀୟ ସ୍ତରରେ ଏଇ ପାର୍ଟିକୁ ପ୍ରତିଷ୍ଠା କରୁ । କିନ୍ତୁ ସେ କହିଥିଲା ‘‘ନିଜ ଲୋକଙ୍କୁ ନେତୃତ୍ୱ ନ ଦେଇ, ଦେଶରେ ନେତୃତ୍ୱର ଡିଣ୍ଡିମ ବଜାଇବାକୁ କେନ୍ଦ୍ରକୁ ଯିବାକୁ ମୁଁ ଚାହେଁନା । ନେତୃତ୍ୱରେ ମୁଁ ବିଶ୍ୱାସ କରେ ନାହିଁ । ନେତୃତ୍ୱ ଗୋଟାଏ ଅଳଙ୍କାର ପରି ଜଣକ ଅଙ୍ଗରୁ ଅନ୍ୟ ଜଣକ ଅଙ୍ଗକୁ ସହଜରେ ଗତି କରେ ।

 

ସତ୍ୟବାନର ଛାତିରେ ଯନ୍ତ୍ରଣା ବଢ଼ୁଥିଲେ ବି ସେ ଘରେ ବସି ପାର୍ଟିକାମ ଓ କଚିରୀ କାମ କରୁଥିଲା । ହେମନ୍ତ ବାବୁ ମଝିରେ ମଝିରେ ଆସି ତାର ତଦାରଖ କରୁଥିଲେ । ସତ୍ୟବାନର ଶରୀରର ଅସୁସ୍ଥତା ଖବର ପାଇ ବୋଉ ତାର ମ୍ରିୟମାଣ ହୋଇ ପଡ଼ିଥିଲେ । କିନ୍ତୁ ହେମନ୍ତବାବୁ ଓ ତାଙ୍କ ସ୍ତ୍ରୀ ସତ୍ୟବାନ ନିକଟକୁ ଆସିବାର ଯୋଜନା ପର୍ଯ୍ୟନ୍ତ କରି ପାରୁ ନ ଥିଲେ । ହେମନ୍ତବାବୁ ଚାହୁଁଥିଲେ ସ୍ତ୍ରୀକି କହିବାକୁ ‘‘ପୁଅଟାର ଦେହ ଭଲ ନାହିଁ । ଆଉ ଭାବୁଛ କଣ ଚାଲ । ତା ପାଖରେ ରହି କିଛି ଦିନ ଦେଖାଶୁଣା କରିବା ।’’ ତାଙ୍କ ସ୍ତ୍ରୀ ଭାବୁଥିଲେ ‘‘ମୋ ପୁଅ ଦେହ ଭଲ ନାହିଁ, ଭଲ ମଣିଷ ୟେ ନିଜେ ଯାଇ ଦେଖି ଆସୁଛନ୍ତି । ହେଲେ ମତେ ଟିକେ ନେଉ ନାହାନ୍ତି । କୌଣସି ବାହାନା କରି ଅନ୍ୟ କୁଆଡ଼କୁ ଯିବା ନାଁରେ ତାକୁ ଦେଖି ଆସିଲେ କଣ ହୁଅନ୍ତା ନାହିଁ । ବାପ ହୋଇ ଏଡ଼ିକି ପଥର ମନ ତାଙ୍କର ।’’ କିନ୍ତୁ କେହି କାହାକୁ ଭରସି କିଛି କହି ପାରୁ ନଥିଲେ । ସତ୍ୟବାନର ବୋଉ ବହୁଦିନୁ ପୁଅକୁ ଦେଖି ନାହାନ୍ତି । ସେଇ ଯେ ଆସିଥିଲା । ତାର ବେମାର ବେଳକୁ କୋଡ଼ିଏ ବର୍ଷ ସରିକି ହେବ । ତାପରେ ଆଉ ତାକୁ ଦି ଆଖିରେ ଦେଖିବାକୁ ପାଇ ନାହାନ୍ତି-। ମନ କଥା ମନରେ କୁହୁକୁ ଥିଲା । କୁହୁଳା ନିଆଁ ଦିନେ ଜଳି ଉଠେ ।

 

ସତ୍ୟବାନ ତାର ଆରାମ ଚେୟାରରେ ବସି ବିଶ୍ରାମ କରୁଥିଲା ଓ ଖଣ୍ଡେ ଇଂରାଜୀ ବହି ପଢ଼ୁଥିଲା । ରୂପା ଆସି କହିଲା ‘‘ଡାଡ଼ି, ଦୁଇଜଣ ଦାଢ଼ିଆ ଲୋକ ଆମ ଘରକୁ ଆସୁଛନ୍ତି । ରୂପା ସେଇଠି ବାଲ୍‌କୋନୀରେ ବୁଲୁଥିଲା । ସତ୍ୟବାନ କହିଲା ‘‘ରୂପା, ଏ ଦାଢ଼ିଆ ଲୋକଗୁଡ଼ାକ ତତେ ଆଗ ଦିଶନ୍ତି ନୁହେଁ’’, ରୂପା କହିଲା ‘‘ଡାଡ଼ି, ଆସ ଦେଖିବ । ସେମାନେ ଗୋଡ଼ଠୁ ମୁଣ୍ଡଯାଏ ନାଲି ନାଲି ଲୁଗା ପିନ୍ଧିଛନ୍ତି । ଏଇତ ସେମାନେ ଆମ ଘର ଭିତରକୁ ପଶିଲେଣି ।’’

 

ସତ୍ୟବାନର କ୍ଲବକୁ ଯିବାର ସମୟ ହୋଇ ଆସୁଥିଲା । କିଛିଦିନ ଆସୁସ୍ଥତା ହେତୁ ସେ କ୍ଲବ ଯାଇ ପାରି ନଥିଲା । ଏବେ ପୁଣି ଦୁଇ ଚାରିଦିନ ହେବ ଟିକେ ଭଲ ଲାଗିବାରୁ କ୍ଲବ ଯିବା ଆରମ୍ଭ କରିଛି । ଚାକର ଚିନା ଆସି କହିଲା ‘‘ବାବୁ, ଦି ଜଣ ସାଧୁ ଡାକୁଛନ୍ତି ।’’ ସାଧୁ ବୈଷ୍ଣବର ସେବା ଆତିଥ୍ୟ ଇତ୍ୟାଦିର ଚିନ୍ତା ସତ୍ୟବାନ କେବେ କରିନାହିଁ । ସେ ମନେ ମନେ ବିରକ୍ତ ହେଉଥିଲେ ବି ସେ ଭାବିନେଲା କିଛି ଅର୍ଥ ହେଲେ ଏମାନଙ୍କ କବଳରୁ ମୁକ୍ତି ମିଳିବ । ସମସ୍ତଙ୍କର ସେଇ ଗୋଟିଏ ବସ୍ତ୍ର ମାତ୍ର ଲୋଡ଼ା । ଟିକିଏ ମୋଟା ଅର୍ଥ ହୁଏତ ଏମାନଙ୍କର ଆବଶ୍ୟକ ହୋଇପାରେ । ବଡ଼ ସାଧୁ ଯେତେବେଳେ । ମନେ ମନେ ଅର୍ଥର ପରିଣାମ ସ୍ଥିର କରି ନେଇ ସତ୍ୟବାନ ସେମାନଙ୍କ ନିକଟକୁ ଯାଇ ନମସ୍କାର କଲା । ଶ୍ଲୋକ ବୋଲି ସେମାନେ ଆଶୀଷ ଦେଲେ । ରୂପା ମଧ୍ୟ ନମସ୍କାର କଲା । ତାକୁ ଦେଖି ସେମାନେ ଖୁବ୍‌ ଖୁସି ହୋଇ ଯାଇଥିଲେ । ରୂପା ସୁନ୍ଦର ହିନ୍ଦି ମଧ୍ୟ କହିପାରୁଥିଲା । ସେମାନେ ରୂପା ସହିତ ସାମାନ୍ୟ ମିଷ୍ଟାଳାପ କରି ଚଉକିରେ ବସିଲେ ।

 

ଦୁଇଟି ସୌମ୍ୟ ଦର୍ଶନ ସନ୍ୟାସୀ । ମୁହଁରେ ବହଳ ଦାଢ଼ି । ମୁଣ୍ଡରେ ବାଳର ଗଣ୍ଠି । ଗୋଟାଏ ବଗୁଲିଆ ପିଲାପରି ସତ୍ୟବାନ ମନେ ମନେ ଅସ୍ଥିର ହେଉଥିଲା । ସେ ଭାବୁଥିଲା କଣ କହିବ ତାଙ୍କୁ । କହିଲା ‘‘ମୁଁ ଆପଣଙ୍କର କି ସେବାରେ ଲାଗିପାରେ ?’’ ସେମାନେ କହିଲେ ‘‘ବାପା, ଆମେ ସନ୍ୟାସୀ । ଆମେ କେବଳ ବିଶ୍ରାମ ଚାହୁଁ ।’’ ସତ୍ୟବାନ ବଡ଼ ଅଡ଼ୁଆରେ ପଡ଼ିଲା । ଆଚେର୍ଯେ ସିନା ଷ୍ଟୋର ଘରେ ଗାମୁଛା ପାରି ଶୋଇ ପଡ଼ୁଥିଲେ । କିନ୍ତୁ ଏମାନେ ବଡ଼ ସାଧୁ ।

 

ସତ୍ୟବାନର ଡ୍ରଇଁ ରୁମ୍‌ର ସାଇଡ଼ରେ ଭଙ୍ଗା ରୁଜା କାଠ ଜିନିଷ ଥିବା ଏକ ରୁମ୍ । କେଉଁଠି ତାର ଆଟେଣ୍ଡାଣ୍ଟ ମାନେ ବି ବସନ୍ତି । ସତ୍ୟବାନର ନିର୍ଦ୍ଦେଶରେ ସେଇ ରୁମ୍‌ଟି ଖାଲି କରି ଦିଆଯାଇ ସନ୍ୟାସୀଙ୍କ ରହିବାର ବ୍ୟବସ୍ଥା କରି ଦିଆହେଲା । ସେମାନଙ୍କ ପ୍ରସାଦ ସେବା ବିଷୟରେ ସତ୍ୟବାନ ପ୍ରଶ୍ନ କରିଥିଲା । ସେମାନେ କହିଲେ, ସେ ବିଷ ଚିନ୍ତା କର ନାହିଁ ।’’ ସତ୍ୟବାନ କହିଲା । ‘‘ବାବା, ଆପଣଙ୍କ ପରିଚୟ କଣ ? ଆଶ୍ରମ କେଉଁଠି ?’’ ସେ କହିଲେ ‘‘କାଶୀଧାମ ।’’ ବୟବୃଦ୍ଧ ସାଧୁ କହିଲେ ‘ମୋ ନାମ ସ୍ୱାମୀ ପ୍ରେମାନନ୍ଦ ଗୋସ୍ୱାମୀ ଓ ତାଙ୍କ ନାମ ସ୍ୱାମୀ ଶ୍ରଦ୍ଧାନନ୍ଦ ଗୋସ୍ୱାମୀ ।’

 

ତା ପରେ ସତ୍ୟବାନ ଉଠିବ ଉଠିବ ହେଉଛି ସେ ଲକ୍ଷ୍ୟ କଲା ସ୍ୱାମୀ ପ୍ରେମାନନ୍ଦ ଡ୍ରଇଁ ରୁମ୍‌ରେ କାନ୍ଥରେ ଟଙ୍ଗା ହୋଇଥିବା ଏକ ଫଟୋକୁ ନିବିଷ୍ଟ ଚିତ୍ତରେ ଚାହିଁଛନ୍ତି । ଜନ୍‌ସନ୍ ପରିବାରଙ୍କ ସହିତ ନନ୍ଦବାବୁଙ୍କର ପିଲାଦିନର ଫଟୋ ସେଇଟି । ସେତେବେଳେ ସେ ମାଷ୍ଟର ହେରି ଜନ୍‌ସନ୍ । ହେରି ଜନ୍‌ସନ୍ କଳା ରଙ୍ଗର ପ୍ୟାଣ୍ଟ ଓ କୋଟ୍ ପିନ୍ଧିଥିଲେ । ଫଟୋଟି ଆଡ଼କୁ ଚାହିଁ ସ୍ୱାମୀ ପ୍ରେମାନନ୍ଦ ପଚାରିଲେ ‘‘ଆଚ୍ଛା ବାବା, ଏ ଚିତ୍ରଟି ଏକ ଇଂରେଜ ପରିବାରଙ୍କର ଜଣାଯାଉଛି । କହିପାରିବ ଏମାନେ କିଏ କେଉଁଠି ଥାଆନ୍ତି ?’’ ସତ୍ୟବାନ କହିଲା ଏମାନଙ୍କ ବିଷୟରେ ମୁଁ ବିଶେଷ ଜାଣେନା । ଏମାନଙ୍କ ଭିତରେ କଳାକୋଟ ପିନ୍ଧି ଯେଉଁ ବାଳକଟିର ଫଟୋ ଦେଖୁଛନ୍ତି ସେ ହେଉଛନ୍ତି ମୋ ଶଶୁର । ତାଙ୍କର କାଳ ହୋଇଗଲାଣି ସ୍ୱାମୀ ପ୍ରେମାନନ୍ଦଙ୍କର ମୁଖରେ ବିଷାଦର ରେଖା ଫୁଟି ଉଠିଲା । ସ୍ୱାମୀ ଶ୍ରାଦ୍ଧାନନ୍ଦ ପଚାରିଲେ ‘‘ସେ କୋଉଠି ଥିଲେ ?’’ ସତ୍ୟବାନ କହିଲା ‘‘ମୁଁ ଜାଣେ ସେ ଜନ୍ମ ହୋଇଥିଲେ ବଙ୍ଗଳାରେ । ଏଇ ଇଂରେଜ ପରିବାରଟି ତାଙ୍କୁ ପ୍ରତିପୋଷଣ କରୁଥିଲେ । କିନ୍ତୁ ସେ ଶେଷ ଜୀବନଟି ଏଇ ଓଡ଼ିଶାରେ କଟାଇ ଦେଇଥିଲେ-।’’ ସେମାନଙ୍କ କଥାରେ ସନ୍ଦେହ କରି ସତ୍ୟବାନ କହିଲା ‘‘କ୍ଷମା କରିବେ, ଆପଣଙ୍କ ନିବାସ କଣ ଓଡ଼ିଶା ଥିଲା ? ଆପଣଙ୍କ ପୂର୍ବ ନାମ କଣ ଥିଲା ?’’ ସେମାନେ ହସିଲେ । ସ୍ୱାମୀ ଶ୍ରଦ୍ଧାନନ୍ଦ କହିଲେ ‘‘ବାବା, ସନ୍ୟାସୀମାନଙ୍କୁ ନିଜର ପୂର୍ବ ପରିଚୟ ଦେବାକୁ ହୁଏ ନାହିଁ । ଆମକୁ ଏଇ ରୂପରେ ବୁଝିପାରିଲେ ଯଥେଷ୍ଟ ।’’

 

ସେମାନଙ୍କର ବନ୍ଦୋବସ୍ତ କରିସାରି ସତ୍ୟବାନ କ୍ଲବ ଆଡ଼େ ଯିବ ବୋଲି ବାହାରୁଛି ନନ୍ଦିତା ଆସିଲା, ‘‘ତୁମକୁ କ୍ଲବରେ ନ ଦେଖି ଭାବିଲି ତମ ଦେହ ଭଲ ନାହିଁ । ସିଧାସଳଖ ସେଠୁ ଚାଲିଆସିଲି ।’’ ସତ୍ୟବାନ କହିଲା, ‘ପ୍ରକୃତରେ ନନ୍ଦିତା, ଜୀବନରେ ବନ୍ଧୁତ୍ୱଠାରୁ ଲୋଭନୀୟ ଆଉ କିଛି ନାହିଁ । ସେମାନେ କ୍ଲବକୁ ନ ଯାଇ ନିଜ ଘରେ ବସି ଗପକଲେ । ମାଧୁରୀ ବି ତାଙ୍କ ସହିତ ଗପ କରୁଥିଲା । ସାଧାରଣତଃ ମାଧୁରୀକୁ ବହୁ ସମୟ ଧରି ବସିବାକୁ ବେଳ ମିଳେ ନାହିଁ । ତଥାପି ନନ୍ଦିତା ଆସିଲେ, ମାଧୁରୀ ଦିମିନିଟ୍ ଅନ୍ତତଃ ଚାହିଁ ଦେଇ ଯାଏ । ମାଧୁରୀର ହସ ହସ କଥା, ନିରଳସ ଭଙ୍ଗୀ ପ୍ରକୃତରେ ନନ୍ଦିତାକୁ ମୁଗ୍‌ଧ କରେ ନନ୍ଦିତା କହେ ‘‘ମାଧୁରୀ, ତୋର ଏ ଯେଉଁ ବ୍ୟତିବ୍ୟସ୍ତ ଭାବ ଏ ସବୁ ଦେଖିଲେ ମୋର ମୋଟେ ବିବାହ କରିବାକୁ ଇଚ୍ଛା ହେଉନାହିଁ ।’’ ମାଧୁରୀ କହେ ‘‘ନାଁ, ଏତେ ଶୀଘ୍ର କାହିଁକି ବାହାହବୁ । ଆଉ କିଛିଦିନ ରହିଯା । ଦୁହେଁ ହସି ଉଠନ୍ତି-। ନନ୍ଦିତା ଗାଡ଼ିରେ ସତ୍ୟବାନ ପ୍ରତ୍ୟହ କ୍ଲବକୁ ଯାଏ କିନ୍ତୁ ମାଧୁରୀ ସେମାନଙ୍କୁ ବଳେଇ ଦେଇ ଯା,-। ସତ୍ୟବାନ କହେ ‘‘ମାଧୁରୀ ଆଦୌ ସଂକୀର୍ଣ୍ଣମନା ନୁହେଁ । ମଧୁରୀପରି ଜୀବନରେ ସତ୍ୟକୁ କେହି ଉପଲବ୍‌ଧି କରିପାରେ ନାହିନ୍ତି ।’’ କିନ୍ତୁ ମାଧୁରୀର ପ୍ରଶଂସାରେ ନନ୍ଦିତା ବେଳେବେଳେ ବିଚଳିତ ହୁଏ ।

 

ସେମାନେ ଅନେକ ସମୟ ମଜାଗପ କଲେ । ତାପରେ ନନ୍ଦିତା ତାଙ୍କଠାରୁ ବିଦାୟ ନେବାକୁ ବାହାରିଲା । ନନ୍ଦିତାକୁ ଛାଡ଼ିବାପାଇଁ ସତ୍ୟବାନ ତଳମହଲାକୁ ଓହ୍ଲାଇ ଆସିଲା । ରୂପା ରାତ୍ରି ଭୋଜନ କରିସାରିଥିଲେ ବି ଶୋଇନାହିଁ । ଗୋଟିଏ ଗପୁଡ଼ି ବୁଢ଼ୀ ପରି ବସି ଗପୁଛି । ସତ୍ୟବାନକୁ ଦେଖି ରୂପା କହିଲା ‘‘ଏଇ ଡାଡ଼ି ଆସିଗଲେ ।’’ ଗୋଟାଏ ଖେପାମାରି ସେ ସତ୍ୟବାନର ହାତକୁ ଧରିନେଲା । ରୂପାର ଉତ୍ସାହ ଅଦମ୍ୟ ସତେ । ତା ଆଖିରେ ନିଦ ନାହିଁ ।’’

 

ସତ୍ୟବାନ ଅସୁସ୍ଥ ହେଲାଦିନୁ କ୍ଲବରୁ ଫେରୁ ଫେରୁ ଶୋଇ ପଡ଼ୁଥିଲା । ସେ କ୍ଲବକୁ ଯିବାକୁ ବେଶପୋଷାକ ପିନ୍ଧି ବସିଥିଲା । କେବଳ ନନ୍ଦିତା ଆସିଲାବୋଲି ଯାଇପାରିଲା ନାହିଁ । ବହୁସମୟ ବସି ବସି ଗପ କରିବାକୁ ତାକୁ ଭଲ ବି ଲାଗୁ ନ ଥିଲା । ତା ପଛେ ପଛେ ଚାଲିଥାଏ ରୂପା । ସେ କହିଲା ‘‘ଡାଡ଼ି, ଏଇ ସାଧୁମାନେ ହିମାଳୟରୁ ଆସିଛନ୍ତି । ହିମାଳୟ ପୁଅ ନାଁ ଝିଅ । ତା କଥା ଶୁଣି ସତ୍ୟବାନ ଅବଶ୍ୟ କୌଣସି ଉତ୍ତର ଦେଇପାରିଲା ନାହିଁ । ସେ ସାଙ୍ଗେ ସାଙ୍ଗେ ଶୋଇ ପଡ଼ିଥିଲା ।

 

ବଡ଼ ଯତ୍ନରେ ରୂପା ତା ଡାଡ଼ି ଗୋଡ଼ରୁ ଯୋତା ବାହାର କଲା । ହାତରୁ ଘଣ୍ଟା ଫିଟାଇ ନେଲା । ତାପରେ ନିଜେ ଯାଇ ଡାଡ଼ି କୋଳରେ ଶୋଇଲା । ମାଧୁରୀ ଆଶ୍ଚର୍ଯ୍ୟ ହୋଇ ଡାକିଲା, ‘‘ରୂପା, ଏ କଣ ତୋ ବିଛଣାକୁ ଆସୁନୁ । ଡାଡ଼ିଙ୍କୁ ଡିଷ୍ଟର୍ବ କରନ୍ତି ? ତାଙ୍କ ନିଦ ଭାଙ୍ଗିଯିବ ଯେ ।’’ ରୂପା କହିଲା ‘‘ନାଁ ନାଁ, ମୁଁ ଡାଡ଼ିଙ୍କ କୋଳରେ ଶୋଇବି । ସେ ଉଠିବେ ନାହିଁ । ଡାଡ଼ି ସୁନା ପିଲା ।’’ ତା ସହିତ ଯିଦ୍ ନ କରି ମାଧୁରୀ ଚାଲିଗଲା ନିଜ ବିଛଣାକୁ ।

 

ସନ୍ୟାସୀମାନେ ଦୁଇଦିନ ରହିଥିଲେ । ମାଧୁରୀ ଓ ରୂପା ସେମାନଙ୍କର ଯତ୍ନ ନେଉଥିଲେ । କିନ୍ତୁ ସତ୍ୟବାନ ଆଉ ତାଙ୍କ ସହିତ ଦେଖା ହେବାକୁ ଚାହୁଁ ନ ଥିଲା । ଯିବା ପୂର୍ବରୁ ସେମାନେ ସତ୍ୟବାନକୁ ପାଖକୁ ଡାକିଲେ । ସତ୍ୟବାନ ସେତେବେଳେ ନିଶାପାନ କରିଥାଏ । ପ୍ରଥମେ ସେ ଭୟ କରୁଥିଲା । କିନ୍ତୁ ତାପରେ ତାର ମନେପଡ଼ିଲା ତାର ଚିଲମ ଓ ଆଚାର୍ଯ୍ୟଙ୍କ କଥା । ସେମାନଙ୍କ ନିକଟକୁ ଯାଇ ସତ୍ୟବାନ ପଚାରିଲା ‘‘ସାଧୁମାନେ ଗଞ୍ଜେଇ ଖାଆନ୍ତି । ଆପଣଙ୍କର ସେସବୁ ଚଳେ କି ? କହିଲେ ଯୋଗେଇବି ।’’ ସ୍ୱାମୀ ପ୍ରେମାନନ୍ଦ କହିଲେ ସେ ସବୁ ସେମାନେ ସ୍ପର୍ଶ କରନ୍ତି ନାହିଁ ।

 

ଆଗ୍ରହରେ ସେମାନେ ସତ୍ୟବାନକୁ ପାଖରେ ବସାଇଲେ । ସ୍ୱାମୀ ପ୍ରେମାନନ୍ଦ କହିଲେ ‘‘ଧର୍ମ କର୍ମରେ ବିଶ୍ୱାସ ରଖ । ନିଜ କର୍ମ ସଂପାଦନ କର । ଶରୀର ନିଶ୍ଚୟ ଆରୋଗ୍ୟ ହୋଇଯିବ-। ତମ ଧର୍ମଭାବ ଦେଖି ଖୁବ୍ ଖୁସି ହେଲୁ ।’’ ସତ୍ୟବାନ ଚମକି ପଡ଼ିଲା । ସତ୍ୟବାନଠାରେ ପୁଣି ଧର୍ମଭାବ । ଏମାନଙ୍କ ରହଣୀ କାଳ ମଧ୍ୟରେ ଦିନେ ବି ତାଙ୍କର ପଦଧୂଳି ନେଇ ନାହିଁ । ତାଙ୍କୁ ଦେଖା ବି ଦେଇ ନାହିଁ । ଯାହା କରିଛି ସେଇ ମାଧୁରୀ । ସତ୍ୟବାନ ତରତରରେ କହି ପକାଇଲା ‘‘ଧର୍ମଭାବ ପୁଣି ମୋଠି ଲକ୍ଷ୍ୟ କଲେ ଆପଣ । ମୋର ଧର୍ମକର୍ମ, ଦେବତା, ବ୍ରାହ୍ମଣ କୋଉଥିରେ ବିଶ୍ୱାସ ମଧ୍ୟ ନାହିଁ ।’’ ସେ କହିଲେ ‘‘ଅସମ୍ଭବ, ଆମର ସିଦ୍ଧାନ୍ତ କେବେ ଭୁଲ ହୁଏ ନାହିଁ । ବାବା, ମୁଁ ଦେଖି ପାରୁଛି ତୁମ ଭିତରେ ଅସୀମ ଭକ୍ତି ଅଛି । ତୁମେ ପ୍ରଭୁଙ୍କର ନିତ୍ୟ ସେବକ । ଆଶୀର୍ବାଦ କରୁଛି ତୁମ ଭକ୍ତିର ଅଭିବୃଦ୍ଧି ହେଉ ।’’ ସତ୍ୟବାନ ଦୃଢ଼ କଣ୍ଠରେ କହିଲା ‘‘ନାଁ ମହାଶୟ ମୋ ବିଷୟରେ ଆପଣଙ୍କର ଧାରଣା ନିଶ୍ଚୟ ଭୁଲ । ମୁଁ କୌଣସି କଥା ବିଶ୍ୱାସ କରେ ନାହିଁ ।’’ ସାହାସ୍ୟ ବଦନରେ ସେ କହିଲେ ‘‘ବାବା, ଅବୁଝା ହୁଅ ନାହିଁ । ଆମେ ସବୁ ଦେଖି ପାରୁଛୁ । ଗୋବିନ୍ଦର ଡାକ ଆମ ଜୀବ କାନରେ ବାଜେ । ଗୋବିନ୍ଦ ଟାଣିନିଏ ଜୀବକୁ । ଜୀବ ତ ଆଜ୍ଞା । ସେ ଜାଣେନା ଯେ ତାର ଚଉପାଶରେ ଗୋବିନ୍ଦ ବ୍ୟାପ୍ତ ହୋଇ ଅଛନ୍ତି ବୋଲି ।’’ ସତ୍ୟବାନ ଟିକିଏ ଆଲୋଚନା ଢଙ୍ଗରେ କହିଲା ‘‘ନାଁ ମହାଶୟ, ସେପରି ଧାରଣା ମୋର ନାହିଁ । ମୁଁ ଶୁଣିଛି ଏ ସଂସାର ମାୟାର ଏକ ଖେଳଘର । ମାୟା ବ୍ୟତିରେକେ ଜୀବ ରହି ପାରିବ ନାହିଁ । ତେବେ ସେ ଗୋବିନ୍ଦ ଭିତରେ ପୁଣି ରହୁଛି କିପରି ? ଗୋବିନ୍ଦ ତ ଚିନ୍ମୟ ।’’ ସ୍ୱାମୀ ପ୍ରେମାନନ୍ଦଙ୍କୁ ସତ୍ୟବାନର କଥା ଗୁଡ଼ା ଏତେ ଭଲ ଲାଗିଲା ଯେ ସେ କହିଲା । ‘‘ବାଃ, ଚମତ୍କାର । ମୁଁ ଜାଣିଥିଲି ତୁମ ଭିତରେ ମସଲା ଅଛି ।’’ ଦେଖ ବାବା ଏ ମାୟା ସଂସାର ଗୋବିନ୍ଦ ମାୟା ମାତ୍ର । ମାଛ ଯେପରି ଜଳ ବାହାରେ ରହି ନ ପାରେ ଜୀବକୁ ସେପରି ଗୋବିନ୍ଦ ଘେରି ରହିଛନ୍ତି । ଏକଥା ମଣିଷ ଜାଣେ । ପୁଣି ଗୋବିନ୍ଦର ମାୟାରେ ଅଜ୍ଞାତ ହୋଇ ସେ ସବୁ ଭୁଲିଯାଏ । ସତ୍ୟବାନ କହିଲା ‘‘ଗୋବିନ୍ଦର ଜୀବ ପାଇଁ ଯେବେ ଏତେ ଦୟା ସେ ପୁଣି ତାକୁ ଭୁଲାଏ କାହିଁକି ?’’ ସେ କହିଲେ ‘‘ସେ ତାକୁ ଭୁଲାଏ ନାହିଁ । ଜୀବ ତା ମାୟାରେ ପଡ଼ି ଆପେ ସବୁ ଭୁଲିଯାଏ । ଯେତେବେଳେ ସେ ପଥଭ୍ରଷ୍ଟ ହୁଏ ଓ ଆଉ ଫେରିବାର ବାଟ ପାଏନାହିଁ, ଗୋବିନ୍ଦ ତାକୁ ପାଖକୁ ଡାକି ଆଣେ ।’’ ସେମାନଙ୍କ କଥା ଶୁଣି ସତ୍ୟବାନ ମୁହୂର୍ତ୍ତେ ଚିନ୍ତା କଲା, ଏ ବି ଗୋଟାଏ ଧର୍ମ ଓ ଦର୍ଶନ । ମାୟାବାଦ ଉପରେ ସେ ଆହୁରି ଅନେକ କଥା କହିଥାନ୍ତେ, କିନ୍ତୁ କୌଣସି ଶୁଷ୍କ ଆଲୋଚନା କରିବାକୁ ତାର ଆଗ୍ରହ ନାହିଁ । କିନ୍ତୁ ସାଧୁମାନେ ଆଲୋଚନା କରିବାକୁ ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ । ସ୍ୱାମୀ ଶ୍ରଦ୍ଧାନନ୍ଦ କହିଲେ ‘‘ମାୟାରୁ ପରିତ୍ରାଣ ପାଇବାକୁ ହେଲେ ଗୋଟିଏ ମାତ୍ର ବାଟ ଇନ୍ଦ୍ରିୟ ସଂଯମ । ଆମର ଯେଉଁ ପଞ୍ଚେନ୍ଦ୍ରୟ ଅଛନ୍ତି ତାଙ୍କୁ ରିପୁ ବା ଶତ୍ରୁ ବୋଲି କୁହାଯାଇଛି । କାରଣ ଶତ୍ରୁପରି ସେମାନେ ମଣିଷ ଉପରେ ଦାଉ ସାଧନ୍ତି । ତାଙ୍କ ଇଚ୍ଛାରେ ସେମାନେ ମଣିଷକୁ ଇତସ୍ତତଃ କରନ୍ତି, ଆକାଶରେ ଗୁଡ଼ିଟିଏ ଯେପରି ପବନରେ ଇତଃସ୍ତତଃ ହୁଏ-। ସେମାନଙ୍କୁ ଜୟ କରିବା ପ୍ରଥମ କର୍ତ୍ତବ୍ୟ ।’’ ସତ୍ୟବାନ କହିଲା ‘‘ନାଁ । ବାବା ମୁଁ ସେ କଥା କହୁ ନାହିଁ । ଆମେ ତ ମାୟାରେ ବୁଡ଼ି ରହିଛୁ, ଇନ୍ଦ୍ରିୟ ସଂଯମ କଲେ କଣ ସେଥିରୁ ରକ୍ଷା ମିଳିବ ।’’ ତାଛଡ଼ା ମଣିଷ ଜୀବନରେ ଇନ୍ଦ୍ରିୟର ପରିତୃପ୍ତିକୁ ଛାଡ଼ି ଦେଲେ ଆଉ ସୁଖ କାହିଁ ?’’ ସେ କହିଲେ ‘‘ଜୀବ ସଂସାର ପଥକୁ କ୍ଷରିତ ହେବାକ୍ଷଣି ଯାତନା, ଗ୍ଲାନି ଓ ଦୁଃଖରେ ପଡ଼େ । ମଣିଷ ଏ କଥା ବୁଝେନା ।

 

ଧୂମେନ ବ୍ରିୟତେ ବହ୍ନି, ଯଥା ଦର୍ଶୋମଳେନ ଚ

ଯଥା ଲେଲାବୃତ୍ତୋ ଗର୍ଭୋ ସ୍ତଥା ସ୍ତେନେନ ଆବୃତମ୍‌ ।

 

ଅର୍ଥାତ୍ ନିଆଁ ଧୂଆଁ ଦ୍ୱାରା ଦର୍ପଣ ମଳିଦ୍ୱାରା, ଭୃଣ ଜରାୟୁ ଦ୍ୱାରା ଆବୃତ୍ତ ହେଲାପରି ଅଜ୍ଞାନ ଦ୍ୱାରା ଜ୍ଞାନ ଆବୃତ୍ତ ହୋଇଛି ।’’ ସତ୍ୟବାନକୁ ଶୁଣିବାକୁ ବେଶ ଭଲ ଲାଗୁଥିଲା । ସେ କହୁଥାନ୍ତି ‘‘ସକଳ ଇନ୍ଦ୍ରିୟଙ୍କଠାରୁ ବିକଟାଳ ଇନ୍ଦ୍ରିୟ ହେଉଛନ୍ତି କାମ ଓ କ୍ରୋଧ । କାମେନ୍ଦ୍ରିୟକୁ ଦମନ କରିବା ସବୁଠାରୁ କଷ୍ଟକର । ଅଗ୍ନିସମ ଏହା ପ୍ରଜ୍ଜ୍ୱଳିତ ହୁଏ । ଅଗ୍ନିକୁ ଯେତେ ଅଧିକ ସମୀପ ଦେବ ତାହା ଯେପରି ଆହୁରି ପ୍ରଜ୍ଜଳିତ ହୁଏ, ନିର୍ବାପିତ ହୁଏ ନାହିଁ, ସେହିପରି କାମ ପ୍ରବୃତ୍ତିକୁ ଯେତିକି ଚରିତାର୍ଥ କରିବ ସେତିକି ସେ ଅଧିକ ଅଶାନ୍ତ ହୋଇ ପଡ଼ୁଥିବ । ମନେରଖ ବତ୍ସ, କାମ ପ୍ରବୃତ୍ତିକୁ କେହି ଚରିତାର୍ଥ କରି ନିବୃତ୍ତକୁ ଯଥେଷ୍ଟ ଭାବରେ ଚରିତାର୍ଥ କରି ଚୂଡ଼ାନ୍ତ ଉପଭୁକ୍ତି ପରର ଅନିଚ୍ଛାକୁ ନିବୃତ୍ତି ବୋଲି କୁହନ୍ତି । ମୋ ମତରେ ଚରିତାର୍ଥ ପରର ନିବୃତ୍ତି ହିଁ ଶ୍ରେୟ-। ସଂଯମରେ ନିବୃତ୍ତି ଆସିବ କିପରି । ଏହାକୁ ଗୋଟାଏ ଆରେଷ୍ଟ ବା ଅପରୋଧ ବୋଲି କୁହାଯାଇ ପାରେ ।’’ ସେ କହିଲେ ‘‘ନାଁ ବତ୍ସ, ନର୍କପଥ ଦେଇ ସ୍ୱର୍ଗ ଦେଖିବାର କାମନା ପରି ହେବ-।’’ ସତ୍ୟବାନ କହିଲା ‘‘ମଣିଷର ଜୀବନ କାଳ ଏତେ ଅଳ୍ପ । ସେଥିରେ ପୁଣି ଯୌବନ କାଳ ଆହୁରି କ୍ଷଣସ୍ଥାୟୀ, ତା ଭିତରେ ଯଦି ପ୍ରବୃତ୍ତି ନିବୃତ୍ତିର ପରୀକ୍ଷାନିରୀକ୍ଷା ଚାଲେ ତେବେ ଏ ଜୀବନର ମୂଲ୍ୟ କେଉଁଠି ? ସେ କହିଲେ ବତ୍ସ, ମଣିଷ ଜୀବନର ମୂଲ୍ୟ ମଣିଷ ନିଜେ ଜାଣେନା । ତା ଜୀବନର ହିସାବ ନିକାଶ ସେ କରେନା । ଯେପରି ସମାଜର ଭଲମନ୍ଦ ପିତାମାତା ବୁଝନ୍ତି ଓ ସମାଜ ନିଜେ ନିଜର ଭଲମନ୍ଦ ଜାଣି ପାରେ ନାହିଁ–ଠିକ୍‌ ସେମିତି ପରମପିତା ମଣିଷର ଭଳମନ୍ଦ ବୁଝନ୍ତି । ମଣିଷ ଜାଣି ପାରେ ନାହିଁ । ତାଙ୍କର ପ୍ରଦର୍ଶିତ ମାର୍ଗ ଦେଇ ଗତି କଲେ ପ୍ରମାଦ ପଡ଼େ ନାହିଁ ସତ୍ୟବାନ କହିଲେ ‘‘ପ୍ରତ୍ୟକ୍ଷକୁ ଛାଡ଼ି ଆପଣ ପରୋକ୍ଷକୁ ଚାଲିଯାଉଛନ୍ତି କାହିଁକି ?’’ ସେ କହିଲେ ‘‘ତୁମେ କଣ ଭାବିଛ ଜୀବନ ମୃତ୍ୟୁରେ ଶେଷହୁଏ ବୋଲି । ନାଁ ବତ୍ସ, ଜୀବନ ମୃତ୍ୟୁରେ ଶେଷ ହୁଏ ନାହିଁ । ସତ୍ୟବାନ ଦେଖିଲା ପୁଣି ସେଇ ଅହେତୁକ କଥା । ସେ ଜାଣେ ଧର୍ମ ସଂକ୍ରାନ୍ତୀୟ ଯେତେ ସନ୍ଦେହ ସବୁ ଏକ ଅହେତୁକ ନିଷ୍ପତ୍ତିରେ ଶେଷ ହୁଏ । ସେ ପଚାରିଲା ‘‘ଦୟାକରି ଆପଣ କହିବେ କି ବର୍ତ୍ତମାନ ଜୀବନରେ କାମାତୁରଭାବ ଅଧିକ ଭାବରେ କାହିଁକି ପରିଲକ୍ଷିତ ହୋଇଛି ।’’ ସେ କହିଲେ ‘‘ବତ୍ସ, ଭାରତ ବ୍ୟତୀତ ଜୀବନର ପରିଚର୍ଯ୍ୟା ଆଉ କେହି କରି ନାହାନ୍ତି । ଭାରତୀୟ ମନୀଷୀମାନେ ଜୀବନକାଳକୁ ଚାରିଭାଗ କରିଦେଇଥିଲେ । ଜୀବନର ପ୍ରଥମ ପଞ୍ଚବିଂଶତି ବର୍ଷ ଅଖଣ୍ଡ ବ୍ରହ୍ମଚର୍ଯ୍ୟରେ ପାଳନ କରିବାକୁ ହୁଏ । ତାପରେ ଏଇ ପଞ୍ଚବିଂଶତି ବର୍ଷର ସଞ୍ଚିତ ଶକ୍ତି ଚାର୍ହସ୍ଥ୍ୟ ଜୀବନର ଉପଭୋଗକୁ ମଧୁମୟ କରିଦିଏ । ପୁତ୍ର କନ୍ୟାରେ ସମ୍ଭାରରେ ସେ ହୁଏ ପୂର୍ଣ୍ଣ । ତାପରେ ପୌଢ଼ତ୍ୱକୁ ଆଲିଙ୍ଗନ କରି ଆସେ ବାନପ୍ରସ୍ଥ । ‘‘ସଂସାର ଥାଇ ମୁଁ ମୁଦ୍ରା ଉଦାସୀନ’’ ନୀତିରେ କ୍ରମେ ସେ ପରିଚାଳିତ ହୁଏ । ତାପରେ କ୍ରମେ ଜରାଇ ଆକ୍ରମଣରେ ସେ ହୁଏ ବୀତସ୍ପୃହ-। ଯତିବ୍ରତରେ ପଦାର୍ପଣ କରି ସେ ସଂପୂର୍ଣ୍ଣ ନିର୍ବିକାର ହୋଇଚାଲେ । ସେ ହୁଏ ଅମୃତ ପଥର ଯାତ୍ରୀ । ଏକ ଦିବ୍ୟ ଚେତନାରେ ସେ ନିଜକୁ ହଜାଇ ଦେଇ ଥାଏ । କାରଣ ଆକସ୍କିକ ଭାବରେ ବିଦାୟ ନିଏ ଜୀବନ ଓ ଶେଷ ସମୟର ସଂସ୍କୃତି ତାର ଅନୁଗାମୀ ହୋଇଥାଏ । ଜୀବନ ମୃତ୍ୟୁରେ ଶେଷ ହେଉ ନ ଥିବାରୁ ଯତିବ୍ରତର ମୂଲ୍ୟ ଅଧିକ ।’’ ସତ୍ୟବାନ କହିଲା ‘‘ଆପଣଙ୍କ ସଂସାର ବିଷୟରେ ଜ୍ଞାନ ଥିଲେ ଦେଖନ୍ତୁ, ଆଜିର ସମାଜରେ ଗୋଟିଏ ଯୁବକ ଅପେକ୍ଷା ଗୋଟିଏ ବୃଦ୍ଧ ଅଧିକ କ୍ରୋଧାନ୍ଧ, ଅଧିକ ଲୋଭୀ ଓ ମାରାତ୍ମକ ମଧ୍ୟ ।’ ସେ କହିଲେ ‘‘ଲୋଭନୀୟ ଇନ୍ଦ୍ରିୟ ବାସନାର ଏହାହିଁ ଫଳ । ଆଧୁନିକ ଜୀବନର ପରିଚର୍ଯ୍ୟା ନାହିଁ-। ପ୍ରଥମରୁ ଜୀବନର ଶୃଙ୍ଖଳା ଭୁଲି ଲୋଭନୀୟ ଇନ୍ଦ୍ରିୟ ଲାଳସାରେ ଅନ୍ଧ ହୋଇ ଆଜିର ଜୀବନରେ କାମାତୁର ଭାବର ପ୍ରାବଲ୍ୟ ଦେଖାଯାଉଛି । ମଣିଷ ଜାଣେ ନାହିଁ ଯେ ବୟସର ବୃଦ୍ଧି ସାଙ୍ଗେ ସାଙ୍ଗେ ଲୋଭ ମୋହର ବୃଦ୍ଧି ଦ୍ୱିଗୁଣ ହୋଇଥାଏ । ଏଇ ମନସ୍ତତ୍ତ୍ୱିକ ଭିତ୍ତିକରି ଆର୍ଯ୍ୟ ଋଷିଗଣ ଜୀବନର ପ୍ରକୃତ ମୂଲ୍ୟାୟନ ପାଇଁ ଜୀବନକାଳକୁ ଚାରିଭାଗରେ ବିଭକ୍ତ କରି ଦେଇଥିଲେ ।’’ ସତ୍ୟବାନ ଭାବିଥିଲା କିଛି ଅର୍ଥ ଦେବ ସେମାନଙ୍କୁ । କିନ୍ତୁ ସେମାନେ କିଛି ଗ୍ରହଣ କରନ୍ତି ନାହିଁ ବୋଲି କହି ସେଠାରୁ ବିଦାୟ ନେଇଥିଲେ । ପୁଣି ସମୟ ପଡ଼ିଲେ ଏଇ ବାଟେ ଆସିବେ ବୋଲି ପ୍ରତିଶ୍ରୁତି ଦେଇ ସେମାନେ ଚାଲିଗଲେ ।

 

ସତ୍ୟବାନର ଅସୁସ୍ଥତା ବଢ଼ିବା ସଙ୍ଗେ ସଙ୍ଗେ ସେ ତା ‘ତୋଫାନ’ ଦଳକୁ ଅଧିକ ସଜାଡ଼ି ଦେଇଥିଲେ । ଡ୍ରଇଁ ରୁମ୍‌ରେ ବସି ସତ୍ୟବାନ ଗୋଟାଏ ମିଟିଂ କରୁଥିଲା । ବର୍ତ୍ତମାନ ଶାସନ ବିରୁଦ୍ଧରେ ବିଷ ଉଦ୍‌ଗୀରଣ କରି ସେ କହୁଥିଲା ‘‘ଇଂରେଜ ଦାସ ଦଳ ସ୍ୱାଧୀନତାର ଧାତ୍ରୀ ରୂପେ ବଞ୍ଚି ରହି ଜୀବନକୁ ଇଂରେଜୀ କାଇଦାରେ ଉପଭୋଗ କରିବାକୁ ଆରମ୍ଭ କରିଛନ୍ତି । ମହାତ୍ମାଙ୍କର ସେଇ ‘ହାଫ୍ ନେକେଡ଼’ ଅବସ୍ଥା ଓ ଆଦର୍ଶବାଦ କ୍ରମେ ଅପସରି ଗଲାଣି । ଆଉ ମାତ୍ର ଦଶଟି ବର୍ଷ ପରେ ସବୁ ନିଶ୍ଚିହ୍ନ ହୋଇଯିବ । ଏହା ପରେ ଏହି ଦାସ ଦଳ ଇଂରେଜଙ୍କଠାରୁ ଅଧିକ ହିଂସ୍ର ହୋଇ ଉଠିବେ । ଏମାନଙ୍କ ନିକଟରେ ସମୂହ କଲ୍ୟାଣ ମନୋବୃତ୍ତି ସୁଦୂର ପରାଜିତ ହୋଇଛି । ସମୂହ କଲ୍ୟାଣ ଭାବ କ୍ରମେ ଗୋଷ୍ଠୀ କୈନ୍ଦ୍ରିକ ହୋଇ ବର୍ତ୍ତମାନ ବ୍ୟକ୍ତି କୈନ୍ଦ୍ରିକ ହୋଇ ବର୍ତ୍ତମାନ ବ୍ୟକ୍ତି କୈନ୍ଦ୍ରିକ ହୋଇ ସାରିଲେଣି । ଏମାନଙ୍କୁ ଉପଯୁକ୍ତ ଜ୍ଞାନ ଦେବାକୁ ଦୂରଦୂରାନ୍ତରର ରହସ୍ୟମୟ ଇଜମ ବା ବାଦକୁ ଗ୍ରହଣ କରାଯାଇ ନ ପାରେ । କମ୍ରେଡ଼ ବୃନ୍ଦ, କମ୍ୟୁନିଜମ୍‌ ପରି ଗୋଟାଏ ଚିନ୍ତାଧାରା, ଦେଶ ଭିତ୍ତିକ ନୁହେଁ । ନିଜ ଗଣନା ଓକାମନା ଉଭୟ ସଫଳ ହେବ । ଦେଖିବ ଏଇ ସ୍ୱାର୍ଥଲିପ୍‌ସୁ ଦାସ ଦଳ ସମୀହ ଭୁଲି ଶ୍ୱାନ ଶୃଗାଳଙ୍କ ପରି ବୀଭତ୍ସ ଚିତ୍କାର କରି ଯୁଦ୍ଧରତ ହେବେ । ଭାରତର ସେଇ ସ୍ମରଣୀୟ ଉଦାର ଆର୍ଯ୍ୟବାଣୀ ‘ବସୁଧୈବ କୁଟୁମ୍ବକଂ’ ଅଦ୍ୟାପି ବଞ୍ଚି ରହିଛି । ଏହାର ସ୍ମୃତି ବିଲୁପ୍ତ ହୋଇ ନ ପାରେ । ‘ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା’ ବୋଲି ଏକ ସମୂହ କଲ୍ୟାଣ ଭାବ ସଂଘବଦ୍ଧ ଭାରତୀୟଙ୍କର ମର୍ମବାଣୀ ଥିଲା । କିନ୍ତୁ ଆଜି ଭାରତୀୟ ରୁଗ୍‌ଣ ମନରେ ବିଦେଶୀ ଚିନ୍ତାଧାରାକୁ ନେଇ ବିଚାର କରିବାରେ ବ୍ୟସ୍ତ । ବିବେକାନନ୍ଦ, ପରମହଂସ, ଶ୍ରୀ ଅରବିନ୍ଦ, ନିଗମାନନ୍ଦ ଓ ରାମମୋହନ ଇତ୍ୟାଦି ଏଇ ଚିନ୍ତାର ସଂସ୍କାର ପାଇଁ ସତେ ଯେପରି ଉତ୍ପତ୍ତି ହୋଇଥିଲେ । ଆମ ଆଗରେ ଦୀର୍ଘ ପଥ ଉନ୍ମୁକ୍ତ । ଆମେ ଥକି ପଡ଼ିବା ନାହିଁ । ଐତେରୀୟ ବ୍ରାହ୍ମଣ କହେ–

 

ଚରନବୈ ମଧୁ ବିନ୍ଦତି

ଚରନ ସ୍ୱାଦୁ ମୃଦୁ ସ୍ୱରମ୍‌ ।

ସୂର୍ଯ୍ୟସ୍ୟ ପଶ୍ୟ ଶ୍ରେମାଣଂ

ଯୋ ନ ତନ୍ଦ୍ରୟତେ ଚରନ

ଚରୈବତି, ଚରୈବତି’’-

 

‘‘ଚାଲିବା ହେଲା ଅମୃତ ଲାଭ ଏବଂ ଚାଲିବାରେ ହିଁ ତାର ସବୁ ସଫଳତା । ଚାହିଁ ଦେଖ, ଏଇ ସୂର୍ଯ୍ୟର ଆଲୋକ ସମ୍ପଦ ଯେ ସୃଷ୍ଟିର ଆରମ୍ଭରୁ ଚାଲି ଚାଲି ଗୋଟିଏ ଦିନ ପାଇଁ ସୁଦ୍ଧା ଘୁମେଇ ପଡ଼ି ନାହିଁ । ତେଣୁ ଆଗେଇ ଚାଲ, ଆଗେଇ ଚାଲ ।’’ ଆମେ ନିଶ୍ଚୟ ଅମୃତ ସନ୍ଧାନରେ ଆଗେଇ ଯିବା...

 

କମ୍ରେଡ଼, ବୈଦିକ ଯୁଗର ସେ ଶିକ୍ଷା ଥିଲା ମନସ୍ତତ୍ତ୍ୱ ଭିତ୍ତିକ । ମଣିଷର ପ୍ରତ୍ୟେକ ପ୍ରବୃତ୍ତିକୁ ସଂଚାଳିତ କରି ନିୟନ୍ତ୍ରିତ କରିବାର ଉପାୟ ସେଥିରେ ପ୍ରଦର୍ଶିତ ହୋଇଥିଲା । ବର୍ତ୍ତମାନ ସେଇ ମନସ୍ତତ୍ତ୍ୱଭିତ୍ତିକ ଶିକ୍ଷା ବ୍ୟତିରେକେ ଭବିଷ୍ୟତକୁ ରକ୍ଷା କରିବା ଅସମ୍ଭବ । ଦିକ୍‌ଭ୍ରାନ୍ତ ହେବ ଭବିଷ୍ୟତ, ଉଦ୍‌ଭ୍ରାନ୍ତ ହେବେ ଜନତା, ପ୍ରବଞ୍ଚନାର ମାର୍ଗ ହେବ ଉନ୍ମୁକ୍ତ । ଅଧୋଗତିଶୀଳ ମାନବକୁ ରକ୍ଷା କରିବାର ଦାୟିତ୍ୱ ଆମ ‘ତୋଫାନ’ ବାହିନୀର...ମନେରଖ ଭାଇମାନେ ‘‘କୌଣସି ଗୋଟିଏ ଲୋକର ମତକୁ ନେଇ ଦୁନିଆର ରଙ୍ଗ ବଦଳିଯିବ ନାହିଁ । ଏଥିପାଇଁ ରୀତିମତ ସଂଘବଦ୍ଧ ଯୋଜନା ଆବଶ୍ୟକ । ଯୁବଗଣଙ୍କର ଜୀବନ ଉତ୍ସର୍ଗ ଆବଶ୍ୟକ ।’’ ଏତିକିବେଳେ ଅଳ୍ପ ବୟସ୍କା ନାରୀଟିଏ ଡ୍ରଇରୁମ ଭିତରକୁ ପଶିଆସିଲା । ଏତେ ଲୋକଙ୍କୁ ଦେଖି ପୁଣି ଅପ୍ରତିଭ ହୋଇ ଫେରି ଯାଉଥିଲା-

 

ସତ୍ୟବାନ ନିଜ ଆସନରୁ ଉଠି ଆସିଲା ତା ନିକଟକୁ । ସେ ତାକୁ ନମସ୍କାର କଲା । ସତ୍ୟବାନ ମଧ୍ୟ ପ୍ରତି ନମସ୍କାର କଲା । କିନ୍ତୁ ସତ୍ୟବାନ ଭାବିଥିଲା ସେ ଜଣେ ମହକିଲ । ତା ଘରକୁ ଏମିତି ମହକିଲ ଆସିବା ସ୍ୱାଭାବିକ । କିନ୍ତୁ ତାର ମନେ ହେଉଥିଲା ଯେମିତି ସେ ତାଙ୍କୁ କୋଉଠି ଦେଖିଛି । ନାରୀଟି ନୀରବରେ ଠିଆ ହେଲା । ସତ୍ୟବାନ କହିଲା ‘‘କିଛି କାମ ଅଛି ମୋ ଠାରେ ।’’ ସେ ହସିଲା । କହିଲା ‘‘ଜାଣେ, ଲୋକେ ବଡ଼ ଲୋକ ହେଲେ ଚିହ୍ନି ପାରନ୍ତି ନାହିଁ । ଶୁଣିଲି ଭାଇ ବଡ଼ ଲୋକ ହୋଇଛ । ବଡ଼ ଓକିଲ, ବଡ଼ କଥା । ଏବେ ମୋସ୍ୱାମୀଙ୍କର ବଦଳି ହୋଇଛି ଏଇଠିକୁ । ମୁଁ ଏଇ ପଡ଼ାରେ ଅଛି । ଭାବିଲି ଦେଖିଆସେ । କଣ ମନେ ପଡ଼ୁନି ?’’ ସତ୍ୟବାନର ମୋହ ତୁଟିଗଲା । ‘‘ଆରେ ସ୍ନିଗ୍‌ଧା, ଅନେକ ପରିବର୍ତ୍ତନ ହୋଇଯାଇଛି ତୁମ । ସତ୍ୟବାନ ଏତିକି କହୁ କହୁ ସ୍ନିଗ୍‌ଧାର ହାତ ଧରି ଘର ଆଡ଼କୁ ଆଗେଇ ଗଲା । ସେ କହିଲା ‘‘ମୁଁ ହଠାତ୍ ଖିଆଲ କରି ପାରିଲିନି । କହିଥିଲି ନାଁ ମନରେ ରଖିବାକୁ । ଠିକ୍ ସେଇଆ କରିଛି । ତୁମେ ମୋ ମନରେ ଅଛ । ବାହାରେ ନାହିଁ ।’’ ସ୍ନିଗ୍‌ଧାର ଆଖି ସଜଳ ହୋଇ ଉଠିଲା । ଅପ୍ରତିଭ ହୋଇ ସେ ଠିଆ ହୋଇ ରହିଲା ଓ ମୋହ ଭାଙ୍ଗି କହିଲା ‘‘ସ୍ୱାମୀ ଜଣେ ସାଧାରଣ କିରାଣୀ । ପିଲା ମଧ୍ୟ ଦୁଇଟି । ମୁଁ ଗରିବ ବୋଲି ଘୃଣା କରିବନି ।’’ ସତ୍ୟବାନ କହିଲା ‘‘ସ୍ନିଗ୍‌ଧା, ମୁଁ ବୋଧେ ତୁମ ମନରେ ଆଉ ନାହିଁ । ନହେଲେ ଏପରି କଥା ଭାବି ନଥାନ୍ତା । ଭିତରକୁ ଯାଇ ଭାଉଜଙ୍କୁ ଦେଖ । ପାଖରେ ତ ଅଛି । ସବୁବେଳେ ଆସିବ । ନିମନ୍ତ୍ରଣ ରହିଲା’’ । ବେଶ୍ ମମତା ସ୍ନିଗ୍‌ଧାର ।

 

ସତ୍ୟବାନର ଛାତିରେ ଯନ୍ତ୍ରଣା ଗୁରୁତର ହୋଇ ପଡ଼ୁଥିଲା । ଡାକ୍ତରଙ୍କ ବାରଣ ସତ୍ତ୍ୱେ ସତ୍ୟବାନ ମଦ୍ୟପାନରୁ ନିବୃତ୍ତି ହୋଇ ପାରୁ ନଥିଲା । ବେଳେବେଳେ ସେ ଚିତ୍କାର କରି ଉଠୁଥିଲା-। ଯନ୍ତ୍ରଣାରୁ ରକ୍ଷା ପାଇବାକୁ ତାକୁ ନିଦ ଔଷଧ ମଧ୍ୟ ଦିଆ ଯାଉଥିଲା କିନ୍ତୁ ତାର ବିଷାକ୍ତ ଶରୀରରେ ଔଷଧ ବିଶେଷ କାମ ହେଉ ନଥିଲା ।

 

ସୁନିଦ୍ରାର ଅଭାବ ଓ ଯନ୍ତ୍ରଣା ପାଇଁ ସତ୍ୟବାନ ବିଛଣାରେ ପଡ଼ି ରହିଲା । ଚିକିତ୍ସା ସତ୍ତ୍ୱେ ବି ମାଡ଼ି ଆସିଲା ଉତ୍ତାପ । ମୁହଁରୁ ବେଳେ ବେଳେ ରକ୍ତସ୍ରାବ ବି ହେବାକୁ ଲାଗିଲା । ସତ୍ୟବାନ ମୁଣ୍ଡପାଖରେ ରେଡ଼ିଓରୁ ଗୀତ ଶୁଣିବାର ଚେଷ୍ଟା କରି ମଧ୍ୟ ବିଫଳ ହେଉଥାଏ । ମାଧୁରୀର ଅନ୍ମହୀନ ଚିନ୍ତା । ବେଦନାରେ ଜର୍ଜରିତ ହୋଇ କେବଳ ସେବା କରି ଚାଲିଛି ମାଧୁରୀ ।

 

ଖବର ପାଇ ହେମନ୍ତବାବୁ ଓ ସତ୍ୟବାନର ବୋଉ ଦଉଡ଼ି ଆସିଲେ । ଦଳ ଦଳ ଶୁଭେଚ୍ଛୁଙ୍କ ଭିଡ଼ ଜମି ଆସିଲା । କିନ୍ତୁ ସତ୍ୟବାନ ଶୁଭେଚ୍ଛୁଙ୍କୁ ବାରଣ କରିଥିଲା । ବହୁଦିନ ପରେ ସ୍ନେହମୟୀ ଜନନୀର କରସ୍ପର୍ଶ ଲାଭକଲା ସତ୍ୟବାନ । ସତ୍ୟବାନର ମୁଣ୍ଡରେ ସେ ହାତ ବୁଲାଇଲେ । ମାଧୁରୀ ତାଙ୍କୁ ପ୍ରଣାମ କଲା । ରୂପା ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । ସେ କହିଲା ‘‘ଡାଡ଼ି, ଏ ତୁମର ମାମୀ ନର । ତୁମକୁ କଣ ନେଇଯିବେ ?’’

 

ସତ୍ୟବାନ ସ୍ନେହରେ ଗେଲକରି ଦେଲା । ସତ୍ୟବାନର ବୋଉଙ୍କ ଆଖିରୁ ଅଶ୍ରୁଧାର ଝରି ପଡ଼ୁଥିଲା । ସତ୍ୟବାନର ଆଖିରେ ଲୁହ ଭରିଗଲା ।

 

ହେମନ୍ତବାବୁ ମଧ୍ୟ ନୀରବରେ କ୍ରନ୍ଦନ କଲେ । ମାଧୁରୀ ଗୋଟାଏ ପଥର ମୂର୍ତ୍ତିପରି ଠିଆହୋଇ ହାହାକାର କରି ଉଠୁଥିଲା ।

 

ବେଳେ ବେଳେ ସତ୍ୟବାନର ଊର୍ଦ୍ଧ୍ୱଶ୍ୱାସ ଦେକା ଦେଉଥିଲା । ଗୁଣୁଗୁଣୁ ହୋଇ ସେ ଅସ୍ପଷ୍ଟ ଭାବରେ କିଛି କହୁଥିଲା । ବାପାଙ୍କୁ ଚାହିଁ ସେ କହିଲା, ‘‘ବାପା, ଆପଣ ଡେରି କରି ଦେଲେ-। ବୋଉକୁ ମୁଁ ମନେ ମନେ ଭାବୁଥିଲି । ଆପଣ ମୋ ପାଖରେ ଗୀତା ପାଠ କରିପାରିବେ-। ହେମନ୍ତବାବୁଙ୍କର ଅନ୍ତରାତ୍ମା ବିଦୀର୍ଣ୍ଣ ହୋଇ ପଡ଼ିଲା । ତଥାପି ସେ ଗୀତାପାଠ ଆରମ୍ଭ କଲେ । ସତ୍ୟବାନ ମନଦେଇ ଶୁଣୁଥାଏ । ବେଦନାରେ ବେଳେବେଳେ ଚିତ୍କାର କରେ । ବେଳେବଳେ ହେମନ୍ତବାବୁଙ୍କୁ ଆଶ୍ଚର୍ଯ୍ୟ କରି ଗୀତାର ଶ୍ଲୋକଗୁଡ଼ିକ ସେ ମଧ୍ୟ ଆବୃତ୍ତି କରେ ।

 

ସେତେବେଳେ ସତ୍ୟବାନର ଓଠ ଥରିଉଠିଲା । ସେ ଗୁଣୁ ଗୁଣୁ ହୋଇ ବିବ୍ରତ ଭାବରେ କଣ କହୁଥିଲା । ମାଧୁରୀକୁ ଡାକି ସେ କହିଲା ‘‘ଶୁଣ ମାଧୁରୀ, ପ୍ରିୟତମା ମୋର, ନନ୍ଦିତାକୁ ତାର ବିବାହ ଦିନ ମୋର ଶୁଭେଚ୍ଛା ଦେବ । ମଞ୍ଜୁଶ୍ରୀକୁ ମୋ କଥା ଟେଲିଗ୍ରାମରେ ଜଣାଇବ, ମୋର ଶୁଭାଶିଷ ତାର ପୁତ୍ରସନ୍ତାନ ପାଇଁ ପଠାଉୁଛି । ସ୍ନିଗଧାକୁ ଦଶହଜାର ଟଙ୍କାର ଚେକ୍ ଦେବ । ବିଚାରୀ ତାର ଗରିବ ସଂସାରକୁ ଚଳେଇ ପାରୁନି । ତାର ସ୍ନେହର ତୁଳନା ନାହିଁ । ହୁସେନକୁ ମୋର ଶେଷବାଣୀ ଶୁଣାଇବ । ତାର ଝିଅପାଇଁ ଦଶହଜାର ଟଙ୍କାର ଚେକ୍ ଦେବ । ତା ନିକଟରେ ମୁଁ ଚିରଋଣୀ । ମୋ ଝିଅକୁ ଗୋଟିଏ ଇଂଲିଶ ଏକାଡ଼େମୀରେ ପଢ଼ାଇବ । ତୋଫାନ ଦଳର ଦାୟିତ୍ୱ ତୁମ ଉପରେ । ନନ୍ଦିତା ଏଥିରେ ତୁମକୁ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ତା’ପରି ଉଦାର ଓ ସୁରୁଚିସମ୍ପନ୍ନା ଝିଅ ଏ ଦୁନିଆରେ ନାହାନ୍ତି । ମୋର ଏ ବୃଦ୍ଧ ପିତାମାତାଙ୍କୁ ନୀଳାଚଳ ଧାମରେ ରହିବା ପାଇଁ ଆବଶ୍ୟକୀୟ ଅର୍ଥ ଦେବ । ସଂସାରକୁ ତମେ ଡରିଯିବ ନାହିଁ ମାଧୁରୀ । ତୁମର ପିତାଙ୍କର ପିତା ଦ୍ୱିଜ ଦିଗମ୍ବର ଅଦ୍ୟାପି ଜୀବିତ । ତୁମେ ତାଙ୍କ ଦର୍ଶନ ପାଇଛ । ସେ ହେଉଛନ୍ତି ସ୍ୱାମୀ ପ୍ରେମାନନ୍ଦ । ସେ ପୁଣି ନିକଟରେ ତୁମ ପାଖରେ ଆସି ପହଞ୍ଚିବେ । ତାଙ୍କୁ ତୁମ ବାପାଙ୍କ ଡାଏରୀ ଓ ତା ସହିତ ଥିବା ଖଣ୍ଡେ ପୋଥି ମୋ ଲାଇବ୍ରେରୀ ଟେବୁଲର ଡ୍ରୟରରୁ କାଢ଼ି ଦେଇ ଦେବ । ମୋର ସମସ୍ତ କାମନାର ପରିପୂରଣ କରିବ ମାଧୁରୀ । ଆସ, ତୁମେ ମୋତେ ଆଲିଙ୍ଗନ କର । ମୋ ରାଣ, ମତେ ଠିକ୍‌ ଗୋଟାଏ ପେଗ୍‌ ହ୍ୱିସ୍କି ଦିଅ ।’’ ଡାକ୍ତର ଓ ନର୍ସ ଆସି ପୂର୍ବପରି ଚିକିତ୍ସା ଆରମ୍ଭ କଲେ । ଫୋଡ଼ିଲେ ଇଞ୍ଜେକ୍‌ସନ । ସତ୍ୟବାନ କହିଲା ‘‘ଆଉ କଷ୍ଟ ଦିଅନ୍ତୁ ନାହିଁ ଡାକ୍ତର ।’’

 

ମାଧୁରୀର ଚକ୍ଷୁ ଅଶ୍ରୁରେ ଅନ୍ଧହୋଇ ପଡ଼ିଲା । ଦାରୁଣ ଯନ୍ତ୍ରଣାରେ ସେ ସତ୍ୟବାନର ଗୋଡ଼ ପାଖରେ ମୁଣ୍ଡ ରଖି ମୂର୍ଚ୍ଛିତା ହୋଇ ପଡ଼ିଲା ।

 

ନିଜ ହାତରେ ଖଟ ସଂଲଗ୍ନ ଡ୍ରୟରରୁ ହ୍ୱିସ୍କି ବୋତଲ କାଢ଼ି ସତ୍ୟବାନ ମୁହଁରେ ଲଗାଇଲା । ହେମନ୍ତବାବୁ ଗୀତାର ଶ୍ଲୋକ ପାଠ କରୁ କରୁ ବିସ୍ମୟରେ ଚାହିଁଥିଲେ । ତାର ବୋଉ କେବଳ କାନ୍ଦୁଥିଲେ ଓ ତା ଦେହକୁ ଆଉଁସି ଦେଉଥିଲେ । ସତ୍ୟବାନ କହିଲା ‘‘ବୋଉ, ତତେ ଦେଖିବ ବୋଲି ଭାବି ନଥିଲି ।’’ ଖାଲି ବୋତଲଟା ତା ହାତରୁ ଖସି ପଡ଼ିଲା । ଏତିକିବେଳେ ହୁସେନ ପଶି ଆସିଲା । ସାଙ୍ଗରେ ରୂପା । ସତ୍ୟବାନ ହୁସେନକୁ ଦେଖି ପ୍ରସନ୍ନ ହେଲା ପରି ମନେ ହେଲା । ସେ କହିଲା ‘ବନ୍ଧୁ ହୁସେନ, ମୋର ଶୁଭେଚ୍ଛା ତୋର ସାଥୀ ହେବ । ରୂପା କଥା ତୁ ବୁଝିବୁ-। ବାପା, ଆପଣ ନିରବ କାହିଁକି ?’ ସତ୍ୟବାନର କଣ୍ଠରେ ସବୁ ଅସ୍ପଷ୍ଟ ଶୁଭୁଥିଲା । ସେ ଗାଉଥିଲା ‘‘ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଶ୍ୟାମି ମାଶ୍ଚଚ’’ । ହେମନ୍ତବାବୁ କେବଳ ଆଶ୍ଚର୍ଯ୍ୟ ହୋଇ ପଡ଼ୁଥିଲେ । ସତ୍ୟବାନ କଣ୍ଠରେ ଗୀତାର ଆବୃତ୍ତି ।

 

ଯନ୍ତ୍ରଣାରେ ସେ ଚିତ୍କାର କଲା । ହେମନ୍ତବାବୁ କହିଲେ ‘‘ସତୁ ତୁ ଭଗବାନଙ୍କ ନିକଟରେ ପାପ ସ୍ୱୀକାର କରିଦେ । କଷ୍ଟରୁ ମୁକ୍ତି ମିଳିବ ।’’ ବାପାଙ୍କର ଏହି ସତୁ ଡାକ ଆହା କି ମଧୁର । ସେ କହିଲା ‘‘ଆଉ ଥରେ ସତୁ ବୋଲି ଡାକ ବାପା ? ଏ ସଂସାରରେ ପାପ ବୋଲି କିଛି ନାହିଁ । ଜୀବନ ଚକ ଗଡ଼ି ଯାଉ ଯାଉ ମଡ଼ା ଅମଡ଼ା ମାଡ଼ିଯାଏ । ଆପଣାମାନେ ତାକୁ ପାପ ପୁଣ୍ୟ ବୋଲି କହନ୍ତି । ସବୁ ଖାଲି ମନଗଢ଼ା । ତୁମେ ମୃତ୍ୟୁ ସଞ୍ଜିବନୀ ଗୀତା ଗାନ କର ।’’ କଣ୍ଠ ତାର କ୍ଷୀଣ କ୍ଷୀଣତର ହେଉଥିଳା । ରୂପା ଟାଣୁଥିଲା ତାର ମାମୀକୁ । କିନ୍ତୁ ତାର ସଂଜ୍ଞା ନଥିଲା । ସତ୍ୟବାନ କହିଲା ‘ଭାଇ ହୁସେନ, ମତେ ଆଉ ଗୋଟିଏ ପେଗ୍ ହ୍ୱିସ୍କି ଦେ । ମୋର ପ୍ରବଳ ତୃଷା ହେଉଛି । ଏ ସମୟରେ ମାଧୁରୀ ନିରବ କାହିଁକି ?’’ ରୂପା କହୁଛି ‘‘ଡାଡ଼ି, ତୁମେ ଶ୍ଲୋକ ବୋଲ, ମାମୀ ଭଲ ହୋଇଯିବ ।’’

 

ହେମନ୍ତବାବୁ ବ୍ୟସ୍ତ ହୋଇପଡ଼ୁଥିଲେ । ଡାକ୍ତର ନିର୍ବାକ୍‍ ହୋଇ ବସିଥିଲେ । ସତ୍ୟବାନର ଶେଷ କାମନା ଯଦି ମଦ୍ୟପାନ ହୁଏ ନରକ ଗତି ହେବ । ଜୀବନଟାକୁ ଅସଂଯତ ଭାବରେ କଟାଇବାର ଏଇ ପରିଣତି । ସତ୍ୟବାନ କ୍ଷୀଣ କଣ୍ଠରେ କହିଲା ‘‘ଦିଅ ବନ୍ଧୁ, ଆଉ ଅଳ୍ପ ସମୟ ପାଇଁ ଠେଲା ପେଲା କାହିଁକି ? ଦିଅ ବାପା, ଡେରି କର ନାହିଁ ।’’ ଡ୍ରୟରରୁ ମଦ କାଢ଼ି ଗିଲାସରେ ଢାଳିଦେଲେ ହେମନ୍ତବାବୁ । ହୁସେନ ହାତକୁ ଦେବାକୁ ଯାଉଥିଲେ । ପୁଣି କଣ ଭାବି ନିଜେ ଥରିଲା ହାତରେ ସତ୍ୟବାନର ମୁହଁରେ ପାତ୍ରଟି ଲଗାଇଦେଲେ । ବହୁ କଷ୍ଟରେ ସେତକ ଢୋକିଲା ସତ୍ୟବାନ । ତାର ନାକରୁ ଦୁଇଧାର ରକ୍ତ ବୋହି ଆସିଲା । ପଣତ କାନିରେ ରକ୍ତଧାରକୁ ପୋଛି ଦେଲେ ତାର ବୋଉ । ଯନ୍ତ୍ରଣାରେ ସତ୍ୟବାନ ଚିତ୍କାର କରି ଉଠିଲା । ହିକ୍‌କାରେ ସେ ଅସ୍ଥିର ହୋଇ ପଡ଼ିଲା । କିନ୍ତୁ ହଠାତ୍ ସ୍ପଷ୍ଟ କଣ୍ଠରେ ସତ୍ୟବାନ ଗାଇଲା–

 

ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହଣାତି ନରୋପରାଣି ।

ତଥା ଶରୀରାଣି ବିହାୟ ଜୀର୍ଣ୍ଣା

ନନ୍ୟାନି ସଂଯାତି ନବାନି ଦେହୀ ।

Image